Unknown

ଓଡିଆ ସାହିତ୍ୟର ଇତିହାସ

ପଣ୍ଡିତ ବିନାୟକ ମିଶ୍ର

 

ଭୂମିକା

ବହୁ ବର୍ଷ ଉତ୍ତରେ ଏ ଲେଖକ ପାଠକମାନଙ୍କ ନିକଟରେ ଓଡିଆ ସାହିତ୍ୟରୁ ଇତିହାସକୁ ନୂତନ ଆକାରରେ ଉପସ୍ଥାପିତ କରୁଅଛି । ତଥାପି ଏହାକୁ ବିଶୁଦ୍ଧ ବା ପୂର୍ଣ୍ଣାଙ୍ଗ ସଂସ୍କରଣ କୁହାଯିବ ନାହିଁ । ପ୍ରାୟ ପାଞ୍ଚ ବର୍ଷତଳେ ଏ ପୁସ୍ତକରର ପାଣ୍ଡୁ ଲିପି ପ୍ରସ୍ତୁତ ହୋଇଥିଲା । ସେତେବେଳେ ଯଦୁମଣିଙ୍କ ସମ୍ୱନ୍ଧରେ ଯାହା ଲେଖାଯାଇଥିଲା, ଗତ ଦୁଇ ବର୍ଷର ଗବେଷଣା ଫଳରେ ତହିଁରେ ଅନେକ ପରିବର୍ତ୍ତନ ଘଟୁଅଛି । ଯଦୁମଣି ୧୮୦୨ ଖ୍ରୀଷ୍ଟାବ୍ଦରେ ନୟାଗଡ ରାଜାଙ୍କଠାରୁ କିଛି ଜମି ପୁରସ୍କାର ପାଇଥିଲେ ଓ ୧୮୫୨ ଖ୍ରୀଷ୍ଟାବ୍ଦରେ ଲଡୁକେଶ୍ୱର ସିଂହ ନାବାଳକ ଥିବାସମୟରେ ତହିଁରେ କର ଧାର୍ଯ୍ୟ ହୋଇଥିଲା । ଏହିପରି ପ୍ରତ୍ୟେକ କବିଙ୍କ ସମ୍ୱନ୍ଧରେ ନୂତନ ତଥ୍ୟ ଆବିଷ୍କୃତ ହୋଇପାରେ । ଏଣୁ ଅତୀତର ରାଜ୍ୟକୁ ବାଟ ଫିଟାଇବାପାଇଁ ଏହା ଜଙ୍ଗଲକଟା ବୋଲି କୁହାଯାଇପାରେ । ବହୁ ଲୋକଙ୍କ ପରିଶ୍ରମରେ ପକ୍କା ସଡକ ପ୍ରସ୍ତୁତ ହେବ ।

 

ସାହିତ୍ୟର ଇତିହାସ କହିଲେ କେବଳ ଅତୀତ କବିଙ୍କ ଜୀବନୀ ଓ ସେମାନଙ୍କ କାବ୍ୟ-ତାଲିକାକୁ ବୁଝାଏ ନାହିଁ । ଯୁଗ ଅନୁସାରେ ଓ ସମାଜର ପ୍ରଭାବରେ ଜାତିର ଅନ୍ତର ପରିବର୍ତ୍ତିତ ହୋଇ ମଧ୍ୟ ସମଗ୍ର ମାନବର ସୂକ୍ଷ୍ମ ଐକ୍ୟ କିପରି ପରିସ୍ଫୁଟ ହେଉଅଛି, ତାହାକୁ ପ୍ରତିଭାତ କରିବା ସାହିତ୍ୟ ଇତିହାସର ପ୍ରଧାନ ଲକ୍ଷ୍ୟ । ଏଣୁ ସମସ୍ତଙ୍କ କାବ୍ୟ ସାମାଲୋଚନା କରି ଇତିହାସ ସଂକଳନ କରିବା କଠିନ ବ୍ୟାପର । ପ୍ରବାଦ ଅଛି, ଉପେନ୍ଦ୍ରଭଞ୍ଜଙ୍କ ବୈଦେହୀଶବିଳାସରେ କ୍ରଟି ଲକ୍ଷ୍ୟ କରି ରାମଚରିତକୁ ନିର୍ଦ୍ଦୋଷ କରିବାପାଇଁ ଯଦୁମଣି ରାଘବ-ବିଳାସ ରଚନା କରିଥିଲେ । ଏହି ପ୍ରବାଦର ସତ୍ୟତା ଉଭୟଙ୍କ କାବ୍ୟର ତୁଳନାମୂଳକ ଗଭୀର ପାଠଦ୍ୱାରା ଉପଲବ୍ଧି କରାଯାଏ । ଏହିପରି ବହୁ ତଥ୍ୟ ସାହିତ୍ୟର ବିଶାଳ-ରାଜ୍ୟରେ ବିତରଣ କରି ଏ ଲେଖକ ଆହରଣ କରିପାରିଅଛି ବୋଲି କୌଣସି ପାଠକ ବିଚାରିବା ଉଚିତ ନୁହେ । ସମୁଦ୍ର-କୂଳରୁ କେତେ ଖଣ୍ଡ ଉପଳ ସଂଗ୍ରହ କରିବାର ଉଦ୍ୟମ ଏ ପୁସ୍ତକରେ କରାଯାଇଅଛି । ତଥାପି ବିଚାରଶକ୍ତି ପ୍ରୟୋଗ କରି ପାଠକମାନେ କେତେକ ତଥ୍ୟ ଏ ପୁସ୍ତକରୁ ହୃଦୟଙ୍ଗମ କରିପାରିବେ । ବିଭିନ୍ନ କବି ଏକ ରାମଚରିତକୁ ବିଭିନ୍ନ ପ୍ରକାରେ ଚିତ୍ର ଥିବାର ସାହିତ୍ୟର ଇତିହାସରୁ ଜଣାପଡୁଥିବାରୁ କୌଣସି କାବ୍ୟର କଥାବସ୍ତୁକୁ ଅବଲମ୍ୱନ କରି କେହି କାବ୍ୟ ପ୍ରଣୟନ କଲେ ଦୋଷାବହ ବିବେଚିତ ହେବ ନାହିଁ । ଏତିକିରେ ପାଠକଙ୍କଠାରେ ମେଲାଣି କରୁଅଛି ।

 

ପରମବନ୍ଧୁ ଅଧ୍ୟାପକ ଶ୍ରୀଧର ଦାସ ଏ ପୁସ୍ତକ ଲେଖିବାପାଇଁ ଯତ୍ପରୋନାସ୍ତି ଉତ୍ସାହ ଦେଇଥିଲେ, ଏହା ପ୍ରକାଶ ପାଇବାପାଇଁ ବହୁ ଉଦ୍ୟମ କରିଥିଲେ ଏବଂ ସମଗ୍ର ପୁସ୍ତକର ପ୍ରୁଫ୍ ଆଗ୍ରହର ସହିତ ମଧ୍ୟ ସଂଶୋଧନ କରିଥିଲେ । ଏଣୁ ଲେଖକ ତାହାଙ୍କଠାରେ ଯେତିକି କୃତଜ୍ଞ, ତତୋଽଧିକ ସେ ପାଠକମାନଙ୍କର ଧନ୍ୟବାଦର ପାତ୍ର ।

ବିନାୟକ ମିଶ୍ର

 

ସୂଚୀପତ୍ର

 

ପ୍ରଥମ ଅଧ୍ୟାୟ

ଓଡିଆ ଭାଷା ଓ ସାହିତ୍ୟର ଉତ୍ପତ୍ତି

ଦ୍ୱିତୀୟ ଅଧ୍ୟାୟ

ବ୍ରତ ବା ଓଷା ସାହିତ୍ୟ, କାହାଣୀ ସାହିତ୍ୟ ଓ ଗଦ୍ୟର ଉତ୍ପତ୍ତି

ତୃତୀୟ ଅଧ୍ୟାୟ

ପୁରାଣ-ସାହିତ୍ୟ

ଚତୁର୍ଥ ଅଧ୍ୟାୟ

ଯୋଗାଚାର ଓଡିଆ ସାହିତ୍ୟ

ପଞ୍ଚମ ଅଧ୍ୟାୟ

ପ୍ରେମଭକ୍ତର ସାହିତ୍ୟ

ଷଷ୍ଠ ଅଧ୍ୟାୟ

ପ୍ରମୋଦ-ସାହିତ୍ୟ

ସପ୍ତମ ଅଧ୍ୟାୟ

ଓଡିଆ ଛାନ୍ଦ ଓ ବିବିଧ ସାହିତ୍ୟ

 

 

ପ୍ରଥମ ଅଧ୍ୟାୟ

ଓଡ଼ିଆ ଭାଷା ଓ ସାହିତ୍ୟର ଉତ୍ପତ୍ତି

ଆଧୁନିକ ପାଶ୍ଚାତ୍ୟ ପ୍ରାଚ୍ୟବିଦ୍‌ଙ୍କ ମତରେ ଭାରତରେ ଅତି ପ୍ରାଚୀନ କାଳରେ ଅନାର୍ଯ୍ୟ ଜାତି ବାସ କରୁଥିଲେ । ମଧ୍ୟ-ଏସିଆରୁ ଆର୍ଯ୍ୟ ଜାତି ଆସି ପ୍ରଥମେ ପଞ୍ଜାବରେ ବାସ କଲେ । ସେଠାରୁ ପରବର୍ତ୍ତୀ ଯୁଗରେ ସେମାନଙ୍କ ବଂଶଧରମାନେ ସାରା ଭାରତରେ ବ୍ୟାପ୍ତ ହୋଇପଡ଼ିଥିଲେ । ବଙ୍ଗୀୟ ପଣ୍ଡିତ ୰ ଅବିନାଶ ଚନ୍ଦ୍ର ଦାସ ସର୍ବପ୍ରଥମେ ପାଶ୍ଚାତ୍ୟ ମତର ପ୍ରତିବାଦ କରିଥିଲେ (Vide Rigvedic India) । ତତ୍ପରେ ବଙ୍ଗୀୟ ପ୍ରତ୍ନତତ୍ତ୍ୱବିଦ୍‌ ୰ ରମାପ୍ରସାଦ ଚନ୍ଦ ପାଶ୍ଚାତ୍ୟ ମତ ସମାଲୋଚନା କରି ତହିଁରେ ଥିବା କେତେକ ତ୍ରୁଟି ଦର୍ଶାଇଥିଲେ-*-। ଅବଶେଷରେ ହରପ୍‌ପା ଓ ମହେଞ୍ଜୋଦାରୋଠାରେ ଭୂଗର୍ଭରେ ପୋତିହୋଇଥିବା ପ୍ରତ୍ନତତ୍ତ୍ୱର ନିଦର୍ଶନ ଆବିଷ୍କୃତ ହେବାରୁ ପାଶ୍ଚାତ୍ୟ ମତ ଖଣ୍ଡିତ ହେଉଅଛି । ଭାରତର ପାରମ୍ପରିକ ଜନଶ୍ରୁତି ଓ ପ୍ରାଚୀନ ଶିଳାଲେଖମାନ ମଧ୍ୟ ଉକ୍ତ ମତକୁ ସମର୍ଥନ କରୁନାହିଁ । ଆମର ଜନଶ୍ରୁତି ପୁରାଣମାନଙ୍କରେ, ବୈଦିକ କର୍ମକାଣ୍ଡରେ ଓ ଉପନିଷଦ୍‌ମାନଙ୍କରେ ଲିପିବଦ୍ଧ ହୋଇଅଛି । ପୌରାଣିକ ଉକ୍ତି ଅନୁସାରେ ଜମ୍ବୁ ଦ୍ୱୀପରେ ଭାରତବର୍ଷ ଅବସ୍ଥିତ । ଅତି ପ୍ରାଚୀନ କାଳରେ ଏ ଦେଶରେ ଭରତ ନାମକ ଏକ ଜାତି ବାସ କରୁଥିବାରୁ ଏହାର ନାମ ଭାରତବର୍ଷ ହୋଇଅଛି । ଭରତ ଜାତିର ଉଲ୍ଲେଖ ଋଗ୍‌ବେଦରେ ଅଛି । ଏମାନେ ଆଚାର-ବ୍ୟବହାର ଓ ବ୍ୟବସାୟ ଭେଦରେ ନାନାଜାତିରେ ପରିଣତ ହୋଇଥିବାର ‘ବ୍ରହ୍ମାଣ୍ଡ-ପୁରାଣ’ରୁ ଜଣାଯାଏ ।

 

‘ଅମରକୋଷ’ ଅଭିଧାନର ରାମାଶ୍ରମୀ ଟୀକାରେ ‘ଦ୍ୱି’ ଓ ‘ଆପ’ ଶବ୍ଦଦ୍ୱୟ ମିଶି ‘ଦ୍ୱୀପ’ ଶବ୍ଦର ଉତ୍ପତ୍ତି ବୋଲି କୁହାଯାଇଅଛି । ତାହାହେଲେ ‘ଦୁଇ ଜଳ’ ଏହାର ଅର୍ଥ ହେଲା ।‘ଅପ’ ଗୋଟିଏ ଅବ୍ୟୟ ପଦ ଓ ଏହା ‘ଅପ୍‌’ ଶବ୍ଦରୁ ଉତ୍ପନ୍ନ ହୋଇଥିବାର ଅନୁମିତ ହୁଏ । ଏହା ଯେଉଁ ଶବ୍ଦର ପୂର୍ବରେ ଯୁକ୍ତ ହୁଏ, ତାହାର ଅପକର୍ଷ ପ୍ରକାଶ କରେ । ଏଣୁ ‘ଆପ’ ଶବ୍ଦ ସାଧାରଣ ଜଳ ଅର୍ଥରେ ବ୍ୟବହୃତ ନ ହୋଇ ନରନାରୀଙ୍କ ପ୍ରଜନନ-ରସ ଅର୍ଥରେ ପ୍ରାଚୀନକାଳରେ ବ୍ୟବହୃତ ହେଉଥିଲା ବୋଲି ଅନୁମାନ କରାଯାଇପାରେ । ବୈଶାଖ ମାସରେ ଆମ ଦେଶରେ ତୁଳସୀ ବୃକ୍ଷଉପରେ ଜାମୁଡ଼ାଳରେ ଛାମୁଣ୍ଡିଆ କରାଯାଏ । ଛାମୁଣ୍ଡିଆରୁ ଗୋଟିଏ ଜଳପୂର୍ଣ୍ଣ କଳଶ ଓହଳିଥାଏ । କଳଶର ତଳଭାଗରେ ଛିଦ୍ର ଥାଏ । ଏହି ଛିଦ୍ରବାଟରେ ଜଳଧାରା ତୁଳସୀ ବୃକ୍ଷରେ ପଡ଼ି ତୁଳସୀକୁ ବଞ୍ଚାଏ । ବିଶାଖା-ନକ୍ଷତ୍ରର ନାମାନୁସାରେ ବୈଶାଖ ମାସର ନାମ ହୋଇଅଛି ।

*Indo Aryan Races

ବେଦର ‘‘ଯା ବିଦ୍ୟା ଆପଃ ପୟସା ...’’ ଇତ୍ୟାଦି ମନ୍ତ୍ର ତୁଳନା କର ।

 

କାଳିଦାସଙ୍କ ‘ଶକୁନ୍ତଳା’ରେ ‘‘କିମିହ ଚିତ୍ରଂ ଯଦି ବିଶାଖେ ଶଶାଙ୍କଲେଖାମନୁବର୍ତ୍ତତେ’’ ଓ ‘ମାଳବିକାଗ୍ନି ମିତ୍ର’ରେ ‘‘କୁମ୍ଭୀଳକୈଃ କାମୁକୈଶ୍ଚ ପରିହର୍ତ୍ତବ୍ୟା ଚନ୍ଦ୍ରିକା’’ ଥିବା ଉକ୍ତିଦ୍ୱୟକୁ ବିଚାର କଲେ ଶଶାଙ୍କଲେଖାର ଅର୍ଥ ପ୍ରଜନନ-କାମନା ପ୍ରତୀତ ହୁଏ । ସମ୍ଭୋଗକାଳର ‘ଚନ୍ଦ୍ରଚାଳନା’ ଏହା ସହିତ ତୁଳନା କରାଯାଇପାରେ । ଗୀତାରେ ଶରୀରକୁ ଅଶ୍ୱତ୍‌ଥ ବୃକ୍ଷରୂପରେ ବର୍ଣ୍ଣନା କରାଯାଇଅଛି । ଇନ୍ଦ୍ରିୟକୁ ଆମ ସାହିତ୍ୟରେ ‘ଶାଖା’ କହନ୍ତି । ଏଣୁ ‘ବିଶାଖା’ର ଅର୍ଥ ଜିତେନ୍ଦି ୟତା । ଜିତେନ୍ଦ୍ରିୟକୁ ଯଦି ପ୍ରଜନନ-କାମନା ଅନୁସରଣ କରେ, ତେବେ ଏହାଠାରୁ ବିଚିତ୍ର କଥା କଣ ଅଛି ? ଏହା କାଳିଦାସ ‘ଶକୁନ୍ତଳା’ରେ କହିଅଛନ୍ତି । ଦିନକରେ ଗୋଟିଏ ନକ୍ଷତ୍ର ଓ ମାସକ ଭିତରେ ପ୍ରତି ନକ୍ଷତ୍ରକୁ ଚନ୍ଦ୍ରଙ୍କର ଗତି ହୁଏ । ବିଶାଖା-ନକ୍ଷତ୍ରକୁ ଗତି ହେଲେ ବିସ୍ମୟର କାରଣ ନାହିଁ । ତୁଳସୀ ଗଛପରି ଜଟା ବାନ୍ଧ ଊର୍ଦ୍ଧ୍ୱ ବା ଶୂନ୍ୟ ଜଳକୁ ଆଶା କରି ଜମ୍ବୁ ବା ଜାମୁଗଛମୂଳରେ ଥିବା ତପସ୍ୱୀ ଓ ତପସ୍ୱିନୀଙ୍କୁ ‘ବିଶାଖେ’ କୁହାଯାଇଅଛି । ଜମ୍ବୁ ଦ୍ୱୀପ ଏହାକୁ କହନ୍ତି ।

 

 

ଜମ୍ବୁ ଦ୍ୱୀପରେ ଭରତ-ଜାତି ଜାତ ହେଲେ । ନାଟ୍ୟ-ଶାସ୍ତ୍ରର ପ୍ରଣେତାଙ୍କୁ ଭରତ କୁହାଯାଇଅଛି ଓ ରାମାୟଣରେ ରାମଙ୍କ ଭାଇ ଭରତ ନୃତ୍ୟଗୀତ-ପ୍ରିୟ ଥିବାର ବର୍ଣ୍ଣିତ ଅଛି । ନୃତ୍ୟଗୀତର କଳାକୁ ଭାଗବତ-ପୁରାଣରେ ‘ଲଳିତା’ କୁହାଯାଇଅଛି । ଲଳିତ କଳାର ଆବିଷ୍କାର ଉତ୍ତାରୁ ଲୋକେ କ୍ରମଶଃ ତପସ୍ୟା ଛାଡ଼ିଥିବାର ରାମାୟଣରୁ ପ୍ରମାଣ ମିଳେ । ତୁଳସୀ ବୃକ୍ଷକୁ ‘ବୃନ୍ଦାବତୀ’ କହୁଥିବାରୁ ‘ବୃନ୍ଦାବନ’ର ଅର୍ଥ ତପୋବନ ବୋଲି ଗ୍ରହଣ କରାଯାଇପାରେ । ପ୍ରାଚୀନ କାଳର ତପସ୍ୱୀ ବା ଅମର ପୂର୍ବପୁରୁଷ ଗୀତାରେ ‘ଅର୍ଯମା’ ନାମରେ କଥିତ ହୋଇଅଛନ୍ତି । ଅର୍ଯମାଙ୍କୁ ଅନାବୃଷ୍ଠିର ଦେବତା ବା ପ୍ରଜନନ-ରସସ୍ରାବଶୂନ୍ୟ ରୂପରେ ଏବେ ପୂଜା କରାଯାଏ । ଏଣୁ ଆମର ଆଦିପୁରୁଷ ସଯତେନ୍ଦ୍ରିୟ ଥିଲେ ବୋଲି କୁହାଯିବ । ପ୍ରଜନନ-ରସସ୍ରାବକୁ ରୂପକାଳଙ୍କାରରେ ବେଦରେ ବୃଷ୍ଟି କୁହାଯାଇଅଛି ।

 

ଭରତମାନେ କୁମାର ବା ଅବିବାହିତ ରହି ଜାତିଭେଦର ବିରୋଧୀ ଥିଲେ । ଏମାନେ ଆଦିବାସୀମାନଙ୍କୁ ବୈଦିକ ଭାଷା ଶିଖାଇବାରୁ ବେଦର ଭାଷାକୁ ନିଜେ ଓ ଶିଖିବା ଲୋକେ ଭିନ୍ନ ରୂପରେ ଉଚ୍ଚାରଣ କଲେ । ଏହି ପରିବର୍ତ୍ତିତ ଭାଷା ‘ପାଲି’ ନାମରେ ଅଭିହିତ ହେଲା । ଉତ୍ତରଭାରତରେ ବୈଦିକ ଭାଷା ପରିବର୍ତ୍ତିତ ହୋଇ ପାଲି ଭାଷାର ସୃଷ୍ଟି ଘଟିଲା ଓ ତାହା ଓଡ଼ିଶାକୁ ଆସିଲା ବୋଲି ଯେଉଁ ମତ ପ୍ରଚଳିତ ଅଛି, ତାହା ଡ୍‌ମମୂଳକ-ଏ କଥା ଧଉଳି, ଜଉଗଡ଼ ଓ ଭୁବନେଶ୍ୱରର ଉଦୟଗିରିରେ ଥିବା ହାତୀଗୁମ୍ଫାର ଶିଳାଲିପିମାନଙ୍କରୁ ପ୍ରମାଣିତ ହୁଏ ।

 

ରାଜା ଦେବାନାଂ ପ୍ରିୟ ପ୍ରିୟଦର୍ଶୀ ଲୋକମାନଙ୍କ ନୈତିକ ଚରିତ୍ରର ଉନ୍ନତି ନିମନ୍ତେ ଭାରତର ବିଭିନ୍ନ ରାଜ୍ୟରେ ଅନୁଶାସନ ପଥରଦେହରେ ଖୋଦନ କରାଇ ଅଛନ୍ତି । ସ୍ଥାନୀୟ ଲୋକଙ୍କ ବୋଧଗମ୍ୟ ହେବାପାଇଁ ପ୍ରତ୍ୟେକ ସ୍ଥାନର ଅନୁଶାସନ ସ୍ଥାନୀୟ ପାଲି ଭାଷାରେ ଲିଖିତ ହୋଇଅଛି ।‘‘ରାଜାଙ୍କଦ୍ୱାରା ଲିଖିତ ହେଲା’’-ଏ ବାକ୍ୟଟି ଗିର୍ଣ୍ଣାରରେ ‘‘ରାଞ୍ଜା ଲେଖାପତି’’, ସାହାବାଜଗଡ଼ରେ ‘‘ରଞ୍ଜୋ ଲିଖିପିତ’’, ମନସ୍ରାହାରା ‘‘ରଜିନ ଲିଖପିତ’’ ଓ ଗଞ୍ଜାମର ଜଉଗଡ଼ରେ ‘‘ଲାଜିନା ଲିଖାପିତ’’, ରୂପରେ ଖୋଦିତ ହୋଇଅଛି । ଧଉଳିରେ କର୍ତ୍ତା-ପଦ ନଷ୍ଟ ହୋଇ କେବଳ କ୍ରିୟାପଦ ‘‘ଲିଖାପିତ’’ ଅଛି । ଏଣୁ ପାଲି ଭାଷା ସେତେବେଳକୁ ବିଭିନ୍ନ ପ୍ରାଦେଶିକ ଭାଷା ସୃଷ୍ଟି କରିବାର ପଥରେ ଅଗ୍ରସର ହେଉଥିବାର ଜଣାଯାଏ ।

 

ଧଉଳି ଓ ଜଉଗଡ଼ର ଶିଳାଲିପିରେ ‘ସ’ ଓ ‘ଣ’ ବର୍ଣ୍ଣଦ୍ୱୟର ଯେପରି ବହୁଳ ବ୍ୟବହାର ଦେଖାଯାଏ, ଉତ୍ତର-ଭାରତର କୌଣସି ଶିଳାଲିପିରେ ସେପରି ଦେଖାଯାଏ ନାହିଁ । ଭାଷାତତ୍ତ୍ୱବିଦ୍‌ମାନେ ମହାରାଷ୍ଟ୍ରୀ, ଗୁଜୁରାଟୀ, ମୈଥିଳୀ, ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ପ୍ରଭୃତି ଉତ୍ତର-ଭାରତର ଭାଷାକୁ ଆର୍ଯ୍ୟ ଏବଂ ତେଲୁଗୁ, ତାମିଲ ପ୍ରଭୃତି ଦକ୍ଷିଣ-ଭାରତର ଭାଷାକୁ ଦାବିଡ଼ୀ ନାମରେ, ଅଭିହିତ କରି ଅଛନ୍ତି । ଏହାଛଡ଼ା କନ୍ଧ, ଶବର ପ୍ରଭୃତି ଆଦିବାସୀଙ୍କର ଭାଷା ଅଛି । କନ୍ଧମାନଙ୍କ ଭାଷାରେ ‘ଳ’ ଓ ‘ଣ’ ବର୍ଣ୍ଣଦ୍ୱୟର ଧ୍ୱନି ବ୍ୟବହୃତ ହୁଏ । ଓଡ଼ିଆ ଓ ଦ୍ରାବିଡ଼ୀ ଭାଷାରେ ଏହି ଧ୍ୱନିଦ୍ୱୟର ବ୍ୟବହାର ମଧ୍ୟ ଦେଖାଯାଏ । କନ୍ଧମାନଙ୍କ ଭାଷାର ଦ୍ରାବିଡୀ ଭାଷା ସହିତ ଅନ୍ୟାନ୍ୟ ବହୁ ସାମଞ୍ଜସ୍ୟ ଥିବାରୁ ସେମାନଙ୍କ ଭାଷାକୁ ମଧ୍ୟ ଦ୍ରାବିଡ଼ୀ କହନ୍ତି । ଶବରମାନଙ୍କ ଭାଷାରେ ‘ସ’ର ଧ୍ୱନି ବହୁଳ ପରିମାଣରେ ପ୍ରଚଳିତ ଥିବାର ଭରତ ନାଟ୍ୟ-ଶାସ୍ତ୍ରରେ ଉଲ୍ଲେଖ କରିଅଛନ୍ତି । କିନ୍ତୁ ତାଙ୍କ ଭାଷା କେଉଁ ଶ୍ରେଣୀର ଅନ୍ତର୍ଗତ ହେବ, କେହି ନିରୂପଣ କରି ନାହାନ୍ତି । କୌଣସି କୌଣସି ଜାତିତତ୍ତ୍ୱବିତ୍‌ କହନ୍ତି ଯେ ଭୂୟାଁ, କୋଲ୍‌ହ ପ୍ରଭୃତି ଯେଉଁ ମୁଣ୍ଡାରି ବା ହୋ ଶ୍ରେଣୀର, ଶବରମାନେ ତାହାରି ଅନ୍ତର୍ଗତ ଅଟନ୍ତି । ଗଣ୍ଡମାନଙ୍କ ଭାଷାକୁ ଗଣ୍ଡି କହନ୍ତି ଓ ଏହାକୁ ଦ୍ରାବିଡ଼ ଭାଷାର ଅନ୍ତର୍ଗତ କରାଯାଇଅଛି । ଯାହା ହେଉ ଏସବୁ ଜାତି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଅଛନ୍ତି ଏବଂ ଦ୍ରାବିଡ଼ୀ ଭାଷାର ‘ଣ’ ଓ ‘ଳ’ ବର୍ଣ୍ଣଦ୍ୱୟର ଧ୍ୱନି ଓ ଶାବରୀ ଭାଷାର ‘ସ’ଧ୍ୱନି ଓଡ଼ିଆରେ ବର୍ତ୍ତମାନ ପ୍ରଚଳିତ ଅଛି । ବେଦର ଭାଷାରେ ମଧ୍ୟ ଏ ଧ୍ୱନିମାନଙ୍କର ବ୍ୟବହାର ଦେଖାଯାଏ । ଉତ୍ତରଭାରତର ଭାଷାମାନଙ୍କରେ ଧ୍ୱନିମାନଙ୍କର ବ୍ୟବହାର ନାହିଁ ଓ ଅଶୋକଙ୍କ ଅନୁଶାସନ ଖୋଦିତ ହେବାକାଳରେ ନ ଥିବାର ଜଣାଯାଇଅଛି । ସେଠାରେ ଶିଳାଲିପିମାନଙ୍କରେ ‘ଶ’ ଓ ‘ନ’ ବର୍ଣ୍ଣଦ୍ୱୟର ବ୍ୟବହାର ବହୁଳ ପରିମାଣରେ ଦେଖାଯାଏ । ଏଣୁ ମଗଧ ବା ଆଧୁନିକ ବିହାରରୁ ପାଲି ଭାଷା ଓଡ଼ିଶାକୁ ଆସିଲା ବୋଲି ଯେଉଁ ମତ ପ୍ରଚଳିତ ଅଛି, ତାହା ଭ୍ରମମୂଳକ ବୋଲି ଜଣାଯାଏ ।

 

ପାଲି ଭାଷାରୁ ବିଭିନ୍ନ ପ୍ରାକୃତ ଭାଷାମାନଙ୍କର ଉତ୍ପତ୍ତି ଘଟିଥିଲା ଓ ଏହି ପ୍ରାକୃତମାନଙ୍କର ବିଭିନ୍ନ ବ୍ୟକରଣ ପ୍ରାଚୀନ କାଳରେ ଲେଖା ହୋଇଥିଲା । ଜର୍ମାନ୍‌ ଭାଷାତତ୍ତ୍ୱଜ୍ଞ ପିସେଲ୍‌ (Pischel) ଏହି ବ୍ୟାକରଣମାନଙ୍କର ତୁଳନାମୂଳକ ଆଲୋଚନା କରି ଅଛନ୍ତି । ଅନେକ ପ୍ରାକୃତ ବ୍ୟାକରଣରେ ଉକ୍ତ ଅଛି ଯେ ପ୍ରଥମେ ମହାରାଷ୍ଟ୍ରୀ ପ୍ରାକୃତର ଉତ୍ପତ୍ତି ଘଟି ତହିଁରୁ ଅର୍ଦ୍ଧମାଗଧୀ, ମାଗଧୀ ଓ ଅନ୍ୟାନ୍ୟ ପ୍ରାକୃତ ଭାଷାମାନଙ୍କର ଉତ୍ପତ୍ତି ହେଲା । ଏହାର ଅର୍ଥ ଏପରି ନୁହେ ଯେ ମହାରାଷ୍ଟ୍ର ବା ଆଧୁନିକ ମରହଟ୍ଟାମାନଙ୍କ ରାଜ୍ୟରେ ବୈଦିକ ଭାଷା ପରିବର୍ତ୍ତିତ ହୋଇ ପ୍ରାକୃତ ଭାଷାର ପ୍ରଥମ ଉତ୍ପତ୍ତି ହୋଇଗଲା । ଭାରତରେ ରାଜ୍ୟ ବିଭାଗ ଜାତିଗତ ଅଥବା ଭୌଗୋଳିକ ନୁହେ-ଧର୍ମଗତ ଅଟେ । ଏଣୁ ମହାରାଷ୍ଟ୍ରର ଅର୍ଥ ‘ପୃଥୁ’ ବା ବିରାଟ ରୂପରେ ଗ୍ରହଣ କରିବାକୁ ହେବ । ଏହି ପୃଥୁଦର୍ମ ପ୍ରଚାରିତ ହେବାକାଳରେ କୁମାରମାନେ ଆଦିବାସୀଙ୍କ ଉନ୍ନତିପାଇଁ ସେମାନଙ୍କ ସହିତ ମିଶିଥିଲେ । ଉଚ୍ଚ ରବ ବା ରୋଦନ କରୁଥିବା ଲୋକ ରାବଣ ନାମରେ ଅଭିହିତ ହୋଇଥିବାର ରାମାୟଣରେ ଉକ୍ତ ଅଛି । ପ୍ରାକୃତ ଭାଷାକୁ ଲଙ୍କେଶ୍ୱର ଓ ଲଙ୍କେଶ୍ୱର ରାବଣ କହନ୍ତି । ଏଣୁ ଉଚ୍ଚ ରବରେ ଆଦିବାସୀଙ୍କୁ ଭାଷା ଶିଖାଇବା ଲୋକେ ରାବଣ ନାମରେ ଅଭିହିତ ହୋଇଥିବାର ଅନୁମତି ହୁଏ ।

 

ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରାକୃତର ପ୍ରଚଳନ ଥିବାର ସଂସ୍କୃତ ଅଳଙ୍କାର ଶାସ୍ତ୍ରମାନଙ୍କରୁ ଜଣାଯାଏ । କାରଣ, ନାଟକରେ ଏକ ଦେଶର ବିଭିନ୍ନ ଅଭିନେତା ବିଭିନ୍ନ ପ୍ରାକୃତ ବ୍ୟବହାର ପରିବାପାଇଁ ନିର୍ଦ୍ଦେଶ ଅଛି । ‘‘ସାହିତ୍ୟ-ଦର୍ପଣ’’ ଅନୁସାରେ ରାଜାଙ୍କ ଅନ୍ତଃଗୁରର ଚାକରଚାକରାଣୀମାନେ ମାଗଧୀ ଓ ପଦାତିକମାନେ, ରାଜକୁମାର-କୁମାରୀମାନେ ଓ ବଣିକମାନେ ଅର୍ଦ୍ଧମାଗଧୀ ଏବଂ ବିଦୂଷକ ଓ ଅନ୍ୟାନ୍ୟମାନେ ପ୍ରାଚ୍ୟା ପ୍ରାକୃତ ବ୍ୟବହାର କରୁଥିଲେ । ଅସ୍ତ୍ରରେ ଗାରଦେବା ଲୋକେ ଯୋଦ୍ଧା ଓ ଧୂର୍ତ୍ତମାନେ ଆବନ୍ତକୀ, ଜୁଆ-ଖେଳାଳିମାନେ ଦାକ୍ଷିଣାତ୍ୟା, ଶିକାରମାନେ ଓ ଅନ୍ୟମାନେ ଶାକାରୀ, ସ୍ୱର୍ଗର ବ୍ୟକ୍ତିମାନେ ବାଲହକୀ, ଦ୍ରାବିଡ଼ମାନେ ଦ୍ରାବିଡ଼ୀ, ଗଉଡ଼ମାନେ ଆଭୀରୀ ଓ ଅନ୍ତ୍ୟଜମାନେ ଚଣ୍ଡାଳକୀ ଭାଷା ବ୍ୟବହାର କରୁଥିଲେ । ଏହିପରି ପୈଶାଚୀ ଓ ଶୌରସେନ। ଅନ୍ୟ ଅଭିନେତାଙ୍କପାଇଁ ନିର୍ଦ୍ଦିଷ୍ଟ ଅଛି । ଏକ ଦେଶର ରଙ୍ଗମଞ୍ଚରେ ବିଭିନ୍ନ ପ୍ରାକୃତ ବ୍ୟବହାର କରାଯାଉଥିବାରୁ ଏକ ଦେଶରେ ବିଭିନ୍ନ ପ୍ରାକୃତର ପ୍ରଚଳନ ଥିବାର ଅନୁମତି ହୁଏ । ତାମ୍ରଶାସନମାନଙ୍କରୁ ମଧ୍ୟ ଜଣାଯାଏ, ବାଲେଶ୍ୱର ଜିଲା ପ୍ରାଚୀନ କାଳରେ ତୋଷଳୀ ରାଜ୍ୟର ଅନ୍ତର୍ଗତ ଥିଲା ଓ ତହିଁରେ ଉଡ୍ର, ଉତ୍କଳ ଓ ପଞ୍ଚାଳ ବିଷୟମାନ ଅବସ୍ଥିତ ଥିଲା । ଏବେ ମଧ୍ୟ ଏକ ରାଜ୍ୟରେ ବିଭିନ୍ନ ଉପଭାଷାର ପ୍ରଚଳନ ଅଛି । ଏଣୁ ମଗଧ ବା ଆଧୁନିକ ବିହାରରୁ ପାଲି ଭାଷା ଓଡ଼ିଶାକୁ ଆସିଲା ବୋଲି କହିବା ଯଥାର୍ଥ ନୁହେ । ପ୍ରାଚୀନ ଅଳଙ୍କାର ଶାସ୍ତ୍ରପ୍ରଣେତାମାନେ କହିଅଛନ୍ତି ଯେ ସିଦ୍ଧ ଓ ଦେବତାମାନେ ଅର୍ଦ୍ଧମାଗଧୀ ବ୍ୟବହାର କହୁଥିଲେ । ଏହି ଭାଷାରେ ‘ସ’ ଓ ‘ଣ’ ଧ୍ୱନିଦ୍ୱୟର ବହୁଳ ପ୍ରଚଳନ ଥିଲା । ଦେବାନାଂ ପ୍ରିୟ ପ୍ରିୟଦର୍ଶୀଙ୍କ ଧଉଳି-ଅନୁଶାସନରେ ଓ ସିଦ୍ଧମାନଙ୍କୁ ପ୍ରଣାମ କରିଥିବା ଖାରବେଳଙ୍କ ହାତୀଗୁମ୍ଫାର ଶିଳାଲିପିରେ ଅର୍ଦ୍ଧମାଗଧୀ ବ୍ୟବହୃତ ହୋଇଥିବାରୁ ଏ ଦେଶରେ ଦେବତା ଓ ସିଦ୍ଧ ଥିଲେ ଏବଂ ବୈତରଣୀ ଓ ଋଷିକୂଲ୍ୟାର ମଧ୍ୟବର୍ତ୍ତୀ ଭୂଭାଗକୁ ଯଥାର୍ଥରେ ପୁରାଣମାନଙ୍କରେ ପୁଣ୍ୟଭୂମି କୁହାଯାଇଥିବାର ପ୍ରମାଣିତ ହୁଏ । ଏଣୁ ଭୁବନେଶ୍ୱରର କପିଳେଶ୍ୱରପୁରରୁ ଆବିଷ୍କୃତ ଶିଳାଲିପିରେ ସେ ସ୍ଥାନ ବୁଦ୍ଧଦେବଙ୍କ ଜନ୍ମସ୍ଥାନ ବୋଲି ଯାହା କୁହାଯାଇଅଛି, ତାହା ସତ୍ୟ ଅଟେ । ନେପାଳରେ ରୁମେଡ଼ି ଗ୍ରାମରେ କପିଳଙ୍କ ସାଂଖ୍ୟ ମତ ପ୍ରାଚୀନ କାଳରେ ପ୍ରଚଳିତ ଥିବାର ପ୍ରମାଣିତ ହୋଇନାହିଁ । ଏଣୁ ବୁଦ୍ଧଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁରଠାରେ ଅବସ୍ଥିତ ଥିଲା ବୋଲି କହିବା ଯୁକ୍ତିଯୁକ୍ତ । ବୋଧିସତ୍ତ୍ୱ ବାସୁକି ନାଗଦ୍ୱାରା ସଂରକ୍ଷିତ ହୋଇଥିଲେ ଓ କପିଳେଶ୍ୱରପୁରରୁ ଖ୍ରୀଷ୍ଟ୍ରୀୟ ପୂର୍ବ ଶତକର ନାଗମୂର୍ତ୍ତିମାନ ଆବିଷ୍କୃତ ହୋଇଅଛି ।

 

ପୃଥୁ ବା ମହାରାଷ୍ଟ୍ର ଧର୍ମ ପ୍ରଥମେ ପୁରୀରେ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ଏଠାରେ ଏ ଉକ୍ତିକୁ ସମର୍ଥନ କରିବାପାଇଁ ବହୁ ପ୍ରମାଣ ଦର୍ଶାଇବାର ଅବକାଶ ନାହିଁ । କେବଳ ଏତିକି କୁହାଯାଉଅଛି ଯେ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପିରେ ଓ ମହାଭାରତରେ ପୁରୀକୁ ଯଥାକ୍ରମରେ ‘ପିଥୁଡ଼ଗ’ ଓ ‘ପୃଥୂଦକ’ କୁହାଯାଇଅଛି । ପଦପୁରାଣ ଅନୁସାରେ ପୃଥୁ-ରାଜା ଜାତିଭେଦ ସ୍ଥାପନ କରି ଚାରଣମାନଙ୍କୁ କଳିଙ୍ଗ ରାଜ୍ୟ ଦେଇଥିଲେ । ଏଣୁ ପୃଥୁଙ୍କ ରାଜ୍ୟ କଳିଙ୍ଗର ପ୍ରତିବାସୀ ଥିଲା । ପ୍ରାଚୀନ କାଳର ମହାରାଷ୍ଟ୍ର ଓଡ଼ିଶାରେ ଥିଲା ବୋଲି ପ୍ରାଚୀନ ମତପୋଷକଙ୍କୁ ଓଡ଼ିଆରେ ମରହଟ୍ଟା କୁହାଯାଏ ।

 

ବୈଦିକ ଭାଷା ସଙ୍ଗେ ସମ୍ପର୍କ ରଖି ପାଲି ଭାଷାକୁ ସଂସ୍କାର କରି ସାହିତ୍ୟରେ ବ୍ୟବହୃତ ହେବାପାଇଁ ସଂସ୍କୃତ ଭାଷାର ସୃଷ୍ଟି କରାଯାଇଥିଲା । ବୌଦ୍ଧ ଧର୍ମର ଗାଥା-ସାହିତ୍ୟରେ ସଂସ୍କୃତ ଓ ପାଲି ଭାଷାର ଏକତ୍ର ବ୍ୟବହାର ଅଛି । କିନ୍ତୁ ତାହା ଓଡ଼ିଶାର ସାହିତ୍ୟ କି ନା, ତାହା କେହି ଆଲୋଚନା କରି ନାହାନ୍ତି । ଓଡ଼ିଶାରେ ଋଗ୍‌ବେଦର ଅନେକ ସୂକ୍ତ ରଚିତ ହୋଇଥିବାର ଅନେକ ପ୍ରମାଣ ବିଭିନ୍ନ ସୂତ୍ରରୁ ମିଳେ । ସେସବୁ ଉଲ୍ଲେଖ କରିବାପାଇଁ ଏଠାରେ ଅବକାଶ ନାହିଁ । କିନ୍ତୁ ଯେ କୌଣସି ଦେଶର ପ୍ରାଚୀନ ସଂସ୍କୃତିର ନିଦର୍ଶନ ସେ ଦେଶର ଭାଷା ଓ ସାହିତ୍ୟରେ ସଞ୍ଚିତ ଥାଏ । ଏଣୁ ପ୍ରତ୍ୟେକ ଦେଶର ଇତିହାସ ସଂକଳନ କରିବାପାଇଁ ସେ ଦେଶର ଭାଷା ଓ ସାହିତ୍ୟରୁ ଉପାଦାନ ସଂଗ୍ରହ କରାଯାଏ । ଏ ଦେଶରେ ବେଦ ରଚିତ ହୋଇଥିବା ସମ୍ୱନ୍ଧରେ ଏ ଦେଶର ସାହିତ୍ୟରେ କି ପ୍ରମାଣ ଅଛି, ତାହା ଯଥାସ୍ଥାନରେ ଆଲୋଚିତ ହେବ । ଭାଷାରେ ଯେଉଁସବୁ ପ୍ରମାଣ ଅଛି, ତାହା ଦର୍ଶାଇବାପୂର୍ବରୁ ପ୍ରାଚୀନ ସାମାଜିକ ଅବସ୍ଥା ସମ୍ୱନ୍ଧରେ ଆଲୋଚନା କରିବା ଉଚିତ ।

 

‘ଐତରେୟ ବ୍ରାହ୍ମଣ’ ଓ ପୁରାଣମାନଙ୍କରେ ଉକ୍ତ ଅଛି ଯେ ରାଜା ବଳି ଓ ଅସୁରମାନେ ଦେଶର ତିନିଭାଗ ମାଡ଼ିବସିଥିଲେ । ବିଷ୍ଣୁ ବାମନ ଅବତାରରେ ବଳିକୁ ପାତାଳକୁ ଚାପିଦେଲେ । ମାଳବର ରାଜା ଲକ୍ଷ୍ମଣଦେବ ଦିଗ୍‌ବିଜୟରେ ପୁରୀକୁ ଆସିଥିଲେ । ସେତେବେଳେ ପଣ୍ଡିତମାନେ ଜଗନ୍ନାଥଙ୍କ ମହିମା ଗାଇଥିଲେ । ଲକ୍ଷ୍ମଣଦେବ ନିଜ ଦେଶରେ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଦଶକରେ ଜଣେ ବ୍ରାହ୍ମଣଙ୍କୁ ଶାସନ ଦାନ କରିଥିଲେ । ସେତେବେଳେ ଏଠାରେ ପଣ୍ଡିତମାନେ ଗାଇଥିବା ଜଗନ୍ନାଥଙ୍କ ମହିମାକୁ ସେ ତାମ୍ର-ଶାସନରେ ଖୋଦିତ କରାଇଥିଲେ । ସେହି ଲେଖା ଅନୁସାରେ ଜଗନ୍ନାଥ ବରାହରୂପରେ ଦନ୍ତରେ ଧରି ପୃଥିବୀକୁ ଉଦ୍ଧାର ଓ ବଳିକୁ ଦମନ କଲେ । ଯେଉଁମାନେ ବଳ ପ୍ରୟୋଗ କରି ନାରୀମାନଙ୍କ ଉପରେ ଅତ୍ୟାଚାର କରୁଥିଲେ, ସେମାନଙ୍କୁ ବଳି କହନ୍ତି । ବରାହ-ଅବତାରର ଅର୍ଥ ବରାହ-ଧର୍ମର ପ୍ରଚଳନ ଓ ଦନ୍ତର ଅଥ ସଂଯମ । ପୃଥିବୀର ଅର୍ଥ ନାରୀ । ବାଳକବାଳିକାଙ୍କ ପରି ନରନାରୀଙ୍କ କ୍ରୀଡ଼ାକୁ ବାଳେୟ ଧର୍ମ ବା ବାମନ ଅବତାର କହନ୍ତି । ଏହା ମଧ୍ୟ ଭାଗବତ-ବର୍ଣ୍ଣିତ ଗୋପର କିଶୋର କୃଷ୍ଣ-ଧର୍ମ ଅଟେ ।

 

ଦୀର୍ଘତମା-ୠଷି ଯମଗର୍ତ୍ତ-ମଣ୍ଡଳ ବା କେନ୍ଦୁଝରରୁ ବୈତରଣୀରେ ଭାସି ଆସି ବଳିର ରାଜ୍ୟ ଯାଜପୁରଠାରେ କୂଳରେ ଲାଗିଥିଲେ । ତାଙ୍କ ଔରସରେ ବଳିର ସ୍ତ୍ରୀ ସୁଦେଷ୍ଣାଙ୍କ ଗର୍ଭରୁ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ ଓ ସୃହ୍ମ ଏବଂ ସୁଦେଷ୍ଣାଙ୍କ ଦାସୀଙ୍କ ଗର୍ଭରୁ କକ୍ଷିବତ୍‌-ଏପରି ଛ’ ପୁତ୍ର ଜାତ ହୋଇଥିଲେ । ସୁଦେଷ୍ଣାଙ୍କ ପୁଅମାନେ ନିଜ ନିଜ ନାମ ଅନୁସାରେ ଗୋଟିଏ ଗୋଟିଏ ରାଜ୍ୟ ସ୍ଥାପନ କରିଥିଲେ । ଉକ୍ତ ରାଜ୍ୟମାନଙ୍କରେ ବ୍ରାହ୍ମଣ ଓ କ୍ଷତ୍ରିୟମାନେ ବାଳେୟ ଧର୍ମ ଗ୍ରହଣ କରିଥିଲେ । ଦୀର୍ଘତମା ନିଜ ରଚିତ ସୂକ୍ତରେ କହିଅଛନ୍ତି ଯେ ଏ ସୃଷ୍ଟି କିଏ କରିଛି, କେହି ଜାଣନ୍ତି ନାହିଁ-କେବଳ ପ୍ରେମରୁ ସୃଷ୍ଟି ଜାତ ହୋଇଅଛି । କକ୍ଷିବତ୍ କଳିଙ୍ଗମାନଙ୍କ ସଙ୍ଗରେ ରହି ଉଷା ସୂକ୍ତ ରଚନା କରିଥିଲେ । କଳି ବା ଫୁଲକଢିକୁ ଗମନ କରିବା ‘କଳିଙ୍ଗ’ ନାମର ଅର୍ଥ ହୋଇପାରେ । ତାହାହେଲେ ରଜୋବତୀ ନୋହିଥିବା ବାଳିକାଙ୍କ ସଙ୍ଗେ ଯେଉଁମାନେ କ୍ରୀଡ଼ା କଲେ, ସେମାନେ ‘କଳିଙ୍ଗ’ ନାମରେ ଅଭିହିତ ହେଲେ । ଏମାନେ ଆଦିବାସୀ କୃଷ୍ଣବର୍ଣ୍ଣା ବାଳିକାଙ୍କ ସହିତ ମଧ୍ୟ କ୍ରୀଡ଼ା କରୁଥଲେ ।

ବଳିମାନଙ୍କ ସ୍ୱଭାବ ମହାଭାରତରେ ଉକ୍ତ ଅଛି :

 

      ‘‘ଉଷ୍ଟ୍ରେଷୁ ଯଦି ବା ଗୋଷୁ ଖରେଷ୍ୱଶ୍ୱେଷୁ ବା ପୁନଃ ।

      ବରିଷ୍ଠୋ ଭବିତା ଜନ୍ତୁଃ ଶୂନ୍ୟାଗାରେ ଶଚୀପତେଃ ।।’’

(ଶାନ୍ତି, ୨୨୩, ୯)

 

ବଳିମାନେ ଶୂନ୍ୟବାଦୀ ଥିଲେ ଏବଂ ଓଟ, ଗଧ, ବୃକ୍ଷ ଓ ଘୋଡ଼ା ପରି ଆଚରଣ କରୁଥିଲେ । ଦେଶରେ ସବୁ ଜାତିର ନରନାରୀମାନେ ବିବାହିତ ହୋଇ ସଂଘବଦ୍ଧ ହେବାରୁ ବଳିମାନଙ୍କ ପତନ ଘଟିଲା ।

 

ଯୋଗ-ଶାସ୍ତ୍ରରେ ଉଡ଼୍‌ଡ଼ୀୟାନ ନାମକ ଗୋଟିଏ ବନ୍ଧ-ସାଧନର ଉଲ୍ଲେଖ ଅଛି । ଏହାକୁ ସିଂହ-ବନ୍ଧ ମଧ୍ୟ କହନ୍ତି । ସିଂହର ଉଦର ନତ; ଅର୍ଥାତ୍‌ ମେରୁଦଣ୍ଡ ନିକଟରୁ ସମ୍ମୁଖଭାଗକୁ ବେଶି ଉଚ୍ଚ ନୁହେଁ । ଯେଉଁ ସାଧନାରେ ସାଧନ ନିଜ ଉଦରକୁ ନତ କରି ମେରୁଦଣ୍ଡ ସହିତ ସଂଶ୍ଳିଷ୍ଟ କରେ, ତାହାକୁ ସିଂହ ବା କେଶରୀ-ବନ୍ଧ କହନ୍ତି । ଏ ସାଧନାରେ ସିଦ୍ଧିଲାଭ କଲେ । ସାଧକ ପକ୍ଷୀ ପରି ଉଡ଼ିପାରେ ବୋଲି ଏହାକୁ ଉଡ଼୍‌ଡ଼ୀୟାନ-ବନ୍ଧ ମଧ୍ୟ କହିଥାନ୍ତି । ଏହି ଉଡ଼୍‌ଡ଼ୀୟାନ ନାମରୁ ଏ ଦେଶର ନାମ ଉଡ୍ର ହୋଇ ତହିଁରୁ ଓଡ଼ିଆ-ନାମ ଜାତ ହୋଇଛି ।

 

ପୁରାଣମାନଙ୍କ ଅନୁସାରେ ବୈବସ୍ୱତମନୁଙ୍କର ‘ଇଳ’ ନାମକ ପୁତ୍ର କୁମାରଙ୍କ ଜନ୍ମସ୍ଥାନ ଶରବନକୁ ଯାଇ ପାର୍ବତୀଙ୍କ ଅଭିଶାପରେ ଇଳା ନାମ୍ନୀ ନାରୀରୂପେ ପରିଣତ ହେଲା । ସେ ଅବସ୍ଥାରେ ସେ ପୁରୁରବାମାନଙ୍କୁ ପ୍ରସବ କଲା । ତତ୍ପରେ ମାସେ ପୁରୁଷ ଓ ମାସେ ନାରୀ ହୋଇ ଶିବଙ୍କ କୃପାରୁ ସୋମଙ୍କ ପୁତ୍ର ବୁଧଙ୍କ ସଂଯୋଗରେ ସୁଦ୍ୟୁମ୍ନ ନାମରେ ପୁରୁଷ ହେବାରୁ ତାହାର ଗୟ, ଉତ୍କଳ ଓ ବିନତାଶ୍ୱ ନାମରେ ତିନି ପୁତ୍ର ଜନ୍ମିଲେ । ଏଠାରେ ଇଳ ନାମରେ ସଂଭୋଗକାମୀ ପୁରୁଷକୁ ଗ୍ରହଣ କରାଯିବ । କାରଣ ଯୁକ୍ତ ହେବା ଅର୍ଥରେ ‘ଇଳ’ ଶବ୍ଦ ବ୍ୟବହୃତ ହୁଏ; ଯଥା-ଫେନ+ଇଳ=ଫେନିଳ । କୁମାରଙ୍କ ଜନ୍ମସ୍ଥାନ ଓ ପାର୍ବତୀଙ୍କ ଅଭିଶାପ ଉକ୍ତିରୁ ଅନୁମିତ ହୁଏ ଯେ ଯେଉଁଠାରେ ପାର୍ବତୀୟ ଜାତି ବିବାହିତ ନ ହୋଇ ଗୃହନିର୍ମାଣ ନ କରି ବାସ କରୁଥିଲେ, ସେଠାରେ ଆଦିବାସୀ ରମଣୀଙ୍କ ସହିତ ଅସଂଯତ କାମରେ ମାତି ଦଳେ ଯୁବକ ସଂଭୋଗ-ଶକ୍ତି ହରାଇ ନାରୀର ଶକ୍ତି ପୁରୁଷର ଶକ୍ତିଠାରୁ ବଳବତ୍ତର ବୋଲି ହୃଦୟଙ୍ଗମ କରିଥିଲେ । ସେତେବେଳେ ସେଥିମଧ୍ୟରୁ ବିଭିନ୍ନ ପଶୁପକ୍ଷୀଙ୍କ ରବ ଅନୁକରଣ କରି କେତେକ ପୁରୁରବା ହୋଇଥିଲେ । ତତ୍ପରେ ସୋମରସ ଆବିଷ୍କାର କରି ତାହାର ରସ ପାନ କରିବାରୁ ବୁଧଙ୍କର ଜନ୍ନ ହେଲା ବା ବୁଦ୍ଧିର ବିକାଶ ଘଟିଲା । ଏଣୁ ମାସେ ରବ ଅନୁକରଣ କରି ସଂଯମ ରହିବାରୁ ଅନ୍ୟ ମାସରେ ସୁଦ୍ୟୁମ୍ନ ବା ସଂଯତ ପୁରୁଷ ହେଲେ । ତତ୍ପରେ ଉତ୍କଳ, ଗୟ ଓ ବିନତାଶ୍ୱ ନାମକ ସଂପ୍ରଦାୟମାନ ପ୍ରତିଷ୍ଠିତ ହେଲା । ଋଗ୍‌ବେଦର ଉତ୍କିଳ-ଋଷି, ଗୟ ଋଷି ଓ ଅଶ୍ୱିନ ଯଥାକ୍ରମରେ ଉତ୍କଳ, ଗୟ ଓ ବିନତାଶ୍ୱ ନାମରେ ଅଭିହିତ ହୋଇଥିବାର ଜଣାଯାଏ । ‘ଉତ୍କିଳ’ ନାମ ଊର୍ଦ୍ଧ୍ୱକୁ କିଳ ବା ଜନନେନ୍ଦ୍ରିୟ ଅର୍ଥ ବ୍ୟକ୍ତ କରୁଅଛି । ଗ= ଗନ୍ଧର୍ବ + ଯ = ବାୟୁ-ଏପରି ବ୍ୟୁତ୍ପତ୍ତି ଗ୍ରହଣ କଲେ ପ୍ରାଣାୟାମସାଧକ ଯୋଗୀମାନଙ୍କୁ ଗୟ କୁହାଯାଉଥିଲା ବୋଲି ଅନୁମତି ହେବ । ଉଦ୍ଭିଦ-ଜଗତରୁ ଶକ୍ତି ସଂଗ୍ରହ କରି ଯେଉଁମାନେ ନାରୀମାନଙ୍କପ୍ରତି ବିନୀତ ବ୍ୟବହାର କରୁଥିଲେ, ସେମାନେ ‘ବିନତାଶ୍ୱ’ ଓ ତାଙ୍କ ସଂପ୍ରଦାୟ ‘କୋଶଳ’ ନାମରେ ଅଭିହିତ ।

 

ଗୟମାନେ ନାଗଧର୍ମାବଲମ୍ବୀ ଥିଲେ । ନାଗଠାରୁ ପ୍ରାଣ-ବାୟୁକୁ ରୋଧ କରିବା ଶ୍ରେୟସ୍କର ବୋଲି ବୋଧହୁଏ ଶିକ୍ଷା କରାଯାଇଥିଲା । ବେଦ-ରଚନା କାଳରେ ବା ତତ୍‌ପୂର୍ବରୁ ନାଗଧର୍ମ ଓ ସେମାନଙ୍କ ସଂବର ବା ସଂଯମ-ସାଧନାର କେନ୍ଦ୍ରମାନ ଧ୍ୱଂସ କରାଯାଇଥିବାର ସୂଚନା ମିଳେ । ଏହା ପୁରାଣମାନଙ୍କରେ ଦକ୍ଷଯଜ୍ଞ-ଭଙ୍ଗ ନାମରେ ବର୍ଣ୍ଣିତ ହୋଇଅଛି । ନିଜ କନ୍ୟା ସହିତ ଦକ୍ଷର ପାପପ୍ରଣୟ ତାହାଙ୍କ ଯଜ୍ଞଭଙ୍ଗର କାରଣ । ଏହି ଯଜ୍ଞ ଓଡ଼ିଶାରେ ଗଙ୍ଗେଶ୍ୱର ଓ କୌଶଲ୍ୟା ଗଳ୍ପରେ ପରିଣତ ହୋଇଅଛି । କାରଣ ଗଙ୍ଗା-ଧର୍ମ ବା ଗାନ୍ଧର୍ବ ବିବାହ ପ୍ରଚଳିତ ହେବା ଯୁଗରେ ଏ ଘଟଣା ଘଟିଥିଲା । ସେତେବେଳେ ମୟୂରପରି ନୃତ୍ୟ କରୁଥିବା କୁମାରମାନେ ସଂବର ବା ସଂଯମର କେନ୍ଦ୍ରମାନ ଧ୍ୱଂସ କରିଥିଲେ । ସେ ଘଟନା ଦଣ୍ଡକାରଣ୍ୟରେ ଦେବାସୁର ଯୁଦ୍ଧରେ ଦଶରଥ ଶମ୍ବରାସୁରଦ୍ୱାରା ଆହତ ହୋଇ କୈକେୟୀଙ୍କ ଶୁଶ୍ରୂଷାରେ ଆରୋଗ୍ୟଲାଭ କରିଥିବା ଆକାରରେ ରାମାୟଣରେ ବର୍ଣ୍ଣିତ ହୋଇଅଛି । ଓଡ଼ିଶାର କିମ୍ବଦନ୍ତୀ ଅନୁସାରେ ଦଶରଥଙ୍କ ରଥରୁ ଅନିକିଳ ଖସିପଡ଼ିଥିଲା । କୈକେୟୀ ନିଜର ଗୋଟିଏ ଅଙ୍ଗୁଳି ଅନିକିଳରୂପେ ବ୍ୟବହାର କରିଥିଲେ-। ବୁଦ୍ଧଦେବ କହିଛନ୍ତି ଯେ ରଥର ଯେ କୌଣସି ଗୋଟିଏ ଅଂଶ ନଷ୍ଟ ହେଲେ ରଥ ଅଚଳ ହେଉଥିବାରୁ, ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହେଲେ ସାଉଥିରୂପ ଆତ୍ମା ରଥକୁ ପରିଚାଳନା କରି ନ ପାରେ । ଏଣୁ ଆତ୍ମାର ସ୍ୱତନ୍ତ୍ର ପ୍ରୟୋଜନୀୟତା ସ୍ୱୀକାର କରିବା ଉଚିତ ନୁହେ । ଏଥିରୁ କୈକେୟୀ ବା କେକାରବ କରୁଥିବା କୁମାରମାନେ ଶରୀର ଓ ଆତ୍ମାର ଏକତ୍ୱ ପ୍ରତିପାଦନ କରି ବୌଦ୍ଧଧର୍ମ ପ୍ରଚାର କରିଥିବାର ଅନୁମିତ ହୁଏ । ସଂବରର କେନ୍ଦ୍ର ଭାଙ୍ଗିବା ଓ ଅହିକୁ ହତ୍ୟା କରିବା, ଇନ୍ଦ୍ର ମୟୂରପୁଚ୍ଛ ଧାରଣ କରିଥିବାର ବେଦରେ ବର୍ଣ୍ଣିତ ଅଛି । ଯୋଗାଭ୍ୟାସରେ ସିଦ୍ଧି ହେଲେ ଗୌରବର୍ଣ୍ଣର ବଳିଷ୍ଠ ପୁତ୍ର ଓ କନ୍ୟା ଜାତ ହୁଅନ୍ତି ବୋଲି ଛାନ୍ଦୋଗ୍ୟୋପନିଷଦ୍‌ରେ କଥିତ-। ଏଣୁ ଅନେକ ଲୋକ ତପସ୍ୟାରେ ରତ ଥିଲେ ଓ ଗୌରବର୍ଣ୍ଣର ପ୍ରଣୟିନୀ ବା ପ୍ରଣୟୀ ଲାଭ କରିବାପାଇଁ ଯୁବକଯୁବତୀଙ୍କର ବଳବତୀ ଲାଳସା ଥିଲା । କିନ୍ତୁ କୁମାରମାନେ କହୁଥିଲେ, ‘‘ନୀଳ ମେଘରୁ ବର୍ଷା ହେଲାପରି ନୀଳବର୍ଣ୍ଣର ଯୁବକଯୁବତୀଙ୍କଠାରୁ ପ୍ରଜନନ-ରସ ସବେ’’ । ଏଥିପାଇଁ କବି-ପ୍ରସିଦ୍ଧି ଅଛି ଯେ ନୀଳ ମେଘ ଦେଖି ମୟୂର ନୃତ୍ୟ କରେ ଓ ଏଥିପାଇଁ ଓଡ଼ିଆରେ ମେଘକୁ ‘ବଉଦ’ କହନ୍ତି । ଏହା ‘ବୌଦ୍ଧ’ ଶବ୍ଦରୁ ରୂପାନ୍ତରିତ ହୋଇଅଛି ।

 

ପ୍ରଜନନ-ସଂଯୋଗକୁ ଦୀର୍ଘକାଳବ୍ୟାପୀ କରିବାପାଇଁ ପ୍ରାଣାୟାମ ସାଧନ କରାଯାଉଥିଲା-। କିନ୍ତୁ କୁମାରମାନେ କହୁଥିଲେ ଯେ ବିନା ସଙ୍ଗମରେ ମୟୂରୀ ଡିମ୍ବ ପ୍ରସବ କଲେ ଓ ତହିଁରୁ ଶାବକ ଉତ୍ପନ୍ନ ହୁଏ । ଆମ ଓଡ଼ିଆ କଥା ଅନୁସାରେ ନୃତ୍ୟକାଳରେ ମୟୂରର ପ୍ରଜନନ ରସ ସ୍ରବିଲେ ମୟୂରୀ ତାହା ଖାଇ ଗର୍ଭଧାରଣ କରେ; କିନ୍ତୁ ଏହା ସତ୍ୟ ନୁହେ । କୁମାରମାନେ ଶୂନ୍ୟବାଦୀ ଥିବାର ଓ ବିନା ସଙ୍ଗମରେ ମୟୂରୀ ଡିମ୍ବ ପ୍ରସବ କରୁଥିବାରୁ କୁମାରମାନଙ୍କ ମତ ସପକ୍ଷରେ ନୃତ୍ୟକାଳରେ ମୟୂରୀ ପ୍ରଜନନ-ରସ ଖାଏ ବୋଲି ପ୍ରଚାର କରାଯାଇଅଛି । କିନ୍ତୁ ବିନା ସଙ୍ଗମରେ ମୟୂରୀ ଯେଉଁ ଡିମ୍ବ ପ୍ରସବ କରେ, ତହିଁରୁ ଶାବକ ଉତ୍ପନ୍ନ ହୁଏ ନାହିଁ । ଏହା ଜାଣି ଯେଉଁମାନେ ମୟୂର-ଡିମ୍ବର ପୂଜା ଛାଡ଼ିଲେ, ସେମାନେ ବଶିଷ୍ଠ ହେଲେ । ଏଣୁ ମୟୂର ଭାଙ୍ଗି ବୀରଭଦ୍ର ଜାତ ହେଲେ ବୋଲି ମୟୂରଭଞ୍ଜର ତାମ୍ରଶାସନରେ ଉକ୍ତ ଅଛି ।

 

ଆମେ କହୁଁ, ‘‘ମୟୂର ସଜ ହେଉ ହେଉ ପେଚା ରଜା ହେଲା ।’’ ବୈଶେଷିକ ଦର୍ଶନର ପରମାଣୁବାଦର ପ୍ରତିଷ୍ଠାତାଙ୍କୁ ଉଲୂକ ବା ପେଚା କହନ୍ତି । କୁମାରମାନେ ଶୂନ୍ୟବାଦୀ ବୌଦ୍ଧ ଥିବାରୁ ପରମାଣୁବାଦ ମାନୁ ନ ଥିଲେ । ସେମାନେ କେବଳ ଏକ ସୂକ୍ଷ୍ମ ପ୍ରକୃତିର ଅସ୍ତିତ୍ୱ ସ୍ୱୀକାର କରି ତାହା ଅବିଦ୍ୟାରୁ ଜାତ ବୋଲି କହୁଥିଲେ ଓ ବ୍ରହ୍ମର ଅସ୍ତିତ୍ୱ ସ୍ୱୀକାର କରୁ ନ ଥିଲେ । ଏହି ସମ୍ପ୍ରଦାୟ କୃଷ୍ଣ ଚ୍ରହ୍ମଙ୍କ ଅସ୍ତିତ୍ୱ ସ୍ୱୀକାର କରି ବେଦାନ୍ତ ପ୍ରଣୟନ କଲେ ଓ କୃଷ୍ଣଦ୍ୱୈପାୟନ ନାମରେ ଅଭିହିତ ହେଲେ । କିନ୍ତୁ ତତ୍‌ପୂର୍ବରୁ ପରମାଣୁବାଦ ଅନୁସାରେ ଯଜ୍ଞାନୁଷ୍ଠାନ ଓ ମୂର୍ତ୍ତି-ପୂଜା ପ୍ରଚଳିତ ହୋଇ ଜନ-ସମାଜ ନିୟନ୍ତ୍ରିତ ହୋଇସାରିଥିଲା । ଏଣୁ ସମାଜରେ ବେଦାନ୍ତ-ମତ ପ୍ରତିଷ୍ଠିତ ହୋଇପାରିଲା ନାହିଁ ।

 

ଅନ୍ୟ କିମ୍ବଦନ୍ତୀ ଅନୁସାରେ ଶିବଙ୍କଠାରୁ ତତ୍ତ୍ୱଜ୍ଞାନର ଉପଦେଶ ଲଭିବାପାଇଁ କୁମାର ଓ ଗଣେଶଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଲା । ଉଭୟ ଶିବଙ୍କୁ ପ୍ରାର୍ଥନା କରିବାରୁ ଶିବ କହିଲେ, ‘‘ଯେ ପୃଥିବୀ ପରିଭ୍ରମଣ କରି ଆସି ପ୍ରଥମେ ମୋ ନିକଟରେ ଉପସ୍ଥିତ ହେବ, ମୁଁ ତାହାଙ୍କୁ ତତ୍ତ୍ୱ-ଜ୍ଞାନର ଉପଦେଶ ଦେବି ।’’ କୁମାର ମୟୂରରେ ଚଢି ପୃଥିବୀ ଭ୍ରମଣ କରିବାପାଇଁ ଗଲେ । ଗଣେଶ ମୂଷାରେ ଚଢି ଶିବଙ୍କ ଚାରିପାଖରେ ବୁଲିଆସି ଜଣାଇଲେ, ‘‘ଆପଣ ସମଗ୍ର ବ୍ରହ୍ମାଣ୍ଡର ଆଧାର । ଆପଣଙ୍କ ଚାରିପାଖେ ବୁଲିବାରୁ ବ୍ରହ୍ମାଣ୍ଡ-ପରିଭ୍ରମଣ କରି ମୁଁ ପ୍ରଥମେ ଉପସ୍ଥିତ ହେଲି । ଏଣୁ ମୋତେ ତତ୍ତ୍ୱ-ଜ୍ଞାନର ଉପଦେଶ ଦିଅନ୍ତୁ ।’’ ଶିବ ତାହାକୁ ତତ୍ତ୍ୱ-ଜ୍ଞାନ କହିଲେ । ବୌଦ୍ଧକୁମାରମାନେ ଚାରିଆଡ଼େ ବୁଲୁଥିବାରୁ ତତ୍ତ୍ୱ-ଜ୍ଞାନ ପାଇଲେ ନାହିଁ ।

 

ମୂଷାର ଅନ୍ୟ ନାମ ଇନ୍ଦୂର ଓ ଗୃହର ଖାଦ୍ୟ ସେ ଚୋରାଇ ନିଏ । ଯେଉଁମାନେ ଇନ୍ଦୂ ଅର୍ଥାତ୍‌ ନାରୀମାନଙ୍କୁ ହରଣ କରୁଥିଲେ, ସେମାନଙ୍କୁ ଗଣପତିପୂଜାଦ୍ୱାରା ଦମନ କରାଯାଇଥିଲା । ଗଣପତି-ପୂଜା କଳଶ-ପୂଜାକୁ କହନ୍ତି । ଏଥିରେ ଜନଗଣଙ୍କଦ୍ୱାରା ଉତ୍ପାଦିତ ଦ୍ରବ୍ୟମାନ ବ୍ୟବହାର କରାଯାଏ । ଏହି ପୂଜାଦ୍ୱାରା ଜନସାଧାରଣଙ୍କ ପରିଶ୍ରମକୁ ସମ୍ମାନ କରାଯାଉଥିଲା ଓ ନିଜର ଉତ୍ପାଦିତ ଦ୍ରବ୍ୟ ଘେନି ଜନସାଧାରଣ ଏ ପୂଜାକାଳରେ ଉପସ୍ଥିତ ହେଉଥିବାରୁ ସଂଘବଦ୍ଧ ହେବାର ସୁବିଧା ପାଉଥିଲେ ଓ ସଂଘବଦ୍ଧ ହୋଇ ନାରୀଚୋରଙ୍କୁ ଦମନ କରିଥିଲେ । ବ୍ରାହ୍ମଣମାନେ ଗଣପତିଙ୍କୁ ‘ବରୁଣ’ ମଧ୍ୟ କହନ୍ତି ।

 

ଓଡ଼ିଆ ପ୍ରବାଦ ଅନୁସାରେ ହଳଦିବସନ୍ତ ଚଡ଼େଇର ସର୍ବାଙ୍ଗ କଳା ଥିଲା । ଦିନେ ଯଶୋଦା କୃଷ୍ଣଙ୍କୁ ହଳଦି ଲଗାଇ ଦେଉଥିଲେ । ସେତେବେଳେ କୃଷ୍ଣ ହଳଦିହାତରେ ଚଢେଇଟିକୁ ଧରିପକାଇବାରୁ ତା’ ଦେହରେ କୃଷ୍ଣଙ୍କ ହାତର ହଳଦି-ରଙ୍ଗ ସେଦିନଠାରୁ ବଂଶ-ପରମ୍ପରା ଲାଖି ରହିଲା । ଜୈନ ଶାସ୍ତ୍ର ଅନୁସାରେ ଜରାକୁମାର ଅରଣ୍ୟରେ କୃଷ୍ଣଙ୍କୁ ବଧ କରିଥିଲା । ସେତେବେଳେ କୃଷ୍ଣ ହଳଦିଆ ଲୁଗା ପିନ୍ଧି ବଟବୃକ୍ଷରେ ଚଢିଥିଲେ । ଓଡ଼ିଆ ଶିବପୁରାଣ ଅନୁସାରେ ପାର୍ବତୀ ହଳଦିରେ ଗଣେଶଙ୍କୁ ଗଢିଥିଲେ । ମହାରାଷ୍ଟ୍ର ଗଣେଶଙ୍କୁ ହରିଦ୍ରା-ବିନାୟକ ନାମରେ ମଧ୍ୟ ପୂଜା କରନ୍ତି । ବେଦରେ ଗଣେଶଙ୍କୁ ହିରଣ୍ୟଗର୍ଭ କୁହାଯାଇଅଛି ଓ ଏହା ବୁଦ୍ଧିର ପ୍ରତୀକ । ବଟବୀଜରେ ଥିବା ସୁକ୍ଷ୍ମ ଚାରାରୁ ପ୍ରମାଣିତ ହୁଏ ଯେ କୌଣସି ଏକ ପରମ ସୂକ୍ଷ୍ମ ପଦାର୍ଥରୁ ସୃଷ୍ଟିର ଉତ୍ପତ୍ତି ଘଟିଅଛି । ଏ ସମସ୍ତ ଆଲୋଚନା କଲେ ଜଣାଯାଏ ଯେ କୃଷ୍ଣ ଆଦ୍ୟରେ ବୁଦ୍ଧିର ଅସ୍ତିତ୍ୱ ସ୍ୱୀକାର କରୁ ନ ଥିଲେ । ପରେ ସ୍ୱୀକାର କରି କୃଷ୍ଣଦ୍ୱୈପାୟନ ହୋଇଥିଲେ । ଓଡ଼ିଆ ଶଗଡ଼ିଆ ଗୀତରୁ ଉକ୍ତ ଅନୁମାନ ଯଥାର୍ଥ ବୋଲି ପ୍ରତିପାଦିତ ହୁଏ-

 

‘‘ଶିଆଳି-ଲଟାତଳେ ରେ କୃଷ୍ଣ ଖେଳୁଥିଲେ ଦୋଳି,

ମାୟାମୃଗ ନୁହ ରେ ମାୟାରୂପୀ ହରି

ଜାଣି ନ ପାରିଲୁ ଶବର ! ଶ୍ରୀକୃଷ୍ଣ-ପାଦ ବୋଲି ।’’

 

ଶିଆଳି-ଲତା ଗୋଟିଏ ପ୍ରଧାନ ବୃକ୍ଷକୁ ଅବଲମ୍ବନ କରି ବଢିବା ସଙ୍ଗେ ସଙ୍ଗେ ସେ ଶାଖା-ପ୍ରଶାଖା ବିସ୍ତାର କରି ଆଖପାଖର ବୃକ୍ଷକୁ ମଧ୍ୟ ଅବଲମ୍ବନ କରେ । କୃଷ୍ଣ ସେପରି ନିଜର ମୂଳ ଧର୍ମ ସହିତ ଅନ୍ୟ ଧର୍ମ ମିଶାଇଥିବାର ଉଦ୍ଧୃତ ଗୀତରୁ ପ୍ରତୀତ ହୁଏ । ଦୋଳି ଖେଳିବାର ତାତ୍ପର୍ଯ୍ୟ ‘ଊର୍ଦ୍ଧ୍ୱରେ ମୂଳ ଓ ଅଧୋଭାଗରେ ମସ୍ତକ’ ମତର ପରିତ୍ୟାଗ ।

 

ଯେଉଁ ଘଟନାର ମୁଦ୍ରା କୌଣସି ଜାତିର ପ୍ରାଣରେ ଅଙ୍କିତ ହୁଏ, ତାହା ସହଜରେ ନିଭେ ନାହିଁ । ଏ ଦେଶରେ ପ୍ରାଚୀନ କାଳରେ କୃଷ୍ଣ-ଧର୍ମ ପ୍ରଚଳିତ ଥିବାର ଖାରବେଳଙ୍କ ଶିଳାଲିପିରୁ ଓ ପୁରାଣମାନଙ୍କରୁ ପ୍ରମାଣ ପାଉଅଛୁ । ଏଣୁ ତାହାର ନିଦର୍ଶନ ନାନା ଆକାରରେ ଦେଶରେ ରହିଅଛି-। କଥାରେ ଅଛି, ‘‘ଫୁକିଆ ଉଇଁଲେ ଫସର ଫାଟେ ।’’ ‘ଫୁକିଆ’ର ଅର୍ଥ ପ୍ରଜନନ-ବିନ୍ଦୁ-ସଦୃଶ ଉଜ୍ଜ୍ୱଳ ଶୂତ୍ର-ତାରା । ଏହା ‘ପୁଷ୍କରୀୟ’ ଶବ୍ଦରୁ ଉତ୍ପନ୍ନ ହୋଇ ନୀଳ ପଦର ସମ୍ପର୍କ ସୂଚନା କରୁଅଛି-। ନୀଳ ପଦ୍ମ ନୀଳବର୍ଣ୍ଣା ନାରୀର ପ୍ରତୀକ । ଗତିପଥ-ଅର୍ଥରେ ବ୍ୟବହୃତ ସଂସ୍କୃତ ‘ପ୍ରସର’ ଶବ୍ଦରୁ ‘ଫସର’ ଶବ୍ଦ ଉତ୍ପନ୍ନ ହୋଇଥିବାର ଅନୁମିତ ହୁଏ । ଏଣୁ ‘ଫସର ଫାଟିବା’ ବାକ୍ୟର ଅର୍ଥ ନୀଳବର୍ଣ୍ଣା ଆଦିବାସୀ କୁମାରୀମାନଙ୍କ ପ୍ରଜନନ ଯନ୍ତ୍ରକୁ ଗତିପଥ ମୁକ୍ତ ହୁଏ । କକ୍ଷିବାନ୍‌ ବୈଦିକ ‘ଉଷା’ ସୂକ୍ତରୁ ବୋଧହୁଏ ଏପରି ବିଶ୍ୱାସ ଜନ୍ମି ଅନିରୁଦ୍ଧ ବା ଇନ୍ଦ୍ରିୟ ସଂଯମ ନ କରିବା ଲୋକେ ଉଷା ବା କୃଷ୍ଣବର୍ଣ୍ଣା ଆଦିବାସୀଙ୍କ କୁମାରୀମାନଙ୍କୁ ହରଣ କରୁଥିଲେ ।

 

‘‘ପେଟବିକଳରେ ମାଧିଆ ଯୋଗୀ’’ -କଥାଟି ଓଡ଼ିଆରେ ପ୍ରଚଳିତ ହୁଏ । ସଂସ୍କୃତ ‘ମାଧବ’ ନାମ ଓଡ଼ିଆରେ ‘ମାଧିଆ’ ହୁଏ । ଯେତେବେଳେ ମାୟାବାଦ ପ୍ରଚାରିତ ହୋଇଥିଲା, ସେତେବେଳେ ମଧୁ କାଳରେ ବୃକ୍ଷଲତା ନବପତ୍ରପୁଷ୍ପରେ ଶୋଭିତ ହୋଇ ପ୍ରକୃତିର ପ୍ରଜନନ-ପ୍ରବୃତ୍ତି ପରିସ୍ଫୁଟ ହେଉଥିବାରୁ ତହିଁର ଦୃଷ୍ଟାନ୍ତ ଦେଇ, ବିଶ୍ୱରେ ସର୍ବତ୍ର ପ୍ରଜନନ ପ୍ରବୃତ୍ତି ଥିବାର କହି ମାୟାବାଦ ଖଣ୍ଡନ କରାଯାଇଥିଲା । ଏହା ବେଦର ‘‘ମଧୁବାତା ରୁଢାୟତେ’’ ମନ୍ତ୍ରରୁ ଜଣାଯାଏ । ପ୍ରଜନନକର୍ମକୁ ମଧୁବିଦ୍ୟା କହନ୍ତି । ପ୍ରଜନନ-କର୍ମରେ ଲିପ୍ତ ବ୍ୟକ୍ତି ‘ମାଧବ’ ନାମରେ ଅଭିହିତ ହୁଏ-। ଖାଇବାକୁ ନ ପାଇବାରୁ କେହି ଇନ୍ଦ୍ରିୟ-ପରାୟଣ ଯୋଗୀବେଶରେ ଭିକ୍ଷାବୃତ୍ତି ଅବଲମ୍ବନ କଲେ, ତାହାକୁ ‘‘ମାଧିଆ ଯୋଗୀ’’ କହନ୍ତି ।

 

‘‘ଏକା ମାଧିଆ ବାଇଶି ପଲ’’ -କଥାରେ ଥିବା ‘ବାଇଶି’ ସହିତ ଦୀପୋତ୍ସବ-ଅମାବାସ୍ୟାର ରାତ୍ରରେ ‘ବଡ଼ବଡ଼ିଆ’ ବା ପୂର୍ବପୁରୁଷଙ୍କୁ ‘‘ବାଇଶି ପାହାଚରେ ଗଡ଼ଗଡ଼ାଉ ଥାଅ’’ କହିବା କଥାର ‘ବାଇଶି’ ସହିତ ତୁଳନା କରିବା ଉଚିତ । ହରଣ କରିବାପାଇଁ ଆସିଥିବା ରାବଣକୁ ନିଜର ବୟସ ୧୮ ବର୍ଷ ଓ ସ୍ୱାମୀଙ୍କ ବୟସ ୨୫ ବର୍ଷ ବୋଲି ସୀତା କହିଥିଲେ । ଅଭିଷେକ ପ୍ରସ୍ତାବକାଳରେ ଉକ୍ତ ହୋଇଥିବା ସେମାନଙ୍କ ବୟସ ଏ ବୟସରୁ ସମର୍ଥିତ ନୋହୁଥିବାରୁ ରାମ ସାଂଖ୍ୟ-ଦର୍ଶନର ପଚିଶି ତତ୍ତ୍ୱରୂପୀ ଓ ସୀତା ଅଠରତତ୍ତ୍ୱରୂପିଣୀ ବୋଲି ପ୍ରାଚୀନ ଟୀକାକାର ଅର୍ଥ କରିଅଛନ୍ତି । ପଞ୍ଚତନ୍ମାନ୍ତ୍ର, ପଞ୍ଚମହାଭୂତ, ପଞ୍ଚଇନ୍ଦ୍ରିୟ, ଅହଂକାର, ବୁଦ୍ଧି ଓ ମନ-ଏ ହେଲେ ଅଠରତତ୍ତ୍ୱ । ଶରୀରରେ ଏଗୁଡ଼ିକର ଅବସ୍ଥିତିକୁ ବଳରାମ ଦାସ ଅଠରନଳା କହିଥିବାର ଅନୁମିତ ହୁଏ । ଏଥିରେ ପ୍ରକୃତି ଓ ତାହାର ତିନିଗୁଣ ମିଶିଲେ ବାଇଶିତତ୍ତ୍ୱ ହେଲା । ଆତ୍ମାର ଅସ୍ତିତ୍ୱ ନ ଜାଣି ଆମର ପୂର୍ବପୁରୁଷ ବାଇଶିତତ୍ତ୍ୱ ବିଶ୍ୱାସ କରୁଥିଲେ । ଏସମସ୍ତ କେବଳ ମାଧବ ବା ମୈଥୁନ କ୍ରିୟାର ଫଳ ବା ଅଂଶ । ପ୍ରଜନନ-କ୍ରିୟାରୁ ଆମ ସଂସ୍କୃତିର ବିକାଶ ଘଟିଥିବାର ଯାଜ୍ଞବଲକ୍ୟଙ୍କ ଉକ୍ତିରୁ ଜଣାଯାଏ :

 

‘‘କର୍ମଣା ମନସା ବାଚା ସର୍ବାବସ୍ଥାସୁ ସର୍ବଦା

ସର୍ବତ୍ର ମୈଥୁନୋ ତ୍ୟାଗୋ ବ୍ରହ୍ମଚର୍ଯ୍ୟଂ ପ୍ରଚକ୍ଷତେ ।’’

 

ଆମ ଦେଶରେ ଭାଗବତଧର୍ମାଲମ୍ବୀ ଶୁତ୍ରକୁ ମଧ୍ୟ ବ୍ରହ୍ମ କହନ୍ତି । ସେମାନଙ୍କର ଏହି ବିଶ୍ୱାସ ମଧ୍ୟ ବହୁ ଶାସ୍ତ୍ରରୁ ସମର୍ଥିତ ହୁଏ । ଏସବୁ ଆଲୋଚନା କରିବାର ସ୍ଥାନ ଏ ନୁହେ । ଆମ ଭାଷା କିପରି ବହୁ ପ୍ରାଚୀନ କାଳର ସଂସ୍କୃତିର ସ୍ମୃତି ସଞ୍ଚିତ ରଖିଅଛି, ତାହା ପ୍ରମାଣ କରିବାପାଇଁ କେବଳ କେତୋଟି ଉଦାହରଣ ଦିଆଗଲା । ଏହିପରି ଓଡ଼ିଆ ଭାଷାରେ ଜାତିର ମନୋବୃତ୍ତି ପ୍ରକାଶିତ ହୋଇ ସଞ୍ଚିତ ଅଛି । ଇଂରାଜୀରେ କହନ୍ତି, ‘‘The Poet is not honoured in his own country’’ ; ଅର୍ଥାତ୍‌ ‘‘କବି ଦେଶରେ ଆଦର ପାଏ ନାହିଁ’’ । କିନ୍ତୁ ଓଡ଼ିଆରେ କହନ୍ତି, ‘‘ଗାଁ-କନିଆ ଶିଙ୍ଘାଣିନାକୀ ।’’ ଶୈଶବରେ ଗ୍ରାମର ଶିଶୁମାନଙ୍କ ପରିଷ୍କାରପରିଚ୍ଛନ୍ନତାପ୍ରତି କେହି ଦୃଷ୍ଟି ଦିଅନ୍ତି ନାହିଁ । ଗ୍ରାମର ଯୁବକ ଯେଉଁ କନ୍ୟାକୁ ଅପରିଷ୍କୃତା ଦେଖିଥିଲା, ତାହାପ୍ରତି ପୂର୍ବସ୍ମୃତି ସେ ଯୁବକର ମନରେ ବିରାଗ ଜନ୍ମାଏ । ଏହିପରି କାରଣରୁ ମଧ୍ୟ ସ୍ୱଦେଶରେ କାହାରି ପ୍ରତିଭାର ମୂଲ୍ୟ କେହି ଚିହ୍ନିପାରନ୍ତି ନାହିଁ । ଆହୁରି ଅଧ୍ୟ ‘‘ବିରିମାଡ଼ ଦେଖି କୋଳଥ ଚେପା’’ କଥାରୁ ଜଣାଯାଏ ଯେ ଆତ୍ମ-ଶକ୍ତିରେ ବିଶ୍ୱାସ ନ ରଖି ଏ ଜାତି ଭୀରୁ ହୋଇଅଛି । କିନ୍ତୁ ଏସବୁ କଥା କେତେକାଳ ହେଲା ପ୍ରଚଳିତ ହେଉଅଛି, ତାହା ନିରୂପଣ କରାଯାଇ ନ ପାରେ । ସର୍ବଗ୍ରାସୀ କାଳର ପ୍ରଭାବରେ ବହୁ ପ୍ରାଚୀନ ଲିପିବଦ୍ଧ ଓଡ଼ିଆ ସାହିତ୍ୟ ନଷ୍ଟ ହୋଇଯାଇଥିବ; କିନ୍ତୁ ଜୀବନ ସହିତ ଯୋଗସୂତ୍ରରେ ଗୁନ୍ଥି ହୋଇଥିବା କବିର ଉକ୍ତିମାନ ଦେଶରୁ ଲୋପ ପାଏ ନାହିଁ । କାଳର ପ୍ରଭାବରେ ଏ ଉକ୍ତିମାନଙ୍କ ଭାଷା ବଦଳୁଥିଲେ ମଧ୍ୟ ଜନସାଧାରଣ ଏଗୁଡ଼ିକୁ ପାସୋରି ନ ଦେଇ ସ୍ମୃତିରେ ସାଇତି ରଖନ୍ତି । ଏପରି ଉକ୍ତିରୁ କେତୋଟି ଆଲୋଚନା କରିବା ।

 

‘‘ଅକାମା ବଇ, ଗୁଆ-ପାନ ଥୋଇ;

ଗୁଆପାନତକ ତୋର, ମାସକ ଧର୍ମ ମୋର ।’’

 

ନିଷ୍କାମ ବୌଦ୍ଧ ସଂପ୍ରଦାୟର କୁମାର-କୁମାରୀମାନଙ୍କ ଅବାଧ ମିଳାମିଶା ଓ ନୃତ୍ୟଗୀତ ଯୋଗରୁ ସମାଜର ଅଧୋଗତି ଘଟିଥିଲା । ଏଣୁ ଏହି ଧର୍ମକୁ ଦୂର କରିବାର ନିଦର୍ଶନସ୍ୱରୂପ କଦଳୀପଟରେ ବୋଇତ ତିଆରି କରି ତହିଁରେ ବାଳକର ପ୍ରତୀକ ଗୁଆ ଓ ବାଳିକାର ପ୍ରତୀକ ପାନ ଥୋଇ ଏବଂ ଜ୍ୱଳନ୍ତ ବଳିତା ରଖି କାର୍ତ୍ତିକ ପୂର୍ଣ୍ଣମୀର ପ୍ରଭାତରେ ଜନସାଧାରଣ ନଦୀ ବା ପୋଖରୀରେ ଭସାଇବାବେଳେ ଉକ୍ତ ଗୀତଟି ଗାଇଥାନ୍ତି । କିନ୍ତୁ ‘ଅକାମା’ର ଅର୍ଥ ନିଷ୍କାମ, ‘ବଇ’ର ଅର୍ଥ ବହିଯାଅ, ଜ୍ୱଳନ୍ତ ବଳିତା ବୌଦ୍ଧଧର୍ମର, ଗୁଆ ପୁଂଲିଙ୍ଗର ଓ ପାନ ସ୍ତ୍ରୀଲିଙ୍ଗର ପ୍ରତୀକ ବୋଲି କେହି ଜାଣନ୍ତି ନାହିଁ । ରାମାୟଣ ଅନୁସାରେ ହନୁମାନ ଏ ଦିନ ଲଙ୍କାରୁ ସୀତାଙ୍କର ସମ୍ବାଦ ଘେନି ରାମଙ୍କ ନିକଟରେ ଫେରିଥିଲା । ସୀତା କିଏ ?

 

ପ୍ରଶ୍ନ-‘‘କୂଅରେ ପଡ଼ିଲା ରୁଅ;

ସୀତାଠାକୁରାଣୀ କାହାର ଝିଅ ଲୋ,

ଅରଥ ବୁଝାଇ କହ ?’’

ଉତ୍ତର-‘‘କୂଅରେ ପଡ଼ିଲା ରୁଅ;

ସୀତାଠାକୁରାଣୀ ଜନକ-ଝିଅ ଲୋ

ଅରଥ ବୁଝୁଣ ଥାଅ ।’’

 

ରଜ-ସଂକ୍ରାନ୍ତି ପର୍ବ-କାଳରେ ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରେ କୁମାରୀମାନେ ଦୋଳି ଖେଳି ଗୀତ ଗାଇ ପରସ୍ପର ପ୍ରଶ୍ନୋତ୍ତରରେ ଆମୋଦପ୍ରମୋଦ କରନ୍ତି । ସେମାନଙ୍କ ଗୀତମାନଙ୍କ ମଧ୍ୟରୁ ଗୋଟିଏ ପ୍ରଶ୍ନ ଓ ଗୋଟିଏ ଉତ୍ତର ଉଦ୍ଧୃତ ହୋଇଅଛି । ରୁଅ ପୁଂଲିଙ୍ଗର ଓ କୂଅ ସ୍ତ୍ରୀଲିଙ୍ଗର ପ୍ରତୀକ । ସନ୍ତାନର ଉତ୍ପତ୍ତିପାଇଁ ଜିତେନ୍ଦ୍ରିୟ ହୋଇ ପ୍ରଜନନ କରିବା ବ୍ୟକ୍ତି ଜନକ ଏବଂ ପ୍ରଜନନ-କର୍ମତତ୍ତ୍ୱ ଓ ତହିଁରୁ ଜାତ ମଧୁର ବା ମନୋହର ରସ ସୀତା ଅଟନ୍ତି । କହିବା ବାହୁଲ୍ୟ ଯେ ‘ସୀତା’ର ଅର୍ଥ ଲଙ୍ଗଳ-ଶିଆର ଓ ଶର୍କରା ଅଟେ । ବେଦରେ ମଧ୍ୟ କୃଷିକର୍ମର ବର୍ଣ୍ଣନା ସହିତ ସୀତାଙ୍କୁ ବାମଦେବ ଋଷି ନିଜ ସୂକ୍ତରେ ଆହ୍ୱାନ କରିଅଛନ୍ତି । ରାବଣ ସୀତାଙ୍କୁ ଅଶୋକବନରେ ରଖିଥିଲା । ପଦାଘାତ ନ କଲେ ଅଶୋକ ଫୁଟୁ ନ ଥିବାର କବି ପ୍ରସିଦ୍ଧି ଅଛି । ଛନ୍ଦୋଗ୍ୟୋପନିଷଦର ‘ବାମଦେବ-ମୈଥୁନ’ର ଅର୍ଥ ନାରୀ ପ୍ରଜନନ-ସଙ୍ଗମପାଇଁ ଆହ୍ୱାନ କଲେ ତାହାକୁ ନିଷେଧ କରିବ ନାହିଁ । ପଞ୍ଚବଟୀର ଅଶୋକ-ବଟ ଓ ରାବଣର ଅଶୋକ-ବନରେ ପ୍ରକୃତ ପ୍ରେମ-ଧର୍ମ ଥିଲା । ଅଶୋକ ନାମରେ ଆଦର୍ଶ ପ୍ରେମ-ଧର୍ମ ଥିବାର ‘ମୃଚ୍ଛକଟିକ’ ନାଟକର ଶ୍ଳୋକରୁ ଜଣାଯାଏ :-

 

‘‘ଗୁଣପ୍ରବାଳଂ ବିନୟପ୍ରଶାଖଂ ବିଶ୍ରମ୍ଭମୂଳଂ ମହନୀୟପୁଷ୍ପମ୍

ତଂ ସାଧୁ ବୃକ୍ଷଂ ସ୍ୱଗୁଣୈଃ ଫଳାଢ଼୍ୟଂ ସୁହୃଦ୍‌ବିହଙ୍ଗା ସୁଖମାଶ୍ରୟନ୍ତି ।।’’

 

‘‘ପ୍ରବାଳ ବା ନବୀନ ପତ୍ର ପରି ଅନୁରାଗାକର୍ଷି କୋମଳତା, ଉପଶାଖାପରି ନମ୍ରତା, ମୂଳପରି ଉତ୍ତେଜନାକାରୀ ପ୍ରେମାଳାପ, ଫୁଲପରି ହାସ୍ୟ ମୁଖ, ସ୍ୱ ବା ବନ୍ଧୁତା-ଗୁଣ ପ୍ରାପ୍ତ ହୋଇ ଫଳାଢ୍ୟ ହୋଇଥିବାରୁ ସେହି ସାଧୁ (ଅଶୋକ)ବୃକ୍ଷକୁ ସୁହୃଦ୍‌ପଣରେ ବିହଙ୍ଗମାନେ ଆଶ୍ରୟ କରନ୍ତି-।’’

 

ନିତ୍ୟ ଭ୍ରମଣକାରୀ ମୟୂର ଓ ଅନ୍ୟ ପକ୍ଷୀ ଧର୍ମର ଶୂନ୍ୟବାଦୀ କୁମାରମାନଙ୍କୁ ଉଦ୍ଧୃତ ଶ୍ଳୋକରେ ବିହଙ୍ଗ କୁହାଯାଇଅଛି । ବାଣପୁରର ବଙ୍କାଡ଼ଠାରେ ଥିବା ପଞ୍ଚମ ଶତାବ୍ଦୀର ଶିଳାଲିପିରେ ଉକ୍ତ ଅଛି ସେ ସେଠାରେ ଅଶୋକବନ ଅବସ୍ଥିତ ଥିଲା ଓ ସେଠାକୁ ଧୌତି ଯୋଗୀ ଆସୁଥିଲେ । ଅଶୋକ ଓ ଅଙ୍ଗଦ ଧର୍ମ ମଧ୍ୟରେ ପାର୍ଥକ୍ୟ ନାହିଁ । ଅଙ୍ଗମ୍‌ ଦଦାତୀତି ଅଙ୍ଗଦଃ । ବାଣପୁର କୋଙ୍ଗଦ (କଃ ଅଙ୍ଗଦଃ) ନାମରେ ଅଭିହିତ ହେଉଥିଲ । ତାହା ପୂର୍ବରୁ ତାହା ଅଙ୍ଗଦ ରାଜ୍ୟ ଥିବ । ପୁରାଣମାନଙ୍କରେ ସାମ୍ପ୍ରଦାୟିକ ବିଦ୍ୱେଷଯୋଗୁଁ ଐତିହାସିକ ସତ୍ୟକୁ ସ୍ଥାନେ ସ୍ଥାନେ ବିକୃତ କରିଥିବା ସ୍ୱାଭାବିକ ଅଟେ । କିନ୍ତୁ ଗ୍ରାମ୍ୟ ଗୀତରେ ସଭ୍ୟ ବିକୃତ ହୋଇ ନାହଁ ।

 

‘‘ମେଘ ପକାଇଲା ଟପର ଟପର

କେଶର ମାଇଲା ଗଜା;

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।’’

 

ମେଘ ଟପର ଟପର ପକାଇବାର ଅର୍ଥ ଜନନେନ୍ଦ୍ରିୟର ପ୍ରଚୁର ସାବ । ଏଠାରେ ‘‘କୋଇଲି !ସାତ ଦିନ ଇନ୍ଦ୍ର ବୃଷ୍ଟିକଲା’’ ପଦ ତୁଳନା କରାଯାଇପାରେ । କେଶରର ଅର୍ଥ କିଶୋର କୃଷ୍ଣ-ଧର୍ମ, ଗଜାର ଅର୍ଥ କୋମଳ ଜନନେନ୍ଦ୍ରିୟ । ତେଲିଙ୍ଗ ବାଇଦର ଅର୍ଥ ଧର୍ମ, ବୁଦ୍ଧ ଓ ସଂଘ ବା ତ୍ରିଲିଙ୍ଗ ଧର୍ମ-ମତ । ଏଠାରେ କାମର କୃଷ୍ଣଙ୍କ ଗୃହରେ ଜନ୍ମ ଓ ସମ୍ବରାପୁର ସାଗରଗର୍ଭକୁ ଫିଙ୍ଗିବା ପୌରାଣିକ ଗଳ୍ପର ଐତିହାସିକ ସତ୍ୟ ଉଦ୍ଧାର କରାଯାଇପାରେ । କୃଷ୍ଣସମ୍ପ୍ରଦାୟରେ ଇନ୍ଦ୍ରିୟ-କାମନାର ଆବିର୍ଭାବ ଘଟିବାରୁ ସମ୍ବର-ସାଧନା ପ୍ରଚଳନ କରାଯାଇଥିଲା । ବୌଦ୍ଧଧର୍ମରେ ମଧ୍ୟ ଏ ସାଧନା ପ୍ରଚଳିତ ଥିଲା । ଏଠାରେ ଓଡ଼ିଆ ଗୀତର ‘ତେଲିଙ୍ଗି ବାଇଦ’ ସହିତ ବଙ୍ଗଳା ଗ୍ରାମ୍ୟ ଗୀତର ‘ତିନ୍‌ଟି କନ୍ୟାଦାନ’ ତୁଳନା କରାଯାଇପାରେ-

 

ବୃଷ୍ଟି ପଡ଼େ ଟାପୁର୍‌ ଟାପୁର୍‌ ନଦୀ ଏଲ ବାନ;

ଶିବଠାକୁରେର୍‌ ବିୟେ ହଲ ତିନ୍‌ଟି କନ୍ୟା-ଦାନ !’’

 

ଶିବଙ୍କୁ ଚହ୍ନିବାକୁ ହେଲେ ବିଷ୍ଣୁଙ୍କୁ ଜାଣିବାକୁ ହେବ । ବିଷ୍ଣୁ କିଏ ? ତାହାଙ୍କ ପରିଚୟ ଗଙ୍ଗାଙ୍କ ପରିଚୟରୁ ମିଳିବ । ଗଙ୍ଗାଙ୍କ ସମ୍ବନ୍ଧରେ କିମ୍ବଦନ୍ତୀ ଅଛି-

 

 

‘‘ଆଦ୍ୟା ଗୋଦାବରୀ ଗଙ୍ଗା ଦ୍ୱିତୀୟା ଚ ପୁନଃପୁନା

ତୃତୀୟା କଥିତା ରେବା ଚାରୁର୍ଥୀ ଜାହ୍ନବୀ ସ୍ମୃତା ।

କାବେରୀ ଗୋମତୀ କୃଷ୍ଣା ବ୍ରହ୍ମା ବୈତରଣୀ ତଥା

ବିଷ୍ଣୁପାଦାଗ୍ରସମ୍ଭୂତା ନବଧା ଭୂମି-ସଂସ୍ଥିତା ।’’

 

ଗଙ୍ଗା ବିଷ୍ଣୁଙ୍କ ପାଦାଗ୍ରରୁ ଜାତ ନଅ ଆକୃତିରେ ଭୂମିରେ ଅଛନ୍ତି । ଆକାଶକୁ ‘ବିଷ୍ଣୁ ପଦ’ କହନ୍ତି । ବିଷ୍ଣୁଙ୍କ ପଦ ଆକାଶରେ ଅଛି ଓ ଅଶ୍ୱତ୍‌ଥ-ବୃକ୍ଷର ମୂଳ ଉର୍ଦ୍ଧ୍ୱରେ ଅଛି ବୋଲି ଗୀତାରେ କୁହାଯାଇ ଏହି ବୃକ୍ଷର ଉଦାହରଣଦ୍ୱାରା ପୁରୁଷୋତ୍ତମ-ଯୋଗ ବର୍ଣ୍ଣନା କରାଯାଇଅଛି । ଅଶ୍ୱପ୍ରକୃତିର ଲୋକ ଅଶ୍ୱତ୍‌ଥ-ବୃକ୍ଷମୂଳରେ ବାସ କରୁଥିବାର ‘ତୈତ୍ତିରୀୟ-ବ୍ରାହ୍ମଣ’ରେ ଉକ୍ତ ଅଛି । ବୀଜ ନ ପଡ଼ିବା ସ୍ଥାନରେ ଅଶ୍ୱତ୍‌ଥ-ବୃକ୍ଷ ଜନ୍ମୁଥିବାରୁ ଶୂନ୍ୟରୁ ସୃଷ୍ଟିର ଉତ୍ପତ୍ତି ଘଟିଥିବାର ଏମାନେ କହୁଥିଲେ । ଏଣୁ ବିଷ୍ଣୁଙ୍କ ପାଦ ଆକାଶରେ ଓ ମୁଣ୍ଡ ପୃଥିବୀରେ ଅବସ୍ଥିତ ବୋଲି କଳ୍ପନା କରାଯାଇଅଛି । ଏହି ଶୂନ୍ୟବାଦୀ ଅଶ୍ୱପ୍ରକୃତିର ଲୋକେ ବିଶ୍ୱକୁ ବ୍ୟାପିଥିବା ବିଷ୍ଣୁ ଅର୍ଥାତ୍ ପ୍ରବୃତ୍ତିମାନଙ୍କୁ ଚରିତାର୍ଥ କରିଥିଲେ । ଏମାନଙ୍କଠାରୁ ବୈଷ୍ଣବଧର୍ମର ଉତ୍ପତ୍ତି । ଏମାନଙ୍କ ଔରସରେ ଉକ୍ତ ନଅ ନଦୀର ଉପତ୍ୟକାର ଆଦିବାସୀ-ରମଣୀମାନଙ୍କ ଗର୍ଭରୁ ଯେଉଁ କୁମାରୀମାନେ ଜାତ ହୋଇଥିଲେ, ସେମାନଙ୍କୁ ଗଙ୍ଗା କୁହାଯାଉଥିଲା । ବୃକ୍ଷପୂଜକ ଅଶ୍ୱ-ଜାତିର ଲୋକେ ବୈଷ୍ଣବ ଥିବାରୁ ଜଗନ୍ନାଥ କାଠରେ ତିଆରି ହୋଇଛନ୍ତି ।

 

ସାଂଖ୍ୟ-ଦର୍ଶନର ‘ସାଂଖ୍ୟା’ ନାମର ଅର୍ଥ ‘ସ’ ବା ବ୍ରହ୍ମଙ୍କ ଆଡ଼କୁ ‘ଖ’ ବା ଶୂନ୍ୟ । ଏଣୁ ସାଂଖ୍ୟବାଦୀମାନେ ଶୂନ୍ୟବାଦୀ । ସିଦ୍ଧମାନଙ୍କ ମଧ୍ୟରେ କପିଳ ଶ୍ରେଷ୍ଠ ଥିଲେ ବୋଲି ଗୀତାରେ କୁହାଯାଇଅଛି । ଶୂନ୍ୟବାଦୀ ହୋଇ ଯେଉଁମାନେ ସଂଯତେନ୍ଦ୍ରିୟ ଥିଲେ, ସେମାନଙ୍କୁ ସିଦ୍ଧ କୁହାଯାଉଥିଲା । ସମାଜର ଶିବ ବା କଲ୍ୟାଣ ନିମନ୍ତେ ଇନ୍ଦ୍ରିୟ ତୃପ୍ତ କରିବାପାଇଁ ଯେଉଁମାନେ ଉପଦେଶ ଦେଉଥିଲେ, ସେମାନେ ଶିବ ନାମରେ ଅଭିହିତ ହୋଇଥିଲେ । ଶିବ-ସଂହିତାରୁ ଜଣାଯାଏ, ଶୈବମାନେ ଶୂନ୍ୟବାଦୀ ଥିଲେ । ବୌଦ୍ଧଧର୍ମ ମଧ୍ୟ କପିଳଙ୍କ ସାଂଖ୍ୟ-ଦର୍ଶନରୁ ଉଦ୍ଭୂତ ହୋଇଥିଲା । କିନ୍ତୁ ଏଥିରେ ପ୍ରଥମେ କର୍ମ ତ୍ୟାଗ କରିବାପାଇଁ ପ୍ରଚାର କରାଯାଉଥିଲା । ତତ୍ପରେ ଧର୍ମ, ବୁଦ୍ଧ ଓ ସଂଘର ପୂଜା ପ୍ରଚଳିତ ହେବାରୁ ମହାଯାନ ବୌଦ୍ଧଧର୍ମ ଉଦ୍ଭୂତ ହୋଇ କର୍ମ କରିବାପାଇଁ ଉପଦେଶ ଦିଆଗଲା । ଏଥିରୁ କାଳକ୍ରମେ ଶୈବଧର୍ମର ଉତ୍ପତ୍ତି ଘଟିଥିବ । ଏଣୁ ବଙ୍ଗଳା ଗୀତରେ ‘ତିନ୍‌ଟି କନ୍ୟା’-ଧର୍ମ, ବୁଦ୍ଧ ଓ ସଂଘର ପ୍ରତୀକ ବୋଲ ଅନୁମିତ ହୁଏ ।

 

ଏହିପରି ଗ୍ରାମ୍ୟ ଗୀତମାନଙ୍କରେ ବହୁ ପ୍ରାଚୀନ କାଳର ଐତିହାସିକ ସତ୍ୟର ସୃତି ସଞ୍ଚିତ ଅଛି । ସେ ସଭ୍ୟମାନ ପ୍ରମାଣ ସାହାଯ୍ୟରେ ଉଦ୍ଧାର କରିବା ଏ ଗ୍ରନ୍ଥର ଲକ୍ଷ୍ୟ ନୁହେ । ଐତିହାସିକ ସତ୍ୟ ଯେଉଁ ଗ୍ରାମ୍ୟ ଗୀତମାନଙ୍କରେ ଲୁଚିଯାଇଅଛି, ସେଗୁଡ଼ିକ ବହୁ ପ୍ରାଚୀନ କାଳର ବୋଲି କେତୋଟି ଗୀତର ବିସ୍ତୃତ ଆଲୋଚନା ଉପରେ କରାଗଲା । ଏଣିକି ଓଡ଼ିଆ ସାହିତ୍ୟର ପ୍ରାଚୀନତା ଦର୍ଶାଇବାପାଇଁ କେତୋଟି ଗୀତ ଉଦ୍ଧାର କର ସଂକ୍ଷେପରେ ସେଗୁଡ଼ିକର ଅର୍ଥ ସୂଚାଇ ଦିଆଯାଉଅଛି ।

 

‘‘ଡାମରା କାଉ ରେ ଡାମରା କାଉ !

ବନ-ପରବତେ ତୁ ରାବୁଥାଉ ।

ସେ ବନ-ପରବତ କୁଞ୍ଚିକୁଞ୍ଚିକା;

ତହିଁରେ ବସିଛି ତିନି ମୁଞ୍ଚିକା ।

ତିନି ତିନି ପଣ ଅଠର-ପଣ;

ଭାଇଙ୍କି ଡକାଇ କଉଡ଼ି ଗଣ ।

 

କଉଡ଼ି ଗଣୁ ଗଣୁ ପାଇଲା ରାତି;

ଚୋର ଘେନିଗଲା କଜଳ-ପାତୀ ।

‘‘ଆସ ଗୋ ସଙ୍ଗାତ ଗାଧୋଇଯିବା;

କଇଞ୍ଚି-କାକୁଡ଼ି ତୋଳି ଆଣିବା;

କଇଞ୍ଚି-କାକୁଡ଼ି ମୁଣ୍ଡିଟି ପିତା;

ଛଅ ବୋହୂଙ୍କର ଛଅ ଦୁହିତା ।’’

 

‘କୁଞ୍ଚିତ’ ଶବ୍ଦରୁ ଉତ୍ପନ୍ନ ‘କୁଞ୍ଚିକୁଞ୍ଚିକା’ର ଅର୍ଥ ଆଦିବାସୀ ନର-ନାରୀ ସଂଘବଦ୍ଧ । ‘ମୁଚ୍‌’ ଧାତୁରୁ ଉତ୍ପନ୍ନ ମୁଞ୍ଚିକାର ଅର୍ଥ କ୍ରାଣକାରୀ । ଏଣୁ ତିନି ମୁଞ୍ଚିକାର ଅର୍ଥ-ଧର୍ମ, ବୁଦ୍ଧ ଓ ସଂଘ । ଆଦିବାସୀ ନରନାରୀମାନେ ଏବେ କାଠଖୁଣ୍ଟ ପାଖରେ ଘୋଡ଼ା ଓ ହାତୀ ରଖି ପୂଜା କରନ୍ତି । ଏହି ଖୁଣ୍ଟ ବୁଦ୍ଧଦେବଙ୍କ ଦନ୍ତ । ଘୋଡ଼ା ପୁରୁଷର ଓ ହାତୀ ନାରୀର ପ୍ରତୀକ । ‘‘ଘୋଡ଼ା ପଛରେ ଥିଲେ ହାତୀ ଧାଉଁଥିବା’’ର ପ୍ରବାଦ ଅଛି । ଅଶ୍ୱଜାତିର ଲୋକେ ନାରୀମାନଙ୍କୁ ଗୋଡ଼ାଇ ଧରୁଥିଲେ । ‘ପଣ’ ଶବ୍ଦ ‘ପ୍ରଜ୍ଞାନ’ ଶବ୍ଦରୁ ଉତ୍ପନ୍ନ । ଅଠର-ପ୍ରକୃତି ସମ୍ବନ୍ଧରେ ପୂର୍ବେ କୁହାଯାଇଅଛି । ଆମ ଦେଶରେ କାକ-ସଂପ୍ରଦାୟ ଥିବାର ଓ ଭୁଷଣ୍ଡ-କାକ ସଂଯତେନ୍ଦ୍ରିୟ ଥିବାର ଶାସ୍ତ୍ରମାନଙ୍କରୁ ପ୍ରମାଣ ମିଳେ । ଏଣୁ କାକର ଭାଇ ଭୁଷଣ୍ଡଠାରୁ କାମକଳା ଶିଖିବାପାଇଁ କୁହାଯାଇଅଛି । ବୌଦ୍ଧ-ସନ୍ନ୍ୟାସୀମାନେ ଆଖିରେ କଜଳ ଲଗାଇଥିବାରୁ ସେମାନେ କଜଳପାତୀ l କଇଞ୍ଚି-କାକୁଡ଼ି ବାଳକର ପୁଂ-ଚିହ୍ନର ପ୍ରତୀକ । ଛଅ ବୋହୂ, ଷଣାତୃଳା ଓ ସେମାନଙ୍କ ପ୍ରତିମା ଦୁହିତା । ଆମ ସାହିତ୍ୟରେ ପଶାଖେଳ ଓ କଉଡ଼ିଖେଳ କାମ-କ୍ରୀଡ଼ା ଅର୍ଥରେ ବ୍ୟବହୃତ ହୋଇଅଛି । ବିବାହ-କାଳରେ ବରକନ୍ୟା କଉଡ଼ି ଖେଳନ୍ତି । ‘ମୁଚ୍ଛକଟିକ’ ନାଟକରେ ଦ୍ୟୂତକୁ ଅକାର୍ଯ୍ୟ କୁହାଯାଇଅଛି ।

 

 

‘‘ଦ୍ୟୂତାଦ୍ୟକାର୍ଯ୍ୟ ପ୍ରବୃତ୍ତୌ କାକପଦାକାରା ଯେ ଧୂର୍ତ୍ତାସ୍ତେଷାଂ ଶୀର୍ଷପ୍ରାୟାଃ

ଗ୍ରାମଣ୍ୟସ୍ତେଷାଂ ମସ୍ତକୋଭୂତ ଧୂର୍ତ୍ତଚକ୍ରବର୍ତ୍ତିନାମପି ପ୍ରଧାନଭୂତଃ ।’’

ଦ୍ୟୂତ-କ୍ରୀଡ଼ା ଗଡ଼ାଗଡ଼ି, ଚୁମ୍ବନ, ନଖକ୍ଷତ ପ୍ରଭୃତିର ପ୍ରତୀକ ବୋଲି ଅନୁମିତ ହୁଏ ।

‘‘ଶଙ୍ଖଚିଲ ମହାଚିଲ ଧୋବଧାଉଳିଆ ପକ୍ଷୀ !

ରାମଚନ୍ଦ୍ର କହିଯାଇଛନ୍ତି ସୀତା ବଡ଼ ଦୁଃଖୀ ।

 

ତୋ ଥଣ୍ଟରେ ମାଛ ଥାଉ, ମୋ ହାତରେ କାଚ ଥାଉ;

ତୋ ଥଣ୍ଡ-ମାଛ ମିଳିଯାଉ, ମୋ ହାତକାଚ ବଜ୍ର ହେଉ ।

ପ୍ରଧାନ      ଯାଇଛି       ଧାନବିଲକୁ,

ମାରି      ଆଣିବ      ଶଙ୍ଖଚିଲକୁ;

ଶଙ୍ଖଚିଲ କଲା ବସା;

ପାଇକାଣୀଙ୍କର ଏଡ଼େ ଭରସା-

ଦେଖାଇଦିଅନ୍ତି ସମ୍ବଲପୁରିଆ ଖୋଷା ।’’

 

ଶଙ୍ଖ ବଜାଇଲେ ତହିଁରୁ ଗୋଟିଏ ପ୍ରକାର ସ୍ୱର ନିର୍ଗତ ହୁଏ । ବଜାଇବାପାଇଁ ମୁହଁରେ ଶଙ୍ଖ ଧରିଲେ ମନୁଷ୍ୟର ମୁହଁ ଶଙ୍ଖଚିଲ ପରି ଦେଖାଯାଏ । ଶଙ୍ଖ-ବାଦକମାନେ ଶୂନ୍ୟବାଦୀ ହୋଇ ଜାତଭେଦର ବିରୋଧରେ ଅଦ୍ୱୈତବାଦ ପ୍ରଚାର କରୁଥିଲେ ଓ ମାଛ ବା ନାରୀ ଅପହରଣ କରୁଥିଲେ । ସୀତା ବିବାହିତା ନାରୀ । ‘ମୁଦ୍ରାରାକ୍ଷସ’ ନାଟକରେ ‘ଶାଳି’ ଓ ‘କ୍ଷେତ୍ର’ ଶବ୍ଦଦ୍ୱୟର ଅର୍ଥ ସନ୍ତାନ ଓ ନାରୀର ପ୍ରଜନନ-ଯନ୍ତ୍ର । ଏଣୁ ଧାନବିଲର ଅର୍ଥ ଶଙ୍ଖୁଆମାନେ ଅପକର୍ମ କରୁଥିବା ସ୍ଥାନ-। ବିବାହ ହୋଇ ଗୃହ-ସଂସାର କରିବା ଅର୍ଥରେ ‘ବସା’ ଶବ୍ଦ ବ୍ୟବହୃତ ହୋଇଅଛି । ସଂବର-ସାଧନ କରିବା କ୍ଷେତ୍ରକୁ ସମ୍ବଲପୁର କହନ୍ତି । ଏବେ ଦକ୍ଷିଣ-ଓଡ଼ିଶାରେ ଶଙ୍ଖଗୋତ୍ରୀ ପାଇକ ଅଛନ୍ତି । ଏଠାରେ ଶ୍ରୀକୃଷ୍ଣଙ୍କ ପୁତ୍ରକୁ ସମ୍ବରାସୁର ନେଇ ସାଗରଗର୍ଭରେ ପକାଇବାରୁ ତାହାକୁ ମାଛ ଗିଳିବା ଇତ୍ୟାଦି କଥାକୁ ତୁଳନା କଲେ, ମାଛ ଖାଇବାରୁ କୃଷ୍ଣ-ଧର୍ମ ଲୋପ ପାଇବା ଅର୍ଥ ପ୍ରତୀତ ହୁଏ । ଏବେ ଶଗଡ଼ିଆ ଗୀତର ଦୃଷ୍ଟାନ୍ତ ଦିଆଯାଉଅଛି-

 

‘‘ସମୁଦ୍ରକୂଳରେ ରେ ନୋଳିଆ ମାରେ ମୀନ,

ଅତି ସୁକୁମାର ରେ ଡାଳିମ୍ବ ! କେ ଦେଲା ଲଖେ ଚିହ୍ନ ।’’

 

ସଂସ୍କୃତ ‘ନକୁଳ’ ଶବ୍ଦ ନେଉଳ ରୂପରେ ଓଡ଼ିଆରେ ରୂପାନ୍ତରିତ ହୋଇଅଛି । ନେଉଳ ମାଛ ଖାଏ । ନୋଳିଆମାନେ ନକୁଳ-ସଂପ୍ରଦାର ଅନ୍ତର୍ଭୁକ୍ତ ଥିବାର ଜଣାଯାଏ । ଲଖେ ଚିହ୍ନ = ନଖକ୍ଷତ ।

 

‘‘ହାଣିଲି ବାଉଁଶ ରେ ଓଟାରିଲା କଣି

କଞ୍ଚା ତ ମାଠିଆ ରେ ଦୂର ବନ୍ଧପାଣି

ମହତ ରଖିବୁ ମାଠିଆ ଦୂର ବନ୍ଧପାଣି ।’’

 

ବାଉଁଶ = ବୟସ୍କ କୃଷ୍ଣଧର୍ମାବଲମ୍ବୀ ।

କଣି = କୃଷ୍ଣମତାବଲମ୍ବୀ ବାଳକ ।

ମାଠିଆ = ମାତୃଚିହ୍ନ ।

 

‘‘ପର୍ବତ-ଶିଖରେ ରେ ମୃଗୁଣୀ ଚରୁଥିଲା;

ଗୋଡ଼ାଇ ଶବର ରେ ଜାଲବାଡ଼ ଦେଲା ।

ପାଖକେ ଜାଲବାଡ଼ ରେ ପାଖକେ ଅନଳ,

ପାଣିଖିଆ ବାଟରେ ରେ ଜଗିଛି ଶବର ।

ଗର୍ଭେ ଦଶମାସ ରେ ନନ୍ଦବାଳ ଶିଷ୍ୟ,

ଆତଙ୍କେ ଡାକଇ ମୃଗୁଣୀ ରେ ରଖ ପୀତବାସ ।’’

 

ମୃଗୁଣୀ = ରମଣୀ । କୃଷ୍ଣ ନିଜ ଧର୍ମରେ ଅନିରୁଦ୍ଧ ବା ଚରିତ୍ରହୀନତା ଦେଖାଯିବାରୁ ପୀତବାସ ହୋଇଥିଲେ ବା ବୁଦ୍ଧିର ଅସ୍ତିତ୍ୱ ସ୍ୱୀକାର କରିଥିଲେ ।

 

‘‘ରାମ ବିଭାକାଳେ ରେ ଲକ୍ଷ୍ମଣ ବରଯାତି;

କନକ ବେଦିତଳେ ରେ ଟେକାଇଲେ ଛତି,

ଛତି ଚାରିପାଖେ ରୋସ ରେ ମୁକୁତା ଲେନ୍ଥି ଲେନ୍ଥି ।’’

 

ଦୁର୍ଗାଙ୍କୁ ଧ୍ୟାନରେ ‘‘ମୁକ୍ତାଦାଲେସତ୍କଣ୍ଠା’’ କୁହାଯାଏ । ମୁକ୍ତା ସ୍ୱଚ୍ଛ ହୋଇ ଅନ୍ୟ ବସ୍ତୁର ପ୍ରତିବିମ୍ବ ଆତ୍ମସ୍ଥ କଲା ପରି ବୁଦ୍ଧି ସ୍ୱଚ୍ଛ ହେଲେ ସମଗ୍ର ବିଷୟ ଜ୍ଞାତ ହୋଇପାରିବ । ଲକ୍ଷ୍ମଣଙ୍କ ପରିଚୟ ଦେବାକୁ ଏଠାରେ ଅବକାଶ ନାହଁ । ଏବେ ‘ଶାଶୁଘରେ ଝିଅର ଚିନ୍ତା’ ଗୀତରୁ ପଦେ ଉଦ୍ଧାର କରାଯାଉଅଛି :

 

‘‘ଆଟିକା ଦିଓଟି ଧୋଇ ଥୋଇଲି ଲୋ

ନିଗିଡ଼ି ପଡ଼ିଲା ମହୁ,

ଲୋକେ ପଚାରିଲେ କି ବୋଲି କହିବି ଲୋ

ମୁଁ ତ ଗାଁ-ମକଦମବୋହୂ ।’’

 

ବ୍ରାହ୍ମଣ ଗ୍ରାମର ମୁଖ୍ୟତମ ବ୍ୟକ୍ତିକୁ ମକଦ୍ଦମ କହନ୍ତି । ‘ମହୁ’ ଶବ୍ଦର ଗୃଢ଼ ଅର୍ଥ ଗ୍ରହଣ କଲେ ଗୃହରେ ବୋହୂର ପ୍ରବୃତ୍ତି ଚରିତାର୍ଥ ନୋହୁଥିବାର ପ୍ରତୀତ ହୁଏ । ଗୋଟିଏ କାକ-ଗଳ୍ପ ଗୀତାକାରରେ କିପରି ରହିଅଛି, ତାହାର ଦୃଷ୍ଟାନ୍ତ ଦିଆଯାଉଅଛି ।

 

‘‘ହେ କମାର ! ଦେ ଦାଆ, କାଟେ ଘାସ,

ଖାଉ କାଳୀଗାଈ, ଦେଉ ଦୁଧ,

ପିଉ ମିରିଗ, ଦେଉ ଶିଙ୍ଘ,

ଖୋଳେ ମାଟି, ଗଢ଼ୁ କୁମ୍ଭାର କଳଶ ଗୋଟି,

କାଢେ ପାଣି, ଧୁଏ ଥଣ୍ଟ

ଧାଇଁ ଧାଇଁ ଖାଏ କଲରିବେଣ୍ଟ ।’’

 

ବିଧବା ପଣ୍ଡା ବ୍ରାହ୍ମଣୀର କଲରା ଗଛରୁ କଲରାଟିଏ ମାଗିବାରୁ ବ୍ରାହ୍ମଣୀ ନନ୍ଦକୂଅର ପାଣିରେ ମୁହଁ ଧୋଇ ଆସିବାପାଇଁ କାକକୁ କହିଲା । କୂଅକୁ ପାଣି ମାଗିବାରୁ କୁମ୍ଭାର ଘରୁ କଳଶ ଆଣିବାପାଇଁ ସେ କହିଲା । ତତ୍ପରେ ମାଟି ଗାଡ଼ିଆକୁ ମାଟି ମାଗିବାରୁ ମିରିଗ-ଶିଙ୍ଘ ଆଣିବାପାଇଁ କହିଲା । ମିରିଗ କାଳୀଗାଈର ଦୁଧ ଆଣିବାପାଇଁ, କାଳୀଗାଈ ପଦାରୁ ଘାସ ଆଣିବାପାଇଁ ଓ ପଦା ଦାଆ ଆଣିବାପାଇଁ କହିଲା । କମାର ତତଲା ଦାଆ ଦେଲା । ଆଣୁ ଆଣୁ କାକ ମଲା । ଏ ଗୀତଟି ଗଦ୍ୟସମାଛନ୍ଦରେ ବୌଦ୍ଧ ଗାଥା-ସାହିତ୍ୟର ଗଳ୍ପ ଅନୁକରଣରେ ରଚିତ ହୋଇଅଛି ।

 

ଧଉଳିର ଶିଳା-ଲିପିରେ ଶ୍ରମଣମାନଙ୍କଠାରୁ ଧର୍ମସଂକ୍ରାନ୍ତ ବିଷୟ ଶୁଣିବାପାଇଁ ଅଶୋକ ଆଦେଶ ଦେଇଅଛନ୍ତି । ଶ୍ରମଣମାନେ ଗଳ୍ପ ସାହାଯ୍ୟରେ ଅନେକ ନୀତିଶିକ୍ଷା ଦେଉଥିଲେ । କିନ୍ତୁ ଅଶୋକଙ୍କ ମତ ନ ମାନି ଅନେକ ବିବାହ-ପ୍ରଥା ବିରୋଧରେ ନାନା ଗଳ୍ପ ସୃଷ୍ଟି କରିଥିବାର ପ୍ରମାଣ ମିଳେ । ଏଥିମଧ୍ୟରୁ ଅନେକ ଗଳ୍ପ ଓଡ଼ିଆରେ ଲିପିବଦ୍ଧ ହୋଇଅଛି । ସେଗୁଡ଼ିକର ଭାଷା ପ୍ରାଚୀନ ନୁହେ । ‘ବଉଳାଗାଈ’ ଗୀତର ଭାଷା ପୁରାତନ ନ ହେଲେ ମଧ୍ୟ ଗଳ୍ପଟି ବହୁ ପ୍ରାଚୀନ ବୋଲି ଜଣାଯାଏ । ଏହି ଗୀତକୁ ଭିକ୍ଷୁକ ଶ୍ରେଣୀର ଲୋକେ ସାଇତି ରଖିଥିବାରୁ ଜୈନ ଶ୍ରମଣମାନଙ୍କର ଏହା ସୃଷ୍ଟି ବୋଲି ଅନୁମିତ ହୁଏ । ବଉଳା ନାମରେ ଗୋଟିଏ ଗାଈ ଘରେ ବାଛୁରୀ ଛାଡ଼ି ଚରିବାକୁ ଯାଇଥିଲା । ତାକୁ ବାଘ ଦେଖିବାରୁ ସେ ବାଘକୁ କହିଲା ‘‘ଅପେକ୍ଷା କର, ପିଲାକୁ କ୍ଷୀର ଦେଇ ଆସିଲେ ତୁ ମୋତେ ଖାଇବୁ ।’’ ଗାଈ ବାଛୁରୀକୁ କ୍ଷୀର ଦେଇ ଆସିଲା । ବାଘ ତାକୁ ଖାଇଲା । ଜୈନ ‘ବହୁଳା’ ନାମ ଓଡ଼ିଆରେ ରୂପାନ୍ତରିତ ହୋଇ ‘ବଉଳା’ ନାମ ହୋଇଥିବାର ଅନୁମିତ ହୁଏ । ଜୈନ ଗଳ୍ପରେ ବହୁଳାନାମ୍ନୀ ଜଣେ ନାରୀ ଉପପତିରତା ଥିବାର ‘ସ୍ଥବିରାବଳୀ ଚରିତ’ରେ ଉକ୍ତ ଅଛି । ବହୁ ଉପପତିରତାକୁ ବୋଧହୁଏ ‘ବହୁଳା’ କୁହାଯାଇଅଛି । ବାଘ ବୟାଘ୍ରପଦ୍ୟ ଗୋତ୍ରର ଭୀଷ୍ମ-ସଂପ୍ରଦାୟ ଅଟେ । କୁମାରମାନଙ୍କ ମଧ୍ୟରେ ବିବାହ ପ୍ରଥା ପ୍ରଚଳିତ ହେବାଉତ୍ତାରୁ ଯେଉଁମାନେ ବିବାହ ନ କରି କୁମାର ଜୀବନ ଅତିବାହିତ କରିଥିଲେ, ସେମାନେ ବୟାଘ୍ରପଦ୍ୟ ଭୀଷ୍ମ ହୋଇଥିଲେ । ସେହି କୁମାରମାନଙ୍କୁ ଯେଉଁ ନାରୀମାନେ ସନ୍ତାନ ପ୍ରସବ କଲାଉତ୍ତାରୁ ଉପପତି କରୁଥିଲେ, ସେମାନଙ୍କୁ ବୋଧହୁଏ ବଉଳା କହୁଥିଲେ । ଉପପତି କରି ସନ୍ତାନ ପାଳିବାପାଇଁ ସେତେବେଳେ ସମାଜର ନୀତି ହୋଇଥିବାର ଅନୁମିତ ହୁଏ ।

 

‘ଶଶୀସେଣା’ ନାମରେ ଗୋଟିଏ ଗଳ୍ପ ପ୍ରତାପ ରାୟଙ୍କଦ୍ଵାରା କେତେ ଶହ ବର୍ଷ ହେଲା ପଦ୍ୟାକାରରେ ଓଡ଼ିଆରେ ଲିପିବଦ୍ଧ ହୋଇଥିଲେ ମଧ୍ୟ ତାହା ବହୁ ଲୋକ ଜାଣି ନ ଥିଲେ । ଏବେ ପ୍ରକାଶିତ ହୋଇଥିବାର ଅନେକ ଲୋକ ଜାଣନ୍ତି ନାହିଁ । କିନ୍ତୁ ଗଳ୍ପର ବିବରଣୀ ପରମ୍ପରା ଲୋକମୁଖରୁ ଶୁଣା ହୋଇଆସୁଅଛି ଓ ସେମାନେ ଶୁଣିଅଛନ୍ତି । ଏ ଗଳ୍ପରେ ଶଶୀସେଣା ଓ ଅହିମାଣିକ୍ୟର ଜନ୍ମ, ଆମ୍ବଗଛ ମୂଳରେ ପରସ୍ପର ବିବାହ ଓ ଏକ ସଙ୍ଗରେ ଉଭୟଙ୍କ ଦେଶଭ୍ରମଣର ବିବରଣ ଅଛି । ଦେଶଭ୍ରମଣକାଳରେ ମାଧବଚନ୍ଦ୍ର ନାମକ ରାଜାର ରାଜ୍ୟରୁ ତାରାକ୍ଷୀନାମ୍ନୀ ଅସୁରୀର ପୁତ୍ରମାନେ ସେମାନଙ୍କୁ ଆକ୍ରମଣ କରି ତଡ଼ି ଦେଇଥିଲେ । ତତ୍ପରେ ଦମ୍ପତି ପରସ୍ପରଠାରୁ ବିଚ୍ଛିନ୍ନ ହେଲେ ଓ ଗଣ୍ଡା ଉପଦ୍ରବ କରୁଥିବା ରାଜ୍ୟରେ ଶଣୀସେଣା ପହଞ୍ଚି ରାଜପ୍ରାସାଦରେ ପୁରୁଷବେଶରେ ଆଶ୍ରୟ ନେଲା । ତତ୍ପରେ ଅହିମାଣିକ୍ୟ ସେହି ରାଜ୍ୟରେ ପହଞ୍ଚି ଜ୍ଞାନଦେଈନାମ୍ନୀ ମାଳୁଣୀର ଗୃହରେ ଆଶ୍ରୟ ନେଲା । ଶଶୀସେଣା ଗଣ୍ଡାକୁ ମାରି ଦେଶକୁ ନିରୂପଦ୍ରବ କରି ଶିବ ମନ୍ଦିରରେ ଗୋଟିଏ ଉତ୍ସବ ଅନୁଷ୍ଠିତ କରାଇଲା । ସେଠାରେ ଅହିମାଣିକ୍ୟ ଉପସ୍ଥିତ ହୋଇ ନିଜର ଜୀବନ-କାହାଣୀ, ମାଲୁଣୀ-ଘରେ ରହିଥିବାର ଓ ନିଜର ନାମ ହଳୀ ବୋଲି ମନ୍ଦିର କାନ୍ଥରେ ଲେଖିଆସିଲା । ତତ୍ପରେ ଶଶୀସେଣା ଜାଣିପାରି ଅହିମାଣିକ୍ୟରୁ ରାଜପ୍ରାସାଦକୁ ଡକାଇ ନେଇ ସେଠାକାର ଜେମା ସହିତ ଅହିମାଣିକ୍ୟର ବିବାହ କରାଇଦେଲା । ଅହିମାଣିକ୍ୟ ଦୁଇ ସ୍ତ୍ରୀ ସହିତ ରାଜ୍ୟକୁ ଫେରିଲା । ରାଜ୍ୟରେ ଅହିମାଣିକ୍ୟର ନାମ କେହି ଜାଣି ନ ଥିଲେ । ତାହାକୁ ନାମ ପଚାରିବାରୁ ସେ ଅନ୍ତର୍ହିତ ହେଲା ।

 

ଇଂରେଜ ସମାଲୋଚକ କହନ୍ତି, ‘‘The word, poetry, may be used to signify either the outward form in which the imaginative thought is expressed by means of metrical language or the inward conception of the mind preliminary to creation which is shared by the poets with the professors of other arts.’’

 

‘‘କଳ୍ପନା-ଚିନ୍ତାର ଅଭିବ୍ୟକ୍ତି ଛନ୍ଦୋମୟୀ ଭାଷାରେ ବାଦ୍ୟରୂପ ଧାରଣ କଲେ ତାହାକୁ କବିତା ନାମରେ ଗ୍ରହଣ କରାଯାଇପାରେ । ଅଥବା ଅନ୍ୟ କଳାବିଦ୍ୟାର ଗୁରୁମାନଙ୍କ ସହିତ ଏକମତ ହୋଇ କବିମାନେ ସ୍ୱୀକାର କରୁଥିବା ସୃଜନର ପ୍ରାଥମିକ ଆଭ୍ୟନ୍ତରୀଣ ମାନସିକ ଧାରଣାର ଅଭିବ୍ୟକ୍ତିକୁ କବିତା କୁହାଯାଇପାରେ ।’’

 

ବସ୍ତୁ ଦେଖି ଯେଉଁ ଜ୍ଞାନ ଜନ୍ମେ, ତାହାକୁ ଆଭ୍ୟନ୍ତରୀଣ ଧାରଣା କହନ୍ତି । ଏହାର ଅଭିବ୍ୟକ୍ତ କଳ୍ପନା-ସୃଜନର ଅଭିବ୍ୟକ୍ତିର ପ୍ରାଥମିକ ଅବସ୍ଥା । ଏଣୁ ପ୍ରତ୍ୟକ୍ଷ ବସ୍ତୁ ବା ଘଟନାର ବର୍ଣ୍ଣନାକୁ ପ୍ରାଥମିକ ସାହିତ୍ୟ କହନ୍ତି । ଏହା ଜାତିର ଚେତନଶକ୍ତିର ପରିଚୟ ଦିଏ । ଉଦ୍ଧୃତ ଗଳ୍ପଟିରେ ରସର ପରିବେଷଣ ନ ଥିବାରୁ ଏହାକୁ କଳ୍ପନା-ସୃଜନ କୁହାଯାଇ ନ ପାରେ । ଏହାକୁ ଐତିହାସିକ ପ୍ରତ୍ୟକ୍ଷ ଘଟନା କହିବାପାଇଁ ଅନେକ ପ୍ରମାଣ ଅଛି । ଏଠାରେ ଇତିହାସ ଗବେଷଣାପାଇଁ ସ୍ଥାନ ନ ଥିବାରୁ ପ୍ରମାଣମାନ ଦିଆଯାଉ ନାହଁ । କେବଳ ଏତିକି କୁହାଯାଇପାରେ ଯେ ଆଦିମ ଅବସ୍ଥାରେ ବିବାହ-ବନ୍ଧନ ନ ଥିଲା । ମଣିନାଗ ବା ଜନକ ସମ୍ପ୍ରଦାୟ (ଆତ୍ମାବାଦ) ଓ ଶଶୀସେଣା ବା ସାଂଖ୍ୟ ସମ୍ପ୍ରଦାୟର ସମନ୍ୱୟ ଘଟିବାରୁ ବିବାହ ପ୍ରଚଳିତ ହୋଇ ତାହା ଗଣ୍ଡଶୀଳ ଜୈନଧର୍ମର ପ୍ରଭାବରେ ତିରୋହିତ ହେଲା । ତତ୍ପରେ ଆତ୍ମା ଓ ପ୍ରକୃତିର ଏକତ୍ୱ ସ୍ୱୀକାର କରି ମଣିନାଗ ବା ଶିବଙ୍କର ଅସ୍ତିତ୍ୱ ସ୍ୱୀକାର କରାଗଲା । କିନ୍ତୁ ଶିବଙ୍କର ନାମ ବା ଲକ୍ଷଣର ପ୍ରଶ୍ନ ଉଠିବାରୁ ଶୂନ୍ୟବାଦ ପ୍ରବର୍ତ୍ତିତ ହେଲା । ଏହା ଗଳ୍ପର ସାର ମର୍ମ ।

 

ଉଦ୍ଧୃତ ଗଳ୍ପକୁ କଳିଙ୍ଗର ରାଜଜେମା ବଙ୍ଗର ରାଜପୁତ୍ରକୁ ବିବାହ କରିବା ଓ ଦମ୍ପତିଙ୍କ ଦୁହିତା ଲାଟ ଦେଶର ସିଂହବାହୁକୁ ବିବାହିତା ହୋଇ ଲଙ୍କା-ବିଜେତା ବିଜୟ ସିଂହକୁ ଜନ୍ମ ଦେଇଥିବା ଗଳ୍ପକୁ ତୁଳନା କରାଯାଇପାରେ । ଯାହା ହେଉ, ଓଡ଼ିଆ ଜାତିର ଆଭ୍ୟନ୍ତରୀଣ ମାନସିକ ଧାରଣାକୁ ଅଭିବ୍ୟକ୍ତ କରିବା ଶକ୍ତି ଅତି ପ୍ରାଚୀନ । ପ୍ରାଚୀନ କାହାଣୀମାନ ଏ ଶକ୍ତିର ଯଥେଷ୍ଟ ପରିଚୟ ଦିଏ । କାହାଣୀମାନଙ୍କରେ ଯେଉଁ ବୁଢୀ ଅସୁରୁଣୀର ନାମ ମିଳେ, ତାହା ବୌଦ୍ଧଧର୍ମାବଲମ୍ବିନୀ ନାରୀକୁ ବୁଝାଏ । ବୌଦ୍ଧମାନେ ସୁର ବା ଦେବତା ମାନୁ ନ ଥିବାରୁ ସେମାନଙ୍କୁ ହିନ୍ଦୁମାନେ ଅସୁର କହୁଥିଲେ । ‘ବୁଢି’ ଶବ୍ଦ ‘ବୁଦ୍ଧି’ ଶବ୍ଦରୁ ରୂପାନ୍ତରିତ ହୋଇଅଛି । ଧର୍ମସଂକ୍ରାନ୍ତ ଓଡ଼ିଆ ଓଷା-କଥାମାନ ଅଛି । ସେସବୁ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ-। ବିଭିନ୍ନ-କ୍ଷେତ୍ରର ଅନୁଭୂତି ଓ ଅଭିଜ୍ଞତାକୁ ଅଭିବ୍ୟକ୍ତ କରିବା ଶକ୍ତି ଯେଉଁ ଗ୍ରାମ୍ୟ ଗୀତରୁ ଜଣାପଡ଼େ, ତହିଁରୁ ବର୍ତ୍ତମାନ ଉଦାହରଣସ୍ୱରୂପ ଉଦ୍ଧାର କରାଯାଉଅଛି :-

 

(ଜୀବ-ପ୍ରକୃତି-ପର୍ଯ୍ୟବେକ୍ଷଣର ଅଭିଜ୍ଞତା-ଗୀତ)

‘‘ବାୟାର କି ଯାଏ ?

ବାଆ କଲେ ବସା ଦୋହଲୁଥାଏ ।’’

 

ଗୃହୀ ହୋଇଥିବା ଲୋକଙ୍କୁ ମାୟାବାଦୀ ସନ୍ନ୍ୟାସୀମାନେ ‘ବାୟା’ କହି ଉପହାସ କରୁଥିବାରୁ ଗୃହୀମାନେ ବୋଧହୁଏ ଏ ଗୀତରେ ଉତ୍ତର ଦେଉଥିଲେ ।

 

(ଭୂୟାଁ-ଜାତିର ଜୀବନ-ପର୍ଯ୍ୟବେକ୍ଷଣର ଅଭିଜ୍ଞତା-ଗୀତ)

‘‘ପାଚିଲା କାଙ୍ଗୁ,      ବାଜିଲା ଚାଙ୍ଗୁ,

ଗାଲର ଉପରେ ଗାଲ

ହେଲା ଚଇତ,      ସରିଲା ଭାତ,

ଯେଉଁଠି ଖାଲ ସେଇଠି ଚାଲ ।’’

ଭୂୟାଁମାନେ ଅପରିଣାମଦର୍ଶୀ ଥିବାର ଉଦ୍ଧୃତ ଗୀତରୁ ଜଣାଯାଏ ।

(ଚାଷ-ଅଭିଜ୍ଞତାର ଡ଼ାକ-ବଚନ)

(୧)

‘‘ମିଥୁନ ଛତା, କକଡ଼ା ହତା, ସିଂହ ଚଉକା

କନ୍ୟେ ନିଘଞ୍ଚନ ରୁଅ,

ତୁଳରେ ରୋଇଲେ ମୂଳରେ ଫଳେ

ବିଡ଼ି ବିଡ଼ି କରି ଥୁଅ ।’’

 

ମିଥୁନ ବା ଆଷାଢ ମାସରେ ଛତାର ଯେତେ ଓସାର ତେତେ ଅନ୍ତରରେ, କକଡ଼ା ବା ଶ୍ରାବଣ ମାସରେ ହାତେ ଅନ୍ତରରେ, ସିଂହ ବା ଭାଦ୍ର ମାସରେ ଚୌକେ ଅନ୍ତରରେ ଓ କନ୍ୟ ବା ଆଶ୍ୱିନ ମାସରେ ଲଗାଲଗି କିଆରୀରେ ଧାନଗଛମାନ ପୋତିଲେ ପୁରା ଫସଲ ଆଦାୟ ହୋଇପାରିବ । ତୁଳ ବା କାର୍ତ୍ତିକ ମାସରେ ଧାନତଳିର ବିଡ଼ାମାନ ପୋତିବାକୁ ହେବ ।

 

(ଗୁଣ ଚିହ୍ନିବାପାଇଁ ବଳଦ-ଲକ୍ଷଣ)

(୨)

‘‘ଜାଣ ନ ଜାଣ, ଝାମ୍ଫୁଲି ଆଣ,

ଖାଡ଼ିଆ-ଶିଂଘା ସବୁଠୁଁ ଟାଣ;

ମୂଳିଆ-ଶିଂଘାକୁ ଯେବେ ତୁ ରସି,

କାନ୍ଦୁଥିବୁ ହିଡ଼ମୁଣ୍ଡରେ ବସି ।

କାଳିଆ, ଖଇରା, କସରା-

ଏ ତିନିଙ୍କି ନ କର ପସରା ।’’

(ଗୋ-ରୋଗରେ ଔଷଧ ଗୀତ)

(୩)

‘‘ଆରେ ଜାଲିଆ ! ଗୋରୁକୁ ଲୁହା-ଭାଲିଆ ।’’

 

ପ୍ରବାଦ ଅଛି ଯେ, କୌଣସି ରାଜ-ପ୍ରସାଦରେ ରାଣୀଙ୍କର ଗୋଟିଏ ଜାରଜ ପୁତ୍ର ଜାତ ହୋଇଥିଲେ । ରାଣୀ ସେ ଶିଶୁଟିକୁ ରାଜାବାସର ପାଚେରୀ ବାହାରକୁ ଫିଙ୍ଗି ଦେଇଥିଲେ । ଶିଶୁଟି ବାହାରେ ଗୋଟିଏ ବୃକ୍ଷମୂଳରେ ପଡ଼ିଥିଲା । ବୃକ୍ଷଉପରେ ଗୋଟିଏ ମହୁ-ବସା ଥିଲା ! ମହୁଫେଣାରୁ ମହୁସବି ଶିଶୁର ପାଟିରେ ପଡ଼ୁଥିବାରୁ ଶିଶୁଟି ବଞ୍ଚିରହିଲା । ଦିନେ ମାହାର ରାଜପ୍ରସାଦର ବାହାର ପାଖ ପହଁରିବାପାଇଁ ଆସି ଶିଶୁଟିକୁ ପାଇଥିଲା । ସେ ଶିଶୁଟିକୁ ଜଣେ ଋଷିଙ୍କୁ ଦେଇଥିଲା । ଋଷି ତାହାକୁ ପାଳି ଶିକ୍ଷା ଦେଇଥିଲେ । ଶିକ୍ଷା ପାଇ ଜାରଜ ସନ୍ତାନ ଡ଼ାକ-ଋଷି ନାମରେ ଅଭିହିତ ହେଲେ ଓ ନାନା ଅଭିଜ୍ଞତା ଗୀତାକାରରେ ରଚନା କରିଥିଲେ । ସେ ସମୁଦ୍ରରେ ଝାସ ଦେଇ ପ୍ରାଣ ହରାଇଥିଲେ । ସମୁଦ୍ରରେ ପ୍ରବେଶ କଲାବେଳେ ଗୋରୁଙ୍କ ଉପକାରପାଇଁ ସେ କିଛି କହି ନ ଥିବାର ତାଙ୍କର ମନେ ପଡ଼ିଲା । ସେତେବେଳେ କେଉଟ ଜାଲ ପକାଉଥିବାର ସେ ଦେଖିଲେ । ଏଣୁ ଜାଲିଆକୁ ଡ଼ାକି ଗୋ-ରୋଗର ଔଷଧ କହିଗଲେ ।

 

(ଧାନ-କିଆରିରେ ପାଣି ରଖିବା ଗୀତ)

(୪)

‘‘ଉଭା ମୁଠି ଆଡ଼ ଦି’ମୁଠି

କିଆରୀ-ମଝିରେ ପୋତିବୁ କାଠି;

ବିଲରେ ରଖ ପାଣି ହିଡ଼ ସମାନ,

ପର୍ବତ-ଶିଖରେ କରିବୁ ଧାନ,

ଯେବେ ନୋହିବ ତହିଁରେ ଧାନ,

ତେବେ କାଟିବୁ ଡ଼ାକରେ କାନ ।’’

 

(ବର୍ଷା-ସୂଚନାର ଗୀତ)

(୫)

‘‘ଉଇଁ ନ ଦିଶେ, ହସି ପଶେ

ସଜ ଗୋବରରେ ଅଁସେଇ ବସେ,

ଡ଼ାକ ବୋଲେ ପୁତା ନିଶ୍ଚେ ବରଷେ ।’’

(୬)

 

‘‘ସିଂହେ ମୂତେ, ଆରେ ମୂତେ, ଯଦି ନ ମୂତେ ତେବେ ମୂତୁଥାଏ ।’’

ସିଂହ-ସଂକ୍ରାନ୍ତିରେ ଅଥଚା ତହିଁ ଆରଦିନ ମେଘ ବରଷିବ । ଯଦି ନ ବରଷିବ, ତେବେ ତେଣିକି ମାସକଯାକ ବରଷିବ । ଲେଖକର ଅଭିଜ୍ଞତାରେ ଏହା ସତ୍ୟ ବୋଲି ଜଣାଯାଇଅଛି ।

 

(ଖେଳିବା ଗୀତ)

‘‘ଚକା ଚକା ଭଉଁରୀ, ମାମୁ-ଘର ଚଉଁରୀ,

ମାମୁ ମୋତେ ମାଇଲେ, ମାଇଁ ମୋତେ ଖୋଇଲା ।’’

 

ଏ ଗୀତରେ ମାମୁ-ଭଣଜାଙ୍କ ସମ୍ପର୍କର ତିକ୍ତତାର ନିଦର୍ଶନ ଅଛି । ‘କଲରିବେଣ୍ଟ’ ଗୀତର କାକ-ଗଳ୍ପରେ ପଣ୍ଡା ବ୍ରାହ୍ମଣୀ ମାମୁଘର-କାତିରେ ଅଙ୍କୁର ନ ଜନ୍ମିଲେ କଲରା-ମଞ୍ଜିକୁ, ପତ୍ର ନ କଅଁଳିଲେ ଅଙ୍କୁରକୁ, ନ ବଢିଲେ ଗଛକୁ ଇତ୍ୟାଦି କ୍ରମରେ ପ୍ରତ୍ୟେକ ଅବସ୍ଥାରେ ମାମୁଘର-କାତିରେ ଚୋଟ ଦେବାପାଇଁ ଧମକ ଦେଉଥିବାର ପ୍ରବାଦ ଅଛି । ‘‘ମାମୁଘରକୁ ଯିବୁ’’ କଥା ଓଡ଼ିଆରେ ଅନେକ ସ୍ଥଳରେ ଯନ୍ତ୍ରଣାର ସ୍ଥାନକୁ ଯିବାର ଅର୍ଥ ବ୍ୟକ୍ତ କରେ । ଏଥିରୁ ଅନୁମିତ ହୁଏ ଯେ, ଯମସାଧକମାନେ ମାମୁ ଓ ପ୍ରକୃତି-ଅନୁଶୀଳନକାରୀମାନେ ଭଣଜା ଥିଲେ । ଯମସାଧକଙ୍କ ନାରୀମାନେ ପ୍ରକୃତି-ଅନୁଶୀଳନକାରୀଙ୍କୁ ଆଦର କରିବା ସ୍ୱାଭାବିକ ।

 

(ଶିଶୁ ଖେଳାଇବା ଗୀତ)

‘‘ଆ ଆ ଜହ୍ନମାମୁ ଶରଦ ଶଶୀ !

କାହ୍ନୁ ହାତରେ ପଡ଼ ରେ ଖସି ।

କାହ୍ନୁ ହାତେ ଦିଅ ପତନି-ପାଟ,

ଦେଖ ମାମୁ କରୁଛି ନାଟ ।’’

 

ଭଣଜା ସହିତ ମାମୁର ସମ୍ପର୍କ ତିକ୍ତ ଥିବାର ନିଦର୍ଶନ ମିଳିବା ସତ୍ତ୍ୱେ ଆହ୍ଲାଦଗୁଣର ବ୍ୟଞ୍ଜକ ଚନ୍ଦ୍ରଙ୍କୁ ମାମୁ କୁହାଯାଉଅଛି । ପୁଣି ବାଘକୁ ମାମୁ କୁହାଯାଉଅଛି । ବୈଷ୍ଣବ ଓ ଶୈବ ସମ୍ପ୍ରଦାୟ ଆମ ସମାଜରେ ମିଶିଯାଇଥିବାରୁ ଆମେ ଦୁଇ ଶ୍ରେଣୀର ମାମୁ ପାଉଅଛୁ । ଶୈବ ଶ୍ରେଣୀର ବୟାଘ୍ରପଦ୍ୟ ଭୀଷ୍ମମାନେ କଠିନ କୁମାର-ଦ୍ରତର ପକ୍ଷପାତୀ ଥିଲେ; କିନ୍ତୁ ବୈଷ୍ଣବ ସମ୍ପ୍ରଦାୟର କୁମାରମାନେ ସନ୍ତାନ-ପ୍ରସବପାଇଁ ଅନୁକୂଳ ମତ ବ୍ୟକ୍ତ କରୁଥିଲେ ।

 

ଦ୍ୱିତୀୟ ଅଧ୍ୟାୟ

ବ୍ରତ ବା ଓଷା ସାହିତ୍ୟ, କାହାଣୀ-ସାହିତ୍ୟ ଓ ଗଦ୍ୟର ଉତ୍ପତ୍ତି

ଦୃଢଚିତ୍ତରେ ଆରାଧନାକୁ ବ୍ରତ କହନ୍ତି । ‘ଓଷା’ ଶବ୍ଦ ସଂସ୍କୃତ ‘ଉପାସନା’ ଶବ୍ଦରୁ ରୂପାନ୍ତରିତ ହୋଇଅଛି । ବ୍ରତ ଓ ଓଷା ମଧ୍ୟରେ ଅର୍ଥଗତ କୌଣସି ପ୍ରଭେଦ ନାହିଁ । ‘ବ୍ରତ’ ଶବ୍ଦଟି ସଂସ୍କୃତ ଓ ‘ଓଷା’ ଶବ୍ଦଟି ଗାଉଁଲୀ । କେତେକ ଆରାଧନାରେ ‘ଓଷା’ ଶବ୍ଦ ନିତ୍ୟ ଯୁକ୍ତ ହୋଇଅଛି; ଯଥା—ବାଟ-ଓଷା, ଖଦୁରୁକୁଣୀ-ଓଷା, ମଙ୍ଗଳବାର-ଓଷା ଇତ୍ୟାଦି ବହୁ ପୂଜାବ୍ରତ ଦେଶରେ ପ୍ରଚଳିତ ଅଛି ।

ଦଣ୍ଡପୂଜା

ମଫସଲର ଗ୍ରାମମାନଙ୍କରେ ଦଣ୍ଡପୂଜା ପ୍ରଚଳିତ ଅଛି । ଯେଉଁମାନେ ଏହି ପୂଜା କରିବାପାଇଁ ବ୍ରତ ଗ୍ରହଣ କରନ୍ତି, ସେମାନଙ୍କୁ ଭକତା ବା ଭଗତା ( <ସଂ: ଭକ୍ତ ) କହନ୍ତି । ଏହି ପୂଜା ମେରୁ ବା ମେଷ-ସଂକ୍ରାନ୍ତି ଦିନ ସମାପ୍ତ ହୁଏ । ପୂଜାର ଦିନସଂଖ୍ୟା ଭକ୍ତମାନଙ୍କ ସୁବିଧା ଉପରେ ନିର୍ଭର କରେ । ତିନିଦିନ ବା ଏକୋଇଶ ଦିନ ବ୍ୟାପୀ ଏହି ପୂଜା ଅନୁଷ୍ଠିତ ହୋଇପାରେ । ଏଥିରେ ତେର ଜଣ ଭକ୍ତ ଅବଶ୍ୟ ରହିବେ । ପୂଜାଦିନତକ ପ୍ରତ୍ୟହ ଥରେ ମାତ୍ର ହବିଷ୍ୟାନ୍ନ ଗ୍ରହଣ କରି, ସ୍ତ୍ରୀ-ସଂସର୍ଗ ତ୍ୟାଗ କରି, ଶୁଚିବନ୍ତ ଓ ନିଷ୍ଠାପର ହୋଇ ସେମାନେ ରହନ୍ତି ଏବଂ ମଧ୍ୟାହ୍ନ ହେଲେ ପ୍ରଖର ସୂର୍ଯ୍ୟ କିରଣରେ ଜମି-ଚାଷ, ଧାନବେଙ୍ଗଳା, ଧାନଘରେ ଧାନ ସାଇତିବା ପ୍ରଭୃତି କୃଷି-କର୍ମର ଅଭିନୟ ଦେଖାନ୍ତି । ସେମାନଙ୍କ ମଧ୍ୟରୁ କିଏ ଲଙ୍ଗଳ, କିଏ ବଳଦ, କିଏ ଜୁଆଳି ପ୍ରଭୃତି କୃଷିର ଉପକରଣ ରୂପରେ ଅଭିନୟ କରନ୍ତି । ସୂର୍ଯ୍ୟାସ୍ତ-ସମୟରେ ନଦୀ ବା ପୁଷ୍କରିଣୀକୁ ସ୍ନାନ କରିବାକୁ ଯାନ୍ତି । ସ୍ନାନ ସାରି ଜଣେ ଗୋଟିଏ ବେତ ଓ ଦୁଇଜଣ ଚାରୋଟି ଦିହୁଡ଼ି ଧରି ଆସନ୍ତି । ମାଟି-ବେଣ୍ଟର ଅଗ୍ରଭାଗରେ କନାଗୁଡ଼ାଇ ଝୁଣା ପକାଇ ଦିହୁଡ଼ି ଜାଳୁଥାନ୍ତି । ପାଟକନାଗୁଡ଼ା ଗୋଟିଏ ବେତକୁ ଦେବତାରୂପରେ ଜଣେ ଧରିଥାଏ । ଫେରିବାବେଳେ ଉଚ୍ଚୈଃସ୍ୱରରେ ପ୍ରତ୍ୟେକ ଗ୍ରାମବାସୀଙ୍କ କଲ୍ୟାଣ କାମନା କରି ଭିକ ମାଗନ୍ତି । ରାତ୍ରରେ ଏମାନଙ୍କ ସଙ୍ଗରେ ଗୋଟିଏ ଯାତ୍ରାଦଳ ମିଶି ଗ୍ରାମରେ ଯାତ୍ରା ଦେଖାନ୍ତି । ଯାତ୍ରାରେ ପୂଜାର ଆଖ୍ୟାନଟି ଗୀତରେ ଓ ଅଭିନୟରେ ଅଭିବ୍ୟକ୍ତ କରନ୍ତି ।

 

ଆଖ୍ୟାନ ଅନୁସାରେ ଜଣେ ପକ୍ଷୀ-ଶିକାରୀ ବା ଚଡ଼ାୟା ପ୍ରତ୍ୟହ ଚଡ଼ାଇ ମାରିବାକୁ ଏକାମ୍ରବନକୁ ଯାଉଥିଲା । ତହିଁରେ ସେ ପେଟ ପୋଷୁଥିଲା । ଦିନେ କପିଳାସ ପର୍ବତରୁ ଶିବ ଓ ପାର୍ବତୀ ଆସି ଦେଖିଲେ ଯେ ବନରୁ ବହୁ ପକ୍ଷୀ ଲୁପ୍ତ ହେଲେଣି । ଭବିଷ୍ୟତରେ ପକ୍ଷୀ ଲୋପ ଯେପରି ନ ଘଟେ, ତହିଁର ବ୍ୟବସ୍ଥା କରିବାପାଇଁ ପାର୍ବତୀ ଶିବଙ୍କୁ ଅନୁରୋଧ କଲେ । ଶିବ କେତେ ଜଣ ଦ୍ୱାରପାଳ ସୃଷ୍ଟି କରି ଚଡ଼ୟାର ବନ-ପ୍ରବେଶ-ପଥ ଜଗିବାପାଇଁ ସେମାନଙ୍କୁ ଆଦେଶ ଦେଲେ-। ଏକଥା ମଧ୍ୟ କହିଲେ ଯେ ମନା ନ ଘେନି ଯଦି ଚଡ଼ୟା ପ୍ରବେଶ କରେ, ତେବେ ସେମାନେ ତାହା ସଙ୍ଗରେ ଦ୍ୱନ୍ଦ୍ୱ କରିବେ ନାହିଁ । ଏ ବ୍ୟବସ୍ଥା କରି ଶିବ ପାର୍ବତୀଙ୍କ ସହିତ ଅନ୍ତର ହେଲେ । ତତ୍ପରେ ଚଡ଼ୟା ଆସି ଦ୍ଵାରପାଳର କଥା ନ ମାନି ବନରେ ପଶି ପକ୍ଷୀ ମାଇଲା । ମୃତ ପକ୍ଷୀ ଗୋଟାଇବା କାଳରେ ସର୍ପାଘାତରେ ଚଡ଼ୟାର ମୃତ୍ୟୁ ହେଲା । ଯଥାକାଳରେ ଘରକୁ ନ ଫେରିବାରୁ ତାହାର ପତ୍ନୀ କାଉଳି ହୋଇ ଖୋଜିବାକୁ ଆସିଲା । ସେ ଦ୍ଵାରପାଳଠାରୁ ସମସ୍ତ ସମ୍ବାଦ ପାଇ ଅରଣ୍ୟରେ ପ୍ରବେଶ କଲା ଓ ଖୋଜି ଖୋଜି ମୃତ ପତି ପଡ଼ିଥିବାସ୍ଥଳରେ ପହଞ୍ଚିଲା; ପତିର ଅବସ୍ଥା ଦେଖି ଉଚ୍ଚସ୍ୱରରେ ବିଳାପ କରିବାକୁ ଲଗିଲା । ସେତେବେଳେ ଶିବ-ପାର୍ବତୀ ଆକାଶରେ ଯାଉଥିଲେ । ଚଡ଼ୟାଣୀର ବିଳାପ-ଧ୍ୱନି ପାର୍ବତୀଙ୍କ କାନରେ ପହଞ୍ଚିଲା । ଘଟନା ଅନୁସନ୍ଧାନ କରିବାପାଇଁ ପାର୍ବତୀ ଶିବଙ୍କୁ କହିବାରୁ ଦୁହେଁ ସେଠାରେ ଅବତରଣ କଲେ ଓ ଚଡ଼ୟାଣୀଠାରୁ ସମସ୍ତ କଥା ଶୁଣିଲେ । ଚଡ଼ୟାଣୀର ବିକଳ ଦେଖି ପାର୍ବତୀ ତରଳିଯାଇ ଚଡ଼ୟାକୁ ବଞ୍ଚାଇବାପାଇଁ ଶିବଙ୍କୁ ଅନୁରୋଧ କଲେ । ଶିବ ତାକୁ ବଞ୍ଚାଇ ଦେଇ ପୂଜା କରିବାପାଇଁ ଚାରି ଦିହୁଡ଼ି ଓ ପାଟବେତ ଦେଲେ । ସେଦିନଠାରୁ ଚଡ଼ୟା ଆସି ଦେଶରେ ପୂଜା ପ୍ରବର୍ତ୍ତନ କରାଇଲା ।

 

ଦଣ୍ଡପୂଜକମାନଙ୍କର ନିଷ୍ଠାପରତା ପରୀକ୍ଷା କରିବା ପାଇଁ ଗୋଟିଏ ଖମାରେ କାଠ ଜାଳି କାଠକୁ ଜ୍ୱଳନ୍ତ ଅଙ୍ଗାରରେ ପରିଣତ କରାଯାଏ । ତହିଁରେ ଝୁଣା ପକାଇ ତାହାକୁ ପ୍ରଦୀପ୍ତ ରଖାଯାଏ । ଭକ୍ତମାନେ ଏଥିରେ ଚାଲନ୍ତି । ଯାହାର ଗୋଡ଼ ପୋଡ଼ି ନ ଯାଏ, ସେ ନିଷ୍ଠାପର ଭକ୍ତ ବିବେଚିତ ହୁଏ । ଭକ୍ତମାନଙ୍କ ମଧ୍ୟରୁ କାହାରି କାହାରି ଶରୀରକୁ କ୍ଷତବିକ୍ଷତ କରାଯାଉଥିଲା । ବ୍ରିଟିଶ ସରକାରଙ୍କ ଆଇନରେ କ୍ଷତବିକ୍ଷତ କରିବା ପ୍ରଥା ବନ୍ଦ ହୋଇଅଛି । ଯାହାକୁ କ୍ଷତବିକ୍ଷତ କରାଯାଏ, ତାହାକୁ ‘ପାଟ' କୁହାଯାଏ । ଏହି ‘ପାଟ’ ବୋଧହୁଏ ‘ତପ’ ଶବ୍ଦର ବର୍ଣ୍ଣ-ବିପର୍ଯ୍ୟୟରେ ଉତ୍ପନ୍ନ ହୋଇଅଛି । ଭକ୍ତମାନଙ୍କ ନେତା ବା ଗୁରୁଙ୍କୁ ‘ ମଣିଆମା’ କହନ୍ତି । ଆମେ ରାଜା ଓ ରାଣୀଙ୍କୁ ମଧ୍ୟ ‘ମଣିମା’ କହୁଥିଲୁ । ‘ମଣିଆମା’ ଓ ‘ମଣିମା’ ଉଭୟ ଶବ୍ଦ ‘ମଣିନାଗ’ ନାମର ରୂପାନ୍ତର ବୋଲି ଅନୁମିତ ହୁଏ । ମେଷ-ସଂକ୍ରାନ୍ତିରେ ପୂଜା ସରିବା ଉତ୍ତାରୁ କୌଣସି ଦିନ ‘ମଣିଆମା’ର ପ୍ରତୀକ ମୃତ୍ୟୁ, ଦାହ ଓ ଶୁଦ୍ଧିକ୍ରିୟା ଭକ୍ତମାନଙ୍କଦ୍ଵାରା ଅନୁଷ୍ଠିତ ହୁଏ । ଏହା ସହିତ ଦଇତାମାନେ ଜଗନ୍ନାଥଙ୍କ ନବକଳେବର ସମୟରେ ପାଳୁଥିବା ଶୁଦ୍ଧି-କ୍ରିୟାକୁ ତୁଳନା କରାଯାଇପାରେ । ଭକ୍ତମାନଙ୍କର ଅଗ୍ନିରେ ଚାଲିବା ଓ ସତୀତ୍ୱର ପରୀକ୍ଷାପାଇଁ ସୀତାଙ୍କର ଅଗ୍ନି-ପ୍ରବେଶ ଏକ ଜାତୀୟ ପରି ଜଣାଯାଏ । ବେଦରେ ଦୀର୍ଘତମା ଋଷି ଶରୀରକୁ କ୍ଷତବିକ୍ଷତ କରିବା ପ୍ରଥାକୁ ପସନ୍ଦ କରି ନାହାନ୍ତି । ସେ କେନ୍ଦୁଝରରୁ ବୈତରଣୀରେ ଭାସି ଆସି ଯାଜପୁରଠାରେ କୂଳରେ ଲାଗି ପ୍ରେମ ସୃଷ୍ଟିର ଆଦି କାରଣ ବୋଲି ନିଜ ରଚିତ ସୂକ୍ତରେ ପ୍ରଚାର କରିଥିଲେ । କେନ୍ଦୁଝରକୁ ପ୍ରାଚୀନକାଳରେ ଯମଗର୍ତ୍ତମଣ୍ଡଳ କୁହାଯାଉଥିବାର ତାମ୍ରଶାସନମାନଙ୍କରୁ ଜଣାଯାଏ । ଶରୀରକୁ କ୍ଷତବିକ୍ଷତ କରିବାର ଯମ-ସାଧନା ସେଠାରେ ପ୍ରଚଳିତ ଥିବାର ଅନୁମିତ ହୁଏ । ଦଣ୍ଡ-ପୂଜାର ମଣିନାଗ ଓ ଶଶୀସେଣାର ଅହିମାଣିକ୍ୟ ଅଭିନ୍ନ ମନେ ହୁଅନ୍ତି । ଦଣ୍ଡଯାତ୍ରାରେ ଆଖ୍ୟାନର ଅଭିନୟ ସରିବା ଉତ୍ତାରୁ ଚଡ଼ୟା ଚଡ଼ୟାଣୀ ବା ଶବର-ଶିବରୀଙ୍କ ମଧ୍ୟରେ ସତୀତ୍ୱର ସନ୍ଦେହଜନକ କଳହର ଅଭିନୟ କରାଯାଏ ଓ ଅବଶେଷରେ ବୀଣାକାର ତତ୍ତ୍ୱଜ୍ଞାନ କହି କଳହ ମୀମାଂସା କରେ । ପାଟବେତକୁ ଭକ୍ତମାନେ ‘ଦଣ୍ଡ’ ବା ‘ଗଉରିବେତ’ କହନ୍ତି । ଚଡ଼ୟା-ଚଡ଼ୟାଣୀଙ୍କ କଳହ-ଗୀତରୁ କେତୋଟି ପଦ ଉଦ୍ଧାର କରାଯାଉଅଛି ।

 

(୧)

ଚଡ଼ୟାଣୀ—‘‘ଚଡ଼ୟା କେଣିକି ଗଲା ?

କାଣ୍ଡ ଛ’ପଟରେ ବାଉଁଶଟାଏ

ଦଣ୍ଡଚଡୟା ରେ ! ଚଡ଼କ ମାଡ଼ରେ ମଲା ।’’

(୨)

ଚଡ଼ୟା—‘‘ମୁଗ ଭାଜ ମୁଗ ଭାଜ,

ନୂଆ ବରତନୀ ପୁଆଣି ସଜ

ଦଣ୍ଡଚଡ଼ଉଣୀ ଲୋ ! କିମ୍ପା ପାଉ ଲାଜ ଲାଜ ?’’

(୩)

ଚଡ଼ୟାଣୀ—‘‘କଂସାକୁ ତାଟିଆ ଝାଇଁ

ନୂଆକୁ ଦେଖି ମନ ପଡ଼ୁଛି ଡ଼େଇଁ

ଦଣ୍ଡଚଡ଼ୟା ରେ ! ପୁରୁଣାରେ ମନ ନାହଁ ।’’

 

ଝିଅ ପହିଲିପାଳି ଯିବାକୁ ପୁଆଣି-ଘର ଯିବା କହନ୍ତି । ଏହାର ଅର୍ଥ ପୁଅ ଜନ୍ମ କରିବାର ଗୃହ । ଏଣୁ ପୁଆଣି-ସଜର ଅର୍ଥ ପୁଅ ପ୍ରସବ କରିବାର ଆୟୋଜନ ତୃତୀୟ ପଦରୁ ସୂଚିତ ହୁଏ । ମୁଖରୁ ପ୍ରଜନନ-ଶକ୍ତି ଜନ୍ମେ ବୋଲି ମୁଦ୍‌ଗଳ ଋଷି କହିଥିବାର ଉପନିଷଦ୍‌ରୁ ଜଣାଯାଏ ।

 

କଂସା ଆକାରରେ ବଡ; ତାଟିଆ କ୍ଷୁଦ୍ର ! ତଥାପି କଂସାରେ ତାଟିଆ ବାଜି ‘ଝାଇଁ’ ଶବ୍ଦ ଜନ୍ମିବ । ସେପରି ବୟସରେ ବଡ଼ ପୁରୁଣା ପତ୍ନୀ ଥାଉ ଥାଉ ନୂଆ ବାଳିକା ପତ୍ନୀ ଆଣିଲେ ଉଭୟଙ୍କ ମଧ୍ୟରେ କଳି ଉପୁଜିବ, ଏପରି ଅର୍ଥ ତୃତୀୟ ପଦରୁ ବାହାରୁଅଛି ।

 

ପ୍ରଥମ ପଦରେ ବାଉଁଶର ଅର୍ଥ ସବଳ ପୁଂ-ଜନନେନ୍ଦିୟ ଓ ଛଅପଟ କାଣ୍ଡର ଅର୍ଥ ଷଡ଼ନ୍ଦ୍ରିୟ । ଭକ୍ତମାନେ ପାଟବେତକୁ ‘ଦଣ୍ଡ’ ଓ ମେଷ ସଂକ୍ରାନ୍ତିରେ ସେମାନେ ପାଳୁଥିବା ନିର୍ଜଳ ଉପବାସକୁ ‘ମେରୁ ଉପାସ’ କହୁଥିବାରୁ ପାଟବେତକୁ ମେରୁଦଣ୍ଡ ଅର୍ଥରେ ଗ୍ରହଣ କରାଯାଏ । ଆଉ ଏକପଦ ଗୀତଦ୍ୱାରା ଏପରି ଅର୍ଥ ମଧ୍ୟ ସମର୍ଥିତ ହୁଏ :--

 

‘‘ଚଡ଼ୟା-ବାଉଁଶନଳ,

ସତେ ଗଙ୍ଗା-ପାଣି କେଡ଼େ ଉଜଳ ?

ଦଣ୍ଡଚଡ଼ୟା ରେ ! ଗଙ୍ଗାରୁ ବହୁଛି ଜଳ ।’’

 

ଗଙ୍ଗାର ଅର୍ଥ ଓ ପକ୍ଷୀର ଅର୍ଥ ଆଦିବାସୀ-ରମଣୀ ବୋଲି ପୂର୍ବବର୍ତ୍ତୀ ଅଧ୍ୟାୟରେ କୁହାଯାଇଅଛି । ଜଳର ଅର୍ଥ ପ୍ରଜନନ- ରସ । ଏଣୁ ବାଉଁଶ-ନଳ ଓ ଆଖ୍ୟାନରେ କୁହାଯାଉଥିବା ପକ୍ଷୀର ଅର୍ଥ ଯଥାକ୍ରମେ ପୁଂ-ଜନନେନ୍ଦ୍ରିୟ, ଓ ଆଦିବାସୀ-ରମଣୀ ବୋଲି ଗ୍ରହଣ କରିବାକୁ ହେବ । ଉପନୟନକାଳରେ ବ୍ରାହ୍ମଣ ବାଳକମାନେ ପ୍ରଥମେ ପଲାଶଦଣ୍ଡ ଓ ତତ୍ପରେ ବାଉଁଶଦଣ୍ଡ ଧରନ୍ତି । ପଲାଶଦଣ୍ଡକୁ ପାଣିନି ଆଷାଢ଼ କହିଅଛନ୍ତି । ବିବାହକାଳର ବରକନ୍ୟାଙ୍କ ହାତର କୌତୁକ-ସୂତ୍ରକୁ ଅଷାଢୁଆ ସୂତା କରନ୍ତି । ଏହି ସୂତ୍ର ସାତ ଖିଅ ବା ଗୁଣରେ ପ୍ରସ୍ତୁତ ଓ ବୌଦ୍ଧ ଧର୍ମର ଉପାଦାନ-ସ୍କନ୍ଦ ବା ଆସକ୍ତିର ପ୍ରବୃତ୍ତି ସାତ ଭାଗରେ ବିଭକ୍ତ । ପଳାଶଦଣ୍ଡ ନତ ହୋଇଯାଏ; କିନ୍ତୁ ବାଉଁଶଦଣ୍ଡ ନତ ହୁଏ ନାହିଁ । ମହାଭାରତରେ ଉକ୍ତ ଅଛି ଯେ ଶଚୀ ଆରାଧନାପାଇଁ ଇନ୍ଦ୍ର ଚେଦିରାଜା ବସୁଙ୍କୁ ‘‘ ବେଣୁଯଷ୍ଟି” ବା ବାଉଁଶବାଡ଼ି ଦେଇଥିଲେ । ମେରୁଦଣ୍ଡ ବେତପରି ନିଦା ରହି ନତ ହୋଇପାରୁଥିଲେ ପୁଂ- ଜନନେନ୍ଦ୍ରିୟ ସବଳ ରହେ ।

 

ବରାହ - ଅବତାରରେ ବିଷ୍ଣୁ ଦନ୍ତରେ ପୃଥିବୀକୁ ଧରି ରକ୍ଷାକରିବାର ପୁରାଣମାନଙ୍କରେ ଉକ୍ତ ଅଛି । ବୌଦ୍ଧଧର୍ମରେ ଦନ୍ତ - ପୂଜା ପ୍ରଚଳିତ ଥିଲା । ଦନ୍ତ -ପୂଜାରେ ଇନ୍ଦ୍ରିୟକୁ ସଂଯତ କରାଯାଇ ପୃଥିବୀ ବା ନାରୀଙ୍କୁ ଅଧଃପତନରୁ ରକ୍ଷା କରାଯାଉଥିଲା । ଏହା ପୌରାଣିକ ଗଳ୍ପର ଅର୍ଥ ବୋଲି ପ୍ରତୀତ ହେଉଅଛି । ଏହି ଦନ୍ତ - ପୂଜା ବା ଦଣ୍ଡ - ପୂଜାକୁ ରାମାୟଣରେ ଦଣ୍ଡକାରଣ୍ୟ କୁହାଯାଇଅଛି । କାରଣ, ରାଜା ଦଣ୍ଡ ଭୃଗୁ-କନ୍ୟା ‘ଅରଜ୍ୟ’ ବା ରଜଃସ୍ୱଳା ପ୍ରାପ୍ତ ନୋହିଥିବା କନ୍ୟାକୁ ହରଣ କରିଥିବାରୁ ଦଣ୍ଡକାରଣ୍ୟର ଉତ୍ପତ୍ତି ଘଟିଅଛି ବୋଲି ରାମାୟଣରେ ଉକ୍ତ ଅଛି ଓ ଦଣ୍ଡ - ପୂଜାର ଆଖ୍ୟାନ ଅନୁସାରେ ଚଡ଼ୟା ଅରଣ୍ୟରେ ପକ୍ଷୀ - ବଧ କରୁଥିଲା ବା ଆଦିବାସୀ ରମଣୀ ହରଣ କରୁଥିଲା ।

 

ଦଣ୍ଡ - ପୂଜାକୁ ବଙ୍ଗଳାରେ ଚଡ଼କ - ପୂଜା କହନ୍ତି ଏବଂ ଓଡ଼ିଆରେ ବଜ୍ରକୁ ‘ଚଡ଼କ’ କହନ୍ତି-। ବେଦରେ ଏବଂ ବୌଦ୍ଧଗାନ ଓ ଦୋହାରେ ପ୍ରଜନନ - ବିନ୍ଦୁ ଅର୍ଥରେ ବଜ୍ର - ଶବ୍ଦ ବ୍ୟବହୃତ ହୋଇଅଛି । ଇନ୍ଦ୍ରିୟର ଅପବ୍ୟବହାର ବନ୍ଦ କରିବାପାଇଁ ଦଣ୍ଡ - ପୂଜା ପ୍ରଚଳିତ ହୋଇଥିବାର ଜଣାଯାଏ । ଏହା କେବର କଥା ? ଶରୀରକୁ କ୍ଷତବିକ୍ଷତ କରିବା ଦଣ୍ଡ - ପୂଜାର ବିଧିକୁ ଦୀର୍ଘତମା ବର୍ଣ୍ଣନା କରିଅଛନ୍ତି । ରାମାୟଣ ଅନୁସାରେ ଦଣ୍ଡକାରଣ୍ୟରେ ଦେବାସୁର - ଯୁଦ୍ଧରେ ଶମ୍ବରାସୁର ଦଶରଥଙ୍କୁ କ୍ଷତବିକ୍ଷତ କରିଥିଲା ଓ ଇନ୍ଦ୍ର ସଂବରର ନଗରୀ ଭାଙ୍ଗିଥିବାର ଉକ୍ତ ଅଛି । ତାହାହେଲେ ଦଣ୍ଡ - ପୂଜା ବେଦ ରଚନାର ପୂର୍ବବର୍ତ୍ତୀ ଅଟେ । ମେରୁଦଣ୍ଡକୁ ସବଳ କରିବା ପାଶ୍ଚାତ୍ୟ ଇତିହାସରେ ସୁମେରୀୟ ସଂସ୍କୃତି ନାମରେ ଅଭିହିତ ହୋଇଥିବାର ଅନୁମିତ ହୁଏ । ସେ ଦେଶର ଐତିହାସିକଙ୍କ ମତରେ ଖ୍ରୀଷ୍ଟପୂର୍ବ ଚାରିହଜାର ବର୍ଷରୁ ଏ ସଭ୍ୟତାର ଆରମ୍ଭ ଘଟି ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ଏହାର ଲୋପ ଘଟିଥିଲା; କିନ୍ତୁ ଆମ ଦେଶର ମୁଦ୍ରାରାକ୍ଷସରୁ ଓ ରାମାୟଣରୁ ସୂଚନା ମିଳେ ଯେ ଥରେ ଲୋପ ଘଟିଥିଲା; ପୁଣି ଏହାର ପ୍ରଚଳନର ପ୍ରୟୋଜନୀୟତା ଉପଲବ୍ଧି କରାଯାଇଥିଲା । ଯୁବକମାନଙ୍କପ୍ରତି ତୀକ୍ଷଣ ଦୃଷ୍ଟି ରଖିବାପାଇଁ ଶାସନକର୍ତ୍ତାଙ୍କୁ ଧଉଳି ଶିଳାଲିପିରେ ଉପଦେଶ ଦିଆଯାଇଥିବାରୁ ସେତେବେଳେ ପୁଣି ପ୍ରଚଳିତ ହୋଇଥିବ ।

 

ଏହି ଯାତ୍ରା ବହୁକାଳର; କିନ୍ତୁ ଯାତ୍ରା- ଗୀତର ଭାଷା ଆଧୁନିକ । ଏ ଲେଖକ ଜାଣେ ସେ ଗତ ପଚାଶ ବର୍ଷ ମଧ୍ୟରେ ନିଜ ଗ୍ରାମର ଦଣ୍ଡ - ଯାତ୍ରାର ଗୀତରେ ବ୍ୟବହୃତ ଭାଷା ତିନିଥର ବଦଳି ସାରିଲାଣି; କିନ୍ତୁ ସାରମର୍ମ ବଦଳି ନାହିଁ । ଏଣୁ ଏଥିରୁ ଜାତିର ଅନୁଭୂତି ଅଭିବ୍ୟକ୍ତ କରିବା ଶକ୍ତି ବହୁ ପ୍ରାଚୀନ ବୋଲି ପ୍ରମାଣିତ ହେଉଅଛି । ଦଣ୍ଡ - ପୂଜାରେ ଜାତିଭେଦ ମାନନ୍ତି ନାହିଁ ।

ଖୁଦରକୁଣୀ ଓଷା

ଓଡ଼ିଶାର ବ୍ରାହ୍ମଣେତର ଜାତିର ଅବିବାହିତା ବାଳିକାମାନେ ଏହି ଓଷା କରନ୍ତି । ଭୂୟାଁମାନେ ଖୁଦରକୁଣୀକୁ ଖୁଦରଙ୍କିଣୀ କହନ୍ତି । ଏହି ଓଷା ଭାଦ୍ର ମାସର ପ୍ରତି ରବିବାର ଦିନ ଅନୁଷ୍ଠିତ ହୁଏ । ଓଷାର ଆଖ୍ୟାନଟି ଗୋପନାଥ ଦାସ ଲିପିବଦ୍ଧ କରିଛନ୍ତି; କିନ୍ତୁ ଏହାଙ୍କର କୌଣସି ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଆଖ୍ୟାନ ଅନୁସାରେ କୃଷ୍ଣଙ୍କ ପୁତ୍ର ତନୟବନ୍ତଙ୍କ ଔରସରେ ଶକୁନ୍ତଳା - ଗର୍ଭରୁ ସାତ ପୁତ୍ର ଓ ତଅପୋଈ ନାମରେ ଗୋଟିଏ କନ୍ୟା ଜନ୍ମି ଥିଲେ । କନ୍ୟାଟି ଗୋଟିଏ କୁଲେଇ ଧରି ଦିନେ ସାଙ୍ଗପିଲାଙ୍କ ମେଳରେ ଧୂଳି ଖେଳୁଥିଲା । ଜଣେ ବିଧବା ବ୍ରାହ୍ମଣୀ ସେଠାରେ ପହଞ୍ଚି ତଅପୋଈକୁ କହିଲା, “ ସୁନା କୁଲେଇ ଓ ସୁନା ଚାନ୍ଦ ଧରି ନ ଖେଳି ବାଉଁଶ-କୁଲେଇ ଧରି ତୋ ଭଳି ପିଲା ଖେଳିବା ସୁନ୍ଦର ନୁହେଁ । ବାପ-ମା’ଙ୍କୁ ମାଗିଲେ ସେମାନେ ସୁନା କୁଲେଇ, ସୁନା ଚାନ୍ଦ ଗଢ଼ାଇ ଦିଅନ୍ତେ । ତହିଁରେ ତୁ ଖେଳନ୍ତୁ ।’’ ଏ କଥା ଶୁଣି ବାଳିକାଟି ଘରକୁ ଗଲା, ଭାତ ଖାଇଲା ନାହିଁ । ଅନ୍ଧକାର ଗୃହରେ ଗୋଟିଏ କୋଣରେ ଶୋଇ ରହିଲା । ସାନ ଭାଉଜ ଖୋଜି ଦେଖିଲା ଓ ତାକୁ ଖାଇବାକୁ ଡାକିଲା । ସୁନା କୁଲେଇ ଓ ସୁନା ଚାନ୍ଦ ନ ଦେଲେ ସେ ଖାଇବ ନାହିଁ ବୋଲି କହିଲା । ଏ କଥା ପିତା ଶୁଣିପାରି ତଅପୋଈକୁ ସୁନା କୁଲେଇ ଓ ସୁନା ଚାନ୍ଦ ଦେବାପାଇଁ ପ୍ରତିଶ୍ରୁତି ଦେଲେ । ସେ ଭାତ ଖାଇଲା ଏବଂ ସୁନା କୁଲେଇ ଓ ସୁନା ଚାନ୍ଦ ଗଢ଼ିବାପାଇଁ ସୁନାରିକୁ ବରାଦ ଦିଆଗଲା; କିନ୍ତୁ ଗଢ଼ା ସରିବା ପୂର୍ବରୁ ପିତାମାତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ-କାଳରେ ତଅପୋଈକୁ ଯତ୍ନରେ ପାଳିବାପାଇଁ ପିତା-ମାତା ପୁଅ ଓ ବୋହୂ ମାନଙ୍କୁ କହିଯାଇଥିଲେ । ପୁଅ ଓ ବୋହୂମାନେ ଯତ୍ନରେ ତାକୁ ପାଳିନେଉଥିଲେ । କିଛିଦିନ ଉତ୍ତାରେ ବାଣିଜ୍ୟ ଉଦ୍ଦେଶ୍ୟରେ ପୁତ୍ରମାନଙ୍କୁ ଜାହାଜରେ ବିଦେଶ ଯିବାକୁ ପଡ଼ିଲା । ତଅପୋଈକୁ ଯତ୍ନରେ ପାଳିବାପାଇଁ ସେମାନେ ନିଜ ନିଜ ସ୍ତ୍ରୀଙ୍କୁ ଅନୁରୋଧ କରି ବିଦେଶ ଗଲେ । ବୋହୂମାନେ କିଛିଦିନ ଯତ୍ନରେ ପାଳିଲେ । ‘‘ନଣନ୍ଦକୁ ବସାଇ ରଖି ତାହାର ସେବା କରିବା ଭାଉଜଙ୍କ ପକ୍ଷରେ ଅସୁନ୍ଦର । ତାକୁ ପାଇଟିରେ ଲଗାଇବା ଉଚିତ’’ - ଏକଥା ଜଣେ ଭାଉଜମାନଙ୍କୁ ଶିଖେଇଦେଲା । ଏଣୁ ତଅପୋଈକୁ ଛେଳି ଚରାଇବାରେ ଭାଉଜମାନେ ଲଗାଇଦେଲେ । ଦିନେ ଦିନେ ପାଳି କରି ଛେଳିଚରା ପଦାକୁ ତଅପୋଈପାଇଁ ଭାଉଜମାନେ ଭାତ ନେବାର ବ୍ୟବସ୍ଥା ହୋଇଥିଲା; କିନ୍ତୁ ସାନ ଭାଉଜ ନିଳେଦ୍ରି, ଛଡ଼ା ଅନ୍ୟ କେହି ଠିକଣାରେ ଆହାର - ଉପଯୋଗୀ ଭାତ ନେଲେ ନାହଁ । ଦିନେ ଘରମଣି ନାମରେ ଗୋଟିଏ ଛେଳି ହଜିଗଲା । ଛେଳି ଖୋଜି ନ ଆଣିଲେ ଘରେ ପୁରେଇବେ ନାହିଁ ବୋଲି ଭାଉଜମାନେ ଧମକ ଦେଲେ । ତଅପୋଈ ଛେଳି ଖୋଜିବାପାଇଁ ବୁଲୁ ବୁଲୁ କୌଣସି ସ୍ଥାନରେ ଖୁଦରକୁଣୀ ଘେନି ବାଳିକାମାନେ ଓଷା କରୁଥିବାର ଦେଖିଲା । ଭାଇମାନଙ୍କ ମଙ୍ଗଳ ଓ ଛେଳି ପାଇବା କାମନାରେ ସେ ସେଠାରେ ଓଷାରେ ଯୋଗଦେଲା । ସେ ଛେଳି ପାଇ ଘରକୁ ନେଲା; କିନ୍ତୁ ସାନ ଭାଉଜ ଛଡ଼ା ଅନ୍ୟ ଭାଉଜମାନେ ତଅପୋଈକୁ ଆଦର କଲେ ନାହିଁ । ସାନ ଭାଉକ ଯତ୍ନରେ ଖାଇବାକୁ ଦେଉଅଛି ଜାଣି ଅନ୍ୟ ଭାଉଜମାନେ ସାନ ଭାଉକ ଦେଉଥିବା ଖାଦ୍ୟକୁ ଗୋପନରେ ଅଖାଦ୍ୟରେ ପରିଣତ କଲେ ଓ ଆଉ ଥରେ ଛେଳି ହଜିବାରୁ ତାହାର ନାକ କାଟିଦେଲେ । ଏଣୁ ସେ ଅରଣ୍ୟରେ ରହି ରୋଦନ କରୁଥାଏ । ଏ ସମୟରେ ଭାଇମାନେ ଜାହାଜ ଘେନି ଫେରିଆସି ସମୁଦ୍ରକୂଳରେ ପହଞ୍ଚିଲେ ଓ ତଅପୋଈର ରୋଦନସ୍ୱର ଶୁଣିପାରିଲେ । କିଏ କାହିଁକି କାନ୍ଦୁଛି, ତାହା ଜାଣିବାପାଇଁ ସାନ ଭାଇ ଅରଣ୍ୟରେ ଖୋଜିଲା ଓ ଭଉଣୀକୁ ଦେଖି ତାହାଠାରୁ ସମସ୍ତ ବିଷୟ ଅବଗତ ହେଲା । ତତ୍ପରେ ତାହାକୁ ଜାହାଜ ଭିତରକୁ ଘେନିଗଲା । ପୁଣି ଜାହାଜ ବନ୍ଦାଇବାପାଇଁ ତଅପୋଈକୁ ସଙ୍ଗରେ ଘେନି ବୋହୂମାନେ ସମୁଦ୍ର-କୂଳକୁ ଆସିବାପାଇଁ ଘରକୁ ସମ୍ବାଦ ଦିଆଗଲା । ସେମାନେ ଆସିଲେ । ତଅପୋଈ ସଙ୍ଗରେ ନ ଥିବାରୁ ଭାଇମାନେ ସେମାନଙ୍କ ନାକ କାଟିବାପାଇଁ ତଅପୋଈକୁ ଶିଖାଇ ତଅପୋଈ ଥିବା ସ୍ଥାନ ବୋହୂମାନଙ୍କୁ ଦେଖାଇଦେଲେ ଓ ସେ ସ୍ଥାନକୁ ଯାଇ ଜାହାଜ ବନ୍ଦାଇବାପାଇଁ ସେମାନଙ୍କୁ କହିଲେ । ବୋହୂମାନେ ବନ୍ଦାଇବାକୁ ଗଲେ ଓ ସାନ ଭାଉଜ ଛଡ଼ା ସବୁ ଭାଉଜଙ୍କ ନାକ ତଅପୋଈ କାଟି ଦେଇଥିଲା ।

 

ଉଦ୍ଧୃତ ଗଳ୍ପଟି ଅଳ୍ପକାଳର ନୁହେଁ । ଭୁବନେଶ୍ୱର ନିକଟବର୍ତ୍ତୀ ହୀରାପୁରଠାରେ ନବମ ଶତାବ୍ଦୀର ଚଉଷଠି ଯୋଗିନୀ-ମୂର୍ତ୍ତି ଅଛି । ସେଥିମଧ୍ୟରେ କେତେକ ନାକକଟା ମୂର୍ତ୍ତି ଥିବାର ଦେଖାଯାଏ । ଲୋକେ କହନ୍ତି ଯେ କଳାପାହାଡ଼ ସେମାନଙ୍କ ନାକ କାଟି ଦେଇଅଛି । ବଙ୍ଗର ଶାସନକର୍ତ୍ତା ସୁଲେଇମାନ କରାନିଙ୍କ ସେନାପତିଙ୍କୁ ଓଡ଼ିଶାରେ କଳାପାହାଡ଼ କହିଲେ କାହିଁକି ? ସେ ହିନ୍ଦୁ-ବିଦ୍ୱେଷୀ ଥିଲା । ପ୍ରାଚୀନ କାଳର କଳାପର୍ବତ ବା କାଳୀ କନ୍ୟା ବିବାହ କରିବାପାଇଁ କହୁଥିବା କୁମାରମାନେ ଯୋଗୀଙ୍କ ସହିତ ସଂଯୋଗ ଇଚ୍ଛା କରିବା ନାରୀମାନଙ୍କୁ ବାରଣ କରୁଥିଲେ । ଏହି କୁମାରମାନେ କାଳିଆ ବୌଦ୍ଧ ନାମରେ ଅଭିହିତ ହେଉଥିବାରୁ କୁମାର-ଜୀବନର ଆଶ୍ରମ କଟକରେ ‘କାଳିଆ ବୋଦା’ ନାମରେ ପରିଚିତ ହେଉଥିବାର ଅନୁମିତ ହୁଏ । ଯୋଗୀଙ୍କ ସଙ୍ଗମ କରିବା ନାରୀ ଯୋଗିନୀ ନାମରେ ପରିଚିତ ହୁଅନ୍ତି । ପ୍ରାଚୀନ କଳାପର୍ବତର ଧର୍ମବିଦ୍ୱେଷ-ସ୍ୱଭାବ ମୁସଲମାନ ସେନାପତିଠାରେ ଥିବାରୁ ତାହାକୁ କଳାପାହାଡ଼ ଆଖ୍ୟା ଦିଆଯାଇଥିବ । ରାମ ସୂର୍ପଣଖାର ନାକ କାଟିଥିଲେ । ଯେଉଁ ନାରୀମାନେ ପତି ସହିତ ବାସ କରିବାକୁ ଇଚ୍ଛା କରୁ ନ ଥିଲେ, ସେମାନଙ୍କୁ ବୋଧହୁଏ ଶାସ୍ତି ଦିଆଯାଇଥିଲା । ‘ତତ୍‌ପୁତ୍ରୀ’ ନାମର ରୂପାନ୍ତର ‘ତଅପୋଈ’ । ଯୋଗୀନୀମାନେ କାଳୀ ନାରୀଙ୍କୁ ନିଜର କନ୍ୟା ବୋଲି ମଣୁ ନ ଥିଲେ । ସାନ ଭାଉଜ ନୀଳେଦ୍ରି ନୀଳବର୍ଣ୍ଣା ନାରୀ ଥିବାରୁ ସେ ତଅପୋଈକୁ ଆଦର କରୁଥିଲା ।

 

ଛେଳିର ନାମ ଘରମଣି । ମଣିର ଅର୍ଥ ବିନ୍ଦୁ ଓ ଛେଳିର ସ୍ୱଭାବ ଶ୍ଵେତାଶ୍ୱତର ଉପନିଷଦରେ ବର୍ଣ୍ଣିତ ଅଛି । ଉଲୂକ ଖୁଦର କଣି ଖାଇ ବୈଶେଷିକ-ଦର୍ଶନ ପ୍ରଣୟନ କରିଥିବାର ପ୍ରବାଦ ଅଛି । ପୁରାଣମାନଙ୍କରେ ଐତିହାସିକ କିଂବଦନ୍ତୀମାନ ଲିପିବଦ୍ଧ ହୋଇଅଛି ଓ ସେହି କିଂବଦନ୍ତୀର ଭିତ୍ତିରେ ପ୍ରାଚୀନ ସଂସ୍କୃତ କାବ୍ୟମାନ ରଚିତ ହୋଇ ସମସାମୟିକ ସାମାଜିକ ଚିତ୍ର ତହିଁରେ ସନ୍ନିବେଶିତ ଅଛି; କିନ୍ତୁ ସମଗ୍ର ଭାରତର ବିଭିନ୍ନ ଅଞ୍ଚଳର ଐତିହାସିକ କିଂବଦନ୍ତୀ ପୁରାଣମାନଙ୍କରେ ସଂଗୃହୀତ ହୋଇନାହିଁ । ଆମ ଦେଶର କିଂବଦନ୍ତୀମାନ ବ୍ରତମାନଙ୍କ ସହିତ ସଂପୃକ୍ତ ରହିଥିବାରୁ ସାହିତ୍ୟର ପ୍ରାଥମିକ ଅବସ୍ଥା ସଂରକ୍ଷିତ ଅଛି ।

 

ବୁଧେଈ-ଶୁଧେଈ

ଗୋପୀନାଥ ଦାସ ‘ବୁଧେଈ-ଶୁଧେଈ’ ଓଷାର ଆଖ୍ୟାନ ଲିପିବଦ୍ଧ କରିଅଛନ୍ତି । ବୁଧେଈ ବିମଳାଙ୍କୁ ପ୍ରାର୍ଥନା କରି ଏହି ଓଷାର ବିଧି ଜାଣିଥିଲେ । ଚମ୍ପାବତୀପୁରର ଶୁଣ୍ଢି ଓ ଶୁଣ୍ଢି ଆଣୀ ବୁଦ୍ଧି-ବାମନଙ୍କୁ ପୂଜା କରୁଥିଲେ । ତତ୍ପରେ ସାଧବ ଏ ପୂଜା କଲା । ଶୁଣ୍ଢି ଓ ଶୁଣ୍ଢି ଆଣୀ ସୋମରସ ପ୍ରସ୍ତୁତକାରୀ ଅଶ୍ୱିନ୍ ବା ଅଶ୍ୱ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ଥିବାର ପ୍ରତୀତ ହୁଏ । ବୁଦ୍ଧି-ବାମନ ବୋଧହୁଏ ବାମନ ଅବତାରର ବୌଦ୍ଧଧର୍ମ । ବୁଦ୍ଧି ବୁଧେଈରୂପରେ ଓ ଶୁଦ୍ଧି ଶୁଧେଈରୂପରେ ପରିଣତ ହୋଇଥିବାର ପ୍ରତୀତ ହୁଏ । ଏଠାରେ ଶୁଦ୍ଧିକୁ ଶୁଚି ବା ଶୌଚାଚାର ସ୍ୱରୂପ ଗ୍ରହଣ କରିବାକୁ ହେବ-। ରାମାୟଣରେ ଅସଚ୍ଚରିତ୍ରା ନାରୀଙ୍କୁ ଦୁର୍ଗା କୁହାଯାଇଅଛି । ସେମାନେ ଶୌଚାଚାରରେ ରହି ବିମଳା ନାମରେ ଅଭିହିତା ହୋଇଥିବାରୁ ପୁରୀରେ ଦୁର୍ଗା-ମୂର୍ତ୍ତିକୁ ବିମଳା ନାମରେ ପୂଜା କରାଯାଏ-। ଯାହା ହେଉ ଶାକ୍ୟସିଂହ ବୌଦ୍ଧ ଅଶ୍ୱିନ୍ ବା ଅଶ୍ୱ ସମ୍ପ୍ରଦାୟରୁ ଉଦ୍ଭୂତ ହୋଇଥିବାର ସୃତି ଓଡ଼ିଆ ସାହିତ୍ୟରେ ସଂରକ୍ଷିତ ଅଛି । ଓଡ଼ିଶାରେ ପ୍ରାଚୀନ କାଳରେ ଶାକ୍ୟମାନେ ଓ ଅଶ୍ୱ-ସ୍ଵଭାବର ଲୋକ ଥିବାର ଅନେକ ସୂତ୍ରରୁ ପ୍ରମାଣ ମିଳେ ।

ମଙ୍ଗଳା-ପୂଜା ବା ମଙ୍ଗଳବାର ଓଷା

ପ୍ରତିବର୍ଷ ଆଶ୍ୱିନ ଓ ଚୈତ୍ର ମାସର ଅର୍ଥାତ୍ ଛଅ ମାସ ଅନ୍ତର ପ୍ରତି ମଙ୍ଗଳବାର ଦିନ ମଙ୍ଗଳାପୂଜା ପୁରୀ ଜିଲାର କେତେକ ଗ୍ରାମରେ ଅନୁଷ୍ଠିତ ହୁଏ । ଯେଉଁମାନେ ପୂଜା କରନ୍ତି, ସେମାନେ ଗୋଟିଏ ଗୋଟିଏ ମୃତ୍ତିକା କଳଶ ଏକତ୍ର ଏକ ସାଧାରଣ କୋଠି ବା ଗୃହରେ ରଖିଥାନ୍ତି-। ଏହି କଳଶକୁ ମଙ୍ଗଳା-ଠାକୁରାଣୀ କହନ୍ତି । କଳଶର ଗ୍ରୀବାଭାଗରୁ ଗୋଟିଏ ନଳ ଲମ୍ବି ଊର୍ଦ୍ଧ୍ୱମୁହାଁ ହୋଇଥାଏ । ଏଣୁ ଏହା ଊର୍ଦ୍ଧ୍ୱଶୁଣ୍ଡା ହାତୀ-କୁମ୍ଭପରି ଦେଖାଯାଏ । ଏହାକୁ ବୌଦ୍ଧ-ଜାତକରେ ବୋଧହୁଏ କଳିଙ୍ଗର ମଙ୍ଗଳହାତୀ କୁହାଯାଇଅଛି । ମଗଧର ରାଜା ଏହାକୁ ନେଇଥିବାରୁ କଳିଙ୍ଗରେ ବୃଷ୍ଟି ହେଉ ନ ଥିଲା; ଫେରାଇଦେବାରୁ ବୃଷ୍ଟି ହେଲା । ରାମାୟଣରେ ଏହା ଛଅ ମାସରେ ଥରେ ନିଦ୍ରାରୁ ଉଠୁଥିବା କୁମ୍ଭକର୍ଣ୍ଣ ନାମରେ ବର୍ଣ୍ଣିତ ଥିବାର ଅନୁମିତ ହୁଏ । କାରଣ ଏହା କୁମ୍ଭ ଓ ଏହାର କର୍ଣ୍ଣୀ ବା ଶର ଅଛି । ଯାହା ହେଉ ବ୍ରାହ୍ମଣ ଓ କରଣ ଛଡ଼ା ଅନ୍ୟ ଜାତିର ନର ଓ ନାରୀ ମିଶି ମଙ୍ଗଳା-ପୂଜା କରନ୍ତି । ମଙ୍ଗଳବାର ଦିନ ପ୍ରଭାତରେ ଏହି କଳଶ ଧରି ଜଳାଶୟକୁ ଗାଧୋଇବାକୁ ଯାନ୍ତି ଓ କୁମ୍ଭରେ ପାଣି ଘେନି ଆସନ୍ତି । ସାରାଦିନ ଉପବାସ ରହି ରାତିରେ ଓଷା-କୋଠିରେ ଗୀତ ଗାଇ ମଙ୍ଗଳାଙ୍କୁ ସ୍ତୁତି କରି ଶୋଇରହନ୍ତି । ତତ୍ପର ଦିନ ସେହି କୁମ୍ଭ ଧରି ଗାଧୋଇ ଆସିଲେ କୁମ୍ଭକୁ ଓଷା-କୋଠିରେ ରଖି ଘରକୁ ଫେରନ୍ତି । ସେମାନଙ୍କ ଗୀତରୁ କେତେ ପଦ ଉଦ୍ଧାର କରାଯାଉଅଛି :-

‘‘ଓଲ୍‌ଗି ହେଲି ସର୍ବମଙ୍ଗଳା !            ଓଲ୍‌ଗି ହେଲି ସର୍ବମଙ୍ଗଳା !

ଦଶ ନଖ ଯୋଡ଼ି

ଦିନ୍ତ୍‌ ରେ ତିରଣ ଧରୁଛି,            ପାଦ୍‌ରେ ଶରଣ ପଶୁଛି,

ବିନୟ ହେଉଛି ଦୁଃଖ ଜଣାଉଛି ।

ସ୍ୱର୍ଗରେ ମାତଃ ଶାରଳା,            ପାତାଳେ ଆଦିଶକ୍ତି

ମହୀରେ ମଙ୍ଗଳା ।

ମର୍ତ୍ତ୍ୟରେ ମା’ମଙ୍ଗଳା            ଚକାଆଖି ମା’ଚକାଡ଼ୋଳା,

ପାର୍ବତୀ-ଅବଳା ମା’ପାର୍ବତୀ-ଅବଳା ।

ନାକପୁଟେ ତୋ ନାକଚଣା            ଦଣ୍ଡୀ ଯେବେ ଫୁଲଗୁଣା

ଦୋସରି ନାକଚଣା ।

ନୟନେ ରେଖ କଜ୍ୱଳ            ଦନ୍ତେ ଯେବେ ମା’ହୀରାକଣି

ଖୋଷା ବୌଳବେଣୀ ମଙ୍ଗଳା ।

ଅଣ୍ଟାରେ ତୋର ଚୁଇଁ ଘାଗୁଡି            ଖୋଷାରେ ବୌଳବେଣୀ

ହସ୍ତରେ ତୋର ସୁବର୍ଣ୍ଣ ବାହି ।

ବାଳ ତୋ ବେଙ୍କାଇ ମଙ୍କଳା ଅଣ୍ଟାଯାକେ ବେଙ୍କାଇ

ପାଦରେ ତୋର ମଣ୍‌ମହୀ ଜୋତା      ହସ୍ତେ ଦେବୀ ମା କମଛତା

ପୃଥ୍ୱୀରେ ଆଦିମାତା ।’’

 

ଉଦ୍ଧୃତ ଗୀତ ଗାଇବା ସମୟରେ ଗୋଟିଏ ହାଣ୍ଡି ଉପରେ କୁଲାଟିଏ ରଖି ସେ କୁଲାକୁ ଗୋଟିଏ ବାଉଁଶ-ଧନୁରେ ଆଘାତ କଲେ ଶବ୍ଦ ଜାତ ହୁଏ । ଏହାକୁ ‘ଢେଣକୋଇଲା ବାଜା’ ଓ ଗୀତର ସ୍ଵରଭଙ୍ଗୀକୁ ‘ଢେଣକୋଇଲା’ କହନ୍ତି । ‘ଧନୁକୁଲା’ ଶବ୍ଦରୁ ଢେଣକୋଇଲା ନାମର ଉତ୍ପତ୍ତି ଘଟିଅଛି ।

 

ସ୍ତୁତି ଗୀତରେ ଥିବା ‘ଓଲ୍‌ଗି’ ଶବ୍ଦକୁ ହିନ୍ଦୀ ‘ପାଁଓ୍ୱଲଗି’ ଶବ୍ଦ ସହିତ ତୁଳନା କରି ଏହା ‘ପାଦଲଗ୍ନୀ’ ଶବ୍ଦରୁ ଉତ୍ପନ୍ନ ବୋଲି କୁହାଯାଇପାରେ; କିନ୍ତୁ ମଧ୍ୟ-ବ୍ୟଞ୍ଜନ ହସନ୍ତ କାହିଁକି ? ଶବ୍ଦର ମଧ୍ୟ-ବ୍ୟଞ୍ଜନ ପ୍ରାକୃତରେ ଲୁପ୍ତ ହୋଇ କେବଳ ସ୍ୱର ରହୁଥିଲା, ଯଥା-(ସଂ:) ବଦନ= (ପ୍ରା:)ବଅଣ-। କିନ୍ତୁ ଏଥିରେ ସ୍ୱରଲୁପ୍ତ ହୋଇ ବ୍ୟଞ୍ଜନ ରହିଅଛି । ଏହିପରି ‘ଦନ୍ତରେ’ ‘ପାଦ୍‌ରେ’—ଶବ୍ଦଦ୍ୱୟ ବ୍ୟବହାର କରି ‘ବର୍ଷାକୁ’ ବ୍ରଷା ଓ ‘ଅସରାକୁ’ ଅସ୍ରା ରୂପରେ ଉଚ୍ଚାରଣ କରିବାର ପ୍ରବୃତ୍ତି ଜାତ ହେଉଥିଲା ବୋଲି କୁହାଯାଇପାରେ । ‘ବଉଳ’କୁ ମଧ୍ୟ ବୌଳ ରୂପରେ ବ୍ୟବହାର କରାଯାଇଅଛି । ଏହି ଗୀତର ସ୍ୱରଭଙ୍ଗୀ ସ୍ୱତନ୍ତ୍ର । ଏଣୁ ଉଚ୍ଚାରଣର ସ୍ୱାତନ୍ତ୍ର୍ୟ ରହିଛି ।

 

ଓଡ଼ିଆରେ ହ୍ରସ୍ୱାର୍ଥରେ ଶବ୍ଦରେ ‘ଇ’ ପ୍ରତ୍ୟୟ ଯୋଗ କରାଯାଏ; ଯଥା-ହଣ୍ଡା ଓ ହାଣ୍ଡି । ଏଣୁ ସଂସ୍କୃତ ଶବ୍ଦାନୁକରଣ ‘ଘର୍ଘର’ ଶବ୍ଦରେ ‘ଇ’ ପ୍ରତ୍ୟୟ ଯୋଗରେ ଘାଘୁଡ଼ି ଓଡ଼ିଆରେ ଏକପ୍ରକାର ଅଳଙ୍କାରର ନାମ ହୋଇଅଛି । ‘ମଣ୍‌ମହୀ’ ଶବ୍ଦ ବୋଧହୁଏ ‘ମୃଣୁୟୀ’ର ରୂପାନ୍ତର । ସଂସ୍କୃତ ‘କ୍ଷୁଦ୍ର’ ଶବ୍ଦ ପାଲୀ ଭାଷାରେ ‘ଚୁଳ’ରେ ପରିଣତ ହୋଇଥିଲା । ଏଥିରୁ ‘ଚୁଇଁ’ ଶବ୍ଦ ଉତ୍ପନ୍ନ ହୋଇଥିବାର ପ୍ରତୀତ ହେଉଅଛି ।

ଜୀମୂତବାହନ-ପୂଜା ବା ଦୁତିଆ ଓଷା

ଜନମୁଖରେ ଯାହାକୁ ଦୁତିଆ ଓଷା କହନ୍ତି, ତାହାକୁ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପାଞ୍ଜିକାରମାନେ ପାଞ୍ଜିରେ ‘ଜୀମୂତବାହନ-ପୂଜା’ ନାମରେ ଲେଖୁଥିଲେ । ଏବେ ‘ଦ୍ୟୁତିବାହନ’ ନାମରେ ପାଞ୍ଜିମାନଙ୍କରେ ଲେଖା ହେଉଅଛି । ଓଷା-କଥାରେ ଦେବତାଙ୍କ ନାମ ଦୁତିବାମନ । ସଂସ୍କୃତରେ ଜୀମୂତବାହନ ନାମକ ଜଣେ ରାଜାର ଗଳ୍ପ ଅଛି । ଓଡ଼ିଆ ରାମାୟଣରେ (ଅରୁଣୋଦୟ ପ୍ରେସର) ଏହି ଗଳ୍ପ ମଧ୍ୟ ଦିଆହୋଇଅଛି ।

 

ଆଶ୍ୱିନ ମାସରେ କୃଷ୍ଣ ସପ୍ତମୀ ଦିନ ଗ୍ରାମର ନାରୀମାନେ ମିଳି ଜଳାଶୟ ନିକଟକୁ ବାଳକ-ବାଳିକାଙ୍କୁ ସଙ୍ଗରେ ଘେନିଯାନ୍ତି । ସଙ୍ଗରେ ଉଖୁଡ଼ା, ଆଖୁ, କାକୁଡ଼ି ଓ ବିବିଧ ପୁଷ୍ପ ପ୍ରଭୃତି ପୂଜାର ଉପକରଣ ନେଇଥାନ୍ତି । ସେମାନେ ପାଣିରେ ମୁଣ୍ଡ ବୁଡ଼ାଇ ରଖି ଦୁଇମୁଠା ବାଲି ଧରି ଉଠନ୍ତି । ସେତେବେଳେ ବାମ ହାତ ଦକ୍ଷିଣ ପଟକୁ ଓ ଦକ୍ଷିଣ ହାତ ବାମ ପଟକୁ ଛନ୍ଦି ରଖିଥାନ୍ତି । ଦୁଇ ମୁଠା ବାଲିକୁ କୂଳରେ କାକୁଡ଼ି-ପତ୍ର ବା ଆଳୁପତ୍ର ଉପରେ ରଖି ଚିଲ ଓ ଶିଆଳ କହନ୍ତି । ତତ୍ପରେ ଗାଧୋଇ ସାରି ବାଲୁକା-ଦିଅଁଙ୍କୁ ଫୁଲ-ଫଳ ଦେଇ ଉଖୁଡ଼ା, ଆଖୁ, କାକୁଡ଼ି ପ୍ରଭୃତି ପୂକା କରନ୍ତି ଓ ସମବେତ ବାଳକବାଳିକାଙ୍କୁ ବାଣ୍ଟନ୍ତି । ଘରେ ମଧ୍ୟ ସେଦିନ ଅଗଣାରେ ରନ୍ଧାଖାଦ୍ୟ ଦେଇ ଚିଲ-ଶିଆଳଙ୍କୁ ପୂଜା କରାଯାଏ । ତହିଁ ଆରଦିନ ନିଜଳ ଉପବାସ କରନ୍ତି ଓ ରାତିରେ ଗଜାମୁଗ, ନଡ଼ିଆ ଓ ଅକଟା କଞ୍ଚା ପରିବା ରଖି ଦୁତିବାମନଙ୍କୁ ତୁଳସୀ-ମୂଳରେ ପୂଜା କରନ୍ତି । ପରଦିନ ସକାଳେ ଜଳାଶୟରେ ଗାଧୋଇ ପ୍ରଥମ ଦିନ ସ୍ଥାପିତ ବାଲୁକାଙ୍କୁ ପୂଜା କରନ୍ତି । ଘରକୁ ଆସି ଗତ ରାତିରେ ଭୋଗ ଦିଆଯାଇଥିବା ବିବିଧ ପରିବାରେ ଘାଣ୍ଟ ତରକାରି ପ୍ରସ୍ତୁତ କରନ୍ତି ଓ ଚିଲ-ଶିଆଳଙ୍କୁ ପୂଜା କରନ୍ତି । ଏ ଦିନଟି ସାଧାରଣତଃ ପୁଷ୍ୟା-ନକ୍ଷତ୍ରରେ ପଡ଼େ । ଧଉଳି-ଶିଳାଲିପିରେ ପ୍ରତିବର୍ଷ ଚାରିଥର ପୁଷ୍ୟା-ନକ୍ଷତ୍ରରେ ଉତ୍ସବ ପାଳିବାପାଇଁ ବା ପୁଷ୍ଟିକର ଖାଦ୍ୟ ଖାଇବାପାଇଁ କୁହାଯାଇଅଛି । ଆମେ ପୌଷ ପୌର୍ଣ୍ଣମୀ, ଚୈତ୍ର ମାସର ରାମନବମୀ, ଆଷାଢ ମାସର ଗୁଣ୍ଡିଚା ଦିନ ଓ ଦୁତିଆ ଓଷା ଦିନ ପୁଷ୍ଟିକର ଖାଦ୍ୟ ଖାଉ ଓ ଏଦିନଗୁଡ଼ିକ ସାଧାରଣତଃ ପୁଷ୍ୟା-ନକ୍ଷତ୍ରରେ ପଡ଼େ । ଯେଉଁମାନେ ରାମନବମୀରେ ଉପବାସ କରନ୍ତି, ସେମାନେ ପୂର୍ବଦିନ ପୁଷ୍ଟିକର ଖାଦ୍ୟ ଖାଇଥାନ୍ତି ।

 

ଯେଉଁ ଦିନ ଦୁତିବାମନଙ୍କୁ ପୂଜା କରାଯାଏ, ସେଦିନ ବ୍ରାହ୍ମଣମାନେ ଦୁର୍ଗାପୂଜା ଷୋଳ ଦିନ କରିବାପାଇଁ ସହସକୁମ୍ଭ ସ୍ଥାପନ କରନ୍ତି ଓ ଚୈତ୍ର ମାସରେ ବାସନ୍ତୀ-ପୂଜା କରନ୍ତି । ଏପରି ଛମାସ ଅନ୍ତର ପ୍ରକୃତିର ପ୍ରଜନନ-ଶକ୍ତିର ପୂଜା ସଭିଏ କରନ୍ତି ।

 

ପୂଜାର ଆଖ୍ୟାନ ଅନୁସାରେ ଜଣେ ବିଧବା ବ୍ରାହ୍ମଣୀ ରଜାଘରର ଧାନ କୁଟି ଚାଉଳ ଦେଉଥିଲା । ଥରେ ମେଘୁଆପାଗ ହେବାରୁ ଧାନ ଶୁଖିଲା ନାହିଁ । ବିଧବା ସୂର୍ଯ୍ୟଙ୍କୁ କହିଲା, ‘‘ଖରା କରି ଯଦି ମୋ ଧାନ ଗଣ୍ଡାକ ଶୁଖାଇ ଦେବ, ତେବେ ତୁମେ ସଂଭୋଗ କରିବାପାଇଁ ମୋ ଅଙ୍ଗ ଦାନ କରିବି ।’’ ବିଧବାର ଅଗଣାରେ ଖରା ପଡ଼ିଲା; ଧାନ ଶୁଖିଲା । କିନ୍ତୁ ଅଙ୍ଗଦାନ କରିବାପାଇଁ ବିଧବାକୁ ଲାଜ ମାଡ଼ିଲା । ରାତିରେ ଆପଣା ଖଟରେ ଦାସୀକୁ ନିଜ ଲୁଗା ପିନ୍ଧାଇ ଶୁଆଇଦେଲା ଓ ନିଜେ ଲୁଚିଲା । ସୂର୍ଯ୍ୟ ତା’ଘରକୁ ଆସି ଦାସୀକୁ ଖଟରେ ଚିହ୍ନି ବିଧବାକୁ ଖୋଜିଲେ । ନ ପାଇ ତା’ଘରର ବାଡ଼ି ଖୋଜିଲେ ଓ ପ୍ରସା ଦେଖାଇବାରୁ ନେଉଟିଆ ଶାଗ କିଆରିରେ ପ୍ରସ୍ରାବ କଲେ । ସେତେବେଳେ ଉତ୍ତେଜନା-ସମ୍ଭୁତ ପ୍ରଜନନ-ରସ ପ୍ରସା ସଙ୍ଗରେ ଶାଗ-କିଆରିକୁ ଗଲା । ସୂର୍ଯ୍ୟ ଫେରିଗଲେ । ଦାସୀହାତରେ ଶାଗ କଟାଇ ବିଧାବା ଖାଇବାରୁ ଗର୍ଭବତୀ ହେଲା । ଯଥା ସମୟରେ ସନ୍ତାନ ପ୍ରସବ କଲା ଓ ଦୁତିମାନବ ପୁତ୍ରର ନାମ ଦେଲା । ଚାଟଶାଳୀକୁ ପୁଅ ପଢିବାକୁ ଗଲା । ଦିନେ ହାତରୁ ଖଡ଼ିଟି ଗଡ଼ିଯିବାରୁ ଖଡ଼ିଟି ବଢାଇଦେବାପାଇଁ ଖଡ଼ିପଡ଼ି ଥିବା ସ୍ଥାନର ସଙ୍ଗୀ ବାଳକକୁ କହିଲା । ଅଣବାବୁଆ ପିଲାର ବୋଲ ମାନିବ ନାହିଁ ବୋଲି ସଙ୍ଗୀ କହିଲା । ଦୁତିମାନବ ଘରକୁ ଦୁଃଖରେ ଆସି ବାପାଙ୍କୁ ଚିହ୍ନାଇ ଦେବାପାଇଁ ମା’ ପାଖରେ ଅଳିକଲା । ମା’ ସୂର୍ଯ୍ୟଙ୍କୁ ଦେଖାଇଦେଲା ଓ ସୂର୍ଯ୍ୟ ହାତ ବଢାଇ ଦୁତିବାମନଙ୍କୁ କୋଳକୁ ନେଲେ ଓ ବନ୍ଧ୍ୟା ବା ମୃତବତ୍ସା ନାରୀ ପୂଜା କଲେ ତାହାଙ୍କୁ ଅମର ସନ୍ତାନ ଦାନ କରିବାର କ୍ଷମତା ଦୁତିବାମନକୁ ଦେଲେ । ସାଧବ ଘରର ସାନ ଝିଅ ପୂଜା କରି ସନ୍ତାନ ଲାଭକଲା । ବଡ଼ ଝିଅର ସନ୍ତାନ ହେଉ ନ ଥିଲା । ସେ ହିଂସାରେ ପୁତୁରାମାନଙ୍କୁ ବାରମ୍ବାର ହତ୍ୟା କଲେ ମଧ୍ୟ ସେମାନେ ବଞ୍ଚୁଥାନ୍ତି । ସାନ ଭଉଣୀଠାରୁ କାରଣ ଜାଣି ଦୁତିବାମନଙ୍କୁ ଅବଶେଷରେ ପୂଜା କରି ବଡ଼ ଭଉଣୀ ସନ୍ତାନ ଲାଭ କଲା । ସେ ଦିନଠାରୁ ଏ ପୂଜା ଦେଶରେ ବ୍ୟାପିଗଲା । ଏ ଗଳ୍ପ ପୁରୁଷୋତ୍ତମ ଦାସ ପଦ୍ୟାକାରରେ ଲିପିବଦ୍ଧ କରିଅଛନ୍ତି । କିନ୍ତୁ ଏ କବିଙ୍କର ପରିଚୟ ମିଳିନାହିଁ ।

 

ଜୀମୂତବାହନ-ଗଳ୍ପ ଅନୁସାରେ ଜୀମୂତବାହନ ନାମରେ ଜଣେ ରାଜା କୌଣସି ଦେଶରେ ଥିଲେ । ସେତେବେଳେ ମଳୟ ଦେଶରେ ବିଶ୍ୱାବସୁ ରାଜା ଥିଲେ । ଚିତ୍ରାବସୁ ନାମରେ ତାଙ୍କର ଗୋଟିଏ ପୁତ୍ର ଓ ମଳୟବତୀ ନାମରେ ଗୋଟିଏ କନ୍ୟା ଥିଲେ । ମଳୟବତୀଙ୍କ ପାଇଁ ବର ଖୋଜିବା ନିମନ୍ତେ ବିଶ୍ୱାବସୁ ଚିତ୍ରାବସୁଙ୍କୁ କହିଲେ । ଚିତ୍ରାବସୁ ଖୋଜି ଖୋଜି ଜୀମୂତବାହନଙ୍କୁ ସଙ୍ଗରେ ଘେନି ଦେଶକୁ ଫେରିଲେ । ବାଟରେ ରାଜଧାନୀରେ ପହଞ୍ଚିବା ପୂର୍ବରୁ ଜୀମୂତବାହନ କୌଣସି ଶୁକ୍ଳ ପଦାର୍ଥର ଗଦାଟେ ଦେଖି ତାହା କି ପଦାର୍ଥ ବୋଲି ଚିତ୍ରାବସୁଙ୍କୁ ପଚାରିଲେ । ଚିତ୍ରାବସୁ କହିଲେ, ‘‘ପ୍ରତିଦିନ ଗରୁଡ଼ ଆସି ବହୁତ ସାପ ମାରି ଖାଉଥିଲା । ବାସୁକି ନାଗ କହିଲେ ପ୍ରତିଦିନ ଗୋଟିଏ ଖାଅ । ବିଭିନ୍ନ ସାପଙ୍କ ପାଳି କରି ଗୋଟିଏ ଗୋଟିଏ ମୁଁ ପ୍ରତିଦିନ ପଠାଇ ଦେଉଥିବି । ସେ ଦିନଠାରୁ ପ୍ରତିଦିନ ରାତିରେ ଗରୁଡ଼ ଏଠାକୁ ଆସି ଗୋଟିଏ ଗୋଟିଏ ସାପ ଖାଉଛି । ଏହା ସାପମାନଙ୍କ ହାଡ଼-କୁଢ ।’’ ଜୀମୂତବାହନ କହିଲେ, ‘‘ତୁମେ ରାଜଧାନୀକୁ ଯାଅ । ମୁଁ ଏଠାରେ ଆଜି ରାତି କାଟି କାଲି ସକାଳେ ତୁମ ପାଖରେ ପହଞ୍ଚିବି । ଚିତ୍ରାବସୁ ଚାଲିଗଲେ । ରାତି ହେଲା । ଜୀମୂତବାହନ ଥିବା ସ୍ଥାନରେ ଗରୁଡ଼ ଆସି ପହଞ୍ଚି ଜୀମୂତବାହନଙ୍କୁ ଖାଇବାକୁ ଆରମ୍ଭ କଲା । ସେଦିନ ଶଙ୍ଖଚୂଳ ନାମକ ସାପର ପାଳି ଥିଲା । ସେ ଟିକିଏ ବିଳମ୍ବରେ ଆସିଲା । ଜୀମୂତବାହନଙ୍କ ଅବସ୍ଥା ଦେଖି ସେ ଗରୁଡ଼କୁ କହିଲା, ‘‘ତୁମର ସାପ ଖାଇବାପାଇଁ ସର୍ତ୍ତ ଅଛି । ଆଜି ମୋର ପାଳି, ମୋତେ ଖାଇବ । ନିରୀହ ବ୍ୟକ୍ତିଙ୍କୁ କାହିଁକି ଖାଉଛ ?’’ ଗରୁଡ଼ ଜୀମୂତବାହନଙ୍କୁ ଖାଇବାରୁ କ୍ଷାନ୍ତ ହେଲେ । ଜୀମୂତବାହନ ଗରୁଡ଼ଙ୍କୁ ଅହିଂସା ଧର୍ମର ଦୀକ୍ଷା ଦେଲେ । ଗରୁଡ଼ ହିଂସା-ପ୍ରବୃତ୍ତି ଛାଡ଼ିଲେ । ଜୀମୂତବାହନ ଚିତ୍ରାବସୁଙ୍କ ନିକଟକୁ ଗଲେ ଓ ବିଶ୍ୱାବସୁଙ୍କ କନ୍ୟା ମଳୟବତୀଙ୍କୁ ବିବାହ କରି ଦେଶକୁ ଫେରିଲେ । ତାଙ୍କ ରାଣୀ ମଳୟବତୀ ଦେଶରେ ପୂଜା-ବ୍ରତ ପ୍ରବର୍ତ୍ତିତ କରାଇଲେ ।

 

ଉଦ୍ଧୃତ ଗଳ୍ପ କାଳ୍ପନିକ ନୁହେ । ଧଉଳି ଶିଳା-ଲିପିରେ ମୟୂର-ହତ୍ୟା ବନ୍ଦ କରିବାପାଇଁ ପ୍ରତିଶ୍ରୁତି ଦିଆଯାଇଅଛି । ଝଙ୍କଡ଼ର ଶାରଳା-ମନ୍ଦିର-ଗାତ୍ରରେ ଥିବା କାର୍ତ୍ତିକେୟଙ୍କ ମୂର୍ତ୍ତିର ବାହନ ମୟୂର ଥଣ୍ଟରେ ଗୋଟିଏ ସାପ ଅଛି । ଏଥିରୁ ଜଣାଯାଏ ଯେ ସର୍ପଧର୍ମାବଲମ୍ବୀ ଓ ମୟୂର-ଧର୍ମାବଲମ୍ବୀ କୁମାରଙ୍କ ମଧ୍ୟରେ ବିବାଦ ଲାଗିଥିଲା । ମୟୂର ସାପ ଖାଏ ଓ ଗରୁଡ଼ ସାପଙ୍କୁ ଶାସନ କରେ । ଏହି ଦୁଇ ଧର୍ମର ସମନ୍ୱୟ ବିଶ୍ୱାବସୁ ପ୍ରଚଳିତ କରାଇଥିବା ପୂଜାଦ୍ୱାରା ଘଟିଥିବାର ଅନୁମିତ ହୁଏ । ପୁରୀରେ ନୀଳମାଧବଙ୍କୁ ବିଶ୍ୱାବସୁ ପୂଜା କରୁଥିଲେ ଓ ରଣପୁର ରାଜବଂଶକୁ ପୂଜା କରିବାପାଇଁ ମଣିନାଗ ମୂର୍ତ୍ତି ଦେଇଥିଲେ । ଭରତ ଚିତ୍ରକୂଟଠାରେ ବିଶ୍ୱାବସୁଙ୍କୁ ଦେଖିଥିଲେ । ଚିତ୍ରାବସୁ ଓ ଚିତ୍ରକୂଟ ପ୍ରଭୃତିର ଅର୍ଥ ଏକ ପ୍ରକୃତିର ବିଚିତ୍ରତା । ସେଥିପାଇଁ ମତଙ୍ଗ ଆଶ୍ରମରେ ଶବରୀ ରାମଙ୍କ ରୂପରେ ଚିତ୍ରକୂଟ ଦେଖିଥିଲା ।

 

ଜୀମୂତବାହନ ଓ ମେଘବାହନର ଅର୍ଥ ଇନ୍ଦ୍ର । ଖାରବେଳଙ୍କ ଉପାଧି ‘ମହାମେଘବାହନ’ ଓ ଏହାର ଅର୍ଥ ମହେନ୍ଦ୍ର । ସର୍ବଧର୍ମର ସମନ୍ୱୟକୁ ବୋଧହୁଏ ମହେନ୍ଦ୍ର ଆଖ୍ୟା ଦିଆଯାଥିଲା । ଓଡ଼ିଶାରେ ମହେନ୍ଦ୍ର-ପର୍ବତ ଅବସ୍ଥିତ ଓ କଳିଙ୍ଗମାନଙ୍କ ସହିତ ମାହେନ୍ଦ୍ର ଭୌମ ବା ଭୂୟାଁ । ଖଣ୍ଡାୟତ ବାସ କରୁଥିବାରୁ ପୁରାଣମାନଙ୍କରେ ଉକ୍ତ ଅଛି ।* ଶୈଳୋଦ୍ଭବବଂଶର ତାମ୍ରଶାସନରେ କୋଙ୍ଗଦ ବା ଗଞ୍ଜାମ ଜିଲାକୁ ମହେନ୍ଦ୍ର-କ୍ଷିତି କୁହାଯାଇଅଛି । ଦ୍ୟୁତିର ଅର୍ଥ କିରଣ ଓ ବିଭିନ୍ନ କିରଣର ଏକତ୍ୱ ସୂର୍ଯ୍ୟଙ୍କଠାରେ ଅବସ୍ଥିତ । ଏ ଅର୍ଥରେ ସୂର୍ଯ୍ୟଙ୍କୁ ଦ୍ୟୁତିବାହନ କୁହାଯାଇପାରେ । ସୂର୍ଯ୍ୟଙ୍କ ଉତ୍ତାପରେ ଜଳର ବାଷ୍ପ ଉପରକୁ ଉଠି ବୃଷ୍ଟି ହେବ ଓ ଶାକ ବା ଉଦ୍ଭିଜ୍ଜଗତ ବିକାଶ ଲଭିବ । ଶାକ ଖାଇ ବିଧବା ଗର୍ଭବତୀ ହେବାର ଅର୍ଥ ନିରାମିଷାଣୀ ଶାକାନ୍ନଭୋଜୀ ଜ୍ଞାନୀର ପ୍ରଜନନଶକ୍ତି ବଳବତ୍ତର । ସୂର୍ଯ୍ୟ ଜ୍ଞାନର ପ୍ରତୀକ ରୂପରେ ଆଖ୍ୟାନରେ ବ୍ୟବହୃତ ହୋଇଅଛନ୍ତି ।

 

ଅଶ୍ୱତ୍‌ଥ ବୃକ୍ଷମୂଳରେ ବାସକରୁଥିବା ଶାକ୍ୟମାନେ ପୁରୁଷୋତ୍ତମ ହୋଇଥିବାରୁ ଆଖ୍ୟାନ ରଚୟତା ପୁରୁଷୋତ୍ତମ ଦାସ ଶାକ୍ୟ-ସମ୍ପ୍ରଦାୟର ପ୍ରତୀକ ହୋଇପାରନ୍ତି । ଏ ନାମ କୌଣସି ବ୍ୟକ୍ତିବିଶେଷରେ ନୁହେ ବୋଲି ଅନୁମତି ହୁଏ । ପୂଜାର ବାଲୁକା ପରମାଣୁବାଦ ସୂଚାଇ ଦେଉଅଛି-। ଚିଲ ଓ ଶିଆଳ ନାମ ଦିଓଟି ଚିର ଓ ଶ୍ୟେନ ଶବ୍ଦଦ୍ୱୟରୁ ଉତ୍ପନ୍ନ ହୋଇ ମନୁଷ୍ୟର ନିତ୍ୟ ଓ ଚଞ୍ଚଳ ସ୍ୱଭାବର ବ୍ୟଞ୍ଜକ ହୋଇଥିବାର ଅନୁମତି ହୁଏ । ଶ୍ୟେନ ବା ସଞ୍ଚାଣ ପକ୍ଷୀ ବଡ଼ ଶୀଘ୍ରଗାମୀ । ଜୀମୂତବାହନ ଗଳ୍ପର ଶଙ୍ଖଚୂଳ-ସର୍ପ ବୋଧହୁଏ ଓଡ଼ିଆ ଗ୍ରାମ୍ୟଗୀତିର ଶଙ୍ଖଚିଲ ।

 

      ବାଲିତୃତୀୟା, ସାବିତ୍ରିବ୍ରତ ପ୍ରଭୃତି ଅନେକ ଓଷା ଅଛି । ସେସବୁ ସଂସ୍କୃତରେ ଲିପିବଦ୍ଧ ହୋଇଅଛି । ଯାହା ଜନମୁଖରେ ପ୍ରଚଳିତ ହୋଇ ପରବର୍ତ୍ତୀ ଯୁଗରେ ଓଡ଼ିଆ ଭାଷାରେ ଲିପିବଦ୍ଧ ହୋଇଅଛି ଅଥବା ସେକାଳର ପ୍ରାକୃତ ଭାଷାରେ ଲିପିବଦ୍ଧ ଥିଲା ଓ ପରବର୍ତ୍ତୀ ଯୁଗରେ ତାହାର ଭାଷା ବଦଳିଥିବାର ଅନୁମିତ ହେଉଅଛି, ସେଗୁଡ଼ିକୁ ପ୍ରାଥମିକ ଅବସ୍ଥାର ସାହିତ୍ୟ ବୋଲି ଗ୍ରହଣ କରାଯାଇପାରେ ।

*See Dynasties of Kali age by Pargiter

 

କେତେକ ପ୍ରାଚୀନ ଧର୍ମର ଆଚାର ଓଡ଼ିଶାରେ ଗୋପନରେ ପ୍ରଚଳିତ ଅଛି । ସେ ଧର୍ମର ପ୍ରାଚୀନ ସାହିତ୍ୟ ଓଡ଼ିଶାରେ ନାହିଁ; କିନ୍ତୁ ଓଡ଼ିଶାର ବାହାରେ ଅନ୍ୟ ରାଜ୍ୟରେ ଅଛି । କାରଣ ଜାତିଭେଦ ପ୍ରତିଷ୍ଠିତ ହେବା ଉତ୍ତାରୁ ଏପରି ସାହିତ୍ୟ ଏ ଦେଶରେ ପ୍ରଚାର କରିବାପାଇଁ ବୋଧହୁଏ ନିଷେଧ ଥିଲା । ପଦ୍ମପୁରାଣ ଅନୁସାରେ ରାଜା ପୃଥୁ ଜାତିଭେଦ ପୁନଃ ପ୍ରତିଷ୍ଠିତ କରିବା ଉତ୍ତାରେ କଳିଙ୍ଗ ଚରଣମାନଙ୍କୁ ଦେଉଥିଲେ । ଯେଉଁମାନେ ଗୀତ ଗାଇ ଗାଇ ବୁଲନ୍ତି, ସେମାନଙ୍କୁ ଚାରଣ କହନ୍ତି । ରାଜା ପୃଥୁ ପୁରୀଠାରେ ଜାତିଭେଦ ପୁନଃ ପ୍ରତିଷ୍ଠିତ କରିଥିବାର ପ୍ରମାଣ ମିଳେ । ଖାରବେଳଙ୍କ ଶିଳା-ଲିପିରେ ଯେଉଁ ‘ପିଥୁତଗ’ର ଉଲ୍ଲେଖ ଅଛି, ତାହା ମହାଭାରତ-ବର୍ଣ୍ଣିତ କାର୍ତ୍ତିକେୟଙ୍କ ତୀର୍ଥ ପୃଥୁଦକ ସହିତ ଚିହ୍ନିତ ହୋଇପାରେ । କଳିଙ୍ଗମାନେ ଓଡ଼ିଶାର ଋଷିକୂଲ୍ୟାର ଦକ୍ଷିଣକୁ ଓ ପଶ୍ଚିମର ପାର୍ବତୀୟ ଅଞ୍ଚଳକୁ ଘୁଞ୍ଚିଯାଇଥିଲେ । ଖଞ୍ଜଣି ଓ କେନ୍ଦ୍ରା ସାହାଯ୍ୟରେ ଗୀତ ଗାଇ ଏବେ ଭିକ ମାଗୁଥିବା ଲୋକେ ବୋଧହୁଏ ଚାରଣମାନଙ୍କ ବ୍ୟବସାୟକୁ ମୁମୂର୍ଷୁ-ଅବସ୍ଥାରେ ପକାଇ ରଖିଛନ୍ତି । ଯାହା ହେଉ, ଚାରଣମାନେ ଓଡ଼ିଶାର ବାହାରେ ଓଡ଼ିଶାର ସାହିତ୍ୟକୁ ପ୍ରାଚୀନ କାଳରେ ପ୍ରଚାର କରୁଥିଲେ । ତହିଁର ପ୍ରମାଣ ମହାମହୋପାଧ୍ୟାୟଙ୍କଦ୍ୱାରା ନେପାଳରୁ ଆବିଷ୍କୃତ କେତେଗୁଡ଼ିଏ ଗୀତରୁ ମିଳେ । ଏହି ଆବିଷ୍କୃତ ଗୀତଗୁଡ଼ିକୁ ବଙ୍ଗୀୟ ସାହିତ୍ୟପରିଷଦର ଆନୁକୂଲ୍ୟରେ ‘ବୌଦ୍ଧଗାନ ଓ ଦୋହା’ ନାମରେ ସେ ଛପାଇଥିଲେ । ତାହାକୁ ସେ ପ୍ରାଚୀନ ବଙ୍ଗ ସାହିତ୍ୟର ନମୁନା ବୋଲି କହିଥିଲେ । କିନ୍ତୁ ଭାଷା-ଗବେଷକ ଆଲୋଚନା କଲେ ଏହି ଗୀତଗୁଡ଼ିକ ଓଡ଼ିଆ ଭାଷାରେ ରଚିତ ବୋଲି ଅନାୟାସରେ ପ୍ରମାଣ କରିପାରିବ । ତଳେ ଗୋଟିଏ ପଦର ଆଲୋଚନା କରାଯାଉ :

 

‘‘ନଗର ବାରିହରେ ଡ଼ୋମ୍ବି ! ତୋହରି କୁଡ଼ିଆ

ଛଇ ଛଇ ଯାଇ ସେ ବାହ୍ମ ନାଡ଼ିଆ,

ଆଲୋ ଡ଼ୋମ୍ବି ! ତୋଏ ସଙ୍ଗ କରିବେ ମ ସାଙ୍ଗ,

ନିଘଣ କାହ୍ନୁ କପାଳି ଜୋଇ ଲାଙ୍ଗ ।’’

 

ସଂସ୍କୃତ ‘ବହିସ୍‌’ ଶବ୍ଦ ସ୍ଥଳବିଶେଷରେ ‘ବହିର’ ହୁଏ, ଯଥା—ବହିସ୍‌+ଗମନ=ବହିର୍ଗମନ-। ମୂଳତଃ ଏହା ‘ବହିର’ ଶବ୍ଦ ବୋଲି ଅନୁମାନ କରାଯାଇପାରେ । ଏଥିରୁ ଓଡ଼ିଆରେ ‘ବାହାର’ ଓ ବଙ୍ଗଳାରେ ‘ବାହିର’ ଉତ୍ପନ୍ନ ହୋଇଅଛି । ଧ୍ୱନିତତ୍ତ୍ୱର ବର୍ଣ୍ଣବିପର୍ଯ୍ୟୟରେ ଏହା ‘ବାରିହ’ ହେବ । କିନ୍ତୁ ଏଥିରେ ଯୁକ୍ତ ହୋଇଥିବା ସପ୍ତମୀ ବିଭକ୍ତିର ଚିହ୍ନ ‘ରେ’ ଓଡ଼ିଆ ଛଡ଼ା ଅନ୍ୟ କୌଣସି ଆଞ୍ଚଳିକ ଭାଷାରେ ବ୍ୟବହୃତ ହେଉଥିବା ପ୍ରମାଣ ମିଳେନାହିଁ । ସେପରି ତୃତୀୟ ପୁରୁଷ ସର୍ବନାମର ଷଷ୍ଠ୍ୟନ୍ତ ‘ତୋହରି’ ପଦର ବ୍ୟବହାର ଓଡ଼ିଆ ଛଡା ଅନ୍ୟ କୌଣସି ଭାଷାରେ ନାହିଁ । ସ୍ତ୍ରୀ-ଲିଙ୍ଗରେ ସମ୍ବୋଧନ ସୂଚକ ‘ଆଲୋ’ ପଦଟି ଓଡ଼ିଆ ଛଡ଼ା କଦାପି ବଙ୍ଗଳା କୁହାଯାଇପାରିବ ନାହିଁ । ସଂସ୍କୃତ ‘ଜ୍ୟୋତି’ ଶବ୍ଦରୁ ଉତ୍ପନ୍ନ ‘ଜୋଇ’ ଏବେ ପୂର୍ବ ଓଡ଼ିଶାରେ ‘ଜୁଇ’ରେ ପରିଣତ ହୋଇ ଶ୍ମଶାନର ଚିତାନଳକୁ ବୁଝାଉଅଛି । କିନ୍ତୁ ସମ୍ବଲପୁରରେ ଓ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସାଧାରଣ ଅଗ୍ନି ଅର୍ଥରେ ‘ଜୁଇ’ ଶବ୍ଦର ବ୍ୟବହାର ଦେଖାଯାଏ । କୃଷ୍ଣ-ନାମକୁ ମଧ୍ୟ କେବଳ ଓଡ଼ିଆରେ ‘କାହ୍ନୁ’ ଉଚ୍ଚାରଣ କରନ୍ତି । ଏହା ଛଡ଼ା ପୁସ୍ତକରେ ଥିବା ଅନେକ ଗୀତର କବି କୃଷ୍ଣାଚାର୍ଯ୍ୟ ଓ ଶବରୀପା ଅଟନ୍ତି । ତିବ୍ଦତର ‘ତାଗ୍‌ସଂ ଜୋଂଜାଙ୍ଗ’ ଅନୁସାରେ ଏମାନେ ଜନ୍ମଗ୍ରହଣ କରିଥିଲେ । ଏମାନେ କେଉଁଠାରେ ଥିଲେ ? ଉକ୍ତ ପୁସ୍ତକରେ ଲେଖା ଅଛି, ‘‘ବରଗିରି ଶିହରେ ମୁଣି ଶବରେ ଯହିଁ କିଅ ବାସ ।’’ ଏହାର ଅର୍ଥ ବରଗିରିର ଶିଖରରେ—ଯେଉଁଠାରେ ମୁନି ଶବରମାନେ ବାସ କରିଅଛନ୍ତି । ଏ ଶ୍ରେଷ୍ଠ ପର୍ବତ କେଉଁଠାରେ ? ଏହା କଟକ ଜିଲାର ରତ୍ନଗିରି ବା ଉଦୟଗିରି ସହିତ ଚିହ୍ନିତ ହେବ । କାରଣ ଗୀତମାନଙ୍କରେ ବଜ୍ରଯାନର ମତ ଅଛି ଓ ସେ ପର୍ବତମାନଙ୍କରେ ନବମ ଶତାବ୍ଦୀରେ ବଜ୍ରଯାନ ପ୍ରଚଳିତ ଥିବାର ପ୍ରମାଣ ମିଳୁଅଛି । ବୌଦ୍ଧ ଧର୍ମ ପ୍ରଚାରର ବହୁକାଳ ଉତ୍ତାରୁ ବଜ୍ରଯାନର ଉତ୍ପତ୍ତି ଘଟିଲା ବୋଲି ଯେଉଁ ମତ ପ୍ରଚଳିତ ଅଛି ତାହା ଭ୍ରମାତ୍ମକ । କାରଣ କୁରୁକ୍ଷେତ୍ର-ଯୁଦ୍ଧ ଉତ୍ତାରୁ କଣ୍ୱ, ନାରଦ ଓ ପାର୍ଥ ଇନ୍ଦ୍ରପ୍ରସ୍ଥରେ ବଜ୍ରକୁ ରାଜା କରିଥିବାର ଉକ୍ତ ଅଛି । ଇନ୍ଦ୍ରିୟ ପୂଜା କରିବା ସ୍ଥାନକୁ ଇନ୍ଦ୍ରପ୍ରସ୍ଥ ଓ ବଜ୍ରକୁ ବଜ୍ର-ଯାନ ଅର୍ଥରେ ଗ୍ରହଣ କରିବାକୁ ହେବ । ରାମାୟଣରେ ଚିତ୍ରକୂଟ-ବର୍ଣ୍ଣନାରେ ବଜ୍ରଯାନର ପରିଚୟ ପରିସ୍ଫୁଟ ହୋଇଅଛି । ମାୟାବାଦର ଖଣ୍ଡନପାଇଁ କୁମାରମାନେ ବଜ୍ରଯାନ ବୈଦିକ ଯୁଗରେ ପ୍ରବର୍ତ୍ତିତ କରାଇଥିଲେ । ଏ ସମ୍ବନ୍ଧରେ ପ୍ରମାଣ ଦେବାପାଇଁ ଏଠାରେ ସ୍ଥାନ ନାହିଁ । କେବଳ ଏତିକି କୁହାଯାଉଛି, ରାମାୟଣର ଚିତ୍ରକୂଟ ସହିତ ରତ୍ନଗିରି ଚିହ୍ନିତ ହେବାପାଇଁ ବହୁ ଅକାଟ୍ୟ ପ୍ରମାଣ ଅଛି ଓ ସେସବୁ ଲେଖକର ‘‘Indian Culture and Cult of Jagannatha’’ ନାମକ ଗ୍ରନ୍ଥରେ ଦିଆହୋଇଅଛି ।

 

ବଜ୍ରଯାନ-ଗୀତମାନଙ୍କର ସଂସ୍କୃତ ଟୀକା ଲେଖା ହୋଇଅଛି । ଏଥିରେ ବ୍ୟବହୃତ ଭାଷାକୁ ଟୀକାରେ ସାନ୍ଧ୍ୟ ଭାଷା କୁହାଯାଇଅଛି । ଏହାର ଅର୍ଥ ଆଲୁଅ ଓ ଅନ୍ଧାରମିଶା; ଅର୍ଥାତ୍‌ ଗୀତଟିର ଅର୍ଥ କେତେକ ବୁଝାଯିବ ଓ କେତେକ ବୁଝାଯିବ ନାହିଁ । ଉଦ୍ଧୃତ ପଦରେ ବ୍ୟବହୃତ ‘ଡ଼ୋମ୍ବୀ’ ଡୋମ୍ବ-ଜାତିର ସ୍ତ୍ରୀ ନୋହି ତାହାର କାର୍ଯ୍ୟ ସୂଚିତ ହୁଏ । ଡୋମ୍ବୀ ଚାଉଳଧୁଆ ବୁଣେ ଓ ବୁଣିବା ବେଳେ ପାତିକୁ ଭିତର ପାଖକୁ ପୂରାଇ ବାହାରକୁ ବାହାର କରେ । ଏହିପରି ‘କାହ୍ନୁ’ ଓ ‘କପାଳି ଜୋଇ’ ଯଥାକ୍ରମେ କୃଷ୍ଣ ଓ କପାଳର ଜ୍ୟୋତି ସୂଚନା କରନ୍ତି । ଏହାର ସାର ମର୍ମ କ୍ରିୟାରୁ ମନକୁ ଅନ୍ତର କରିବା ନିଷ୍କାମ ଧର୍ମ । ‘ନିଘିଣ’ ପଦର ଅର୍ଥ ଘୃଣାଶୂନ୍ୟ ।

 

ଓଡ଼ିଆରେ ବହୁ କାହାଣୀ ଅଛି । ସେଥିମଧ୍ୟରେ ବୁଢ଼ୀ ଅସୁରୁଣୀ ଗଳ୍ପ ବହୁତ । ଗଳ୍ପମାନଙ୍କରୁ ଜଣାଯାଏ ଯେ ବାଳିକା-ହରଣ ସେମାନଙ୍କର ବ୍ୟବସାୟ ଥିଲ । ଅନ୍ୟାନ୍ୟ କେତେକ ଗଳ୍ପ ପ୍ରାଚୀନକାଳରେ ପଦ୍ୟାକାରରେ ଲିପିବଦ୍ଧ ହୋଇଥିବାର ଅନୁମିତ ହୁଏ । କାରଣ ଗଳ୍ପ ସହିତ ତହିଁରେ ଛନ୍ଦୋବଦ୍ଧ ବାକ୍ୟ ଦେଖାଯାଏ । ଲୀଳାବତୀ ଗଳ୍ପରେ ଦେଖାଯାଏ :

 

‘‘ନଈକି ଗାଧୋଇ ଯିବୁ ନାହିଁଟି, ବୋଲ ‘ହୁ’ଟି’ ;

ବାଟରେ ଜଗିଛି ରଜା-ପୁଅଟି, ବୋଲ ‘ହୁଁ’ଟି’ ।

ରଜାପୁଅ ସେ ଯେ ବଡ଼ ହଟିଆ, ବୋଲ ‘ହୁଁ’ଟି ;

ବାଟରେ ରଖିଛି ଖଟିଆ, ବୋଲ ‘ହୁଁ’ଟି’ ।

ଉପସଂହାରରେ : --

‘‘ଯୋଗୀ ସିନା ମଲା ଯୋଗିଆଣୀପାଇଁ,

ରଜା ମଲେ କାହାପାଇଁ ?

ଅନେଶତ ରାଣୀ ରାଣ୍ଡ କରି ଗଲେ

ଏକା ଯୋଗିଆଣୀପାଇଁ ।’’

 

ଲୀଳାବତୀ ଗଳ୍ପଟି ଶ୍ରୀଯୁକ୍ତ ଜ୍ଞାନୀନ୍ଦ୍ର ବର୍ମା ପଦ୍ୟାକାରରେ ଲିପିବଦ୍ଧ କରି ଅଛନ୍ତି । ପ୍ରାଚୀନ କବିତା ପଦମାନ ସେ ସଂରକ୍ଷଣ କରି ଅଛନ୍ତି । ଗଳ୍ପରେ ଦେଶର ନାରୀ-ହରଣ ଓ ନୌବାଣିଜ୍ୟର ନିଦର୍ଶନ ଅଛି । ଏଥିରେ ଯେପରି ସାତଭାଇ ସାଧବ କହନ୍ତି, କାଞ୍ଚନବତୀ ଓ କଲରେଇ ଫୁଲ ଗଳ୍ପରେ ସେପରି ସାତଭାଇ କହନ୍ତି । ଦୁଇ ଗଳ୍ପରେ ମଧ୍ୟ କବିତା-ପଦ ମିଶି ଅଛି :

କାଞ୍ଚନବତୀ :-

‘‘ସ୍ୱର୍ଗେ ଲାଗୁ ଡ଼ାଳ ମଞ୍ଚେ ଲାଗୁ ଡାଳ

ଆମ ରଜାଙ୍କର ମାଳି ଆସିଛି

ଦେବା କି ନ ଦେବା ଫୁଲ ?

ଥିରି ଥିରି କରି ତୋଳ ହେ ଭାଇ

ଗଛି ନ ହଲିବ;

ଥିରି ଥିରି କରି ତୋଳ ହେ ଭାଇ

ପତ୍ର ନ ଝଡ଼ିବ;

କଞ୍ଚନ-ଫୁଲରୁ ଗୋଟିଏ ନେଇ

ମଥାରେ ମାରିବ ।’’

କଲରେଇ ଫୁଲ :-

‘‘ଆସ ଆସ ଗୋ କଲରେଇ ଫୁଲ !

ବେଦିରେ ବର ଯେ ବୁଢ଼ା ହୋଇଲା,

ବେଦିତଳେ ଜାଣି ଆଣ୍ଠୁଏ ଗଲା,

ହଳଦି-କାଠୁଆ ଯେ ଫିମ୍ପି ମାଇଲା ।

ଆସ ଆମ ଗୋ କଲରେଇ ଫୁଲ !

 

କଲରେଇ-ଫୁଲ କଥାରେ ଭାଇ ଭଉଣୀକି ବିବାହ କରିବାପାଇଁ ଇଚ୍ଛା ପ୍ରକାଶ କରିଛି ଓ ଭଉଣୀ ଅନିଚ୍ଛା ପ୍ରକାଶ କରିଛି । ବେଦର ଯମ ଓ ଯମୀ ଗଳ୍ପରେ ଭଉଣୀ ଯମୀ ଭାଇ ଯମକୁ ବିବାହ ହେବାପାଇଁ ଇଚ୍ଛା କଲାବେଳେ ଭାଇ ଯମ ଅନିଚ୍ଛା ପ୍ରକାଶ କରିଛି । ଦେଶର ଅନେକ କାହାଣୀରେ ନରନାରୀଙ୍କ ଜୀବନର ଦୁଃସାହସ-ଚିତ୍ର ଅଛି । ଦୁଃସାହସ ଜାତୀୟ ଉନ୍ନତିପାଇଁ ଯଥେଷ୍ଟ ସାହାଯ୍ୟ କରେ । ଯାହା ହେଉ, ଏ ଗଳ୍ପମାନ ମୂଳତଃ ପଦ୍ୟାକାରରେ ଥିଲା ବୋଲି ଅନୁମିତ ହୁଏ ।

 

ପାଣିନିଙ୍କ କଂସବଧ-ଉକ୍ତି ସମ୍ବନ୍ଧରେ ପାତଞ୍ଜଳି ଭାଷ୍ୟରେ ଉକ୍ତ ଅଛି ଯେ ଗ୍ରନ୍ଥିକମାନେ ଦୁଇ ଦଳରେ ବିଭକ୍ତ ହୋଇଥିଲେ । ଦଳେ କୃଷ୍ଣମୁଖା ଓ ଦଳେ ରକ୍ତମୁଖା । ଏଠାରେ କୃଷ୍ଣମୁଖାଙ୍କୁ ହନୁମାନ ଓ ରକ୍ତମୁଖାଙ୍କୁ ପାତିମାଙ୍କଡ଼ ବୋଲି ଗ୍ରହଣ କଲେ ତାମ୍ରପାତୀ ଶବ୍ଦର ଶେଷାର୍ଦ୍ଧ ‘ପାତ୍ରୀ’ ରୂପାନ୍ତରିତ ହୋଇ ‘ପାତି’ ହୋଇଥିବ । ତାନ୍ତ୍ରିକମାନେ କପାଳରେ ରକ୍ତଚନ୍ଦନ ଲଗାଉଥିବାରୁ ସେମାନଙ୍କୁ ବୋଧହୁଏ ରକ୍ତମୁଖା କୁହାଯାଇଅଛି । ହନୁମାନର ଅଶୋକ-ଧର୍ମ ଥିବାରୁ ସେ ଅଶୋକ-ବନରେ ସୀତାଙ୍କୁ ଠାବ କରିଥିଲା । ଏହି ଅଶୋକ-ଧର୍ମ ଓ ତନ୍ତ୍ରପୂଜା କଂସ-ଧର୍ମ ଲୋପ କରିଥିବାର ଅନୁମିତ ହୁଏ । ବଳରାମ ଦାସ ରାମାୟଣରେ ଲେଖି ଅଛନ୍ତି-ମେଷ ବା ପଣା ସଂକ୍ରାନ୍ତି ଦିନ ହନୁମାନ ଜନ୍ମଗ୍ରହଣ କରିଥିଲେ । ଏହା ଦଣ୍ଡ-ପୂଜାର ସମାପ୍ତ ଦିନ ହୋଇଥିବାରୁ ଦଣ୍ଡ-ପୂଜକମାନେ ହନୁମାନ ହୋଇଥିଲେ ବୋଲି ଅନୁମିତ ହୁଏ । ଏ ଦିନ ପୁରୀର ସେବକମାନେ ନାଗସାପ ଧରି ତାହାକୁ ଶାସନ କରିବା କୌଶଳ ଦେଖାନ୍ତି । କାଳିୟ ନାଗକୁ ଦମନ କରି କୃଷ୍ଣ ପଦ୍ମ ତୋଳି କଂସପାଖକୁ ପଠାଇଥିଲେ । ସାପୁଆକେଳାମାନେ ଯେଉଁ ଗୀତ ଗାଇ ସାପ ଖେଳାନ୍ତି, ତାହାକୁ ‘‘ପଦ୍ମତୋଳା’’ କହନ୍ତି । ପଦ୍ମତୋଳାର ବିଶିଷ୍ଟ ସ୍ୱରଭଙ୍ଗୀ ଥିବାର ନମ୍ନୋଦ୍ଧୃତ ଗୀତରୁ ଜଣାଯାଏ :

 

‘‘ବନ୍ଦଇ ହାଟ ବାଟ ବନ୍ଦଇ ଚଉପୀଠ

ବନ୍ଦଇ କାଉଁରୀ-ଦେଶର ମାଟି

ଏମନ୍ତ ବନ୍ଦି ମୁଁ ସର୍ପ ଖେଳାଉଛି, ମହାପ୍ରଭୁ !

ମୋ କଣ୍ଠେ ଲଭୁ କାଳିକା କି ଗୋବିଦଂ ହରେ ।୧ ।

କଂସର ଘରଣୀ ଯେ ପଦ୍ମାବତୀ ରାଣୀ

ସେ କରେ ଧନିତ୍ରୀ ଓଷା,

ଲକ୍ଷେ ଭାର ପଦ୍ମ କେହୁ ଆଣିଦେବ, ମହାପ୍ରଭୁ !

ନ ଥିବ ପାଖୁଡା ମିଶା ଗୋବିନ୍ଦଂ ହରେ ।୨।

କାଳିନ୍ଦା-ହଦରେ କାଳୀ-ନାଗ ଶୁଣି

ଡ଼ାକ ଦେଲା ତାରାମଣି

କାର୍ପୁଣ୍ୟରେ ପଡ଼ି ଉଠି କରଯୋଡ଼ି, ମହାପ୍ରଭୁ !

ଶିରରେ ତାମ୍ପୁ କାଳିକା କି ଗୋବିନ୍ଦଂ ହରେ ।।୩।

 

ଚାରି ବେଦକୁ ଚଉପୀଠ କହିଥିବାର ଅନୁମିତ ହୁଏ । ‘କାମରୂପୀ’ ଶବ୍ଦରୁ ‘କାଉଁରୀ’ ଶବ୍ଦର ଅପଭଂଶ । ଏହାର ଅର୍ଥ କାମକଳାରତ । କଣ୍ଠକୁ ଆଜ୍ଞା-ଚକ୍ର କହନ୍ତି । କାଳିକାର ଅର୍ଥ ଅବିଦ୍ୟା; ଅବିଦ୍ୟାର ଆଜ୍ଞାରେ କରିବା କର୍ମ ।

 

ବୈଦିକ ‘ଗୋବିଦ୍’ ଶବ୍ଦରୁ ‘ଗୋବିନ୍ଦ’ ନାମର ଉତ୍ପତ୍ତି । ଏହାର ଅର୍ଥ ନାରୀ-ପ୍ରକୃତିବିଦ୍ । ପଦ୍ମାବତୀର ଅର୍ଥ ପଦ୍ମିନୀ-ଜାତିର ସ୍ତ୍ରୀ । ସେମାନେ ସୂର୍ଯ୍ୟ ବା ଜ୍ଞାନୀଙ୍କ ସହବାସ କାମନା କରୁଥିଲେ । ‘ଧନିତ୍ରୀ’ ଶବ୍ଦ ଧନ୍ୱନ୍ତରୀ-ଶବ୍ଦରୁ ଅପଭ୍ରଷ୍ଟ । ସ୍ୱର୍ଗ ବୈଦ୍ୟଙ୍କ ନାମ ଧନ୍ୱନ୍ତରୀ ଓ ଧନ୍ୱନ୍ତରୀ-ଗଛକୁ ‘ଧନିତ୍ରୀ’ କହନ୍ତି । ଏହି ଗଛ ଶିଶୁମାନଙ୍କର ବହୁ ରୋଗରେ ପ୍ରତିକାରକ ଔଷଧ ରୂପରେ ବ୍ୟବହୃତ ହୁଏ । ଔଷଧ ଅଶ୍ୱିନୀ-କୁମାର ବା ଅଶ୍ୱଜାତୀୟ କୁମାରମାନେ ଆବିଷ୍କାର କରିଥିଲେ । ଏହି ପଦାବତୀମାନେ ବୋଧହୁଏ ଅଶ୍ୱଜାତୀୟ ପୁରୁଷଙ୍କପାଇଁ ପାଖୁଡ଼ା ମିଶି ନ ଥିବା ପଦ ବା ଋତୁମତୀ ନାରୀମାନଙ୍କୁ ପ୍ରଲୋଭନ ଦେଖାଇ ନିଜ ଦଳକୁ ଆଣୁଥିଲେ । ଅନେକ ନାରୀ ଅଶ୍ଳୀଳ ଉତ୍ସବ ଅନୁଷ୍ଠାନ କରନ୍ତି ବୋଲି ଧଉଳି-ଶିଳାଲିପିରେ କୁହାଯାଇଅଛି ।

 

କାଳିନ୍ଦୀ କଳିନ୍ଦ-ବାଳିକା । କଳି ବା ଅପ୍ରାପ୍ତବୟସ୍ୱାଙ୍କୁ ଦେଉଥିବା ଲୋକଙ୍କ ଦେଶରେ ତାରାରୂପୀ ମଣି ବା ବିନ୍ଦୁ ଶିରକୁ ଗତି କରିବାପାଇଁ ଡାକିଲା । କଳା ବୌଦ୍ଧ ନାଗା ସନ୍ନ୍ୟାସୀଙ୍କର ଅତ୍ୟାଚାର ଦମନପାଇଁ କୃଷ୍ଣଙ୍କର ଅବତାର ହୋଇଥିଲା ।

 

ଲୋକମୁଖରେ ଯେଉଁ ପ୍ରାଚୀନ ଓଡ଼ିଆ ସାହିତ୍ୟ ସଂରକ୍ଷିତ ଅଛି, ତାହାର ଭାଷା ବଦଳିଯାଇଛି । କାରଣ ସ୍ୱରଯନ୍ତ୍ରରେ ବର୍ଣ୍ଣମାନଙ୍କ ଉଚ୍ଚାରଣ ସ୍ଥାନମାନ ପରସ୍ପର ଏପରି ନକଟବର୍ତ୍ତୀ ଯେ ଅସାବଧାନ ଉଚ୍ଚାରଣ-କାଳରେ ଜିହ୍ୱା ଉଚ୍ଚାରଣର ଯଥାସ୍ଥାନକୁ ସ୍ପର୍ଶ କରି ନ ପାରିବାରୁ ଶବ୍ଦମାନଙ୍କର ଉଚ୍ଚାରଣର ବ୍ୟତିକ୍ରମ ଘଟି ଭାଷା ପରିବର୍ତ୍ତିତ ହୋଇଯାଏ । ଗୁରୁମାନଙ୍କଠାରୁ ଶୁଣି ଯଥାର୍ଥ ଉଚ୍ଚାରଣରେ ବେଦ ମୁଖସ୍ଥ କରୁଥିବାରୁ କଥିତ ଭାଷାର ରୂପ ବଦଳିଥିଲେ ମଧ୍ୟ ବେଦ ଲିପିବଦ୍ଧ ନୋହିଥିବା ଅବସ୍ଥାରେ ତାହାର ଭାଷାରେ ପରିବର୍ତ୍ତନ ଘଟି ନ ଥିଲା । କିନ୍ତୁ ଭିନ୍ନ ଭିନ୍ନ ଯୁଗରେ ବ୍ୟବହୃତ ପରିବର୍ତ୍ତିତ ଭାଷାର ନିଦର୍ଶନ ଓଡ଼ିଶାରେ ନାହିଁ । ତଥାପି ଶିଳା-ଲିପିରେ ଖ୍ରୀଷ୍ଟ ଚତୁର୍ଦ୍ଦଶ ଶତାବ୍ଦୀର ଓଡ଼ିଆ ଭାଷାର ଗଦ୍ୟ-ରଚନା ଯେପରି ଜୀବନ୍ତ ରହିଅଛି, ସେପରି ଭାରତର ଅନ୍ୟ କୌଣସି ରାଜ୍ୟରେ ଥିବାର ଜଣାଯାଇ ନାହିଁ । ଚତୁର୍ଦ୍ଦଶ ଶତାବ୍ଦୀର ନରନାରସିଂହ ଦେବଙ୍କ ଶାସନକାଳର ଗୋଟିଏ ଶିଳା-ଲିପି ଭୁବନେଶ୍ୱରରୁ ଆବିଷ୍କୃତ ହୋଇଅଛି । ଏ ବୋଧହୁଏ ମାଦଳାପାଞ୍ଜି କଥିତ ଲାଙ୍ଗୁଳିୟା ନରସିଂହ ଦେବ । କାରଣ ନରସିଂହ ନ ହୋଇ ନରନାରସିଂହ ନାମ ହୋଇଥିବାରୁ ନାମରେ ଲାଙ୍କୁଳ ଯୋଡ଼ାହୋଇଥିବା ପରି ଜଣାଯାଏ । ଯାହାହେଉ, ଆଲୋଚନା ନିମନ୍ତେ ଏ ଶିଳା-ଲିପିର ପାଠ ତଳେ ଉଦ୍ଧାର କରାଯାଉଅଛି :

 

‘‘ଓଁ ସ୍ୱସ୍ତି ଶ୍ରୀ ବୀର ନରନାରସିଂଘ ଦେବଶ ପ୍ରବ୍ରଧମାନେ ବୀଜେ ରାଜେ ସମ୍ବତ୍‌ ୦୧୨ ଶ୍ରାହି କାର୍ତ୍ତିକ କ୍ରୀଷ୍ଣ ୭ ରବୀବାରେ ଶ୍ରୀ କାର୍ତ୍ତିବାସ କ୍ଷେତ୍ରଂ ସିଧେଶ୍ୱର ମଠର ବଡ଼ ନରସିଂଘ ଦେବଙ୍କ ଆଶକାମାର୍ଥ ପୂର୍ବକେ ।

 

ବାଘମରା ବାରବାଟୀ ଭୂମି ଏକାଦଶ ରୁଦ୍ର ଭୀକ୍ଷା ଦେବା ଭୂମି ସମ୍ବନ୍ଧେ ତପରାଜ ମାହାମୁନି ଦୁଗ୍‌ଗାଭଟ ଆଚାଯଙ୍କେର ବିକଲ୍ଲା ଏ ମାଢ ଶତଦେଢ ଉତ୍ତ୍ରେଶ୍ୱର ନାୟକଙ୍କେ ଦେଇ ତହ ଘେତଲ୍ଲା । ଏ ମାଢ଼ ଦସ ଧାନ୍ୟ ପୈଟୀ କ୍ରୀସେକ ତପରାଜ ମାହାମୁନି ଏ ଦୁଇ ଧାନ୍ୟ ସୁନା ଦୁଗ୍‌ଗାଭଟେ ଉତ୍ତ୍ରେଶ୍ୱର ନାୟକଙ୍କେ ଦେଇ ଅଙ୍କ କଲ୍ଲା । ଏ କଉଡ଼ି ଧାନ୍ୟ ସୁନା ମୂଳ କଳନ୍ତର କରନ୍ତେ ମାଢ ଶତେକ ଅସୀ ୧୮୦ । ତପରାଜ ମୁନି ସୀବ ପ୍ରାପ୍ତେ ତପଚକ୍ରବର୍ତ୍ତୀ ସ୍ଥାନାପତୀ ହୋଇଲ୍ଲା । ଏ ତପଚକ୍ରବତୀଙ୍କର ଦୁଗ୍‌ଗାଭଟେ ଆଚାଯଙ୍କର ରାସୀ । ଦୁଗ୍‌ଗାଭଟେ ଶୁଣି ଏକ ରାସୀ ବୋଲି ମୈତ୍ରପକ୍ଷ ହୋଇଲ୍ଲା । ଏ ବାଘମରା ଭୂମି ବାରବାଟୀ ଫଳ ଯୋଗ୍ୟ କୀଲ୍ଲାକୈ ତପଚକ୍ରବତୀକୀ ହାଥରଇ ଦୁଗ୍‌ଗାଭଟ ଆଚାଯେ ପାଣି କଲ୍ଲା । ଏ ଶ୍ରୀ ବୀରନରନାର ସିଂଘ ଦେବଙ୍କର ଆଉଶକାମାର୍ଥେ ଏକାଦଶ ରୁଦ୍ର ଭୀକ୍ଷା କରାଇବା । ଏ ଭୀକ୍ଷା ଚେରଦାସ ଚୋଡ଼ଦେସ ପାଣ୍ଡୀ ଦେସ ଏ ତିନି ଦେସ ଜମିଲ୍ଲା ହୋଇ ମଠାମଠେ ଦୀକ୍ଷା କରି ଆଚାବନ୍ତ ହୋଇଲ୍ଲା । ତପସାଙ୍କ ଭୀକ୍ଷା ଯେତେକାଳ ଚନ୍ଦ୍ରସୂଯ୍ୟ ବ୍ରତ ଏତେକ କାଳଙ୍କର ସ ବତୀବାକ ।’’

 

ଉଦ୍ଧୃତ ପାଠରୁ ଜଣାଯାଏ, ପ୍ରସ୍ତରରେ ଲିପି-ଖୋଦନର କଠିନତା ଏବଂ ଲେଖକର ଶିକ୍ଷାଭାବ ଓ ଅସାବଧାନତା ଯୋଗୁ ଭାଷାର ଯଥାର୍ଥ ରୂପ ପ୍ରକାଶ ପାଇନାହିଁ । ‘ଆୟୁଷକାମାର୍ଥେ’ ପଦକୁ ଆଦ୍ୟରେ ‘ଆଶକାମାର୍ଥେ’ ଓ ଶେଷରେ ‘ଆଉଶକାମାର୍ଥେ’ ରୂପରେ ଲେଖିଥିବାରୁ ଅସାବଧାନତା ଯୋଗୁ ‘ଉ’ ବର୍ଣ୍ଣଟି ଲେଖି ନ ଥିବାର ସୂଚିତ ହୁଏ । ‘ଆୟୁଷ’ ଶବ୍ଦର ‘ଷ’ ବର୍ଣ୍ଣ ସ୍ଥଳରେ ‘ଶ’ ବର୍ଣ୍ଣ ଲେଖିଥିବାରୁ ଲେଖକର ଶିକ୍ଷାଭାବ ଅନୁମିତ ହୁଏ । ଓଡ଼ିଆରେ ‘ଶ’ ଓ ‘ଷ’ ବର୍ଣ୍ଣଦ୍ୱୟକୁ ସର୍ବଦା ‘ସ’ ରୂପରେ ଉଚ୍ଚାରଣ କରାଯାଏ । କିନ୍ତୁ ସଂସ୍କୃତ ଭାଷାର ଚର୍ଚ୍ଚାପାଇଁ ଏ ଲିପି ଦିଓଟି ଆମେ ଲେଖୁଥିଲେ ମଧ୍ୟ ଚାଟଶାଳୀରେ ଲିପି-ଶିକ୍ଷାକାଳରେ ଉକ୍ତ ବର୍ଣ୍ଣଦ୍ୱୟର ଧ୍ୱନିକୁ ଯଥାକ୍ରମରେ ‘ସ୍ୟ’ ଓ ‘ସୁଅ’ ରୂପରେ ଉଚ୍ଚାରଣ କରୁଥିଲୁ । ଏଣୁ ‘ଦେବସ୍ୟ’ ସ୍ଥାନରେ ‘ଦେବଶ’ ଲେଖା ହୋଇଅଛି । ‘ଷ’କୁ ‘ସୁଅ’ ରୂପରେ ଲିପି-ଶିକ୍ଷାକାଳରେ ଉଚ୍ଚାରଣ କରୁଥିଲେ ମଧ୍ୟ ତହିଁରେ ‘ଏକାର’ ଯୁକ୍ତ ହୋଇଯିବାରୁ ଲେଖକ ‘କୃଷକ’ ପଦକୁ ‘କ୍ରୀସେକ’ ରୂପରେ ଲେଖିଅଛି । ପୂର୍ବ ବର୍ଣ୍ଣରେ ‘ଈ-କାର’ ଥିବାରୁ ‘ସ’ ବର୍ଣ୍ଣରେ ସ୍ୱରଗ୍ରାସ ( Assimilation ) ଘଟି ତାହା ‘ସେ’ ହୋଇଥିବାର ଅନୁମିତ ହୁଏ । ‘ନାୟକଙ୍କେ’ ପଦରେ ଦ୍ୱିତୀୟା ବିଭକ୍ତିର ଚିହ୍ନ ‘ଙ୍କେ’ ଆମେ ଦେଖୁଅଛୁ । ‘କିନ୍ତୁ ଚକ୍ରବତୀକୀ’ ପଦରେ ଦ୍ୱିତୀୟା ବିଭକ୍ତି ଚିହ୍ନ ‘କୀ’ ଅଛି । ଏହା ସ୍ୱରଗ୍ରାସ ଯୋଗୁ ଘଟିଅଛି । ପରବର୍ତ୍ତୀ ‘ର’ ବା ବ୍ୟଞ୍ଜନରେ ଯୁକ୍ତ ‘ର’କୁ ପୂର୍ବବର୍ଣ୍ଣରେ ଯୁକ୍ତ କରି ଉଚ୍ଚାରଣ କରିବା କଥିତ ଓଡ଼ିଆ ଭାଷାର ରୀତି । ସେଥିପାଇଁ ସଂସ୍କୃତ ଭରତ, ବର୍ଷା, ଗର୍ଜନ ପ୍ରଭୃତି ଶବ୍ଦକୁ ଅଶିକ୍ଷିତ ଜନସାଧାରଣ ଭକ୍ତ, ବ୍ରଷା, ଗ୍ରଜନ ରୂପରେ ଉଚ୍ଚାରଣ କରନ୍ତି । ଏହି ଉଚ୍ଚାରଣ-ପ୍ରକୃତି ଅନୁସାରେ-‘ପ୍ରବୃର୍ଦ୍ଧମାନ’ ଓ ‘ଉତ୍ତରେଶ୍ୱର’ ପଦଦ୍ୱୟ ଯଥାକ୍ରମରେ ‘ପ୍ରବ୍ରଧମାନ’ ଓ ‘ଉତ୍ତେଶ୍ୱର’ ରୂପରେ ଖୋଦିତ ହୋଇଅଛି । ପ୍ରଥମ ପଦରେ ‘ର୍ଦ୍ଧ’ ବର୍ଣ୍ଣର ‘ର’ ପୂର୍ବ ‘ବ’ ବର୍ଣ୍ଣରେ ଦ୍ୱିତୀୟ ପଦର ‘ରେ’ ପୂର୍ବ ‘ତ୍ତ’ ବର୍ଣ୍ଣରେ ଯୁକ୍ତ ହୋଇଅଛି । କିନ୍ତୁ ଓଡ଼ିଆରେ ଦୀର୍ଘ ‘ଈ’ କାରର ଉଚ୍ଚାରଣ ନାହିଁ ବୋଲି ଯେଉଁମାନେ କହନ୍ତି, ସେମାନେ ‘ରାଶି’, ‘ଭିକ୍ଷା’ ପ୍ରଭୃତି ଶବ୍ଦ ‘ରାସୀ’, ‘ଭିକ୍ଷା, ପ୍ରଭୃତି ରୂପରେ ଲେଖାହେବାର କାରଣ ଅନୁସନ୍ଧାନ କରିବା ଉଚିତ । ପରବର୍ତ୍ତୀ ବର୍ଣ୍ଣର ଉଚ୍ଚାରଣ ଦୀର୍ଘ ହେଉଥିଲେ ପୂର୍ବବର୍ତ୍ତୀ ସ୍ଵର ଦୀର୍ଘ ଉଚ୍ଚାରିତ ହେବା ଓଡ଼ିଆ ଉଚ୍ଚାରଣର ପ୍ରକୃତି । ଏଣୁ ସଂସ୍କୃତି ‘ମହା’ ଓ ପ୍ରାକୃତ ‘ତହ’ ଶବ୍ଦଦ୍ୱୟ ଓଡ଼ିଆରେ ‘ମାହା’ ଓ ‘ତାହା’ ରୂପରେ ଉଚ୍ଚାରିତ ହୁଅନ୍ତି । ଏଥିରେ ପ୍ରାକୃତ ‘ତହ’ ଶବ୍ଦ ‘ତାହା’ ରୂପରେ ଲେଖା ହୋଇନାହଁ । କିନ୍ତୁ ବାକ୍ୟର ଅନ୍ତ୍ୟସ୍ଵର ଓଡ଼ିଆରେ ଦୀଘ ଉଚ୍ଚାରିତ ହୁଏ ଓ ‘କ୍ଷା’ ବର୍ଣ୍ଣର ଉଚ୍ଚାରଣ ଦାର୍ଘ ଅଟେ । ଏଣୁ ‘ରାସୀ’ ଓ ‘ଭୀକ୍ଷା’ ଲେଖା ହୋଇଅଛି-

 

ପ୍ରାଚୀନ କାଳରେ ‘ଋ’ ସ୍ଵରକୁ ‘ଋ’ ରୂପରେ ଉଚ୍ଚାରଣ କରାଯାଉଥିଲା । ଏଣୁ ସଂସ୍କୃତ ଋଣ, ମୃଗ, ତୃଣ ଶବ୍ଦକୁ ଓଡ଼ିଆରେ ରଣ, ମିରିଗ, ତିରଣ ପ୍ରଭୃତି ରୂପରେ ଉଚ୍ଚାରଣ କରୁଥିଲେ । ଗଙ୍ଗ-ରାଜତ୍ୱର ଆରମ୍ଭରୁ ଏ ଦେଶରେ ଦ୍ରାବିଡ଼ୀ ଭାଷାର ପ୍ରଭାବ ପଡ଼ିଲା । ଦ୍ରାବିଡ଼ୀ ଭାଷାରେ ‘ଋ’ ସ୍ୱର ‘ରୁ’ ରୂପରେ ଓ ‘ଲ’ ବ୍ୟଞ୍ଜନ ‘ଳ’ ରୂପରେ ଉଚ୍ଚାରିତ ହୁଏ । ଏଣୁ ଆମେ ‘ଋ’ ସ୍ୱରକୁ ‘ରୁ’ ଓ ସ୍ଥଳବିଶେଷରେ ‘ଲ’ ବ୍ୟଞ୍ଜନକୁ ‘ଳ’ ରୂପରେ ଉଚ୍ଚାରଣ କଲୁ । ଆଲୋଚିତ ଓଡ଼ିଆ ଶିଳା-ଲିପି ଗୋଟିଏ ଖୋଦିତ ‘ଗଣେଶ’ ମୂର୍ତ୍ତିର ଏକ ପାର୍ଶ୍ୱରେ ଓ ଗୋଟିଏ ତାମିଲୀ ଶିଳା-ଲିପି ଅନ୍ୟ ପାର୍ଶ୍ୱରେ ଅଛି ଚେର, ଚୋଳ ଓ ପାଣ୍ଡ୍ୟ ଦେଶମାନ ତାମିଲୀ-ଭାଷା ଅଞ୍ଚଳରେ ଅବସ୍ଥିତ ଥିଲା । ଖୋଦିତ ଚୁକ୍ତି-ପତ୍ର ସେ ଦେଶମାନଙ୍କ ସହିତ ସଂପୃକ୍ତ ଥିବାରୁ ତାମିଲୀ-ଭାଷାରେ ଏହାର ଅନୁବାଦର ପ୍ରୟୋଜନ ଥିଲା । କିନ୍ତୁ ଓଡ଼ିଆ ପାଠରେ ଓଡ଼ିଆ ଭାଷାର ଉଚ୍ଚାରଣ-ପ୍ରକୃତି ପ୍ରକାଶିତ ହୋଇଥିବାରୁ ଏହା ଜଣେ ଓଡ଼ିଆଙ୍କଦ୍ଵାରା ଲେଖା ହୋଇଥିଲା, କହିବାକୁ ହେବ ।

 

ବୌଦ୍ଧଗାନ ଓ ଦୋହାର ଗୀତମାନଙ୍କରେ ବ୍ୟବହୃତ ଅତୀତ କାଳର କ୍ରିୟା ପଦମାନ ‘ଲ’ ପ୍ରତ୍ୟୟ ଯୋଗରେ ନିଷ୍ପନ୍ନ ହୋଇଥିବାର ଜଣାଯାଏ । କିନ୍ତୁ ଆଲୋଚିତ ଶିଳା-ଲିପିର ପାଠରେ କ୍ରିୟା ପଦମାନଙ୍କରେ ‘ଲ୍ଲା’ ପ୍ରତ୍ୟୟ ବ୍ୟବହୃତ ହୋଇଅଛି । ଏହା ରୌଦ୍ରୀ-ଭାଷାର ବିଶିଷ୍ଟତା ବୋଲି ଅନୁମିତ ହୁଏ । ଉଚ୍ଚ ସ୍ଵରରେ କଥା ଉଚ୍ଚାରଣ କରିବା ସମ୍ପ୍ରଦାୟ ‘ରୁଦ୍ର’ ନାମରେ ବୈଦିକ ଯୁଗରେ ଅଭିହିତ ଥିବାର ଅନୁମିତ ହୁଏ । ରୁଦ୍ରମାନେ ଭାଷାର ଉନ୍ନତିବିଧାନ କରିଥିବାର ପରମ୍ପରା ପ୍ରବାଦ ଅଛି । ଆଲୋଚିତ ଶିଳା-ଲିପି ମଧ୍ୟ ରୁଦ୍ରଙ୍କ ସହିତ ସଂପୃକ୍ତ । ଏଣୁ ଅତୀତ କାଳର ସଂସ୍କୃତ ‘କ୍ତ’ ପ୍ରତ୍ୟୟ ଓଡ଼ିଆରେ ‘ଲ୍ଲ’ ପ୍ରତ୍ୟୟ ରୂପରେ ବ୍ୟବହୃତ ହୋଇ ବିକିଲା, ଘିତିଲା, କଲା ପ୍ରଭୃତି ଆଧୁନିକ କ୍ରିୟାମାନଙ୍କ ପ୍ରାଚୀନ ରୂପ ବିକଲ୍ଲା, ଘେତଲ୍ଲା, କଲ୍ଲା ପ୍ରଭୃତି କ୍ରିୟା ପଦରେ ପ୍ରକାଶ ପାଇଛି ।

 

ଏକାଦଶ ରୁଦ୍ରଙ୍କୁ ପ୍ରାର୍ଥନା କରିବାପାଇଁ କୌଣସି ରାଜା ବାରବାଟି ଜମି ଦୁର୍ଗାଭଟ୍ଟ ଆଚାର୍ଯ୍ୟ ବା ତାହାଙ୍କର ପୂର୍ବବର୍ତ୍ତୀ କୌଣସି ଆଚାର୍ଯ୍ୟଙ୍କୁ ଦାନ କରିଥିଲେ । ତାହାକୁ ବାଘମରା ଭୂମି କହୁଥିଲେ । ଏ ଭୂମି ତପରାଜ ମାହାମୁନିଙ୍କୁ ଦୁର୍ଗାଭଟ୍ଟ ଆଚାର୍ଯ୍ୟେ ବିକିଲେ । ତପରାଜ ମହାମୁନି ଉତ୍ତରେଶ୍ୱର ନାୟକଙ୍କୁ ଦେଢ଼ ଶହ ମାଢ ସୁନା ଦେଇ ସେ ଜମିକୁ ନିଜ ଦଖଲକୁ ନେଇଥିଲେ । ଦଶପୌଟି ଧାନ ଓ ଦେଢ଼ ଶହ ମାଢ ସୁନା ଦୁର୍ଗାଭଟ୍ଟ ଉତ୍ତରେଶ୍ୱର ନାୟକଙ୍କୁ ଦେଲେ । ଏ ଧାନ ଓ ସୁନାର ମୂଳ କଳନ୍ତର ଅଙ୍କ କଲ୍ଲା; ଅର୍ଥାତ୍‌ ହିସାବ କରାଗଲା । ୧୮୦ ମାଢ ହେଲା । ତପରାଜ ମହାମୁନିଙ୍କର ଶିବପ୍ରାପ୍ତି ବା ମୃତ୍ୟୁ ହେଲା । ତପ ଚକ୍ରବର୍ତ୍ତୀ ତାଙ୍କର ଉତ୍ତରାଧିକାରୀ ହୋଇ ସ୍ଥାନାପତି ହେଲେ । ତପ ଚକ୍ରବର୍ତ୍ତୀଙ୍କର ଓ ଦୁର୍ଗାଭଟ୍ଟଙ୍କର ଏକ ଜନ୍ମ-ରାଶି-। ଏଣୁ ଦୁହେଁ ପରସ୍ପର ମିତ୍ର ହେଲେ । ବାଘମରା ବାରବାଟି ଭୂମିକୁ ଫଳଯୋଗ୍ୟ କୀଲ୍ଲାକୈ ବା ଫଳଭୋଗ କରିବାଯୋଗ୍ୟ କ୍ରେତାକୁ ତପ ଚିକ୍ରବର୍ତ୍ତୀଙ୍କ ହାତରେ ଦୁର୍ଗାଭଟ୍ଟ ଆଚାର୍ଯ୍ୟ ପାଣିକଲେ ବା ଦାନ କଲେ । ବୀର ନରସିଂହ ଦେବଙ୍କ ଆୟୁଷ କାମନାପାଇଁ ଏକାଦଶ ରୁଦ୍ରଙ୍କୁ ପ୍ରାର୍ଥନା କରିବାର ଏ ଭୂମି ଅଟେ । ଚେର, ଚୋଳ ଓ ପାଣ୍ଡ୍ୟ ଦେଶର ଜମିମାନଙ୍କର ମାଲିକ ହୋଇ ମଠମାନଙ୍କରେ ଦୀକ୍ଷା ନେଇ ଆଚାରବନ୍ତ ହେଲେ । ଚନ୍ଦ୍ର ସୂର୍ଯ୍ୟ ଯେତେବେଳେ ଥିବେ, ସେତେକାଳ ଏହା ବର୍ତ୍ତି ରହିବ ।

 

ଏ ଘଟନାରେ ଉତ୍ତରେଶ୍ୱର ନାୟକ ଜମିର କୃଷକ ରହି ମଧ୍ୟବର୍ତ୍ତିତା କରିଥିବାର ଅନୁମିତ ହୁଏ । ଯାହାହେଉ ଧର୍ମପ୍ରଚାରଦ୍ୱାରା ଏ ଦେଶ ସମୃଦ୍ଧିଶାଳୀ ଥିବାର ଜଣାଯାଏ ।

 

ତୃତୀୟ ଅଧ୍ୟାୟ

Unknown

ପୁରାଣ- ସାହିତ୍ୟ

ତୈତ୍ତିରୀୟ ବ୍ରାହ୍ମଣ ଅନୁସାରେ ପିତୃଯାନ-କାଳରେ ମାୟାବାଦ ପ୍ରଚାରିତ ହୋଇଥିଲା । ଅଶ୍ୱାଳୟନ ଗୃହ୍ୟ-ସୂତ୍ରରେ ଚୈତ୍ୟପୂଜାର ଉଲ୍ଲେଖ ଅଛି । ଏଥିରୁ ଜଣାଯାଏ ଯେ ଚୈତ୍ୟ-ପୂଜା ପ୍ରଥମେ ପ୍ରଚଳିତ ହୋଇଥିଲା ଓ ଏହାକୁ ପିତୃଯାନ କହୁଥିଲେ । ତତ୍ପରେ ବୈଦିକ ହୋମ-ଯଜ୍ଞର ବିଧି ପ୍ରବର୍ତ୍ତିତ ହୋଇଥିବ । ବ୍ରାହ୍ମଣମାନେ ବେଦପାଠ, ହୋମଯଜ୍ଞ- ବିଧି ଏବଂ ସ୍ମୃତି ବା ସାମାଜିକ ବ୍ୟବସ୍ଥା ପ୍ରଣୟନରେ ଲାଗିଗଲେ । ଜୈନ ଓ ବୌଦ୍ଧ ସମ୍ପ୍ରଦାୟରେ ଲୋକଙ୍କ ନୀତି-ଶିକ୍ଷା ଉଦ୍ଦେଶ୍ୟରେ ପ୍ରାଚୀନ ଗୁରୁମାନଙ୍କ ଜୀବନୀ ଓ କର୍ମାବଳୀ ବଖାଣିବା ପ୍ରବର୍ତ୍ତିତ ହେଲା । ବ୍ରାହ୍ମଣମାନେ ମୂର୍ତ୍ତିପୂଜା ଗ୍ରହଣ କରି ଭକ୍ତି-ଯୋଗରେ ପ୍ରସାରପାଇଁ କିମ୍ୱଦନ୍ତୀମାନ ସଂଗ୍ରହ କରି ଲିପିବଦ୍ଧ କଲେ । ଏହା ପୁରାଣ ନାମରେ ଅଭିହିତ ହେଲା । ‘ପୁରାଣ’ ଅଠର ପ୍ରକାରର ବୋଲି ପୁରାଣମାନଙ୍କରେ ଉଲ୍ଲେଖ ଅଛି । ଏସବୁ ସଂସ୍କୃତ ଭାଷାରେ ଲିଖିତ ହୋଇଅଛି । ସଂସ୍କୃତ ଭାଷାରେ ଅନ୍ୟ ପୁରାଣମାନ ମଧ୍ୟ ଅଛି । ପୁରାଣମାନ ରଚିତ ହେବାଉତ୍ତାରୁ ପୌରାଣିକ ଗଳ୍ପର ଅବଲମ୍ୱନରେ ସମସାମୟିକ ସମାଜର ଉପଯୋଗୀ କରି ସଂସ୍କୃତ ଭାଷାର କାବ୍ୟ ଓ ନାଟକ ରଚିତ ହେବାର ପ୍ରଥା ପ୍ରଚଳିତ ହେଲା । ସଂସ୍କୃତ ଜାଣି ନ ଥିବା କବିମାନେ ମଧ୍ୟ ପୁରାଣରେ ସଂଗୃହୀତ ହୋଇଥିବା ଅବା ନୋହିଥିବା ଦେଶପ୍ରଚଳିତ କିମ୍ୱଦନ୍ତୀମାନ ଅବଲମ୍ୱନ କରି ପ୍ରାକୃତ ସାହିତ୍ୟ ସୃଷ୍ଟି କରିଥିଲେ । ଏଣୁ କୃଷ୍ଣଙ୍କର ଦେହତ୍ୟାଗ-ଗଳ୍ପ ସଂସ୍କୃତ ମହାଭାରତରେ ଯେପରି ସ୍ଥାନ ପାଇଅଛି, ବୌଦ୍ଧ ଓ ଜୈନ ସାହିତ୍ୟରେ ସେପରି ସ୍ଥାନ ପାଇଅଛି । ପୁରାଣରେ ଯେପରି ମାର୍କଣ୍ତ ଋଷିଙ୍କର କାର୍ଯ୍ୟ ଲିପିବଦ୍ଧ ଅଛି, ବୌଦ୍ଧ କଣ୍ତିନ- ଜାତକରେ ସେପରି ଅଛି । ପୁରାଣରେ ନ ଥିବା ଗଳ୍ପର ଅବଲମ୍ୱନରେ ବାକ୍‌ପତି ମଧ୍ୟ ପ୍ରାକୃତ ଭାଷାରେ ‘ଗଉଡ଼ବହୋ’ ବା ‘ଗୌଡ଼ବଧ’ କାବ୍ୟ ରଚନା କରିଥିଲେ । ଏଣୁ ଓଡ଼ିଆ ଭାଷାରେ ସଂସ୍କୃତ ପୁରାଣମାନ ପ୍ରଚାରିତ ହେବାପୂର୍ବରୁ କ୍ଷୁଦ୍ର କ୍ଷୁଦ୍ର ପୌରାଣିକ ଘଟନାର ଅବଲମ୍ୱନରେ ଗୀତି-ସାହିତ୍ୟ ଓଡ଼ିଶାରେ ରଚିତ ହୋଇଥିବା ସମ୍ଭବପର ଅଟେ ।

 

ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରୁ ବ୍ରାହ୍ମଣମାନେ ଶାସନ-ଦାନ ପାଇ ଓଡ଼ିଶାର ଗ୍ରାମମାନଙ୍କରେ ବାସ କରିବାକୁ ଲାଗିଲେ । ବିଶେଷତଃ ଗଙ୍ଗ-ରାଜତ୍ୱରେ ବହୁ ବ୍ରାହ୍ମଣ ଓଡ଼ିଶାର ଗ୍ରାମମାନଙ୍କରେ ବାସ କଲେ । ସେମାନଙ୍କ ସଂସ୍ରବରେ ଓଡ଼ିଶାର ଜନସାଧାରଣ ପୌରାଣିକ କାହାଣୀ ଜାଣିବାର ସୁବିଧା ପାଇଥିବେ । ଏଣୁ ଚତୁର୍ଦ୍ଦଶ ଶତାବ୍ଦୀରୁ ଯଥାର୍ଥ ଓଡ଼ିଆ-ସାହିତ୍ୟର ସୃଷ୍ଟି ଘଟିଥିବ ବୋଲି ଅନୁମାନ କରିବାକୁ ହେବ ।

 

ଖ୍ରୀଷ୍ଟପୂର୍ବ ଶତକମାନଙ୍କରେ ଓଡ଼ିଶାରେ ବ୍ରାହ୍ମୀ-ଲିପି ପ୍ରଚଳିତ ହେଉଥିଲା । ଏହା କ୍ରମଶଃ ପରିବର୍ତ୍ତିତ ହୋଇ କୁଟିଳ ଲିପି ବିକଶିତ ହେଲା । ଏହି ଲିପି ଗଙ୍ଗ-ରାଜତ୍ୱର ମଧ୍ୟଭାଗରେ ପରିବର୍ତ୍ତନର ପଥରେ କ୍ରମଶଃ ଅଗ୍ରସର ହୋଇ ପଞ୍ଚଦଶ ଶତାବ୍ଦୀରେ ସ୍ୱତନ୍ତ୍ର ଓଡ଼ିଆ-ଲିପି ହେଲା । ତାହାର ରୂପ ଆଧୁନିକ ଓଡ଼ିଆ- ଲିପିଠାରୁ କେତେକାଂଶରେ ପୃଥକ୍ ହେଲେ ମଧ୍ୟ ତାହା ଆଧୁନିକ ଲିପିର ଜନନୀ । ଲିପିର ଦ୍ରୁତ ପରିବର୍ତ୍ତନଯୋଗୁଁ ପୁସ୍ତକ- ନକଲକାରମାନେ ଅତି ପ୍ରୟୋଜନୀୟ ପୁସ୍ତକ ଛଡ଼ା ସାଧାରଣ ପୁସ୍ତକ ନକଲ କରିବାପାଇଁ ଅବସର ବୋଧ ହୁଏ ପାଇ ନ ଥିଲେ । ଏଣୁ ପାଠର ଅନୁପଯୋଗୀ ପ୍ରାଚୀନ ଲିପିରେ ଲିଖିତ ଅନେକ ପୁସ୍ତକ ଦେଶରେ ସାଇତା ହୋଇ ରହିଲା ନାହିଁ ।

 

ମାର୍କଣ୍ତ ଦାସ

ଯେକୌଣସି ଜାତିର ସାହିତ୍ୟ ପ୍ରଥମେ କ୍ଷୁଦ୍ର ଗୀତି-କବିତାରୁ ଜାତ ହୁଏ । ଶୋକ ବା ଆନନ୍ଦରେ ଅଧୀର ହେଲେ ମନୁଷ୍ୟ-ହୃଦୟରୁ ଛନ୍ଦୋମୟୀ ବାଣୀ ଆପେ ଆପେ ଉଛୁଳିବ । ସେ ବାଣୀରେ ଅର୍ଥ ନିହିତ ଥିଲେ, ତାହା କବିତା ହୁଏ । ଏଣୁ ସବୁଦେଶରେ ସବୁକାଳରେ ପଦ୍ୟ-ରଚନାରୁ ସାହିତ୍ୟର ଉତ୍ପତ୍ତି ଘଟେ । ଓଡ଼ିଆ ପ୍ରଥମ ଗୀତି-କବିତା କେଉଁଟି, ତାହା ନିରୂପଣ କରିବାକୁ ହେବ । ଓଡ଼ିଆ ଗୀତି-କବିତାମାନଙ୍କ ମଧ୍ୟରୁ ‘କେଶବ-କୋଇଲି’ ର ରଚନାକାଳ ସମ୍ୱନ୍ଧରେ ସାମାନ୍ୟ ସଙ୍କେତ ମିଳେ । ମାର୍କଣ୍ତ ଦାସ ଏହାର ରଚୟିତା ଅଟନ୍ତି । ପୁରୀରେ ମାର୍କଣ୍ତ-ତୀର୍ଥ ବହୁ କାଳରୁ ଅବସ୍ଥିତ ଥିବାରୁ ରଚୟିତା ପୁରୀବାସୀ ଥିଲେ ବୋଲି ଅନୁମିତ ହୁଏ । ଏହି ରଚନାଟି ପୁରୀରେ ଜନପ୍ରିୟ ହୋଇଥିବାରୁ ଜଗନ୍ନାଥ ଦାସ ଅର୍ଥ-କୋଇଲି ଅର୍ଥାତ୍ ଆଲୋଚିତ କେଶବ-କୋଇଲିର ଟୀକା ଲେଖିଥିଲେ । ଖ୍ରୀଷ୍ଟ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ମଧ୍ୟ ବର୍ଣ୍ଣ-ପରିଚୟ ନିମନ୍ତେ ଓଡ଼ିଶାର ପାଠଶାଳାମାନଙ୍କରେ ଏ କୋଇଲି ବାଳକ-ବାଳିକାଙ୍କର ପାଠ୍ୟଥିଲା । ଇଂରେଜ-କବି ସେଲି (Shelley) ଗାଇଅଛନ୍ତି :

 

‘‘Our sweetest songs are those

That tell of saddest thoughts.’’

 

ଗୀତରେ ଶୋକର ଝଙ୍କାର ଥିଲେ ପାଠକର ସହାନୁଭୂତି ଉଦ୍ରେକ କରେ । କ୍ରୌଞ୍ଚର ବଧରେ କ୍ରୌଞ୍ଚୀର ହୃଦୟରୁ କରୁଣ ସ୍ୱର ଉଛୁଳିଥିଲା । ତାହାକୁ ଶୁଣି ବାଲ୍ମୀକିଙ୍କ ହୃଦୟରେ ସମବେଦନା ଜାଗରିତ ହେଲା । ତାହା ଶ୍ଳୋକାକାରରେ ତାହାଙ୍କ ମୁଖରୁ ନିର୍ଗତ ହେଲା । ସେ ଶ୍ଳୋକକୁ ଭାରତରେ ଆଦିକବିତା ଓ ବାଲୀକି ଆଦିକବି ବୋଲି ମାନିବାକୁ ହେଉଅଛି । ବାଲ୍ମୀକିଙ୍କ ଆଦିକବିତାପରି କେଶବ-କୋଇଳିକୁ ଆଦି-ଓଡ଼ିଆ-କବିତା କହିବାକୁ ହେବ । କୃଷ୍ଣ ମଥୁରାକୁ ଚାଲି ଯାଇ ନ ଫେରିବାରୁ ପୁତ୍ର-ଶୋକରେ ଅଧୀରା ହୋଇ ଯଶୋଦା କୋଇଲିକୁ ସମ୍ୱୋଧନ କରି ନିଜର ହୃଦ-ବେଦନା ଏ କବିତାରେ ପ୍ରକାଶ କରିଅଛନ୍ତି । ପୁତ୍ର-ବିରହ ଘଟିଲେ ଓଡ଼ିଶାରେ ପୁତ୍ରର ଗୁଣ ଓ କାର୍ଯ୍ୟ ସୁମରି ମାତା ଯେପରି କାନ୍ଦେ, ଠିକ୍ ସେପରି କାନ୍ଦ ମାର୍କଣ୍ତ ଦାସ ଛନ୍ଦୋମୟୀ ଭାଷାରେ ଲିବିବଦ୍ଧ କରିଅଛନ୍ତି :

 

‘‘କୋଇଲି, ଚଳୁଥାଇ କଟିସ୍ଥ ମେଖଳୀ,

ଚକିତ ହୋଇଲେ ଶୁଣି ଗୋପପୁର-ବାଳୀ ଲୋ, କୋଇଲି !

x            x            x

କୋଇଲି, ଡ଼ାକିଲେ ଭାଷଇ ଯେହ୍ନେ ସାରୀ

ଡ଼ାଳ ରତ୍ନଶୁଆ ପ୍ରାୟେ ଭାଷୁଥାନ୍ତି ହରି ଲୋ, କୋଇଲି !’’

 

କୃଷ୍ଣ ମନୋହର ଭଙ୍ଗୀରେ ନାଟ କରି ଖେଳିବାବେଳେ ତାଙ୍କ କଟିରେ ଥିବା ମେଖଳାରୁ ମଧୁର ଧ୍ୱନି ଜାତ ହେଉଥିଲା ଓ ତାହା ଶୁଣି ଗୋପୀମୋନେ ମୋହିତ ହେଉଥିଲେ । ପୁଣି ଆମେ କାହାର ନାମ ଧରି କାହାର ଘରେ ଡ଼ାକିବାବେଳେ ତାହାର ଘରେ ପୋଷାଥିବା ସାରୀଟି ଆମ ଡ଼ାକକୁ ଅନୁକରଣ କରେ । ଶୁଆ ମଧ୍ୟ କଥା କହେ । ସେମାନଙ୍କ ଭାଷା ସୁସ୍ପଷ୍ଟ ନୋହିଲେ ମଧ୍ୟ ତାହା ଆମ୍ଭଙ୍କୁ କୌତୂହଳପ୍ରଦ ହୁଏ । କୃଷ୍ଣ ସେପରି ମାତାଙ୍କ ମୁଖରୁ ନିଃସୃତ କଥାକୁ ଅନୁକରଣ କରି ଦରୋଟି କଥା କହୁଥିଲେ । ସେତେବେଳେ ତାହା ବଡ଼ ଶ୍ରୁତିମଧୁର ହେଉଥିଲା । ଏହିପରି ଦେଶ-ପ୍ରଚଳିତ ରୀତିରେ ସନ୍ତାନ-ବିରହ ମାତାଠାରେ ଜାତ କରାଉଥିବା ସନ୍ତାନ-ବାତ୍ସଲ୍ୟ କବି ଗାଇଅଛନ୍ତି ।

 

ଯଶୋଦା କେଶବଙ୍କୁ ବାହୁନି କୋଇଲିକୁ ସମ୍ୱୋଧନ କରି ଶୋକ ଅଭିବ୍ୟକ୍ତ କରିଥିବାରୁ ଆଲୋଚିତ ଗୀତିକାକୁ କେହି କେହି ‘କେଶବ-କୋଇଲି’ ଅଥବା ‘ ଯଶୋଦା-କୋଇଲି’ କହନ୍ତି । ଏହା ଚଉତିଶା ନିୟମରେ ରଚିତ ହୋଇଅଛି । ଚଉତ୍ରିଶଟି ବ୍ୟଞ୍ଜନ କ,ଖ,ଗ,ଘ ପ୍ରଭୃତି ଯଥାକ୍ରମରେ ପ୍ରତ୍ୟେକ ପଦର ପ୍ରତ୍ୟେକ ପାଦର ଆଦ୍ୟରେ ବ୍ୟବହୃତ ଶବ୍ଦର ଆଦ୍ୟ ବର୍ଣ୍ଣ ହେଲେ, ସେପରି ରଚନାକୁ ‘ଚଉତିଶା’ କୁହାଯାଏ । ଆଲୋଚିତ ଗୀତିକାର ପ୍ରଥମ ପଦର ପ୍ରଥମ ଚରଣର ଆଦ୍ୟରେ ‘କେଶବ’ ଓ ଦ୍ୱିତୀୟ ଚରଣର ଆଦ୍ୟରେ ‘କାହା’ ପଦ ବ୍ୟବହୃତ ହୋଇଥିବାରୁ ପଦଟିର ପ୍ରତ୍ୟେକ ଚରଣର ଆଦ୍ୟରେ ‘କ’ ବର୍ଣ୍ଣ ଅଛି । ଏହିପରି ଦ୍ୱିତୀୟ ପଦର ପ୍ରଥମ ଚରଣର ଆଦ୍ୟରେ ‘ଖଣ୍ତ’ ଓ ଦ୍ୱିତୀୟ ଚରଣର ଆଦ୍ୟରେ ‘ଖାଇବାର’ ପଦ ବ୍ୟବହୃତ ହୋଇ ପଦଟିର ପ୍ରତ୍ୟେକ ଚରଣର ଆଦ୍ୟରେ ‘ଖ’-ବର୍ଣ୍ଣ ଅଛି । ଏପରି କ୍ରମରେ ଚଉତ୍ରିଶଟି ପଦ ରଚିତ ହୋଇଥିବାରୁ ଏ ରଚନା ‘ଚଉତିଶା’ ନାମରେ ଅଭିହିତ । ଏପରି ରଚନା-ପ୍ରଣାଳୀ କେବେ ଉଦ୍ଭୂତ ହେଲା, ତାହା ନିରୂପଣ କରିବା କଠିନ । ତାନ୍ତ୍ରିକ ମତରେ ଆଦ୍ୟରେ ନାଦ ଓ ତତ୍ପରେ ଅନ୍ୟାନ୍ୟ ବସ୍ତୁର ସୃଷ୍ଟି ଘଟିଲା । ଜୈମିନି କହନ୍ତି ଯେ ଶବ୍ଦ ଓ ବସ୍ତୁ ସତ୍ ପଦାର୍ଥ; କିନ୍ତୁ ବୌଦ୍ଧାମାନେ ଶବ୍ଦ ଓ ବସ୍ତୁକୁ ଅସତ୍ ବା ଅନିତ୍ୟ କହନ୍ତି । ପୁରାଣମାନଙ୍କରେ ମରୁତକୁ ଦୈତ୍ୟ କୁହାଯାଇଅଛି । ଦୈତ୍ୟମାନଙ୍କ ମଧ୍ୟରୁ କେତେକ ଜୈନ ଓ କେତେକ ବୌଦ୍ଧ ଥିବାର ବିଷ୍ଣୁ-ପୁରାଣରୁ ଜଣାଯାଏ । ମରୁତ ଦୈତ୍ୟ ହୋଇ ଅଣଚାଶ ଭାଗରେ ବିଭକ୍ତ ହୋଇଥିବାର ଉକ୍ତ ଅଛି । ସ୍ୱର ତେର ଓ ବ୍ୟଞ୍ଜନ ଛତ୍ରିଶ ଉଚ୍ଚାରଣ କରିବା କାଳର ନିଃସୃତ ଅଣଞ୍ଚାଶ ବାୟୁକୁ ବୋଧ ହୁଏ ମରୁତ କୁହାଯାଇଅଛି । ନାଦର ପ୍ରିତୀକକୁ ‘ବର୍ଣ୍ଣ’ ଓ ‘ଅକ୍ଷର’ କୁହାଯାଏ । ଉଭୟ ନାମର ଅର୍ଥ ନିତ୍ୟ । ସୌତ୍ରାନ୍ତିକ ବୌଦ୍ଧମାନେ କହନ୍ତି ଯେ ନୀଳବର୍ଣ୍ଣର ପଦାର୍ଥ ଦେଖି ଯେଉଁ ମାନସିକ ଜ୍ଞାନ-କ୍ରିୟାର ଉତ୍ପତ୍ତି ଘଟେ, ତାହାର ପରିଚିତି ନୀଳବର୍ଣ୍ଣରେ ପର୍ଯ୍ୟବସିତ ହୁଏ; ଅର୍ଥାତ୍ ପଦାର୍ଥ ଦେଖିଲେ ପ୍ରଥମେ ତାହାର ବର୍ଣ୍ଣ ଉପଲବ୍ଧି କରାଯାଏ ଓ ଶେଷରେ ତାହାର ବର୍ଣ୍ଣ ନିତ୍ୟ ହୋଇ ସ୍ମୃତିରେ ରହେ । ନାଦର ପ୍ରତୀକ ବର୍ଣ୍ଣକୁ ନିତ୍ୟ କହିବାର କାରଣ ଏହି ଯେ, ପଦାର୍ଥର ରୂପବର୍ଣ୍ଣରେ ପ୍ରକାଶ ପାଇବାଭଳି ନାଦ ତାହାର ପ୍ରତୀକ ବର୍ଣ୍ଣ ବା ଅକ୍ଷରରେ ପ୍ରକାଶ ପାଏ । ସୌତ୍ରାନ୍ତିକ ବୌଦ୍ଧମାନେ ପରମାଣୁବାଦୀ ଥିବାରୁ ବସ୍ତୁର ସତ୍ତା ସ୍ୱୀକାର କରୁଥିଲେ; କିନ୍ତୁ ଅନ୍ୟାନ୍ୟ ବୌଦ୍ଧମାନେ ତାଙ୍କ ମତର ବିରୋଧୀ ଥିଲେ । ମରୁତ୍‌ଗଣ ଦୈତ୍ୟ ଥିବାରୁ ବୌଦ୍ଧମତାବଲମ୍ୱୀ ହୋଇ ବର୍ଣ୍ଣମାନଙ୍କର ନିତ୍ୟତା ଅସ୍ୱୀକାର କରି ସ୍ଥଳଭେଦରେ ସେମାନଙ୍କର କିପରି ଅର୍ଥଭେଦ ଘଟେ, ତାହା ପ୍ରମାଣ କରୁଥିବାର ଅନୁମିତ ହୁଏ । ହନୁମାନ ମରୁତଙ୍କ ପୁତ୍ର ଓ ସେ ବ୍ରାହ୍ମଣ-ବିରୋଧୀ ଥିଲେ । ଆମ ଦେଶରେ ହନୁମାନ-ପୂଜା ଏବେ ପ୍ରଚଳିତ ଅଛି ଓ ନବମ ଶତାବ୍ଦୀପର୍ଯ୍ୟନ୍ତ ଏ ଦେଶରେ ବୌଦ୍ଧଧର୍ମର ପ୍ରଭାବ ଥିଲା । ଏଣୁ ବୌଦ୍ଧଧର୍ମର ପ୍ରଭାବରେ ଏପରି ରଚନାର ସୃଷ୍ଟି ହୋଇଅଛି ବୋଲି ଅନୁମାନ କରାଯାଏ । ସାହିତ୍ୟରେ ଧ୍ୱନ୍ୟଳଙ୍କାର-ସୃଷ୍ଟିର କାରଣ ମଧ୍ୟ ଏହା ।

 

କେଶବ-କୋଇଲିର କବି ସଂସ୍କୃତ ଓ ପ୍ରାକୃତ ଉଭୟ ଭାଷାରେ ଅଭିଜ୍ଞ ଥିବାର ଜଣାଯାଏ-। ସଂସ୍କୃତ ନ ଜାଣିଥିଲେ ‘କଟିରେ ଥିବା’ କଥାକୁ ‘କଟିସ୍ଥ’ ରୂପରେ ପ୍ରକାଶ କରିପାରି ନ ଥାନ୍ତେ । ପୁଣି ‘ଛନ୍ଦଣି’ ଶବ୍ଦକୁ ସେ ‘କ୍ଷନ୍ଦଣି’ ରୂପରେ ବ୍ୟବହାର କରିଅଛନ୍ତି :

 

‘‘କୋଇଲି, କ୍ଷନ୍ଦଣି ବନ୍ଧଣି ଭୁଜଦଣ୍ତ ।

କ୍ଷମା କର ଦୋଷ ମୋର ଭଣେ ମାରକଣ୍ତ, ଲୋ କୋଇଲି !’’

 

ସଂସ୍କୃତ ‘କ୍ଷୌର’, ‘ଲକ୍ଷଣ’ ପ୍ରଭୃତି ଶବ୍ଦ ଓଡ଼ିଆରେ ‘ଛର’, ‘ଲଛମନ’ ପ୍ରଭୃତି ରୂପରେ ଯଥାକ୍ରମରେ ଉଚ୍ଚାରଣ କରାଯାଏ । ଏଥିରୁ ଜଣାଯାଏ ଯେ ‘କ୍ଷ’ ଓ ‘ଛ’ ବର୍ଣ୍ଣଦ୍ୱୟର ଧ୍ୱନିରେ ପରସ୍ପର ସାଧର୍ମ୍ୟ ଅଛି; କିନ୍ତୁ ‘ଛ’ ବର୍ଣ୍ଣର ଧ୍ୱନି ଓଡ଼ିଆରେ କୌଣସିଠାରେ ‘କ୍ଷ’ ରୂପରେ ଉଚ୍ଚାରିତ ହେଉଥିବାର ଦୃଷ୍ଟାନ୍ତ ଦେଖାଯାଏ ନାହିଁ । କେବଳ ସାଧର୍ମ୍ୟ ବିଚାର କରି ‘ଛନ୍ଦଣି’ ରୂପରେ କବି ବ୍ୟବହାର କରିଥିବାର ଅନୁମିତ ହୁଏ । ପ୍ରାକୃତ ଭାଷାର ବ୍ୟାକରଣ ଜାଣି ନ ଥିଲେ ଏପରି ସାଧର୍ମ୍ୟ ବିଚାର କରିବା କଠିନ । ଏଣୁ ଏ କବି ପୁରୀ ଜିଲାର ପୁରୁଷୋତ୍ତମପୁରନିବାସୀ ପ୍ରାକୃତ- ସର୍ବସ୍ୱ- ରଚୟିତା ମାର୍କଣ୍ତ କବୀନ୍ଦ୍ର ହୋଇପାରନ୍ତି । ପ୍ରାକୃତସର୍ବସ୍ୱରେ ରାଜା ମୁକୁନ୍ଦଦେବଙ୍କର ନାମର ଉଲ୍ଲେଖ ଦେଖି ମଧ୍ୟ ପିସେଲ୍ ସାହେବ କହିଅଛନ୍ତି ଯେ ‘ପ୍ରାକୃତସର୍ବସ୍ୱ’ ପଞ୍ଚଦଶ ଶତାବ୍ଦୀର ପରକାଳରେ ପ୍ରଣୀତ ହୋଇ ନ ଥିବ । ଆମେ କପିଳେନ୍ଦ୍ରଦେବଙ୍କ ପୁତ୍ର ଛଡ଼ା ପୁରୁଷୋତ୍ତମଦେବ ନାମରେ ଅନ୍ୟ ରାଜା ଥିବାର ଜାଣି ନ ଥିଲୁ । ଏ ନାମ ଗଙ୍ଗ-ବଂଶର ନରସିଂହଦେବ ଗ୍ରହଣ କରିଥିବାର ଏବେ ଜଣାଯାଉଅଛି । ଏଣୁ ମୁକୁନ୍ଦଦେବ ନାମରେ ସପ୍ତଦଶ ଶତାବ୍ଦୀର ପୂର୍ବରୁ କୌଣସି ସ୍ଥାନୀୟ ରାଜା ପୁରୀରେ ଥିବା ଅସମ୍ଭବ ନୁହେଁ । ପୁରୀରେ ବାସ କଲେ ରାମଚନ୍ଦ୍ରଦେବ, ବୀରକିଶୋର ଦେବ, ଦିବ୍ୟସିଂହଦେବ ଓ ମୁକୁନ୍ଦଦେବ । ନାମ ପର୍ଯ୍ୟାୟକ୍ରମରେ ବ୍ୟବହାର କରିବାର ପାରମ୍ପରିକ ପ୍ରଥା ବୋଧ ହୁଏ ପ୍ରଚଳିତ ଥିଲା । ପୁରୀରେ ମାର୍କଣ୍ତ-ତୀର୍ଥ ପ୍ରାଚୀନକାଳର ଓ ମାର୍କଣ୍ତ ଋଷି ତନ୍ତ୍ରମତର ପ୍ରଧାନ ପୃଷ୍ଠପୋଷକ । ତାନ୍ତ୍ରିକ ପୂଜାରେ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକୁ ଶରୀରର ବିଭିନ୍ନ ଅବୟବରେ ପୂଜକ ନ୍ୟାସ କରେ । ମାର୍କଣ୍ତ ଦାସ ତାନ୍ତ୍ରିକ ଥିବାର ତାଙ୍କ ନାମରୁ ଓ ରଚନାରୁ ଜଣାଯାଏ ।

 

କେଶବ-କୋଇଲି ସରଳ ଭାଷାରେ ରଚିତ; କିନ୍ତୁ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭର କବି ଜଗନ୍ନାଥ ଦାସ ଏହାର ଅର୍ଥ ଲେଖି ତାହାକୁ ‘ଅର୍ଥ-କୋଇଲି’ ଆଖ୍ୟା ଦେଇଅଛନ୍ତି । ଏଥିରେ ସେ କେଶବ-କୋଇଲିର ପଦମାନ ସନ୍ନିବେଶ କରିବାରେ ତ୍ରୁଟି କରି ନାହାନ୍ତି । ସରଳ କବିତାର ଅର୍ଥ ଲେଖିବାର ପ୍ରୟୋଜନ ନ ଥାଏ; କିନ୍ତୁ ସାଧାରଣ ଅର୍ଥ ଛାଡ଼ି ଏହାର ଆଧ୍ୟାତ୍ମିକ ଅର୍ଥ ପ୍ରଚାର କରିବାପାଇଁ ‘ଅର୍ଥ-କୋଇଲି’ ରଚିତ ହୋଇଅଛି । କେଶବକୁ ଜୀବାତ୍ମା ଓ ମଥୁରାକୁ ପିଣ୍ତ ଅର୍ଥରେ ଗ୍ରହଣ କରିବାପାଇଁ ଜଗନ୍ନାଥ ଦାସ ଲେଖିଅଛନ୍ତି । ଜୀବାତ୍ମା ଚାଲିଯିବାରୁ ମଥୁରାସ୍ୱରୂପ ପିଣ୍ତ ପଡ଼ିରହିଲା- ଏପରି ଅର୍ଥ ‘କେଶବ ମଥୁରାକୁ ଗଲା’ କଥାର ଦିଆଯାଇଅଛି; କିନ୍ତୁ ‘ଗଲା’ କ୍ରିୟାପଦର ‘ପଡ଼ିରହିଲା’ ଅର୍ଥ କିପରି ହେବ ? ଜଗନ୍ନାଥ ଦାସଙ୍କ ଆବିର୍ଭାବ-କାଳକୁ କେଶବ- କୋଇଲି ବୋଧ ହୁଏ ହୋଇଥିଲା । ଏଣୁ ତାହାର ସହାୟତାରେ ନିଜ ମତ ପ୍ରତିଷ୍ଟିତ କରିବାପାଇଁ ଜଗନ୍ନାଥଦାସ ଟାଣିଓଟାରି ଅର୍ଥ କରିଥିବାର ଅନୁମିତ ହୁଏ । ପ୍ରାଚୀନ କାଳରୁ ବାସ୍ତବ ଘଟଣାକୁ ଆଧ୍ୟାତ୍ମିକତାବାଦରେ ପରିଣତ କରିବାପାଇଁ ଭାଗବତରେ ପ୍ରୟାସ ଚାଲିଥିଲା । ସେଥିପାଇଁ ରାମାୟଣର ଗଳ୍ପରୁ ‘ଆଧ୍ୟାତ୍ମିକ ରାମାୟଣ’ ଓ ’ଯୋଗବାଶିଷ୍ଠ ରାମାୟଣ’ ସଂସ୍କୃତରେ ଲେଖା ହୋଇଅଛି ଏବଂ କୁରୁ ଓ ପାଣ୍ତବ ଯଥାକ୍ରମରେ ଶରୀର ଓ ମନର ଗୁଣ ବୋଲି ମହାଭାରତରେ କୁହାଯାଇଅଛି । କିନ୍ତୁ ଆମର ମନେ ରଖିବା ଉଚିତ ଯେ, ବାସ୍ତବ ଘଟନା ନ ଦେଖିଲେ ମାନସିକ କଳ୍ପନା ଉପୁଜେ ନାହିଁ । ଯାହା ହେଉ, ଜଗନ୍ନାଥଦାସଙ୍କ ଅର୍ଥ-କୋଇଲିରୁ ଅନୁମିତ ହେଉଅଛି ଯେ ଜଗନ୍ନାଥଦାସଙ୍କ ଶହେ ବର୍ଷ ପୂର୍ବରୁ ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭରେ ‘କେଶବ-କୋଇଲି’ ରଚିତ ହୋଇଥିବ । ନୋହିଲେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭକୁ ଏହା ଜନପ୍ରିୟ ହୋଇ ପାରି ନ ଥାନ୍ତା । ସାରଳାଦାସଙ୍କ ମହାଭାରତରେ ବ୍ୟବହୃତ ଭାଷା ଅପେକ୍ଷା କେଶବ-କୋଇଲିର ଭାଷା ମାର୍ଜିତତର-। ଏଣୁ ମହାଭାରତର ପରବର୍ତ୍ତୀ ଯୁଗରେ କେଶବ-କୋଇଲି ରଚିତ ବୋଲି କହିବା ଯଥାର୍ଥ ନୁହେଁ । କାରଣ ପ୍ରତ୍ୟେକ ଭାଷାରେ ଉପଭାଷା (dialect) ଥାଏ ଓ ଆଧୁନିକ ଓଡ଼ିଆ-ଭାଷାରେ ମଧ୍ୟ ଅଛି । ଏଣୁ ମହାଭାରତର ଭାଷା ଏକ ସମ୍ପ୍ରଦାୟର ଓ କେଶବ-କୋଇଲିର ଭାଷା ଅନ୍ୟ ସଂପ୍ରଦାୟର ବୋଲି କହିବାକୁ ହେବ ।

 

ନାୟକମାନେ ହଂସ ବା ମେଘ ହାତରେ ନିଜର ସନ୍ଦେଶ ନାୟିକାଙ୍କ ପାଖକୁ ପଠାଇଥିବାରୁ ସଂସ୍କୃତ-ସାହିତ୍ୟରେ ହଂସଦୂତ ବା ମେଘଦୂତ ନାମକ କାବ୍ୟମାନ ରଚିତ ହୋଇଥିଲା । କିନ୍ତୁ କୋଇଲିକୁ ସମ୍ୱୋଧନ କରି ଅନ୍ତରବେଦନା ଅଭିବ୍ୟକ୍ତ କରିବା ଓଡ଼ିଆ-ସାହିତ୍ୟର ଗୋଟିଏ ବିଶିଷ୍ଟତା । ପ୍ରାଚୀନ କାଳରେ ସତ୍‌ପଥାଚାରୀ କୋକିଳ ସମ୍ପ୍ରଦାୟ ଥିବାର ସଂସ୍କୃତ ‘ମୃଚ୍ଛକଟିକ’ ନାଟକରୁ ପ୍ରମାଣ ମିଳେ । ଆମ ଦେଶରେ ପ୍ରବାଦ ଅଛି ଯେ ନିମ୍ୱ-ଫୁଲ ଫୁଟିଲେ ତାହା ଖାଇବାପାଇଁ କୋଇଲି ଆସେ ଓ ବଉଳି ନଥିବା ଆମ୍ୱଗଛରେ ବସି ରାବିଲେ ବଉଳ ଆସେ । ମଧୁ-କାଳରେ ନିମ୍ୱ-ଫୁଲ ଫୁଟେ ଓ ଆମ୍ବଗଛ ବଉଳେ । ଆମ୍ୱଗଛକୁ ସହକାର କହନ୍ତି । ଜୀବନରେ ସଙ୍ଗୀ ଓ ସଙ୍ଗନୀରୂପରେ ବାସ କରିବାପାଇଁ ଏ ଗଛ ଶିଖାଇଥିଲା । ସେଥିପାଇଁ ଆମ୍ୱଗଛ ମୂଳରେ ଶଶୀସେଣା ଓ ଅହିମାଣିକ୍ୟର ବିବାହ ହୋଇଥିଲା ବୋଲି ଶଶୀସେଣା ଗଳ୍ପରେ କଥିତ ଅଛି ଏବଂ ବିବାହାଦି ଶୁଭକାର୍ଯ୍ୟରେ ଆମ୍ୱଡ଼ାଳ ବ୍ୟବହାର କରାଯାଏ-। ନିମ୍ୱର ଫୁଲ ଓ ଫଳ ଖାଇଲେ ପିତା ଲାଗେ ଓ ଫଳ ରସହୀନ । ଯେଉଁମାନେ ଶରୀରକୁ ତିକ୍ତ ମଣି ତପସ୍ୟାରେ କାୟକ୍ଳେଶ ମଧୁକାଳରେ ବରଣ କରୁଥିଲେ, ସେମାନଙ୍କ ସନ୍ତାନ ସମାଜରେ ଅପଦାର୍ଥ ହେଉଥିଲେ; କିନ୍ତୁ ସଙ୍ଗୀ ଓ ସଙ୍ଗୀନୀ ହୋଇ ଯେଉଁମାନେ ବାସ କରୁଥିଲେ, ସେମାନଙ୍କ ସନ୍ତାନମାନେ ରସାଳ ହୋଇ ସମାଜରେ ଆଦର ଲଭୁଥିଲେ । ଏଣୁ ନିମ୍ନ-ଧର୍ମ ବା ମାୟାବାଦ ତ୍ୟାଗ କରି ଆମ୍ୱ-ଧର୍ମ ଗ୍ରହଣ କରିବାପାଇଁ କୋକିଳ-ସଂପ୍ରଦାୟ ପ୍ରଚାର କରିଥିବାର ପ୍ରବାଦରୁ ଜଣାଯାଏ । ରାମାୟଣରେ ସୁସନ୍ତାନ ପ୍ରସବିନୀ ନାରୀକୁ ଆମ୍ର-ବୃକ୍ଷ ରୂପରେ ଦଶରଥ ବର୍ଣ୍ଣନା କରିଥିବାର ଉକ୍ତ ଅଛି । ସନ୍ତାନକାମୀ କୋକିଳ ସନ୍ତାନହରା ମାତାର ଦୁଃଖ ହରଣ କରିପାରିବ-ଏହା ଆଶା କରି ଯଶୋଦା କୋଇଲିଠାରୁ ଅନ୍ତର-ବେଦନା ଅଭିବ୍ୟକ୍ତ କରୁଅଛନ୍ତି । ଯେଉଁମାନେ ମାୟାବାଦୀ ଥିଲେ, ସେମାନଙ୍କ ପ୍ରତୀକସ୍ୱରୂପ ଜଗନ୍ନାଥଙ୍କ ମୂର୍ତ୍ତି ନିମ୍ୱ-କାଠରେ ତିଆରି ହେଉଅଛି-। ମାୟାବାଦୀ ଦୈତ୍ୟ ‘ଦଇତା’ ନାମରେ ଅଭିହିତ ।

 

ଚଉତିଶା ନିୟମରେ ଓଡ଼ିଆରେ ଅନେକ ଗୀତି-କବିତା ରଚିତ ହୋଇଅଛି; କିନ୍ତୁ ‘କେଶବ-କୋଇଲି’ରେ ବ୍ୟବହୃତ ଛନ୍ଦପରି ଅନ୍ୟ କୌଣସି ଚଉତିଶାରେ ବ୍ୟବହୃତ ଛନ୍ଦ ତେତେ ପ୍ରାଚୀନ ନୁହେଁ । ଏହାର ପ୍ରତ୍ୟେକ ପଦର ପ୍ରତ୍ୟେକ ଚରଣରେ ଗୋଟିଏ ଗୋଟିଏ ପୂର୍ଣ୍ଣବାକ୍ୟ ଅଛି; କିନ୍ତୁ କୌଣସି ପଦରେ ପ୍ରଥମ ଚରଣର ପର୍ବ ଓ ବର୍ଣ୍ଣସଂଖ୍ୟା ସଙ୍ଗେ ଦ୍ୱିତୀୟ ଚରଣର ପର୍ବ ଓ ବର୍ଣ୍ଣସଂଖ୍ୟା ସମାନ ନୁହେଁ :

 

‘‘କୋଇଲି ! କେଶବ ଯେ ମଥୁରାକୁ ଗଲା ।

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା, ଲୋ କୋଇଲି !’’

 

ଏଠାରେ ପ୍ରଥମ ଚରଣର ଆଦ୍ୟ ପର୍ବରେ ଚାରି ବର୍ଣ୍ଣ ଓ ଦ୍ୱିତୀୟ ପର୍ବରେ ଛଅ ବର୍ଣ୍ଣ ଅଛି-। କିନ୍ତୁ ଦ୍ୱିତୀୟ ଚରଣର ପ୍ରଥମ ପର୍ବରେ ଛଅ ବର୍ଣ୍ଣ, ଦ୍ୱିତୀୟ ପର୍ବରେ ଦୁଇ ବର୍ଣ୍ଣ ଓ ତୃତୀୟ ପର୍ବରେ ଛଅ ବର୍ଣ୍ଣ ଅଛି । ଅର୍ଥାତ୍ ଦ୍ୱିପର୍ବା ପ୍ରଥମ ଚରଣରେ ଦଶ ଅକ୍ଷର ଓ ତ୍ରିପର୍ବା ଦ୍ୱିତୀୟ ଚରଣରେ ଚଉଦ ଅକ୍ଷର ବ୍ୟବହୃତ ହୋଇଅଛି । ଏଣୁ ଏ ଛନ୍ଦ ଢଗର ଛନ୍ଦପରି; ଯଥା :-

 

‘‘ତୁଚ୍ଛାକୁ ଏତେ,

ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ? ’’

 

ଦେଶର ପ୍ରାଚୀନ ସାହିତ୍ୟ ହୃଦୟଙ୍ଗମ କରିବାକୁ ହେଲେ ସେକାଳର ରାଜନୈତିକ ଓ ସାମାଜିକ ଅବସ୍ଥା ସହିତ ପରିଚିତ ହେବା ଉଚିତ । ଗଙ୍ଗ-ବଂଶର ରାଜତ୍ୱ ଉତ୍ତାରୁ ଓଡ଼ିଶାରେ ସୂର୍ଯ୍ୟବଂଶର ରାଜତ୍ୱ ଆରମ୍ଭ ହେଲା । ପ୍ରଥମ ଗଙ୍ଗ-ରାଜା ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱକାଳରେ ପୁରୀରେ ଜଗନ୍ନାଥଙ୍କ ମନ୍ଦିର ତୋଳାହେଲା । ଓଡ଼ିଶାର ଗଙ୍ଗ-ବଂଶର କୌଣସି କୌଣସି ରାଜା ନରସିଂହଦେବ ବା ପୁରୁଷୋତ୍ତମଦେବ ନାମ ଗ୍ରହଣ କରିଥିଲେ । ଏଣୁ ଏମାନେ ଭାଗବତ-ଧର୍ମବଲମ୍ବୀ ଥିବାର ଅନୁମିତ ହୁଏ । ଭଗବଦ୍‌ଗୀତାରେ ବ୍ୟସ୍ତତ୍ୱର ଉନ୍ନତିପାଇଁ ଉଚ୍ଚତମ ମୂଲ୍ୟ ନିର୍ଦ୍ଧାରଣ କରାଯାଇଅଛି । ଗଙ୍ଗରାଜାମାନେ ପଣ୍ଡିତ, ବୁଦ୍ଧିମାନ୍‌ବ୍ୟକ୍ତିଙ୍କୁ ସମ୍ମାନ କରୁଥିଲେ । ସେଇଥିପାଇଁ ସେମାନେ ବ୍ରାହ୍ମଣମାନଙ୍କୁ ପ୍ରଚୁର ଗ୍ରାମ ଦାନ କରୁଥିଲେ । କୋଣାର୍କ-ମନ୍ଦିର ତୋଳା, ସମ୍ୱନ୍ଧରେ ଯେଉଁ ପ୍ରବାଦ ପ୍ରଚଳିତ ଅଛି, ତହିଁରୁ ଜଣାଯାଏ ଯେ ସେତେବେଳେ ଓଡ଼ିଶାରେ ଜନସାଧାରଣଙ୍କ ଚିତ୍ତକୁ ସାମ୍ୟବାଦ ଆଲୋଡ଼ିତ କରିଥିଲା । ‘‘ବାରଶହ ବଢେଇର ପ୍ରୟୋଜନ କି ଗୋଟିଏ ପୁଅର ପ୍ରୟୋଜନା ?’’ – ପ୍ରତିଭାର ମୂଲ୍ୟ ସ୍ୱୀକାର ନ କରିବାପାଇଁ ଏ ପ୍ରଶ୍ନ ଉଠିଥିଲା । ବାରଶହ ବଢେଇ ବାର ବର୍ଷରେ ଦେଉଳର ମୁଣ୍ତି ମାରି ପାରି ନ ଥିଲେ । ଏକା ଧର୍ମା ଦିନକ ଭିତରେ ମୁଣ୍ତି ମାରିଥିଲା । କିନ୍ତୁ ଈର୍ଷାପରବଶ ହୋଇ ସ୍ୱାର୍ଥହାନି ଆଶଙ୍କାରେ ଧର୍ମାର ପ୍ରତିଭାକୁ ସମ୍ମାନ ଦେଖାଇବାପାଇଁ ଅନ୍ୟ କାରିଗରମାନେ କୁଣ୍ଠିତ ହୋଇଥିଲେ । ଲୋକଙ୍କ ସତ୍ତ୍ୱ-ଗୁଣ ଲୋପ ପାଇଲେ ତମୋଗୁଣର ବୃଦ୍ଧି ହୋଇ ଦେଶର ଅବନତି ଘଟେ । କୋଣାର୍କ-ମନ୍ଦିରର ଶିଳ୍ପରେ ଦେଶର ପ୍ରାଚୀନ ଶିଳ୍ପକଳାର ଅବନତି ପରିସ୍ଫୁଟ ହେଉଅଛି । ପ୍ରତିବାସୀ ରାଜ୍ୟମାନଙ୍କରେ ମୁସଲମାନ-ଧର୍ମର ପ୍ରଥାକୁ ନିମ୍ନଶ୍ରେଣୀର ହିନ୍ଦୁମାନେ ଆଦର କରି ମୁସଲମାନ-ଧର୍ମ ଗ୍ରହଣ କରୁଥିଲେ । ସେ ଧର୍ମରେ ବଡ଼-ସାନର ଭେଦ ନାହିଁ । ଏ ଦେଶକୁ ଗଙ୍ଗ-ରାଜତ୍ୱରେ ମୁସଲମାନମାନେ ଆକ୍ରମଣ କରୁଥିଲେ । ସେମାନଙ୍କ ଉତ୍ତେଜନାରେ ଓଡ଼ିଶାର ଜନସାଧାରଣ ବୋଧ ହୁଏ ବିଦ୍ରୋହୀ ହୋଇଉଠିଥିଲେ । ଏହି ବିଦ୍ରୋହ ଦମନ କରି କପିଳେନ୍ଦ୍ରଦେବ ସୂର୍ଯ୍ୟ-ବଂଶର ରାଜତ୍ୱ ପ୍ରତିଷ୍ଠିତ କରିଥିବାର ଅନୁମିତ ହୁଏ । ଗଙ୍ଗମାନେ ସୋମବଂଶୀ ଥିଲେ । ବୈଦିକ ଅଶ୍ୱିନ୍ ବା ଅଶ୍ୱଜାତିର ଯେଉଁ ପୁରୁଷମାନେ ସୋମ-ରସ ପାନକରି ବିଭିନ୍ନ ନଦୀର ଉପତ୍ୟକାରେ ଗଙ୍ଗାମତ ପ୍ରଚଳିତ କରିଥିଲେ, ଗଙ୍ଗମାନେ ସେମାନଙ୍କ ବଂଶଧର ।

 

ସାରଳା ଦାସ

କପିଳେନ୍ଦ୍ରଦେବ ୧୪୩୫ରୁ ୧୪୬୯ ଖ୍ରୀଷ୍ଟାବ୍ଦପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏ ଦେଶରେ କଥା ଅଛି ‘‘କାଶିଆ କପିଳା ଭେଟ ନାହିଁ ।’’ ଏଥିରୁ ଗଳ୍ପର ସୃଷ୍ଟି ହୋଇଅଛି ଯେ କାଶୀ ମିଶ୍ର ନାମକ ଜଣେ ଅପୁତ୍ରିକ ବ୍ରାହ୍ମଣର ଗୃହରେ କପିଳେନ୍ଦ୍ର ବାଲ୍ୟକାଳରେ ଚାକର ରହି ଗୋରୁ ଚରାଉଥିଲେ । ଦିନେ ଗୋରୁ ଘେନି ଯଥାକାଳରେ ଘରକୁ ନ ଫେରିବାରୁ କାଶୀ ମିଶ୍ରେ ଖୋଜିବାକୁ ଯାଇ ଗୋଟିଏ ଗଛମୂଳରେ କପିଳେନ୍ଦ୍ର ଶୋଇଥିବାର ଓ ଗୋଟିଏ ନାଗସାପ କପିଳେନ୍ଦ୍ରଙ୍କ ମୁଣ୍ତ ଉପରେ ଫଣା ଟେକି ରହିଥିବାର ଦେଖିଲେ । କାଶୀ ମିଶ୍ରଙ୍କୁ ଦେଖି ସାପଟି ଅପସରିଗଲା । ମିଶ୍ରେ କପିଳେନ୍ଦ୍ରଙ୍କୁ ଡ଼ାକି ଉଠାଇଲେ ଓ ଗୋରୁ ଧରି ଦୁହେଁ ଘରକୁ ଫେରିଲେ । ତତ୍ପରେ କପିଳେନ୍ଦ୍ର ରାଜଗୃହରେ ଚାକିରି ପାଇ ଧୀରେ ଧୀରେ ରାଜପଦକୁ ଉନ୍ନୀତ ହେଲେ; କିନ୍ତୁ କାଶୀ ମିଶ୍ରଙ୍କ ସହିତ ତାଙ୍କର ଆଉ ଭେଟ ହୋଇନାହିଁ ।

 

ଶୁକ୍ଳ କାଶ-ଫୁଲରୁ ‘କାଶୀ’ ନାମରେ ଉତ୍ପତ୍ତି । ଆଲୋକରୁ ବିଶ୍ୱର ସୃଷ୍ଟି ଘଟିଥିବାର ବ୍ରାହ୍ମଣମାନେ କହି ‘କାଶୀ’ ହୋଇଥିଲେ । ରକ୍ତ ଓ ଶୁକ୍ଳ ବା ପ୍ରକୃତି ଓ ପୁରୁଷର ସଂଯୋଗରେ ବିଶ୍ୱର ଉତ୍ପତ୍ତି ବୋଲି କପିଳ କହିଥିଲେ । ଏଣୁ ଓଡ଼ିଆରେ ଫକାଳିଆ ଲାଲବର୍ଣ୍ଣକୁ କପିଳା କହନ୍ତି । ବୁଦ୍ଧଦେବ ବୁଦ୍ଧତ୍ୱ ପ୍ରାପ୍ତ ହେଲାବେଳେ ତାହାଙ୍କୁ ବାସୁକି-ନାଗ ରକ୍ଷା କରିଥିବାର ପ୍ରବାଦ ଅଛି । ଏହାଙ୍କୁ ‘‘ଅମୋଘସିଦ୍ଧି’’ ବୁଦ୍ଧ କହନ୍ତି । ଅଷ୍ଟମ ଶତାବ୍ଦୀର ଏପରି ବୁଦ୍ଧମୂର୍ତ୍ତି କଟକ ଜିଲାରୁ ସଂଗୃହୀତ ହୋଇ ଭୁବନେଶ୍ୱରର ମ୍ୟୁଜିୟମରେ ସଂରକ୍ଷିତ ଅଛି । ବୌଦ୍ଧମତ ସହିତ କପିଳଙ୍କ ସାଂଖ୍ୟ-ମତର ବହୁ ସାମଞ୍ଜସ୍ୟ ଅଛି । କପିଳଙ୍କ ସାଂଖ୍ୟ-ମତକୁ ସୂର୍ଯ୍ୟ ବା ଜ୍ଞାନବାଦ କୁହାଯାଏ ଓ ଏହି ମତରୁ ଭକ୍ତି-ଧର୍ମର ଉତ୍ପତ୍ତି ଘଟିଅଛି । ଜଗନ୍ନାଥଙ୍କ ମନ୍ଦିରର ଶିଳା-ଲିପିରେ କପିଳେନ୍ଦ୍ର ଦେବ କହିଅଛନ୍ତି, ‘‘ଠାକୁର ଯାହା ଆଜ୍ଞା କରନ୍ତି, ତାହା ମୁଁ କରେ ।’’ ଏଥିରୁ ଜଣାଯାଏ, ସେ ଭକ୍ତି-ଧର୍ମ ଗ୍ରହଣ କରିଥିଲେ । ତାଙ୍କର ‘ବିରୁଦ’ ମଧ୍ୟ ସେ ଭକ୍ତି-ଧର୍ମ ଗ୍ରହଣ କରିଥିବାର ସୂଚନା କରୁଅଛି । ‘‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକକଳେବର୍ଗେଶ୍ୱର’’ ବିରୁଦଟି ସେ ବ୍ୟବହାର କରୁଥିଲେ-

 

ଗଜପତିର ଅର୍ଥ ସିଂହ ନା ଉଡ଼୍ଡ଼ୀୟାନ ବନ୍ଧ । ‘ଗୌଡ଼’ ଶବ୍ଦ ଗୁଡ଼-ଶବ୍ଦରୁ ଉତ୍ପନ୍ନ ହାଇଥିବାରୁ ତାହା ମାଧୁର୍ଯ୍ୟ-ଭକ୍ତିର ପରିଚାୟକ । ନନ୍ଦ-ରାଜା ‘‘ନବକୋଟି ଶତେଶ୍ୱର’’ ଉପାଧି ଗ୍ରହଣ କରିଥିବାର ‘ମୁଦ୍ରାରାକ୍ଷସ’ରୁ ଜଣାଯାଏ । ବୁଦ୍ଧଦେବ କୋଟି-ଗ୍ରାମ ପରିଦର୍ଶନ କରିଥିଲେ ଓ ମୟୂରଭଞ୍ଜର ସୂର୍ଯ୍ୟ-ବଂଶର ପ୍ରତିଷ୍ଠାତା ବୀରଭଦ୍ର କୋଟି-ଗ୍ରାମରେ ବାସ କରୁଥିଲେ । ‘କର୍ଣ୍ଣାଟ’ ନାମଟି ସଙ୍ଗୀତର ପରିଚାୟକ । ‘କଳବର୍ଗ’ର ଅର୍ଥ ପ୍ରବର୍ଗ୍ୟ-ବିଦ୍ୟା ବା ପ୍ରାଣାୟାମ ଯୋଗସାଧନା । ଏପରି ସବୁଧର୍ମପ୍ରତି ତାଙ୍କର ଭକ୍ତି ଥିଲା ଓ ଯେଉଁ ଦେଶକୁ ଯାଉଥିଲେ, ସେ ଦେଶରେ ପ୍ରଚଳିତ ଧର୍ମପ୍ରତି ଭକ୍ତି ଦେଖାଇ ସେ ଦେଶକୁ ସହଜରେ ଜୟ କରିପାରୁଥିଲେ । ରାମାୟଣରେ ସୁଭଦ୍ରାଙ୍କ ‘କୋଟି’ ଉଲ୍ଲେଖ କରାଯାଇଥିବାରୁ ନବକୋଟିର ଅର୍ଥ ତାନ୍ତ୍ରିକ ନବଗଙ୍ଗା ବା ମାତୃକା-ପୂଜାକୁ ନିର୍ଦ୍ଦେଶ କରୁଅଛି । ଏପରି ବିଶ୍ୱମୈତ୍ରୀର ଉପାସକ କପିଳେନ୍ଦ୍ରଦେବଙ୍କ ରାଜତ୍ୱକାଳରେ ସାରଳା ଦାସଙ୍କର ଆବିର୍ଭାବ ଘଟିଥିବାର ସ୍ୱୟଂ କବି ନିଜ ରଚିତ ମହାଭାରତରେ ଉଲ୍ଲେଖ କରିଅଛନ୍ତି :-

 

‘‘କଳିକାଳ-ଧ୍ୱଂସନକୁ ଭୋଗ ଗୋଟି ପୂଜା ।

ପ୍ରଣମିତେ ଖଟଇ ଯେ କପିଳେଶ୍ୱର ରଜା ।।

 

ଏ ଉକ୍ତିରୁ ଜଣାଯାଏ ଯେ ଭକ୍ତି-ଧର୍ମ ଗ୍ରହଣ କରିଥିବା କପିଳେନ୍ଦ୍ରଦେବଙ୍କ ରାଜତ୍ୱକାଳରେ କବିଙ୍କର ଆବିର୍ଭାବ ଘଟିଥିଲା । ସାଂଖ୍ୟ-ପ୍ରଣେତା କପିଳଙ୍କ ସମ୍ୱନ୍ଧରେ ପ୍ରଚଳିତ ଥିବା ପାରମ୍ପରିକ କିଂବଦନ୍ତୀ କପିଳେନ୍ଦ୍ରଙ୍କଠାରେ ବୋଧ ହୁଏ ଆରୋପ କରାଯାଇଅଛି । କପି ବା ହନୁମାନଙ୍କ ଧର୍ମକୁ ବୋଧ ହୁଏ ‘କପିଳ’ କୁହାଯାଏ । କପି ବା ହନୁମାନ ବ୍ରାହ୍ମଣ-ବିରୋଧୀ ଓ ଭକ୍ତି-ଧର୍ମ-ପରାୟଣ ଥିବାର ରାମାୟଣରୁ ଜଣାଯାଏ । କପିଳ-ମତାବଲମ୍ବାମାନେ ବ୍ରାହ୍ମଣମାନଙ୍କ ଯଜ୍ଞର ପଶୁବଳିକୁ ଭିନ୍ନ ଅର୍ଥରେ ଗ୍ରହଣ କରିଅଛନ୍ତି । ତାଙ୍କ ମତରେ ପଶୁକୁ ସଂସ୍କାର କରି ଯଜ୍ଞରେ ବଧ ନ କରି ଛାଡ଼ିଦେବ । ଗଙ୍ଗ-ରାଜତ୍ୱରେ ଅନେକ ଯଜ୍ଞାନୁଷ୍ଠାନ କରାଯାଉଥିଲା । କପିଳେନ୍ଦ୍ର ତାହା ରହିତ କରି ଭକ୍ତି-ଧର୍ମକୁ ପୁନର୍ଜୀବିତ କରିଥିଲେ ।

 

‘‘ଜନ୍ମେ କୃଷିକାରୀ ନ ଜାଣେ ଶାସ୍ତ୍ରବିଧି’’- ଏ କଥା ସାରଳାଦାସ ନିଜ ଗ୍ରନ୍ଥରେ ଲେଖିଥିବାରୁ କେହି କେହି ଅନୁମାନ କରନ୍ତି ଯେ ସାରଳାଦାସ ଜାତିରେ ଚଷା ଥିଲେ । କୃଷିକାରୀର ଅର୍ଥ ଚାଷ ବ୍ୟବସାୟୀ ଓ ଚାଷବ୍ୟବସାୟ ବର୍ତ୍ତମାନ କୌଣସି ଜାତିର ଏକଚାଟିଆ ବ୍ୟବସାୟ ନୁହେ । ବଳରାମଗୋତ୍ରୀ ବ୍ରାହ୍ମଣମାନେ କହନ୍ତି ଯେ ବଳରାମ ବା ହଳଧରଙ୍କର ନିର୍ଦ୍ଦେଶ ଅନୁସାରେ ସେମାନେ ହଳୁଆ-ବ୍ରାହ୍ମଣ ହୋଇ ଅଛନ୍ତି । ସାରଳାଦାସ ନିଜ ରଚିତ ଗ୍ରନ୍ଥମାନଙ୍କରେ ଲେଖିଥିବା ଅନ୍ୟାନ୍ୟ ଆତ୍ମ-ପରିଚୟ ଏବେ ବିଚାର କରାଯାଉ :-

 

‘‘ଉତ୍ତର ଝଙ୍କଡ଼ ନାମେ ଅଛି ଗ୍ରାମ-ଖଣ୍ତି ।

ବିଜେ ତହିଁ ମାହେଶ୍ୱରୀ ଶ୍ରୀସାରଳା-ଚଣ୍ତୀ ।।’’

X      X      X      X

‘‘ସେ ସାରଳା-ଚଣ୍ତୀ ସାକ୍ଷାତେ ଅଟଇ ବୈଷ୍ଣବୀ ।

ତାହାର ପୁତ୍ର ମୁହିଁ ସାରଳାଦାସ କବି ।।’’

X      X      X      X

‘‘ସେ ଯାହା କହନ୍ତି ମୋତେ ମୁହିଁ ତାହା ଲେଖେ ।।’’ (ମ:ଭା:ଆଦିପର୍ବ:)

‘‘ମୁହିଁ ସିଦ୍ଧେଶ୍ୱରଦାସ ମୂର୍ଖ ଅପଣ୍ତିତ ।’’

X      X      X      X

‘‘ରାମାୟଣ ନାମକୁ ନିରନ୍ତରେ ଘୋଷ ।

ଶ୍ରୀରାମଚରଣେ ଭଜେ ସିଦ୍ଧେଶ୍ୱର-ଦାସ ।।‘‘ (ବିଲଙ୍କା ରାମାୟଣ)

X      X      X      X

‘‘ପ୍ରଥମେ ରାମାୟଣ ଦ୍ୱିତୀୟେ ମହାଭାରତ !

ତୃତୀୟେ ଲେଖନ କଲଇ ମୁଁ ଭାଗବତ ।।’’ (ଚଣ୍ତୀ ପୁରାଣ)

X      X      X      X

‘‘ଚନ୍ଦ୍ରଭାଗା ନାମେ ଯେ ଏକଇ ନଦୀ ଗୋଟି ।

ବୃଦ୍ଧ ମତାଙ୍ଗ ପାରୁଶେ ମହୋଦଧିରେ ଯାଇ ଫୁଟି ।।

ସେ ନଦୀର ତୀରେ ପର୍ଶୂରାମ ଘାଟଇ ।

କନେକବତୀ ନାମେ ପାଟଣା ପ୍ରକାଶଇ ।।

‘‘ତହିଁର ଅନୁଜ ଯେ ଶାରୋଳ ବୋଲି ଗ୍ରାମେ ।

ବିଜେ ମାହେଶ୍ୱରୀ ସେ ଶାରୋଳ-ଚଣ୍ତୀ ନାମେ ।।’’

 

ଉଦ୍ଧୃତ ପଦମାନଙ୍କ ମଧ୍ୟରୁ ଶେଷ ଆଠୋଟି ଚରଣ ବା ଚାରିପଦ ‘‘ସାରଳା-ସ୍ମରଣିକା’ରେ ପ୍ରକାଶିତ ଶ୍ରୀଯୁକ୍ତ ବଂଶୀଧର ମହାନ୍ତିଙ୍କର ‘ସାରଳାଦାସ’ ଶୀର୍ଷକ ପ୍ରବନ୍ଧରୁ ଆଲୋଚନା ନିମନ୍ତେ ମୁଁ ଗ୍ରହଣ କରିଅଛି । ସାରଳାଦାସ ପ୍ରଥମେ ‘ରାମାୟଣ’ ଅର୍ଥାତ୍ ‘ବିଲଙ୍କା ରାମାୟଣ’ ଲେଖିସାରି ଦ୍ୱିତୀୟରେ ‘ମହାଭାରତ’ ଲେଖିଲେ । ତତ୍ପରେ ‘ଭାଗବତ’, ଅର୍ଥାତ୍ ‘ଚଣ୍ତୀ-ପୁରାଣ’ ଲେଖିଲେ ।

 

ଚଣ୍ତୀ-ପୁରାଣରେ ଭାଗବତ କାହିଁକି କୁହାଗଲା ? ମହାଭାରତ ଶାନ୍ତି ପର୍ବରେ (ଅ:୩୪୮,୭୧) ‘‘ସାଂଖ୍ୟଯୋଗେନ ତୁଲ୍ୟୋ ହି ଏକାନ୍ତ ସେବିତଃ’’ ବା ଏକାନ୍ତିକା ଭକ୍ତି ସାଂଖ୍ୟ-ଯୋଗର ସମାନ କୁହାଯାଇଥିବାରୁ ଓ ସାଂଖ୍ୟରେ ପ୍ରକୃତିର ପ୍ରାଧାନ୍ୟ ପ୍ରତିଷ୍ଠିତ କରାଯାଇ ତନ୍ତ୍ର-ମତ ପ୍ରଚାରିତ ହୋଇଥିବାରୁ ଚଣ୍ତୀ-ପୁରାଣକୁ ଭାଗବତ କହିବା ଅଯଥାର୍ଥ ନୁହେଁ । ଏହି ଯାଥାର୍ଥ୍ୟ ଯୋଗ୍ୟ ଯୋଗୁଁ ସଂସ୍କୃତରେ ‘ଦେବୀ-ଭାଗବତ’ ରଚିତ ହୋଇଅଛି । ରାମାୟଣରେ ( ବାଳକାଣ୍ତ ୪୦,୨୫) ମଧ୍ୟ ସାଂଖ୍ୟ-ପ୍ରଣେତା କପିଳଙ୍କୁ ବାସୁଦେବ କୁହାଯାଇଅଛି ଓ ବାସୁଦେବ ଭାଗବତମାନଙ୍କର ପରମ ଆରାଧ୍ୟ ଅଟନ୍ତି । ସିଦ୍ଧମାନଙ୍କ ମଧ୍ୟରେ କପିଳ ଶ୍ରେଷ୍ଠତମ ବୋଲି ଗୀତାରେ ଶ୍ରୀକୃଷ୍ଣ କହିଅଛନ୍ତି । ଏଣୁ କବିଙ୍କର ‘ସାରଳାଦାସ’ ଓ ‘ସିଦ୍ଧେଶ୍ୱରଦାସ’ ନାମ ଭାଗବତର ଭକ୍ତି-ଧର୍ମ କବି ଗ୍ରହଣ କରିଥିବାର ସୂଚନା କରୁଅଛି । ତାଙ୍କର ପ୍ରକୃତ ନାମ କଣ ଥିଲା, ତାହା ଜାଣିବାର ଉପାୟ ନାହିଁ ।

 

ବୈଦିକ ଋଷି ଶହେ ଶରଦ୍‌ ଦେଖିବାପାଇଁ ଓ ଶହେ ଶରଦ୍‌ ବଞ୍ଚିବାପାଇଁ ସ୍ତୁତି କରିଅଛନ୍ତି (ପଶ୍ୟେମ ଶରଣଂ ଶଂତ, ଜୀବନ ଶରଣଂ ଶତଂ ) । ଶରତ୍‌କାଳରେ ପ୍ରକୃତିର ପ୍ରଜନନଶକ୍ତିର ପରିଚୟ ନାନାବିଧ ପୁଷ୍ପଫଳରେ ପରିସ୍ଫୁଟ ହୁଏ । ଏହି ଶକ୍ତିର ନାମ ଶାରଦା ଓ ଏହାର ରୂପାନ୍ତର ସାରଳା । ପ୍ରଜନନ-ଶକ୍ତି ବିଶ୍ୱରେ ସର୍ବତ୍ର ବ୍ୟାପି ରହିଅଛି । ‘ବିଷ୍’ ଧାତୁର ଅର୍ଥ ବ୍ୟାପିବା ଏବଂ ଏହି ଧାତୁରୁ ନିଷ୍ପନ୍ନ ପୁରୁଷ-ଶକ୍ତିକୁ ବିଷ୍ଣୁ ଓ ନାରୀ-ଶକ୍ତିକୁ ବୈଷ୍ଣବୀ କହନ୍ତି । କିନ୍ତୁ ଏମାନଙ୍କ ବିରୋଧୀ ହର-ପାର୍ବତୀ । ପ୍ରଜନନ-ଶକ୍ତିକୁ ଚନ୍ଦ୍ର ମଧ୍ୟ କହନ୍ତି । ନାରୀମାନଙ୍କର ପ୍ରଜନନ-ଶକ୍ତିକୁ ଜନକ-ସମ୍ପ୍ରଦାୟର ମାନୁ ନ ଥିଲେ । ନାରୀମାନେ ଚଣ୍ଡୀ ବା ଉଗ୍ରସ୍ୱଭାବା ହେବାରୁ ସେ ସମ୍ପ୍ରଦାୟ ମାନିବାକୁ ବାଧ୍ୟ ହେଲେ । ଏପରି ଚନ୍ଦ୍ର ବା ପ୍ରଜନନ-ଶକ୍ତିର ଭାଗ ହେବାରୁ ଅନେକ ସ୍ଥାନର ନାମ ଭାରତରେ ବିଶେଷତଃ ଓଡ଼ିଶାରେ ଚନ୍ଦ୍ରଭାଗା ହୋଇଅଛି । ଝଙ୍କଡ଼ଠାରେ ଏକ ସ୍ଥାନର ନାମ ମଧ୍ୟ ଚନ୍ଦ୍ରଭାଗା ହୋଇଅଛି । ଓଡ଼ିଶାରେ ଅନେକ ସ୍ଥାନରେ ସିଦ୍ଧ ଥିଲେ ଓ ଅନେକ ଗ୍ରାମ ସିଦ୍ଧେଶ୍ୱରପୁର ନାମରେ ଅଭିହିତ ହେଉଅଛି । ଗ୍ରାମର ନାମ ‘ଝଙ୍କଡ଼’ ବୋଧ୍ୟ ହୁଏ ଝଙ୍କାରର ରୂପାନ୍ତର । ଝଙ୍କାରର ଅର୍ଥ ଝଂରବ କରିବା ଓ ରବ କରିବାରୁ ରାବଣ-ନାମ ହୋଇଥିବାର ରାମାୟଣରେ ଉକ୍ତ ଅଛି । ଜନକ-ସମ୍ପ୍ରଦାୟ ରାମାୟଣ ଲେଖିଥିବାରୁ ରାବଣର ଚରିତ୍ରକୁ ରାମାୟଣରେ ବିକୃତ କରିବାପାଇଁ ପ୍ରୟାସ କରାଯାଇଅଛି । କିନ୍ତୁ ତୀକ୍ଷଣ ଆଲୋଚନା କଲେ ଜଣାଯାଏ ଯେ ରାବଣ ସାଂଖ୍ୟବାଦୀ ଥିଲା । ମହୀଶୂରର ‘ରାବଲ’ ଯୋଗୀ ଓ ଝଙ୍କଡ଼ର ସାରଳା-ସେବକ ରାଉଳମାନେ ରାବଣ-ସମ୍ପ୍ରଦାୟର ବଂଶଧର ବୋଲି ଅନୁମିତ ହୁଅନ୍ତି । କୁମ୍ଭୀରମୁଖୀ ଅସୁରକୁ ଦମନ କରୁଥିବା ସାରଳାଙ୍କ ମୂର୍ତ୍ତି ଦେଖି ଅନୁମାନ କରାଯାଏ ଯେ ସେଠାରେ କୁମ୍ଭୀର-ସମ୍ପ୍ରଦାୟ ଗଜ ଅର୍ଥାତ୍‌ ନାରୀଙ୍କ ଉପରେ ଅତ୍ୟାଚାର କରୁଥିଲା । ରାଉଳମାନେ କୁମ୍ଭୀର-ସମ୍ପ୍ରଦାୟ ଦମନ କରିଅଛନ୍ତି । ମନ୍ଦିରଗାତ୍ରରେ ଥିବା କାର୍ତ୍ତିକେୟଙ୍କ ମୂର୍ତ୍ତିରେ ତାହାଙ୍କ ବାହନ ମୟୂରର ଥଣ୍ଟରେ ଗୋଟିଏ ସାପ ଅଛି । ପ୍ରାଣାୟାମଯୋଗସାଧକ ନାଗ-ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ଥିଲେ । ଏମାନେ ମଧ୍ୟ ନାରୀଙ୍କ ଉପରେ ଅତ୍ୟାଚାର କରୁଥିଲେ । କୁମାରମାନେ ସେମାନଙ୍କୁ ଅତ୍ୟାଚାରରୁ ଉଦ୍ଧାର କରିଥିଲେ । ସାରଳା ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ସପ୍ତମ ଶତାବ୍ଦୀର ପରବର୍ତ୍ତୀ କାଳରେ ଗଢାହୋଇ ନ ଥିବ । କାରଣ କାର୍ତ୍ତିକେୟଙ୍କ ଗାତ୍ରର ମସୃଣ ପରିଚ୍ଛଦ ଗୁପ୍ତ-ରାଜତ୍ୱର ଶିଳ୍ପକଳାର ନିଦର୍ଶନ । କିନ୍ତୁ ମନ୍ଦିରଟି ଆଧୁନିକ ଯୁଗରେ ତୋଳା ହୋଉଅଛି । ପ୍ରବାଦ ଅନୁସାରେ ଅନତିଦୂରରେ ପ୍ରାଚୀନ ମନ୍ଦିର ଭାଙ୍ଗିଯିବାରୁ ବର୍ତ୍ତମାନ ମନ୍ଦିରଟି ତୋଳା ହୋଇଅଛି । ସାରଳାଙ୍କ ଭକ୍ତ ଓ କୌଣସି ସିଦ୍ଧଙ୍କର ଶିଷ୍ୟ ହୋଇଥିବାରୁ ସେ ନିଜକୁ ବୋଧ ହୁଏ ସାରଳାଦାସ ଓ ସିଦ୍ଧେଶ୍ୱରଦାସ ନାମରେ ପରିଚିତ କରାଇଅଛନ୍ତି ।

 

‘ସାରଳା-ସ୍ମରଣିକା’ରେ ଶ୍ରଦ୍ଧେୟ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ସାରଳା ମହାଭାରତରେ ଐତିହାସିକ ଉପାଦାନ’ ଶୀର୍ଷକ ପ୍ରବନ୍ଧଟି ବଡ଼ ଉପାଦେୟ । ମହାଭାରତରେ କପିଳେଶ୍ୱର ଦେବଙ୍କ ନାମ କବି ଯଦି ଉଲ୍ଳେଖନ କରିଥାଆନ୍ତେ, ତେବେ ସମୁଦ୍ର ଗୁପ୍ତଙ୍କ ଦିଗ୍‌ବିଜୟ ସଙ୍ଗରେ ରଘୁବଂଶର ରଘୁଙ୍କ ଦିଗ୍‌ବିଜୟର ତୁଳନା କରି ସାମଞ୍ଜସ୍ୟ-ଦୃଷ୍ଟିରେ କାଳିଦାସଙ୍କ ଆବିର୍ଭାବ-କାଳ ନିରୂପଣ କଲାପରି କପିଳେନ୍ଦ୍ରଙ୍କ ଦିଗ୍‌ବିଜୟ ସହିତ ମହାଭାରତୋକ୍ତ ପାଣ୍ଡବଙ୍କ ସନ୍ଧାନରେ ଦୁର୍ଯ୍ୟୋଧନଙ୍କ ଚାରର ଦେଶଭ୍ରମଣ ତୁଳନା କରି ସାମଞ୍ଜସ୍ୟ-ଦୃଷ୍ଟିରେ ସାରଳାଦାସଙ୍କର କପିଳେନ୍ଦ୍ର ଦେବଙ୍କ ରାଜତ୍ୱରେ ଆବିର୍ଭାବ ଘଟିଥିଲା ବୋଲି ଆମେ ସିଦ୍ଧାନ୍ତ କରିପାରିଥାନ୍ତୁ । କପିଳେନ୍ଦ୍ରଦେବ ଯେଉଁସବୁ ଦେଶ ଜୟ କରିଥିଲେ, ସେସବୁର ନାମ ଶିଳାଲିପି, ମାଦଳା-ପାଞ୍ଜି ପ୍ରଭୃତିରେ ଓ ସାରଳାଦାସଙ୍କ ମହାଭାରତରେ ଉଲ୍ଳେଖ ଅଛି । ସେ କାଳରେ ଭୂଗୋଳ-ପୁସ୍ତକ ନ ଥିଲା ଓ ସଂସ୍କୃତ ପୁରାଣମାନଙ୍କରେ ଏସବୁ ନାମରେ ଉଲ୍ଳେଖ ନାହିଁ । ବିଜୟୋଲ୍ଲାସରେ ସ୍ଫୀତ ହୋଇ ଦେଶରେ ନବଜୀବନ ସଞ୍ଚାରିତ ହୋଇଥିଲା । ଏଣୁ ସମସାମୟିକ ଘଟନାର ଅବଲମ୍ବନରେ କବି ମହାଭାରତ ରଚନା କରିଥିବେ । ସେ ସଂସ୍କୃତ ମହାଭାରତକୁ ଅନୁବାଦ କରି ନ ଥିବାରୁ ଆମେ ଉକ୍ତ ଅନୁମାନ କରିପାରୁଅଛୁ । ତଳେ ଶ୍ରଦ୍ଧେୟ ପାଣିଗ୍ରାହୀଙ୍କ ଲେଖା ଉଦ୍ଧାର କରାଯାଉଅଛି ।

 

‘ବିରାଟ-ପର୍ବ’ରେ ଦକ୍ଷିଣ ଦିଗର ଚାର ପାଣ୍ଡବମାନଙ୍କ ସନ୍ଧାନ ନ ପାଇ ସେ ଯେଉଁ ଦେଶ ବୁଲିଥିଲା, ତାହା ଦୁର୍ଯ୍ୟୋଧନଙ୍କୁ କହୁଅଛି :-

 

‘‘କଳିଙ୍ଗ ମଗଧ ଆଉ ବେଳା ଗୁଜୁରାଟ,

ମହୀନ୍ଦ୍ର ଚିରାବିଚିରା ଆବର ମହଟ ।

କନାଉଜ ଉଦେଗିରି ପୁଣି ଚନ୍ଦ୍ରଗିରି,

କାଞ୍ଚି ଚନ୍ଦ୍ରପୁର ଆଉ ଉତ୍ତମ କାବେରୀ ।

ଚୌରମଣ୍ଡଳ କୋଶଳମଣ୍ଡଳ ମଲ୍ଳିକା,

ପାଣ୍ଡବନଗର କୃଷ୍ଣାବେଣୀ ଷଡ଼ଞ୍ଚିକା ।’’

X      X      X

ନାଟ ଚେଡ଼ଙ୍ଗ ଅବନ୍ତୀ ଆବର କାମାକ୍ଷୀ,

ତରତର କୁଣ୍ଡାଦେବି ପୁଣି ମଙ୍ଗଳାକ୍ଷୀ ।’’

ପୂର୍ବ ଦିଗର ଚାଉ କହୁଛି :-

‘‘ତୁଳସାଦେବପୁର ଯେ ପୁଣି ଭ୍ରତଖଣ୍ଡ,

ଜମ୍ୱୁରାଷ୍ଟ୍ର ଉଡ଼ରାଷ୍ଟ୍ରି ସ୍ୱର୍ଣ୍ଣ ମାରତଣ୍ଡ ।’’

ଉତ୍ତର ଦିଗର ଚାର କହୁଛି :-

‘‘ଶାଖାପୁର ଶ୍ରେଣୀପୁର ବୃନ୍ଦା ମହାରାଷ୍ଟ୍ର,

ସିନ୍ଧୁ ମନ୍ଦାର ମର୍ହଟ ପୁଣି ସଉରାଷ୍ଟ୍ର ।’’

ଭାନୁମତୀଙ୍କ ସ୍ୱୟମ୍ୱର ସଭାରେ ଉପସ୍ଥିତ ରାଜାମାନଙ୍କ ଦେଶର ନାମ :-

‘‘ଚିରଦେଶ ବୀରଦେଶ ମହାତୃଣ ଦେଶ,

ତ୍ରିମୁର୍ହୂର୍ତ୍ତ ଭୋଗକଟ ମନ୍ଦାର ନରେଶ ।

ମାଳବ ଦେଶ କୁଞ୍ଜର ଦେଶ ମରହଟ,

ମଗଧ ଦେଶ କର୍ଣ୍ଣାଟ ଦେଶ ସଉରାଷ୍ଟ୍ର ।

କାଞ୍ଚିନଗର ଉଦୟପୁର ଯେ ନଗର,

ବଡ଼ମ୍ୱା ନଗର ଆଉ ବିଜୟନଗର ।

କୁଣ୍ଡୀନଗର ମହେନ୍ଦ୍ରନଗର ଆବର,

ନୀଳ ଅନିଳ ଦେଶ ଯେ ପୁଣି ହିଁ ମନ୍ଦାର ।’’

 

ଟିପ୍‌ପଣୀ :-ମହୀନ୍ଦ୍ର =ମହେନ୍ଦ୍ର ନଗର=ଆଧୁନିକ ରାଜମହେଦ୍ରୀ । ଉଦେଗିରି, ଚନ୍ଦ୍ରଗିରି କର୍ଣ୍ଣାଟ ଓ କାଞ୍ଚି=ବିଜୟନଗର ସାମ୍ରାଜ୍ୟର ଉଦୟଗିରି ଓ ଚନ୍ଦ୍ରଗିରି ଅଞ୍ଚଳକୁ କର୍ଣ୍ଣାଟ ଦେଶ କୁହାଯାଉଥିଲା । କାଞ୍ଚିନଗର, ବା ଆଧୁନିକ କାଞ୍ଜିବେରମ୍‌ ଏହାର ରାଜଧାନୀ ଥିଲା । ଚୌରମଣ୍ଡଳ =ଚୋଳରାଜାଙ୍କ ଅଧିଷ୍ଠିତ ଦେଶ । ପାଣ୍ଡବ ନଗର =ପାଣ୍ଡ୍ୟ ରାଜ୍ୟ । କୃଷ୍ଣାବେଣୀ =କୃଷ୍ଣାନଦୀ । କୁଣ୍ଡାବେଦି=କୁଣ୍ଡବିଡ଼ୁ ଦୁର୍ଗ । ମଲ୍ଲିକା =ମାଳବ ଦେଶ=ଆଧୁନିକ ମଧ୍ୟଭାରତ । ଗୋପୀନାଥପୁରର ଶିଳାଲେଖ ଅନୁସାରେ କପିଳେନ୍ଦ୍ରଦେବ ମାଳବ ଦେଶ ଜୟ କରିଥିଲେ X      X X      X      X ମାଦଳା-ପାଞ୍ଜିରେ ଲେଖାଅଛି, କପିଳେନ୍ଦ୍ର ‘‘୨୧ ଅଙ୍କେ ମାଲକାକୁ ମାଇଲେ’’ (ମା ପା ପୃ ୪୦ ) । ମଲ୍ଲିକା, ମଲକା ଓ ମାଳବ –ଏକ ଦେଶର ବିଭିନ୍ନ ନାମ । କୁଣ୍ଡୀନଗର=ଦେବରକୁଣ୍ଡା ଦୁର୍ଗ । ମନ୍ଦାର=ମନ୍ଦାରନ୍‌ ଦୁର୍ଗ, ଦକ୍ଷିଣ-ପଶ୍ଚିମ ବଙ୍ଗର ଗଙ୍ଗାକୂଳରେ ଅବସ୍ଥିତ । ବଙ୍ଗର ସୁଲ୍‌ତାନ ନାସିରୁଦ୍ଦିନଙ୍କଠାରୁ ଛଡ଼ାଇ ଆଣି କପିଳେନ୍ଦ୍ର ଏହାକୁ ଓଡ଼ିଶା ସାମ୍ରାଜ୍ୟର ଅନ୍ତର୍ଭୂକ୍ତ କରିଥିଲେ । ତୁଳସାଦେବପୁର=ମାଦଳା-ପାଞ୍ଜି ଅନୁସାରେ ‘‘କପିଳେନ୍ଦ୍ର ୩ ଅଙ୍କେ ରାଜା ଗଙ୍ଗା-ସ୍ନାହାନକୁ ଗଲେ । ତୁଳସାପୁର ଶାସନ ସେଠାରେ ଦାନ କଲେ’’ (ମା.ପା.ପୃ ୪୪ ) । ତୁଳସାପୁର ବଙ୍ଗଦେଶର ଗଙ୍ଗାକୂଳରେ ଅବସ୍ଥିତ ଥିଲା ।

X                  X                  X                  X

 

ବିଜୟନଗରର ଇତିହାସରୁ ଜଣାଯାଏ, ସଙ୍ଗମ ବଂଶର ମଲ୍ଲିକାର୍ଜ୍ଜୁନ ଓ ବିରୂପାକ୍ଷ ରାଜାଦ୍ୱୟ ୧୪୪୬ ଠାରୁ ୧୪୮୫ ଶ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଜୟନଗରରେ ରାଜତ୍ୱ କରୁଥିଲେ । ଏମାନଙ୍କ ରାଜତ୍ୱ କାଳରେ ସାଲୁବ ନରସିଂହ ନାମକ ଜଣେ ଶାସନକର୍ତ୍ତା ଚନ୍ଦ୍ରଗିରି ରାଜ୍ୟ ବା କର୍ଣ୍ଣାଟ ରାଜ୍ୟରେ ବିଜୟନଗର ରାଜାଙ୍କ ପ୍ରତିନିଧିରୂପେ ଅବସ୍ଥାପିତ ହୋଇଥିଲେ । ଅବଶେଷରେ ସେ ସଙ୍ଗମ-ବଂଶ ତଡ଼ି ସାଲୁବ-ବଂଶ ସ୍ଥାପନ କଲେ ।

 

ଉଦୟଗିରି, ଚନ୍ଦ୍ରଗିରି, କୁଣ୍ଡାବେଦି ବା କୁଣ୍ଡବିଡ଼, ତୁଳସାପୁର ଓ ମନ୍ଦାର ପ୍ରଭୃତି ନାମର ଉଲ୍ଲେଖ କୌଣସି ପୁରାଣରେ ନାହିଁ । ବିଜୟୀ ବୀରମାନଙ୍କ ମୁଖରୁ ଏସବୁ ନାମ ଶୁଣି ନ ଥିଲେ ନିଜ ମହାଭାରତରେ ସେସବୁ ସାରଳାଦାସ ଉଲ୍ଲେଖ କରି ପାରି ନ ଥାନ୍ତେ । ସାରଳା ଦେବୀଙ୍କ ମନ୍ଦିରଠାରୁ ପ୍ରାୟ ଦୁଇମାଇଲ ଦୂରରେ କପିଳେନ୍ଦ୍ରଦେବଙ୍କର ଗୋଟିଏ ଶିଳା-ଲିପି ଥିବାର ଶୁଣାଯାଏ । ସେ ଅଞ୍ଚଳରୁ ବୋଧ ହୁଏ ବହୁ ଲୋକ କପିଳେନ୍ଦ୍ରଙ୍କ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ସେମାନଙ୍କ ସାହାଯ୍ୟର ସ୍ମାରକସ୍ୱରୂପ କୀର୍ତ୍ତି ସେ ଅଞ୍ଚଳରେ କପିଳେନ୍ଦ୍ରଦେବ ପ୍ରତିଷ୍ଠିତ କରିଥିବାର ଅନୁମାନ କରାଯାଇପାରେ ।

 

ଶ୍ରଦ୍ଧେୟ ପାଣିଗ୍ରାହୀ ଅନୁମାନ କରନ୍ତି ଯେ ସାଲୁବ ନରସିଂହଙ୍କ କନ୍ୟା ରୂପାମ୍ୱିକାଙ୍କୁ ପୁରୁଷୋତ୍ତମଦେବ ବିବାହ କରିଥିଲେ ଓ ତାହା ‘କାଞ୍ଚିକାବେରୀ’ କିଂବଦନ୍ତୀରେ ପରିଣତ ହୋଇଅଛି । ଅନୁମାନ ଅସଙ୍ଗତ ନୁହେଁ । କିନ୍ତୁ ସାଲୁବ ନରସିଂହଦେବଙ୍କ ପୁଅ କୃଷ୍ଣଦେବ ପୁରୁଷୋତ୍ତମ ଦେବଙ୍କ ପୁଅ ପ୍ରତାପରୁଦ୍ରଙ୍କ କନ୍ୟାକୁ ବିବାହ କରିଥିବାର ବିଜୟନଗରର ଇତିହାସରୁ ଜଣାଯାଏ । ତାହାହେଲେ କୃଷ୍ଣଦେବ ପିଉସା-ପୁଅ ଭାଇର କନ୍ୟା ବା ଝିଆରୀକୁ ବିବାହ କରିଥିଲେ । ଏପରି ବିବାହ-ପ୍ରଥା ଦାକ୍ଷିଣାତ୍ୟରେ ପ୍ରଚଳିତ ଥିବାର ପ୍ରମାଣ ସଂଗ୍ରହ କରିବାକୁ ହେବ । ଦାକ୍ଷିଣାତ୍ୟରେ ମାତୁଳ-କନ୍ୟା ବିବାହ କରିବା ପ୍ରଥା ପ୍ରଚଳିତ ଅଛି । ବିଜୟନଗରର ସଙ୍ଗମ-ବଂଶରେ ରାଣୀମାନଙ୍କର ହେମାମ୍ୱିକା, ନାରୟଣାମ୍ୱିକା ପ୍ରଭୃତି ନାମ ଥିଲା-। ଏଣୁ ସେ ବଂଶରେ ରୂପାମ୍ୱିକା ନାମରେ କନ୍ୟା ଥିବା ସମ୍ଭବପର ଅଟେ । ପ୍ରତାପରୁଦ୍ରଙ୍କ ମାତାଙ୍କ ନାମ ରୂପାମ୍ୱିକା । ସାଲୁବ-ବଂଶରେ ଏପରି ନାମ ବ୍ୟବହୃତ ହୋଇଥିବାର ପ୍ରମାଣ ମିଳେ ନାହିଁ । ବାହମନି-ବଂଶ ବିଜୟନଗର ଆକ୍ରମଣ କଲାବେଳେ ପୁରୁଷୋତ୍ତମଦେବ ସଙ୍ଗମ-ବଂଶର ରାଜାଙ୍କୁ ସାହାଯ୍ୟ କରିବାକୁ ଯାଇ ତାହାଙ୍କ କନ୍ୟାକୁ ବିବାହ କରିଥିବେ ।

 

ଆଉ ଗୋଟିଏ କଥା । ଓଡ଼ିଶାର କେତେ ଗଡ଼ଜାତରେ ରାଜା ଥିଲେ । ଭାନୁମତୀଙ୍କ ସ୍ୱୟଂବରରେ ଅନ୍ୟ କୌଣସି ଗଡ଼ଜାତର ରାଜା ଉପସ୍ଥିତ ଥିବାର ନ ଲେଖି କେବଳ ବଡ଼ମ୍ୱାର ରାଜା ଉପସ୍ଥିତ ଥିବାର ସାରଳାଦାସ ଲେଖିଲେ କାହିଁକି ? ବଡ଼ମ୍ୱାରୁ ପ୍ରାଚୀନ ଜୈନ ଓ ବୌଦ୍ଧ ମୂର୍ତ୍ତି ଆବିଷ୍କୃତ ହୋଇଥିଲେ ମଧ୍ୟ ଭଟ୍ଟାରିକା ଦେବୀଙ୍କ ପ୍ରାଚୀନ ମୂର୍ତ୍ତିବିଶେଷ ପ୍ରସିଦ୍ଧି ଲାଭ କରିଅଛନ୍ତି । କବି ନିଜେ ଦେବୀ-ଭକ୍ତ ଥିବାରୁ ସମଧର୍ମା ବଡ଼ମ୍ୱାର ରାଜାଙ୍କ ଗୌରବ ବଢାଇବାପାଇଁ ତାହାଙ୍କ ଉପସ୍ଥିତି ଲେଖିଅଛନ୍ତି । ସଂସ୍କୃତ ମହାଭାରତରେ ବିରାଟ-ରାଜାଙ୍କ ରାଣୀଙ୍କ ନାମ କୈକେୟୀ ଓ ପୁଅ ନାମ ଶଙ୍ଖ ବୋଲି ଉକ୍ତ ଅଛି । କେକା ବା ମୟୂରର ସ୍ୱରକୁ ଯେଉଁ ନାରୀମାନେ ଅନୁକରଣ କରି ରବ କରୁଥିଲେ, ସେମାନଙ୍କୁ କୈକେୟୀ କୁହାଯାଉଥିଲା । ଶଙ୍ଖ ବଜାଇଲେ କେବଳ ଗୋଟିଏ ସ୍ୱର ଜାତ ହେଉଥିବାରୁ ତାହା ସାହାଯ୍ୟରେ ସମଗ୍ର ବିଶ୍ୱ ଏକ ପ୍ରକୃତିର ବିରାଟ ଅଭିବ୍ୟକ୍ତି ବୋଲି ପ୍ରତିପାଦନ କରାଯାଉଥିଲା । ମୟୂରଭଞ୍ଜର ଖିଚିଙ୍ଗରୁ ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦୀର ଏକ ମୁଦ୍ରା ଆବିଷ୍କୃତ ହୋଇଅଛି । ତହିଁରେ ଶଙ୍ଖ-ସନ୍ତକ ଅଛି । ଖିଚିଙ୍ଗଠାରେ କୋହ୍ଳ-ରମଣୀମାନେ ମୟୂରପରି ରବ ଓ ନୃତ୍ୟ କରନ୍ତି । ଏଣୁ ଏହି ସ୍ଥାନକୁ ସାରଳାଦାସ ନିଜ ମହାଭାରତରେ ବିରାଟ-ରାଜ୍ୟ କହିଥିବା ଯଥାର୍ଥ ହୋଇଅଛି । ପୁଣି ଆଦିପର୍ବର ଆରମ୍ଭରେ ଓ ବିରାଟ- ପର୍ବରେ (ଦୁର୍ଯୋଧନଙ୍କୁ ଚାର- ବାର୍ତ୍ତାରେ) ସାରଳାଦାସ ଓଡ଼ିଶାର ଅବସ୍ଥିତି ବର୍ଣ୍ଣନା କରି ଅଛନ୍ତି:-

 

‘‘ଜମ୍ୱୁଦ୍ୱୀପ ଭ୍ରତଖଣ୍ଡେ ଉଡ଼୍ରରାଷ୍ଟ୍ର- ମଣ୍ଡଳେ ।

ଉତ୍ତରେଣ ଲିଙ୍ଗ ଯେ ଭୂରାଜ ନଦୀକୂଳେ ।।’’ (ଆ: ପ:)

‘‘ତୁଳସା ଦେବପୁର ଯେ ପୁଣି ଭତଖଣ୍ଡ ।

ଜମ୍ୱୁରାଷ୍ଟ୍ର ଉଡ଼୍ରରାଷ୍ଟ୍ର ସ୍ୱର୍ଣ୍ଣ ମାରତଣ୍ଡ ।।( ବି: ପ:)

 

ଜମ୍ୱ ଦ୍ୱୀପରେ ଭରତ-ଜାତିଙ୍କ ମଧ୍ୟରେ ଓଡ଼ ଅଧିବାସୀଙ୍କ ଅଞ୍ଚଳର ଉତ୍ତରରେ (ଦୟା-) ନଦୀକୂଳରେ ଭୂରାଜ ବା ଭୁବନେଶ୍ୱର ଲିଙ୍ଗ ଅବସ୍ଥିତ । ରସବିନୋଦର ରଚୟିତା ଦୀନକୃଷ୍ଣ ଦାସ ମଧ୍ୟ ସୁବର୍ଣ୍ଣରେଖା-କୂଳରୁ ଦକ୍ଷିଣ-ଓଡ଼ିଶାକୁ ଆସି ତାହାକୁ ଓଡ଼ରାଷ୍ଟ୍ର କହିଅଛନ୍ତି ଓ ଦକ୍ଷିଣ-ଓଡ଼ିଶାରେ କେବଳ ଓଡ଼- ଚଷା ଅଦ୍ୟାବଧି ବାସ କରୁଅଛନ୍ତି । ଓଡ଼୍ର-ସଂସ୍କୃତି ଦକ୍ଷିଣ- ଓଡ଼ଶାରୁ ଯେତେକ ଭୂଭାଗରେ ପରିବ୍ୟାପ୍ତ ହେଲା, ସେତକ ଭୂଭାଗ ଓଡ଼ଦେଶ ନାମରେ ଅଭିହିତ ହୋଇଥିବାର ଜଣାଯାଉଅଛି । ଦକ୍ଷିଣ- ଓଡ଼ିଶାରେ ଓଡ଼ ସଂସ୍କୃତିର ଉତ୍ପତ୍ତି ଘଟିଥିବା ବିଷୟରେ କୌଣସି ସନ୍ଦେହ ନାହିଁ । ବିରାଟ- ପର୍ବରୁ ଉଦ୍ଧୃତ ପଦରେ ଓଡ଼ିଶାକୁ ଜମ୍ୱୁରାଷ୍ଟ୍ର ଓ ଭତଖଣ୍ଡ କହିବା ସଙ୍ଗେ ସଙ୍ଗେ ତାହାକୁ ସ୍ୱର୍ଣ୍ଣ-ମାର୍ତ୍ତଣ୍ଡ ବା ସୁନାର ସୂର୍ଯ୍ୟ କୁହାଯାଇଅଛି । ସଂସ୍କୃତ ରାମାୟଣ (ଉ:କା ଅ: ୩୫ ଓ ୩୭) ଅନୁସାରେ ହନୁମାନ ନବ ବ୍ୟାକରଣ ଧରି ତାହା ପଢିବାପାଇଁ ଉଦୟାଚଳରୁ ବା ପୂର୍ବଦେଶରୁ ଅସ୍ତଗିରି ବା ପଶ୍ଚିମଦେଶ ଅଭିମୁଖ ହୋଇ ଯାଇଥିଲେ । ସୁମେରୁ ପର୍ବତରେ କେଶରୀରପତ୍ନୀ ଅଞ୍ଜନାଙ୍କ ଗର୍ଭରୁ ହନୁମାନ ମରୁତଙ୍କ ଔରସରେ ଜନ୍ମଗ୍ରହଣ କରିଥିଲେ । ଉଡ଼ଡ଼ୀୟାନ ବନ୍ଧର ସାଧକକୁ କେଶରୀ ବା ଶାକ୍ୟସିଂହ ବୁଦ୍ଧ କୁହାଯାଉଥିଲା । ବୌଦ୍ଧମାନେ ଚକ୍ଷୁରେ ଅଞ୍ଜନ ଲଗାଉ ଥିବାରୁ ଅଞ୍ଜନାର ଅର୍ଥ ବୌଦ୍ଧଭିକ୍ଷୁଣୀ । ମରୁତ ଦୈତ୍ୟ ବା ପୁରୁଷ ଓ ପ୍ରକୃତି ପୃଥକ୍‌ ପୃଥକ୍ ବୋଲି ପ୍ରଚାର କରିବା ସମ୍ପ୍ରଦାୟ । ଦଣ୍ଡପୂଜକମାନେ ମେରୁଦଣ୍ଡ ଶକ୍ତ କରୁଥିବାରୁ ସେମାନେ ସୁମେରୁ ଅଟନ୍ତି । ସୂର୍ଯ୍ୟଙ୍କ କୃପାରୁ ସୁମେରୁ -ପର୍ବତ ସୁନା ପାଲଟିଥିବାର ରାମାୟଣରେ ଉକ୍ତ ଅଛି । ଭୁବନେଶ୍ୱରକୁ ସ୍ୱର୍ଣ୍ଣାଦ୍ରି ମଧ୍ୟ କହନ୍ତି । ଜମ୍ୱୁ ବା ଜାମୁଗଛ ମୂଳରେ ନରନାରୀ –ଯୁଗଳ ତୁଳସୀ ପରି ମୁଣ୍ଡରେ ଜଟା ବାନ୍ଧି ବାସ କରୁଥିବାରୁ ସେମାନଙ୍କ ଆବାସଭୂମିକୁ ଜମ୍ୱୁଦ୍ୱୀପ ବା ତୁଳସାଦେବ- ପୁର କହୁଥିଲେ । ଏହିସବୁ ଆଚାର-ବ୍ୟବହାର ପୁରୀରେ ବା ଭୁବନେଶ୍ୱରଠାରେ ପ୍ରଚଳିତ ଥିବାର ସଂସ୍କୃତ ରାମାୟଣରୁ ପ୍ରମାଣ ମିଳେ । ଏଣୁ ସାରଳାଦାସଙ୍କ କୌଣସି ଉକ୍ତି ନିରର୍ଥକ ହୋଇଥିବାର ଜଣାଯାଉନାହିଁ ।

 

ସାରଳାଦାସଙ୍କ ଉଦ୍‌ଯୋଗ-ପର୍ବରେ ଶକୁନି ଦୁର୍ଯ୍ୟୋଧନଙ୍କୁ ବଳି-ଚରିତ ବର୍ଣ୍ଣନା କରି ଶୁଣାଇଲେ । ସେ କହିଲେ, ବାମନ-ଅବତାରରେ ଶ୍ରୀକୃଷ୍ଣ ବଳି-ଦ୍ୱାରରେ ବେଦ ଗାନ କଲେ । ବଳି ତାହାଙ୍କ ପରିଚୟ ମାଗିବାରୁ ସେ କହିଲେ:-

X            X            X

 

‘‘ନିରାକୂଳ ଦେଶ ଯହିଁ ବୈତରଣୀ ।।

ବାରାହୀ ବୋଲି ଅଛଇ ଶାସନେ ।

ଚଇତନ ପାଟଣାର ଅଟେ ସନ୍ନିଧାନେ ।।

ସେହି ଶାସନରେ ଆମ୍ଭେ ଅଟୁ ପାଣିଗ୍ରାହି ।

ନିରଞ୍ଜନ-ଧର୍ମଦାସ ସେହୁ ବେନି ଭାଇ ।।

ମାତାର ନାମ ଆମ୍ଭର ଅଟେ ଅନନ୍ତାଇ ।

ପିତାର ନାମ ନିରଞ୍ଜନ-ପଣ୍ଡା ଯେ ଅଟଇ ।।’’

 

ବୈତରଣୀ ନଦୀ-ତଟ ନିରାକୂଳ ବା ନିଷ୍କାମ ଧର୍ମର ଦେଶ । ବରାହ –ଧର୍ମର ଦନ୍ତପୂଜା ସେଠାରେ ପ୍ରଚଳିତ ଥିବାରୁ ତାହାକୁ ବାରାହୀ-ଶାସନ କୁହାଯାଇଅଛି । ପାଣିଗ୍ରାହୀର ଅର୍ଥ ବିବାହିତା । ନିରଞ୍ଜନ ବା ସାକ୍ଷୀ ଚୈତନ୍ୟ ଓ ଧର୍ମ -ଦାସ ବା ଜୀବାତ୍ମା ଦୁଇ ଭାଇ । ମାତା ବା ପ୍ରକୃତି ଅନନ୍ତା ବା ଅନ୍ତଶୂନ୍ୟା । ପିତା ନିରଞ୍ଜନ ବା ଅଜ୍ଞେୟ । ପ୍ରାଚୀନକାଳରେ କେନ୍ଦୁଝରରେ ଯମଗର୍ତ୍ତ- ମଣ୍ଡଳ ବା ଯମ-ସାଧନାର କେନ୍ଦ୍ର ଥିଲା । ସେଠାରେ ବରାହ-ଧର୍ମ ପ୍ରଚଳିତ ଥିବାର ତାମ୍ର- ଶାସନରୁ ଜଣାଯାଏ । ଦୀର୍ଘତମାଙ୍କ ସୂକ୍ତରୁ ଜଣାଯାଏ ଯେ ସେ ଯେଉଁ ଦେଶରୁ ଭାସିଆସିଥିଲେ, ସେଠାରେ ସ୍ଥୂଳରୂପର ଅସ୍ତିତ୍ୱ ସ୍ୱୀକାର କରା ନ ଯାଇ କେବଳ ପାରମାତ୍ମାକୁ ଅସ୍ତିତ୍ୱ ସ୍ୱୀକାର କରାଯାଉଥିଲା । ସେ ଉଭୟର ଅସ୍ତିତ୍ୱ ସ୍ୱୀକାର କରି ଏକ ବୃକ୍ଷରେ ଦୁଇପକ୍ଷୀ ବାସ କରନ୍ତି ବୋଲି କହିଥିଲେ । ତାହାଙ୍କ ପ୍ରଚାରିତ ପ୍ରେମ-ରସ ହେତୁରୁ ବାଳେୟ-ଧର୍ମ ବା କିଶୋର-କୃଷ୍ଣ-ଧର୍ମର ଉତ୍ପତ୍ତି ଘଟିଥିଲା । ଦୀର୍ଘତମା-ଋଷି ଯାଜପୁରରୁ ବୈତରଣୀରେ କେନ୍ଦୁଝରରୁ ଭାସିଆସିଥିବାର ଅନେକ ପ୍ରମାଣ ଅଛି । ସେ ସମସ୍ତ ଦର୍ଶାଇବାପାଇଁ ଏଠାରେ ଅବକାଶ ନାହିଁ । ଏ ସମ୍ୱନ୍ଧରେ ସଂସ୍କୃତ ମହାଭାରତର ଗୋଟିଏ ଶ୍ଳୋକରୁ ସଙ୍କେତ ମିଳେ । ସେ ଶ୍ଳୋକଟି କେବଳ ଏଠାରେ ଉଦ୍ଧାର କରାଯାଉଅଛି:-

 

‘‘ଦେବେଷ ଗଙ୍ଗା ଗନ୍ଧବଂ ପ୍ରାପ୍ନୋତ୍ୟଳକନନ୍ଦତାମ୍‌ ।

ତଥା ପିତୃନୃ୍ ବୈତରଣୀ ଦୁସ୍ତରା ପାପକର୍ମଭିଃ ।

ଗଙ୍ଗା ଭବତି ବୈପ୍ରାପ୍ୟ କୃଷ୍ଣଦ୍ୱୈପାୟେନୋଽବ୍ରବୀତ୍‌। ।’’ (୧ମ, ଅ:୬୬)

 

‘‘ହେ ଗନ୍ଧର୍ବ ! ଗଙ୍ଗା ବା ଗାନ୍ଧର୍ବପ୍ରେମାକାଂକ୍ଷିଣୀ ନାରୀ ଦେବତାମାନଙ୍କ ମଧ୍ୟରେ ଅଳକ ବା ଆଠବର୍ଷରୁ ଦଶବର୍ଷ ମଧ୍ୟରେ ବାଳିକାର ନିଷ୍କାମନନ୍ଦତା ବା ପ୍ରେମାନନ୍ଦ ଉପଭୋଗ କରେ । ସେପରି ବୈତରଣୀ -କୂଳର ନାରୀ ପିତୃଲୋକଙ୍କୁ ପାଇ ଗଙ୍ଗା ବା ଗାନ୍ଧର୍ବପ୍ରେମା-କାଂକ୍ଷିଣୀ ହୁଏ ଓ ପାପକର୍ମ ବା ବଳପ୍ରୟୋଗ କରୁଥିବା ବ୍ୟକ୍ତି ତାହାକୁ ଉତ୍ତୀର୍ଣ୍ଣ ହୋଇ ନ ପାରେ । ଏକଥା କୃଷ୍ଣଦ୍ୱୈପାୟନ କହିଥିଲେ ।’’ ଆମ ପିତୃଲୋକେ ବୈତରଣୀ- କୂଳରେ ପ୍ରେମ-ଧର୍ମ ଗ୍ରହଣ କରିଥିବାରୁ ବୈତରଣୀରେ ପିତୃଲୋକଙ୍କୁ ପିଣ୍ଡ ଦାନ କରାଯାଏ । ପ୍ରେମ -ଧର୍ମକୁ ବାଳେୟ- ଧର୍ମ, କିଶୋର କୃଷ୍ଣ-ଧର୍ମ ଓ ବାମନ- ଅବତାର କୁହାଯାଏ ।

 

ଖାଣ୍ଡବ- ବନ ଦହନ ସମ୍ପର୍କରେ ସାରଳାଦାସ ମଧ୍ୟ -ପର୍ବରେ ଲେଖିଅଛନ୍ତି:-

 

‘‘ଇନ୍ଦ୍ରର ନନ୍ଦନ ଜାଣ ଅଟଇ ଉଡ଼ଙ୍ଗ ।

ଉଡ଼ଙ୍ଗ- ନନ୍ଦନ ଅଟଇ ଯେ ମଣିନାଗ ।।’’

 

ଇନ୍ଦ୍ର ବା ଇନ୍ଦ୍ରିୟରୁ ଜାତ ଉଡ଼ଙ୍ଗ ବା ଚଞ୍ଚଳ ପ୍ରଜନନରସ ଓ ତହିଁରୁ ଜାତ ମଣିନାଗ ବା ସୁଷ୍ମମ୍ନାର ଶୀର୍ଷଭାଗରେ ଅବସ୍ଥିତ ବିନ୍ଦୁ ଅଟେ । ଏପରି ଅର୍ଥ ଗ୍ରହଣ ନ କଲେ ଇନ୍ଦ୍ର ବା ରାଜାର ପକ୍ଷୀପରି ଉଡ଼ିପାରିବା ଉଡ଼ଡ଼ୀୟାନ ବନ୍ଧ ଓ ତାହାଙ୍କ ମଣିନାଗ-ଉପାସନ ପ୍ରଜା-ଏପରି ଅନ୍ୟ ଅର୍ଥ ଗ୍ରହଣ କରାଯାଇପାରେ । ଯେପରି ଇଚ୍ଛା ସେପରି ଅର୍ଥ ଗ୍ରହଣ କଲେ ମଧ୍ୟ ଏଥିରେ ପ୍ରାଚୀନ କାଳରେ ଓଡ଼ିଶାରେ ପ୍ରଚଳିତ ସଂସ୍କୃତିର ଛାୟାପାତ ହୋଇଅଛି । ପୁଣି ପଞ୍ଚାଳ ଦେଶରେ ଅର୍ଜ୍ଜୁନଙ୍କ ଲାଖବିନ୍ଧା ସାରଳାଦାସ ବର୍ଣ୍ଣନା କରି ଅଛନ୍ତି:-

 

‘‘ରାଧାଚକ୍ର ବୁଲଇ ଯେ ସହସ୍ରେକ ଧାର ।

କନକ-ମତ୍ସ୍ୟ ଅଛଇ ତହିଁର ଉପର ।।

କୁରାଳଚକ୍ର ପ୍ରାୟେ ବୁଲଇ ଅନୁବତେ ।

ତଳେ ଧନୁଏ ଅଛି ଲକ୍ଷବଳ-ଯୁକତେ ।।

ଲକ୍ଷେ ବଳ ଧନୁ ଧରି ସେ ପଟାରେ ଉଠି ।

 

ତହିଁ ତଳେ ଅଛି ତୀର୍ଥଜଳ-ଘଟ ଗୋଟି ।।

ତହିଁ ଦୃଷ୍ଟିଦେଇ ଉପରକୁ କରି ମୁଷ୍ଟି ।

ଚକ୍ର ଭେଦି ମତ୍ସ୍ୟ ବାମଚକ୍ଷୁ ଯିବ ଫୁଟି ।।

ଏହେନକ ସ୍ୱରୂପେ ଯେହୁ ଲାଖ ବିନ୍ଧିବ ।

ଏ ମୋହର ଦୁହିତା ଦ୍ରୌପଦୀକି ବିଭା ହେବ ।।’’

 

‘ସାରଳା-ସ୍ମରଣିକା’ରେ ପଣ୍ଡିତ ବାନାମ୍ୱର ଆଚାର୍ଯ୍ୟ ଏହି ବର୍ଣ୍ଣନାକୁ ସଂସ୍କୃତ ମହାଭାରତ ଓ ଜୈନ ହରିବଂଶର ଲାଖବିନ୍ଧା ସଙ୍ଗେ ତୁଳନା କରି ପ୍ରଭେଦ ଦେଖାଇ ଅଛନ୍ତି । କିନ୍ତୁ ଲାଖବିନ୍ଧାର ସାରମର୍ମ ସାରଳାଦାସଙ୍କ ମହାଭାରତରେ କିପରି ପରିସ୍ଫୁଟ ହୁଏ, ତାହା ସେ ଆବିଷ୍କାର କରିପାରି ନାହାନ୍ତି । ସଂସ୍କୃତ ମହାଭାରତରେ ଏହାକୁ ‘ବୈହାୟସଂ ଯନ୍ତ୍ରମ୍‌’ ବା ଶୂନ୍ୟ-ସମ୍ୱନ୍ଧୀୟ ଯନ୍ତ୍ର କହନ୍ତି । ଏଣୁ ଏହାକୁ ଶୂନ୍ୟବାଦୀ ବୌଦ୍ଧ-ଧର୍ମଚକ୍ର କୁହାଯାଇପାରେ । ଲାଖବିନ୍ଧା ପୂର୍ବରୁ ପାଣ୍ଡବମାନେ ପଞ୍ଚାଳରେ କୁମ୍ଭାରଶାଳରେ ବାସ କରିଥିବା କଥା ଉକ୍ତ ଅଛି । କୁମ୍ଭାରର ମୃତ୍ତିକା-ପାତ୍ର ଗଢିବା ଚକ୍ର ସଙ୍ଗରେ ଜୀବର ଜନ୍ମ-ମୃତ୍ୟୁ ତୁଳନା କରି ବଳରାମ ଦାସ ‘କୁରାଳ-ପୁରାଣ ଲେଖିଅଛନ୍ତି । କୁମ୍ଭାରର ଚକ୍ର ଘୂରୂଥାଏ; ଆପେ ଆପେ ଘଟ, ଶରା ପ୍ରଭୃତି ପ୍ରସ୍ତୁତ ହୁଏ । ବୌଦ୍ଧ-ଧର୍ମ-ଚକ୍ର ଅନୁସାରେ ଜୀବର ଜନ୍ମମରଣ ସେପରି ଆପେ ଆପେ ସଂଘଟିତ ହୁଏ । ଏଣୁ ସଂସ୍କୃତ ମହାଭାରତରେ ଯାହାକୁ ‘ବୈହାୟସଂ ଯନ୍ତ୍ରମ୍’ କୁହାଯାଇଅଛି, ପାଣ୍ଡବମାନେ କୁମ୍ଭାରଶାଳରେ ବାସ କରିଥିବାରୁ ତାହାକୁ ଶୂନ୍ୟବାଦୀ ବୌଦ୍ଧଙ୍କ ଧର୍ମଚକ୍ର ରୂପରେ ଆମେ ଗ୍ରହଣ କରିକୁ । ଜୈନମାନେ ଏହାକୁ ରାଧା-ଚନ୍ଦ୍ରକ କହନ୍ତି । ‘ରାଧା’ର ଅର୍ଥ ଅଗ୍ନିବୀଜ ବା କାମପରାୟଣା । ‘ଚନ୍ଦ୍ରକ’ ଶବ୍ଦରୁ ଉତ୍ପନ୍ନ ‘ଚଡ଼କ’ ଶବ୍ଦ ଓଡ଼ିଆରେ ‘ବଜ୍ର’ ଅର୍ଥରେ ବ୍ୟବହୃତ ହୁଏ ଏବଂ ପ୍ରଜନନ-ବିନ୍ଦୁ ଅର୍ଥରେ ଏହାର ବ୍ୟବହାର ଅଛି । ଓଡ଼ିଆରେ ‘ରାଧାଚଡ଼କ’ ‘ସହସା ମୃତ୍ୟୁ’ ଅର୍ଥ ପ୍ରକାଶ କରେ । ବିନ୍ଦୁପାତକୁ ମୃତ୍ୟୁ ଅର୍ଥରେ ଗ୍ରହଣ କରାଯାଏ । କିନ୍ତୁ ‘ଅଳାଚକ୍ର’ ଓଡ଼ିଆରେ ଅଲଂଘନୀୟ ବିପଦ ଅର୍ଥରେ ବ୍ୟବହୃତ ହୁଏ । ଏହା ନ୍ୟାୟ -ଦର୍ଶନର ‘ଆଲାକ-ଚକ୍ର’ରୁ ଉତ୍ପନ୍ନ । ଚକ୍ରବାଣରେ ବିଭିନ୍ନ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ସେସମସ୍ତ ଏକ ଅଗ୍ନି ପରି ପ୍ରତୀୟମାନ ହୁଅନ୍ତି । ସ୍ଫୁଲିଙ୍ଗ-ମାନଙ୍କ ମଧ୍ୟରେ ପାର୍ଥକ୍ୟ ବାରିହୁଏ ନାହିଁ । ସେପରି ବିଶ୍ୱରେ ସମସ୍ତ ବସ୍ତୁ ବିଭିନ୍ନ ହୋଇ ମଧ୍ୟ ଏକପ୍ରକାର ପ୍ରତୀତ ହୁଅନ୍ତି । ଏହାର ପ୍ରତିବାଦରେ ବୌଦ୍ଧମାନେ ଧର୍ମ-ଚକ୍ରର ସ୍କନ୍ଧମାନଙ୍କ କ୍ରିୟାକୁ ପ୍ରବାହ କହୁଥିଲେ । ପ୍ରବାହ ବା ନଦୀସ୍ରୋତରେ ଆଗ ଜଳ ବା ପଛ ଜଳ ବାରିହୁଏ ନାହିଁ । ସେପରି ଆଗେ ଇନ୍ଦ୍ରିୟର କ୍ରିୟା; ପଛେ ଚୈତନ୍ୟର କ୍ରିୟା ଅଥବା ବିପରୀତ କ୍ରିୟା ନିରୂପଣ କରିହେବ ନାହିଁ । ଏଣୁ ବୌଦ୍ଧମାନେ ଜୀବ, ଈଶ୍ୱର, ଜନ୍ମ, ମୃତ୍ୟୁ ପ୍ରଭୃତି ମଧ୍ୟରେ କୌଣସି ପ୍ରଭେଦ ମାନୁ ନ ଥିଲେ ।

 

ତୀର୍ଥ-ଜଳଘଟକୁ ନାରୀବକ୍ଷର ମାତୃଚିହ୍ନ ଓ ଧନୁକୁ ପୁଂ-ଜନନେନ୍ଦ୍ରିୟ ଅର୍ଥରେ ଗ୍ରହଣ କଲେ ମତ୍ସ୍ୟ ପୁଂ- ଜୀବାଣୁ ଛଡ଼ା ଅନ୍ୟ କିଛି ନୁହେଁ । ସହସ୍ରଧାରରେ ପ୍ରଜନନ ରସ କ୍ଷରିତ ହେଲେ ପୁଂ-ଜୀବାଣୁର ଚକ୍ଷୁ ନଷ୍ଟ ହୁଏ, ଅର୍ଥାତ୍‌ ପୁରୁଷର ଜ୍ଞାନଶକ୍ତିର ହ୍ରାସ ଘଟେ-ଏହା ବୋଧ ହୁଏ ଅର୍ଜୁନ ପ୍ରତିପାଦନ କରିଥିଲେ ଓ ଏହାକୁ ବୋଧହୁଏ ଲାଖବିନ୍ଧା କହନ୍ତି । ଏଠାରେ ‘‘ବସୌ ପବିତ୍ର ମସି ଶତଧାରଂ ବସୌ ପବିତ୍ର ମସି ସହସ୍ରଧାରଂ..... ସୁପ୍ରବାକ୍‌’’ ବୈଦିକ ମନ୍ତ୍ରକୁ ପାଠକେ ତୁଳନା କରିପାରନ୍ତି ।

 

ବୈତରଣୀକୂଳରେ ‘ପଞ୍ଚାଳ- ବ୍ୟୁଭୋଦୟ’ ନାମରେ ଏକ ଅଞ୍ଚଳ ଅଷ୍ଟମ ଶତାବ୍ଦୀରେ ଅଭିହିତ ହେଉଥିବାର ଓଡ଼ିଶାର ତାମ୍ରଶାସନରୁ ଜଣାଯାଏ । ଛାନ୍ଦଗ୍ୟୋପନିଷଦ ଅନୁସାରେ ପଞ୍ଚାଳରେ ହାତୀ ପୋଷୁଥିଲେ । ବୈତରଣୀକୂଳରେ ହାତୀ ମିଳନ୍ତି, ଏଣୁ ବେଦୋକ୍ତ ଓ ମହାଭାରତୋକ୍ତ ପଞ୍ଚାଳ ଓଡ଼ିଶାରେ ଅବସ୍ଥିତ ଥିବା ଅସମ୍ଭବ ନୁହେଁ । ପଞ୍ଚାଳର ରାଜାଙ୍କର ନାମ ଦ୍ରପଦ ଓ ଦ୍ରୁପଦର ଅର୍ଥ ବୃକ୍ଷ । ପଶୁପକ୍ଷୀଙ୍କ ଜୀବନ ପର୍ଯ୍ୟାଲୋଚନା କରି ଯେପରି କେତେକ ସମ୍ପ୍ରଦାୟ ତତ୍ତ୍ୱ ସଂଗ୍ରହ କରିଥିଲେ, ସେପରି ବୃକ୍ଷ ବା ଉଦ୍ଭିଜ୍ମଗତ୍‌ ପର୍ଯ୍ୟବେକ୍ଷଣ କରି କେତେକ ସମ୍ପ୍ରଦାୟ ଜ୍ଞାନ ଉପାର୍ଜନ କରିଥିଲେ । ସେମାନଙ୍କୁ ବେଦରେ ଅଶ୍ୱିନ୍‌ ବା ଘୋଡ଼ା କୁହାଯାଇଅଛି । ଏମାନେ ବୌଦ୍ଧ ଶୂନ୍ୟବାଦୀ ଥିଲେ । ଓଡ଼ିଶାର ଅଷ୍ଟମ ଶତାବ୍ଦୀର ଶୃଳ୍‌କି-ବଂଶ ବୈଦିକ ଅଶ୍ୱିନ୍‌ସମ୍ପ୍ରଦାୟର ବଂଶଧର ବୋଲି ପ୍ରମାଣ କରାଯାଇପାରେ । ପ୍ରମାଣ ନ କରି ମଧ୍ୟ ‘ଶୂଳ୍‌କି’ ଶବ୍ଦ ସଂସ୍କୃତ ‘ଶୂଳକ’ ଶବ୍ଦରୁ ଉତ୍ପନ୍ନ ଓ ଦୁର୍ଦ୍ଧାନ୍ତ ଘୋଡ଼ାକୁ ‘ଶୂଳ୍‌କ’ କହନ୍ତି-ଏତିକି କହିଲେ ଶୂଳ୍‌କୀମାନେ ଅଶ୍ୱ-ସମ୍ପ୍ରଦାୟର ବଂଶଧର ବୋଲି ପ୍ରମାଣିତ ହୁଏ । ଏଣୁ ଓଡ଼ିଶାରେ ପଞ୍ଚାଳ ରାଜ୍ୟର ଅବସ୍ଥିତି ଅସମ୍ଭବ ନୁହେଁ

 

ଯୁଧିଷ୍ଠିରଙ୍କ ଭାଇ ଭୀମଙ୍କ ସାହାଯ୍ୟରେ ଯାଜପୁରଠାରେ ପଣ୍ଡା ବ୍ରାହ୍ମଣ ବିଷ୍ଣୁକର ରାଜତ୍ୱ ସ୍ଥାପନ କରିଥିବାର ସାରଳାଦାସ ଲେଖିଅଛନ୍ତି । ଏହା ଓଡ଼ିଶାର ଭୌମ-କରବଂଶର ରାଜତ୍ୱ ସ୍ଥାପନର କଥା । ଏହିପରି ବହୁ ଐତିହାସିକ ଉପାଦାନ ତାଙ୍କ ମହାଭାରତରେ ଅଛି । ସେ ସଂସ୍କୃତ ମହାଭାରତକୁ ଅନୁବାଦ କରି ନ ଥିଲେ । ତାଙ୍କ ମହାଭାରତକୁ ପଣ୍ଡିତ ଗୋପୀନାଥ ନନ୍ଦ ସଂସ୍କୃତ ମହାଭାରତ ସଙ୍ଗେ ତୁଳାନା କରିଅଛନ୍ତି । ତାହାଙ୍କର ତୁଳନାମୂଳକ ପ୍ରବନ୍ଧମାନ ଉତ୍କଳ- ସାହିତ୍ୟରେ ପ୍ରକାଶିତ ହୋଇଥିଲା । ତୁଳନାରେ ବହୁ ପାର୍ଥକ୍ୟ ସେ ଦେଖାଇ ଅଛନ୍ତି । ସାରଳାଦାସଙ୍କ ଅନୁସାରେ ଦେହତ୍ୟାଗ କାଳରେ ଶ୍ରୀକୃଷ୍ଣ ଶିଆଳି ଲତାତଳରେ ଶୋଇଥିଲେ ଏବଂ ଓଡ଼ିଆ ଗ୍ରାମ୍ୟ-ଗୀତି ଅନୁସାରେ ଶ୍ରୀକୃଷ୍ଣ ଶିଆଳି ଲତାମୂଳରେ ଦୋଳି ଖେଳୁଥିଲେ । ଏଥିରେ ଜଣାଯାଏ ଯେ ଦେଶ-ପ୍ରଚଳିତ କିମ୍ୱଦନ୍ତୀମାନ ଅବଲମ୍ୱନ କରି ସେ ମହାଭାରତ ଲେଖିଥିଲେ । ଦେଶପ୍ରଚଳିତ କିମ୍ୱଦନ୍ତୀମାନ ସଂସ୍କୃତ ମହାଭାରତରେ ସଂଗୃହୀତ ହୋଇଅଛି । ଏଥିରେ ଓଡ଼ିଶାର ବହୁ କିମ୍ୱଦନ୍ତୀ ସ୍ଥାନ ନ ପାଇଥିବା ସମ୍ଭବପର । ସାରଳାଦାସଙ୍କ ଅନୁସାରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ପ୍ରାଣଶୂନ୍ୟ ପିଣ୍ଡ ସ୍ପର୍ଶ କରିବାରୁ ଓ ଭଞ୍ଜକବିଙ୍କ ଅନୁସାରେ ଗାଣ୍ଡୀବ ଧନୁ ମାଗିନେବାରୁ ଅର୍ଜୁନଙ୍କଠାରୁ ବିଷ୍ରୁ- କଳା ଚାଲିଗଲା । ଆଲୋଚନା କଲେ ଉଭୟ ପ୍ରବାଦରୁ ଏକ ଅଭିନ୍ନ ଐତିହାସିକ ସତ୍ୟ ଆବିଷ୍କୃତ ହେବ । ଏଠାରେ ସେସବୁ ଆଲୋଚନା କରିବାର ପ୍ରୟୋଜନ ନାହିଁ । ଜତୁଗୃହରୁ ପାଣ୍ଡବଙ୍କ ପ୍ରାଣରକ୍ଷାପାଇଁ ସିନ୍ଧିଆଳର ସିନ୍ଧି କରିବା ବିଦ୍ୟା ଓ ଦେଶପ୍ରଚଳିତ କରିବ-ପ୍ରଣାଳୀ ବର୍ଣ୍ଣନା କରିବାପାଇଁ ସାରଳାଦାସ କୁଣ୍ଠିତ ହୋଇନାହାନ୍ତି । ଶମୀବୃକ୍ଷ ନିକଟରେ ଅର୍ଜନଙ୍କୁ ଶୋଷକ-ସର୍ପ ଦଂଶନ କରିବାକୁ ସେ ଗୋରଖଙ୍କ ବିଦ୍ୟାରେ କିପରି ଆରୋଗ୍ୟଲାଭ କଲେ, ତାହା ସେ ବିରାଟ ପର୍ବରେ ବର୍ଣ୍ଣନା କରିଅଛନ୍ତି :-

 

‘‘ମହାପଣ୍ଡିତ ଉତ୍ତର ନ ଜାଣଇ ବିଦ୍ୟା ।

ଗୋରେଖ-ବାକ୍ୟେ ପରମଯୋଗୀ ଯୋଗସିଦ୍ଧା ।।

ଚନ୍ଦ୍ରସୂର୍ଯ୍ୟ ଉଇଁ କରି ବସିଲେକ ରଥେ ।

ମୁହିଁ ବିଷ୍ଣୁକୁ ମାରଇ ନ ଛୁଆଁଇ ହସ୍ତେ ।।’’

 

ଆମ ଦେଶରେ ଗୋରଖମତ ପ୍ରଚଳିତ ଥିଲା ଓ ‘ନାଥ’ ଉପାଧିଧାରୀ ଜାତି ସେ ମତର ବଂଶଧର ଅଟନ୍ତି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ରଥଯାତ୍ରାରେ ଯୋଗୀ-ମଠର ମହନ୍ତ ମାଲିକ ଓ ସେ ନାଥମାନଙ୍କର ଗୁରୁ । ଖାରବେଳ ସିଦ୍ଧମାନଙ୍କୁ ପ୍ରଣାମ କରିଅଛନ୍ତି ଓ ଗୋରଖ ଯୋଗସିଦ୍ଧ ଅଟନ୍ତି । ସିଦ୍ଧାମାନେ ଗୋରକ୍ଷ ବା ନାରୀରକ୍ଷକ ଥିଲେ । ଗୋରକ୍ଷ ନାମ ଗୋରଖ ନାମରେ ପରିଣତ ହୋଇଅଛି । କୌଣସି ସିଦ୍ଧି ପୁରୁଷଙ୍କର ସାରଳାଦାସ ଶିଷ୍ୟ ଥିବାରୁ ସେ ନିଜକୁ ସିଦ୍ଧେଶ୍ୱର ଦାସ ନାମରେ ପରିଚିତ କରାଇ ଅଛନ୍ତି । ତାହାଙ୍କର ବୋଧ ହୁଏ ଅନେକ ଶିଷ୍ୟ ଥିଲେ-। ଜନସମାଜ ସହିତ ଘନିଷ୍ଠ ସଂସ୍ରବ ଥିବାରୁ ସେ ଅନେକ ବିଷୟ ଜାଣିଥିଲେ । ପୁଣି ମଠରେ ଲିପିବଦ୍ଧ କିମ୍ୱଦନ୍ତୀମାନ ସାଇତା ଥିବା ସମ୍ଭବପର । ଏଣୁ ତହିଁରୁ ଅନେକ ବିଷୟ ଶିଖିବା ସହଜ- ସାଧ୍ୟ ହୋଇଥିଲା ।

 

କବି ଲେଖିଅଛନ୍ତି ଯେ ସେ ମୂର୍ଖ ଅଟନ୍ତି ଓ ସାରଳାଦେବୀ ପ୍ରସନ୍ନ ହୋଇ ଯାହା କହିଦିଅନ୍ତି, ତାହା ସେ ଲେଖନ୍ତି । ଏଥିରୁ ଜଣାଯାଏ ଯେ ସେ ସଂସ୍କୃତ-ଭାଷା ଶିଖି ନ ଥିଲେ ଓ ସଂସ୍କୃତ ମହାଭାରତ ଅନୁବାଦ କରି ନ ଥିଲେ । କିନ୍ତୁ ଦେଶର ଆଚାରବ୍ୟବହାର ଓ ମନୁଷ୍ୟଚିତ୍ତର ଗଭୀର କ୍ରିୟା ସମ୍ୱନ୍ଧରେ ତାହାଙ୍କର ବଳବତୀ ଅଭିଜ୍ଞତା ଥିଲା । ସହଦେବଙ୍କ ଜନ୍ମକାଳରେ ପଣ୍ଡୁଙ୍କର ମୃତ୍ୟୁ ଘଟିଲା ଓ ସେତେବେଳକୁ ପଣ୍ଡୁଙ୍କଠାରୁ କୁନ୍ତୀ ବହୁ ଦୂରରେ ଥିଲେ । ମୃତ୍ୟୁ-ସଂବାଦ ପାଇବା ପୂର୍ବରୁ ତାହାଙ୍କ ଚିତ୍ତରେ ବୈଧବ୍ୟର ଆଶଙ୍କା ଉପୁଜିଥିଲା । ଇଂରେଜୀ-ସାହିତ୍ୟରେ ଏପରି ଆଶଙ୍କାକୁ ‘‘dramatic irony’’ କହନ୍ତି । ପୁଣି କେହି କାହାରି କଳଙ୍କ ବଖାଣିଲେ କଳଙ୍କିତ ଚରିତ୍ର କିପରି ଅପମାନ ଅନୁଭବ କରେ, ତାହା ସେ ଲେଖିଅଛନ୍ତି । ଭୀମ ଦୁର୍ଯୋଧନଙ୍କୁ ଗୋଲକପୁତ୍ର କହିବାରୁ ଦୁର୍ଯୋଧନ ଅପମାନିତ ହୋଇ ନିଜ ମାତା ଗାନ୍ଧାରୀଙ୍କୁ କହିଲେ । କିନ୍ତୁ କଳଙ୍କିତା ମାତାଙ୍କ କଳଙ୍କ ପୁତ୍ରଠାରେ ଥିଲେ ମଧ୍ୟ ମାତା ନିଜର କଳଙ୍କ ଅସ୍ୱୀକାର ନ କରି ଉପଦେଶ ଦେଇଅଛନ୍ତି :

 

‘‘ଆପଣା ଶରୀରେ ବାବୁ ପଡ଼ିଛି ଅଂଶାଇ ।

ପରକୃ ମି ବାଛୁ ନାସାଦ୍ୱାରେ ହସ୍ତ ଦେଇ ।।’’

 

‘‘ଆପଣାର ପ୍ରକୃତରେ ଦୋଷ ଅଛି; ଅପର ଲୋକ ବାହୁନିଲେ ତାହାର ଅପରାଧ ହେଲା ବୋଲି ରାଗାନ୍ୱିତ ହେବ କାହିଁକି ?’’ - ଏହି ଉତ୍ତରଦ୍ୱାରା କୌରବମାନେ ପ୍ରକୃତରେ ଗୋଲକପୁତ୍ର ବା ଜାରଜ ସନ୍ତାନ ବୋଲି ଗାନ୍ଧାରୀ ସ୍ୱୀକାର କଲେ । ସଙ୍ଗୀତର ଗାନ୍ଧାର ସ୍ୱରକୁ ଛାଗଳର ରବ କୁହାଯାଏ, ଏଣୁ ଗାନ୍ଧାରୀଙ୍କୁ ଛାଗଳୀ ସମ୍ପ୍ରଦାୟର ନାରୀ ଅର୍ଥରେ ଗ୍ରହଣ କରିବାକୁ ହେବ । ଶ୍ୱେତାଶ୍ୱତର ଉପନିଷଦ ଅନୁସାରେ ଗୋଟିଏ ଛାଗଳୀ ଶୋଇଥାଏ । ଗୋଟିଏ ଛାଗଳ ତାହା ସହିତ ସଙ୍ଗମ -କ୍ରିୟାରେ ରତ ଥାଏ । ଅନ୍ୟ ଗୋଟିଏ ଛାଗଳ ତାହାକୁ ଉପଭୋଗ କରିସାରି ପାଖରେ ଛାଡ଼ିହୋଇଥାଏ । ଏହି ଛାଗଳ ସମ୍ପ୍ରଦାୟର ବିଲୋପର ପ୍ରତୀକସ୍ୱରୂପ ଛାଗ-ବଳି ଦିଆଯାଏ । ଆମ ଦେଶରେ କଥା ଅଛି:- ‘‘ବାର ଜାତି ତେର ଗୋଲା; ବୈଷ୍ଣବ ହେଲେ ସବୁ ଗଲା-।’’ ଦକ୍ଷିଣ ଓଡ଼ିଶାରେ ‘ଗୋଲା’ ନାମରେ ଗୋଟିଏ ଜାତି ଅଛନ୍ତି । ସେମାନେ ଛେଳି ପୋଷି ଜୀବିକା ନିର୍ବାହ କରନ୍ତି । ସେମାନେ ପୋଷିବା ଛେଳିକୁ ଲଙ୍କା-ଛେଳି କହନ୍ତି । ‘ଲଙ୍କା’ର ଅର୍ଥ ଇନ୍ଦ୍ରିୟପରାୟଣା ନାରୀ ବୋଲି ପୂର୍ବେ କୁହାଯାଇଅଛି । ଗୋଲାମାନେ ଆନ୍ଧ୍ରଭାଷା ବ୍ୟବହାର କରୁଥିବାରୁ ସେମାନଙ୍କୁ ଅନ୍ଧ ଧୃତରାଷ୍ଟ୍ରଙ୍କ ବଂଶଧର ବୋଲି କୁହାଯାଇପାରେ । ସଂସ୍କୃତ ମହାଭାରତରେ ଉକ୍ତ ଅଛି, କାହାରି ଜାତି ନିର୍ଣ୍ଣୟ କରିବା କଠିନ ଅଟେ । ଐତରେୟ-ବ୍ରାହ୍ମଣ ଅନୁସାରେ ଆନ୍ଧ୍ରମାନେ ବିଶ୍ୱାମିତ୍ରଙ୍କ ସାନପୁଅ । ଏଣୁ ଅନୁମିତ ହୁଏ ଯେ ଜାତିଭେଦ ପ୍ରତିଷ୍ଠିତ ହେବାଉତ୍ତାରୁ କେତେ ସମ୍ପ୍ରଦାୟ ଛାଗଳପରି ଆଚରଣ ଛାଡ଼ି ନ ଥିଲେ । ଯାହା ହେଉ, ସଂସ୍କୃତ ମହାଭାରତରେ କୁରୁର ଅର୍ଥ କର୍ଷଣ ବା ସଙ୍ଗମକ୍ରିୟା ବୋଲି ଯାହା କୁହାଯାଇଅଛି, ତାହା ଯଥାର୍ଥ ।

 

ସାରଳଦାସ ‘ବିଲଙ୍କା ରାମାୟଣ’ ମଧ୍ୟ ରଚନା କରିଥିଲେ । ରାବଣକୁ ବଧ କରି ରାମ ଗର୍ବ ଅନୁଭବ କରିବାବେଳେ ମୁନିଋଷିମାନେ ବିଲଙ୍କାର ସହସ୍ରଶିରା ରାବଣର ଅତ୍ୟାଚାର ବର୍ଣ୍ଣନା କଲେ । ତାହାକୁ ବଧ କରିବାପାଇଁ ରାମ ହନୁମାନଙ୍କୁ ପଠାଇଲେ । ସେ ବଧ କରି ନ ପାରିବାରୁ ରାମ ନିଜେ ଯାଇ କୃତକାର୍ଯ୍ୟ ହେଲେ ନାହିଁ । ତତ୍ପରେ ସୀତା ଯିବାରୁ ସହସ୍ରଶିରା ରାବଣ ମଲା । ଏଥିରେ ତନ୍ତ୍ର- ମତର ଗୌରବ ବୃଦ୍ଧିପାଇଁ ପ୍ରୟାସ କରାଯାଇଅଛି । ସଂସ୍କୃତ ଅଦ୍ଭୁତ ରାମାୟଣରେ ମଧ୍ୟ ଏପରି ପ୍ରୟାସ ଦେଖାଯାଏ । ବୌଦ୍ଧ ଦଶରଥ-ଜାତକ ଅନୁସାରେ ରାମ ଦଶରଥଙ୍କ ପୁତ୍ର ଓ ସୀତା ତାହାଙ୍କର କନ୍ୟା ଅଟନ୍ତି ଏବଂ ଭାଇଭଉଣୀ ବନକୁ ଯାଇ ସେଠାରେ ବିବାହ ବନ୍ଧନରେ ପରସ୍ପର ଆବଦ୍ଧ ହୋଇଥିଲେ । ଓଡ଼ିଆ ଶଶୀସେଣା ଗଳ୍ପ ଅନୁସାରେ ଶଶୀସେଣା ଓ ଅହିମାଣିକ୍ୟଙ୍କର ବିବାହ ଅନନ୍ତସିଦ୍ଧ ସମ୍ପାଦନ କରିଥିଲେ । ଅନନ୍ତସିଦ୍ଧ, ସହସ୍ରଶିରା ରାବଣ ଓ ଋଗବେଦର ସହସ୍ରଶୀର୍ଷାପୁରୁଷ ଦର୍ଶନଶାସ୍ତ୍ରର ଅନନ୍ତବାଦ ଅର୍ଥରେ ଗ୍ରହଣ କରାଯାଇପାରେ । ଏହି ଅନନ୍ତବାଦ ପ୍ରତିଷ୍ଠିତ ହେବାରୁ ଜନକ ବା ଆତ୍ମାବାଦ ଓ ସନକ ବା ପ୍ରକୃତିବାଦ ସମ୍ପ୍ରଦାୟଙ୍କର ପରସ୍ପର ମିଳାମିଶା ହୋଇ ବିବାହ-ବନ୍ଧନ ପ୍ରଚଳିତ ହୋଇଥିଲା ବୋଲି ଅନୁମିତ ହୁଏ । ତେଣୁ ସହସ୍ରଶୀର୍ଷା-ସୃକ୍ତରେ ଜାତିଭେଦର ଉଲ୍ଲେଖ ଦେଖାଯାଏ । ଏହା ଉତ୍ତାରେ ବିଭିନ୍ନ ସମ୍ପ୍ରଦାୟ ନିଜ ନିଜ ଟେକ ବଢାଇ ବିଭିନ୍ନ ରାମାୟଣ ରଚନା କରିଥିବେ । ଅଧ୍ୟାତ୍ମ-ରାମାୟଣ ଓ ଯୋଗବାଶିଷ୍ଠ ରାମାୟଣ ସଂସ୍କୃତ-ଭାଷାରେ ରଚିତ ହୋଇଥିଲେ ମଧ୍ୟ ଇତିହାସ ଆକାରରେ ରଚିତ ରାମାୟଣ ପରି ସେ ଦୁଇ ଗ୍ରନ୍ଥ ଜନପ୍ରିୟ ନୁହେଁ ।

 

ପ୍ରଥମ ଓ ଦ୍ୱିତୀୟ ପୁରୁଷର ସର୍ବନାମ ଶବ୍ଦଦ୍ୱୟରୁ ଦ୍ୱିତୀୟା ବିଭକ୍ତିର ଏକବଚନରେ ଯଥାକ୍ରମେ ନିଷ୍ପନ୍ନ ‘ମୁକୁ’ ଓ ‘ତୁକୁ’ ଏବଂ ବହୁବଚନରେ ନିଷ୍ପନ୍ନ ‘ଆମ୍ଭନ୍ତ’ ଓ ‘ତୁମ୍ଭନ୍ତ’ ପଦମାନ ସାରଳାଦାସ ମହାଭାରତରେ ବ୍ୟବହାର କରିଅଛନ୍ତି । ଏହା ଛଡ଼ା ‘କୟେବାର’, ‘ପରିମୁଣ୍ଡା’ ପ୍ରଭୃତି କେତେକ ଶବ୍ଦ ବ୍ୟବହାର କରିଅଛନ୍ତି । ଏପରି ପଦ ଓ ଶବ୍ଦମାନ ଆଧୁନିକ ଓଡ଼ିଆ-ଭାଷାରେ ପ୍ରଚଳିତ ନାହିଁ । ଏପରି ପଦ ଓ ଶବ୍ଦମାନଙ୍କ ମଧ୍ୟରୁ କେତେକ ବଳରାମଦାସଙ୍କ ରାମାୟଣରେ ବ୍ୟବହୃତ ହୋଇଅଛି । କିନ୍ତୁ ଜଗନ୍ନାଥଦାସ ବଳରାମଦାସଙ୍କ ଶିଷ୍ୟ ହୋଇ ଏପରି ପଦ ଅଥବା ଶବ୍ଦ ନିଜ ରଚିତ ଭାଗବତରେ ବ୍ୟବହାର କରି ନାହାନ୍ତି । ଏଣୁ ଜଣାଯାଏ ଯେ ସମ୍ପ୍ରଦାୟ-ଭେଦରେ ଓଡ଼ିଆ ଭାଷା ବିଭିନ୍ନ ଥିଲା । ଯାହା ହେଉ, ସାରଳାଦାସଙ୍କ ମହାଭାରତର ଆଦର ବଢି ଥିବାରୁ ବଙ୍ଗ ଦେଶରେ ପ୍ରଚଳିତ ହେବାପାଇଁ ଏହା ବଙ୍ଗାକ୍ଷରରେ ଲିଖିତ ହୋଇଥିଲା ।

ମତ୍ତ ବଳରାମଦାସ

କପିଳେନ୍ଦ୍ରଦେବଙ୍କ ଉତ୍ତାରୁ ପୁରୁଷୋତ୍ତମଦେବ ୧୪୬୯ ରୁ ୧୪୯୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । କଥିତ ଅଛି, ସହଧର୍ମିଣୀଙ୍କ ଗର୍ଭଜାତ ଅଷ୍ଟାଦଶ ପୁତ୍ର କପିଳେଦ୍ରଦେବଙ୍କର ଥିଲେ ମଧ୍ୟ ଫୁଲବାଇ- ଗର୍ଭଜାତ ପୁତ୍ର ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କରିବାପାଇଁ କପିଳେନ୍ଦ୍ରଦେବ ଅଭିଳାଷ ବ୍ୟକ୍ତ କରିଥିଲେ; କାରଣ ସେ ଜଗନ୍ନାଥଙ୍କର ଭକ୍ତ ଥିଲେ । କିନ୍ତୁ ବ୍ରାହ୍ମଣମାନଙ୍କୁ ବିଶ୍ୱାସ କରିବ ନାହିଁ ବୋଲି ପୁରୁଷୋତ୍ତମଦେବ ଶିଳାଲିପିରେ କହିଥିବାରୁ ଅନୁମିତ ହୁଏ ଯେ ବ୍ରାହ୍ମଣମାନେ ନିମ୍ନତର ଜନ୍ମ-ବିଚାରରେ ତାହାଙ୍କ ରାଜତ୍ୱ-ପ୍ରାପ୍ତିର ବିରୋଧୀ ଥିଲେ । କପିଳେନ୍ଦ୍ରଦେବଙ୍କ ରାଜତ୍ୱ-ପ୍ରାପ୍ତି ପାଇଁ କେହି ବିରୋଧ କରିଥିବାର କୌଣସି ପ୍ରମାଣ ନାହିଁ । ଏଣୁ ତାଙ୍କ ଆଭିଜାତ୍ୟ ନିନ୍ଦନୀୟ ହୋଇ ନ ଥିବ । ପୁରୁଷୋତ୍ତମ ଦେବ କାଞ୍ଚିରୁ ଗଣେଶ- ମୂର୍ତ୍ତି ଓ ରାଜଜେମା ପଦ୍ମାବତୀଙ୍କୁ ଆଣିଥିବା ସମ୍ୱନ୍ଧରେ କିମ୍ୱଦନ୍ତୀ ଅଛି । ଏହି କିମ୍ୱଦନ୍ତୀରେ ପ୍ରାଚୀନ ଓ ପରବର୍ତ୍ତୀ ଐତିହାସିକ ଘଟନା ମିଶି ରହିଥିବାର ଅନୁମିତ ହେଉଅଛି । ଯାହା ହେଉ, ତାହାଙ୍କ ରାଜତ୍ୱକାଳରେ ଦାକ୍ଷିଣାତ୍ୟର ନିମ୍ୱାର୍କଙ୍କ ପ୍ରେମଭକ୍ତି ଓଡ଼ିଶାରେ ପ୍ରଚଳିତ ହେବାପାଇଁ ସୁଯୋଗ ଲାଭ କରିଥିଲା । କାରଣ ସେ ବ୍ରାହ୍ମଣବିରୋଧୀ ଥିଲେ । ମୁସଲମାନ-ସମାଜର ଶିଥିଳ ଆଚାର-ବ୍ୟବହାର ଦେଖି ସାଧାରଣ ହିନ୍ଦୁମାନେ ବ୍ରାହ୍ମଣଙ୍କ କଠୋର ସାମାଜିକ ବ୍ୟବସ୍ଥା ନ ମାନିବାପାଇଁ ବୋଧ ହୁଏ ବିଦ୍ରୋହୀ ହୋଇଥିଲେ । ଏଣୁ ସେତେବେଳେ ପ୍ରାଚୀନ ସହଜଯାନ, ବଜ୍ରଯାନ ପ୍ରଭୃତି ନୂତନ ଆକାରରେ ମୁଣ୍ଡଟେକିବାପାଇଁ ଭାରତରେ ସର୍ବତ୍ର ବାୟୁମଣ୍ଡଳ ସୃଷ୍ଟି ହୋଇଥିଲା । ପୁରୁଷୋତ୍ତମ ଦେବଙ୍କ ଉତ୍ତାରୁ ପ୍ରତାପରୁଦ୍ରଦେବ ୧୪୯୬ ରୁ ୧୫୩୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏହାଙ୍କ ରାଜତ୍ୱକାଳରେ ଚୈତନ୍ୟଦେବ ଓ ରାୟରାମାନନ୍ଦଙ୍କ ପ୍ରଚାର ଫଳରେ ଦେଶ ପ୍ରେମ- ଭକ୍ତିରେ ପ୍ଳାବିତ ହେବାକୁ ଲାଗିଲା । ଆଦିରସ ମନୁଷ୍ୟ-ଜୀବନ ସହିତ ଘନିଷ୍ଠଭାବରେ ସଂପୃକ୍ତ । ମନୁଷ୍ୟ-ଜୀବନ ସହିତ ଯୋଗ-ସୂତ୍ର ନ ରଖିଲେ ସାହିତ୍ୟ ପ୍ରାଣହୀନ ହୁଏ । ସେଥିପାଇଁ ଶୁକ୍ର-ତାରାକୁ କାବ୍ୟ-ତାରା କହନ୍ତି ଓ ଶୁକ୍ର-ତାରା ପ୍ରଜନନ- ବିନ୍ଦୁର ପ୍ରତୀକ । ଏଣୁ ପ୍ରେମ-ରସରେ ସବୁଦେଶରେ ସବୁକାଳରେ ସାହିତ୍ୟର ବିକାଶ ସାଧିତ ହୁଏ । ସମାଜର କଠୋର ନିଗଡ଼ରେ ପ୍ରେମରସ ଆବଦ୍ଧ ଥିଲା; ସୂର୍ଯ୍ୟବଂଶର ରାଜତ୍ୱରେ ମୁକ୍ତି ଲଭିବାର ସୁଯୋଗ ପାଇଲା ।

 

ବଳରାମଦାସଙ୍କ ଆବିର୍ଭାବକାଳ ସମ୍ୱନ୍ଧରେ ଅନେକ କବିଙ୍କ ରଚନାରୁ ସଙ୍କେତ ମିଳେ । ନନ୍ଦଦାସଙ୍କ ଅଣାକାର- ସଂହିତା ଅନୁସାରେ ପ୍ରତାପରୁଦ୍ରଦେବଙ୍କ ମନ୍ତ୍ରୀ ସୋମନାଥ ମହାପାତ୍ରଙ୍କ ଔରସରେ ଜମ୍ୱୁଙ୍କ ଗର୍ଭରୁ ବଳରାମଦାସ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ରାମାୟଣରେ ଆତ୍ମପରିଚୟରେ କବି ଲେଖିଅଛନ୍ତି ଯେ ତାହାଙ୍କ ପିତାଙ୍କ ନାମ ସୋମନାଥ ଓ ମାତାଙ୍କ ନାମ ମନୋମାୟା । ବଳରାମଦାସ ଚୈତନ୍ୟଙ୍କ ଗହଣରେ ଥିବାର ଗୋବିନ୍ଦଦାସଙ୍କ ‘କଡ଼ଚା’ ଓ ଅନ୍ୟାନ୍ୟ ବଙ୍ଗଳା ପୁସ୍ତକରେ ଲେଖା ଅଛି । ବଳରାମଦାସ ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ- କାଳରେ ଜୀବିତ ଥିବାର ତାହାଙ୍କ ରଚିତ ‘ବ୍ରହ୍ମାଣ୍ଡ-ଭୂଗୋଳ’ରୁ ଜଣାଯାଏ:-

 

‘‘ପ୍ରତାପରୁଦ୍ର      ମହାରାଜା

ବୈଷ୍ଣବେ କଲେ ଦିବ୍ୟ ପୂଜା ।’’

 

ଚୈତନ୍ୟଙ୍କ ଆଦେଶରେ ବଳରାମଦାସ ଜଗନ୍ନାଥଦାସଙ୍କୁ ମନ୍ତ୍ରୋପଦେଶ ଦେଲେ ବୋଲି ଦିବାକରଦାସ ‘ଜଗନ୍ନାଥଚରିତାମୃତ’ ରେ ଲେଖିଛନ୍ତି:-

 

‘‘ୟେମନ୍ତ ଜଗନ୍ନାଥ ଦାସେ । କହିଲେ ଶ୍ରୀଚୈତନ୍ୟ ପାଶେ ।।

ହେ ଦେବ ଭଗତିସାଗର । ଶ୍ରୀହରି ନାମ ଆଜ୍ଞା କର ।।

ଶୁଣି ହରଷ ପ୍ରଭୁ ହେଲେ । ମତ୍ତ ବଳରାମେ ଚାହିଁଲେ ।।

ଏହାଙ୍କୁ ଉପଦେଶ ଦିଅ । ରାମାଦି କୀର୍ତ୍ତନ କରାଅ ।।’’

 

ଚୈତନ୍ୟଦେବ ୧୫୦୯ ଖ୍ରୀଷ୍ଟାବ୍ଦରେ ପୁରୀକୁ ଆସିଥିଲେ । ସେତେବେଳକୁ ବଳରାମଦାସ ବୋଧ-ହୁଏ ରାମାୟଣ ରଚନା କରିସାରିଥିଲେ । ରାମାୟଣ ରଚନା କରିସାରିଲାବେଳକୁ ତାଙ୍କର ବୟସ ବତିଶ ବର୍ଷ ହୋଇଥିଲା । ସେ ବିବାହ କରିଥିଲେ ଓ ତାଙ୍କର କେତୋଟି ପୁତ୍ରକନ୍ୟା ମଧ୍ୟ ଥିଲେ । ପ୍ରତାପରୁଦ୍ର ବୈଷ୍ଣବମାନଙ୍କୁ ପୂଜା କରିବାରୁ ସେ ବୋଧ ହୁଏ ସଂସାର ତ୍ୟାଗ କରି ମଠ ସ୍ଥାପନ କରିଥିଲେ । ତାଙ୍କ ମଠର ଚିହ୍ନ ଅଦ୍ୟାପି ପୁରୀରେ ଅଛି ।

 

ରାମାୟଣ-ରଚୟିତା ଏହି ବଳରାମଦାସ ମତ୍ତବଳରାମ ନାମରେ ଆମ ସାହିତ୍ୟରେ ପରିଚିତ ହୋଇଅଛନ୍ତି କାହିଁକି ? ପରବର୍ତ୍ତୀ ଯୁଗରେ ଦ୍ୱାରକାଦାସ ଓ ନନ୍ଦଦାସ ଏହାଙ୍କୁ ଅନିରୁଦ୍ଧଙ୍କ ଅବତାରରୂପରେ ବର୍ଣ୍ଣନା କରିଅଛନ୍ତି । ଆଉ ଜଣେ ବଳରାମଦାସ ତାହାଙ୍କ ସମ୍ୱନ୍ଧରେ ମଧ୍ୟ ଲେଖିଅଛନ୍ତି ଯେ ପ୍ରଦ୍ୟୁମ୍ନଙ୍କ ପୁଅ ଅନିରୁଦ୍ଧ ପ୍ରତାପରୁଦ୍ରଙ୍କ ମନ୍ତ୍ରୀ ସୋମନାଥଙ୍କ ଔରସରେ ଯମୁନାଙ୍କ ଗର୍ଭରୁ ଜନ୍ମ ଲଭି ଗୁପ୍ତଗୀତାରୁ ଅଧ୍ୟାୟେ ଲେଖି ମରିଯାଇଥିଲେ । ତହିଁ ଉତ୍ତାରେ ସେ ପୁଣି ମୁକୁନ୍ଦଦେବଙ୍କ ଦୁଇ ଅଙ୍କରେ ଜନ୍ମଲାଭ କରି ପଞ୍ଚତିରିଶ ଅଧ୍ୟାୟ ଲେଖିଲେ । କୃଷ୍ଣଙ୍କ ବଂଶରେ ଅନିରୁଦ୍ଧ ଜନ୍ମି ତାଙ୍କ ବଂଶ ପ୍ରଭାସଠାରେ କ୍ଷୟ ପାଇଥିଲେ । ଏହାର ଅର୍ଥ କୃଷ୍ଣ ସମ୍ପ୍ରଦାୟରେ ଯେତେବେଳେ ଇନ୍ଦ୍ରିୟନିରୋଧ-ଅଭ୍ୟାସ ଲୋପ ପାଇ ଦର୍ଶନ-ଶାସ୍ତ୍ରର ଆଲୋଚନା ପ୍ରବଳ ହେଲା, ସେତେବେଳେ କୃଷ୍ଣ-ସମ୍ପ୍ରଦାୟ ଲୋପ ପାଇଲା । କୃଷ୍ର-ସମ୍ପ୍ରଦାୟରେ କାମାସକ୍ତି ଦେଖାଦେବାରୁ ସବର ଅଭ୍ୟାସ କରାଯାଇଥିଲା; କିନ୍ତୁ ମାଛ ଖାଇବାରୁ ସଂବର ଅଭ୍ୟାସ ରହି ନ ଥିଲା । ଏହି କାମ ଓ ରତିଙ୍କ ପୁଅ ଅନିରୁଦ୍ଧ ଇନ୍ଦ୍ରିୟ-ନିରୋଧ କରିବା ସମ୍ଭବପର ନୁହେ । ଆମ ରାମାୟଣର କବି ପ୍ରକୃତରେ ଅନିରୁଦ୍ଧଙ୍କର ଅବତାର କି ନା, ତାହା ବିଚାର କରିବା ଉଚିତ ।

 

ବଳରାମଦାସ ରାମାୟଣରେ ଲେଖିଅଛନ୍ତି ଯେ ଜାରାଶବରୀ ପାଚିଲା ଆମ୍ୱ ଗୋଟାଇ ସେଗୁଡ଼ିକୁ ଚାଖି ତହିଁରୁ ମିଠା ଆମ୍ୱଗୁଡ଼ିକ ରାମଙ୍କୁ ଦେବାପାଇଁ ନିତି ସାଇତି ରଖୁଥିଲା । ରାମ ତାହା ଘରଠାରେ ପହଞ୍ଚିବାରୁ ତାଙ୍କୁ ସେଗୁଡ଼ିକ ଶବରୀ ଦେଲା ଓ ରାମ ଆନନ୍ଦରେ ସେଗୁଡ଼ିକୁ ଖାଇଲେ । ଏଠାରେ ଅଇଁଠା ଆମ୍ୱର ଅର୍ଥ ପରପୁରୁଷରତା ରମଣୀ ବୋଲି ଗ୍ରହଣ କର ବା ନ କର, ଏ ଗଳ୍ପ ସଂସ୍କୃତ ରାମାୟଣରେ ନାହିଁ । ଜାରାଶବର ଅର୍ଥାତ୍ ଇନ୍ଦ୍ରିୟାସକ୍ତିରେ ବଳଶାଳୀ ଲୋକ କୃଷ୍ଣ ଧର୍ମର ଲୋପ ଘଟାଇଥିବାର ପୂର୍ବରୁ କୁହାଯାଇଅଛି ।

 

ପୁଣି ବଳରାମଦାସ କୁରାଳ-ପୁରାଣରେ ଲେଖିଛନ୍ତି ଯେ କୁମ୍ଭାରର ଚକ୍ର ଘୂରୁଥାଏ ଓ ଆପେ ଆପେ ଘଟ, ଶରା ପ୍ରସ୍ତୁତ ହୁଏ । ଆହୁରି ମଧ୍ୟ ‘‘ଲକ୍ଷ୍ମୀ-ପୁରାଣ’’ରେ ଲେଖିଛନ୍ତି ଯେ ପରିଷ୍କୃତ- ପରିଚ୍ଛନ୍ନ ଚଣ୍ଡାଳ ଘରକୁ ଲକ୍ଷ୍ମୀ ଯାଇଥିବାରୁ ଜଗନ୍ନାଥ ଓ ବଳଭଦ୍ର ଲକ୍ଷ୍ମୀଙ୍କୁ ଛାଡ଼ି ମନ୍ଦିରରୁ ଚାଲିଯିବାରୁ ବହୁ ହୀନସ୍ତା ହେଲେ । ଏସବୁ ଛଡ଼ା ‘ବଉଳା-ଗାଈ’ ଗୀତ ସେ ରଚନା କରିଥିଲେ । ‘ବଉଳା ଗାଈ’ ଗୀତ ସମ୍ୱନ୍ଧରେ ପ୍ରଥମ ଅଧ୍ୟାୟରେ ଆଲୋଚନା କରାଯାଇଅଛି । ଏଣୁ ସେ ପ୍ରକୃତରେ ଅନିରୁଦ୍ଧଙ୍କର ଅବତାର ବୋଲି ଗ୍ରହଣ କରିବାକୁ ହେବ ।

 

ସଂସ୍କୃତ ରାମାୟଣର ମୁଖବନ୍ଧ ଯେପରି, ବଳରାମଦାସଙ୍କ ରାମାୟଣର ମୁଖବନ୍ଧ ସେପରି ନୁହେ । ସଂସ୍କୃତ ରାମାୟଣ ଅନୁସାରେ ନାରଦଙ୍କ ମୁଖରୁ ରାମ-ଚରିତ ସଂକ୍ଷେପରେ ଶୁଣି ବ୍ରହ୍ମାଙ୍କ ଅନୁରୋଧରେ ବାଲ୍ମୀକି ରାମାୟଣ ରଚନା କରିଥିଲେ । କିନ୍ତୁ ବଳରାମଦାସ କହିଲେ ଯେ କପିଳାସ ପର୍ବତରେ ପାର୍ବତୀ ଶିବଙ୍କୁ କାହା ନାମ ଜପ କରୁଛନ୍ତି ବୋଲି ପଚାରିବାରୁ ଶିବ ପାର୍ବତୀଙ୍କ ରାମଚରିତ କହିଲେ । କପିଳାସ ପର୍ବତର ଶିଖରଦେଶରୁ ଅବିରତ ଜଳଧାର ନିମ୍ନଗାମୀ ହେଲେ ମଧ୍ୟ ଶିଖରର ଜଳ ଲୁପ୍ତ ହେଉ ନାହିଁ । ଏଣୁ ମନୁଷ୍ୟର ମସ୍ତକର ରସ ନିମ୍ନଗାମୀ ହେଲେ କୌଣସି କ୍ଷତି ନାହିଁ ।

 

ରାମଙ୍କ ଲଙ୍କା-ଅଭିଯାନପାଇଁ କିସ୍କିନ୍ଧାଠାରେ ଯେତେବେଳେ କପିସୈନ୍ୟ ରୁଣ୍ଡ ହେଉଥିଲେ, ସେଥିରୁ ଦଳେ ବାଟବଣା ହୋଇ ବଣାଇରେ ପହଞ୍ଚିଲେ ଓ ଆଉ ଦଳେ ବାମଆଡ଼େ ଯାଇ ବାମଣ୍ଡାଠାରେ ପହଞ୍ଚିଲେ- ଏ କଥା ବଳରାମଦାସ ରାମାୟଣରେ ଲେଖିଲେ । ବନସ୍ପତି ଓ ବାମଦେବ ନାମ ଅନୁସାରେ ଯଦି ବଣାଇ ଓ ବାମଣ୍ଡାର ନାମ ହୋଇଥାଏ, ତେବେ ବଣାଇ ଓ ବାମଣ୍ଡାରେ ଦମ୍ପତି ରୂପରେ କେହି ବାସ କରୁ ନ ଥିଲେ ବୋଲି କହିବାକୁ ହେବ; କାରଣ, ବନସ୍ପତିପୂଜକ ଓ ବାମଦେବ ଋଷିଙ୍କ ମତାବଲମ୍ୱୀ ବିବାହିତ ଜୀବନର ପକ୍ଷପାତୀ ନ ଥିଲେ ।

 

ବଳରାମଦାସଙ୍କ ଗୂହ-ଶବର, ମାଣ୍ଡୁ-ପରୀକ୍ଷା ଲଙ୍କାପୋଡ଼ି ଓ ବନଗମନକାଳରେ କୌଶଲ୍ୟାଙ୍କର ସୀତାଙ୍କୁ ଉପଦେଶ ଦେବା ପ୍ରଭୃତି ନାନା ବିଷୟକ ବର୍ଣ୍ଣନା ଓଡ଼ିଶାର ବାସ୍ତବ ଚତ୍ରରୂପରେ ପ୍ରତିଭାତ ହେଉଅଛି । ଏହାଙ୍କ ରାମାୟଣ ଓ ସାରଳାଦାସଙ୍କ ମହାଭାରତ ଦାଣ୍ଡୀ ବୃତ୍ତରେ ରଚିତ । ଏହି ବୃତ୍ତଟି ଦାସକାଠିଆମାନଙ୍କଠାରୁ ଗୃହୀତ ହୋଇଅଛି । ଦାସକାଠିଆମାନେ ଅନେକ କିମ୍ୱଦନ୍ତୀ ମନେ ରଖିଥାଆନ୍ତି; ଫରମାସ୍‌ କଲେ ପଦ୍ୟ ଆକାରରେ ତାଳ ଠିକ ରଖି ଗାଇଯାଇପାରନ୍ତି । ପାଦର ଅକ୍ଷର-ସଂଖ୍ୟା ସମାନ ରଖିବା ଏମାନଙ୍କ ପକ୍ଷରେ ପ୍ରୟୋଜନ ନାହିଁ । ଏମାନେ ବୋଧ ହୁଏ ପୁରାତନ ଓଡ଼ିଶାର ପୁରାଣକାର ବ୍ୟାସଙ୍କ ବଂଶଧର ଅଟନ୍ତି ।

 

ତଳେ ବଳରାମଦାସଙ୍କ ରଚନାବଳୀର ତାଲିକା ଦିଆଯାଉଅଛି:

 

(୧) ରାମାୟଣ, (୨) ମହାଭାରତ, (୩) ଚଣ୍ଡୀ-ପୁରାଣ, (୪) କୃଷ୍ଣ-ଲୀଳା, (୫) ରସକେଳି, (୬) ବ୍ରହ୍ମ- ପୁରାଣ, (୭) ରାମବିଭା, (୮) ଲକ୍ଷ୍ମୀପୁରାଣ, (୯) କୁରାଳ-ପୁରାଣ, (୧୦) କାନ୍ତକୋଇଲି, (୧୧) କମଳଲୋଚନ ଚଉତିଶା, (୧୨) ବାରମାସୀ, (୧୩) ମୃଗୁଣୀସ୍ତୁତି (୧୪) ଦୁର୍ଗାସ୍ତୁତି, (୧୫) ଭାବସମୁଦ୍ର, (୧୬) ଭକ୍ତିରସାମୃତସିନ୍ଧୁ, (୧୭) ସଭାବିନୋଦ, (୧୮) ବ୍ରହ୍ମାଣ୍ଡ-ଭୂଗୋଳ, (୧୯) ଶରୀର-ଭୂଗୋଳ (୨୦) ବେଢା-ପରିକ୍ରମା, (୨୧) ଅର୍ଜୁନଗୀତା, (୨୨) ଗଜନିସ୍ତାରଣ ଗୀତା, (୨୩) ଭଗବଦ୍‌ ଗୀତା, (୨୪) ଅମରକୋଷ ଗୀତା, (୨୫) ଗୁପ୍ତଗୀତା, (୨୬) ଛତିଶଗୀତା, (୨୭) ଗରୁଡ଼ଗୀତା, (୨୮) ନାମରତ୍ନଗୀତା, (୨୯) ବିରାଟଗୀତା, (୩୦) ଗୀତାସାର ଓ (୩୧) ଗଣେଶ ବିଭୂତି ।

 

ସୀତାଙ୍କୁ ରାବଣ ହରି ନେଉଥିବାବେଳରେ ବାଟରେ ତାହାଙ୍କର ଯେଉଁ ମନୋବେଦନା କୋଇଲିକୁ ସଂବୋଧନ କରି ଚଉତିଶା-ନିୟମରେ ସେ ଅଭିବ୍ୟକ୍ତ କରିଅଛନ୍ତି ତାହା ‘କାନ୍ତକୋଇଲି’ ନାମରେ ଅଭିହିତ ହୋଇଅଛି । କୋଇଲି ସୀତାଙ୍କ ସନ୍ଦେଶ କାନ୍ତଙ୍କୁ ଦେବା ଅଭିପ୍ରାୟରେ ସୀତା କହିଥିବାର କଳ୍ପନା କରାଯାଇଅଛି । ଗଣେଶ-ବିଭୂତିରେ ଓଡ଼ିଶାର ବିଭିନ୍ନ ଶୂଦ୍ରଜାତି କେଉଁଠାରୁ କିପରି ପ୍ରଥମେ ଉତ୍ପନ୍ନ ହେଲେ ତାହା ବର୍ଣ୍ଣିତ ହୋଇଅଛି । ଏହା ଛପା ହୋଇଥିଲା; କିନ୍ତୁ ଏବେ ତାହାଙ୍କ ରଚିତ ଗଣେଶ-ବିଭୂତି ଛପା ନୋହି ବିପ୍ର ଯୋଗୀଦ୍ର ବା ଅନ୍ୟ କାହାରି ରଚିତ ଗଣେଷବିଭୂତି ଛପା ହେଉଅଛି । ତାହାଙ୍କ ରଚିତ ଗଣେଶ-ବିଭୂତିରେ ବେଣାଟିଆ ଓଡ଼ ବେଣାମୂଳରୁ ବାହାରିଥିବାର ବର୍ଣ୍ଣିତ ହୋଇଥିବାରୁ ସେମାନେ ବେଣରାଜାଙ୍କର ବଂଶଧର ବୋଲି ଅନ୍ୟ ପ୍ରମାଣବଳରେ ଏ ଲେଖକ ଅନୁମାନ କରେ ।

 

ମୃଗୀ ନିଜର ଦିଓଟି ଛୁଆ ନେଇ ବଣରେ ଚରୁଥିଲା । ବ୍ୟାଧ ଆସି ଜାଲ ବିସ୍ତାରିଦେବାରୁ ଛୁଆ ଦିଓଟି ଜାଲରେ ପଡ଼ିଗଲେ । ମୃଗୀ ଈଶ୍ୱରଙ୍କୁ ସ୍ତୁତି କରିବାରୁ ଭୀଷଣ ପବନ ଓ ବର୍ଷା ହୋଇ ଜାଲ ଛିଣ୍ଡି ଯାଇ ଛୁଆଦିଓଟି ଉଦ୍ଧାର ପାଇଲେ । ଏହା ମୃଗୁଣୀ-ସ୍ତୁତିର ବର୍ଣ୍ଣିତ ବିଷୟ ଅଟେ । ଏହା ‘ସଂଘନାଦ-ଯୋଗ’ ଅନୁସାରେ ରଚିତ ହୋଇଅଛି । ମୃଗ-ପଦର ଅର୍ଥ ଜୀବାତ୍ମା । ଜୀବାତ୍ମାର ସ୍ଥିର ସ୍ୱଭାବ ଓ ଚଞ୍ଚଳ ସ୍ୱଭାବ ଦିଓଟିକୁ ଛୁଆ ରୂପରେ ବର୍ଣ୍ଣନା କରାଯାଇଅଛି । ଚିତ୍ତ ବ୍ୟାଧ ଅଟେ । ଇନ୍ଦ୍ରିୟ-ସଂଭୋଗ ସଙ୍ଗମକୁ ଜାଲ କହନ୍ତି । ପ୍ରବୃତ୍ତି-କାଳରେ ନିବୃତ୍ତି-ମାର୍ଗରେ ଈଶ୍ୱରଙ୍କଠାରେ ଚିତ୍ତ ରଖି ସ୍ତୁତି କଲେ ପ୍ରବଳ ବୃଷ୍ଟି ହୋଇ ଚିତ୍ତର ବୈରାଗ୍ୟ ଜାତ ହେବ- ଏହା ପୁସ୍ତକର ପ୍ରତିପାଦ୍ୟ ବିଷୟ ।

 

ଓଡ଼ିଶାର ପ୍ରାଚୀନ ସଂସ୍କୃତି ଜାଣିବାକୁ ଇଚ୍ଛା କଲେ ପଞ୍ଚସଖାଙ୍କ ସାହିତ୍ୟ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିବା ଉଚିତ । ମୁଁ ମତ୍ତ ବଳରାମଦାସ ସମସ୍ତ ଗ୍ରନ୍ଥ ପଡ଼ିବାର ସୁଯୋଗ ପାଇନାହିଁ । ଯେ କେତେଖଣ୍ଡ ପଢି ଆଲୋଚନା କରି ତାହାଙ୍କ ମତ ସମ୍ୱନ୍ଧରେ ଯେଉଁ ଧାରଣା ମୋର ଜନ୍ମିଅଛି, ତାହା ଏଠାରେ ଉଲ୍ଲେଖ କଲେ ଭବିଷ୍ୟତ ଗବେଷକମାନଙ୍କର ବୋଧ ହୁଏ ସାହାଯ୍ୟକାରୀ ହେବ । କବି ‘ବ୍ରହ୍ମାଣ୍ଡ ଭୂଗୋଳ’ରେ ଲେଖି ଅଛନ୍ତି:

 

‘‘ଯେ କାଳେ ନ ଥିଲା ସଂସାର । ନ ଥିଲେ ଚନ୍ଦ୍ର ଦିବାକରା ।।‘‘

X            X            X

‘‘ସେ କାଳେ ଶୂନ୍ୟ ମୋର ରୂପ । ଏମନ୍ତେ ଗଲା କୋଟି କଳ୍ପ ।।

ବ୍ରହ୍ମାଣ୍ଡ ମୋର ଗର୍ଭେ ନେଇ । ରଖିଲି ବ୍ରହ୍ମରୂପ ହୋଇ ।।

ସୃଷ୍ଟିକରଣେ ବାଞ୍ଚ୍ଥା ହେଲା । ମୋ ଅଙ୍ଗୁ ବିନ୍ଦୁ ଉଚ୍ଛୁଳିଲା ।।

ସେ ବିନ୍ଦୁ ତ୍ରୟ ଭାଗ ହେଲା । ତ୍ରିବୀଜ ରସ ବୋଲାଇଲା ।।’’

X            X            X

‘‘ତ୍ରୟ ବୀଜରୁ ତ୍ରୟ ଦେବ । ହୋଇଲେ ବ୍ରହ୍ମା ବିଷ୍ଣୁ ଶିବ ।।

ଏ ତିନି ମୂର୍ତ୍ତିଠାରୁ ପୁଣ । ଉତ୍ପତ୍ତି ହେଲା ‘ରାମ’ ନାମ ।।

ନାମରୁ ଭାଗବତ ହେଲା । ତେଣୁ ଦ୍ୱିଗୁଣ ବୋଲାଇଲା ।’’ (୧ମ ଅ:)

 

‘‘ମାତାପିତାଙ୍କ ରଜବୀଜ । ତେଣୁ ହୋଇଲା ମହାତେଜ ।।

ରଜୋବୀଜକୁ ଭାଗ କଲା । ଏମନ୍ତେ ଭାଗବତ ହେଲା ।।’’ (୨ୟ ଅ:)

 

ଏହାଉତ୍ତାରୁ ବ୍ରହ୍ମାଣ୍ଡର ଯାବତୀୟ ବସ୍ତୁ କିପରି ମନୁଷ୍ୟର ଶରୀର ଭିତରେ ଅବିସ୍ଥିତ ହୋଇଅଛି, ତାହା ବର୍ଣ୍ଣନା କରାଯାଇଅଛି । ଯେଉଁ ନିୟମରେ ମନୁଷ୍ୟର ଶରୀର ଉତ୍ପନ୍ନ ହୁଏ, ସେହି ନିୟମରେ ବ୍ରହ୍ମାଣ୍ଡ ଉତ୍ପନ୍ନ ହୋଇଅଛି । ମନୁଷ୍ୟର ଶରୀର ଗୋଟିଏ କ୍ଷୁଦ୍ର ବିଶ୍ୱସ୍ୱରୂପ ଅଟେ-। ଭଗବାନଙ୍କଠାରୁ ସ୍ତ୍ରୀ ଓ ପୁରୁଷ ଉଭୟେ ଜାତ ବୋଲି କୁହାଯାଇଅଛି । ତାଙ୍କଠାରୁ ଯାବତୀୟ ବସ୍ତୁର ଉତ୍ପତ୍ତି ଘଟିଅଛି । ଏଣୁ ଭଗବାନଙ୍କର ମୂଳରୂପ ଶୂନ୍ୟ ହେଲେ ମଧ୍ୟ ବ୍ରହ୍ମାଣ୍ଡର କୌଣସି ବସ୍ତୁର ନାମରୂପ ଶୂନ୍ୟ ନୁହେଁ । ‘ଶୂନ୍ୟ’ ଶବ୍ଦ ଦେଖି ବଳରାମଦାସ ବୌଦ୍ଧ ଥିଲେ ବୋଲି କହିବା ସମୀଚୀନ ନୁହେ । ବୌଦ୍ଧମାନଙ୍କ ମତରେ ବ୍ରହ୍ମାଣ୍ଡର ଯାବତୀୟ ବସ୍ତୁ ଓ ନାମରୂପ ମିଥ୍ୟା ଅଟେ । ଶଙ୍କରଙ୍କ ବେଦାନ୍ତ ଭାଷ୍ୟର ଅଦ୍ୱୈତବାଦ ଅନୁସାରେ ବ୍ରହ୍ମ ସତ୍ୟ ଅଟନ୍ତି ଓ ବିଶ୍ୱର ଅନ୍ୟ ଯାବତୀୟ ବସ୍ତୁ ତାହାଙ୍କ ମାୟାରୁ ସୃଷ୍ଟ ହୋଇଅଛି । କିନ୍ତୁ ବଳରାମଦାସଙ୍କ ମତରେ କୌଣସି ବସ୍ତୁ ମାୟା ବା ଅଳୀକ ନୁହେଁ । ଶୂନ୍ୟରୁ କାମ ଜାତ ହେଲେ ବିନ୍ଦୁ ହୁଏ । ତହିଁରୁ ପ୍ରକୃତି ଜାତ ହୁଏ ।

 

ମତ୍ତ ବଳରାମଦାସ ନିଜ ରଚିତ ଶ୍ରୀମଦ୍‌ଭଗବଦଗୀତାରେ ସଂସାରକୁ ଉଲଟ ଅଶ୍ୱତ୍‌ଥ-ବୃକ୍ଷ ରୂପରେ ବର୍ଣ୍ଣନା କରିଅଛନ୍ତି । ଏହି ବର୍ଣ୍ଣନା ସଂସ୍କୃତ ଗୀତାରେ ଅଛି । ଏଣୁ ସୃଷ୍ଟିର ଆଦ୍ୟକୁ ଶୂନ୍ୟ ବା ଆକାଶ କହିବା ମତ୍ତ ବଳରାମଙ୍କ ପକ୍ଷରେ ବିଚିତ୍ର ନୁହେ । ଏହି ଅଶ୍ୱତ୍‌ଥ-ବୃକ୍ଷର ପୂଜକ ଇନ୍ଦ୍ରିୟ-ନିରୋଧ ନ କରି ଅନିରୁଦ୍ଧ ହୋଇଥିଲେ ।

 

ମତ୍ତ ବଳରାମ ସଂସ୍କୃତ ଭଗବଦ୍‌ଗୀତା ଅନୁସରଣ ନ କରି ସଂସାରର ଧର୍ମ କର୍ମକୁ ନିଜ ଉପଲବ୍‌ଧି ଅନୁସାରେ ବୁଝାଇ ଶ୍ରୀମଦ୍‌ଭଗବଦଗୀତା ଲେଖି ଅଛନ୍ତି । ସେ ଅଷ୍ଟମ ଅଧ୍ୟାୟରେ ‘ତାରକ ବହ୍ମଯୋଗ’ ବର୍ଣ୍ଣନା କରି ଅଛନ୍ତି । ସେ ସାଂଖ୍ୟ-ଦର୍ଶନର ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ତ୍ରି ତାପକୁ ତ୍ରି କର୍ମ ରୂପରେ ନିମ୍ନଲିଖିତ ପ୍ରକାରେ ବର୍ଣ୍ଣନା କରି ଅଛନ୍ତି ;

‘‘ଜୀବ-ଭାବ ଯେଉଁ ଧର୍ମ             ବୋଲି ଅଧି-ଆତ୍ମା କର୍ମ

ପ୍ରାଣୀଙ୍କ ସୃଷ୍ଟି କରିବା କରମ ବୋଲି ।

ଦେହାଦି କ୍ଷଏ ପଦାର୍ଥ            ଏହା ବୋଲି ଅଧିଭୂତ

ଅଧି-ଭଉତିକ ଅଧିଷ୍ଠାନ କହିଲା ।।

ଦେହଧାରିମାନଙ୍କର             ଅଧିଯଜ୍ଞର ଭିତର

ମରଣେ ସୁମରି ମୋତେ ଯେ ଦେହ ଛାଡ଼ି ।

ସେ ମୋର ଭାବ ଘେନଇ             ଏଥିରେ ସଂଶୟ ନାହିଁ ।

ଆରକ କଥାଏ ତୋତେ କହଇ ବଢି ।।’’

X            X            X

‘‘ମରଣେ ଭାବଇ ଯାହା             କାଲେ ପୁଣ ପାଇ ତାହା

ତେଣୁ କରି ସର୍ବଦା ତୁ ମୋତେ ସୁମର ।

ମନବୁଦ୍ଧି ମୋହ ତହିଁ      ସ୍ଥିର କରିଣ ଲଗାଇ

ତରିବୁ ସଂଶୟ ନାହିଁ ସଂଗ୍ରାମ କର ।।’’

X            X            X

ସର୍ବଦ୍ୱାର ସଂଯମିଣ       ମନ ନିରୋଧ କରିଣ

ମୃଧୁନିରେ ଲାଇ ପ୍ରାଣ ମୋତେ ସୁମର ।

ଧର ଏକାକ୍ଷର ବ୍ରହ୍ମ       ଉଚ୍ଚାରିଣ ସେହି କର୍ମ

ପରମଗତି ପ୍ରାପତି ସେହୁ ନ ତର ।।’’

 

ଏଥିରୁ ଜଣାଯାଏ ଯେ ଚୈତନ୍ୟଙ୍କ ପରି କୀର୍ତ୍ତନରେ ଭାବବିହ୍ୱଳ ନୋହି ଈଶ୍ୱର-ତନ୍ମୟତା ଲାଭ ନ କରି ପବନନିରୋଧ ଈଶ୍ୱରଙ୍କୁ ଉପଲବ୍‌ଧି କରିବାପାଇଁ ମତ୍ତ ବଳରାମଦାସ ଉପଦେଶ ଦେଇଥିଲେ । ଇନ୍ଦ୍ରିୟର ତୃପ୍ତିପାଇଁ ବୌଦ୍ଧଗାନ ଓ ଦୋହାରେ ଏପରି ଯୋଗର ମଧ୍ୟ ଉଲ୍ଲେଖ ଅଛି-:--

‘‘ଆଳିଏ କାଳିଏ ବାଟ ରିନ୍ଧେଲା ।’’

ବୌଦ୍ଧମାନଙ୍କ ମତରେ ମୃତ୍ୟୁବେଳକୁ ମନର ଯହିଁରେ ଆସକ୍ତି ଥିବ, ଭବିଷ୍ୟତ ଜନ୍ମରେ ସେହି ଆସକ୍ତି ଅନୁସାରେ ଜନ୍ମଗ୍ରହଣ କରିବ । ଜୀବନରେ ବିଷୟାସକ୍ତ ହୋଇଥିଲେ ମୃତ୍ୟୁକାଳକୁ ବିଷୟାସକ୍ତି ଛାଡ଼ିବ ନାହିଁ । ଏଣୁ ଜୀବନରେ ସଂସାର ତ୍ୟାଗ କରି ସର୍ବଦା ସଂସାରକୁ ମିତ୍ୟା ବୋଲି ଯଦି ଉପଲବ୍‌ଧି କରୁଥିବ, ତେବେ ମୃତ୍ୟୁକାଳକୁ ଆସକ୍ତି ଦୂର ହୋଇଥିବ ଓ ପୁନର୍ଜନ୍ମ ଘଟିବ ନାହିଁ-। କିନ୍ତୁ ନିଷ୍ଟାମ କର୍ମ କରି ଅନ୍ତିମକାଳରେ ଏକାକ୍ଷର ବା ଅଦ୍ୱୈତ ଧ୍ୟାନ କଲେ ମନୁଷ୍ୟ ପୁନର୍ଜନ୍ମ ଲାଭ କରିବ ନାହିଁ ବୋଲି ମତ୍ତ ବଳରାମ କହି ଅଛନ୍ତି । ଭଗବାନଙ୍କଠାରେ ଚିତ୍ତ ରଖି ସାତ୍ତ୍ୱିକ ବୁଦ୍ଧିରେ କର୍ମ କରିବା ଶ୍ରେୟସ୍କର ବୋଲି ସେ ଲେଖିଅଛନ୍ତି । ସେ ଦେବତା, ବ୍ରାହ୍ମଣଙ୍କର ମଧ୍ୟ ନିନ୍ଦା-କରିନାହାନ୍ତି; କିନ୍ତୁ ବିଦ୍ୱେଷ ପୋଷି ଥିବାର ଅନୁମିତ ହୁଏ । ଏହା ବୋଧ ହୁଏ ଉତ୍କଳର ବିରାଟ ବା ହନୁମାନ-ଧର୍ମ ଅଟେ । ହନୁମାନଙ୍କୁ ସବୁ ଦେବତାମାନେ ନିଜ ନିଜ ଶକ୍ତି ଦେଇଥିବାର ସଂସ୍କୃତ ରାମାୟଣରେ ବର୍ଣ୍ଣିତ ଥିବାରୁ ତାହାଙ୍କ ଧର୍ମ ବିରାଟ-ଧର୍ମ ବୋଲି ଏ ଲେଖକ ମନେ କରେ-

 

ମତ୍ତ ବଳରାମଙ୍କ ଗୀତାରେ ଆଉ ଗୋଟିଏ ନୂତନ କଥା ଲକ୍ଷ୍ୟ କରାଯାଏ । ଅର୍ଜ୍ଜୁନ ଓ ଭଗବାନଙ୍କ ପ୍ରଶୋତ୍ତର ଛଳରେ ଗୀତା ରଚିତ ହୋଇଅଛି । ପ୍ରଶ୍ନକୁ ‘ପୀଢବନ୍ଧ’ ଓ ଉତ୍ତରକୁ ‘ଗୀତବନ୍ଧ’ କୁହାଯାଇଅଛି । ମୂଳ-ଆସନକୁ ସଂସ୍କୃତରେ ପୃଷ୍ଠ କୁହାଯାଏ । ଏଣୁ ପ୍ରତ୍ୟେକ ମନ୍ଦିର କୂର୍ମ, ସିଂହ ଓ ପଦ୍ମ ପ୍ରଭୃତି ପୃଷ୍ଠ ମଧ୍ୟରୁ କୌଣସି ନା କୌଣସି ପୃଷ୍ଠ ଉପରେ ନିର୍ମିତ ହୁଏ ବୋଲି ଓଡ଼ିଶାର ଶିଳ୍ପ-ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ହୋଇଅଛି । ଏଣୁ ଯେଉଁ ବିଷୟର ବ୍ୟାଖ୍ୟାପାଇଁ ପ୍ରଶ୍ନ କରାଯାଇଅଛି, ତାହା ଜ୍ଞାତବ୍ୟ ବିଷୟର ଭିତ୍ତି ହୋଇଥିବାରୁ ତାହାକୁ ପୀଢ କୁହାଯାଇଅଛି । ଯାହା ଗାଇବାକୁ ହୁଏ, ତାହାକୁ ଗୀତ କହନ୍ତି । ‘ତା କଥା ଗାଇ ଯାଅ’ କହିଲେ- ତାହା କଥା ବର୍ଣ୍ଣନା କର ବୋଲି ବୁଝାଯାଏ । ଏଠାରେ ପୀଢା ନାମରେ ପରିଚିତ କାଷ୍ଠାସନକୁ ତୁଳନା କରାଯାଇପାରେ ।

 

ସୀତା, ଲକ୍ଷ୍ମଣଙ୍କ ସହିତ ରାମଚନ୍ଦ୍ର ଅରଣ୍ୟରେ କେଉଁ ମାସରେ କିପରି କଷ୍ଟ ପାଇ ବର୍ଷ କାଟୁଥିବେ, ତାହା କୌଶଲ୍ୟା ଚିନ୍ତା କରି କୋଇଲିକୁ ସଂବୋଧନ କରି କହୁଅଛନ୍ତି । ଏ କଥାକୁ ମତ୍ତ ବଳରାମ ଚଉତିଶା ନିୟମରେ ରଚନା କରି ‘ବାରମାସୀ କୋଇଲି’ ତାହାର ନାମ ଦେଇ ଅଛନ୍ତି । ବାଉରି ଜାତିର ଉତ୍ପତ୍ତି ସମ୍ୱନ୍ଧରେ ଲେଖି ସମାଜରେ ସେ ଜାତିର ଉଚ୍ଚ ସ୍ଥାନ ଅଛି ବୋଲି ସେ ଲେଖିଅଛନ୍ତି । ପୁଣି ନିଜ ଚରିତ ଶ୍ରୀମଦଭଗବଦ୍‌ଗୀତାରେ ଜଗନ୍ନାଥଙ୍କ ଅବକାଣ ସମୟରେ ସେ କିପରି ବ୍ରାହ୍ମଣ ଓ ପ୍ରତାପରୁଦ୍ରଦେବଙ୍କ କୋପଭାଜନ ହୋଇଥିଲେ, ତାହାର ବର୍ଣ୍ଣନା-ପ୍ରସଙ୍ଗରେ ନିଜକୁ ‘ବାଉରି’ ଆଖ୍ୟା ଦେଇଅଛନ୍ତି । ପ୍ରତାପରୁଦ୍ରଦେବ ଜଗନ୍ନାଥ ମନ୍ଦିରକୁ ଗଲେ । ବ୍ରାହ୍ମଣମାନେ ତାଙ୍କ ସଙ୍ଗରେ ରହିଲେ । ଶୂଦ୍ରମାନଙ୍କୁ ବାହାର କରିଦିଆଗଲା । ରାଜାଙ୍କୁ ବ୍ରାହ୍ମଣମାନେ ସଂସ୍କୃତ ଶ୍ରୀମଦ୍‌ଭଗବଦ୍‌ଗୀତାର ଅର୍ଥ ବୁଝାଇଲେ । ବଳରାମଦାସ ଛଦବେଶରେ ଅର୍ଥ ଶୁଶୁଥିଲେ । ବ୍ରାହ୍ମଣମାନେ ତାହାଙ୍କୁ ଚିହ୍ନିପାରି ରାଜାଙ୍କ ନିକଟରେ ତାହାଙ୍କ ବିରୋଧରେ ଅଭିଯୋଗ କଲେ । ଶୂଦ୍ରର ବ୍ରହ୍ମବିଦ୍ୟା ଶୁଣିବାର ଅଧିକାର ନାହିଁ । ବଳରାମଦାସ ଶୁଣିଥିବାରୁ ଅପରାଧୀ ହୋଇଅଛନ୍ତି । ରାଜା ବଳରାମଦାସଙ୍କୁ ଶୁଣିବାର କାରଣ ପଚାରିବାରୁ ସେ କହିଲେ, ଭକ୍ତମାତ୍ରକେ ସଭିଏ ବ୍ରହ୍ମଜ୍ଞାନ ଶୁଣିବାର ଅଧିକାରୀ ଅଟନ୍ତି । ପରେ କହିଲେ :-

 

 

‘‘ଏ ଯେବେ ବ୍ରହ୍ମ-ବିଦ୍ୟାକୁ ଛନ୍ତି ଗୋପ୍ୟ କରି ।

କାଲି ଦେବାର୍ଚ୍ଚ ନବେଳେ କହିବ ବାଉରୀ ।।

ସେଦିନ ଘରକୁ ଯାଇ ଗୀତା ଲେଖି ଆଣିଲେ । ପରଦିନ ରାଜା ବିଜେହେଲେ, କହିଲେ :-

‘‘ରାଜା ଆଜ୍ଞା ଦେଲେ କାଲି କଥା କି ପାସୋରି ।

ବୋଇଲା ଯେ ବ୍ରହ୍ମବିଦ୍ୟା କହିବ ବାଉରୀ ।।

‘‘ମୁଁ ବୋଇଲି ଦେବ ଏ ତ ଜଗନ୍ନାଥ ଘର ।

କେମନ୍ତେ ବାଉରୀ ସେ ଯେ ପଶିବ ଭିତରେ ।।’’

 

ଏହାଉତ୍ତାରୁ ରାଜା ଅନୁମତି ଦେଲେ । ବଳରାମଦାସ ଗୀତା ପଢିଲେ । ରାଜା ଶୁଣିଲେ । ବ୍ରାହ୍ମଣମାନେ ଭୂମିରେ ରଖିଥିବା ସ୍ମୃତି-ଶାସ୍ତ୍ର ଫିଟାଇଲେ ।

 

ଏ ଗଳ୍ପ ଶୁଣି ମତ୍ତ ବଳରାମ ଜାତିରେ ବାଉରୀ ଥିଲେ ବୋଲି କେହି କେହି ଅନୁମାନ କରନ୍ତି; କିନ୍ତୁ ଅନୁମାନ ଯଥାର୍ଥ ନୁହେଁ । ବାଉରୀମାନେ ବାଲ୍ମୀକିଙ୍କର ଭକ୍ତ ଥିଲେ ଓ ସେମାନେ ପ୍ରଥମେ ରାମ-ଧର୍ମ ଗ୍ରହଣ କରିଥିଲେ ବୋଲି ଏ ଲେଖକ ଅନ୍ୟ ଗ୍ରନ୍ଥରେ ପ୍ରମାଣ କରିଅଛି । ବଳରାମ ଦାସ ରାମଭକ୍ତ ଥିବାରୁ ନିଜର ଜାତି ବାଉରୀ କହିବାରେ ସେ ଗର୍ବ ଅନୁଭବ କରୁଥିଲେ । ଏଣୁ ଚୈତନ୍ୟ-ଭାଗବତରେ ଚୈତନ୍ୟଦେବ ବଳରାମଦାସଙ୍କ କର୍ଣ୍ଣରେ କହିଲେ ବୋଲି ଯାହା ଈଶ୍ୱରଦାସ ଲେଖି ଅଛନ୍ତି, ତାହା ବିଶ୍ୱାସଯୋଗ୍ୟ ନୁହେଁ । ଚୈତନ୍ୟଦେବଙ୍କ ସଙ୍ଗରେ ବଳରାମ ଦାସ ଦକ୍ଷିଣକୁ ବୁଲିଯାଇଥିଲେ ବୋଲି ବଙ୍ଗଦେଶୀୟ ଗୋବିନ୍ଦଦାସଙ୍କ କରଚାରେ ମଧ୍ୟ ଲେଖାଅଛି-। ରାମ-ସମ୍ପ୍ରଦାୟ ଓ କୃଷ୍ଣ-ସମ୍ପ୍ରଦାୟ ମଧ୍ୟରେ ଅହି-ନକୁଳ ସମ୍ପର୍କ ଥିବାରୁ ଏସବୁ କଥାରେ ସନ୍ଦେହ ଜାତ ହୁଏ । କିନ୍ତୁ ଓଡ଼ିଶାରେ ସାମ୍ପ୍ରଦାୟିକ ବିଦ୍ୱେଷ ନ ଥିବାର ହୁଏନସାଂ ଲେଖିଅଛନ୍ତି ।

 

ମତ୍ତ ବଳରାମଙ୍କ ଗୀତାରେ ‘ଭାରତ-ବୋଲି’ ନାମରେ ଗୋଟିଏ ବାଣୀର ଉଲ୍ଲେଖ ଅଛି । ଏହାର ପଦଟି ଦୁଇ ପାଦରେ ବିଭକ୍ତ ଓ ପ୍ରତ୍ୟେକ ପାଦରେ ତିନି ପର୍ବ ଅଛି । ପ୍ରତ୍ୟେକ ପାଦର ପ୍ରଥମ ଦୁଇ ପର୍ବ ପଞ୍ଚାକ୍ଷରା ଓ ଶେଷ ପର୍ବ ଅଷ୍ଟାକ୍ଷରା ଅଟେ । ଏ ‘ଭାରତ-ବୋଲି’ କେଉଁଠାରେ ଅଛି ?

ଜଗନ୍ନାଥଦାସ

ଏହାଙ୍କ ଶିଷ୍ୟ ଦିବାକରଦାସ ‘ଜଗନ୍ନାଥାମୃତ’ରେ ଜଗନ୍ନାଥଦାସଙ୍କ ଜୀବନୀ ଓ ଜଗନ୍ନାଥ ମହାପ୍ରଭୁଙ୍କ ତତ୍ତ୍ୱ ଲେଖିଅଛନ୍ତି । ତାଙ୍କ ଲେଖାନୁସାରେ ଭାଦ୍ର ଶୁକ୍ଳ-ଅଷ୍ଟମୀ ଦିନ ଜଗନ୍ନାଥଦାସ ଜନ୍ମଗ୍ରହଣ କରିଥିଲେ ଓ ମତ୍ତ ବଳରାମଦାସଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ ।

 

‘‘ତେଣୁ ସେ ପଦାର ଉଦରେ । ଜନ୍ମିଲେ ବାଳକ ବେଭାରେ ।।

ଭାଦ୍ରବ ଶୁକ୍ଳାଷ୍ଟମୀ ଦିନ । ବେଳ ମଧ୍ୟାହ୍ନ କାଳେ ଜନ୍ମ ।।’’ (ପ୍ର: ଅ:)

X            X            X            X

‘‘ୟେମନ୍ତେ ଜଗନ୍ନାଥ ଦାସେ । କହିଲେ ଶ୍ରୀଚୈତନ୍ୟ ପାଶେ ।।

ହେ ଦେବ ଭଗତି-ସାଗର । ଶ୍ରୀହରି ନାମ ଆଜ୍ଞାକର ।।

ଶୁଣି ହରଷ ପ୍ରଭୁ ହେଲେ । ମତ୍ତ ବଳରାମେ ଚାହିଁଲେ ।।

ଏହାଙ୍କୁ ଉପଦେଶ ଦିଅ । ରାମାଦି କୀର୍ତ୍ତନ କରାଅ ।।

 

ଚୈତନ୍ୟଦେବ ଓଡ଼ିଶାକୁ ୧୫୦୯ ଖ୍ରୀଷ୍ଟାବ୍ଦରେ ଆସିଥିଲେ । ଦିବାକରଦାସ ଲେଖିଅଛନ୍ତି, ଜଗନ୍ନାଥଦାସ ଜାତିରେ ବ୍ରାହ୍ମଣ ଥିଲେ । ତାହାଙ୍କ ପିତାଙ୍କର ନାମ ଭଗବାନ ପୁରାଣ-ପଣ୍ଡା ଓ ମାତାଙ୍କ ନାମ ପଦ୍ମା ଅଟେ । ସେ ସଂସ୍କୃତ-ଭାଷାରେ ବ୍ୟୁତ୍ପତ୍ତି ଲାଭ କରିଥିଲେ ଓ କପିଳେଶ୍ୱରପୁର ଶାସନନିବାସୀ ଥିଲେ । ଚୈତନ୍ୟ ଆସିବାବେଳକୁ ସେ ସଂସ୍କୃତ ଭାଷାରେ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଏଣୁ ୧୪୮୦ ଖ୍ରୀଷ୍ଟାବ୍ଦରେ ପରବର୍ତ୍ତୀ କାଳରେ ସେ ଜନ୍ମଗ୍ରହଣ କରି ନ ଥିବେ । ତାହାହେଲେ ବଳରାମଦାସ ୧୪୬୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ବୋଲି ଅନୁମାନ କରାଯାଇପାରେ । ‘‘ବାଳକ ବେଭାରେ’’ ସେ ଜନ୍ମିଥିବାର ଉକ୍ତ ହୋଇଥିବାରୁ ପ୍ରାଚୀନ କାଳର ବାଳେୟ-ଧର୍ମ ବା ଅନାସକ୍ତ ବିଶୋର ମାର୍ଗର ସେ ପଥିକ ଥିଲେ ବୋଲି ଅନୁମାନ କରାଯାଇପାରେ । ଜଗନ୍ନାଥଦାସ ଅତିବଡ଼ୀ ବୈଷ୍ଣବ ସମ୍ପ୍ରଦାୟ ପ୍ରତିଷ୍ଠିତ କରି ଓଡ଼ିଆ ମଠ ପୁରୀରେ ସ୍ଥାପନ କରିଥିଲେ ।

 

ଜଗନ୍ନାଥଦାସ ଓଡ଼ିଆରେ ଭାଗବତ ରଚନା କରିଥିଲେ- ସଂସ୍କୃତ ଭାଗବତକୁ ଅନୁବାଦ କରି ନ ଥିଲେ । ଜଗନ୍ନାଥଦାସ ସଂସ୍କୃତ ଜାଣିଥିଲେ ଓ ତାହାଙ୍କର ପିତା ପୁରାଣପଣ୍ଡା ଥିଲେ; ଅର୍ଥାତ୍‌ ରାଜାଙ୍କୁ ପୁରାଣ ଶୁଣାଇ ଅର୍ଥ ବୁଝାଉଥିଲେ । ଏପରି ସ୍ଥଳରେ ସଂସ୍କୃତ ଭାଗବତ ତାହାଙ୍କୁ ଦୁର୍ଲଭ ନ ଥିଲା ଓ ତହିଁର ଭାଷା ବୁଝିବା ତାହାଙ୍କ ପକ୍ଷରେ କଠିନ ନ ଥିଲା । କିନ୍ତୁ ସେ ଭାଗବତ ଅନୁବାଦ ନ କରି ସ୍ୱାଧୀନଭାବରେ ରଚନା କଲେ କାହିଁକି ? ପୁରୀର ପାରମ୍ପରିକ କୃଷ୍ଣ-ସମ୍ପ୍ରଦାୟର କୃଷ୍ଟି ସଂସ୍କୃତ-ଭାଗବତର କୃଷ୍ଟିଠାରୁ ଭିନ୍ନ ଥିଲା । ବ୍ରହ୍ମପୁରାଣ ଅନୁସାରେ ପୁରୀରେ ବାଳଖିଲ୍ୟ-ଋଷିମାନେ ବାସ କରୁଥିଲେ ଓ ସଂସ୍କୃତ ମହାଭାରତ ଅନୁସାରେ ବାଳଖିଲ୍ୟ-ଋଷିମାନେ ବୃକ୍ଷର ଶାଖାରେ ପାଦା ରଖି ନତଶିର ହୋଇ ସୂର୍ଯ୍ୟଙ୍କ ମରୀଚି ମାତ୍ର ପାନ କରୁଥିଲେ । ଋଗବେଦରେ ବାଳଖିଲ୍ୟ ସୂକ୍ତ ଅଛି । ଏହି ସୂକ୍ତର ଋଷିମାନେ ଉଲଟ ଅଶ୍ୱତ୍‌ଥ ବୃକ୍ଷ ବା ଅତ୍ରିଙ୍କ ଔରସରୁ ଜାତ ଊତ୍ତାନପାଦ ଅଟନ୍ତି । ଏମାନେ ଶୂନ୍ୟରୁ ସୃଷ୍ଟିର ଆରମ୍ଭ ସ୍ୱୀକାର କରି ପୃଥିବୀରେ ଜ୍ଞାନର ଅସ୍ତିତ୍ୱ ସ୍ୱୀକାର କରୁଥିଲେ ବୌଦ୍ଧଧର୍ମର ମାୟାବାଦ ଗ୍ରହଣ କରି ନ ଥିଲେ । ସେମାନେ ଗଣ୍ଡଶିଳ ସାଧନ କରୁଥିବାରୁ ପୁରୀରେ ଗୁଣ୍ଡିଚା-ଯାତ୍ରା ହୁଏ । ବାଳଖିଲ୍ୟ-ଋଷିମାନେ ବାଳେୟ-ଧର୍ମ ଗ୍ରହଣ କରି କୁମାରୀ-ପୂଜା ପ୍ରକୃତି ଅନୁଧ୍ୟାନ କରୁଥିଲେ ବୋଲି ସେମାନଙ୍କୁ ମରୀବିପାୟୀ କୁହାଯାଇଅଛି । କିନ୍ତୁ ସଂସ୍କୃତ ଭାଗବତର ଦଶମ ସ୍କନ୍ଦରେ ଯେଉଁ ରାସଲୀଳାର ବର୍ଣ୍ଣନା କରାଯାଇ ନୈତିକ ଦୃଷ୍ଟିରୁ ତହିଁର କୁଫଳକୁ ଘୋଡ଼ାଇବାପାଇଁ ପ୍ରୟାସ କରାଯାଇଅଛି, ତାହା ସମାଜପକ୍ଷରେ ଇଷ୍ଟକର ନୁହେଁ-। କୃଷ୍ଣଙ୍କ ସହିତ ଗୋପୀମାନଙ୍କର ସୁରତପ୍ରସଙ୍ଗ ଉନ୍ମୁକ୍ତ ଭାଷାରେ ବର୍ଣ୍ଣନା କରିବାଉତ୍ତାରୁ କୃଷ୍ଣ ଅଚ୍ୟୁତ ହୋଇଥିବାରୁ ତାହାଙ୍କର ବିନ୍ଦୁଚ୍ୟୁତ ହେଲା ନାହିଁ କହିବାଦ୍ୱାରା ସମାଜର ଆଦର୍ଶ କ୍ଷୂର୍ଣ୍ଣ ହେବ ନାହିଁ ବୋଲି ଭାବିବା ସମୀଚୀନ ନୁହେଁ । ଦୀର୍ଘତମାଙ୍କ ମତ ଅନୁସାରେ ଅନ୍ଧକାରରୁ ସୃଷ୍ଟିର ଉତ୍ପତ୍ତି ବୋଲି ସ୍ୱୀକାର କରି ପୁରୀରେ ସଂଯତ କୃଷ୍ଣଧର୍ମ କୃଷ୍ଣମୁଖା ହନୁମାନ ହୋଇଥିଲା । ଏମାନେ ରାମ-ଧର୍ମ ଗ୍ରହଣ କରିଥିଲେ; ଅର୍ଥାତ୍‌ ଆନନ୍ଦମୟ ଜୀବନ ଅତିବାହିତ କରୁଥିଲେ । ଏଣୁ ଏ ଦେଶର ନାମ ତୋଷଳୀ ହୋଇଥିଲା । ପାରମ୍ପରିକ ସଂସ୍କୃତି ଅନୁସାରେ ଜଗନ୍ନାଥଦାସ କୃଷ୍ଣଚରିତକୁ ନିଜ ଭାଗବତରେ ରୂପରେଖ ଦେଲେ । ବ୍ରାହ୍ମଣମାନେ ଏହାକୁ ଉପହାସ କରି ‘ତେଲି ଭାଗବତ’ ଆଖ୍ୟ ଦେଲେ ମଧ୍ୟ ଏହା ସାଧାରଣ ଜନସମାଜରେ ଆଦୃତ ହେଲା । ଖ୍ରୀଷ୍ଟିଆନମାନେ ବାଇବେଲ୍‌କୁ ଯେତେ ମାନନ୍ତି, ଓଡ଼ିଶାର ଜନସାଧାରଣ ଜଗନ୍ନାଥ ଦାସଙ୍କ ଭାଗବତକୁ ତତୋଽଧିକ ମାନନ୍ତି । ପ୍ରତ୍ୟେକ ଶୂଦ୍ର ଗ୍ରାମରେ ଗୋଟିଏ ସ୍ୱତନ୍ତ୍ର ଘରେ ଏହି ଭାଗବତ ପୋଥି ରଖି ପୂଜା କରାଯାଉଥିଲା ଓ ସନ୍ଧ୍ୟାକାଳରେ ଏହି ଭାଗବତ ପାଠ କରି ଅର୍ଥ ଆଲୋଚନା କରାଯାଉଥିଲା । ଗ୍ରାମର ଲୋକେ ରୁଣ୍ଡ ହୋଇ ଏହି ପାଠ ଓ ଅର୍ଥ ଶୁଣି ଦିବସର କ୍ଳାନ୍ତି ଅପନୋଦନ କରୁଥିଲେ । ପୁଅମାନେ ଅକ୍ଷର ଚିହ୍ନିଲେ ଭାଗବତ ପଢିବାରେ ସମର୍ଥ ହେବେ ଓ ଅନ୍ତିମଶଯ୍ୟାରେ ପିତାମାତାଙ୍କୁ ଭାଗବତ ଶୁଣାଇବେ ବୋଲି ଜନସାଧାରଣରେ ପ୍ରାଥମିକ ଶିକ୍ଷାର ଦ୍ରୁତ ପ୍ରସାର ଲଭିଥିଲା । ଏଥିପାଇଁ ୧୯୦୦ ଖ୍ରୀଷ୍ଟାବ୍ଦର ଜନସୁମାରି ରିପୋର୍ଟରେ ଦେଖାଯାଇଥିଲା ଯେ ଓଡ଼ିଶାର ସାକ୍ଷର ଲୋକସଂଖ୍ୟା ଭାରତର ଅନ୍ୟାନ୍ୟ ପ୍ରତ୍ୟେକ ପ୍ରଦେଶର ସାକ୍ଷର ଲୋକସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଥିଲା । ଭାଗବତର ଭାଷା ଯେପରି ସରଳ, ଅଭିବ୍ୟକ୍ତିର ଭଙ୍ଗୀ ସେପରି ହୃଦ୍ରଗ୍ରାହୀ । ଏକାଦଶ ସ୍କନ୍ଦରୁ ଜଣାଯାଏ ଯେ ସେ ଅବଧୂତ ମତବାଦୀ ।

ସୃଷ୍ଟିର ଯାବତୀୟ ପଦାର୍ଥ ମିଥ୍ୟ ବୋଲି ଜଗନ୍ନାଥଧର୍ମ ପ୍ରଚାର କରୁ ନାହିଁ । ଜଗନ୍ନାଥଙ୍କ ମୂର୍ତ୍ତି ଭିତରେ ଶାଳଗ୍ରାମ ଅଛି ବୋଲି ପ୍ରବାଦ ଅଛି । ଏହା ଶାଳଗ୍ରାମ ହେଉ ବା କୌଣସି ଧର୍ମ ପ୍ରତିଷ୍ଠାତାଙ୍କ ଚୈତ୍ୟଶିଳା ହେଉ, ଶରୀରରେ ଆତ୍ମାସ୍ୱରୂପ ଏହା ବିଦ୍ୟମାନ ଅଟେ । ଆତ୍ମା ନିତ୍ୟ ଓ ଜ୍ଞାନମୟ ଅଟେ । ଶରୀର ଅନିତ୍ୟ ଅଟେ । ଏଥିପାଇଁ ଜଗନ୍ନାଥଙ୍କର ନବକଳେବର ହୁଏ । ଶରୀର ଅନିତ୍ୟ ହେଲେ ମଧ୍ୟ ସଞ୍ଜତେନ୍ଦ୍ରିୟ ହୋଇ କର୍ମ କରି ବିଷୟ ଭୋଗକଲେ ମନୁଷ୍ୟ ପୁରୁଷୋତ୍ତମ ହେବ । ଇନ୍ଦ୍ରିୟ ସଂଯମପାଇଁ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟଗୁଡ଼ିକୁ ମୂର୍ତ୍ତିରେ ପ୍ରକଟିତ କରାଯାଇ ନାହିଁ ।

ଆମ ଓଡ଼ିଶାରେ ପ୍ରବାଦ ଅଛି, ଅସମୟରେ ଶ୍ରୀକୃଷ୍ଣ ଗଧପାଦ ଧରିଥିଲେ ଓ ବିଦୁରଘରେ ଶାକାନ୍ନ ଖାଇ ତୃପ୍ତିଲାଭ କରିଥିଲେ । ମହାଭାରତ ଅନୁସାରେ ଗଧ ବଳିର ପ୍ରତୀକ ଅଟେ । ଶାକାନ୍ନକୁ ଶାକଦ୍ୱୀପୀ ବ୍ରାହ୍ମଣ ରୂପରେ ଗ୍ରହଣ କରିବାକୁ ହେବ । ଦୀର୍ଘତମାଙ୍କଠାରୁ କୃଷ୍ଣମତ ପ୍ରଚାରିତ ହେଲା । ଦୀର୍ଘତମା ପ୍ରେମବାଦ ପ୍ରଚାର କରିବାଉତ୍ତାରୁ ବାଳେୟ-ଧର୍ମର ଉତ୍ପତ୍ତି ଘଟିଲା । ଏହି ବାଳେୟ-ଧର୍ମ ଗୋପାଳକୃଷ୍ଣ-ଧର୍ମ ବା ବାମନ ଅବତାର ନାମରେ ପରିଚିତ ହୋଇଅଛି । ଦୀର୍ଘତମାଙ୍କ ଅନ୍ଧକାର-ବାଦ ‘ଗୋତମ’ ବା ଶ୍ରେଷ୍ଠ ଜ୍ଞାନ ଅଟେ । ଜଗନ୍ନାଥ ସେହି ଗୋତମ ଓ ପ୍ରଥମ ବୁଦ୍ଧ ଅଟନ୍ତି । ଶାକାନ୍ନ ଅର୍ଥାତ୍‌ ଉଦ୍ଭିଜ୍ମ-ଜଗତରୁ ଖାଦ୍ୟରସ ଖାଇ ଶକ୍ତି ସଞ୍ଚୟ କରିବା ଉଚିତ ବୋଲି ପ୍ରଚାରିତ ହେବାଉତ୍ତାରୁ ଗୋତମ ଶାକ୍ୟସିଂହ ହେଲେ । ପଦାର୍ଥ କ୍ଷଣିକ ବୋଲି ବୁଦ୍ଧଦେବ କହିଅଛନ୍ତି- ମିଥ୍ୟା ବା ଶୂନ୍ୟ ବୋଲି କହିନାହାନ୍ତି । ପରବର୍ତ୍ତୀ ବୌଦ୍ଧମାନେ ପଦାର୍ଥ ଓ ଜ୍ଞାନକୁ ମିଥ୍ୟା ବା ଶୂନ୍ୟ ବୋଲି କହିଲେ । ଜୈନମାନଙ୍କର ଆତ୍ମାର କୈବଲ୍ୟବାଦ ବଦଳରେ ଶରୀରର କୈବଲ୍ୟବାଦ ପ୍ରତିଷ୍ଠିତ ହୋଇ ପ୍ରାଚୀନ ମୂର୍ତ୍ତିଗୁଡ଼ିକୁ ନବକଳେବର ପରେ ମୃତ୍ତିକାରେ ଲୀନ କରାଯାଏ । ଏସବୁ ଆଲୋଚନା କଲେ ଜଣାଯାଏ ଯେ ଜଗନ୍ନାଥ-ଧର୍ମ ଭୋଗର ଧର୍ମ ଅଟେ । ମନୁଷ୍ୟର ଶରୀର ଛଡ଼ା ବାହାରେ ପୃଥକ ଈଶ୍ୱରଙ୍କ ଅସ୍ତିତ୍ୱ ତହିଁରେ ସ୍ୱୀକାର କରାଯାଇନାହିଁ । ଦୈତାମାନେ ଜୈନ ଥିଲେ ଓ କେବଳୀ ହେବାପାଇଁ କାୟ-କ୍ଲେଶ ସହୁଥିଲେ । ସେମାନଙ୍କପାଇଁ ପୁରୀରେ ରାମ-ଧର୍ମ ପ୍ରଚାରିତ ହୋଇଥିଲା । ଏଣୁ ବଳରାମଦାସ ଓ ଜଗନ୍ନାଥଦାସଙ୍କ ରଚନାରେ ରାମକୃଷ୍ଣ-ଧର୍ମ ଦେଖାଯାଏ ।

ଜଗନ୍ନାଥଦାସଙ୍କ ତୁଳାଭିଣା ଆଲୋଚନା କଲେ ରାମକୃଷ୍ଣବାଦର ସୂଚନା ମିଳେ । ତୁଳାକୁ ଭିଣିଲେ ଯେପରି ବିସ୍ତୃତ ହୋଇ ବିଶ୍ୱର ଊତ୍ପତ୍ତି ଘଟିଅଛି ବୋଲି ପ୍ରତିପାଦନ କରିଥିବାରୁ ଏହାକୁ ତୁଳାଭିଣା କହନ୍ତି । ସେ ତୁଳାଭିଣାରେ ଲେଖିଅଛନ୍ତି ।

‘‘ମହାଶୂନ୍ୟ ଯେ ଜ୍ୟୋତି ରୂପ ଜ୍ୟୋତିରୁ ଜାତ ଠୁଳ ରୂପ ।।

ଠୁଳରୁ ଅର୍ଦ୍ଧମାତ୍ରା କଲା । ମାତ୍ରାରୁ ଓଁ କାର ଜନ୍ମିଲା

ଓଁ କାରୁ ବ୍ରହ୍ମ ଏ ଜଗତ । ଶୁଣ ପାର୍ବତୀ ଦେଇ ଚିତ୍ତ ।।

X            X            X            X

ଅଣାକାର ଯେ ଜ୍ୟୋତି ରୂପ । ସେଠାରେ ନାହିଁ ରୂପରେଖ ।।

ଧୃମ୍ର ବର୍ଣ୍ଣର ପ୍ରାୟ ଦିଶେ । ଅନ୍ଧକାରଟି ସେ ପ୍ରକାଶେ ।।

ସେଠାରୁ ଓ କାର ଜନ୍ମିଲା । ଓଁ କାର ଶକାର ଯେ ହେଲା ।।

ଶକାର ହୋଇଲା ମକାର । ମକାରୁ ଜନ୍ମିଲା ରାକାର ।।

ଅନ୍ଧକାରଟି ଗୁପ୍ତ ହେଲା । ଓଁ କାରୁ ବ୍ରହ୍ମ ପ୍ରକାଶିଲା ।।’’

 

ଜ୍ୟୋତିର ଅର୍ଥ କିରଣ-ଆଲୋକ ନୁହେ । ଶୁକ୍ଳ ଓ କୃଷ୍ଣ ପଦାର୍ଥର କରିଣ ଅଛି । କିରଣରୁ ଠୁଳ (ସଂ-ସ୍ଥୂଳ)ବା ଭୂତ ପଦାର୍ଥ ଜାତ ହେଲା । ତତ୍ପରେ ଅର୍ଦ୍ଧମାତ୍ରା ବା ଅର୍ଦ୍ଧଚନ୍ଦ୍ର ଜାତ ହେଲା । ଏହା ପ୍ରଜନନ ସଙ୍ଗମ-କାମନାର ପ୍ରତୀକ ଅଟେ । ଏହି ଓଁ କାର ନାଦ ବା ଧ୍ୱନି ଅଟେ । ଏଥିରୁ ଶକାର ବା ଶକ୍ତି ଜାତ ହୁଏ । ଶକ୍ତିରୁ ମକାର ବା ମୈଥୁନ ଜାତ ହୁଏ । ବିନ୍ଦୁତଳେ ଯେଉଁ ଓକାର, ତାହା ତ୍ରିଗୁଣାତ୍ମକ । ଏହି ଓକାରରୁ କ୍ଳୀୟ ବା ସତ୍ତ୍ୱଗୁଣବିଶିଷ୍ଟି ବିରାଟ କୃଷ୍ଣ ଜାତ ହୁଅନ୍ତି । ତହିଁରୁ ଶ୍ଳୀୟ ବା ରଜୋଗୁଣବିଶିଷ୍ଟ ସୁରାଟ ରାମ (ଚିତ୍ତ) ଜାତ ହୁଏ । ଏଥିରୁ ତମୋଗୁଣବିଶିଷ୍ଟ ମୁଁରାଟ (ଅହଙ୍କାର ) ହ୍ଳୀୟ ବା ହରି ଜାତ ହୁଅନ୍ତି । ଯେଉଁ ଠୁଳ ବା ଭୂତ ପଦାର୍ଥ କୁହାଗଲା, ତାହା ବିନ୍ଦୁ ଅଟେ । ବିନ୍ଦୁ ଦୁଇଭାଗରେ ହୋଇ ଅର୍ଦ୍ଧମାତ୍ରା ହେଲା । ଦୁଇ ପଦାର୍ଥର ସଂଘର୍ଷରେ ଧ୍ୱନି ଜାତ ହୁଏ-। ବିନ୍ଦୁ ଦୁଇ ଭାଗରେ ବିଭକ୍ତ ହେବାରୁ ଓଁକାର ବା ବିଭିନ୍ନ ଧ୍ୱନି ଜାତ ହେଲା । ବିନ୍ଦୁତଳେ ଅର୍ଦ୍ଧମାତ୍ରା ଓ ତହିଁତଳେ ଥିବା ଓକାର ସମସ୍ତ ସ୍ୱରର ପ୍ରତୀକ ଅଟେ । ସ୍ୱରଧ୍ୱନି ଆଗେ ଜାତ ହୋଇଅଛି । ସେ ଓକାର କ୍ଳୀ ବା କୃଷ୍ଣ ଅଟେ । ତହିଁରୁ ଶ୍ଳୀ ବା ଶ୍ରୀ ଅର୍ଥାତ୍‌ ଜ୍ଞାନ ଜାତ ହୋଇ ଏହି ଜ୍ଞାନରୁ ହ୍ଳୀ ବା ହ୍ରୀ; ଅର୍ଥାତ୍‌ ପ୍ରଜନନ-ସଙ୍ଗମ ଘଟିଲା । ଏହି କ୍ଳୀ ବିରାଟ, ଶ୍ଳୀ ସୁରାଟ ଓ ହ୍ଳୀ ମୁରାଟ; ବିରାଟ ସଂସ୍କୃତ ଗୀତାରେ ଅଛି । ସୁରାଟର ଅର୍ଥ ସ୍ୱରାଟ ବା ଚିତ୍ତ ଅଟେ । ମୁଁରାଟର ଅର୍ଥ ବୋଧ ହୁଏ ଅହଙ୍କାର ।

ସାରଦା-ତିଳକରେ ଉକ୍ତ ଅଛି :-

 

‘‘ସଚ୍ଚିଦାନନ୍ଦ ବିଭବାତ୍‌ ସକଳାତ୍‌ ପରମେଶ୍ୱରାତ୍‌

ଆସୀଚ୍ଛକ୍ତିସ୍ତତୋନାଦଃ ନାଦାତ୍‌ ବିନ୍ଦୁ ସମୁଭବଃ ।’’

 

ଅନେକ ତନ୍ତ୍ରମତରେ ପ୍ରଥମେ ନାଦ ଓ ପରେ ବିନ୍ଦୁ ଜାତ ହୋଇଅଛି । କିନ୍ତୁ ଓଡ଼ିଶାର ଜଗନ୍ନାଥ-ଧର୍ମ ଅନୁସାରେ ଆଗେ ବିନ୍ଦୁ ଓ ପରେ ନାଦର ଉତ୍ପତ୍ତି ଘଟିଅଛି । ପ୍ରଥମେ ନାଦର ଉତ୍ପତ୍ତି ସ୍ୱୀକାର କଲେ ସ୍ଥୂଳ ପଦାର୍ଥର ଅସ୍ତିତ୍ୱ ସ୍ୱୀକୃତ ହୋପାରିବ ନାହିଁ । ଯାହା ହେଉ, ଏଠାରେ ସେସବୁ ବିଷୟର ବିସ୍ତୃତ ଆଲୋଚନା ନିଷ୍ପ୍ରୟୋଜନ ଅଟେ । କେବଳ ପଞ୍ଚସଖାଙ୍କ ମଧ୍ୟରେ ମତର ପାର୍ଥକ୍ୟ ଅଛି କି ନାହିଁ, ତାହା ବିଚାର କରିବାପାଇଁ ଯେତିକି ଲୋଡ଼ା ସେତିକି କୁହାଗଲା । ଓଡ଼ିଆ ବୈଷ୍ଣବମାନେ ଜଗନ୍ନାଥଦାସଙ୍କ ଭାଗବତକୁ କିପରି ଅର୍ଥ କରନ୍ତି, ତହିଁର ଉଦାହରଣ ଦିଆଯାଉଅଛି-

 

‘‘ଜୀବରେ ଦୟା ଶୁଦ୍ଧଚିତ୍ତେ । ମହାଗହନ ଏ ଜଗତେ ।। (ସ୍କ:୧୧, ଅ:୧୧, ପ:୮)

X            X            X            X

କେବଳ ଯଜ୍ଞେ ପଶୁବଧ । ଅନ୍ୟତ୍ର ବଧଟି ପ୍ରମାଦ ।।’’ (ସ୍କ:୧୧,ଅ:୬, ପ:୬୨)

ଜୀବର ଅର୍ଥ ପ୍ରଜନନ-ରସ ଓ ଯଜ୍ଞ-କାଳରେ ଅର୍ଥ ସନ୍ତାନ ଉତ୍ପତ୍ତିର ବିହିତ ସମୟ । ଏପରି ଅର୍ଥ କାହିଁକି କରନ୍ତି, ତାହା ବୁଝାଇବାର ଆଉ ପ୍ରୟୋଜନ ନାହିଁ ।

 

ଦେବତା, ବ୍ରାହ୍ମଣ ଓ ଗୃହସ୍ଥାଶ୍ରମପ୍ରତି ଜଗନ୍ନାଥଦାସଙ୍କର ଆସ୍ଥା ଥିଲା । ସେ ବିଶିଷ୍ଟ ଦ୍ୱୈତବାଦୀ ଥିଲେ । ସେ ମାୟାକୁ କିପରି ସରଳ ଭାଷାରେ ରୂପ ଦେଇଅଛନ୍ତି, ତାହାର ଦୃଷ୍ଟାନ୍ତ ଏଠାରେ ଉଦ୍ଧାର କରାଯାଉଅଛି :-

 

(ତେଜରୁ ଜାତ ମାୟାରୁ ସୃଷ୍ଟି )

 

 

‘‘ଶୁଣ ରାଜନ ଶୁଦ୍ଧଚେତା । ଯେ ବିଷ୍ଣୁମାୟାର ବ୍ୟବସ୍ଥା ।।

କେ ଜାଣିପାରେ ତା ସଂସାରେ । ଶୁଣ କହିବା ତୋ ଗୋଚରେ ।।

ଅନାଦି ପୁରୁଷ ଅନନ୍ତ । ଯେମନ୍ତେ ସୃଜିଲା ଜଗତ ।।

ନିର୍ଲେପ ପ୍ରଭୁ ଭଗବାନ । ମାୟାର ପରମ କାରଣ ।।

ସଂସାରେ କ୍ରୀଡ଼ା ଇଚ୍ଛା କରି । ଭାବରେ ଈଶ୍ୱର ରୂପ ଧରି ।।

ଈଶ୍ୱର ତେଜ ଅନ୍ତରାଳ । ତକ୍ଷଣେ ଉପୁଜିଲା କାଳ ।। (ବିନ୍ଦ)

କାଳ ଶରୀରୁ ଆତ୍ମା ଜାତ । ସେ ନୁହେ ବିଷ୍ଣ-ମାୟାଗ୍ରସ୍ତ ।।

ଆତ୍ମା ସମୀପେ ଆଶ୍ରା କରି । ଜୀବ ଉପୁଜେ ମାୟା ଧରି ।।

ସେ ଜୀବଶ୍ୱର ଆୟତ୍ତ । ତ୍ରିଗୁଣ ମାୟାରେ ଯନ୍ତ୍ରିତ ।।

ଏ ଜୀବ ମାୟା ଦେହେ ଥାଇ । ପ୍ରକୃତି ରୂପେ ସମ୍ଭବଇ ।।

ସେ ପୁଣ ମାୟା ମୋହ ଆଦି । ଜଗତ କାରଣ ପ୍ରସିଦ୍ଧି ।।

ସେ ମାୟା ଜୀବକୁ ଅନାଇ । ଈଶ୍ୱର ବସେ କ୍ଷୋଭ ପାଇ ।।

 

ଯେସନେ ନୀରେ ବିମ୍ୱତଳେ । ରୂପ ପ୍ରକାଶେ ବାୟୁବଳେ ।।

ସେ ରୂପ ବିରାଟ-ପୁରୁଷ । ଈଶ୍ୱର-ମାୟାରେ ପ୍ରବେଶ ।।

ତାହାର ମଧ୍ୟେ ଲିଙ୍ଗରୂପେ । ଜୀବ ଭ୍ରମଇ ମାୟାକଳ୍ପେ ।।

ଜୀବ ବିଷୟ ଭୋଗ ଅର୍ଥେ । ନାନା ପ୍ରପଞ୍ଚେ ଏ ଜଗତେ ।।

ଯେ ଉଚ୍ଚ ନୀଚ ଦେହଧାରୀ । ଏ ପଞ୍ଚ ମହାଭୂତେ କରି ।।

ସୃଷ୍ଟି କରଇ ଭଗବାନ । ସେ ମାୟା ପ୍ରକାଶେ ପ୍ରଧାନ ।।

ଜୀବନ ଭୋଗାଭୋଗ ପାଇଁ । ଦଶ ଇନ୍ଦ୍ରିୟ ମନ ହୋଇ ।

ପ୍ରବେଶ ହୋଇ ତାର ମଧ୍ୟେ । ବିବିଧ ବିଷୟଙ୍କ ଶଧେ ।।

ବସଇ ଜୀବର ସମୀପେ । ନିର୍ଲେପ ଅନ୍ତର୍ଯ୍ୟାମୀରୂପେ ।।

ଜୀବକୁ ଭୁଞ୍ଜାଇ ଭୁଞ୍ଜଇ । ଅନ୍ତର ସାକ୍ଷୀରୂପେ ଥାଇ ।।

ଜୀବ ମଣଇ ମୋର ଦେହ । ତେଣୁ ମଣଇ ମାୟାମୋହ ।।

କରେ କରାଇ ସର୍ବ କର୍ମ । ଯେ ବେଦ-ବିଧି ନିଜ ଧର୍ମ ।।

ସଙ୍ଗ ନୁହଇ କର୍ମଫଳେ । ନଳିନୀ-ଦଳ ଯେହ୍ନେ ଜଳେ ।।

ଜୀବ ଈଶ୍ୱରେ ବଶ ହୋଇ । ଇନ୍ଦ୍ରିୟ ଅର୍ଥେ ଭୋଗ ପାଇ ।।

ଦେହକୁ କରେ ଅହଂକାର । ବୋଲଇ ସର୍ବ କର୍ମ ମୋର ।।

ଏଣୁ ଏ କର୍ମର ଅଧୀନେ । ପଡ଼ଇ ସଂସାର- ବନ୍ଧନେ ।।’’

X            X            X

‘‘ଜଗନ୍ନାଥାମୃତ’’ରେ ଉକ୍ତ ଅଛି ଯେ ରାମାୟଣ ରଚନା କରିସାରିବାଉତ୍ତାରେ ଜଗନ୍ନାଥଦାସ ଭାଗବତ ଲେଖିଥିଲେ ।

‘‘ଶ୍ରୀରାମାୟଣ ଗ୍ରନ୍ଥ ସାଧି । ଶ୍ରୀଭାଗବତେ ଦେଲେ ବୁଦ୍ଧି ।

ତାଙ୍କ ରାମାୟଣ ପ୍ରକାଶିତ ହେବା ପୂର୍ବରୁ ମୁଁ ମନେ କରିଥିଲି ଯେ ରାମାୟଣ ପଢି ସାରିବାଉତ୍ତାରୁ ସେ ଭାଗବତ ଲେଖିଥିବେ । ବର୍ତ୍ତମାନ ରାମାୟଣ ପ୍ରକାଶିତ ହୋଇଥିବାରୁ ମୋର ଅନୁସାନ ଅଯଥାର୍ଥ ହୋଇଅଛି । ରାମାୟଣ, ଭାଗବତ ଓ ତୁଳାଭିଣା ଛଡ଼ା ଜଗନ୍ନାଥଦାସ ଗୁପ୍ତ ଭାଗବତ, ଦାରୁବ୍ରହ୍ମଗୀତା, ଗଜସ୍ତୁତି, ଅର୍ଥକୋଇଲି, ମୃଗୁଣୀସ୍ତୁତି, ଇତିହାସପୁରାଣ, ଧ୍ରୁବସ୍ତୁତି, ପାଷଣ୍ଡଦଳନ, ମନଶିକ୍ଷା, ରାସକ୍ରୀଡ଼ା ଓ ଜଗନ୍ନାଥ-କାରିକା ରଚନା କରିଥିଲେ । ବୃକ୍ଷପୂଜକ ଅଶ୍ୱିନମାନେ ବୈଷ୍ଣବ ଥିବାରୁ ଦାରୁରେ ବ୍ରହ୍ମ ଆରୋପ କରାଯାଅଛି ।

 

ଗୁପ୍ତଭାଗବତରେ ଏକାଦଶୀ ମାହାତ୍ମ୍ୟ, ବ୍ୟାସଙ୍କ ଜନ୍ମ, ଶୁକଙ୍କ ବିବରଣ ଓ ଧର୍ମ-ସାଧନାର ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି । ଦାରୁବ୍ରହ୍ମ-ଗୀତାରେ ଜଗନ୍ନାଥଙ୍କ ମାହାତ୍ମ୍ୟ ସେ ଗାଇଅଛନ୍ତି । ଏହାଙ୍କ ଗଜସ୍ତୁତି ଓ ଧ୍ରୁବସ୍ତୁତିର ବିଷୟ-ବସ୍ତୁ ସମ୍ୱନ୍ଧରେ କିଛି କହିବାର ପ୍ରୟୋଜନ ନାହିଁ । କିନ୍ତୁ ମୃଗୁଣୀ-ସ୍ତୁତି ଯେପରି ଅପ୍ରସ୍ତୁତ-ପ୍ରଶଂସାଳଙ୍କାରରେ ରଚିତ ହୋଇଅଛି, ଉକ୍ତ ସ୍ତୁତି ଦିଓଟି ସେପରି ରଚିତ ହୋଇଅଛି । କିନ୍ତୁ ମୃଗୁଣୀସ୍ତୁତିର ରଚନାରେ ଗୁରୁଙ୍କ ଅପେକ୍ଷା ରଚନା ପରିପାଟୀରେ ଟିକିଏ ବିଶିଷ୍ଟତା ଦେଖାଇ ଅଛନ୍ତି । ଏଥିରେ କରୁଣରସଗର୍ଭକ ସଂସ୍କୃତ ରଚନା ଅଛି-। ପୁଣି ଓଡ଼ିଆ ରଚନା ବିଭିନ୍ନ ଛନ୍ଦରେ ନିବଦ୍ଧ ହୋଇଅଛି । ରାସକ୍ରୀଡ଼ାରେ ଅନ୍ତର ମଧ୍ୟରେ କିପରି ଗୋପୀମାନେ କୃଷ୍ଣଙ୍କ ସହିତ ରମିଲେ, ତାହା ବର୍ଣ୍ଣନା କରାଯାଇଅଛି । ଧ୍ୟାନରେ ଆତ୍ମ ସହିତ ପ୍ରକୃତିର ରମଣକୁ ସେ ରାସକ୍ରୀଡ଼ା କହିଅଛନ୍ତି । ଗୁପ୍ତ ଭାଗବତରେ ସେ କହିଅଛନ୍ତି :-

 

‘‘ମନ୍ତ୍ର କହିଲେ କର୍ଣ୍ଣମୂଳେ । ଚେତି ଚାହିଁଲା ରାଜା ଡ଼ୋଳେ ।।

ଘୋର ଅନ୍ଧାର ଗଲା କେଣେ । ସୂର୍ଯ୍ୟ ଉଦୟ ରାତ୍ରେ ଯେହ୍ନେ ।।

X            X            X

ଆତ୍ମାଟି ଅଟଇ କରତା । ଆତ୍ମାଟି ଅଟଇ ଦେବତା ।।’’

ମହାଦେବଦାସ

ଏହାଙ୍କ ପିତାଙ୍କ ନାମ ଲକ୍ଷ୍ମଣଦାସ । ଏ ଜାତିରେ ଶୂଦ୍ରଥିଲେ । ସେ ଲେଖିଅଛନ୍ତି :-

‘‘ମାର୍କଣ୍ଡ-ପଦ ଆଶ୍ରାରେ ମୁଁ ବଞ୍ଚଇ ଦିନ ।’’

ଏଥିରୁ ଅନୁମାନ କରାଯାଏ ଯେ ପୁରୀର ମାର୍କଣ୍ଡେଶ୍ୱରଙ୍କର ସେ ଜଣେ ଭକ୍ତ ଥିଲେ । ସେ ଶିବପୁରାଣ, ମାର୍କଣ୍ଡ-ପୁରାଣ, କାର୍ତ୍ତିକମାହାତ୍ମ୍ୟ, ପଦ୍ମ-ପୁରାଣ, ମାଘମାହାତ୍ମ୍ୟ, ବୈଶାଖମାହାତ୍ମ୍ୟ, ନୀଳାଦ୍ରି ମହୋଦୟ ଓ ବିଷ୍ଣୁ କେଶରୀ-ପୁରାଣ ରଚନା କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ତାଳପତ୍ର ଲେଖା କାର୍ତ୍ତିକ-ମାହାତ୍ମ୍ୟ, ମାଘ-ମାହାତ୍ମ୍ୟ ଓ ବୈଶାଖ-ମାହାତ୍ମ୍ୟ ବର୍ତ୍ତମାନ ମିଳୁଥିବାରୁ ସେ ସପ୍ତଦଶର ପରବର୍ତ୍ତୀ ନୁହନ୍ତି ବୋଲି ଅନାୟାସରେ କୁହାଯାଇପାରେ; ପୂର୍ବବର୍ତ୍ତୀ ମଧ୍ୟ ହୋଇପାରନ୍ତି । ତାଙ୍କର କାର୍ତ୍ତିକ-ମାହାତ୍ମ୍ୟରେ ଅଲକ୍ଷ୍ମୀ କନ୍ୟା ବିବାହ ଓ ଜଳନ୍ଧର ବିବାହ ପ୍ରଭୃତିର ଯେଉଁ ବିବରଣ ଅଛି, ତହିଁରେ ଓଡ଼ିଶାର ସାମାଜିକ ଚିତ୍ରର ଇତିହାସ ଅଛି । କାର୍ତ୍ତିକ-ମାହାତ୍ମ୍ୟରେ ଥିବା ଜଳନ୍ଧର ଦୈତ୍ୟର ବିବରଣ ସହିତ ବୌଦ୍ଧଗାନ ଓ ଦୋହାରେ ଥିବା ‘ଜାଳନ୍ଧରିପାର’ର ତୁଳନା କରାଯାଇପାରେ । ଜୈନ ବା ହିନ୍ଦୁ ଶୀତଳା ଦେବୀ ଅଲକ୍ଷ୍ମୀ କନ୍ୟାଙ୍କ ପ୍ରତୀକ ରୂପରେ ଏବେ ପୂଜା ପାଉଅଛନ୍ତି । ଏଣୁ ଆମ ଦେଶରେ ରଚିତ ପୁରାଣମାନଙ୍କରେ ଆମର ସାମାଜିକ ଇତିହାସ ଅଛି । ସେ କାଳରେ କବିମାନେ ପ୍ରାଚୀନ ଭିତ୍ତିରେ ନୂତନ ସାହିତ୍ୟ ଗଢୁଥିଲେ । ଆମ ଦେଶର କିଂବଦନ୍ତୀ ଓ ଆଚାର-ବ୍ୟବହାର ଉପରେ ନିର୍ଭର କରି ରଚନା ଲେଖୁଥିଲେ ବୋଲି ତାହା ଜନସାଧାରଣରେ ଆଦୃତ ହେଉଥିଲା । ଏହିସବୁ ପୁରାଣମାନଙ୍କରେ ଥିବା ଚରିତ୍ର ଅବଲମ୍ୱନରେ ଆମ ଦେଶରେ Classical Literature ଗଢା ହୋଇ ପାରିଲା ନାହିଁ । ଆମେ ଅନୁକରଣରେ ଭାସିଯିବାରୁ ଆମ ସାହିତ୍ୟ ଜନପ୍ରିୟ ହୋଇ ପାରୁନାହିଁ ।

ଶିଶୁ ଈଶ୍ୱରଦାସ

ଏ କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ, ତାହା ଜଣାପଡ଼େ ନାହିଁ; କିନ୍ତୁ ଏ ଯେପରି ଛାଞ୍ଚରେ ‘‘ନଳଚରିତ’’ ଲେଖିଅଛନ୍ତି, ତହିଁରୁ ଜଣାଯାଏ ଯେ ସେ ଷୋଡ଼ଶ ଶତାବ୍ଦୀର ପୂର୍ବବର୍ତ୍ତୀ ହୋଇପାରନ୍ତି । ରାମ ଚିତ୍ରକୂଟ ଗିରିରେ ଥିବାବେଳେ ଅଗସ୍ତି ଓ ମାର୍କଣ୍ଡ ଋଷି ରାମଙ୍କୁ କିଛି ନଳଚରିତ ଶୁଣାଇଲେ । ତତ୍ପରେ ବାନରସେନା ରୁଣ୍ଡ ହେବାର ଓ ଅନ୍ୟାନ୍ୟ କେତେ କଥା ବର୍ଣ୍ଣନା କରିବାଉତ୍ତାରୁ ଅବଶିଷ୍ଟ ନଳ-ଚରିତ ମାର୍କଣ୍ଡ ଋଷି ଶୁଣାଇଲେ । ଏପରି ଲେଖକ ବର୍ଣ୍ଣନା କଲେ କାହିଁକି ? ସେ ମହାଭାରତର ନଳ-ଚରିତ ପଢିଥିଲେ ମଧ୍ୟ ଦେଶପ୍ରଚଳିତ କିମ୍ୱଦନ୍ତୀକୁ ଗୁରୁତ୍ୱ ଦେଇଥିବାର ଅନୁମିତ ହୁଏ । ରାମଙ୍କ ଦୁଃଖରେ ତରଳି ନଳ-ଚରିତ ଲେଖିଥିବାରୁ ସେ ରାମ-ଧର୍ମାବଲମ୍ୱୀ ଥିଲେ ବୋଲି ଜଣାଯାଏ । ‘ଶିଶୁ ଈଶ୍ୱର’ ତାହାଙ୍କର ନାମ ହୋଇଅଛି କାହିଁକି ? ଏହିପରି ଶିଶୁ ଅନନ୍ତଙ୍କ ନାମ ଶୁଣାଯାଉଅଛି । ସେ ବାଳେୟ-ଧର୍ମାବଲମ୍ୱୀ ଥିବା ସମ୍ଭବପର ।

ପୁରୁଷୋତ୍ତମଦାସ

ଏ କେଉଁଠାରେ କେବେ ଜନ୍ମଗ୍ରହଣ କରିଥିଲେ, ତାହା ଜଣାପଡ଼େ ନାହିଁ । ଏହାଙ୍କର ପିତାଙ୍କର ନାମ ରାମଦାସ । ପୁରୁଷୋତ୍ତମଦାସ ଗଙ୍ଗାମାହାତ୍ମ୍ୟ, ମୃଗୃଣୀ-ସ୍ତୁତି, ଗୁଣ୍ଡିଚା ବିଜେ ଓ ଓ ଦୁତିଆ ଓଷା କଥା ରଚନା କରିଥିଲେ । ‘‘ଦୁତିଆ ଓଷା’’ର କଥା ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଅଛି । ପୁରାତନ ପାଞ୍ଜିମାନଙ୍କରେ ‘ଜୀମୂତବାହନ-ପୂଜା’ର ଦିନ ଲେଖା ହେଉଥିଲା; କିନ୍ତୁ ଲୋକେ ‘ଦୁତିବାହନ’ କହନ୍ତି । ଏବେ ପାଞ୍ଚିମାନଙ୍କରେ ଏବଂ ଓଷା କଥାରେ ’‘ଦୁତିବାମନ’ ଲେଖା ହେଲାଣି । କିନ୍ତୁ ପୂଜାରୁ ଜଣାଯାଏ ଯେ ଏହା ଇନ୍ଦ୍ରପୂଜା ଅଟେ । ଓଡ଼ିଶାର ଅନେକ କଥାରେ ବିଧବା ବ୍ରାହ୍ମଣୀର ନାମ ମିଳେ । ତାନ୍ତ୍ରିକମାନେ ପ୍ରକୃତି ବା ନାରୀକୁ ସୃଷ୍ଟିର କର୍ତ୍ତୀରୂପରେ ଯେତେବେଳେ ଧରିଥିଲେ, ସେତେବେଳେ ବିଧବା ବ୍ରାହ୍ମଣୀ ରୂପକ-ଆକାରରେ କଥାମାନଙ୍କରେ ବ୍ୟବହୃତ ହେଉଥିଲେ ।

 

ପୀତାମ୍ୱରଦାସ

ଏ ଓଡିଶାର ରାଜା ବୀରକିଶୋରଦେବଙ୍କ ରାଜତ୍ୱ-କାଳରେ ଜୀବିତ ଥିଲେ । ସ୍ୱର୍ଗୀୟ ତାରିଣୀ ଚରଣ ରଥ ଅଷ୍ଟାଦଶ ଶତାବ୍ଦୀର ରାଜା ବୀରକିଶୋରଦେବଙ୍କ ରାଜତ୍ୱ-କାଳରେ ପୀତାମ୍ୱରଦାସ ଜନ୍ମଗ୍ରହଣ କରିଥିଲେ ବୋଲି ଲେଖିଅଛନ୍ତି । କିନ୍ତୁ ଆଠଗଡ଼ର ଅନେକ ଲୋକଙ୍କଠାରୁ ବୁଝିଲିଣି, କବି ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଜୀବିତ ଥିଲେ । ସେ ଗଞ୍ଜାମର ଆଠଗଡ଼ରେ ଜନ୍ମଗ୍ରହଣ କରି ନୃସିଂହ ପୁରାଣ ରଚନା କରିଥିଲେ । ସେ ଜାତିରେ ବ୍ରାହ୍ମଣ ଥିଲେ ।

 

ନୃସିଂହରୂପ ବିଷ୍ଣୁଙ୍କର ଗୋଟିଏ ଅବତାର ବୋଲି ସଂସ୍କୃତ ପୁରାଣମାନଙ୍କରେ ଉଲ୍ଲେଖ ଅଛି; କିନ୍ତୁ ମତ୍ସ୍ୟ, କୂର୍ମ, ବାମନ ଓ ବରାହ ଅବତାରର ସଂସ୍କୃତ ପୁରାଣ ଅଛି । ନୃସିଂହ ଅବତାର ସମ୍ୱନ୍ଧରେ କୌଣସି ପୁରାଣ ସଂସ୍କୃତ-ପୁରାଣ ତାଲିକାରେ ନାହିଁ । ମହାଦେବଦାସ ‘ବିଷ୍ଣୁକେଶରୀ’ ପୁରାଣ ରଚନା କରିଥିଲେ । କିନ୍ତୁ ପୀତାମ୍ୱରଦାସ ନୃସିଂହ-ପୁରାଣ ପରବର୍ତ୍ତୀ ଯୁଗରେ ପୁଣି ରଚନା କଲେ । ଓଡ଼ିଶାରେ ବିଷ୍ଣୁଙ୍କର ନୃସିଂହ ଅବତାର ହୋଇଥିଲା । ଓଡ଼ିଶାର ରାଜାମାନେ ‘କେଶରୀ’ ଉପାଧି ଗ୍ରହଣ କରିଥିଲେ । ଏମାନେ ନୃସିଂହ ବା ନର-କେଶରୀ ଥିଲେ ବୋଲି ମହାଦେବଦାସ ତାଙ୍କ ପୁରାଣର ନାମ ବିଷ୍ଣୁ-କେଶରୀ ରଖିଥିଲେ । ନୃସିଂହ-ପୁରାଣରେ ଓଡ଼ିଶାର କେତେକ କିମ୍ୱଦନ୍ତୀ ଅଛି । ତହିଁରେ ଥିବ ଐତିହାସିକ ଉପାଦାନ ମଧ୍ୟରୁ ଏଠାରେ ଗୋଟିଏ ଉଦାହରଣ ଦିଆଗଲା :-

 

ଦିନେ ଶିବ ଗୋଟିଏ ଛାଗ ଜନକଙ୍କୁ ଓ ଆଉ ଗୋଟିଏ ଛାଗ ସନକଙ୍କୁ ଦେଇ ପ୍ରାଣୀହୀନ ସ୍ଥାନରେ ଛାଗ ଦିଓଟି ବଧ କରି ଆଣିବା ନିମନ୍ତେ ଦୁହିଁଙ୍କୁ କହିଲେ । ଜନକ ଗୋଟିଏ ପ୍ରାଣୀଶୂନ୍ୟ ପ୍ରାନ୍ତରରେ ଛାଗଟି ବଧ କରି ଆଣିଲେ; କିନ୍ତୁ ସନକ ପ୍ରାଣୀଶୂନ୍ୟ ସ୍ଥାନ ନ ପାଇ ଛାଗଟିକୁ ବଧ ନ କରି ଫେରିଆସିଲେ । ସନକ ସାଂଖ୍ୟବାଦୀ ଥିବାରୁ ପ୍ରତ୍ୟେକ ଭୂତ ପଦାର୍ଥରେ ପ୍ରାଣ ଅଛି ବୋଲି ବିଶ୍ୱାସ କରୁଥିଲା । ଏଣୁ ପ୍ରାଣୀଶୂନ୍ୟ ପ୍ରାନ୍ତରରେ ବାଲି ଓ ମୃତ୍ତିକାରେ ମଧ୍ୟ ସେ ପ୍ରାଣ ଉପଲବ୍‌ଧ କରିଥିଲେ । କିନ୍ତୁ ଜନକ କେବଳ ଆତ୍ମାର ଅସ୍ତିତ୍ୱ ସ୍ୱୀକାର କରୁଥିବାରୁ ଭୂତ-ପଦାର୍ଥରେ ସେ ପ୍ରାଣ ଉପଲବ୍‌ଧି କରି ପାରି ନ ଥିଲେ ।

ହଳଧରଦାସ

ଏ ସରଳ ଓଡ଼ିଆ ଭାଷାରେ ଅଧ୍ୟାତ୍ମ-ରାମାୟଣ ସଂସ୍କୃତ ଭାଷାରୁ ଅନୁବାଦ କରିଥିଲେ । ସଂସ୍କୃତରେ ଗୋଟିଏ ଯୋଗବାଶିଷ୍ଠ ରାମାୟଣ ରଚିତ ହୋଇଥିଲା । ରାମାୟଣର ସୀତା ଓ ରାମା ଐତିହାସିକ ବ୍ୟକ୍ତି ନୁହନ୍ତି ବୋଲି ଜାଣି ବିଭିନ୍ନ ସପ୍ରଦାୟରେ ବିଭିନ୍ନ ପ୍ରକାରରେ ରାମାୟଣ ଲେଖା ହେଉଥିଲା । ସାଧାରଣ ଲୋକଙ୍କ ଚିତ୍ତରେ ଭକ୍ତି-ରସର ଉଦ୍ରେକ କରାଇବାପାଇଁ ଧର୍ମ-ମତକୁ ବ୍ୟକ୍ତିବିଶେଷ ରୂପରେ ଚିତ୍ର କରାଯାଅଛି ।

 

ହଳଧରଦାସଙ୍କ ଅନୁବାଦ ଶେଷ ହେଲାବେଳକୁ କଳିଯୁଗର ୪୭୮୩ ବର୍ଷ ଅତୀତ ହୋଇଥିଲା । ବର୍ତ୍ତମାନ କଳିଯୁଗର ଭୋଗାବ୍ଦକୁ ହିସାବ କଲେ ୧୬୮୧ ଶ୍ରୀଷ୍ଟାବ୍ଦରେ ଅଧ୍ୟାତ୍ମ-ରାମାୟଣର ଅନୁବାଦ ସମ୍ପୂର୍ଣ୍ଣ ହୋଇଥିଲା । ମୁକୁନ୍ଦଦେବ ରାଜାଙ୍କ ଭାଇର ପୁଅ ବୋଲି ହଳଧର ଦାସ ନିଜର ପରିଚୟ ଦେଇଅଛନ୍ତି :-

 

 

‘‘ଗଜପତି ମୁକୁନ୍ଦ ଦେବ । ବିବେକୀ ବ୍ରାହ୍ମଣ୍ୟ ବୈଷ୍ଣବ ।।

ଏମନ୍ତ ପରକାରେ ଯେହି । ତାହାଙ୍କର ଅଟନ୍ତି ଯେ ଭାଇ ।।

ଶ୍ରୀଅନନ୍ତ ପଟ୍ଟନାୟକ । ସେ ବଡ଼ ବ୍ରାହ୍ମଣ୍ୟ ଧାର୍ମିକ ।।

କନିଷ୍ଠ ପୁତ୍ର ମୁଁ ତାଙ୍କର । ମୋହର ନାମ ହଳଧର ।।

 

୧୬୮୧ ଖ୍ରୀଷ୍ଟାବ୍ଦକୁ ଖୋର୍ଦ୍ଧାରେ ମୁକୁନ୍ଦଦେବ ରାଜତ୍ୱ କରିଥିଲେ । ଏଣୁ କବିଙ୍କର ଆବିର୍ଭାବ କାଳ ସମ୍ୱନ୍ଧରେ କୌଣସି ସନ୍ଦେହ ନାହିଁ । କରଣମାନେ ସାଧାରଣତଃ ‘ପଟ୍ଟନାୟକ’ ଉପାଧି ଗ୍ରହଣ କରନ୍ତି । ହଳଧରଦାସଙ୍କର ପିତାଙ୍କର ଯଦି ‘ପଟ୍ଟନାୟକ’ ଉପାଧି ଥିଲା, ତେବେ ସେ କରଣ ଥିଲେ । ଅସମ୍ଭବ ନୁହେଁ; କାରଣ କରଣମାନେ ରାଜକାର୍ଯ୍ୟରେ ନିଯୁକ୍ତ ହେଉଥିଲେ ବୋଲି ପୁରାଣମାନଙ୍କରେ ଉଲ୍ଲେଖ ଅଛି । କିନ୍ତୁ ‘ପଟ୍ଟନାୟକ’ ଉପାଧିଟି ବୋଧ ହୁଏ ଦଣ୍ଡପୂଜାର ପାଟମାନଙ୍କ ନେତୃତ୍ୱ ଅର୍ଥରେ ବ୍ୟବହୃତ ହେଉଥିଲା ।

କୃଷ୍ଣଚରଣ ପଟ୍ଟନାୟକ

ଏ ଗଞ୍ଜାମ ଜିଲାର ଧରାକୋଟ ରାଜାଙ୍କର ଜଣେ କର୍ମଚାରୀ ଥିଲେ । ସେ ୧୮୧୫ ଖ୍ରୀଷ୍ଟାବ୍ଦରେ ଓଡ଼ିଆରେ ସଂସ୍କୃତ ରାମାୟଣ ଅନୁବାଦ କରିଥିଲେ । ଏ ଯଥାର୍ଥ ଅନୁବାଦ କରିଥିବାରୁ ଏହାଙ୍କ ରାମାୟଣର ଆଦର ବଢୁଅଛି ।

ସୂର୍ଯ୍ୟମଣି ଚ୍ୟାଉପଟ୍ଟନାୟକ

ଏ ଘୁମୁସରବାସୀ ୧୭୭୩ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୨୮ ଖ୍ରୀଷ୍ଟାବ୍ଦରେ ଇହଧାମ ତ୍ୟାଗ କରିଥିଲେ । ଏହାଙ୍କ ପୂର୍ବପୁରୁଷ କେନ୍ଦୁଝରରୁ ଆସି ଘୁମୁସରରେ ବାସ କରୁଥିଲେ-। ଏ ‘ଅଧ୍ୟାତ୍ମ-ରାମାୟଣ’ ଅନୁବାଦ କରିଥିଲେ । ଏହାଙ୍କ ଭାଷାରେ ସାହିତ୍ୟିକ ଛଟା ଦେଖାଯାଏ ।

ନୀଳାମ୍ୱରଦାସ

ଏହାଙ୍କ ଆବିର୍ଭାବକାଳ ସମ୍ୱନ୍ଧରେ କୌଣସି ସଠିକ ପ୍ରମାଣ ମିଳେ ନାହିଁ । ଏ ପଦ୍ମ-ପୁରାଣ-ଜୈମିନି ମହାଭାରତ, ରୁଦ୍ରସ୍ତୁତି ଓ ପୁରୁଷୋତ୍ତମ ଦେଉଳତୋଳା ଲେଖିଥିଲେ । ଦେଉଳତୋଳା ଗୀତ ଗାଇ ଅନେକ ଭିକାରି ଭିକ ମାଗନ୍ତି । ଏହାଙ୍କ କୌଣସି ଗ୍ରନ୍ଥ ସଂସ୍କୃତ-ଗ୍ରନ୍ଥର ଅନୁବାଦ ନୁହେଁ । ପଦ୍ମ-ପୁରାଣ ଓ ଜୈମିନି-ମହାଭାରତରେ ଅନେକ କିଂବଦନ୍ତୀ ସନ୍ନିବେଶିତ ହୋଇଅଛି । ତୁଳନା ମୂଳକ ଆଲୋଚନା କଲେ, ଏହି କିଂବଦନ୍ତୀରୁ ଐତିହାସିକ ତଥ୍ୟ ପ୍ରକାଶିତ ହୋବାର ସମ୍ଭାବନା ଅଛି । ଶାଳଗ୍ରାମ-ଶିଳାରେ ବିଷ୍ଣୁ ବିରାଜିତ ବୋଲି ଅନେକ ସ୍ଥାନରେ ଲେଖିଥିବାରୁ ଏ ଶାଳଗ୍ରାମ ପୂଜକ ବୈଷ୍ଣବ ଥିଲେ ବୋଲି ଅନୁମାନ କରାଯାଏ । ନୀଳାମ୍ୱରଦାସ ନିଜ ରଚନାରେ କୃଷ୍ଣଙ୍କ କଥା ଅନେକ ସ୍ଥାନରେ ଉଲ୍ଲେଖ କରିଅଛନ୍ତି; କିନ୍ତୁ ରାଧାଙ୍କ ସମ୍ୱନ୍ଧରେ କିଛି ଉଲ୍ଲେଖ କରି ନାହାନ୍ତି । ଏଣୁ ଅନୁମାନ କରାଯାଏ ଯେ କବି ଚୈତନ୍ୟଦେବଙ୍କ ଓଡ଼ିଶା ଆଗମନର ପୂର୍ବବର୍ତ୍ତୀ ଅଟନ୍ତି । ଅଷ୍ଟାଦଶ ଶତାବ୍ଦୀରେ ରଚିତ ଦାର୍ଢ୍ୟତାଭକ୍ତିରେ ନୀଳାମ୍ୱରଦାସ ନାମକ ଜଣେ ଭକ୍ତ ପୁରୀକୁ ଜଗନ୍ନାଥ ଦର୍ଶନ ନିମନ୍ତେ ଆସିଥିଲେ ବୋଲି ବର୍ଣ୍ଣିତ ଅଛି । ଆଲୋଚିତ ନୀଳାମ୍ୱରଦାସଙ୍କ କଥା ବୋଧହୁଏ ଦାର୍ଢ୍ୟତାଭକ୍ତିରେ ଉଲ୍ଲେଖ କରାଯାଇଅଛି । ନୀଳାମ୍ୱରଦାସ ଜାତିରେ ବ୍ରାହ୍ମଣ ଥିଲେ ।

 

ଗୋପାଳ କବି

ଏ ତୈଲଙ୍ଗୀଭାଷୀ ଥିଲେ; କିନ୍ତୁ ଏହାଙ୍କର ବାସସ୍ଥାନ କଳାହାଣ୍ଡିରେ ଥିବାରୁ ଏ ଓଡ଼ିଆ ଭାଷା ଶିଖିଥିଲେ । ଏ କଳାହାଣ୍ଡିରୁ ଆସି ସମ୍ୱଲପୁରର ରାଜା ଅଜିତ୍‌ସିଂହଙ୍କ ଆଶ୍ରୟରେ ଥିଲେ । ଅଜିତ ସିଂହ ସପ୍ତଦଶ ଶତାବ୍ଦୀର ଶେଷଭାଗ ଓ ଅଷ୍ଟାଦଶ ଶତାବ୍ଦୀର (ଖ୍ରୀଷ୍ଟୀୟ) ପ୍ରାରମ୍ଭରେ ଜୀବିତ ଥିଲେ । ଗୋପାଳ କବି‘ ‘ଅଧ୍ୟାତ୍ମ-ରାମାୟଣ’ ଓଡ଼ିଆରେ ରଚନା କରିଥିଲେ ।

କେଶବ ପଟ୍ଟନାୟକ

ଏ ବିଭିନ୍ମ ଛନ୍ଦରେ ଅନୁପ୍ରାସାଳଙ୍କାରରେ ରାମାୟଣ ରଚନା କରିଥିଲେ । ପାଲୁରଗଡ଼ ଅନ୍ତର୍ଗତ ମଧୁସୂଦନପୁରରେ ଏ ଜନ୍ମଗ୍ରହଣ କରିଥିଲେ । ଏହାଙ୍କର ପିତାଙ୍କ ନାମ ରାମଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ମାତାଙ୍କର ନାମ ଲକ୍ଷ୍ମୀଦେବୀ । ରାମଚନ୍ଦ୍ରଦେବଙ୍କ ୨୨ ଅଙ୍କରେ ୧୬୫୬ ଶତାବ୍ଦୀରେ କବି ପୁସ୍ତକ ରଚନା ଶେଷ କରିଥିଲେ । ସୁତରାଂ ୧୮୩୪ ଖ୍ରୀଷ୍ଟାବ୍ଦରେ ରଚନା ଶେଷ ହୋଇଥିଲା ।

ବିଶ୍ୱନାଥ ଖଣ୍ଟିଆ

ଏ ବିଭିନ୍ନ ଛନ୍ଦରେ ମାର୍ଜିତ ଗ୍ରାମ୍ୟ ଭାଷାରେ ‘‘ବିଚିତ୍ର ରାମାୟଣ’’ ରଚନା କରିଥିଲେ । ବିଭିନ୍ନ ଛନ୍ଦରେ ରଚିତ ହୋଇଥିବାରୁ ‘ବିଚିତ୍ର’ ଶବ୍ଦ ରାମାୟଣର ବିଶେଷଣ ରୂପରେ ବ୍ୟବହାର କରାଯାଇଅଛି । ରାମାୟଣର ପ୍ରଥମ ଛାନ୍ଦରେ ସେ ଲେଖିଅଛନ୍ତି :-

 

 

 

‘‘ଶ୍ରୀ ଦିବ୍ୟସିଂହ ଗଜପତି

ଶ୍ରୀ ଜଗନ୍ନାଥ ଶ୍ରୀଚରଣେ ଭଜେ ।’’

 

ରାମାୟଣର ଗୋଟିଏ ଛାନ୍ଦକୁ ଚଉପଦୀ-ଭୂଷଣର ବାଣୀରେ ଗାଇବାପାଇଁ କବି ନିର୍ଦ୍ଦେଶ କରିଅଛନ୍ତି । ଉପେନ୍ଦ୍ର ଭଞ୍ଜ ଚଉପଦୀ-ଭୂଷଣର କବି ଓ ସେ ମଧ୍ୟ ପୁରୀର ରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱକାଳରେ ଜୀବିତ ଥିଲେ । ଏଣୁ ବିଶ୍ୱନାଥ ଖୁଣ୍ଟିଆ ଉପେନ୍ଦ୍ର ଭଞ୍ଜଙ୍କ ସମସାମୟିକ ବା ପରବର୍ତ୍ତୀ ଅଟନ୍ତି । ସମସାମୟିକ ହୋଇଥିଲେ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ପାଦରେ ଜୀବିତ ଥିଲେ ବୋଲି ଅନୁମାନ କରିବାକୁ ହେବ । ପରବର୍ତ୍ତୀ ହେଲେ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକ ତାହାଙ୍କ ଆବିର୍ଭାବ କାଳ ବୋଲି ଧରିବାକୁ ହେବ ।

 

ବିଶ୍ୱନାଥ ଖୁଣ୍ଟିଆ ବିଚିତ୍ର ରାମାୟଣର ପ୍ରଥମ ଛାନ୍ଦରେ ଜଗନ୍ନାଥଙ୍କ ଯାତ୍ରାମାନଙ୍କର ବର୍ଣ୍ଣନା ସନ୍ନିବେଶ କରିଅଛନ୍ତି । ପୁରୀର ଜଗନ୍ନାଥଙ୍କର ଅନେକ ସେବକଙ୍କର ବଂଶଗତ ଉପାଧି ଖୁଣ୍ଟିଆ ଅଟେ । ସୁତରାଂ କବି ପୁରୀବାସୀ ଥିଲେ ବୋଲି ଅନୁମାନ କରିବାକୁ ହେବ ।

 

ସଂସ୍କୃତ ରାମାୟଣର ମୁଖବନ୍ଧ ଅନୁସାରେ ବିଚିତ୍ର ରାମାୟଣର ମୁଖବନ୍ଧ ଲେଖା ହୋଇଅଛି । ପୂର୍ବେ ଏକପ୍ରକାର ବନ୍ଧନାଟ ଓଡ଼ିଶାରେ ପ୍ରଚଳିତ ଥିଲା । ମଞ୍ଚା ବାନ୍ଧି ତାହା ଉପରେ ନାଟୁଆ ପିଲାମାନେ ସଙ୍ଗୀତ ଗାଇ ବନ୍ଧ ଭାଙ୍ଗୁଥିଲେ; ଅର୍ଥାତ୍ ଅଙ୍ଗପ୍ରତ୍ୟଙ୍ଗର ଚାଳନା- ନୈପୁଣ୍ୟ ଦେଖାଉ ଥଲେ । ଏହା ସଙ୍ଗୀତ ସହ ଏକପ୍ରକାର ଶାରୀରିକ ବ୍ୟାୟାମ ଥିଲା । କେଳୁଣୀମାନେ ମଧ୍ୟ ଗୋଟିଏ ସୁଦୀର୍ଘ ବାଉଁଶ ପୋତି , ତାହାର ଅଗ୍ରଭାଗ ନିଶ୍ଚଳ ରଖିବା ନିମନ୍ତେ ସେଠାରୁ ଦଉଡ଼ି ବାନ୍ଧି ଆଣି ବାଉଁଶ ଖୁଣ୍ଟର ମୂଳରୁ ଚାରିପାଖରେ କେତେକ ହାତ ଅନ୍ତରରେ ଉକ୍ତ ଦଉଡ଼ିଟିକୁ ଭୂମିରେ ପୋତାଥିବା କିଳାରେ ବାନ୍ଧନ୍ତି । ଖଣ୍ଡିଏ ବାଉଁଶର ଦୁଇ ଅଗ୍ରଭାଗରେ ଯୋଡ଼ିଏ ଦଉଡ଼ି ବାନ୍ଧି ସେହି ଦଉଡ଼ିର ଅନ୍ୟ ଅଗ୍ରଭାଗମାନ ଖୁଣ୍ଟର ଅଗ୍ରଭାଗରୁ ଟିକିଏ ତଫାତ୍‌ରେ ଥିବା ଦଉଡ଼ିରେ ବାନ୍ଧି ଦେଇ ବାଉଁଶକୁ ଦୋଳିରୂପରେ ଓହଳାଇ ଦିଅନ୍ତି । ଏହି ଦୋଳିରେ କେଳୁଣୀମାନେ ସଙ୍ଗୀତ ଗାଇ ଅଙ୍ଗ ପ୍ରତ୍ୟଙ୍ଗ ଚାଳନାର ନୈପୁଣ୍ୟ ଦେଖାନ୍ତି । ବନ୍ଧ ଭାଙ୍ଗିବା ପିଲାମାନେ ଓ କେଳୁଣୀମାନେ ବିଚିତ୍ର ରାମାୟଣର ଯେଉଁ ଯେଉଁ ଛାନ୍ଦ ଗାଉଥିଲେ, ତହିଁରୁ କିଛି କିଛି ଉଦ୍ଧାର କରାଯାଉଅଛି :-

 

( ୧ ) ‘‘ତାରା କହେ ବାଣୀ            ଶୁଣ ହେ ରଘୁମଣି,

ଏଡ଼େ ଅକର୍ମ କିମ୍ପା କଲ ?

ବନବାସକୁ ଆସି             ମୋର ପତିଙ୍କି ନାଶି

ଏଥୁଁ କି ଯଶ ଅର୍ଜିଲ ହେ ରଘୁନାଥ !

ଆଜି ମୁଁ ହୋଇଲି ଅନାଥ , ହେ ରଘୁନାଥ !’’

 

 

(୨) ଶିଂଶପା ବୃକ୍ଷର ଡାଳେ ଯେ       ହନୁ ମନେ ମନେ ଭାଳେ

ନିଶ୍ଚୟ ଜାନକୀ ଜନକନନ୍ଦିନୀ

ଦେଖିଲଇଁ ବେନି ଡୋଳେ ଯେ

କି ଭାଗ୍ୟ ବଳେ ।

ଶୁଖିଛି ଚନ୍ଦ୍ର ବଦନ             ନିରତେ ନୀର ଲୋଚନ

ତେବେହେଁ ଶୋଭାକୁ ଉପମା ଦେବାକୁ

ନାହିଁ ନା ତ୍ରୟ ଭୁବନ ନାରୀ-ରତନ ।

ବିହି କି ନ କରେ ପୁଣି ଯେ             ଶ୍ରୀରାମଚନ୍ଦ୍ର ଘରଣୀ

ଅସୁରପୁରେ       ଅସୁରୀ ଜଗିଛନ୍ତି

ଜଗତର ଠାକୁରାଣୀ ଯେ ରମଣୀମଣି ।

 

ଦ୍ୱିତୀୟ ଉଦ୍ଧୃତ ପଦମାନଙ୍କର ମିତ୍ରାକ୍ଷର ଉତ୍ତାରେ ପୁଣି ‘ଯେ’ ଲଗାଇବାର ପ୍ରୟୋଜନୀୟତା କିଏ କାହିଁକି ଉପଲବ୍‌ଧି କରିଅଛି ? —ଓଡ଼ିଆ ସ୍ଵର-ବୈଜ୍ଞାନିକମାନେ ଗବେଷଣା କରିବା ଉଚିତ ଅଟେ । କବି ନିଜେ ଆଉ ଗୋଟିଏ ଧ୍ୱନିର ପ୍ରୟୋଜନୀୟତା ଯଦି ଅନୁଭବ କରିଥିଲେ, ତେବେ ପର୍ବ ସହିତ ଅର୍ଥସଙ୍ଗତ ଗୋଟିଏ ବର୍ଣ୍ଣ ସେ ସନ୍ନିବେଶ କରିଥାଆନ୍ତେ-

କୃଷ୍ଣସିଂହ

ଏହି ରାଜକବି ୧୭୨୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୭୮୮ ଖ୍ରୀଷ୍ଟାବ୍ଦରେ ଇହଧାମ ତ୍ୟାଗ କରିଥିଲେ । ଏ ଗଞ୍ଜାମ ଜିଲ୍ଳାର ଧରାକୋଟର ରାଜସିଂହାସନ ଅଳଙ୍କୃତ କରିଥିଲେ । ସେ ସଂସ୍କୃତ ମହାଭାରତର ଆଦିପର୍ବ ୧୭୦୪ ଶତାବ୍ଦୀରେ ବା ୧୭୮୨ ଖ୍ରୀଷ୍ଟାବ୍ଦରେ ନୟାଗଡ଼ଠାରେ ଶେଷ କରିଥିଲେ । ମୃତ୍ୟୁକାଳକୁ ଧରାକୋଟରେ ଦ୍ରୋଣପର୍ବ ପର୍ଯ୍ୟନ୍ତ ଅନୁବାଦ ସମାପ୍ତ ହୋଇଥିଲା । ତତ୍ପରେ ଅବଶିଷ୍ଟ ପର୍ବମାନ ତାଙ୍କର ଉତ୍ତରାଧିକାରୀ ପଣ୍ଡିତମାନଙ୍କଦ୍ଵାରା କରାଇଥିଲେ । ଛାପାଖାନାର ପ୍ରଚଳନ ପୂର୍ବରୁ ଏ ଦେଶରେ ସଂସ୍କୃତ ପୁରାଣମାନ ପ୍ରଚଳିତ ଥିଲା ।

ଜୟସିଂହ

ଏ ସପ୍ତଦଶ ଶତାବ୍ଦୀରେ ଧରାକୋଟର ରାଜସିଂହାସନ ଅଳଙ୍କୃତ କରିଥିଲେ ଏବଂ ସରଳ ଭାଷାରେ କ୍ଷେତ୍ର-ମାହାତ୍ମ୍ୟ, ମହାଭାରତର ଦ୍ରୋଣପର୍ବ ଓ ଶ୍ରୀମଦ୍‌ଭଗବଦଗୀତା ଅନୁବାଦ କରିଥିଲେ ।

କୃଷ୍ଣଦାସ

ଏହାଙ୍କର ପିତାଙ୍କର ନାମ ଅନନ୍ତଦାସ ଓ ଏ ଗୀତଗୋବିନ୍ଦ ( ଅନୁବାଦ ? ), ମାଘ ମାହାତ୍ମ୍ୟ ( ଅନୁବାଦ ? ), ପୀୟୁଷ-ରତ୍ନାକର, ଦେଉଳତୋଳା ଓ ଭାଗବତ ( ଅନୁବାଦ ? ) ରଚନା କରିଥିଲେ ବୋଲି ସ୍ୱର୍ଗୀୟ ତାରିଣୀଚରଣ ରଥ ଉତ୍କଳ-ସାହିତ୍ୟର ଇତିହାସରେ ଲେଖିଅଛନ୍ତି ।

ଶଙ୍କରଦାସ

ଏହାଙ୍କର ଆବିର୍ଭାବ-କାଳ ଜଣାନାହିଁ । ଏ ‘ ବାରମାସୀ କୋଇଲି ’ ରଚନା କରିଥିଲେ । ଚଉତିଶା ନିୟମରେ ନୁହେଁ । ବନବାସରେ ରାମଙ୍କ ବାରମାସର କ୍ଲେଶ ଅନୁମାନ କରି କୌଶଲ୍ୟାଙ୍କ ଶୋକ ଏଥିରେ ବର୍ଣ୍ଣିତ ଅଛି ।

 

ଚତୁର୍ଥ ଅଧ୍ୟାୟ

Unknown

ଯୋଗାଚାର ଓଡ଼ିଆ-ସାହିତ୍ୟ

‘ମହିମା’ ନାମଟି ସଂସ୍କୃତ ‘ମହତ୍’ ଶବ୍ଦରୁ ଉତ୍ପନ୍ନ ହୋଇଅଛି । କପିଳଙ୍କ ସଂଖ୍ୟା ଦର୍ଶନରେ ବୁଦ୍ଧିକୁ ମହତ୍ କହନ୍ତି । ବୁଦ୍ଧିର ଧର୍ମକୁ ବୌଦ୍ଧଧର୍ମ କହନ୍ତି ଓ ଏହି ଧର୍ମ କପିଳଙ୍କ ସାଂଖ୍ୟ-ଦର୍ଶନରୁ ଉତ୍ପନ୍ନ ହୋଇଅଛି ବୋଲି ଇତିହାସ-ଗବେଷକମାନେ ଅନୁମାନ କରନ୍ତି । ଢେଙ୍କାନାଳର କପିଳାସ ପର୍ବତ କପିଳ ମୁନିଙ୍କ ନାମର ଚିହ୍ନ ଅଦ୍ୟାବଧି ରଖିଅଛି । ଏହି କପିଳାସରେ ହିନ୍ଦୁ ମାନଙ୍କ ପ୍ରଭାବ ପ୍ରତିଷ୍ଠିତ ହେବାରୁ ଏହାର ନିକଟବର୍ତ୍ତୀ ଜୋରନ୍ଦାଗ୍ରାମକୁ । ମହିମା-ଧର୍ମର କେନ୍ଦ୍ର ଉଠିଯାଇଅଛି । ଏହି ମହିମା-ଧର୍ମରୁ ବୌଦ୍ଧ-ଧର୍ମର ଉତ୍ପନ୍ନ ହେଲା; କିନ୍ତୁ ମହିମା- ଧର୍ମ ବୌଦ୍ଧଧର୍ମଠାରୁ ପୃଥକ ଓ ବେଦାନ୍ତ-ଦର୍ଶନ ସଙ୍ଗେ ଏହି ଧର୍ମର ଅନେକ ସାମଞ୍ଜସ୍ୟ ଅଛି ।

 

ଜୈନମାନେ ଆଦ୍ୟରେ ଜିତେନ୍ଦ୍ରିୟ ଥିଲେ । ବୌଦ୍ଧ ଓ ଜୈନମାନେ ଆଜୀବନ କୁମାର ରହୁଥିଲେ । ଜୈନମାନେ ଆତ୍ମାକୁ ସାକ୍ଷାତ୍ କରି ‘କେବଳୀ’ ହେବାକୁ ସାଧନା କରୁଥିଲେ । କିନ୍ତୁ ବୌଦ୍ଧମାନେ ଆତ୍ମାର ଅସ୍ତିତ୍ୱ ସ୍ୱୀକାର କରୁ ନ ଥିଲେ । ଯେତେବେଳେ ଏ ଦେଶରେ ମୂର୍ତ୍ତିପୂଜା ପ୍ରଚଳିତ ହୋଇ ମହାଯାନର ପ୍ରଚାର ହେଲା, ସେତେବେଳେ ବୌଦ୍ଧ ଓ ଜୈନ ଧର୍ମର ଶାଖା ରୂପରେ ସହଜ-ଯାନ ପ୍ରତିଷ୍ଠିତ ହୋଇଥିଲା । ମହିମା-ଧର୍ମାବଲମ୍ବୀମାନେ ବର୍ତ୍ତମାନ ଅଲେଖ ନାମରେ ଓ ଜୈନ ଧର୍ମାବଲମ୍ବୀଙ୍କ ବଂଶଧରମାନେ ‘ନାଥ’ ନାମରେ ପରିଚିତ ହେଉଅଛନ୍ତି । ସହଜିଆଙ୍କ ବଂଶଧରମାନେ ବର୍ତ୍ତମାନ ପ୍ରଚ୍ଛନ୍ନ ଅଛନ୍ତି ।

ଚୈତନ୍ୟଦାସ

ମହିମା-ଧର୍ମର ବିଷ୍ଣଗର୍ଭ-ପୁରାଣ ଚୈତନ୍ୟଦାସ ରଚନା କରିଥିଲେ । କବିଙ୍କ ପିତାଙ୍କ ନାମ ବୁଦ୍ଧେଶ୍ୱର, ମାତାଙ୍କ ନାମ ମେଘାବତୀ, ଦାଦିଙ୍କ ନାମ ଧର୍ମୋତ୍ତର, ଗୁରୁଙ୍କ ନାମ ଧ୍ୟାନଦାସ । ତାଙ୍କ ରାଜ୍ୟର ନାମ କାଉଁରୀପାଟଣା ଓ ଧ୍ୟାନଦାସ କର୍ଣ୍ଣରେ ଉପଦେଶ ଦେବାରୁ ତାହାଙ୍କର ନାମ ଚୈତନ୍ୟଦାସ ହେଲା ବୋଲି ଲେଖିଥିବାରୁ ଏ ସମସ୍ତ ନାମ ତାଙ୍କ ଧର୍ମମତର ରୂପକ-ଅଳଂକାର ରୂପରେ ପ୍ରତୀତ ହେଉଅଛି । ଏଣୁ ବିଷ୍ଣୁ-ଗର୍ଭପୁରାଣର ରଚୟିତାଙ୍କ ସମ୍ବନ୍ଧରେ ଆମେ କିଛି ଜାଣୁନାହୁଁ ବୋଲି କହିବା ଉଚିତ ଅଟେ । ବଙ୍ଗୀୟ ଇତିହାସ-ଗବେଷକ ସ୍ଵର୍ଗୀୟ ନଗେନ୍ଦ୍ର ନାଥ ବସୁ ଏହାଙ୍କ ପ୍ରାଚୀନ ତାଳପତ୍ର ଲେଖା ପୋଥି ନେଇ ତହିଁର ବିବରଣ ନିଜ ଗ୍ରନ୍ଥରେ ( Archaeological Survey of Mayurbhanj ) ସନ୍ନିବେଶ କରିଥିବାରୁ ଗ୍ରନ୍ଥଟି ପ୍ରାଚୀନ ଅଟେ ବୋଲି ମନେ ହୁଏ । ଚୈତନ୍ୟଦାସ ବିଷ୍ଣୁ ଗର୍ଭ-ପୁରାଣରେ ଲେଖିଅଛନ୍ତି:-

 

‘‘ଅଲେଖ ପୁରୁଷ ବୋଲି ଏକଇ ବଡ଼ ଜନ ।

ତାର ତହୁଁ ଧରଇ ବିକାର କଳ୍ସମାନ ।।

X      X      X

ଅଲେକ ପୁରୁଷ ଯେ ବିକାର ମନ କଲା ।

ଅଦଭୁତ ହୋଇ ନାନା ମୂରତି ଧଇଲା ।।

X      X      X

ଶ୍ୱେତ, ପୀତ, ଲୋହିତ, ନୀଳ ଆଦି ଚାରିବର୍ଣ୍ଣ ।

ଅନେକ ରୂପ ଅଲେଖ ଅଟନ୍ତି ଅକଳନ ।।

X      X      X

ପ୍ରଥମେ ଆକାରକେ ଧଇଲା ବିଷ୍ଣୁକଳ୍ପ ।

ତହୁଁ ରାଜା ହୋଇଲା ଯେ ନିରାକାର ରୂପ ।।

X      X      X

ନିରାକାର ବିଷ୍ଣୁ ତାଙ୍କୁ ଲେଉଟି ଖୋଜିଲା ।।’’

 

ଅଲେଖଙ୍କଠାରୁ ନିରାକାର ବିଷ୍ଣୁ ଜାତ ହୋଇ ଅଲେଖଙ୍କୁ ଖୋଜିଲେ; ନ ପାଇବାରୁ ନିରାକାରଙ୍କ ଚକ୍ଷୁରୁ ଲୋତକ ବହିଲା । ତାହା ସପ୍ତସିନ୍ଧୁ ହେଲା । ନିରାକାର ମନୁ ବା ଉଡ଼ଙ୍ଗ ଓ ସ୍ଥିର ନାମରେ ଯୋଡ଼ିଏ ପାଦୁକା ପିନ୍ଧନ୍ତି । ନିରାକାର ଅଲେଖଙ୍କୁ ଖୋଜିବାପାଇଁ ଯୋଗନିଦ୍ରା ଗଲାବେଳେ ଆଲୋକ ଜାତ ହୁଏ । ତତ୍ପରେ ନିରାକାରଙ୍କ ପ୍ରଶ୍ୱାସବାୟୁରେ ସମୁଦ୍ର ଉଦେ୍‌ବଳିତ ହେଲେ କାଳ ବା କମଳ ଜାତ ହୁଏ ଓ ତାହା ଷଡ଼ ବିଷ୍ଣୁଙ୍କର ଆସନ ହୁଏ ।

 

ନିରାକାରଙ୍କ ଅଶ୍ରୁ କାମନାରୁ ଜାତ ହେଲା । ବେଦରେ ଅଛି, ‘‘କାମସ୍ତଦଗ୍ରେ ସମବର୍ତ୍ତତାଧି’’ କାମ ଅଗ୍ନି ସଙ୍ଗେ ସମାନ ଅଟେ । ଅଗ୍ନିରୁ ଜଳ ଜାତ ହୁଏ । ଶରୀରରେ ଜଳୀୟ ଅଂଶ ଜ୍ଞାନର ଆଧାର ଅଟେ । ବେଦରେ ଅଛି— ‘‘ପ୍ରକେତଂ ସଲିଳଂ, ସବଂ ମା ଇଦଂ ।’’ ବୌଦ୍ଧଧର୍ମର କାମନା ସଙ୍ଗରେ ଏହାକୁ ତୁଳନା କରାଯାଇପାରେ । କାମନା ଦୁଃଖର ମୂଳ କାରଣ ଅଟେ । କାମନାକୁ ବିନାଶ କଲେ ଦୁଃଖର ବିନାଶ ହୁଏ ।

 

ବେଦ ଅନୁସାରେ ସହସ୍ରଶୀର୍ଷାପୁରୁଷଙ୍କଠାରୁ ବିରାଟ୍‌ ପୁରୁଷ ଜାତ ହୋଇଥିଲେ ଓ ତାହାଙ୍କଠାରୁ ବାୟୁ ଜାତ ହୋଇଥିଲା । ବାୟୁ ମନୁଷ୍ୟ-ଶରୀରରେ କର୍ମର ପ୍ରେରଣା ଦିଏ । ଅଲେଖ-ଧର୍ମର ଦର୍ଶନଶାସ୍ତ୍ରର ବିସ୍ତୃତ ଆଲୋଚନାପାଇଁ ଏଠାରେ ସ୍ଥାନ ନାହିଁ । ଆମେ ଏତିକି ବର୍ତ୍ତମାନ ଜାଣିପାରୁଅଛୁ ଯେ ବଳରାମଦାସ ଓ ଜଗନ୍ନାଥଦାସଙ୍କ ମତଠାରୁ ଅଲେଖ-ମତ.ପୃଥକ ଅଟେ । ଅଲେଖ-ସମ୍ପ୍ରଦାୟ ବୌଦ୍ଧ-ସମ୍ପ୍ରଦାୟରୁ ଆବିର୍ଭୂତ ହୋଇଅଛି । କିନ୍ତୁ ବଳରାମଦାସ ଓ ଜଗନ୍ନାଥଦାସ ଭୂତ-ପଦାର୍ଥରୁ ପ୍ରକୃତି ଜାତ ହେଲା ବୋଲି କହିଥିବାରୁ ସେମାନେ ସାଂଖ୍ୟ ମତାବଲମ୍ବୀ ବୋଲି କୁହାଯାଇପାରେ । ଉଭୟ ସମ୍ପ୍ରଦାୟ ଶୂନ୍ୟବାଦ ସ୍ୱୀକାର କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମତ-ବୈଷମ୍ୟ ଅଛି । ଶୂନ୍ୟବାଦ ବୌଦ୍ଧଧର୍ମର ପରବର୍ତ୍ତୀ ନୁହେଁ । ଏହି ଶୂନ୍ୟବାଦ ପୁରାଣମାନଙ୍କରେ ଶଂଖାସୁର ନାମରେ ଅଭିହିତ ହୋଇଅଛି । ଅଲେଖ-ମତ ବେଦାନ୍ତ-ମତ ସଦୃଶ ହୋଇଅଛି । ବେଦାନ୍ତରେ ବିଶ୍ୱର ଯାବତୀୟ ପଦାର୍ଥ ବ୍ରହ୍ମଙ୍କର ମାୟା ବୋଲି କୁହାଯାଇଅଛି । ବିଷ୍ଣୁ ଗର୍ଭ-ପୁରାଣରେ ବିଶ୍ୱର ଯାବତୀୟ ପଦାର୍ଥ ଅଲେଖଙ୍କ ବିକାର ବୋଲି ମଧ୍ୟ କୁହାଯାଇଅଛି । ବେଦାନ୍ତରେ ବ୍ରହ୍ମ ମଧ୍ୟ ଅଲେଖ ଓ ନିର୍ଗୁଣ ସ୍ୱଭାବ ବିଶିଷ୍ଟ ଅଟନ୍ତି । ଚୈତନ୍ୟଦାସ ନିର୍ଗୁଣ-ମାହାତ୍ମ୍ୟ ମଧ୍ୟ ଲେଖିଅଛନ୍ତି ।

ଅଚ୍ୟୁତାନନ୍ଦଦାସ

ଅଚ୍ୟୁତାନନ୍ଦ ନିଜ ରଚିତ ‘‘ଗୋପାଳଙ୍କ ଓଗାଳ ଓ ଲଉଡ଼ିଖେଳ’ ନାମକ ପୁସ୍ତକରେ ଲେଖି ଅଛନ୍ତି :-

 

‘‘ରଣପୁର ମଝି ମୁଁ ଆଖଣ୍ଡଚଳେ ବସି କରି ଥାଇ ।

ପଦ୍ମଲାଭ ନରେନ୍ଦ୍ର ମୋତେ ଅନ୍ନ ଦେଇ ପୋଷଇ ।।’’

 

ପୁଣି ନିଜ ରଚିତ ‘‘ଅନନ୍ତଗୋଇ’ ନାମକ ପୁସ୍ତକରେ ଲେଖିଲେ:-

 

‘‘ମୁଁ ଥିବି ମଣିନାଗକୁ ଯୋଜନେ ଅନ୍ତର ।’’

 

ମଣିନାଗ ରଣପୁରର ପ୍ରଧାନ ପର୍ବତ । ଏଣୁ ଉଦ୍ଧୃତ ପଦ୍ୟାଂଶମାନଙ୍କରୁ ଜଣାଯାଏ ଯେ ‘ଅନନ୍ତ ଗୋଇ ଏବଂ ‘ଗୋପାଳଙ୍କ ଓଗାଳ ଓ ଲଉଡ଼ିଖେଳ’ର ରଚୟିତା ଅଚ୍ୟୁତାନନ୍ଦ ବିଭିନ୍ନ ବ୍ୟକ୍ତି ନୁହନ୍ତି । ଅଚ୍ୟୁତାନନ୍ଦ ‘ଅନନ୍ତଗୋଇ’ ରଚନା କଲାବେଳକୁ ରଣପୁରଠାରୁ ଦୂରରେ ଥିଲେ । କିନ୍ତୁ ‘ଗୋପାଳଙ୍କ ଓଗାଳ ଓ ଲଉଡ଼ିଖେଳ’ ରଚନା କଲାବେଳକୁ ରଣପୁର ରାଜ୍ୟରେ ଥିଲେ । ରଣପୁର ରାଜବଂଶ ବହୁ ପ୍ରାଚୀନ ଅଟେ । ଏହି ରାଜବଂଶ ପୁରାଣକଥିତ ନିଷାଦବଂଶର ବଂଶଧର ଅଟେ । ଅନ୍ୟାନ୍ୟ ରାଜବଂଶମାନେ ଓଡ଼ିଶାର ପ୍ରାଚୀନ ଗୌରବର ନିଦର୍ଶନ ବୋଲି କହିବାକୁ ସଙ୍କୋଚ ବୋଧ କରି ରାଜପୁତାନାରୁ ଆଗତ ବୋଲି କହୁଅଛନ୍ତି । କିନ୍ତୁ ରଣପୁର ରାଜବଂଶ ନିଷାଦବଂଶର ପ୍ରତିଷ୍ଠାତା କହୁଥିବାରୁ ଓଡ଼ିଶାର ବୈଦିକ ସଭ୍ୟତାର ସ୍ମୃତି-ସ୍ତମ୍ଭ ବୋଲି ବର୍ତ୍ତମାନ ଜଣାଯାଉ ଅଛନ୍ତି-। ଦୀର୍ଘତମା ଋଷିଙ୍କ ପୁତ୍ର କକ୍ଷିବତ୍‌ ଯେଉଁ ଇନ୍ଦ୍ରଙ୍କର ସ୍ତୁତି ଋଗ୍‌ବେଦରେ ଗାଇଅଛନ୍ତି, ରଣପୁର ରାଜବଂଶ ସେହି ଇନ୍ଦ୍ରଙ୍କର ବଂଶଧର ଅଟନ୍ତି ଓ ବର୍ତ୍ତମାନ ନରେନ୍ଦ୍ର ଉପାଧି ବ୍ୟବହାର କରୁଅଛନ୍ତି । ଏହି ବଂଶ ବୈଦିକ-ଯୁଗରୁ ଶୂନ୍ୟବାଦୀ ଅଟେ; ଏଣୁ ଶୂନ୍ୟବାଦୀ ଅଚ୍ୟୁତାନନ୍ଦଙ୍କୁ ସମାଦର କରିବା ସ୍ୱାଭାବିକ -

 

ରଣପୁରର ରାଜବଂଶାବଳୀ ଅନୁସାରେ ପଦ୍ମନାଭ ନରେନ୍ଦ୍ରଙ୍କ ଉତ୍ତାରୁ ସତର ପୁରୁଷ ଅତୀତ ହେଲାଣି । ଭାରତବର୍ଷର ଇତିହାସ ଗବେଷଣା ନିମନ୍ତେ ପ୍ରତ୍ୟେକ ରାଜାଙ୍କର ରାଜତ୍ୱକାଳ ଯଦି ପଚିଶି ବର୍ଷ ଲେଖାଏଁ ଧରାଯାଏ, ତାହାହେଲେ ସେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଜୀବିତ ଥିଲେ ବୋଲି ବିଶ୍ୱାସ କରିବାରେ କୌଣସି ବାଧା ନାହିଁ । ଅଚ୍ୟୁତାନନ୍ଦ ‘ଗରୁଡ଼-ଗୀତା’ରେ ମଧ୍ୟ ଲେଖିଅଛନ୍ତି:-

 

‘‘ତେଲଙ୍ଗା ମୁକୁନ୍ଦ ବୋଲି ରାଜା ଗଉଡ଼ ଦେଶରେ ହେବ,

ବାରବାଟୀ କିଲା ସେହି ତୋଳାଇବ କୀରତି ସେ ରଖିଯିବ ।’’

 

ଏଥିରୁ ଜଣାଯାଏ ଯେ ଅନଙ୍ଗଭୀମଦେବ ବାରବାଟୀ କିଲା ତିଆରି କରାଇଥିଲେ ବୋଲି ଯେଉଁ କିମ୍ବଦନ୍ତୀ ଅଛି, ତାହା ଅମୂଳକ ଅଥବା ସେ କିଲାର ଭିତ୍ତି ଦେଇଥିଲେ । ଯାହା ହେଉ,୧୫୫୯ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦଦେବ ସିଂହାସନ ଆରୋହଣ କରିବାବେଳକୁ ଅଚ୍ୟୁତାନନ୍ଦ ଜୀବିତ ଥିଲେ । ପ୍ରତାପରୁଦ୍ରଦେବଙ୍କ ଉତ୍ତାରୁ ଓଡ଼ିଶାର ସିଂହାସନ ଆରୋହଣପାଇଁ ସୂର୍ଯ୍ୟବଂଶର ବଂଶଧରମାନଙ୍କ ମଧ୍ୟରେ ବିବାଦ ଲାଗିଥିଲା । ତହିଁର ସଙ୍କେତ ମଧ୍ୟ ସ୍ୱୀୟ ‘ଅନନ୍ତଗୋଇ’ ପୁସ୍ତକରେ କବି ଦେଇଅଛନ୍ତି :-

 

‘‘ଗୋଳରାଷ୍ଟ୍ର ହେବ ନୀଳାଦ୍ରି ପୁରେ । ଭାଜି ନୃପତି ରହିବ ସେଠାରେ ।।

X            X            X            X

ମୁକୁନ୍ଦଦେବ ତ୍ରିପୁରାରି ମୂର୍ତ୍ତି । ଯୁଗ ପାଲଟି ତାହାକୁ ଘିତି ।।’’

 

ଅଚ୍ୟୁତାନନ୍ଦ ଚୈତନ୍ୟଦେବଙ୍କ ସହିତ ସାକ୍ଷାତ୍ କରିଥିବାର ଓ ସନାତନ ସ୍ୱାମୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିବା କଥା ସେ ନିଜେ ‘ଶୂନ୍ୟ-ସଂହିତା’ରେ ଲେଖିଅଛନ୍ତି । ଚୈତନ୍ୟଦେବ ୧୫୦୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶାକୁ ଆସିଥିଲେ । ସେତେବେଳକୁ ତାହାଙ୍କୁ ୧୮ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ପଞ୍ଚଦଶ ଶତାବ୍ଦୀର ଶେଷ ଦଶକରେ ଜନ୍ମଗ୍ରହଣ କରିଥିବେ ଓ କଳାପାହାଡ଼ର ଓଡ଼ିଶା ଆକ୍ରମଣ ଉତ୍ତାରୁ ବା ସାମାନ୍ୟ ପୂର୍ବରୁ ଦେହତ୍ୟାଗ କରିଥିବେ ।

 

ଅଚ୍ୟୁତାନନ୍ଦଦାସ ‘ଶୂନ୍ୟ-ସହିତାରେ’ ଆତ୍ମଜୀବନୀ ଲେଖିଅଛନ୍ତି । ସୁଦାମା ଦୀନବନ୍ଧୁ ଖୁଣ୍ଟିଆଙ୍କ ଔରସରେ ପଦ୍ମାବତୀଙ୍କ ଗର୍ଭରୁ ଅଚ୍ୟୁତାନନ୍ଦ ରୂପରେ ଅବତାର ଗ୍ରହଣ କରିଅଛନ୍ତି । ତାହାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ । ସେ ଲେମ୍ବାଳ, ସାଇଲୋ ପ୍ରଭୃତି ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅବସ୍ଥାନ କରୁଥିଲେ ଓ ଜାତିରେ ଗଉଡ଼ ଥିଲେ । ବ୍ରାହ୍ମଣମାନଙ୍କ ସହିତ ତାହାଙ୍କର ଶତ୍ରୁତା ଘଟିଥିଲା । ରାଜା ପ୍ରତାପରୁଦ୍ରଦେବ ତାହାଙ୍କର ଧର୍ମପରାୟଣତା ପରୀକ୍ଷା କରିଥିଲେ ।

 

ବଳରାମଦାସଙ୍କ ବ୍ରହ୍ମଜ୍ଞାନ ରାଜା ପ୍ରତାପରୁଦ୍ରଦେବ ପରୀକ୍ଷା କରିଥିଲେ । ଜଗନ୍ନାଥଦାସଙ୍କ ସଚ୍ଚରିତ୍ରତା ସମ୍ବନ୍ଧରେ ସନ୍ଦେହ ଜାତ ହୋଇଥିବାର କିମ୍ବଦନ୍ତୀ ଲିପିବଦ୍ଧ ହୋଇ ରହିଅଛି । ବର୍ତ୍ତମାନ ଅଚ୍ୟୁତାନନ୍ଦ ଯାହା ଲେଖିଅଛନ୍ତି, ସେଥିରୁ ଜଣାଯାଏ ଯେ ତାହାଙ୍କ ଚରିତ୍ର ସମ୍ବନ୍ଧରେ ଲୋକେ ସନ୍ଦେହ କରୁଥିଲେ । ‘ରସବିନୋଦ’ ରଚୟିତା ଦୀନକୃଷ୍ଣଦାସ ମଧ୍ୟ ବୈଷ୍ଣବମାନଙ୍କ ଚରିତ୍ର-କଳୁଷତା ସମ୍ବନ୍ଧରେ ଲେଖିଅଛନ୍ତି । ପ୍ରାଚୀନ ସଂସ୍କୃତ ପୁରାଣରେ ମଧ୍ୟ ଏହାର ଆଭାସ ମିଳେ । ଚୈତନ୍ୟଦେବଙ୍କ ପ୍ରେମଭକ୍ତିର ସ୍ରୋତ ଓଡ଼ିଶାର ନୈତିକ ଜୀବନ-ତରୁକୁ କିପରି ଅତଳ ସମୁଦ୍ରଗର୍ଭରୁ ଭସାଇ ନେଇଥିଲା, ତାହାର ପ୍ରମାଣ ପରବର୍ତ୍ତୀ ଅଧ୍ୟାୟରେ ସାହିତ୍ୟାଲୋଚନାରୁ ମିଳିପାରିବ ।

 

ନନ୍ଦଦାସ ‘ଅଣାକାର-ସଂହିତା’ ନାମକ ପୁସ୍ତକରେ ଅଚ୍ୟୁତାନନ୍ଦ, ବଳରାମ, ଜଗନ୍ନାଥ, ଯଶୋବନ୍ତ ଓ ଶିଶୁ ଅନନ୍ତ ପଞ୍ଚସଖା ଥିଲେ ବୋଲି ଲେଖିଅଛନ୍ତି । ଅଚ୍ୟୁତାନନ୍ଦ ମଧ୍ୟ ଆପଣାକୁ ପଞ୍ଚସଖା ମଧ୍ୟରୁ ଜଣେ ବୋଲି ଲେଖିଅଛନ୍ତି । ସମାଜ-ବନ୍ଧନ ଛିନ୍ନ କରିବାପାଇଁ ଏହି ପାଞ୍ଚଜଣ ସମାନ କାର୍ଯ୍ୟ କରିଥିବାରୁ ଏମାନଙ୍କୁ ପଞ୍ଚସଖା କୁହାଯାଏ । ଦାର୍ଶନିକ ତତ୍ତ୍ୱ ବିଷୟରେ ଏହି ପଞ୍ଚସଖା ପରସ୍ପରଠାରୁ ପୃଥକ୍ ଅଟନ୍ତି– କଦାପି ଏକ ସଂପ୍ରଦାୟୀ ନୁହନ୍ତି । ଅଚ୍ୟୁତାନନ୍ଦ ‘ଅନନ୍ତଗୋଇ’ ଏବଂ ‘ଗୋପାଳଙ୍କ ଓଗାଳ ଓ ଲଉଡ଼ିଖେଳ’ ଛଡ଼ା ହରିବଂଶ, ସପ୍ତାଙ୍ଗ ଭାଗବତ, ଜ୍ଞାନୋଦୟ କୋଇଲି, ଛତିଶ ଖଣ୍ଡ ସଂହିତା, ଅଠସ୍ତରି ଖଣ୍ଡ ଗୀତା ଓ ଅନେକଗୁଡ଼ିଏ ମାଳିକା ରଚନା କରିଥିଲେ । ମାଳିକାଗୁଡ଼ିକ ଭବିଷ୍ୟ-ପୁରାଣ ଅଟେ । କୈବର୍ତ୍ତ-ଗୀତାରେ ପରାଶରଙ୍କ ଔରସରେ ସତ୍ୟବତୀଙ୍କ ଗର୍ଭରୁ ବ୍ୟାସଙ୍କର ଜନ୍ମ ବର୍ଣ୍ଣନା କରାଯାଇଅଛି । ପ୍ରଶ୍ନୋତ୍ତର ଛଳରେ ଯେଉଁ ରଚନା, ତାହା ଗୀତା ନାମରେ କଥିତ ବୋଲି ତାଙ୍କର ବୋଧ ହୁଏ ଧାରଣା ଥିଲା । ଶୂନ୍ୟ-ସଂହିତାରେ ସେ ଲେଖିଅଛନ୍ତି:-

 

‘‘ହିନ୍ଦୁ ଭଜେ ଅଲେଖ । ତୁର୍କୁ ଭଜେ ଅଲେଫ ।’’

 

ଜଗତରେ ଅନାସକ୍ତଭାବରେ କିପରି କର୍ମ କରିବ, ତାହା ଜଗନ୍ନାଥଦାସ ନିଜ ଭାଗବତରେ ବୁଝାଇ ଅଛନ୍ତି । ଭକ୍ତିତଦ୍‌ଗତମାନସ ହୋଇ, କର୍ମ କରି ଆନନ୍ଦ ଉପଭୋଗ କରିବାପାଇଁ ବଳରାମଦାସ ଉପଦେଶ ଦେଇଅଛନ୍ତି । କିନ୍ତୁ ମହିମାଧର୍ମାବଲମ୍ବୀ ଅଚ୍ୟୁତାନନ୍ଦ କିପରି କର୍ମ କରି ଜୀବନ ଅତିବାହିତ କରିବାକୁ ହେବ, ତହିଁର ସ୍ପଷ୍ଟ ଆଭାସ ତାଙ୍କ ରଚିତ ପୁସ୍ତକମାନଙ୍କରେ ଦେଇ ନାହାନ୍ତି । ଜଗନ୍ନାଥଦାସ ଓ ବଳରମଦାସ ଶୂନ୍ୟବାଦୀ ଥିଲେ ମଧ୍ୟ ହିନ୍ଦୁ ଦେବଦେବୀପ୍ରତି ସେମାନଙ୍କର ଆସ୍ଥା ଥିଲା । କିନ୍ତୁ ଅଚ୍ୟୁତାନନ୍ଦଙ୍କର ସେପରି ଆସ୍ଥା ଥିବାର ପ୍ରମାଣ ମିଳେ ନାହିଁ । ଶୂନ୍ୟ-ସଂହିତାରେ ସେ ଲେଖିଅଛନ୍ତି ଯେ ଅନନ୍ତପୁରର ମାଥୁରୀ ନାମକ ବ୍ରାହ୍ମଣ ପ୍ରାଚୀ ନଦୀକୂଳରେ ତପୀମାନଙ୍କୁ ଭେଟିଥିଲେ ଓ ସେଠାରେ ସେ ଗୋରଖନାଥ ଓ ମଲ୍ଳି କାନାଥଙ୍କ ଆଶ୍ରମ ଦେଖିଥିଲେ । ଏଣୁ ମନେ ହୁଏ, ସେ ସହଜିଆ-ମତରେ କେତେକ ପରିମାଣରେ ପ୍ରଭାବିତ ହୋଇଥିଲେ । ସେ ଆପଣାକୁ ସୁଦାମାଙ୍କର ଅବତାର କହିବାର ଅର୍ଥ କଅଣ ? ମୁକୁନ୍ଦଦେବ ଗଉଡ଼ ଦେଶର ରାଜା ଥିଲେ ବୋଲି ଲେଖିଅଛନ୍ତି । ଏହି ଗଉଡ଼ ଦେଶ କେଉଁଠାରେ ଅବସ୍ଥିତ ଥିଲା ? ଅଚ୍ୟୁତାନନ୍ଦଙ୍କର ସମସ୍ତ ରଚନା ପଢ଼ିବାର ସୁଯୋଗ ପାଇ ନ ଥିବାରୁ ତାଙ୍କ ମତ ସମ୍ବନ୍ଧରେ ମୁଁ ବିସ୍ତୃତଭାବରେ ଆଲୋଚନା କରିପାରୁ ନାହିଁ । ‘ଗୋପାଳଙ୍କ ଓଗାଳ ଓ ଲଉଡ଼ିଖେଳ’ରେ ଥିବା ବାରମାସୀ ଗୀତରୁ ଜଣାଯାଏ ଯେ ସେ ପୁରା ଅଲେଖ-ଧର୍ମାବଲମ୍ବୀ ନ ଥିଲେ । ସେ ସୁଦାମାଙ୍କ ପରି ଅଳ୍ପ ଦାନରେ ଭକ୍ତ ହୋଇଥିଲେ । ଏହା କି ଦାନ ? ଭକ୍ତି-ଦାନ ନୁହେଁ କି ? ବ୍ରାହ୍ମଣଙ୍କ ଆଡ଼ମ୍ବରଜନକ ପୂଜାର ସେ ବିରୋଧୀ ।

 

‘‘ଆଦ୍ୟ ମାର୍ଗଶିର ଶିଶିରେ ଶୀତ । ଶ୍ରୀକୃଷ୍ଣ ଜାଣନ୍ତି ରାଧିକା-ଚିତ୍ତ ।I

ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ । କାହୁଁ ଆଣିଦେବି କମଳାକାନ୍ତ ।।

ମୋ କାହ୍ନୁ ରେ ।।

 

ପୌଷେ ଚନ୍ଦ୍ରାବଳୀ ଜପଇ ବସି । ହସ୍ତେ ବର୍ଣ୍ଣାବଳୀ କଣ୍ଠେ ତୁଳସୀ I।

ସେଦିନ ଗାଇବ ଗୋବିନ୍ଦ ବର । କୃଷ୍ଣ କଥାଯାକ ପଡ଼େ ମନର ।।

ମୋ କାହ୍ନୁ ରେ ।।’’

 

ଏହି ଗୀତ ସରଳ, କରୁଣ-ରସାତ୍ମକ ଏବଂ ଯଥାର୍ଥରେ ସାହିତ୍ୟ-ପଦବାଚ୍ୟ ।

ଯଶୋବନ୍ତଦାସ

ଅଚ୍ୟୁତାନନ୍ଦ ଓ ନନ୍ଦଦାସ ଯଶୋବନ୍ତଙ୍କୁ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ବୋଲି ଲେଖି ଅଛନ୍ତି-। ଏଣୁ ଏହାଙ୍କର ଆବିର୍ଭାବ-କାଳ ଷୋଡ଼ଶ ଶତାବ୍ଦୀରେ ବୋଲି ନିରୂପଣ କରିବାକୁ ହୁଏ । ଯଶୋବନ୍ତ ପ୍ରେମଭକ୍ତି-ବ୍ରହ୍ମଗୀତା, ଶିବସ୍ୱରୋଦୟ ଓ ଗୋବିନ୍ଦଚନ୍ଦ୍ର ରଚନା କରିଥିଲେ । ପ୍ରଥମୋକ୍ତ ପୁସ୍ତକରେ ସେ ଲେଖିଅଛନ୍ତି ଯେ ଯେତେବେଳେ ନାମରୂପ ବା ବିଶ୍ୱସୃଷ୍ଟି ନ ଥିଲା, ସେତେବେଳେ ତୁମେ କେଉଁଠାରେ ଥିଲ ବୋଲି ଅର୍ଜ୍ଜୁନ କୃଷ୍ଣଙ୍କୁ ପଚାରିଥିଲେ । କୃଷ୍ଣ କହିଲେ ଯେ ଦିନେ ସେ ରାଧାଙ୍କ ଘରକୁ ଏକାନ୍ତରେ ଯାଇଥିଲେ । ରାଧା ଭକ୍ତିରେ ଏହି ପ୍ରଶ୍ନ କରିଥିଲେ । ସେ ରାଧାଙ୍କୁ ଯେଉଁ ଉତ୍ତର ଦେଇଥିଲେ, କୃଷ୍ଣ ଅର୍ଜ୍ଜୁନଙ୍କୁ ତାହା ଶୁଣାଇଥିଲେ । ଉତ୍ତରଟି ତଳେ ଦିଆଯାଉଅଛି :-

 

‘‘ନ ଥିଲେ ନାମ ରୂପ ଗୁଣ । ସଂସାର ଯେ ବିଧି-ଭିଆଣ ।।

ସେ କାଳେ ଥାଏ ମୋର ତନ । ଗଗନ ଯେହ୍ନେ ସର୍ବଶୂନ୍ୟ ।।

ଯେ ଶୂନ୍ୟପରେ ଜ୍ୟୋତ କାଣ । ତା ପରେ ଥିଲ ଶୂନ୍ୟ ପୁଣ ।।

ସେ ଶୂନ୍ୟ ଉପରେ ଚେତନା । ଚେତନା ମଧ୍ୟେ ମୋର ଠଣା ।।

ଅଣ ଅକ୍ଷର ନିରାକାରେ । ବୁଦ୍‌ବୁଦା ପ୍ରୟେ ମୁଁ ଶୂନ୍ୟରେ ।।

ହେତୁ ଆସନ ଦୃଢେ ଧରି । ମୁଁ ଥିଲି ଏକାନ୍ତେ ସେ ପୁରୀ ।।

ତହୁଁ ମୋ ସୃଷ୍ଟି ଇଚ୍ଛା ହେଲା । ମୋ ଦେହେଁ ପ୍ରକୃତି ଜନ୍ମିଲା ।।

ଉର୍ମ, ଧୂର୍ମ, ସେ ଜୋତି, ଜ୍ଵାଳା । ବିନ୍ଦୁ ସହିତେ ପଞ୍ଚକଳା ।।

ଉଛୁଳି ପଡ଼ନ୍ତେ ଏ ପାଞ୍ଚ । ସଲିଳ-ଜଳେ ପଡ଼ି ସଞ୍ଚ ।।

ଜଳେ ପଡ଼ନ୍ତେ ପଞ୍ଚଭୂତ । ତକ୍ଷଣେ ଯୋଗମାୟା ଜାତ ।।

ସେ ଯୋଗମାୟା ଆଦିଶକ୍ତି । ଯେ ଅର୍ଦ୍ଧମାତ୍ରା ଶୂନ୍ୟ ସ୍ଥିତି ।।

ସେ କାଳରୂପ ନିଦ୍ରାଗତ । ଜଳରୁ ହୋଇଲା ସମ୍ଭୂତ ।।

ସେ ଜଳେ ନ ପାରିଲା ରହି । ଉର୍ମିରେ ଟଳଟଳ ହୋଇ ।।

X            X            X

‘‘ମନରେ କରି ଗରୁ ତମ । ନାଭିର ତଳୁ ଏକ ରୋମ ।।

ହୁଁକାର କରି ଉପାଡ଼ିଲେ । ଓଁକାର କରି ସେ ସ୍ଥାପିଲେ ।।

ଭେଦିଲା ସପତ ବ୍ରହ୍ମାଣ୍ଡ । ଜଳରେ ଜାଣି ମେରୁଦଣ୍ଡ ।।

ଓଁ କାର ନାମ ତାକୁ ଦେଇ ! ଦେବୀ ବସିଲେ ତହିଁ ଯାଇ ।I

ତେବେ ସେ ନିଶ୍ଚଳ ନୋହିଲା । ପୁଣିହିଁ ଟଳଟଳ ହେଲା ।।

ଦେବୀ ବୋଇଲେ ତାହା ଜାଣି । ତୁ ବଜ୍ରକିଳା ହୁଅ ପୁଣି ।।

X            X            X

‘‘ସେ ବଜ୍ରକିଳା ବୋଲେ ଶୁଣି । ବର ରୁ ଯେବେ ଦେଲୁ ପୁଣି ।।

ତୁ ଆଦିମାତା ଶକ୍ତି ହେବୁ । ମୋତେ ତୁ ଲିଙ୍ଗ ସେ କରିବୁ ।।

ଯେ ଅଙ୍ଗେ ଭେଦି ମୁହିଁ ଥିବି । ସକଳ ସୃଷ୍ଟି ମୁଁ କରିବି ।।

ମୋ ତହୁଁ ଛରିବ ସମସ୍ତ । ସକଳ ମନ୍ତ୍ର ଯନ୍ତ୍ର ତତ୍ତ୍ୱ ।।’’

 

ଏହି ଉଦ୍ଧୃତ ଅଂଶରୁ ଜଣାଯାଏ ଯେ ଯଶୋବନ୍ତଙ୍କ ମତରେ ଶୂନ୍ୟରେ ଚେତନା ବା ଆତ୍ମା ଥିଲା । ସେଠାରେ ଅକ୍ଷର ଓ ଆକାର ନ ଥିଲା; କିନ୍ତୁ ବୁଦ୍‌ବୁଦ୍‌ ବା ଶବ୍ଦ ଥିଲା । ଏହି ବୁଦ୍‌ବୁଦ୍‌ ପାଣିନିଙ୍କ ବ୍ୟାକରଣରେ ସ୍ଫୋଟବାଦ କୁହାଯାଇଅଛି । ଶବ୍ଦ ବାୟୁର ଗୁଣ ହୋଇଥିବାରୁ ବାୟୁ ଓ ଚେତନା ଏକ ସଙ୍ଗରେ ଥିଲେ ବୋଲି କୁହାଯାଇଅଛି । ଶବ୍ଦ ଓ ବାୟୁତଳେ ଶୂନ୍ୟ ଥିଲା । ଏହି ଶୂନ୍ୟତଳେ ଜ୍ୟୋତି ବା କିରଣ ଥିଲା । ଏହି କିରଣତଳେ ପୁଣି ଶୂନ୍ୟ ଥିଲା । ଏହାର ଅର୍ଥ, କିରଣ ଥିବା ଶୂନ୍ୟରେ ଗ୍ରହନକ୍ଷତ୍ର ଜାତ ହେଲେ । ତଳ ଶୂନ୍ୟରେ ପୃଥିବୀ ଜାତ ହେଲା । ତତ୍ପରେ ପ୍ରକୃତି ଜନ୍ମିଲେ । ଏହି ପ୍ରକୃତିରେ ପଞ୍ଚମହାଭୂତସ୍ଥିତ ହେଲେ—ଉର୍ମ, ଧର୍ମ, ଜ୍ୟୋତି, ଜ୍ଵାଳା ଓ ବିନ୍ଦୁ । ଜ୍ଵର ହେବା ପୂର୍ବରୁ ବା ପରେ ଶରୀରର ସାମାନ୍ୟ ଉତ୍ତାପକୁ ଓଡ଼ିଆରେ ‘ଉର୍ମା’ କହନ୍ତି । ବାୟୁର ସ୍ୱର୍ଶଗୁଣ ସୂକ୍ଷ୍ମ ହୋଇଥିବାରୁ ତାହାର ଉତ୍ତାପ-ଗୁଣ ଆମେ ସାମାନ୍ୟ ପରିମାଣରେ ଅନୁଭବ କରୁ । ଏଣୁ ଉର୍ମର ଅର୍ଥ ବାୟୁ ଅଟେ । ‘ଧୂମ୍ର’ ଶବ୍ଦ ବୋଧ ହୁଏ ଧୂର୍ମରୂପରେ ବ୍ୟବହୃତ ହୋଇଅଛି । ଗ୍ରହ-ନକ୍ଷତ୍ରହୀନ ଆକାଶ ସନ୍ଧ୍ୟାକାଳରେ ଧୂମ ବର୍ଣ୍ଣ ଦେଖାଯାଉଥିବାରୁ ଧୂର୍ମ-ଶବ୍ଦକୁ ଆକାଶ ଅର୍ଥରେ ଗ୍ରହଣ କରିବାକୁ ହେବ । ‘ଜ୍ୟୋତି’ ଅଗ୍ନିର ପୂର୍ବ ଅବସ୍ଥା । ‘ଜ୍ୱାଳା’ର ଅର୍ଥ ପୃଥିବୀ ଅଟେ; କାରଣ ଯାହା ଦଗ୍ଧ ହେବ, ତାହା ଜ୍ୱାଳା ଅନୁଭବ କରିବ । ବିନ୍ଦୁର ଅର୍ଥ ଜଳ ଅଟେ । ପଞ୍ଚମହାଭୂତଙ୍କ ସୂକ୍ଷ୍ମ ପରମାଣୁ ଅବସ୍ଥାକୁ ସେମାନଙ୍କ ସୂକ୍ଷ୍ମ ଗୁଣ-ବାଚକ ଶବ୍ଦଦ୍ୱାରା ପ୍ରକାଶ କରାଯାଇଅଛି । ଏହି ପଞ୍ଚମହାଭୂତଙ୍କ ଯୋଗରେ ଯେଉଁ ପ୍ରକୃତି, ତାହା ମାୟା ବା କ୍ଷଣିକ ଅଟେ I ଯୋଗମାୟାର ନାଭିମୂଳର ରୋମ ଅଚେତନ ପଦାର୍ଥ ଅଟେ । ତହିଁରୁ ଯେଉଁ ଓଁକାର ବା ଲୋକଙ୍କ ବ୍ୟବହୃତ ଭାଷାର ସୃଷ୍ଟି ଘଟିଅଛି, ତାହା ଅଜ୍ଞାନଜଡ଼ିତ । ଏହି ‘ଓଁକାର’ ହୁଁ କାରରୁ ଜାତ ହୋଇଅଛି । ମେରୁଦଣ୍ଡ ସବଳ ହେବାରୁ ମାଙ୍କଡ଼ପରି ହୁଁ କାର-ରଡ଼ିରେ ରମଣୀକୁ ଡାକିବାରୁ ‘ଓ’ ସ୍ୱରଦ୍ୱାରା ଉତ୍ତର ଜଣାଇଅଛି । ଏହି ମେରୁଦଣ୍ଡ ସହିତ ଲିଙ୍ଗ ସଂଶ୍ଳିଷ୍ଟ ଅଛି । ଏଥିରୁ ସମସ୍ତ ଶାସ୍ତ୍ର ଓ ଜ୍ଞାନର ଉତ୍ପତ୍ତି ଘଟିଅଛି । ପୁରୀ ମନ୍ଦିରରେ ମେରୁଦଣ୍ଡରୂପୀ ସୁଦର୍ଶନଙ୍କୁ ହୁଁ କାର ବୀଜ-ମନ୍ତ୍ରରେ ପୂଜା କରାଯାଏ ।

 

ଉପରୋକ୍ତ ତତ୍ତ୍ୱ ଜଗନ୍ନାଥଦାସଙ୍କ ତତ୍ତ୍ୱଠାରୁ ପୃଥକ୍ ଅଟେ । ଯଶୋବନ୍ତଦାସ ଚେତନ ବା ଆତ୍ମାର ସୃଷ୍ଟି ବୋଲି ମତବ୍ୟକ୍ତ କରିଥିବାରୁ ସେ ଜନକ-ସମ୍ପ୍ରଦାୟୀ ଅଟନ୍ତି । ଅଷ୍ଟାଦଶ ଶତାବ୍ଦୀର ଦୀନକୃଷ୍ଣଦାସ ଲେଖିଅଛନ୍ତି ଯେ ଯଶୋବନ୍ତଦାସ ଶ୍ୟାମାନନ୍ଦ-ପନ୍ଥୀ ଥିଲେ । ବର୍ତ୍ତମାନ ଦେଖାଯାଉଅଛି ଯେ ଯଶୋବନ୍ତ ନାଦରୁ ବିନ୍ଦୁର ଉତ୍ପତ୍ତି ବୋଲି କହିଅଛନ୍ତି । ଜୈନମାନେ ପରମାଣୁର କ୍ଷଣିକତ୍ୱ ବିଶ୍ୱାସ କରି ଆତ୍ମାର ନିତ୍ୟତ୍ୱ ମାନୁଥିଲେ । ଗୋରଖନାଥ, ମଲ୍ଲିକାନାଥ ପ୍ରଭୃତି ବୋଧ ହୁଏ ଜନକ-ସମ୍ପ୍ରଦାୟୀ ଜୈନ ଅଟନ୍ତି । ସେଥିପାଇଁ ଓଡ଼ିଶାର ନାଥ-ସମ୍ପ୍ରଦାୟ ଯଶୋବନ୍ତଦାସଙ୍କ ରଚିତ ‘ଗୋବିନ୍ଦଚନ୍ଦ୍ର’ ଗୀତ ଗାଇ ଦ୍ୱାର ଦ୍ଵାର ବୁଲି ଭିକ ମାଗୁଥିଲେ । ବଙ୍ଗଦେଶର ଗୋବିନ୍ଦଚନ୍ଦ୍ର ନାମକ ଜଣେ ରାଜା ସଂସାରର ରାଜଭୋଗ ଛାଡ଼ି ହାଡ଼ିପା ସଙ୍ଗରେ ବହୁ କାୟ-କ୍ଳେଶ ସହି ପଦବ୍ରଜରେ ଭ୍ରମଣ କଲେ ମଧ୍ୟ ସେ ରାଜଭୋଗକୁ ଫେରିଯିବାକୁ ଇଚ୍ଛା କରି ନ ଥିଲେ । ହାଡ଼ିପା ତାହାଙ୍କୁ ବେଶ୍ୟାଳୟରେ ରଖିଥିଲେ । କିନ୍ତୁ ଗୋବିନ୍ଦଚନ୍ଦ୍ର ଚିତ୍ତ ଚଞ୍ଚଳ ନ କରି ଇନ୍ଦ୍ରିୟ-ସଂଯତ ହୋଇ ଚଳିଥିଲେ । ସେ ସାଧନାରେ ସିଦ୍ଧି-ଲାଭ କରିବାଉତ୍ତାରୁ ହାଡ଼ିପା ତାହାଙ୍କୁ ସଂସାର ଭୋଗକୁ ଫେରିଯିବାପାଇଁ ଅନୁମତି ଦେଇଥିଲେ । କାୟକ୍ଲେଶ ବରଣ କରିବା ଜୈନ-ଧର୍ମର ମତ ଅଟେ । ଏଣୁ ଆମ ଦେଶର ଦଣ୍ଡପୂଜା ଜୈନଧର୍ମର ନିଦର୍ଶନ ବୋଲି କହିବାକୁ ହେବ । ବଙ୍ଗଳା-ସାହିତ୍ୟର ‘ମୟନାବତୀ-ଚରିତ’ର ସାରକଥା ଓଡ଼ିଆ ଗୋବିନ୍ଦଚନ୍ଦ୍ର ଗୀତରେ ଅଛି-। ଏହା ଓଡ଼ିଆ ଗ୍ରାମ୍ୟ-ଗୀତ ଭିତରେ ସ୍ଥାନ ପାଇଲା କିପରି, ଜଣାଯାଏ ନାହିଁ । ଯେଉଁ ଗୀତର କବି ଜଣାଶୁଣା ଅଟନ୍ତି, ସେ ଗୀତି ଗ୍ରାମ୍ୟ-ଗୀତି ନୁହେ ।

 

ଯଶୋବନ୍ତ ‘ପ୍ରେମଭକ୍ତି ବ୍ରହ୍ମଗୀତା’ରେ ପୁଣି ଲେଖିଅଛନ୍ତି :-

 

‘‘ଓଁକାର ପରେ ଦେବୀ ଥିଲେ । ମନେ ଏମନ୍ତ ବିଚାରିଲେ ।।

କାହୁଁ ମୁଁ ହୋଇଲି ଜନମ । ଦଶଦିଗ ତ ଦେଖି ଶୂନ୍ୟ ।।

ଶୂନ୍ୟମଣ୍ଡଳେ ଲୟ କଲା । ଜ୍ୟୋତି ସେ ମଣ୍ଡଳ ଦେଖିଲା ।।

ଜ୍ୟୋତି ଉପରେ ଅଗ୍ନି ଜାଣି । ଅଗ୍ନି ଉପରେ ହିମ ପୁଣି ।।

ହିମ ଉପରେ ବିନ୍ଦୁ ଥିଲା । ସେ ଶୂନ୍ୟ-ବ୍ରହ୍ମଙ୍କୁ ଦେଖିଲା ।।

 

ଏହାର ତାତ୍ପର୍ଯ୍ୟ ଏହି ଯେ କାମାଗ୍ନି କଥା ପସୋରି ଚିତ୍ତକୁ ପ୍ରଶାନ୍ତ କରିବା ଅବସ୍ଥାରେ ଯେଉଁ ସଙ୍ଗମ-ପ୍ରବୃତ୍ତି ସ୍ଵତଃ ଜାତ ହୁଏ, ତାହା ସନ୍ତାନ-ଉତ୍ପାଦିକା ଶକ୍ତି ଅଟେ । ଲିଙ୍ଗରୁ ସମସ୍ତ ଯନ୍ତ୍ର, ତନ୍ତ୍ର ଓ ତତ୍ତ୍ୱ ଜାତ ହୋଇଅଛି ବୋଲି ଯଶୋବନ୍ତ କହି ଅଛନ୍ତି । ଏଣୁ ତାଙ୍କ ‘ପ୍ରେମଭକ୍ତି ବ୍ରହ୍ମଗୀତା’ ଓ ‘ଶିବସ୍ୱରୋଦୟ’ ପ୍ରଜନନ ସମ୍ବନ୍ଧରେ ରଚିତ ହୋଇଅଛି ବୋଲି ବୁଝାଯାଏ । ଶିବ-ତନ୍ତ୍ରରେ ଉକ୍ତ ଅଛି :-

 

‘‘ବିନା ପରକୀୟା ଦେବି ଜପେତ୍ ଯଦି ତୁ ସାଧକଃ ।

ଶତକୋଟି ଜପେନୈବ ତସ୍ୟ ସିଦ୍ଧିର୍ଣ୍ଣ ଜାୟତେ ।।’’ ( ଶିବତନ୍ତ୍ର )

‘ସହଜ’ ଶବ୍ଦର ଅର୍ଥ ଜୀବ ସହିତ ଜାତ ଧର୍ମ ଓ ‘ବିଷ୍ଣୁ’ ଶବ୍ଦର ଅର୍ଥ ବିଶ୍ୱରେ ବ୍ୟାପ୍ତ ପ୍ରବୃତ୍ତି ଅଟେ । କିନ୍ତୁ ବୌଦ୍ଧଧର୍ମ ମାୟାବାଦ ପ୍ରଚାର କରି ଏସବୁ ପ୍ରବୃତ୍ତି ଅବିଦ୍ୟାସମ୍ଭୂତ ବୋଲି ପ୍ରଚାର କରୁଥିଲା । ବୌଦ୍ଧଧର୍ମରେ ପ୍ରାଣାୟାମ ନ ଥିଲା । କେବଳ ବୁଦ୍ଧିବଳରେ ସଂସାରର ମାୟା ଉପଲବ୍ଧି କରି ସଂଯତ ହେବାକୁ ବୌଦ୍ଧମାନେ ଶିକ୍ଷା ଦେଉଥିଲେ । କିନ୍ତୁ ପରବର୍ତ୍ତୀ ଯୁଗରେ ବୌଦ୍ଧ-ସମ୍ପ୍ରଦାୟରୁ ଯୋଗାଚାର ଶାଖା ଉଦ୍ଭୂତ ହୋଇଥିଲା । ବୌଦ୍ଧ ଓ ବୈଷ୍ଣବ ସମ୍ପ୍ରଦାୟ କୁମାର-ଧର୍ମରୁ ଜାତ ହୋଇଥିଲେ । ବୈଷ୍ଣବମାନେ ମଦ୍ୟ- ମାଂସ ପ୍ରଭୃତି ଖାଉଥିବାର ବେଦରୁ ପ୍ରମାଣ ମିଳେ; କିନ୍ତୁ ମୂଳ କୁମାର-ଧର୍ମ ଇନ୍ଦ୍ରିୟ-ସଂଯତ ହୋଇ ସମାଜର ବହୁ ଶିବ ବା ମଙ୍ଗଳସାଧନ କରିଥିଲା । ଇନ୍ଦ୍ରିୟ-ସଂଯତ ହେଲେ ମନୁଷ୍ୟ ଅସାଧ୍ୟ ସାଧନ କରିପାରେ । କୁମାରମାନେ ସମାଜର ଶିବ କରିଥିବାରୁ ସେମାନେ ଶିବଙ୍କର ପୁତ୍ର ରୂପରେ କଥିତ ହୁଅନ୍ତି । ଏଣୁ ଶିବ-ତନ୍ତ୍ରର ପରକୀୟା ପ୍ରେମ ପରବର୍ତ୍ତୀ ଯୁଗର ବୋଲି ମନେ ହୁଏ । ମୂଳ ଗୋପାଳକୃଷ୍ଣ-ଧର୍ମର ପ୍ରଚାର ସମୟରେ ସ୍ଵକୀୟା ଓ ପରକୀୟା ଭେଦରେ ପ୍ରେମ ନ ଥିଲା । ସେତେବେଳେ ଜୋର ଯାର, ତା’ର ମୂଳକ ଥିଲା । ବଳିମାନେ ଶତ ଶତ ନାରୀ ରଖିଥଲେ । ଗୋପାଳକୃଷ୍ଣ ଗୀତ – ନୃତ୍ୟଦ୍ୱାରା ବଳି-ରାଜତ୍ୱ ଉଠାଇ ଦେଇଥିଲେ । କିଶୋର କିଶୋରୀ ଅବସ୍ଥାରେ ପତି-ପତ୍ନୀ ପ୍ରେମ ଜାଗରୂକ ହେଉଥିଲା । କିଶୋର- କିଶୋରୀ ଧର୍ମ କଳୁଷିତ ହୋଇପଡ଼ିବାରୁ ଚାଣକ୍ୟ ଏହି ଧର୍ମ ଲୋପ କରିଥିଲେ । ଚୈତନ୍ୟଦେବଙ୍କ ପ୍ରେମଭକ୍ତିର ପ୍ରଚାର ଫଳରେ ପୁଣି ସମାଜରେ କଳୁଷ ଦେଖାଦେଲା । ଶିଶୁ ଅନନ୍ତଙ୍କର କୌଣସି ରଚନା ମୁଁ ପଢ଼ିପାରି ନାହିଁ; କିନ୍ତୁ ଯେଉଁ ଚାରି ଜଣଙ୍କର ରଚନା ପଢ଼ିବାର ସୁଯୋଗ ମୁଁ ପାଇଅଛି, ସେମାନେ ଏକ ମତାବଲମ୍ବୀ ଥିଲେ ବୋଲି ମୁଁ ପ୍ରମାଣ ପାଉ ନାହିଁ । ସାମାଜିକ ଗାର୍ହସ୍ଥ୍ୟ ଜୀବନ ଭଙ୍ଗ କରିବାରେ ଏମାନେ ସମାନ ଆଦର୍ଶ ଦେଖାଇଥିବାରୁ ଏମାନଙ୍କୁ ବୋଧ ହୁଏ ପଞ୍ଚସଖା କହୁଥିଲେ । ଯେଉଁ ବୈଷ୍ଣବଧର୍ମ ଗୁପ୍ତ କରି ଚାଣକ୍ୟ ବିଷ୍ଣୁଗୁପ୍ତ ନାମରେ ଅଭିହିତ ହୋଇଥିଲେ; ସେହି ବୈଷ୍ଣବ-ଧର୍ମର ପୁନରୁତ୍ଥାନରେ ସମାଜ କଳୁଷିତ ହୋଇଥିବାର ପରବର୍ତ୍ତୀ କାଳର ସାହିତ୍ୟରୁ ପ୍ରମାଣ ମିଳେ ! ଯାହା ହେଉ, ଜଗନ୍ନାଥଦାସ ଗୃହସ୍ଥାଶ୍ରମ ନ କରିଥିଲେ ମଧ୍ୟ ଗୃହସ୍ଥାଶ୍ରମର ପକ୍ଷପାତୀ ଥିବାର ପ୍ରମାଣ ମିଳେ ।

 

ପ୍ରେମଭକ୍ତି ବ୍ରହ୍ମଗୀତାରେ ଯୋଗମାୟା ନିଜ ପୁତ୍ରକୁ ମାରି ‘ଦଶାକ୍ଷର’ ମନ୍ତ୍ରରେ ଜୀବନ୍ୟାସ ଦେଇଥିବାର ବର୍ଣ୍ଣିତ ହୋଇଅଛି । ଏହି ଦଶାକ୍ଷର ମନ୍ତ୍ରଟି ଦିବାକରଦାସଙ୍କ ‘ଜଗନ୍ନାଥାମୃତ’ରେ ବଡ଼ ଛଦ୍ମକଥାରେ ଉକ୍ତ ହୋଇଅଛି । ମନ୍ତ୍ରଟି ‘‘ଗୋବିନ୍ଦ ଗୋପୀଜନବଲ୍ଲଭ’’ ଅଟେ । ଅର୍ଥଟି ସରଳ ଭାଷାରେ ଖୋଲି କହିଦେଇଥିଲେ ତହିଁର ବ୍ୟାଖ୍ୟାପାଇଁ ପ୍ରଶ୍ନ କରାଯାଇଥାନ୍ତା । ବ୍ୟାଖ୍ୟା କଲେ ସମାଜର ନୀତିବିରୋଧୀ ଅର୍ଥ ଏଥିରୁ ବାହାରିବ । କିନ୍ତୁ ମୂଳ କୃଷ୍ଣ-ଧର୍ମ ସମାଜ-ଗଠନର ସହାୟକ ହୋଇଥିଲା । ‘ଗୋପୀ’ - ଶବ୍ଦର ଅର୍ଥ ଗଉଡ଼ୁଣୀ ନୁହେଁ । ‘ଗୋ’ ଶବ୍ଦର ଅର୍ଥ ପ୍ରଜନନ ଜ୍ଞାନ ଅଟେ ।

( ପ୍ରଥମ ) ରାମଦାସ

ଦିବାକରଦାସ ‘ଜଗନ୍ନାଥାମୃତ’ରେ ଜଗନ୍ନାଥଦାସଙ୍କର ରାମଦାସ ନାମରେ ଜଣେ ଶିଷ୍ୟ ଥିଲେ ବୋଲି ଉଲ୍ଲେଖ କରିଅଛନ୍ତି । ଗୁପ୍ତ ଗୀତାରେ ଏ କଥା ଲେଖାଅଛି ଯେ ବଳରାମଦାସ ‘ଗୁପ୍ତଗୀତା’ରୁ ଗୋଟିଏ ଅଧ୍ୟାୟ ଲେଖି ଦେହତ୍ୟାଗ କରିଥିଲେ । ତହିଁଉତ୍ତାରୁ ମୁକୁନ୍ଦଦେବଙ୍କ ଦୁଇ ଅଙ୍କରେ, ଅର୍ଥାତ୍ ୧୫୬୧ ଖ୍ରୀଷ୍ଟାବ୍ଦରେ ସେ ରାମଚନ୍ଦ୍ର ଦାସ ନାମରେ ଜନ୍ମଗ୍ରହଣ କରି ଗୁପ୍ତଗୀତାକୁ ଛତିଶ ଅଧ୍ୟାୟରେ ଶେଷ କରିଥିଲେ ।

 

‘‘ବଳରାମଦାସ ତାହା ଗୁପ୍ତ କରି । ଅଧ୍ୟାୟେ କହି ସେହି ଯିବ ମରି ।।

ସେ ପୁଣି ମୁକୁନ୍ଦଦେବ ଦ୍ୱି’ଅଙ୍କେ । ରାମଚନ୍ଦ୍ର ଦାସ ଜନମି ଲୋକେ ।।

 

ଗୁପ୍ତଗୀତାରେ ଯାହା ଲେଖା ଅଛି, ନନ୍ଦଦାସଙ୍କ ‘ଅଣାକାର-ସଂହିତା’ରେ ମଧ୍ୟ ତାହା ଲେଖା ଅଛି । ‘ଦାର୍ଢ୍ୟତାଭକ୍ତି’ରେ ମଧ୍ୟ ଜଣେ ରାମଦାସଙ୍କ ନାମ ଅଛି । ରାମଦାସ ବଲଭଦ୍ରାବଳୀ ଓ ଚଉପଦୀମାଳା ରଚନା କରିଥିଲେ । ‘ବଳଭଦ୍ରାବଳୀ’ ନାମରୁ ଜଣାଯାଏ ଯେ, ସେ ଜଗନ୍ନାଥ- ଦାସଙ୍କ ଶିଷ୍ୟ ହୋଇ ତାଙ୍କ ଗୁରୁ ବଳରାମଦାସଙ୍କ ନାମର ସ୍ମୃତି-ଚିହ୍ନସ୍ୱରୂପ ନିଜ ପୁସ୍ତକର ନାମ ରଖିଥିବେ । ପୁସ୍ତକର ନାମ ‘ବଳରାମାବଳୀ’ ରଖିଥିଲେ ପାଠକର ହୃଦୟରେ ଭକ୍ତି ଜାଗରିତ ହୋଇ ନ ଥାନ୍ତା ।

ଦ୍ୱାରକାଦାସ

ଗୁପ୍ତଗୀତାରେ ନିଜେ ଦ୍ଵାରକାଦାସ ରାମଦାସଙ୍କ ପୁତ୍ର ବୋଲି ଲେଖିଅଛନ୍ତି । ନିଜର ‘ପ୍ରେମରସ-ଚନ୍ଦ୍ରିକା’ରେ ମଧ୍ୟ ସେହି କଥା ଲେଖିଅଛନ୍ତି । ନନ୍ଦଦାସ ଅଣାକାର-ସଂହିତାରେ ଦ୍ଵାରକାଦାସ ରାମଚନ୍ଦ୍ରଦେବଙ୍କ ଅ୪୩ଙ୍କରେ ଅର୍ଥାତ୍ ୧୬୦୮ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ବୋଲି ଲେଖିଅଛନ୍ତି । ଦ୍ୱାରକାଦାସ ‘ଗୁପ୍ତଗୀତା’ ଓ ‘ପ୍ରେମରସଚନ୍ଦ୍ରିକା’ ଛଡ଼ା ‘ସପ୍ତପୋଇ’ ମଧ୍ୟ ରଚନା କରିଥିଲେ । ପ୍ରେମରସଚନ୍ଦ୍ରିକାରେ ଦ୍ଵାରକାଦାସ ଜୀବାତ୍ମାକୁ ରାଧା ଓ ପରମାତ୍ମାଙ୍କୁ କୃଷ୍ଣରୂପରେ ଏବଂ ଶରୀରକୁ ଉଲଟ କଦମ୍ବ ରୂପରେ ବର୍ଣ୍ଣନା କରିଅଛନ୍ତି । ଏହା ଓଡ଼ିଆ- ସାହିତ୍ୟରେ ଗୋଟିଏ ନୂତନ ତତ୍ତ୍ୱ ଅଟେ । କଦମ୍ବ-ବଂଶର ରାଜାମାନେ ନିଜର ତାମ୍ର - ଶାସନରେ ମୟୂର-ସନ୍ତକ ବ୍ୟବହାର କରିଅଛନ୍ତି । ତାଙ୍କ ବଂଶର ପ୍ରତିଷ୍ଠାତା କଦମ୍ବ-ମୂଳରେ ଆଶ୍ରୟ ନେଇଥିବାରୁ ବଂଶର ନାମ କଦମ୍ୱ ହୋଇଅଛି ବୋଲି ସେମାନଙ୍କର କିମ୍ବଦନ୍ତୀ ମଧ୍ୟ ଅଛି । ମୟୂର- ବାହନ କୁମାର-ସମ୍ପ୍ରଦାୟ କୃଷ୍ଣ-ଧର୍ମ ପ୍ରଚାର କରିଥିବାର ପ୍ରମାଣ ମିଳୁଅଛି । କାମଦେବଙ୍କ ପଞ୍ଚବାଣ ମଧ୍ୟରୁ କଦମ୍ବଫୁଲ ଗୋଟିଏ ବାଣ ଓ କୃଷ୍ଣ କଦମ୍ବ-ମୂଳରେ ବଂଶୀ ବଜାଇ କେଳି କରୁଥିଲେ । ଗୀତାରେ ଶରୀରକୁ ଉଲଟ ଅଶ୍ୱତ୍‌ଥ ବୃକ୍ଷ ରୂପରେ କହିବାର ଅର୍ଥ ଭିନ୍ନ ଅଟେ । ଫୁଲ ନ ଥାଇ ଅଶ୍ୱତ୍‌ଥ ଗଛର ଫଳ ହେଉଥିବାରୁ ସନ୍ତାନ-ଉତ୍ପତ୍ତିର କାଳ ଅପେକ୍ଷା ନ କରି ନରନାରୀଙ୍କର ସହବାସରେ ସନ୍ତାନ ଜାତ ହୋଇପାରେ ବୋଲି ଶିକ୍ଷା ଦେଉଅଛି । କିନ୍ତୁ ଗାତ୍ର ରୋମାଞ୍ଚିତ ହେଲେ ପ୍ରେମୋଦ୍ରେକ ସୂଚିତ ହୁଏ ବୋଲି କଦମ୍ୱ ଫୁଲ କାମଦେବଙ୍କର ଗୋଟିଏ ବାଣ ବୋଲି କୁହାଯାଇଛି ।

 

ଦୀର୍ଘତମା ନିଜ ରଚିତ ସୂକ୍ତରେ କହିଅଛନ୍ତି ଯେ ଗୋଟିଏ ବୃକ୍ଷରେ ଯୋଡ଼ିଏ ପକ୍ଷୀ ବାସ କରନ୍ତି । ଗୋଟିଏ ଫଳ ଖାଉଥାଏ, ଅନ୍ୟଟି ଦେଖୁଥାଏ । ଶରୀରଠାରୁ ପୃଥକ୍ ହୋଇ ଅନ୍ୟ ଶକ୍ତି ସୃଷ୍ଟି କରିଥିବାର କେହି ଜାଣନ୍ତି ନାହିଁ । ସୃଷ୍ଟିର ଆଦ୍ୟରେ ଅନ୍ଧକାର ଥିଲା । ଅନ୍ଧକାର ମଧ୍ୟରେ ପ୍ରେମ ଥିଲା । ପ୍ରେମରୁ ସୃଷ୍ଟିର ଉତ୍ପତ୍ତି ଘଟିଲା । ମନୁଷ୍ୟଠାରେ ମଧ୍ୟ ଏହି ଦୁଇ ଶକ୍ତି ଥିବାର ଉପଲବ୍‌ଧି କରାଯାଏ— ଗୋଟିଏ ବିବେକ ଓ ଅନ୍ୟଟି ଇନ୍ଦ୍ରିୟାସକ୍ତି ଜ୍ଞାନ । ଏଣୁ ଶରୀର ମଧ୍ୟରେ ଜୀବାତ୍ମା ଓ ପରମାତ୍ମାଙ୍କର ଅଂଶୃ ବା ସାକ୍ଷୀ ଚୈତନ୍ୟର ଅସ୍ତିତ୍ୱ ସ୍ୱୀକାର କରାଯାଏ । କିନ୍ତୁ ସାକ୍ଷୀ ଚୈତନ୍ୟ ଫଳ ଭୋଗ ନ କରିବାରୁ ଜୀବାତ୍ମା ଇନ୍ଦ୍ରିୟ ଭୋଗପାଇଁ ସମାଜରେ ଅନୀତି ଆଚରଣ କରିପାରେ, ଫଳରେ ସେ ଦୁଃଖ ଭୋଗ କରିବ । ଯଦି ଜୀବାତ୍ମା ସାକ୍ଷୀ-ଚୈତନ୍ୟ ସଙ୍ଗେ ମିଶି ଅର୍ଥାତ୍ ବିବେକ ବାଣୀ ଅନୁସାରେ କାର୍ଯ୍ୟ କରେ, ତେବେ ସେ ଦୁଃଖରୁ ଅବ୍ୟାହିତ ପାଇବ । ଏଥିରୁ ନାନା ତର୍କ ଜାତ ହେବାରୁ ଶୂନ୍ୟବାଦ ପ୍ରଚଳିତ ହୋଇଥିଲା । ଏହି ଶୂନ୍ୟବାଦ ନାଗଧର୍ମ ପ୍ରଚଳିତ କରାଇଥିଲା ବୋଲି ମୁଦ୍ରାରାକ୍ଷସ-ନାଟକରୁ, ବୌଦ୍ଧ-ସାହିତ୍ୟରୁ ଏବଂ ଓଡ଼ିଆ ‘ଉଷାଭିଳାଷ’ କାବ୍ୟରୁ ପ୍ରମାଣିତ ହୁଏ । ଏଣୁ କେବଳ ଶୂନ୍ୟରୁ ଲକ୍ଷ୍ୟ ରଖି ନିଷ୍କାମ କର୍ମ କରାଯାଏ । କିନ୍ତୁ ବ୍ରାହ୍ମଣମାନଙ୍କ ମତରେ ଜୀବ-ଶରୀରର ବାହାରରେ ଆଉ ଗୋଟିଏ ପରଂବ୍ରହ୍ମ ଅଛନ୍ତି । ତାହା ଯଶୋବନ୍ତଙ୍କ ମତ ଅନୁସାରେ ମହାଶୂନ୍ୟରେ ଶବ୍ଦଯୁକ୍ତ ଜ୍ୟୋତି ଅଟେ । ସେ ଜ୍ୟୋତିର ଉପରେ ଅଗ୍ନି ଓ ତହିଁ ଉପରେ ହିମବିନ୍ଦୁ ଅଛି । ଯୋଗମାୟା (କରାୟୁ) କୃତାଞ୍ଜଳି ହୋଇ ଧ୍ୟାନ କରିବାରୁ ତହିଁରୁ ମହାରସ ଝରି ଯୋଗମାୟାରେ ଅଞ୍ଜଳିରେ ପଡ଼ିବାରୁ ସେ ଅଞ୍ଜଳିରେ ଧରି ତାହାକୁ ଗ୍ରାସ କରି ଗର୍ଭଧାରଣ କଲେ । ଗର୍ଭରେ ଅଣ୍ଡ ଥିବାବେଳେ ହାତରେ ଚିପି ଦେଇଥିବାରୁ ତାହା ଦୁଇ ଭାଗର ଚିହ୍ନସ୍ୱରୂପ ଗୋଟିଏ ପ୍ରାଣହୀନ ବାଳକ ଜନ୍ମିଲା । ଦଶାକ୍ଷର-ମନ୍ତ୍ରରେ ଜୀବନ୍ୟାସ ହେବାଉତ୍ତାରୁ ତାହା ଯୁଗଳ ବାଳକ-ବାଳିକା ହୋଇ ରହିଲେ । ମହାରସ ଅଞ୍ଜଳିରେ ପଡ଼ିଥିବାର କହିବାରେ ପାତଞ୍ଜଳିଙ୍କ ମତ ବୋଲି ସୂଚନା ମିଳୁଅଛି । ତେଣୁ ଶବ୍ଦ ଓ ପରଂବ୍ରହ୍ମ ଏକତ୍ର ଥିଲେ ବୋଲି ସେ କହିଅଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦ ଅନୁସାରେ ବ୍ରହ୍ମଙ୍କଠାରୁ ମାୟା ଓ ଅବିଦ୍ୟା ପ୍ରସରି ଏ ସୃଷ୍ଟିର ଉତ୍ପତ୍ତି ଘଟିଅଛି । ଏଣୁ ଅନୁମାନ କରାଯାଏ ଯେ ଯଶୋବନ୍ତ ଦାସ ଜଣେ ପ୍ରଧାନ ଦାର୍ଶନିକ ଥଲେ ।

 

ଦୀର୍ଘତମାଙ୍କ ମତ ଅନୁସାରେ ଯେଉଁ କୃଷ୍ଣ-ଧର୍ମ ପ୍ରଚାରିତ ହୋଇଥିଲା, ତହିଁରେ କୌଣସି ପ୍ରକାରର ଗଭୀର ଦାର୍ଶନିକ ତତ୍ତ୍ୱ ନ ଥିଲା । ନୃତ୍ୟ-ଗୀତଦ୍ୱାରା ବାଳକବାଳିକାଙ୍କ ମଧ୍ୟରେ ପରସ୍ପର ଅନୁରାଗ ଜାତି କରାଇବା ସେକାଳର କିଶୋର-ଧର୍ମର ପ୍ରଧାନ ଲକ୍ଷ୍ୟ ଥିଲା । ଦ୍ଵାରକାଦାସଙ୍କ ଉଲଟ କଦମ୍ବ ବୃକ୍ଷ ଉକ୍ତ ଧର୍ମର ସୂଚନା ଦେଉଅଛି ।

ନନ୍ଦଦାସ

ଏ ‘ଅଣାକାର-ସଂହିତା’ ଲେଖିଅଛନ୍ତି । ‘ବୈଚନ୍ଦ୍ରଗୀତା’ରେ ଦେବାନନ୍ଦ ଦାସଙ୍କ ନାମର ଭଣତି ଅଛି । କିନ୍ତୁ ନନ୍ଦଦାସ ଅଣାକାର-ସଂହିତାର ଭଣତିରେ ଲେଖିଅଛନ୍ତି:-

 

‘‘ଆଦ୍ୟ ବେନି ଅକ୍ଷର ରଖିଲି । ପ୍ରାନ୍ତ ବେନି ଅକ୍ଷର ଭଣିଲି ।।’’

 

ଏଥିରୁ ଅନୁମିତ ହୁଏ ସେ ବୈଚନ୍ଦ୍ରଗୀତାର ‘ଦେବାନନ୍ଦ’ ନାମରୁ ‘ଦେବା’ ଅକ୍ଷର ଯୋଡିକ କାଟି କେବଳ ‘ନନ୍ଦ’ ଅକ୍ଷର ଯୋଡିକ ନିଜ ନାମରେ ସେ ରଖିଥିଲେ । କାରଣ ଦେବାନନ୍ଦ ନାମ ହେଲେ ସେ ଦେବଦେବୀଙ୍କ ଭକ୍ତ ଥିଲେ ବୋଲି ବୁଝାଯିବ । ‘ଅଣାକାର-ସଂହିତା’ରେ ସେ ଦେବଦେବୀ ମାନି ନାହାନ୍ତି । ମସ୍ତକକୁ ମହାଶୂନ୍ୟ, ଚକ୍ଷୁକୁ ଆକାଶ ଓ ଏହିପରି ଶରୀରର ଅନ୍ୟାନ୍ୟ ସ୍ଥାନକୁ ନିର୍ଦ୍ଦେଶ କରିଅଛନ୍ତି । ଦର୍ଶନ-ଶାସ୍ତ୍ର ଅନୁସାରେ କାନକୁ ଆକାଶ ଓ ଚକ୍ଷୁକୁ ଜ୍ୟୋତି ବା ଚନ୍ଦ୍ର ସୂର୍ଯ୍ୟ କୁହାଯାଇପାରିଥାନ୍ତା; କିନ୍ତୁ ସର୍ବବସ୍ତୁକୁ ବୌଦ୍ଧମତ ଅନୁସାରେ ଶୂନ୍ୟରୂପରେ ଉପଲବ୍ଧି କରିବାପାଇଁ ସେ ରୂପ ଅନୁଭବ କରିବା ଇନ୍ଦ୍ରିୟକୁ ଆକାଶରୂପରେ ନିର୍ଦ୍ଦେଶ କଲେ । ଆହୁରି ମଧ୍ୟ ଅଣାକାର-ସଂହିତାରେ ସେ ଲେଖିଅଛନ୍ତି:-

 

‘‘ତପ ଯଜ୍ଞାଦି ଦାନ ଯେତେ । କେବେହେଁ ନ ଘେନଇ ଚିତ୍ତେ ।।

ଆପଣା ଦିଅଁ ନ ପୂଜଇ । ଚଣ୍ଡୀ-ଚାମୁଣ୍ଡା ନ ମାନଇ ।।

 

ନାମ ଭଜନେ ମନ ଦେଇ । ସଦା ସର୍ବଦା ଭ୍ରମୁ ଥାଇ ।।

ଆତ୍ମାରେ ଆତ୍ମା ନିବେଦନ । ବସି ଚିନ୍ତଇ ଅନୁକ୍ଷଣ ।।’’

 

ବୌଦ୍ଧଧର୍ମ ଅନୁସାରେ ନାମ ଓ ରୂପ ଉଭୟ ମିଥ୍ୟା ଅଟେ । ବସ୍ତୁର ଯଦି ରୂପ ନାହିଁ, ତେବେ ତାହାର ନାମ ଆସିବ କାହୁଁ ? ପୁଣି ବୌଦ୍ଧମାନେ ଆତ୍ମାର ଅସ୍ତିତ୍ୱ ମାନନ୍ତି ନାହିଁ । ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦ ଅନୁସାରେ ବସ୍ତୁ କ୍ଷଣିକ ଅଟେ-ଶୂନ୍ୟ ନୁହେ । ଅଦ୍ୱୈତବାଦରେ ତପୋଯଜ୍ଞର ଉପାଦେୟତା ଶଙ୍କରାଚାର୍ଯ୍ୟ ମଧ୍ୟ ପ୍ରତିପାଦନ କରିଅଛନ୍ତି । ସିଂହଳର ରାଜପୁତ୍ରକୁ ବିବାହ କରିଥିବା ଉଡ଼୍‌ଡୀୟାନ ରାଜା ଇନ୍ଦ୍ରଭୂତିଙ୍କ କନ୍ୟା ଦେବଦେବୀ ମାନି ନ ଥିବାର ବକ୍ରଯାନତନ୍ତ୍ରରେ ଲେଖିଅଛନ୍ତି । ଏହାଙ୍କର ଆବିର୍ଭାବକାଳ ଜଣାଯାଇ ନାହିଁ । ଅଚ୍ୟୁତାନନ୍ଦ, ଦ୍ଵାରକା, ଜନାର୍ଦ୍ଦନ ପ୍ରଭୃତିଙ୍କ ଆବିର୍ଭାବକାଳ ଅଣାକାର-ସଂହିତାରେ ଉଲ୍ଲେଖ କରାଯାଇଥିବାରୁ ନନ୍ଦଦାସ ସପ୍ତଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ନୁହନ୍ତି ବୋଲି କହିବାକୁ ହେବ ।

ରତ୍ନାକର

ଏହାଙ୍କ ଜନ୍ମସ୍ଥାନ ସମ୍ବଲପୁର ଓ ସେ ଜାତିରେ ଭୁଲିଆ ଥିଲେ । ରତ୍ନାକର ‘ସାରସ୍ୱତି ଗୀତା’ ରଚନା କରିଥିଲେ । ତହିଁରେ ସେ ଆତ୍ମ-ପରିଚୟ ଦେଇଅଛନ୍ତି:-

‘‘ମୁଁ ଛାର ଜାତିରେ ଭୁଲିଆ । ବଚନ ବାକ୍ୟ ମୋ ଗୋଳିଆ ।’’

X            X            X            X

ସମଲେଶ୍ୱରୀ ମୋ ରାଜ୍ୟକୁ ନ ଯିବୁ ବୋଇଲେ ।’’

କବି ନୀଚ ଶ୍ରେଣୀର ଲୋକ ବୋଲି ତାହାଙ୍କର ଭାଷା ଅମାର୍ଜିତ ଅଟେ-ଏକଥା ସେ କହୁଅଛନ୍ତି । କିନ୍ତୁ ତାଙ୍କ ଭାଷାରେ କୌଣସି ଦୋଷ ଲକ୍ଷିତ ହୁଏ ନାହିଁ । ସେ ଲେଖିଅଛନ୍ତି:-

‘‘ମନପବନକୁ ବଳଦ କରିଣ, ସତ୍ୟକୁ କରି ଲଙ୍ଗଳ,

ଯୋଚା ଦଉଡ଼ା ଯେ ଦୟା କ୍ଷମା କରି ସୂତ୍ରକୁ କରିବୁ ଫାଳ ।

ଆନନ୍ଦକୁ ଈଶ ଶାନ୍ତକି ଲଙ୍ଗଳ ଧର୍ମକୁ ଯୁଆଳି କରି

X            X            X            X

ତେଣ୍ଡୁଥିଲେ ନୀର ବହୁଥାଏ ଧାର ମନ ନ କରି ଅଳସ,

ମାନସରୋବରୁ ପାଣି ଶୁଖିଗଲେ ଉଡ଼ିଯିବ ରାଜହଂସ ।’’

ଏ ଭାଷା ମାର୍ଜିତ ନୁହେ ବୋଲି କହିବାର କୌଣସି କାରଣ ନାହିଁ । ମନକୁ ସ୍ଥିର ରଖି ସତ୍ୟ ଦୟା, କ୍ଷମାସୂତ୍ର ଅର୍ଥାତ୍ ସତ୍ତ୍ୱଗୁଣ, ଆନନ୍ଦ, ଶାନ୍ତ ଓ ଧର୍ମକୁ ଅବଲମ୍ବନ କରି ଗୃହୀ ହେଲେ ଶରୀରର ଶକ୍ତି କ୍ଷୟ ହୁଏ ନାହଁ । ଶକ୍ତିର କ୍ଷୟ ଘଟିଲେ ମୁତ୍ୟୁ ଅନିବାର୍ଯ୍ୟ ଅଟେ । ଏ ମତ ବୋଧ ହୁଏ ଢେଙ୍କାନାଳର ମହିମା- ଧର୍ମାବଲମ୍ବୀଙ୍କର । ଦୁଃଖର କଥା-କବିଙ୍କ ଆବିର୍ଭାବକାଳ ସମ୍ବନ୍ଧରେ କିଛି ଜଣାଯାଏ ନାହିଁ ।

ନାଥିଆ

‘‘ଜ୍ଞନୋଦୟ-କୋଇଲି’’ରେ ଏହାଙ୍କ ନାମର ଭଣତି ଦେଖାଯାଏ:-

 

‘‘ଛାଡ଼ ନା ଏବେ ଭଗତି ବାଟ । ଛାର ନାଥିଆ ତ୍ରିଲୋଚନ-ଚାଟ ।।’’

 

ଦାର୍ଢ୍ୟତା-ଭକ୍ତି ନାମକ ପୁସ୍ତକରେ ତିଳିଛ ମହାପାତ୍ର ନାମକ ଜଣେ ଭକ୍ତର ବିବରଣ ଅଛି-। ତ୍ରିଲୋଚନ ନାମକୁ ଯଦି ଡାକ- ନାମ ତିଳିଛ ରୂପରେ ଲେଖାଯାଇଥାଏ, ତେବେ ତ୍ରିଲୋଚନ ଓ ନାଥିଆ ଶୈବ ଯୋଗୀ ଥିଲେ ବୋଲି ଅନୁମାନ କରିବାକୁ ହେବ । ସେ ତାଙ୍କ ‘କୋଇଲି’ରେ ନିମ୍ନୋଦ୍ଧୃତ ପ୍ରକାରରେ କେବଳ ଯୋଗତତ୍ତ୍ୱ ବର୍ଣ୍ଣନା କରିଅଛନ୍ତି:-

 

‘‘କୋଇଲି, କାଳିନ୍ଦୀ-ଶିଖରେ ଯାଇ କମଳ ଫୁଟି ଅଛଇ,

କମଳ-ମଧ୍ୟେ ତ୍ରିବେଣୀ କରଇ ହଂସ ଶୂନ୍ୟ ଭ୍ରମଣି ଲୋ,

କୋଇଲି ଶୁଣ ଲୋ ।’’

 

ମସ୍ତକରେ ସ୍ନାୟୁ-କେନ୍ଦ୍ର ଅଛି । ସେଠାରୁ ସଂବେଦନ-ତନ୍ତୁ (Sensory Nerve) ଓ ସଞ୍ଚାଳନ-ତନ୍ତୁ (Motor Nerve) ପ୍ରଭୃତି ଉତ୍ପନ୍ନ ହୋଇ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସହିତ ସଂଶ୍ଳିଷ୍ଟ ହୋଇଅଛି । ଲିଙ୍ଗ-ମୂଳରୁ ଇଳା, ପିଙ୍ଗଳା ଓ ସୁଷୁମ୍ନା ନାମରେ ତିନୋଟି ସ୍ନାୟୁ ମଧ୍ୟ ସ୍ନାୟୁ-କେନ୍ଦ୍ରରେ ଏକସ୍ଥାନରେ ସଂଯୁକ୍ତ ହୋଇଅଛି । ଏହି ତନୋଟି ସ୍ନାୟୁରୁ ଗଙ୍ଗା, ଯମୁନା ଓ ସରସ୍ୱତୀ କହନ୍ତି । ସ୍ନାୟୁ-କେନ୍ଦ୍ରକୁ କମଳ ବା ପଦ କହନ୍ତି । ମନୁଷ୍ୟର ଅନୁଭୂତି, ବିଚାର ଓ ସ୍ମୃତି ପ୍ରଭୃତିର ସମାବେଶ ଏହି ସ୍ନାୟୁକେନ୍ଦ୍ରରୁ ଜାତ ହୁଏ । ଅରୁଭୂତି ବିଚାର ଓ ସ୍ମୃତିର ସମନ୍ୱୟକୁ ଜ୍ଞାନ କହନ୍ତି । ହଂସ ଏହି ଜ୍ଞାନର ପ୍ରତୀକ ରୂପରେ ବ୍ୟବହୃତ ହୁଏ । ହଂସର ବର୍ଣ୍ଣ ଶୁକ୍ଳ ଅଟେ ଓ ଜ୍ଞାନକୁ ଆଲୋକ ସଙ୍ଗେ ତୁଳନା କରନ୍ତି । ଏହି ‘କୋଇଲି’ରେ ଜ୍ଞାନକୁ କୃଷ୍ଣରୂପରେ ଧ୍ୟାନ କରାଯାଇ ନାହିଁ-। ଏଣୁ ଏହା ଶୈବ ବା ନାଥ ଯୋଗୀଙ୍କର ମତ ପରି ପ୍ରତୀୟମାନ ହୁଏ । କବିଙ୍କର ଆବିର୍ଭାବକାଳ ଜଣାଯାଏ ନାହିଁ ।

ଦିବାକରଦାସ

ଏ ଭାଗବତ-ରଚୟିତା ଜଗନ୍ନାଥଦାସଙ୍କର ଶିଷ୍ୟ ଥିଲେ । ଏଣୁ ଏହାଙ୍କର ଆବିର୍ଭାବକାଳ ଷୋଡ଼ଶ ଶତାବ୍ଦୀର ପରବର୍ତ୍ତୀ ନୁହେ । ଏହାଙ୍କର ପିତାଙ୍କର ନାମ ନିମାଇଁ ଓ ମାତାଙ୍କର ନାମ ଚମ୍ପା ଅଟେ I ଦିବାକରଦାସଙ୍କ ରଚିତ ପୁସ୍ତକର ନାମ ‘ଜଗନ୍ନାଥ-ଚରିତାମୃତ’ ବୋଲି ଏପର୍ଯ୍ୟନ୍ତ ମୋର ଧାରଣା ଥିଲା । କିନ୍ତୁ ଅଧ୍ୟାପକ ଶ୍ରୀଧର ଦାସ ଯେଉଁ ହାତଲେଖା ପୋଥିର ନକଲ ରଖି ଅଛନ୍ତି ତହିଁର ପ୍ରତ୍ୟେକ ଅଧ୍ୟାୟ ଶେଷରେ ପୁସ୍ତକର ନାମ ‘ଜଗନ୍ନାଥମୃତ’ ବୋଲି ଲେଖା ହୋଇଅଛି । ଏଥିରେ ତାହାଙ୍କ ଗୁରୁ ଜଗନ୍ନାଥଦାସଙ୍କ ତତ୍ତ୍ୱ ସନ୍ନିବେଶ କରିବା ସଙ୍ଗେ ସଙ୍ଗେ ଲେଖକ ଜଗନ୍ନାଥ ମହାପ୍ରଭୁଙ୍କର ତତ୍ତ୍ୱ ସନ୍ନିବେଶ କରିଅଛନ୍ତି । ଏଣୁ ଏହାର ନାମ ‘ଜଗନ୍ନାଥାମୃତ’ ଅଟେ । ଏଥିରେ ସେ ଲେଖିଅଛନ୍ତି ଯେ ଚୈତନ୍ୟଦେବ ଜଗନ୍ନାଥଙ୍କ ମନ୍ଦିରର ବେଢ଼ା ମଧ୍ୟରେ ମନ୍ଦିର ପ୍ରଦକ୍ଷିଣ କଲାବେଳକୁ ଜଗନ୍ନାଥଦାସ ବଟବୃକ୍ଷ-ମୂଳରେ ଭାଗବତ-ଚର୍ଚ୍ଚା କରୁଥଲେ । ଏଥିରୁ ଜଣାଯାଏ ଯେ ଜଗନ୍ନାଥଦାସ ସନକ- ସମ୍ପ୍ରଦାୟୀ ଅଟନ୍ତି ।

ଗୋବିନ୍ଦଭଞ୍ଜ

ଏ ‘ଚରଣସୁଧାନିଧି’ ଓ ‘ରାମଗୀତା’ ରଚନା କରିଅଛନ୍ତି । ଏଥିରେ ସେ ଲେଖିଅଛନ୍ତି:-

 

‘‘ତ୍ରିଲୋଚନ ଦେବ ନୃପତି-କୁମର । ଭୃତ୍ୟର ଭୃତ୍ୟ ଗୋବିନ୍ଦାଇ ତୋହର ।।’’

କେନ୍ଦୁଝର ଛଡ଼ା ଅନ୍ୟ କୌଣସି ରାଜବଂଶାବଳୀରେ ତ୍ରିଲୋଚନଭଞ୍ଜଙ୍କର ଗୋବିନ୍ଦଭଞ୍ଜ ନାମରେ ପୁତ୍ର ଥିବାର ଜଣାଯାଏ ନାହିଁ । ଏହି ଗୋବିନ୍ଦଭଞ୍ଜଙ୍କ ଉତ୍ତାରୁ ତେର ପୁରୁଷ କେନ୍ଦୁଝରର ରାଜସିଂହାସନ ଅଳଂକୃତ କରିସାରିଲେଣି । ଏଣୁ ସେ ଷୋଡ଼ଣ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଜୀବିତ ଥିଲେ ବୋଲି ଅନୁମାନ କରାଯାଏ । ଏ ନିଜ ପୁସ୍ତକରେ ଲେଖିଅଛନ୍ତି:-

‘‘ଚୈତନ୍ୟାବତାରେ ପ୍ରେମଭକ୍ତି ଦେଇ । ଗୌରହରି ରୂପ ଭକତେ ଦେଖାଇ ।।

X                  X                  X

ଯେଉଁ ଉପଦେଶ ଦେଲଇଁ ତୋରେ । ହୃଦଗେ ରଖି ଲଭିବୁ ମୋରେ ।।

ଅଜପା ଧ୍ୟାୟିବୁ ଯେବେ ହୋ ରାଜନ । ଆତ୍ମା ସଙ୍ଗେ ଭେଟ ହୋଇବାକ ପୁଣ ।।

ଅମପା ମାପିବୁ ଶୁଣ ତାର ବୃଦ୍ଧି । ହସ୍ତ ଦୁଇ ନେଇ ରଖ ଦୁଇ ସନ୍ଧି ।।

ନାସିକା-ପବନ ଊର୍ଦ୍ଧ୍ୱଗତେ କରି । ମନ-ନୟନକୁ ଦୃଢ଼ରୂପେ ଧରି ।।’’

 

ଗୋବିନ୍ଦଭଞ୍ଜଙ୍କ ଉକ୍ତିରୁ ଜଣାଯାଏ ଯେ ଚୈତନ୍ୟଦେବ ନିଜେ ଗୋବିନ୍ଦଭଞ୍ଜଙ୍କୁ ମନ୍ତ୍ରଉପଦେଶ ଦେଇ ଧ୍ୟାନର ବିଧି ଶିଖାଇଥିଲେ । ନାସିକା-ପବନ ଊର୍ଦ୍ଧ୍ୱଗତ କରି ଧ୍ୟାନ କରିବାପାଇଁ ଯଦି ଚୈତନ୍ୟଦେବ ଉପଦେଶ ଦେଇଥାନ୍ତି, ତେବେ ସେ କେବଳ ନାମ-ଭଜନର ପ୍ରତିଷ୍ଠାତା ବୋଲି କହିବା ଭ୍ରମାତ୍ମକ ଅଟେ । ଚୈତନ୍ୟଙ୍କଠାରେ ସାମ୍ପ୍ରଦାୟିକତା ନ ଥିଲା ବୋଲି କହିଲେ ସମୀଚୀନ ହେବ । ସେ ଯେଉଁ ପଥରେ ଈଶ୍ୱରଙ୍କୁ ଉକ୍ତି କରୁଥିଲା, ତାହାର ସେହି ପଥକୁ ସେ ସମର୍ଥନ କରୁଥିଲେ । ସେପରି ନୋହିଥିଲେ ସେ ଲୋକପ୍ରିୟ ହୋଇ ନ ଥାନ୍ତେ ।

ଚନ୍ଦ୍ରମଣିଦାସ

ଏ ‘ସୁଧାସାଗର-ଗୀତା’ ରଚନା କରିଥିଲେ । ଏଥିରେ ବିନ୍ଦୁକୁ ପରଂବ୍ରହ୍ମ, ଶରୀରକୁ ଉଲଟଗଛ, ଚେତାକୁ କଟୁଆଳ, ମସ୍ତକରେ ଜୀବପରମଙ୍କର ସଭା ଏବଂ ସତ୍ତ୍ୱ, ରଜ ଓ ତମ ତିନି ଗୁଣକୁ ତିନି ଦିହୁଡ଼ିରୂପରେ ନିର୍ଦ୍ଦେଶ କରିଅଛନ୍ତି । ଏ ଜାତିରେ ବ୍ରାହ୍ମଣ ଥିଲେ । ଗୋବିନ୍ଦଚନ୍ଦ୍ର, ଗୋରଖ ଓ ହାଡ଼ିପାଙ୍କ ନାମ ମଧ୍ୟ ‘ସୁଧାସାଗର-ଗୀତା’ରେ ଉଲ୍ଲିଖିତ ହୋଇଅଛି । ଏଣୁ ଏ ସହଜିଆ ବୈଷ୍ଣବ ଥିଲେ ବୋଲି ଅନୁମାନ କରିବାକୁ ହୁଏ ।

 

ବୈଦିକ ଯୁଗରେ ଅଶ୍ୱତ୍‌ଥ-ବୃକ୍ଷମୂଳରେ ବାସ କରୁଥିବା ସିଦ୍ଧପୁରୁଷଙ୍କୁ ବିଷ୍ଣୁ କହୁଥିଲେ । ଏହି ସିଦ୍ଧପୁରୁଷମାନେ ସୋମରସ ପାନ କରୁଥିଲେ, ଗାରଡ଼ି ବିଦ୍ୟା ଜାଣିଥିଲେ ଓ ଯେଉଁମାନେ ସମାଜର ଉପକାର କରୁଥିଲେ, ସେମାନଙ୍କର ପୃଷ୍ଠପୋଷକ ହେଉଥିଲେ ଏବଂ ବ୍ରାହ୍ମଣମାନଙ୍କୁ ସମାଦର କରୁଥିଲେ । କିନ୍ତୁ ସହଜିଆମାନେ ବୌଦ୍ଧଧର୍ମର ପ୍ରଭାବରେ ଦେବତା-ବ୍ରାହ୍ମଣ ମାନନ୍ତି ନାହିଁ । ସେଥିପାଇଁ ବୌଦ୍ଧଗାନ ଓ ଦୋହାରେ ସହଜିଆମାନେ କହିଅଛନ୍ତି:-

 

‘‘ଷଡ଼ଦର୍ଶନେଷୁ ଯତ୍ତତ୍ୱଂ ନ ଜାନନ୍ତି ତଦାଶ୍ରିତାଃ ।

ଜାତିବାଦାଦିମାଶ୍ରିତ୍ୟ ବ୍ରାହ୍ମଣାଦି ନିରର୍ଥକାଃ ।।’’

 

ଏହି ମତାବଲମ୍ବୀ ବୈଷ୍ଣବମାନଙ୍କ ମଧ୍ୟରୁ ଯେଉଁମାନେ ପରବର୍ତ୍ତୀ କାଳରେ ଗୃହସ୍ଥାଶ୍ରମ କରି ବାସକଲେ, ସେମାନେ ‘ନାଥ ସମ୍ପ୍ରଦାୟ’ ବୋଲି ଅଭିହିତ ହେଲେ ।

ଶିଖରଦାସ

ଏ ଜଗନ୍ନାଥଙ୍କ ମହିମା ଘେନି ‘ନୀଳସୁନ୍ଦର-ଗୀତା’ ରଚନା କରିଥିଲେ । ତହିଁରୁ ନିମ୍ନୋଦ୍ଧୃତ ଅଂଶରେ କିଂବଦନ୍ତୀ ଅଛି:-

 

‘‘ସୋମବଂଶୀ ରାଜା ଚନ୍ଦ୍ରଶେଖର ଯେ, କର ହଣାଇବେ ହସ୍ତେ ।

ପଞ୍ଚ ଅଙ୍ଗୁଳିମାଳ ରମ୍ୟ ଧଣ୍ଡା ଯେ, ପ୍ରସିଦ୍ଧ ହେବ ଜଗତେ ।।

 

ସୁବର୍ଣ୍ଣକେଶରୀ ମଞ୍ଚେ ଅବତରି, ଭୁବନେଶ୍ୱରକୁ ଯିବ ।

ସୋମବଂଶୀ ରାଜା ଭୋଜ ନୃପବର, ବିରଜାଈକି ସେବିବ ।।

 

ଗଙ୍ଗାବଂଶୀ ରାକା ପ୍ରତାପଭାନୁ ଯେ, କୋଣାରକେ ଅଚ୍ଛାଦିବ ।

ଆଦ୍ୟହୁଁ ଇନ୍ଦ୍ରଦ୍ୟୁମ୍ନ ଚକ୍ରବର୍ତ୍ତୀ, ମୋତେ ସେବା କରିଥିବା ।।

 

କପିଳେନ୍ଦ୍ର ରାଜା ଅବତାର ହେବେ, ନିକ୍ଷତ୍ରୀ କରିବେ ମାରି ।।

ଗଉଡ଼ ମାରି ବହୁଦୂର ତଡ଼ିଦେବେ, ନାହିଁ ତାଙ୍କୁ କେହି ସରି ।।

 

କଳାସିଂହ ଭୟେ ଛାଡ଼ି କରିଯିବେ, ଖୋରଧାରେ କରି ସ୍ଥିତି ।

ପଞ୍ଚପାଟ ତହୁଁ ବିଶେଷ ଶଙ୍କୁ ନରୀନ୍ଦ୍ରଦେବ ନୃପତି ।।

 

ସୋମରସ ଆବିଷ୍କାର କରି ପାନକରୁଥିବା ବେଦର ଅଶ୍ୱିନମାନେ ବୋଧ ହୁଏ ସୋମବଂଶୀ ଚନ୍ଦ୍ରଶେଖର ଅଟନ୍ତି । ସେମାନେ ଶାକ୍ୟ ଥିଲେ । ଏମାନେ ପଞ୍ଚସ୍ୱନ୍ଧ-ତତ୍ତ୍ୱ ପ୍ରଚାର କରିଥିବାରୁ ଏମାନଙ୍କୁ ବୋଧ ହୁଏ ଚନ୍ଦ୍ରଶେଖର କୁହାଯାଇଅଛି । ପଞ୍ଚସ୍କନ୍ଧ ମତ ଉତ୍ତାରୁ ମରୀଚି-ମତ ବା ସୂତ୍ରାତ୍ମା ମତ ପ୍ରଚାରିତ ହେଲା । ଏହାକୁ ଧଣ୍ଡାମାଳ ବୋଲି ଅନୁମାନ କରିବାକୁ ହେବ । ସୂବର୍ଣ୍ଣ ପର୍ବତରେ ଥିବା ଯେଉଁ କେଶରୀର ସ୍ତ୍ରୀ ଅଞ୍ଜନା-ଗର୍ଭରୁ ମରୁତର ଔରସରେ ହନୁମାନ ଜନ୍ମଗ୍ରହଣ କରିଥିଲେ, ସେହି ସୁବର୍ଣ୍ଣକେଶରୀଙ୍କ କଥା ବୋଧ ହୁଏ ମାଦଳାପାଞ୍ଜିରେ ଉଲ୍ଲିଖିତ ଅଛି-। ଭୁବନେଶ୍ୱରକୁ ସ୍ୱର୍ଣ୍ଣାଦ୍ରି, କହୁଥିବାରୁ ଓ ତାହା ପ୍ରାଚୀନକାଳରେ ଅଙ୍ଗଦ ରାଜ୍ୟର ଅନ୍ତର୍ଭୁକ୍ତଥିବାର ପ୍ରମାଣ ମିଳୁଥିବାରୁ ସୁବର୍ଣ୍ଣକେଶରୀ ଭୁବନେଶ୍ୱରରେ ଥିବା ସମ୍ଭବପର ଅଟେ ।

 

ଭୋଜରାଜାମାନେ ଓଡ଼ିଶାରେ ରାଜତ୍ୱ କରୁଥିଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲିଖିତ ଅଛି । ଏମାନେ ସାତ୍ତ୍ୱତ ଥିଲେ ଓ ଶକ୍ତି-ଉପାସକ ଥିଲେ । ଏଣୁ ତା’ଙ୍କ ରାଜତ୍ୱ-କାଳରୁ ପୁରୀରେ ବିମଳାପୂଜା ପ୍ରବର୍ତ୍ତିତ ହେବଣି । ଗଙ୍ଗବଂଶର ପ୍ରତାପଭାନୁ ଗଙ୍ଗ ତାମ୍ରଶାସନ-ପତ୍ରର ଯେଉଁ ଭାନୁଦେବ କୋଣାର୍କ ମନ୍ଦିରର ଭିର୍ତ୍ତି ସ୍ଥାପନ କରିଥିଲେ, ତାଙ୍କ ସଙ୍ଗେ ଚିହ୍ନିତ ହୋଇପାରନ୍ତି । ଜଗନ୍ନାଥଙ୍କୁ ପ୍ରଥମେ ଜୈନ ମହାବୀରଙ୍କ ଶିଷ୍ୟ ଇନ୍ଦ୍ରଭୂତି ପୂଜା କରୁଥିଲେ । କପିଳେନ୍ଦ୍ର ଦେବଙ୍କ ଉତ୍ତାରୁ କଳାପାହାଡ଼ ଭୟରେ ମୁକୁନ୍ଦଦେବ କଟକରୁ ଯାଇ ଖୋର୍ଦ୍ଧାରେ ବାସକଲେ । କଳାପାହାଡ଼କୁ କଳାସିଂହ ନାମରେ ଅଭିହିତ କରାଯାଇଅଛି । ତତ୍ପରେ ପାଞ୍ଚପୁରୁଷ ଉତ୍ତାରେ କବି ଜୀବିତ ଥିଲେ । ତାହାହେଲେ ସେ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଜୀବିତ ଥିଲେ ।

 

 

 

 

ଦ୍ୱିତୀୟ ରାମଦାସ

ଏ ‘ଦାର୍ଢ଼୍ୟତାଭକ୍ତି’ ଓ ‘ରାମରସାମୃତ’ ନାମକ ଦୁଇଖଣ୍ଡି ପୁସ୍ତକ ରଚନା କରିଥିଲେ । ବଙ୍ଗଳା ଭକ୍ତିମାଳା-ପୁସ୍ତକ ପରି ଦାର୍ଢ୍ୟତାଭକ୍ତିରେ ଅନେକ ଭକ୍ତଙ୍କର ବିବରଣ ଥିବାରୁ କେତେକ ଭକ୍ତକବିଙ୍କର ଆବିର୍ଭାବକାଳ ନିରୂପଣ କରିବା ବିଷୟରେ ଏହି ପୁସ୍ତକ ସାହାଯ୍ୟ କରେ । ‘ଦାଢ଼୍ୟାଭକ୍ତି’ ନାମଟି ସୁଦର ଶୁଣାଯିବ ନାହିଁ ବୋଲି ପୁସ୍ତକର ନାମ ‘ଦାର୍ଢ୍ୟତା-ଭକ୍ତି’ ରଖିଥିବାର ଅନୁମାନ କରାଯାଏ । ଓଡ଼ିଆ ଭାଷା ସଂସ୍କୃତ ବ୍ୟାକରଣ ଶାସନାଧୀନ ନୁହେଁ । ଏଣୁ ପ୍ରାଚୀନ କବିମାନେ ବ୍ୟାକରଣର ସୂତ୍ର ନ ମାନି ପଦଲାଳିତ୍ୟପ୍ରତି ବେଶି ନଜର ଦେଉଥିଲେ ।

 

ଏହି ରାମଦାସ ଗଞ୍ଜାମବାସୀ । ତାହାଙ୍କ ପିତାଙ୍କର ନାମ ଲଛମନଦାସ । ଏ ଜାତିରେ ବ୍ରାହ୍ମଣ ଥିଲେ ଓ ଅଷ୍ଟାଦଶ ଶତାବ୍ଦୀରେ ଜୀବିତ ଥିଲେ ବୋଲି ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁ ଲେଖି ଅଛନ୍ତି । ଏ ‘ରାମରସାମୃତ’ ଲେଖିଥିବାରୁ ଏ ଜଗନ୍ନାଥଦାସଙ୍କ ଶିଷ୍ୟ ରାମଦାସଙ୍କଠାରୁ ପୃଥକ୍ ବୋଲି ବିଶ୍ୱାସ ଜନ୍ମୁଅଛି । ରସକଲ୍ଲୋଳ-ରଚୟିତା ଦୀନକୃଷ୍ଣଙ୍କ ଚରିତ ଲେଖିବାରେ ତାହାଙ୍କର ଆବିର୍ଭାବକାଳ ରସବିନୋଦ-ରଚୟିତା ଦୀନକୃଷ୍ଣଙ୍କ ଆବିଭା ବକାଳ ସଙ୍ଗେ ପ୍ରମାଦ ଘଟାଇଥିବାରୁ ଏହି ରାମଦାସ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗର ପୂର୍ବବର୍ତ୍ତୀ ନୁହନ୍ତି ।

ରସବିନୋଦ-ରଚୟିତା ଦୀନକୃଷ୍ଣଦାସ

ଏ ରସବିନୋଦ, ଗୁଣସାଗର, ଭାବସମୁଦ୍ର, ଭୂତକେଳି, ସଂସାରବୋଧକ, ଅମୃତସାଗର, ମୁକ୍ତିସାଗର, ପ୍ରସ୍ତାବସିନ୍ଧୁ, ତତ୍ତ୍ୱସାଗର, ଜଗମୋହନଛାନ୍ଦ, ଜ୍ଞାନସାଗର, ନାମରତ୍ନଗୀତା, ଅନେକ ଚଉତିଶା, କଂସବିଭା, ଜାମ୍ବବତୀବିଭା, ପାଞ୍ଚପାଟବଂଶୀବିଭା, ଧର୍ମସାଗର, ଜ୍ଞାନ-ରୂଡ଼ାମଣି, ସ୍ତ୍ରୀପୁରୁଷ ଲକ୍ଷଣ ଓ ଦରିଦ୍ର ଦାମୋଦର ଦ୍ୱିଜ ନାମକ ପୁସ୍ତକମାନ ରଚନା କରିଥିଲେ । ରସକଲ୍ଲୋଳ, ଭୂତକେଳି ପ୍ରଭୃତି କେତେଗୁଡ଼ିଏ ପୁସ୍ତକରେ ଦୀନକୃଷ୍ଣଦାସଙ୍କ ନାମର ଭଣତି ଦେଖାଯାଏ । କିନ୍ତୁ ପୂର୍ବୋକ୍ତ ପୁସ୍ତକମାନଙ୍କର ଶୈଳୀ ଓ ଦୀନକୃଷ୍ଣଦାସଙ୍କ ନାମ ଭଣତି ଥିବା ଅନ୍ୟ ପୁସ୍ତକମାନଙ୍କ ଶୈଳୀ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ ଦେଖାଯାଏ । ଏଣୁ ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁ ‘ରସବିନୋଦ-ରଚୟିତା ଦୀନକୃଷ୍ଣ’ ଓ ‘ରସକଲ୍ଲୋଳ-ରଚୟିତା ଦାନକୃଷ୍ଣ’ ଦୁଇ ଜଣ ବିଭିନ୍ନ କବି ବୋଲି ନିରୂପଣ କରିଥିଲେ । କିନ୍ତୁ ଭୂତପୂର୍ବ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଦୁଇ କାବ୍ୟର କବି ଅଭିନ୍ନ ବ୍ୟକ୍ତି ବୋଲି କହିବା ଦିନଠାରୁ ବହୁ ବାଦବିବାଦ ଲାଗିଅଛି । ଓଡ଼ିଆ-ସାହିତ୍ୟର ଇତିହାସରେ ଅଧ୍ୟାପକଙ୍କ ଭ୍ରମ ମୁଁ ଦେଖାଇଲି । ତହିଁରେ ପ୍ରଥମେ ଶୈଳୀ ଆଲୋଚନା କରି ପାର୍ଥକ୍ୟ ଦେଖାଇଥିଲି । ଏ ସମ୍ବନ୍ଧରେ ରସବିନୋଦ-ରଚୟିତା ଦୀନକୃଷ୍ଣଙ୍କ ନିମ୍ନୋଦ୍ଧୃତ ଉକ୍ତି ଆଲୋଚନା କରିଥିଲି:-

 

‘‘ଏ ଗ୍ରନ୍ଥ ଚରଣକୁ ଚିହ୍ନ । ନବ ଅକ୍ଷର ପରିମାଣ ।।

ଅଷ୍ଟ ଅକ୍ଷର ହୋଇ ନାହିଁ । ଦଶକୁ ଯିବ ଆଉ କାହିଁ ।।

ଲେଖି ପଢିବାର ଲୋକ । ସେ ଯେବେ ହୋଇବ ବିବେକ ।।

 

ଅନୁଭବରେ ଦେଇ ମନ । ବିଚାରି କରିବ ଲେଖନ ।।

ଅକ୍ଷର ଗଣିବ ହସ୍ତରେ । ତେବେ ସେ ଲେଖିବ ପତରେ ।।’’

 

ଉଦ୍ଧୃତ ଉକ୍ତି ଅନୁସାରେ ପ୍ରତ୍ୟେକ ପଦର ପାଦମାନଙ୍କ ଅକ୍ଷରସଂଖ୍ୟା ସମାନ ରଖିବାପାଇଁ ଆଙ୍ଗୁଠିରେ ଅକ୍ଷର ଗଣି କବିତା ରଚନା କରିବାକୁ ହେବ । କିନ୍ତୁ ଏହା କବି-ପ୍ରତିଭାର ପରିଚାୟକ ନୁହେ । ପ୍ରତିଭାଶାଳୀ କବିମାନେ କୌଣସି ରସରେ ଆପ୍ଳୂତ ହେଲାବେଳେ ଭାବୋଚ୍ଛାସ ତାଙ୍କ ହୃଦୟରୁ ଛହୋମୟୀ ଭାଷାରେ ଆପେ ଆପେ ଉଛୁଳି ପଡ଼େ । ଏଣୁ ଶ୍ରୋତା ଓ ପାଠକର ତାହା ପ୍ରାଣସ୍ପର୍ଶୀ ହୃଏ । ରସକଲ୍ଲୋଳର ଶୈଳୀ ଯେପରି ପ୍ରାଣୀସ୍ପର୍ଶୀ, ସେହିପରି ଶୈଳୀ ରସବିନୋଦ-ରଚୟିତାଙ୍କର କୌଣସି ପୁସ୍ତକରେ ଦେଖାଯାଉ ନ ଥିବାରୁ ଦୁଇ କାବ୍ୟର କବି ବିଭିନ୍ନ ବ୍ୟକ୍ତି ଅଟନ୍ତି । ମୋର ଏକଥାକୁ ଆର୍ତ୍ତବାବୁ ନ ମାନି ନିଜ ମତର ସମର୍ଥନପାଇଁ ରସବିନୋଦ-ରଚୟିତା ଦୀନକୃଷ୍ଣଦାସଙ୍କ ‘ଜଗମୋହନ ଛାନ୍ଦ’ ନାମକ ପୃସ୍ତକ ପ୍ରକାଶ କଲେ । ଏଥିରେ ଚଉଦଟି ଛାନ୍ଦ ସନ୍ନିବେଶିତ ଓ ଜଗନ୍ନାଥଙ୍କ ଦୈନିକ ନୀତି ଓ ପର୍ବପର୍ବାଣି ବର୍ଣ୍ଣିତ ହୋଇଅଛି । ଖାଣ୍ଟି ଇତିହାସ-ଗବେଷକଙ୍କ ପରି ହାତଲେଖା ପୋଥିର ଗୋଟିଏ ପତ୍ରର ପ୍ରତିକୃତି ଛପା ନୋହିଥିବାରୁ ପୋଥିର ଅକୃତ୍ରିମତା ମୁଁ ସନ୍ଦେହ କରୁନାହିଁ । ବିଭିନ୍ନ ଛାନ୍ଦରେ ଜଗମୋହନ ଛାନ୍ଦ ରଚିତ ହୋଇଥିଲେ ମଧ୍ୟ ଏଥିରେ ଯେଉଁ ଶୈଳୀ ଅଛି, ତାହା ରସକଲ୍ଲୋଳର ଶୈଳୀଠାରୁ ପୃଥକ୍ ଅଟେ । କାରଣ ଜଗମୋହନ ଛାନ୍ଦର ଭାଷାରେ ପ୍ରସାଦ-ଗୁଣବିଶିଷ୍ଟ ଶୈଳୀ ଲକ୍ଷିତ ହୁଏ । କିନ୍ତୁ ରସକଲ୍ଲୋଳର ଭାଷାରେ ଲଳିତ ଗୁଣବିଶିଷ୍ଟ ଶୈଳୀ ଲକ୍ଷିତ ହୁଏ । ଶୈଳୀ ଶୈଶବକାଳର ବେଷ୍ଟନୀ ଓ ଲେଖକର ଚିତ୍ତ-ସ୍ୱଭାବ ଉପରେ ନିର୍ଭର କରେ । ଯାହାର ସ୍ୱଭାବ କର୍କଶ ଅଟେ, ସେ ଯେତେ ଚେଷ୍ଟା କଲେ ମଧ୍ୟ ତାହାର ଭାଷା କର୍କଶ ହେବ । ସେ ପ୍ରେମିକ, ତାହାର ଭାଷାରେ ଅବଶ୍ୟ କୋମଳତା ରହିବ । ଅଭିମନ୍ୟୁଙ୍କ ଶୈଶବର ଭାଷା ସହିତ ତାହାଙ୍କ ପରିପକ୍ଵ ଜୀବନର ଭାଷାରେ ଯୋଗସୂତ୍ର ଯେପରି ଲକ୍ଷିତ ହୁଏ, ସେପରି ଯୋଗସୂତ୍ର ତାହାଙ୍କ ଭାଷା ଓ ତାହାଙ୍କ ଗୁରୁ ସଦାନନ୍ଦ କବିସୂର୍ଯ୍ୟଙ୍କ ଭାଷା ମଧ୍ୟରେ ପ୍ରକଟିତ ହୁଏ । କିନ୍ତୁ ରସକଲ୍ଳୋଳର ମାଧୂର୍ଯ୍ୟ-ଗୁଣବିଶିଷ୍ଟ ବା ବୈଦର୍ଭୀ-ଶୈଳୀ ସହିତ ଜଗମୋହନ ଛାନ୍ଦର ଶୈଳୀର ଯୋଗସୂତ୍ର ପ୍ରକଟିତ ହୁଏ ନାହିଁ ।

 

ଦେଶରେ ପ୍ରବାଦ ଅଛି ଯେ ଦୀନକୃଷ୍ଣଦାସଙ୍କ ରସକଲ୍ଲୋଳର ପ୍ରତ୍ୟେକ ଛାନ୍ଦରେ ପ୍ରତ୍ୟେକ ପଦର ପ୍ରତ୍ୟେକ ପାଦର ଆଦ୍ୟରେ ଯେପରି ‘କ’ ବର୍ଣ୍ଣ ବ୍ୟବହୃତ ହୋଇଅଛି, ସେପରି କାବ୍ୟ ନାମର ଆଦ୍ୟରେ ‘କ’ ବ୍ୟବହୃତ ନୋହିଥିବା ଦୋଷର ବିଷୟ ବୋଲି ଉପେନ୍ଦ୍ରଭଞ୍ଜ ବାହୁନିଥିଲେ । ଆହୁରି ମଧ୍ୟ ସେ କହୁଥିଲେ:-

 

‘‘କହେ ଉପଇନ୍ଦ୍ର ଟେକି ସେ ବେନି ବାହାକୁ,

ରବିତଳେ କବିପଣେ ନ ଗଣେ ମୁଁ କାହାକୁ ।

ଜୟଦେବ ଦୀନକୃଷ୍ଣ ପଦେ ମୋ ଶରଣ

ଆନ କବି ଯେତେ ଶିରେ ମୋ ବାମ ଚରଣ ।’’

 

ଉପରୋକ୍ତ ପ୍ରବାଦ ସତ୍ୟ ନୋହିପାରେ, କିନ୍ତୁ ଏ ପ୍ରବାଦ ଯେଉଁ ବୃଦ୍ଧଲୋକଙ୍କ ମୁଖରୁ ମୁଁ ଶୁଣିଅଛି, ସେମାନେ ବୃଦ୍ଧ ବ୍ୟକ୍ତିମାନଙ୍କଠାରୁ ଶୁଣିଥିଲେ ବୋଲି କହୁଥିଲେ । କୌଣସି ପ୍ରବାଦ ଅମୂଳକ ନୁହେ । ପ୍ରବାଦ ଅନୁସାରେ ରସକଲ୍ଲୋଳ ଉପେନ୍ଦ୍ରଭଞ୍ଜଙ୍କ ପୂବବର୍ତ୍ତୀ ରଚନା ଅଟେ । ସମସାମୟିକ ହୋଇଥିଲେ ଉପେନ୍ଦ୍ରଭଞ୍ଜ ଦୀନକୃଷ୍ଣଦାସଙ୍କ ପାଦତଳେ ଶରଣ ପଶୁଥିଲେ ବୋଲି ଲୋକେ କହୁ ନ ଥାନ୍ତେ । ରସବିନୋଦ-ରଚୟିତା ଦୀନକୃଷ୍ଣ ଉପେନ୍ଦ୍ରଭଞ୍ଜଙ୍କ ସମସାମୟିକ ଅଟନ୍ତି-

 

ରସବିନୋଦର ରଚୟିତା ଦୀନକୃଷ୍ଣଦାସ ନାରୀବଦ୍ୱେଷୀ ଥିବାର ତାହାଙ୍କ ରଚନାରୁ ପ୍ରମାଣ ମିଳେ । ଜଣେ ରାଜାଙ୍କ ରାଣୀଙ୍କ ନାମ ଚନ୍ଦ୍ରାବତୀ ଅଟେ । ରାଜା ଓ ରାଣୀ ବନବାସ କରିବା ସମୟରେ ରାଜା ରାଣୀଙ୍କର ବହୁତ ସେବା କଲେ । କିନ୍ତୁ ଗୋଟିଏ ନଦୀ ପାରହେବାପାଇଁ ଯେତେବେଳେ ଦୁହେଁ ନୌକାରେ ବସିଲେ, ସେତେବେଳେ ଯୁବକ ତରାଇପ୍ରତି ଚନ୍ଦ୍ରାବତୀର ଚିତ୍ତର ଆକର୍ଷଣ ଜନ୍ମିଲା । ଚନ୍ଦ୍ରାବତୀ ଠାରିଦେବାରୁ ତରାଇ ରାଜାଙ୍କୁ ନଦୀଗର୍ଭକୁ ଠେଲିଦେଲା । ଭାଗ୍ୟକ୍ରମେ ରାଜାଙ୍କ ସହିତ ଚନ୍ଦ୍ରାବତୀର ସାକ୍ଷାତ୍ ହେବାରୁ ଚନ୍ଦ୍ରାବତୀ ନିଜ ବ୍ୟବହାର ସମର୍ଥନ କରିବା ନିମନ୍ତେ କହିଲା:-

 

‘‘ଯେବଣ ବୃକ୍ଷ ଥାଇ ଫଳି । ସମସ୍ତ ଲୋକ ତହିଁ ମିଳି ।।

ସକଳ ଜନ୍ତୁମାନେ ଯାନ୍ତି । ଖାଇବା ଅର୍ଥେ ଟାକିଥାନ୍ତି ।।

ସରିଲେ ସେ ବୃକ୍ଷର ଫଳ । କେହି ନ ଯାନ୍ତି ତାର ତଳ ।।’’ (ର:ବି: ୟ ଅ:)

 

ଏହି ଦୃଷ୍ଟାନ୍ତଟି ବୌଦ୍ଧ-ସାହିତ୍ୟରେ ଅଛି । ବୃଦ୍ଧଦେବ ସଂସାର ତ୍ୟାଗ କରିବା ପୂର୍ବରୁ ଯେଉଁ ଚାରୋଟି ଦୃଶ୍ୟ ଦେଖିଥିଲେ, ସେଥିମଧ୍ୟରୁ ଆତ୍ମୀୟସ୍ୱଜନ ପରିତ୍ୟକ୍ତ ବୃଦ୍ଧ ବ୍ୟକ୍ତିର କରୁଣ ଦୃଶ୍ୟ ଦେଖିବାବେଳେ ସାରଥୀ ଏହି ଦୃଷ୍ଟାନ୍ତଟି ଦେଇଥିଲା । ଆହୁରି ମଧ୍ୟ ସେ କହିଅଛନ୍ତି:-

‘‘ଜୀବନ ଥିବା ପରିଯନ୍ତେ । ସ୍ତ୍ରୀରୀଙ୍କି ନ ଯିବ ପରତେ ।। (୩ୟ ଅ:)

ରସବିନୋଦରେ ପୁରୀ ମନ୍ଦିରରେ ହରି ରାସଲୀଳା କରୁଥିବାର ଦୀନକୃଷ୍ଣଦାସ ବର୍ଣ୍ଣନା କରି ଲେଖିଅଛନ୍ତି:-

‘‘ରାଧାଙ୍କୁ ବାମ ଅଙ୍ଗେ ଘେନି । ପ୍ରୀତି-ଯୁଗଳ ହୋଇ ବେନି ।।’’ (୧ମ ଅ:)

X            X            X            X            X

ରାଧାକୃଷ୍ଣଙ୍କ ଲୀଳା ଅବଲମ୍ବନରେ ରସବିନୋଦ ରଚିତ ହୋଇଅଛି । ଏହି ରାଧାକୃଷ୍ଣଙ୍କ ପ୍ରୀତି ଶରୀରସ୍ଥ ଜୀବ-ଚୈତନ୍ୟଙ୍କ ଅଭେଦ ପ୍ରୀତି ଅଟେ ।

 

‘‘ମନ ଚେତନା ଦୃଢ଼ କରି । ଅଜ୍ଞାନ ପବନକୁ ଧରି ।।

ସମାନ ଜ୍ଞାନ ଆଦିମୂଳ । ମନପବନ ଗଣ୍ଠି ଠୁଳ ।।

ଉଦ୍ଦାନ ବାୟୁ ଧରି ଆଣି । ନିରୋଧ କରିବ ତ୍ରିବେଣୀ ।।

ବଙ୍କୁନାଳର ଶିଖା ପରେ । କମାରଶାଳ ଯେଉଁଠାରେ ।।

ଘାଟ-ମୁଣ୍ଡରେ ଯେଉଁ ଠଣା । ନୋହିବୁ କେଉଁଠାରେ ବଣା ।।

X            X            X            X

ଅପମା ମାପିପାରୁ ଯେବେ । ଅଭକ୍ଷ୍ୟ ଦ୍ରବ୍ୟ ଭକ୍ଷ୍ୟ ଏବେ ।।’’ (୩୯ଶ ଅ:)

 

ଏଥିରୁ ପାଠକେ ବୁଝିପାରୁଥିବେ ଯେ ରସବିନୋଦ ରଚୟିତା ଅଦ୍ୱୈତବାଦ ଥିଲେ । ସେ ଅଭକ୍ଷ୍ୟ ଭକ୍ଷଣ କରିବାପାଇଁ ସାଧନା କରୁଥିଲେ । କିନ୍ତୁ ରସକଲ୍ଲୋଳ-ରଚୟିତା ଦ୍ୱୈତବାଦୀ ଥିବାର ପରବର୍ତ୍ତୀ ଅଧ୍ୟାୟରେ ବୁଝାଯିବ । ରସକଲ୍ଲୋଳ ସଂସ୍କୃତ-ଭାଗବତର ଅବଲମ୍ବନରେ ରଚିତ ହୋଇଅଛି । ବୃଦ୍ଧ ବୟସରେ ରସବିନୋଦ-ରଚୟିତା ପ୍ରେମଭକ୍ତି ଅବଲମ୍ବନ କଲେ ବୋଲି କହିବା ଭ୍ରମାତ୍ମକ ଅଟେ ।

 

ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ରସବିନୋଦର ରଚୟିତା ଦୀନକୃଷ୍ଣ ଓ ରସକଲ୍ଳୋଳର ରଚୟିତା ବିଭିନ୍ନ ବ୍ୟକ୍ତି ବୋଲି ପ୍ରମାଣ କରିଥିଲେ ମଧ୍ୟ ଅନେକ ସାହିତ୍ୟିକ ଭାନ୍ତ ପଥ ପରିହାର କରୁ ନ ଥିବା ପରିତାପର ବିଷୟ ଅଟେ ।

 

ରସବିନୋଦ-ରଚୟିତା ଦୀନକୃଷ୍ଣଙ୍କ କେତେକ ରଚନାରେ ସ୍ଥାନେ ସ୍ଥାନେ, କ୍ଷୁଦ୍ର କ୍ଷୁଦ୍ର ସଂସ୍କୃତ ଶ୍ଳୋକ ଅଛି । ସଂସ୍କୃତ ପଞ୍ଚତନ୍ତ୍ର ଓ ହିତୋପଦେଶର କେତୋଟି ଗଳ୍ପ ଅଛି । ଓଡ଼ିଆରେ ‘ଭାଲୁ ଧରାଇବା’ ପଦଟି ଭାଷାରେ ବ୍ୟବହାର କରାଯାଏ । ରସବିନୋଦ-ରଚୟିତା ଏ ସମ୍ବନ୍ଧରେ ଗୋଟିଏ ଗଳ୍ପ ଲେଖି ଅଛନ୍ତି-କୌଣସି ସାଧୁ ଜଣେ ଗୃହସ୍ଥର ଅତିଥି ହୋଇଥିଲେ । ଗୃହିଣୀ ପୁତ୍ର କାମନାରେ ଅତିଥି-ସେବା କରୁଥିଲା । ଅଭକ୍ଷ୍ୟ ଭକ୍ଷଣ କଲେ ପୁତ୍ର ଲାଭ କରିବ ବୋଲି ସାଧୁ ଗୃହିଣୀକୁ କହିଲେ । କେଉଁ ଦିନ କେଉଁଠାରେ କିପରି ରାତିରେ ଅଭକ୍ଷ୍ୟ ଭକ୍ଷଣ କରିବାକୁ ହେବ, ସେ କଥା ମଧ୍ୟ ସାଧୁ କହିଥିଲେ । ତେଣେ ଉକ୍ତ ସାଧୁ ଗୃହିଣୀର କୁତ୍ସିତ ଆଚରଣ ଗୃହସ୍ଥକୁ କହି ତାହା ଦେଖିବାପାଇଁ ଠିକ୍ ସେହି ଦିନ ରାତିରେ ସେହି ସ୍ଥାନରେ ଲୁଚି ଦେଖିବାକୁ କହିଲେ । ଗୃହସ୍ଥ ଦେଖି ସାଧୁଙ୍କ ଆଗରେ ଆସି କହିଲେ । ଗୃହିଣୀଙ୍କୁ ଗୋଟିଏ ପେଟିକା ଭିତରେ ରଖି ପେଟିକାର ମୁଖ ବନ୍ଦ କରି ନଦୀରେ ଭସାଇ ଦେବାପାଇଁ ସାଧୁ ଗୃହସ୍ଥରୁ ଉପଦେଶ ଦେଇ ଚାଲିଗଲେ । ଗୃହସ୍ଥ ସେପରି ଗୃହିଣୀକୁ ପେଟିକାରେ ଭସାଇଦେଲେ । ବାଟରେ ଜଣେ ରାଜପୁତ୍ର ନଦୀରେ ପେଟିକା ଭାସିଯାଉଥିବା ଦେଖି ତାହାକୁ ଉଦ୍ଧାର କରି ତହିଁରୁ ରମଣୀଟିକୁ ବାହାର କରି ପେଟିକା ଭିତରେ ଶିକାରରେ ଧରିଥିବା ଭାଲୁଟିଏ ରଖି ତାହା ନଦୀରେ ଭସାଇଦେଲେ । ଉକ୍ତ ସାଧୁ କେତେ ବାଟତଳେ-ନଦୀକୂଳରେ ଜଗିଥିଲେ । ସେ ଉକ୍ତ ପେଟିକାକୁ ନଦୀରୁ ଉଦ୍ଧାର କରି ନେଇ ଖୋଲିଲେ । ସେଥିରୁ ଭାଲୁ ବାହାରି ସାଧୁଙ୍କୁ କ୍ଷତବିକ୍ଷତ କଲା । ଏପରି ଗଳ୍ପଲେଖାରେ ରସବିନୋଦ-ରଚୟିତା କୌଣସିଠାରେ ଟିକିଏ ହାସ୍ୟ ବା ଶୃଙ୍ଗାର ରସ ଫୁଟାଇ ନାହାନ୍ତି । ଏଣୁ କାକକେଳି ରସକଲ୍ଲୋଳ ପ୍ରଭୃତି ରଚନା କରିବା ଏହାଙ୍କ ପକ୍ଷରେ ଅସମ୍ଭବ ଅଟେ ।

 

‘‘ରସବିନୋଦ’ରେ କବି ନିଜର ପରିଚୟ ଦେଇଅଛନ୍ତି:-

 

‘‘ପୂର୍ବ ବାସନା ଆଦିମୂଳେ । ଜନମ ରାଜପୁତ୍ର-କୁଳେ I।

ସୁବର୍ଣ୍ଣରେଖା ନଦୀତୀର । କଟକ ନାମେ ଜଳେଶ୍ୱର ।।

ସପତ ପୁରୁଷ ମୁଁ, ତହିଁ । ଗଲାଣି ଏତେ କାଳ ବହି ।।

ବନ୍ଧୁ କୁଟୁମ୍ବ ତହିଁ ଯେତେ । ରହିଣ ଅଛନ୍ତି, ସମସ୍ତେ ।।

 

ଡଣ୍ଡିଆ ରାଜ୍ୟର ନିକଟେ । ସକଳ ଚଉଦଣ୍ଡପାଟେ ।।

ସମସ୍ତେ ଅଛନ୍ତି ଯେ ପୂରି । ମୋତେ ଆଣିଲେ ଦେବହରି ।।

ହୃଦରେ ଅନୁଗ୍ରହ କଲେ । ଦକ୍ଷିଣ ଦିଗକୁ ଆଣିଲେ ।।

ଦେଖିଲି ଓଡ଼ରାଷ୍ଟ୍ର ଦେଶ । ଓଡ଼ିଶା ଭୂମିରେ ପ୍ରବେଶ ।।’’

X            X            X

‘‘ଯେ ଦିନେ ମାନସିଂହ ସାହୀ । ଅଇଲା ଓଡ଼ିଶାକୁ ବାହି ।।

ଖୋରଧା କଟକେ ନଗର । ରହିଣ ଥିଲେ ନୃପବର ।।

ସେଦିନେ ରାମଚନ୍ଦ୍ର । ପାଳନ୍ତି ଜନପ୍ରଜା ।।

ଅଣଚାଳିଶ ଅଙ୍କ ଭୋଗ । ବରି ହୋଇଲେ ମୃତ୍ୟୁ-ଯୋଗ ।।

ତାହାଙ୍କ ନନ୍ଦନର, ନାମ । ପୁରୁଷୋତ୍ତମଦେବ ଜାଣ ।।

ଅଣତିରିଶ ଅଙ୍କ ଭୋଗ । କରି ହୋଇଲେ ମୃତ୍ୟୁଯୋଗ ।।

ତାହାଙ୍କର ଯେ ତନୁଜ । ନୃସିଂହ ଦେବ ମହାରାଜ ।I

ତେତିଶ ଅଙ୍କ ଯାଏ ଥିଲେ । ବିଷ୍ଣୁଚରଣେ ସେବା କଲେ ।।

ମୀନ ମାସରେ ଯାତ୍ରା ପୁଣ । ବସନ୍ତ ଗୁଣ୍ଡିଚା ଭିଅଣ ।।

ସେ ଖ୍ୟାତକଲେ ଦେହ ବହି । ପୂର୍ବେ ତ ନ ଜାଣନ୍ତି କେହି ।।

ଯହୁଁ ସେ ବିଷ୍ଣୁଙ୍କ ବିଖ୍ୟାତ । କଲେ ଗୁଣ୍ଡିଚା ନାମେ ଯାତ ।।

ତହୁଁ ପୁରୁଷୋତ୍ତମ ଗଲେ । ପ୍ରଭୁଙ୍କୁ ସେବା କରୁଥିଲେ ।।

ଏମନ୍ତେ ଫତେଖା ପଠାଣ । ଜାଣିଲା ଓଡିଶା ଭିଅଣ ।।

ଖଳ ଲୋକମାନଙ୍କୁ ପେଷି । ତାହାଙ୍କୁ ବୁଝାଇଲେ ବସି ।।

X            X            X

ପୁରୁଷୋତ୍ତମ ରାଜା ଥିଲେ । ଅଇରି ନେଇ ଭେଟାଇଲେ ।।

ତେଣୁ ସେ କୋପଭରେ ଆସି । ରାଜାଙ୍କୁ ପକାଇଲା ନାଶି ।।’’

 

‘‘ନାସରତ୍ନଗୀତା’ରେ ସେ ପୁଣି ଲେଖିଅଛନ୍ତି:-

 

‘‘ଯେଉଁକାଳେ ସପ୍ତଦଶଅଙ୍କ ହେବ ଜାଣ ।

ଯୁଧିଷ୍ଠିର ନାମେ ଥିବ ଦିବ୍ୟସିଂହ-ରାଣୀ ।।

ମୋହ ନାମରତ୍ନଗୀତା ହୋଇବ ପ୍ରକାଶ ।

ଦୀନକୃଷ୍ଣ ବୋଲେ ଏହା ଭାବି ପୀତବାସ ।।

‘‘ରସବିନୋଦ’’ ରଚନା ଶେଷ କଲାବେଳକୁ ସେ ପୁରୀରୁ ଯାଇ ବ୍ରାହ୍ମଣୀ ନଦୀକୂଳରେ ଥିଲେ:-

‘‘ଏ ଗ୍ରନ୍ଥ ଯୋଡ଼ିବାର ବେଳେ । ଘର ବ୍ରାହ୍ମଣୀ ନଦୀକୂଳେ ।।

କନକେଶ୍ୱର ଲିଙ୍ଗ ପାଶ । ଏକଘରିଆ ନାମେ ଦେଶ ।।

ତହିଁ ମୋହର ନିଜ ସ୍ଥିତି । କରୁଣା କଲେ ଲକ୍ଷ୍ମୀପତି ।।’’

 

ଦିବ୍ୟସିଂହଦେବ ୧୬୯୨ ଖ୍ରୀଷ୍ଟାବ୍ଦରୁ ୧୭୧୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ରାଜତ୍ୱର ୧୭ ଅଙ୍କକୁ ସେ ଚଉଦ ବର୍ଷ ରାଜତ୍ୱ କରିଥିଲେ । ତାହାହେଲେ ୧୭୦୭ ଖ୍ରୀଷ୍ଟାବ୍ଦରେ ରଚନା ଶେଷ ହୋଇଥିବ । ୧୬୩୭ରୁ ୧୬୬୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାମଚନ୍ଦ୍ରଦେବ ଓ ୧୬୬୯ରୁ ୧୬୯୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୁରୁଷୋତ୍ତମଦେବ ରାଜତ୍ୱ କରିଥିଲେ । ଏହି ପୁରୁଷୋତ୍ତମଦେବ ବୋଧ ହୁଏ ଭୁବନେଶ୍ୱରର ରଥଯାତ୍ରାର ଅନୁକରଣରେ ପୁରୀରେ ରଥଯାତ୍ରା ଭିଆଣ କରିବାର ଉଦ୍ୟମ କରିଥିଲେ ।

 

ସାରଳାଦାସ ପୁରୀ ଜିଲାକୁ ଓଡ୍ର ଦେଶ କହିଥିଲେ । ଦିନକୃଷ୍ଣଦାସ ମଧ୍ୟ ପୁରୀ ଜିଲାକୁ ଓଡ଼୍ର ଦେଶ କହିଲେ । ଏଣୁ ଜଗନ୍ନାଥଙ୍କ ସଂସ୍କୃତି ଓଡ୍ର ନାମରେ ଖ୍ୟାତ ଥିଲା ଓ ଏହି ସଂସ୍କୃତି ଅନୁସାରେ ଏ ଦେଶର ନାମ ଓଡ଼ିଶା ହୋଇଅଛି । ରଜପୁତ ଖଣ୍ଡାୟତ ଜାତିର ଓ ବିଶେଷତଃ ଉତ୍ତର-ଓଡ଼ିଶାର ଜଳେଶ୍ୱର ଥାନାର ଦୀନକୃଷ୍ଣଦାସ ପ୍ରଥମ କବି ଅଟନ୍ତି ।

ଭୀମ ଭୋଇ

ଏ ପ୍ରାୟ ୧୮୬୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୯୫ ଖ୍ରୀଷ୍ଟାବ୍ଦରେ ଇହଧାମ ତ୍ୟାଗ କରିଥିଲେ । ଭୀମ ଭୋଇ ଜାତିରେ କନ୍ଧ ଥିଲେ । ସେ ପିଲାଦିନେ ଅନାଥ ହୋଇ ରେଢ଼ାଖୋଲ ରାଜ୍ୟର ଗୋଟିଏ ଗ୍ରାମରେ ମୂଲ ଲାଗି ପେଟ ପୋଷୁଥିଲେ । ତାହାଙ୍କର ବାଲ୍ୟଶିକ୍ଷା କେତେ ଦୂର ଥିଲା, ତାହା କେହି ଜାଣନ୍ତି ନାହିଁ । ଯୌବନର ପୂର୍ବରୁ ତାଙ୍କ ଚକ୍ଷୁର ଦୃଷ୍ଟିଶକ୍ତି ନଷ୍ଟ ହୋଇ ପଡ଼ିଥିଲା । ସେ ଯୌବନର ଆରମ୍ଭରେ ଢେଙ୍କାନାଳ ଯାଇ ମହିମା-ଧର୍ମରେ ଦୀକ୍ଷିତ ହୋଇଥିଲେ । ମହିମା-ଧର୍ମାବଲମ୍ବୀ ହେବାଉତ୍ତାରୁ ସେ ସୋନପୁରରେ ଆଶ୍ରମ କରି ରହିଥିଲେ । ସେଠାରେ ବହୁ ଲୋକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ କେତେ ଜଣ ବ୍ରାହ୍ମଣ ଥିଲେ । ଏହି ବ୍ରାହ୍ମଣମାନଙ୍କ ମଧ୍ୟରେ ଜଣେ ଗୀତାର୍ଥୀ ଥିଲେ । ଏହି ବ୍ରାହ୍ମଣ ସଂସ୍କୃତ ଶ୍ରୀମଦ୍‌ଭଗବଦ୍‌ଗୀତା ପଡ଼ି ତାହାର ଅର୍ଥ ଭୀମ ଭୋଇଙ୍କୁ ଶୁଣାଉଥିଲେ । ଭୀମ ଭୋଇ ଗୋଟିଏ ସ୍ତ୍ରୀଙ୍କୁ ପତ୍ନୀରୂପରେ ଗ୍ରହଣ କରିଥିଲେ ଓ ତାଙ୍କର ଏହି ପତ୍ନୀଙ୍କ ଗର୍ଭରୁ ଦିଓଟି ସନ୍ତାନ ଜାତ ହୋଇଥିଲେ । ସୋନପୁରର ଅନେକ ଲୋକ କହନ୍ତି ଯେ ଜଗନ୍ନାଥଦାସଙ୍କ ଭାଗବତ ଭୀମ ଭୋଇଙ୍କର ମୁଖସ୍ଥ ଥିଲା । ବୋଧ ହୁଏ ଦେଶର ଗ୍ରାମମାନଙ୍କରେ ସର୍ବଦା ଚର୍ଚ୍ଚା କରାଯାଉଥିବା ଏକାଦଶ ସ୍କନ୍ଧର ବହୁ ଅଧ୍ୟାୟ ଶୁଣି ଶୁଣି ସେ ମୁଖସ୍ଥ ରଖିଥିଲେ । ଯାହାହେଉ, ତାଙ୍କର ସ୍ମୃତି-ଶକ୍ତି ପ୍ରଖର ଥିଲା । ତାହାଙ୍କ ମୁଖରୁ ଯେଉଁସବୁ କବିତା ନିଃସୃତ ହେଉଥିଲା, ତାହା ତାହାଙ୍କ ଶିଷ୍ୟମାନେ ଲିପିବଦ୍ଧ କରୁଥିଲେ । ସେ ଆଙ୍ଗୁଠିରେ ଅକ୍ଷର ଗଣି କବିତା ରଚନା କରୁ ନ ଥିଲେ । ସେ ଯେଉଁ ଅଲେଖ-ଧର୍ମଭାବରେ ଅନୁପ୍ରାଣିତ ହୋଇଥିଲେ, ସେହି ଧର୍ମର ଭାବ ସ୍ୱତଃ ପଦ୍ୟାକାର ଭାଷାରେ ତାହାଙ୍କ ହୃଦୟରୁ ଉଛୁଳି ଆସୁଥିଲା । ସେ ଅଲେଖ-ଧର୍ମର ଅନେକ ଭଜନ ରଚନା କରିଥିଲେ । ସେଥିମଧ୍ୟରୁ ଗୋଟିଏ ଭଜନ ନୂତନ ପ୍ରକାରର ଚଉତିଶା ନିୟମରେ ରଚିତ ହୋଇଅଛି । ଏହାର ପ୍ରଥମ ପଦର ପ୍ରତ୍ୟେକ ପାଦର ଆଦ୍ୟରେ ‘କ’ ବର୍ଣ୍ଣ ବ୍ୟବହୃତ ନୋହି ‘କ୍ଷ’ ବର୍ଣ୍ଣ ବ୍ୟବହୃତ ହୋଇଅଛି । ତତ୍ପରେ ‘ହ’, ‘ଷ’ ପ୍ରଭୃତି ବର୍ଣ୍ଣମାନ ଯଥାକ୍ରମେ ଅନ୍ୟ ପଦର ପ୍ରତ୍ୟେକ ପାଦର ପ୍ରାରମ୍ଭରେ ବ୍ୟବହୃତ ହୋଇ ଶେଷ ପଦଟିର ପ୍ରତ୍ୟେକ ପାଦର ପ୍ରାରମ୍ଭରେ କ-ବର୍ଣ୍ଣ ବ୍ୟବହୃତ ହୋଇଅଛି । ଏହା ଏକପ୍ରକାର ଉଲଟ ଚଉତିଶା ଅଟେ । ତଳେ କେତୋଟି ପଦ ଉଦ୍ଧାର କରାଯାଉଅଛି:-

 

‘‘କ୍ଷୀରସିନ୍ଧୁବାସୀ ଯେହି ରେ ସୁମନ, କ୍ଷୀରସିନ୍ଧୁବାସୀ ଯେହି

କ୍ଷୀନାନଳେ ଜଗି ଅଛନ୍ତି ରହି । ସୁମନ ରେ । କ୍ଷମାମହିମାଙ୍କୁ ଧ୍ୟାୟି । ସୁମନ ରେ ।

ହରଶିରେ ପଡ଼େ ଝର ରେ ସୁମନ, ହରଶିରେ ପଡ଼େ ଝର

ହରଷରେ ଝର ପିଅନ୍ତି ହର । ସୁମନ ରେ । ହୋଇଛନ୍ତି ଅଜାମର । ସୁମନ ରେ ।

ଶରଦ ଉଷୁମ ନାହିଁ ରେ ସୁମନ, ଶରଦ ଉଷୁମ ନାହିଁ

ସଦା ସମ୍ପୂର୍ଣ୍ଣା ସେ ଅରୂପା-ଦେହୀ । ସୁମନ ରେ । ଶୂନ୍ୟପୁରେ ଛନ୍ତି ରହି । ସୁମନ ରେ ।

ଡଗର ଅଟଇ ମହିମା ନାମ ।’’

ଏହା ମହିମା ବା ବୁଦ୍ଧିର ବିଚାରରେ ଅନାଦିଙ୍କ ସମ୍ବନ୍ଧରେ ଧାରଣା ଜାତ କରାଉଥିବାରୁ ଏଥିରୁ ବୌଦ୍ଧଧର୍ମର ଉତ୍ପତ୍ତି ବୋଲି କୁହାଯାଉଅଛି । ଅଲେଖ-ଧର୍ମାବଲମ୍ବୀମାନେ ସୂର୍ଯ୍ୟାସ୍ତପରେ ଭୋଜନ କରନ୍ତି ନାହିଁ । ସେମାନେ କୌଣସି ଦେବଦେବୀର ମୂର୍ତ୍ତିରେ ବିଶ୍ୱାସ କରନ୍ତି ନାହିଁ । ବ୍ରାହ୍ମଣମାନଙ୍କ ପାକାନ୍ନ ସେମାନେ ଆଗେ ଗ୍ରହଣ କରୁ ନ ଥିଲେ; କିନ୍ତୁ ସେ କୌଣସି ଇତର ଜାତିର ପାକାନ୍ନ ସେମାନେ ଗ୍ରହଣ କରୁଥିଲେ । ଆଗେ ସେମାନେ କୁମ୍ବୀ ଗଛର ପଟ ପିନ୍ଧୁଥିଲେ । ବର୍ତ୍ତମାନ ସେମାନେ କଷାୟ ବସ୍ତ୍ର ପିନ୍ଧନ୍ତି । ‘କୁମ୍ଭୀ’ ଶବ୍ଦ ଗଜ-ଅର୍ଥବାଚକ ହୋଇଥିବାରୁ ସେମାନେ ଗଜଚର୍ମ-ପରିଧାନକାରୀ ‘‘କୃତ୍ତିବାସ-ସମ୍ପ୍ରଦାୟ’’ର ଗୋଟିଏ ଶାଖା ବୋଲି ଅନୁମାନ କରାଯାଇପାରେ । ଊନବିଂଶ ଶତାବ୍ଦୀରେ ଭୀମ ଭୋଇଙ୍କ ଶିଷ୍ୟମାନେ ଜଗନ୍ନାଥଙ୍କ ମନ୍ଦିର ଆକ୍ରମଣ କରିବାପାଇଁ ପୁରୀ ଆସିଥିଲେ । କିନ୍ତୁ ଇଂରେଜ ସରକାରଙ୍କ ଫୌଜ ବାଧା ଦେବାରୁ କେତେ ଜଣ ନିହତ ହେଲେ ଓ ଅବଶିଷ୍ଟ କେତେ ଜଣ ଭଗ୍ନୋତ୍ସାହ ହୋଇ ଫେରିଗଲେ । ଅଲେଖଧର୍ମାବଲମ୍ବୀମାନେ ପୂର୍ବେ କୁମାର ଥିଲେ । ଜଗନ୍ନାଥ-ଧର୍ମ ମଧ୍ୟ କୁମାର-ଧର୍ମରୁ ଉଦ୍ଭୂତ ହୋଇ ଅଛି । ଅଲେଖ-ଧର୍ମର ଦୀକ୍ଷା ଗ୍ରହଣ କଲାବେଳେ ଗୁରୁ ଅଲେଖଙ୍କୁ ଉପଲବ୍‌ଧି କରିବାପାଇଁ ଗୋଟିଏ ସହଜ ପନ୍ଥା ଶିଖାଇ ଦିଅନ୍ତି । ଶିଷ୍ୟ ଖଣ୍ଡିଏ ବସ୍ତ୍ରଦ୍ୱାରା ସର୍ବାଙ୍ଗ ଆବୃତ ରଖି ନିଶ୍ଚଳରେ ବସି ପ୍ରଥମେ ଅନ୍ଧକାର ଓ ପରେ ଜ୍ୟୋତି ଅନୁଭବ କରେ । ଏହାଉତ୍ତାରୁ ତାହାର ଧର୍ମବିଶ୍ୱାସ ବଦ୍ଧମୂଳ ହୋଇଯାଏ ।

ବିପ୍ର ଯୋଗୀନ୍ଦ୍ର

ଏହାଙ୍କର ଆବିର୍ଭାବ-କାଳ ଜଣାନାହିଁ । ଏ ଯୋଗୀନ୍ଦ୍ର ଦାଣ୍ଡଧୁଆ, ଗଣେଶ-ବିଭୂତି ଓ ଟୀକା ଗୋବିନ୍ଦଚନ୍ଦ୍ର ନାମକ ଦୁଇଖଣ୍ଡି ପୁସ୍ତକ ରଚନା କରିଥିଲେ । ତ୍ରିଲୋଚନ-ଶିଷ୍ୟ ନାଥିଆଙ୍କ ‘ଜ୍ଞାନୋଦୟ କୋଇଲି’ରେ ଯେପରି ଯୋଗତତ୍ତ୍ୱ ବର୍ଣ୍ଣିତ ହୋଇଅଛି, ବିପ୍ର ଯୋଗୀନ୍ଦ୍ରଙ୍କ ‘ଯୋଗୀନ୍ଦ୍ରଦାଣ୍ଡଧୁଆ’ ନାମକ ପୁସ୍ତକରେ ସେପରି ଯୋଗ-ତତ୍ତ୍ୱର ବର୍ଣ୍ଣନା ଅଛି । କିନ୍ତୁ ଭାଷା ସରଳ ଓ ଲଳିତ ଅଟେ I ଯଶୋବନ୍ତଦାସଙ୍କ ଗୋବିନ୍ଦଚନ୍ଦ୍ର ଗଳ୍ପ ବିପ୍ର ଯୋଗୀନ୍ଦ୍ର ଲେଖି ତାହାର ନାମ ‘ଟୀକା–ଗୋବିନ୍ଦଛନ୍ଦ’ ଦେଲେ କାହିଁକି, ବୁଝାଯାଉ ନାହିଁ । ଯୋଗୀନ୍ଦ୍ର-ଦାଣ୍ଡଧୁଆ’ରୁ ପଦେ ତଳେ ଉଦ୍ଧୃତ ହେଉଅଛି :-

 

‘‘କହଇ ସୁନ୍ଦରୀ ଉତ୍ତମ ଭାବି ବହି । ଉଲଟ ତରୁମୂଳେ ସଦାନନ୍ଦ କହି ।

ଉଲଟ ତରୁମୂଳେ ତ୍ରିବେଣୀର ଧାର । ସତ୍ତ୍ୱ, ରଜ, ତମ ତିନି ପ୍ରକାର ।

କମଳକୁ ଉଜାଣି ଉପରକୁ ଚେର । କେଶରରେ ମୁଦ୍ରିତ ହୋଇଅଛି ଭ୍ରମର ।

‘‘ମୃତ୍ୟୁ ଛାର ପିଣ୍ଡକେ କରିପାରେ ।’’

 

କବି ’ଗଣେଶ- ବିଭୂତିରେ’ ବିଭିନ୍ନ ଜାତିର ଉତ୍ପତ୍ତିର ଇତିହାସ ଉଦ୍ଧାର କରିବାକୁ ଚେଷ୍ଟା କରି ଅଛନ୍ତି । ବିଭିନ୍ନ କବି ଜାତିମାନଙ୍କ ଇତିହାସକୁ ’ଗଣେଶବିଭୂତି’ ଆଖ୍ୟା ଦେଇଥିବାରୁ ମରୀଚି ସମ୍ପ୍ରଦାୟ ଅର୍ଥାତ୍‌ ଗଣପତି-ପୂଜାରୁ ବିଭିନ୍ନ ଶୁଦ୍ର ଜାତିର ଉତ୍ପତ୍ତି ଘଟିଅଛି ବୋଲି ଅନୁମିତ ହେଉଅଛି ।

ସପ୍ତାଙ୍ଗଯୋଗ

ଗୋରଖନାଥ ଓ ମତ୍ସ୍ୟନ୍ଦ୍ରନାଥଙ୍କ କଥୋପକଥନ- ଛଳରେ ଯୋଗତତ୍ତ୍ୱ ଏଥିରେ ବର୍ଣ୍ଣିତ ହୋଇଅଛି । କିନ୍ତୁ ସଂସ୍କୃତ ଗୋରଖ-ସଂହିତାରେ ଯେପରି ଶୃଙ୍ଖଳାବଦ୍ଧ ଭାବରେ ଯୋଗ- ପ୍ରଣାଳୀ ବର୍ଣ୍ଣିତ ହୋଇଅଛି ସେପରି ବର୍ଣ୍ଣନା ‘ସପ୍ତାଙ୍ଗଯୋଗ’ ପୁସ୍ତକରେ ନାହିଁ ।

 

ପଞ୍ଚମ ଅଧ୍ୟାୟ

Unknown

ପ୍ରେମଭକ୍ତିର ସାହିତ୍ୟ

କଳାପାହାଡ଼ର ଆକ୍ରମଣ ଉତ୍ତାରୁ ଓଡିଶାର ସ୍ଵାଧୀନତା - ରବି ଅସ୍ତମିତ ହେଲା । ସପ୍ତଦଶ ଶତାବ୍ଦୀର - ଆରମ୍ଭରୁ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପର୍ଯ୍ୟନ୍ତ ଓଡିଶାରେ ମୁସଲମାନ ଶାସନ ପ୍ରଚଳିତ ହୋଇଥିଲା । ତତ୍ପରେ ମରହଟ୍ଟାମାନେ ମୁସଲମାନମାନଙ୍କ ହାତରୁ ନେଇ ଓଡ଼ିଶା ଶାସନ କଲେ । ଚୈତନ୍ୟ ଷୋଡଶ ଶତାବ୍ଦୀର ପ୍ରାରମ୍ଭରେ ଯେଉଁ ପ୍ରେମଭକ୍ତିର ବୀଜବପନ କଲେ ତାହା ଲାଉ ଲଗାଇ ଚଲଣା ଫଳାଇବାର ବାୟୁମଣ୍ଡଳ ମୁସଲମାନ – ରାଜତ୍ୱରେ ସୃଷ୍ଟି କରି କଳୁଷିତ ହୋଇପଡ଼ିଲା । ହିନ୍ଦୁ - ସମାଜର ପବିତ୍ରତା ସଂରକ୍ଷଣ ନ କରି ତାହା ନଷ୍ଟ କରିବାରେ ମୁସଲମାନମାନେ ଆନନ୍ଦ ଅନୁଭବ କରୁଥିଲେ । ସାମାଜିକ ବ୍ୟାପାରରେ ଯଥେଚ୍ଛାଚାରିତା ଘଟିଲେ ସେମାନେ ହସ୍ତକ୍ଷେପ କରିବେ କାହିଁକି ? ସମାଜ ଅତି ଉଚ୍ଚସ୍ତରକୁ ନୀତ ନୋହିଲେ ସାଧାରଣ ଲୋକେ ପ୍ରେମ - ଭକ୍ତିର ଆଦର୍ଶ ଅନୁସାରେ ଚଳିପାରିବେ ନାହଁ । ବିଶେଷତଃ ଯେତେବେଲେ ଲୋକେ କର୍ମହୀନ; ସେତେବେଳେ ପ୍ରେମଚର୍ଚ୍ଚା ଦେଶର ଅନିଷ୍ଟ ସାଧନ କରିବା ସ୍ଵାଭାବିକ ଅଟେ । ଓଡ଼ିଶାରେ କେତେବେଳେ ଅନ୍ନିଚିନ୍ତା ନ ଥିଲା । ସାଧାରଣ ଲୋକେ ଶିଳ୍ପରେ ବ୍ୟାପୃତ ରହି ରାଜାଙ୍କଦ୍ଵାର ଉତ୍ସାହିତ ହେଉଥିଲେ । ଯୁଦ୍ଧ-ବିଗ୍ରହରେ ମଧ୍ୟ ଆପଣା ଶକ୍ତିର ପରିଚୟ ଦେଇ ଉତ୍ସାହିତ ହେଉଥିଲେ । ପରଧୀନ ହୋଇ ବୀରୋଚିତ କର୍ମରେ ନିଜର ପ୍ରତିଭା ଫୁଟାଇବାପାଇଁ ଆଉ କେହି ସୁଯୋଗ ପାଇଲେ ନାହଁ । ଏଣୁ ପ୍ରେମଭକ୍ତିରେ ମୋହରେ ଜନସାଧାରଣ ସେତେବେଲେ ଭାସିଯିବା ବିଚିତ୍ର ନୁହେ ।

 

ଚୈତନ୍ୟ ପ୍ରେମିବାଦର ପ୍ରତିଷ୍ଠାତା ନୁହନ୍ତି । ଯେତେବେଳେ ବଳିର ରାଜତ୍ୱ ପ୍ରଚଳିତ ଥିଲା, ସେତେବେଳେ ବାଳେୟଧର୍ମ ପ୍ରତିଷ୍ଠିତ ହୋଇ ପ୍ରେମବୃତ୍ତି ବିକାଶ- ସାଧନ କରାଯାଇଥିଲା । ତାହାର ଅପକାର ଅନୁଭୂତ ହେବାରୁ ପ୍ରେମଚର୍ଚ୍ଚା ବଦଳରେ ଭକ୍ତି - ଧର୍ମ ପ୍ରତିଷ୍ଠିତ ହୋଇଥିଲା । ଭକ୍ତି - ଧର୍ମରେ ତର୍କବିତର୍କର ସ୍ଥାନ ନ ଥିଲା । ଏଥିରେ ବିଶ୍ୱରେ ସର୍ବବ୍ୟାପୀ ଏକ ଅବିନ୍ତ୍ୟ ପରମେଶ୍ୱରଙ୍କର ସତ୍ତା ବିଶ୍ୱାସ କରାଗଲା ଓ ବିଭିନ୍ନ ମତ ପ୍ରତିଷ୍ଠାତାମାନଙ୍କୁ ତାହାଙ୍କର ଅଂଶାବତାର କୁହାଗଲା । ଏହି ଅଂଶାବତାରଙ୍କ ପଦତଳରେ ମନୁଷ୍ୟ ଜୀବନର ସମସ୍ତ ବିଷୟ ଅର୍ପଣ କରି କର୍ମ କରିବାକୁ ନିର୍ଦ୍ଦେଶ ଦିଆଗଲା : –

 

‘‘ଅହଂ ସର୍ବସ୍ୟ ପ୍ରଭବୋ ମତ୍ତଃ ସର୍ବଂ ପ୍ରବର୍ତ୍ତତେ ।।

ଇତି ମତ୍ତା ଭଜନ୍ତେ ମାଂ ବୁଧା ଭାବସମନ୍ୱିତାଃ ।।

ମଚ୍ଚିତ୍ତା ମଦ୍‌ଗତପ୍ରାଣା ବୋଧୟନ୍ତଃ ପରସ୍ପରଂ ।।

କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରସନ୍ତି ଚ ।।

ତେଷାଂ ସତତୟକ୍ତାନାଂ ଭଜନ୍ତାଂ ପ୍ରୀତିପୂର୍ବକଂ ।।

ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।।’

 

ଯେଉଁ ଭକ୍ତିପଥ ଗୀତାରେ ବର୍ଣ୍ଣନା କରାଯାଇଅଛି, ସେପଥର ପଥିକ ହେବାକୁ ସାଧାରଣ ଲୋକ ସମର୍ଥ ହୋଇ ନ ପାରେ । ନରନାରୀଙ୍କ ପ୍ରେମ-ପ୍ରଗାଢ଼ତାର ଦୃଷ୍ଟାନ୍ତ ଦେଲେ ଉପରୋକ୍ତ ଉକ୍ତିର ପ୍ରଗାଢ଼ତା ଟିକିଏ ବୁଝାଯାଇପାରେ । ପରକୀୟା - ପ୍ରେମର ଦୃଷ୍ଟାନ୍ତଦ୍ୱାରା ଯେପରି ପ୍ରାଞ୍ଜଳ ହେବ, ସ୍ଵକୀୟା - ପ୍ରେମର ଦୃଷ୍ଟାନ୍ତଦ୍ୱାରା ସେପରି ହେବ ନାହିଁ । ପରକୀୟା- ପ୍ରେମରେ ସମାଜଭୟ, ଶାସନଭୟ, ବ୍ୟାଘ୍ର - ସର୍ପଭୟ ପ୍ରଭୃତି ଯାବତୀୟ ଭୟ ତ୍ୟାଗ କରି ପ୍ରେମିକପ୍ରେମିକା ସଙ୍କେତ ସ୍ଥଳକୁ ଗମନ କରନ୍ତି । ଦୃଷ୍ଟାନ୍ତଦ୍ୱାରା ପରକୀୟାପ୍ରେମର ମଧୁରତା ରଖିବାପାଇଁ ଲୋକେ ପରିଚାଳିତ ହେବା ସ୍ୱାଭାବିକ ଅଟେ । ଚୈତନ୍ୟଙ୍କ ପୂର୍ବରୁ ଜୟଦେବ ଓ ନିମ୍ବାର୍କ ପ୍ରେମଭକ୍ତି ପ୍ରଚାର କରିଥିଲେ; କିନ୍ତୁ ତାହା ଜନସାଧାରରେ ପ୍ରଚାରିତ ହୋଇ ନ ଥିଲା । ଖୋଳ-କରତାଳ ଧରି ସଙ୍ଗମେଳରେ ସଂକୀର୍ତ୍ତନ କରି ଗ୍ରାମେ ଗ୍ରାମେ ବୁଲିବା ପ୍ରଥା ଚୈତନ୍ୟ ପ୍ରଚଳିତ କରାଇବାରୁ ପ୍ରେମଭକ୍ତି ଜନପ୍ରିୟ ହୋଇଉଠିଲା । ଏଣୁ ମାତୃଭାଷାରେ କୃଷ୍ଣଙ୍କ ଭଜନ ଓ ରାଧାକୃଷ୍ଣଙ୍କ ପ୍ରେମରସ ଗର୍ଭକ ରଚନାରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ସର୍ବସାଧାରଣ ପାଇଲେ । ଚୈତନ୍ୟ ଦ୍ୱୈତବାଦୀ ଥିଲେ । ବଙ୍ଗର ଗୌଡୀୟ ବୈଷ୍ଣବମାନେ ଜୀବ ଓ ଈଶ୍ୱରଙ୍କ ମଧ୍ୟରେ ଅଚିନ୍ତ୍ୟ ଭେଦାଭେଦ ନିରୂପଣ କରିଅଛନ୍ତି । ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ ଚିନ୍ତାମଣିରେ ଏହି ମତର ଉଲ୍ଲେଖ କରିଅଛନ୍ତି ।

 

ପ୍ରାଚୀନ ଓଡ଼ିଆ କାବ୍ୟମାନଙ୍କର ବୃତ୍ତି ଓ ବାଣୀ ଅଲୋଚନା କଲେ ଜଣାଯାଏ ଯେ ଚାରୁଲବଙ୍ଗଲତା, ଆଷାଢ଼ଶୁକ୍ଳ, ନିଆଳିଗଭା, କୋଟାଇ ଗୁଣ୍ଡିଚା, ଭୂପାଳ, ପୋଇ ପ୍ରଭୃତି କେତେଗୁଡ଼ିଏ ପ୍ରାଚୀନ ଓଡ଼ିଆ ରଚନା ଥିଲା । ସେଗୁଡ଼ିକ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନାହିଁ । ସାହିତ୍ୟପ୍ରେମୀ ଶ୍ରୀଯୁକ୍ତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଉଦ୍ୟମରେ କେତେଗୁଡ଼ିଏ ଚଉତିଶା ଆବିଷ୍କୃତ ହୋଇ ପ୍ରାଚୀ ସମିତିର ଆନୁକୂଲ୍ୟରୁ ପ୍ରକାଶିତ ହୋଇଅଛି । ସେଥିମଧ୍ୟରୁ ‘ଉଦ୍ଧବ - ଚଉତିଶା’ ଓ ‘କାଦମ୍ବିନୀ ଚଉତିଶା’ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପୂର୍ବବର୍ତ୍ତୀ ରଚନା ବୋଲି ପ୍ରମାଣିତ ହୁଏ । କାରଣ ଅଭିମନ୍ୟୁ ‘‘ବିଦଗ୍‌ଧ- ଚିନ୍ତାମଣି’’ରେ ଏଗୁଡ଼ିକରେ ନାମ ଉଲ୍ଲେଖ କରିଅଛନ୍ତି । ଅବଶିଷ୍ଟ ଚଉତିଶାମାନଙ୍କ ମଧ୍ୟରୁ ରାଧା-ଦର୍ଶନ, ଅନୁରାଗ, ଅମୃତନିଧି, ଶ୍ରୀରାଧିକା -ସ୍ମରଣ, ପ୍ରଭୃତି ଅନେକ ଚଉତିଶାର ଭଣତରେ ଦୀନକୃଷ୍ଣଙ୍କ ନାମ ଉଲ୍ଲେଖ ଥିବାର ଦେଖାଯାଏ । କିନ୍ତୁ ଦୀନକୃଷ୍ଣ ଦାସ ନାମରେ କେତେ ଜଣ ପ୍ରାଚୀନ କବି ଥିଲେ, ତାହା ନିରୂପଣ କରିବା ଦୂରୁହ ବ୍ୟାପାର ଅଟେ । ଯାହା ହେଉ,ଏଥିମଧ୍ୟରୁ ବଚ୍ଛାଦାସଙ୍କ କଳସା ନାମକ ରଚନାର ଓ କବି ଲୋକନାଥଙ୍କ ‘‘ବା-ଚଉତିଶା’ର ଉପାଦେୟତା କେହି ଅସ୍ୱୀକାର କରିପାରିବେ ନାହିଁ । ଏ ଦିଓଟି ରଚନାରେ ପ୍ରାଚୀନ ଓଡ଼ିଆ - ସାହିତ୍ୟର ଏକମୁଖୀ ଗତିରୋଧର ପ୍ରୟାସ ଦେଖାଯାଏ ।

ବଚ୍ଛାଦାସ

ଶିବ ଓ ପାର୍ବତୀ ବିବାହ-ବେଦିରେ ବସିଥିବାବେଳେ ପାର୍ବତୀଙ୍କ ସଖୀମାନେ ଶିବଙ୍କ ରୂପଗୁଣର ନିନ୍ଦା ପାର୍ବତୀଙ୍କୁ ଶୁଣାଇବା କଥା ବଚ୍ଛାଦାସ ବର୍ଣ୍ଣନା କରିଅଛନ୍ତି । ଜୀବନର ସମାଲୋଚନାକୁ ସାହିତ୍ୟ କହନ୍ତି । ଏହା ସମାଲୋଚନାମୂଳକ ହୋଇଥିବାରୁ ଉପାଦେୟ ଅଟେ । ଯେତେବେଳେ କେତେକ ଲୋକ ଗୃହସ୍ଥାଶ୍ରମ ଛାଡ଼ି ଜଟା - କୌପୀନଧାରୀ ହେଲେ, ସେତେବେଳେ କେତେକ ନାରୀ ବୋଧ ହୁଏ ‘କଂସର ଘରଣୀ ପଦ୍ମାବତୀ ରାଣୀ’ ହେବାପାଇଁ ମନ ବଳାଇଥିଲେ । ସେମାନଙ୍କୁ ଲକ୍ଷ୍ୟ କରି ବୋଧ ହୁଏ ରଚନାଟି ଲେଖା ହୋଇଥିଲା । ରଚନାର ନାମ ‘କଳସା' ହେଲା କାହିଁକି ? ବେଦରେ ପ୍ରବର୍ଗ୍ୟ - ବିଦ୍ୟାର ଉଲ୍ଲେଖ ଅଛି । ବର୍ଗ୍ୟ-ବର୍ଣ୍ଣ ପାସୋରି ଦେବାର ସାଧନା କଲେ ନାମରୂପ ବା ପଦାର୍ଥର ଅସ୍ତିତ୍ୱ ଦୂର ହୁଏ ‘ଯ' ବା ପବନ ଏବଂ ‘ର’ ବା କାମାଗ୍ନି ଦ୍ଵାରା ‘ଲ’ ବା ବିନ୍ଦୁ ଜାତ ହୁଏ । ଏହି ଯୋଗାଭ୍ୟାସଦ୍ୱାରା କୃଷ୍ଣବର୍ଣ୍ଣା ରମଣୀମାନଙ୍କ ଗର୍ଭରୁ ସୁବର୍ଣ୍ଣ ବର୍ଣ୍ଣର ସନ୍ତାନ ଜାତ ହେଉଥିବାରୁ ସୁବର୍ଣ୍ଣକୁ ‘କଳଧୌତ’ କୁହାଯାଇଅଛି ବୋଲି ପ୍ରତୀତ ହେଉଅଛି । ‘କଳ’ ପାଇଁ ଯେଉଁ ନାରୀମାନେ ଭଜିଲେ, ସେମାନେ ‘କଳସା’ ହେଲେ । ଦେବୀମାନଙ୍କୁ ଯେଉଁମାନେ ପ୍ରସନ୍ନ କରାଇପାରନ୍ତି, ସେମାନଙ୍କୁ ଏବେ ମଧ୍ୟ ଅନେକ ଅଞ୍ଚଳରେ ‘କାଳସୀ’ କହନ୍ତି ।

 

 

 

କବି ଲୋକନାଥ

ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତରରେ ସହଦେବ ଯାହା କହିଅଛନ୍ତି, ତାହାର ବର୍ଣ୍ଣନା ‘‘ବା-ଚଉତିଶା’’ରେ କବି ଲୋକନାଥ ବର୍ଣ୍ଣନା କରି ଅଛନ୍ତି । ତହିଁରୁ ଦୁଇପଦ ତଳେ ଉଦ୍ଧାର କରାଯାଉଅଛି :-

‘‘ଗାରଡ଼ି ମନ୍ତ୍ରକୁ ପଢିବେ ବ୍ରାହ୍ମଣେ ଗାୟତ୍ରୀ ମନ୍ତ୍ରକୁ ଛାଡ଼ି,

ଗଉଡ଼ମାନେ ବୈଷ୍ଣବ ବୋଲାଇବେ ଗାଈପେଟରୁ ବାଛୁରୀ କାଢ଼ି । ବା

ଗୁରୁ ନ ମାନିବେ ଶିଷ୍ୟ ! ଗୁରସ୍ତକୁ ନାରୀ ଦେବେ ବିଷ । ବା

ନବ ଯୁବା ସ୍ତିରୀ ଘରେ ଥାଉ ଥାଉ ବିଟପୀ ସ୍ତିରୀକି ଚିତ୍ତ ।

X            X            X

ମୁଗୁଲ ଖାଇବେ ଓଡ଼ିଶା ରାଇଜ ଯୁଝେଷ୍ଠି ଅଛନ୍ତି ଦେଇ ।

ହେମ ସେତୁବନ୍ଧ ଗଉଡ଼ କର୍ଣ୍ଣାଟ ଓଡ଼ିଶା ରାଜାଙ୍କୁ ଦେଲେ । ବା

ହରି ଶରଣ ନୃପତି ।।”

ଯୁଧିଷ୍ଠିର ଗଉଡ଼, କର୍ଣ୍ଣାଟ ଓ ସେତୁବନ୍ଧ ଓଡ଼ିଶାର ରାଜା ହରିଶରଣ ନୃପତିଙ୍କୁ ଦେଲେ ବୋଲି ଯାହା କହିଅଛନ୍ତି, ତାହା କପିଳେନ୍ଦ୍ର- ଦେବଙ୍କ ସାମ୍ରାଜ୍ୟ ରୂପରେ ବୁଝିବାକୁ ହେବ । ତତ୍ପରେ ଓଡ଼ିଶାର ଧନ ମୋଗଲ ଖାଇଗଲେ ବୋଲି ସେ ଦୁଃଖପ୍ରକାଶ କରିଅଛନ୍ତି । ତାହାହେଲେ କବି ସପ୍ତଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଜୀବିତ ଥିଲେ ବୋଲି ଅନୁମାନ କରାଯାଇପାରେ । ଗଉଡ଼ମାନେ ବୈଷ୍ଣବ ହୋଇ ଗାଈପେଟରୁ ବାଛୁରୀ କାଢିବାର ଅର୍ଥ – ସନ୍ତାନ - ପ୍ରଲୋଭନରେ ନାରୀମାନେ ଅଦ୍ୱୈତବାଦୀ ବୈଷ୍ଣବମାନଙ୍କ ନିକଟକୁ ଧାଇଁଥିଲେ । ବ୍ରାହ୍ମଣମାନେ ତନ୍ତ୍ରପୂଜା ଗ୍ରହଣ କରି ଭୋଜବିଦ୍ୟାର ଆଶ୍ରୟ ନେଇଥିଲେ । ତାହାହେଲେ ଚୈତନ୍ୟଙ୍କ ପ୍ରଚାରିତ ପ୍ରେମଭକ୍ତିର ସୁଫଳ କାହିଁ ? ବର୍ତ୍ତମାନ ମଧ୍ୟ ନାମ - ସଂକୀର୍ତ୍ତନକାଳରେ ଯେଉଁ ଭଜନ ମଫସଲରେ ଗାନ କରାଯାଏ, ତାହା ବଙ୍ଗଳାରେ ରଚିତ ଅଟେ । ‘‘ସର୍ବଦେବଂ ନମସ୍କାରଃ କେଶବଂ ପ୍ରତିଗଚ୍ଛତି’’- ଏହି ନୀତିରେ ଲୋକେ ସଂକୀର୍ତ୍ତନ କରନ୍ତି; ପ୍ରେମ -ଭକ୍ତିର ମର୍ମ କେହି ବୁଝନ୍ତି ନାହିଁ । ଆମ ଓଡ଼ିଆରେ ଶରୀରଭେଦ ଭଜନ ଅଥବା ଜଗନ୍ନାଥଙ୍କ ଭଜନ ପ୍ରାଚୀନ କାଳରେ ବହୁତ ରଚିତ ହୋଇଅଛି । କେବଳ ‘ଗୋଟିପୁଅ’ ନାଚପାଇଁ ରାଧାକୃଷ୍ଣଙ୍କ ପ୍ରେମରସଗର୍ଭକ ସଙ୍ଗୀତ ସପ୍ତଦଶ ଶତାବ୍ଦୀଠାରୁ ରଚିତ ହୋଇଅଛି । ସେଗୁଡ଼ିକ ଭଜନ ନୁହେ । ବୌଦ୍ଧମାନେ ନାମରୂପ ମିଥ୍ୟା ବୋଲି କହୁଥିଲେ; କିନ୍ତୁ ନାମ କହିଲେ ବସ୍ତୁର ରୂପ ଅବଶ୍ୟ ମନେ ପଡ଼ିବ । ଏଣୁ ନାମଭଜନର ପ୍ରୟୋଜନୀୟତା ଉପଲବ୍‌ଧି କରାଯାଇଥିଲା । ବଙ୍ଗୀୟ ବଳଦେବ ବିଦ୍ୟାଭୂଷଣଙ୍କ ମତରେ ଜୀବ ଓ ପରମଙ୍କ ମଧ୍ୟରେ ଅଚିନ୍ତ୍ୟ ଭେଦାଭେଦ ଅଛି; ଅର୍ଥାତ୍ ଏପରି ଭେଦ ଓ ଅଭେଦ ଉଭୟ ଏକତ୍ର ଅଛି ଯେ ତାହା ଚିନ୍ତା କରାଯାଇ ପାରିବ ନାହିଁ ।

ରସକଲ୍ଲୋଳ - ରଚୟିତା ଦୀନକୃଷ୍ଣଦାସ

ଏହାଙ୍କର ଆବିର୍ଭାବକାଳ ନିରୂପଣ କରିବାକୁ ହେଲେ ପ୍ରଥମେ ଏହାଙ୍କର ନିମ୍ନୋଦ୍ଧୃତ ଉକ୍ତି ଅଲୋଚନା କରିବା ଉଚିତ-

କଲି ଯେ ତୁମ୍ଭ- ନାମ କୁସୁମ            ଯତନ କରି ମାଳା ସୁଷମ,

ତାହା ମୂଲାଇ ନେବାକୁ କେହି ନୋହିଲେ କ୍ଷମ ହେ ।

କେବଳ ମାଳାକାର ପରୟେ             ମୁଦ୍ରିତ ନ ଘେନିଲି ଥୋକାଏ

କେ ଅଛି ନେମ ତାହା କରମ ଏଡ଼େ ଉତ୍ତମ ହେ ।

 

କେହିଁ ନାହିଁ ବେଷ୍ଟିତ ଧମ୍ମିଲ୍ଲବନ୍ତ କରିବାକୁ ଏ ମାଳ କଣ୍ଠେ ଲମ୍ବିତ ହୋ ।

କରୁଛି ମନେ ବିଚାର ଏତେ            ଜଗତଯାକ ଅଛନ୍ତି ଯେତେ

ସାମବେଦୀଙ୍କ ବ୍ରତବେଶ ଏ ହେଲେ ସନ୍ତତ ହେ ।

କଲେ ତୁମ୍ଭର ରସରେ ଗୀତ            ଭସଇ ନାହିଁ କାହାରି ଚିତ୍ତ,

କର୍ଣ୍ଣରେ ଶୁଣି ବୋଲନ୍ତି ରସ ବିଶେଷ ନୋହେ ହେ ।

 

କରି ତ ଥାନ୍ତି ଜ୍ଞାନକୁ ହତ,            ମୋହମଦରେ ହୋଇ ସମ୍ମତ,

ମୁଁ ତାଙ୍କୁ କି ବୋଲିବି ମୋହର ନ ଥାଇ କୃତ୍ୟ ହେ ।

କିଛି ଅଛନ୍ତି ଯେତେକ ଗୁଣ                  କେତେ କହିବି ତାଙ୍କ ଚରିତ୍ର ପୁଣି

କେ ଶିଶୁ ଫଣୀ କେ ମହାଫଣୀ            ବୋଧ ନୁହନ୍ତି କର୍ଣ୍ଣରେ ଶୁଣି,

 

କେ ତୁଷ ଭୂତ ହୋଇ ରହେ କେ ପଶନ୍ତି ହାଣି ଦେ ।।( ର: କ: ଛା: ୧୬ ) ।

 

କବି କୃଷ୍ଣଙ୍କ ନାମ - ରସର କବିତା ଲେଖିଲେ; କିନ୍ତୁ ତାହାର ମୂଲ୍ୟ କେହି ଜାଣିଲେ ନାହିଁ-। ଏଣୁ ତାହାକୁ କେହି ଗ୍ରହଣ କଲେ ନାହିଁ । ମାଳାକାର ମାଳା ପିନ୍ଧେ ନାହିଁ; ସେପରି ସେ ନାମ-ରସ ମଧ୍ୟ ବୁଝି ପାରୁନାହାନ୍ତି । ଏ ନାମ-ରସର କବିତା ବୁଝିବାପାଇଁ ପ୍ରକୃତ ଜଟାଧାରୀ ( ଧର୍ମ୍ମଲ୍ଲବନ୍ତ ) ବୈଷ୍ଣବ ନାହାନ୍ତି । ସାମଦେବୀ ବ୍ରାହ୍ମଣମାନେ ଉପନୟନ-କାଳରେ ସମଗ୍ରମସ୍ତକ ଖଣ୍ଡନ କରନ୍ତି; ଯକୁବେଦୀଙ୍କ ପରି ଶିଖା ରଖନ୍ତି ନାହିଁ । କାରଣ ଅଚେତନା ପ୍ରକୃତରୂପିଣୀ ନାଝଶକ୍ତିରୁ ସୃଷ୍ଟିର ଉତ୍ପତ୍ତି ଘଟିଥିବାର ସେମାନେ ବିଶ୍ୱାସ କରୁ ନ ଥିଲେ । ଅଚେତନ ଦେଶକୁ କାଟିଦେଲେ ତାହା ପୁଣି ବଢୁଥିବାରୁ ଅଚେତନ ପଦାର୍ଥର ଜୀବତ୍ୱ ଅଛି ଓ ଅଚେତନା ଶକ୍ତିରୁ ସୃଷ୍ଟିର ଉତ୍ପତ୍ତି ଘଟିଅଛି- ଏକଥା ଯେଉଁମାନେ ବିଶ୍ୱାସ କରୁଥିଲେ, ସେମାନେ ତ୍ରିଗୁଣରୁ ଅତୀତ ହୋଇ ପ୍ରକୃତିର ନିସ୍ତରଙ୍ଗ ଅବସ୍ଥା ଖୋଜୁଥିଲେ । ସାମବେଦୀମାନେ ସେମାନଙ୍କର ବିରୋଧୀ ହୋଇ ମାୟାବାଦ ପ୍ରଚାର କରିଥିଲେ । ଜଟାଧାରୀ-ବୈଷ୍ଣବମାନେ କବି ଦୀନକୃଷ୍ଣଙ୍କର କବିତାରେ ରସ ନାହିଁ ବୋଲି କହୁଥିଲେ । କାରଣ ସେମାନଙ୍କ ମତରେ ରାଧା ସର୍ବଦା କୃଷ୍ଣଙ୍କର ସଙ୍ଗିନୀ ଅଟନ୍ତି; କିନ୍ତୁ ରସକଲ୍ଲୋଳରେ ରାଧାଙ୍କ ପ୍ରେମର କଥା ନାହିଁ । ସାଧାରଣ ଗୋପୀମାନଙ୍କର ମଧ୍ୟରେ ତାହାଙ୍କର ନାମ ସାଧାରଣ ପ୍ରକାରରେ ଦୁଇଥର ଉଲ୍ଲେଖ କରାଯାଇଅଛି । ଏଣୁ ଏ କବିତା ଶୁଣି କେ ଛୋଟ ସାପ ପରି କେ ଅବା ବଡ଼ ସାପ ପରି କବିଙ୍କୁ ଆକ୍ରମଣ କଲେ । ଏଠାରେ ଶିଶୁ ଫଣୀ ଓ ମହାଫଣୀ ଶିଶୁଅନନ୍ତ ଓ ମତ୍ତବଳରାମଙ୍କୁ ସଙ୍କେତ କରୁଥିବାର ଅନୁମିତ ହୁଏ । କାରଣ ସେମାନେ ନାଗସମ୍ପ୍ରଦାୟର ଯୋଗଭ୍ୟାସୀ ଥିଲେ । ତାହାହେଲେ ସେ ଷୋଡ଼ଶ ଶତାବ୍ଦୀର କବି ବୋଲି ଅନୁମାନ କରିବା ଅସଙ୍ଗତ ନୁହେଁ ।

ପ୍ରେମଭକ୍ତିର ସାହିତ୍ୟ

ଭାଷାର କଳ୍ପନା-ଚାତୁରୀ ବିଚାର କଲେ ସଂସ୍କୃତ ନୈଷଧୀୟ ଚରିତ ରସକଲ୍ଲୋଳର ତୁଳନା ଯୋଗ୍ୟ ଅଟେ । କିନ୍ତୁ ଶୈଳୀର ଲଳିତ ଗୁଣ ବିଷୟରେ ନୈଷଧୀୟ ଚରିତ ରସକଲ୍ଲୋଳ ସଙ୍ଗରେ ତୁଳନାଯୋଗ୍ୟ ନୁହେଁ । ରସକଲ୍ଲୋଳର ଶୈଳୀରେ ଯୁକ୍ତବର୍ଣ୍ଣର ବ୍ୟବହାର ସ୍ୱଳ୍ପ ଓ ଯେଉଁ ଯୁକ୍ତବର୍ଣ୍ଣମାନଙ୍କର ବ୍ୟବହାର ଅଛି, ତହିଁ ମଧ୍ୟରେ ଣ୍ଡ, ଣ୍ଢ, ସ୍ଥ, ଷ୍ଠ, ସ୍ତ୍ର ପ୍ରଭୃତି ଲଳିତ ଗୁଣହାରୀ କୌଣସି ବର୍ଣ୍ଣର ସ୍ଥାନ ନାହିଁ—ବରଂ ଅନୁପ୍ରାସାଳଙ୍କାର ଅଛି । ଏଣୁ ଏହାର ଲଳିତଗୁଣବିଶିଷ୍ଟ ଶୈଳୀ ଜୟଦେବଙ୍କ ଗୀତଗୋବିନ୍ଦର ଶୈଳୀ ସଙ୍ଗେ ତୁଳନୀୟ ହେବ ।

 

ଦୀନକୃଷ୍ଣଦାସ ‘ରସକଲ୍ଲୋଳ’ରେ ଯେଉଁ ପ୍ରେମର ଚିତ୍ର ଦେଇଅଛନ୍ତି, ତାହା ମଧ୍ୟ ଚିତ୍ତର ଆଦର୍ଶବାଦ ବୋଲି କୁହାଯାଇପାରେ । ସେ ଲେଖିଅଛନ୍ତି:-

 

‘‘କନ୍ଦର୍ପ-କଳା-କୁଶଳା ହୋଇଥିବ ବାଳା । କରୁଥିବ ଗତି ଭୂଭଙ୍ଗ କଟାକ୍ଷ-ଲୀଳା ।।

କର୍ଣ୍ଣରେ କୁଣ୍ତଳ ହେଉଥିବ ଦୋଳାୟିତ । କଲେ ତା ଦର୍ଶନ ନୋହେ କେଉଁ ସୁଖ ଜାତ ।।

କଣିଆଇ ଚାହୁଁଥିବ ନାସିକା ଫୁଲାଇ । କହୁଥିବ ବତ୍ର ବାଣୀ ଅଳପ ଗେହ୍ଲାଇ ।।

X            X            X            X

କବି ହୋଇ କରୁଥିବ ନିର୍ମଳ କବିତ୍ୱ । କର୍ଣ୍ଣ ଦେଇ ଶୁଣୁଥିବ ରସିକ ପଣ୍ତିତ ।।

କିଞ୍ଚିତ କରି ଆସ୍ୱାଦ କରୁଥିବ ତାହା । କହେ କୃଷ୍ଣ କି ମଧୁରେ ଲେଖିବି ମୁଁ ଏହା ।।’’

 

ରସିକ ପଣ୍ତିତ ନିର୍ମଳ କବିତା ଶୁଣି ଯେପରି ରସ ଆସ୍ୱାଦନ କରିବ, ସେପରି କନ୍ଦର୍ପ-କଳା-କୁଶଳା ବାଳାର ଭଙ୍ଗୀ କେବଳ ଦେଖି ସରସ ପ୍ରେମିକ ଆନନ୍ଦ ଉପଭୋଗ କରିବ । କବି କୃଷ୍ଣ ଓ ଗୋପୀଙ୍କର କ୍ରୀଡା-କୌତୁକର ଉତ୍ସୁକତା ଦ୍ୱାବିଂଶ ଛାନ୍ଦପର୍ଯ୍ୟନ୍ତ ବର୍ଣ୍ଣନା କରିଗଲେ । ପରସ୍ପରର ଇନ୍ଦ୍ରିୟ-ମିଳନର ବର୍ଣ୍ଣନା ତ୍ରୟୋବିଂଶ ଛାନ୍ଦରେ ଗୂଢ ତତ୍ତ୍ୱ ଭିତରେ ବର୍ଣ୍ଣନା କରି ଅଛନ୍ତି:-

 

‘‘କୃଷ୍ଣଙ୍କୁ ରଥୁ କରି ଅବରୋହୀ । କୋପଭରେ ସେ ଚକ୍ରିଣୀ ଆରୋହି ।

କଲା ବିଚିତ୍ର ଗତି । କରି ବିଜୟ ମତି । କୃଷ୍ଣ ହେଲେ ତୃପତି । ଦେଖିକରି ସେ ରୀତି ।।’’

 

ଏଠାରେ ‘ଚକ୍ରିଣୀ’ ପଦର ଅର୍ଥ କୁଣ୍ତଳିନୀ ଅଟେ । କୁଣ୍ତଳିନୀରେ ଚଢିବାର ଅର୍ଥ ଜୀବାତ୍ମାର ଅଧୋଗତି ଅଟେ । ପରମାତ୍ମା ବା ସାକ୍ଷୀ-ଚୈତନ୍ୟ କୃଷ୍ଣ ଅଟନ୍ତି । ଏଥିଉତ୍ତାରୁ ଗୋପୀମାନେ କୃଷ୍ଣଙ୍କ ଅନୁପସ୍ଥିତିରେ କୃଷ୍ଣଙ୍କୁ ଝୁରିଲେ । ଏଥିରେ ଯୁଗଳ-ରସର ବର୍ଣ୍ଣନା ନାହିଁ । ଏଣୁ ଏଥିରେ ରସ ନାହିଁ ବୋଲି ପାଠକେ କହୁଥିଲେ । ରସକଲ୍ଲୋଳରେ ପ୍ରଚାର କବିତ୍ୱ-ରସ ଥିଲେ ମଧ୍ୟ ସଂସ୍କୃତଜ୍ଞ ପଣ୍ତିତମାନେ ସେତେବେଳେ ମାତୃଭାଷାର କବିତାକୁ ଘୃଣା କରୁଥିବାରୁ ତାହାର ଆଦର ବଢି ନ ଥିଲା । ଏସମସ୍ତ କଥା ବିଚାର କଲେ ରସକଲ୍ଲୋଳ ରଚୟିତା ଚୈତନ୍ୟଦେବଙ୍କ ସମକାଳୀନ ଥିବାର ବିଶ୍ୱାସ ଜନ୍ମେ । ‘ଐତରେୟ-ବ୍ରାହ୍ମଣ’ରେ ଶୁତ୍ରର ଉତ୍ପତ୍ତିକୁ ମନୁଷ୍ୟର ପ୍ରଥମ ପୁନର୍ଜନ୍ମ କୁହାଯାଇଅଛି । ଶୁତ୍ରର ଉତ୍ପତ୍ତି ଉତ୍ତାରୁ କୃଷ୍ଣ ବା ସାକ୍ଷୀ-ଚୈତନ୍ୟ ପୃଥକ୍‌ ହେବାକୁ ରଥରୁ ଅବରୋହ କୁହାଯାଇଅଛି କି ?

 

ଦିବାକରଦାସ ‘‘ଜଗନ୍ନାଥାମୃତ’’ରେ ଚୈତନ୍ୟଙ୍କ ଗହଣର ଭକ୍ତମାନଙ୍କର ନାମ ମଧ୍ୟରେ ଲେଖି ଅଛନ୍ତି:-

 

‘‘ଗୁପତ ମୁରାରି ଯେ ଦାସେ । ଶ୍ରୀ ଅକିଞ୍ଚନ କୃଷ୍ଣ ଦାସେ ।।’’

 

ଉଦ୍ଧୃତ ପଦର ‘ଗୁପତ ମୁରାରି’ ବୋଧ ହୁଏ ‘ମୁରାରି ଗୁପ୍ତ’ ଅଟନ୍ତି । ପଦର ଦ୍ୱିତୀୟ ପାଦରେ ବର୍ଣ୍ଣ-ସଂଖ୍ୟାର ସମତା ରକ୍ଷା କରିବା ପାଇଁ ‘ଦୀନ’ ସ୍ଥାନରେ ‘ଅକିଞ୍ଚନ‘ ବ୍ୟବହାର କରାଯାଇଥିବାର ସମ୍ଭବପର ହେଉଅଛି । ରସକଲ୍ଲୋଳରେ କୃଷ୍ଣଙ୍କର ରାଧାପ୍ରେମ ବଦଳରେ ଗୋପୀପ୍ରମର ପ୍ରଧାନ୍ୟ ବର୍ଣ୍ଣିତ ହୋଇଥିବାରୁ ରସକଲ୍ଲୋଳର ରଚନା-କାଳ ଷୋଡଶ ଶତାବ୍ଦୀ ବୋଲି ଅନୁମିତ ହୁଏ । ଏହି ଦୀନକୃଷ୍ଣଦାସଙ୍କ ଚରିତ ଦାର୍ଢ୍ୟତା-ଭକ୍ତିରେ ବର୍ଣ୍ଣିତ ହୋଇଅଛି । ଦିବ୍ୟସିଂହ ଦେବଙ୍କ ରାଜତ୍ୱ-କାଳରେ ରସବିନୋଦର ରଚୟିତା ଦୀନକୃଷ୍ଣ ଜୀବିତ ଥିବାରୁ ରାମଦାସ ଦାର୍ଢ୍ୟତା-ଭକ୍ତିରେ ନିଜର ଉଦ୍ଦିଷ୍ଟ ଦୀନକୃଷ୍ଣ ଉକ୍ତ ରାଜାଙ୍କ ରାଜାତ୍ୱ-କାଳରେ ଆବିର୍ଭୂତ ହୋଇଥିବା ଭୁଲକ୍ରମେ ଲେଖିଥିବାର ଅନୁମିତ ହୁଏ । ରାମଦାସ ଦାର୍ଢତ୍ୟ-ଭକ୍ତିରେ ଲେଖି ଅଛନ୍ତି ଯେ ରାଜାଙ୍କର ପ୍ରଶଂସା ଗାନ କରି କବିତା ଲେଖିବାପାଇଁ ନିଜେ ରାଜା ଦୀନକୃଷ୍ଣ ଦାସଙ୍କୁ ଆଦେଶ କଲେ । କବି ରାଜି ନୋହିବାରୁ ତାହାଙ୍କ ଉପରେ ରାଜାଙ୍କ କୋପଦୃଷ୍ଟି ପଡିଥିଲା । ରାଜା ପ୍ରତାପରୁଦ୍ରଙ୍କର କବି ବଳରାମଙ୍କ ଉପରେ କୋପଦୃଷ୍ଟି ପଡିଥିଲା ବୋଲି କବି ନିଜର ଭଗବଦ୍‌ଗୀତାରେ ଲେଖିଅଛନ୍ତି । ଉକ୍ତ ରାଜାଙ୍କର କୋପଦୃଷ୍ଟି ଜଗନ୍ନାଥଦାସଙ୍କ ଉପରେ ପଡିଥିବାର ଦିବାକରଦାସ ମଧ୍ୟ ଲେଖିଅଛନ୍ତି । ଏଣୁ ପ୍ରତାପରୁଦ୍ରଙ୍କ କୋପଦୃଷ୍ଟି କବି ଦୀନକୃଷ୍ଣଙ୍କ ଉପରେ ପଡିଥିବା ସମ୍ଭବପର ହେଉଅଛି । କବି ନିଜେ ଲେଖି ଅଛନ୍ତି:-

 

‘‘କରିଥିଲା ଆଶ ସେ କ୍ଷେତ୍ରେ ନିବାସ କରିବାକୁ ଦୀନକୃଷ୍ଣ ।

କି ଅଭାଗ୍ୟ ତହିଁ ନ ପାରିଲା ରହି ପ୍ରଭୁ ନୋହିଲେ ସତୃଷ୍ଣ ।।’’

X            X            X            X

‘‘କୃଷ୍ଣ ଆଣେ କରି ସୁବିଦ୍ୟା ଆଚରି ପାଷଣ୍ତକୁ ଯାହା ସ୍ତୁତି ।

କୃଷ୍ଣଦାସ କହେ କିଛି ଭଲ ନୋହେ କେବଳ ଛାତିକୁ କାତି ।।’’

(ର: କ: ଛା:୨୪)

 

ପୁରୀରେ ବାସ କରିବାପାଇଁ ଦୀନକୃଷ୍ଣଦାସଙ୍କର ଇଚ୍ଛା ଥିଲା; କିନ୍ତୁ ତାହା ଫଳବତୀ ହୋଇପାରି ନ ଥିଲା । କୃଷ୍ଣଙ୍କୁ ସ୍ତୁତି କରିବା ଯାହାର ବ୍ରତ ଥିଲା, ରାଜାଙ୍କ ସ୍ତୁତିଗାନ କରିବା ତାହାର ନୀତିବିରୋଧୀ ଅଟେ । ଏଣୁ ରାଜାଙ୍କର ପ୍ରଶଂସା ଗାନ କରିବାପାଇଁ ଦୀନକୃଷ୍ଣଙ୍କୁ ରାଜା ଆଦେଶ ଦେଇଥିଲେ ବୋଲି ଯାହା ରାମଦାସ ଲେଖିଅଛନ୍ତି, ତାହା ବିଶ୍ୱାସଯୋଗ୍ୟ ଅଟେ । ଦାର୍ଢ୍ୟତା ଭକ୍ତି ଅନୁସାରେ ଦୀନକୃଷ୍ଣ ଜାତିରେ କରଣ ଥିଲେ । ରସବିନୋଦ-ରଚୟିତା ଦୀନକୃଷ୍ଣ ଜାତିରେ ଖଣ୍ତାୟତ ଥିଲେ ବୋଲି ସେ ନିଜେ ଲେଖିଅଛନ୍ତି । ରସକଲ୍ଲୋଳର ଶୈଳୀ ଓ ପ୍ରେମର ସ୍ୱରୂପ କରଣ ଛଡା ଅନ୍ୟ କୌଣସି ଜାତିର ଲୋକପକ୍ଷରେ ସମ୍ଭବପର ହେଉ ନାହିଁ । ରାମଦାସଙ୍କ ଉଦ୍ଦିଷ୍ଟ ଦୀନକୃଷ୍ଣ ରସକଲ୍ଲୋଳ-ରଚୟିତା ଛଡ଼ା ଅନ୍ୟ କେହି ନୁହନ୍ତି ।

 

ଦୀନକୃଷ୍ଣଦାସଙ୍କ ନିମ୍ନୋଦ୍ଧୃତ ଉକ୍ତିମାନଙ୍କରୁ ଜଣାଯାଏ ଯେ ପୁରୀରୁ ତାହାଙ୍କୁ କୌଣସି ଧନୀ କୃପଣ ଲୋକ ମଫସଲକୁ ଡାକି ନେଇଥିଲା । ସେଠାରେ ସେ ଅନ୍ନକ୍ଲେଶ ଭୋଗ କରିଥିଲେ-

 

‘‘ଡାକି ଦେଲା କେତେ ପରାଭବ ।

X            X            X            X

ଢୋକିଲା ଅମୃତ ହାତୁଁ ନେଇ ମୋତେ ଏହା କଲେ କୁଶଧ୍ୱଜ ।’’ (ସ୍ନା: ଚ:)

‘‘କୃପଣ ଜନ ଧନଭୋଗ ନୋହିଲେ ମନ ହୁଅଇ ଆନନ୍ଦରେ ସୁଖୀ ।

କୁତ୍ସିତ ଗ୍ରାମେ ଥିଲେ ମହାପଣ୍ତିତ ହେଲେ କି କି ହୋଇ ? ହୁଅଇ ଦୁଃଖୀ ।।’’

(ର: କ: ଛା: ୨୫)

‘‘କିମ୍ପା ଛାଡନ୍ତି ଭଗତ ବାଟ,            ଆନନ୍ଦ ହୋଇ କରନ୍ତି ନାଟ ।

ଏବେ ଅନେକ ରୂପ କଲାନି ଏ ପୋଡା ପେଟ ହେ ।

କେତେବେଳେ ବୋଇତେ ଗଲା କରଟ ହେ ।

X            X            X            X

କେତେବେଳରେ ମୂର୍ଖ-ନାୟକ-ଚାଟ ହେ ।।’’       (ର: କ: ଛା: ୧୬)

 

କାଳ-ସମ୍ପ୍ରଦାୟ ସମୁଦ୍ର ପାର ହୋଇପାରୁ ନ ଥିଲେ । ସେମାନଙ୍କୁ ହଂସ ବା ଜ୍ଞାନୀମାନେ ଶିକ୍ଷା ଦେବାରୁ ସେମାନେ ପାରହେଲେ ବୋଲି ମହାଭାରତରେ ଉକ୍ତି ଅଛି । ତୃତୀୟ ଉଦ୍ଧୃତ ପଦରେ କାକର ବୋଇତରେ ପାରି ଓ ଆନନ୍ଦରେ ନାଟ କରିବା କଥାରୁ ସୂଚନା ମିଳେ ଯେ ଅନ୍ୟର ମତ ଅନୁସରଣ କରି ସେ ନାମ-ସଂକୀର୍ତ୍ତନରେ ଯୋଗ ଦେଉଥିଲେ । ନାମ-ସଂକୀର୍ତ୍ତନରେ

 

‘‘ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ

ହରେରାମ ହରେରାମ ରାମ ରାମ ହରେ ହରେ ।’’

ବା

‘‘ରାଧେକୃଷ୍ଣ ରାଧେକୃଷ୍ଣ କୃଷ୍ଣ କୃଷ୍ଣ ରାଧେ ରାଧେ

ରାଧେଶ୍ୟାମ ରାଧେଶ୍ୟାମ ଶ୍ୟାମ ଶ୍ୟାମ ରାଧେ ରାଧେ ।।’’

 

ଗାଇବାକୁ ପଡୁଥିଲା । ଏହା ଏକାନ୍ତିକା-ପ୍ରେମଭକ୍ତିର ପଥ ନୁହେ ବୋଲି ବୋଧ ହୁଏ ତାଙ୍କର ଧାରଣା ଥିଲା । କାରଣ ରାଧା, ହରି, କୃଷ୍ଣ ଓ ରାମ ନାମ ଭଜନ କଲେ ଏକାନ୍ତିକା କୃଷ୍ଣଭକ୍ତି ଆସିବ କାହୁଁ ?

 

ଉପେନ୍ଦ୍ରଭଞ୍ଜ ଓ ଅଭିମନ୍ୟୁ ସଖୀମାନଙ୍କ ଗହଣରେ ନାୟିକାର ବନବିହାରରେ ଅନେକ ଫୁଲର ବର୍ଣ୍ଣନା ଦେଇଅଛନ୍ତି । କିନ୍ତୁ ଗୋପୀମାନଙ୍କ ବନବିହାରରେ ଦୀନକୃଷ୍ଣଦାସଙ୍କ କେତେଗୁଡିଏ ଫୁଲର ବର୍ଣ୍ଣନା ଯେପରି ମନୋରମ ହୋଇଅଛି ଓ ଐତିହାସିକ ତଥ୍ୟ ପରିସ୍ଫୁଟ କରି ଦେଉଅଛି, ସେପରି ଆଉ କାହାରି ହୋଇନାହିଁ—

 

‘‘କେଉଁ ଗୋପୀ ଦେଖି, ବୋଲଇ ଗୋ ସଖି, ଦେଖ ଦେଖ ଏ ନାଗେଶ୍ୱର

କାନ୍ତ ବିଚ୍ଛେଦରେ, ବିରହିଣୀଠାରେ, କେବଳ ହୁଏ ନାଗେଶ୍ୱର ।

କନ୍ଦର୍ପ-କରତଟି ଏହି କେତକୀ ।

କରତି ବିରହୀ ଅଙ୍ଗ ପ୍ରାଣ ନେବା କଥା ହଁ ଏହାକୁ କେତେ କି ।।’’

 

ନାଗେଶ୍ୱର—ଶିବ ଓ ପ୍ରବଳ ବିଷାକ୍ତ ନାଗ । କାନ୍ତ ଥିଲେ ପାର୍ବତୀଙ୍କ ପରି ହେବ; ନଚେତ୍‌ ଯେଉଁ ନାଗ-ସମ୍ପ୍ରଦାୟ ସ୍ତ୍ରୀ-ସଙ୍ଗ ପରିତ୍ୟାଗ କରିବାପାଇଁ ପ୍ରଚାର କରୁଥିଲା, ସେହି ସମ୍ପ୍ରଦାୟର କବଳରେ ପଡି ବିରହିଣୀ ହୋଇ କଷ୍ଟ ପାଇବ । ସାପର ନାମ କେତୁ । ଏହି କେତୁ ବା ସାପ କେତେକୀ କୁଞ୍ଜରେ ରହନ୍ତି ବୋଲି ପ୍ରବାଦ ଅଛି । କେତୁ-ସମ୍ପ୍ରଦାୟ ସ୍ତ୍ରୀଲୋକମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ।

 

‘‘କୁସୁମ ଉତ୍ତମ, ବାସ ମନୋରମ, ନାମ ମାତ୍ରକ ଛୁରିଅନା ।

କର୍ଣ୍ଣ-ପଥେ ଶୁଣି, ପ୍ରବାସି-ରମଣୀମାନେ ହୁଅନ୍ତି କ୍ଷୂଣ୍ଣମନା ।

କୃଷ୍ଣରେ, କୃଷ୍ଣ ସମ ଦେଖି ତମାଳ ।

କାନ୍ତ-ବିୟୋଗରେ, ବିରହ-ଭୋଗରେ, ପ୍ରତେ ହୁଏ କାମ-ତମାଳ ।।’’

 

ଛୁରିଅନା ଭଲ ଫୁଲ ସତ; କିନ୍ତୁ ତାର ନାମରୁ ଜଣାଯାଏ ଯେ, ସେ କହୁଅଛି—ଛୁରିକୁ ଚାହିଁ ମୋ ପାଖ ଆସ ନାହଁ । ସ୍ତ୍ରୀବିଦ୍ୱେଷୀ ସମ୍ପ୍ରଦାୟର କଥା ଏ ମନେ ପକାଇଦିଏ । ତମାଳର କୃଷ୍ଣବର୍ଣ୍ଣ ଦେଖିଲେ କୃଷ୍ଣ ମନେ ପଡନ୍ତି । କୃଷ୍ଣ ନ ଥିଲେ ଏ କାମର ଖଡ୍‌ଗ ପରି ହୁଏ ।

 

‘‘କିଂଶୁକ କୁସୁମ, ନୁହଇ ଏ କାମ, ଅର୍ଦ୍ଧଚନ୍ଦ୍ର ବାଣ ପରାୟେ ।

କାନ୍ତାର୍ଥିନୀ ନାରୀ, ଅଙ୍ଗକୁ ବିଦାରି, ହୋଇଛି ମହାରଙ୍ଗମୟେ ।

କରଇ, ଯହୁଁ ବିଯୋଗିନୀ ପଳାଶ ।

କହିଲି ଗୋ ସହି ଜାଣିଥାଅ ସେହି ଘେନି ଏହା ନାମ ପଳାଶ ।’’

 

କିଂପୁରୁଷମାନେ ନାରୀପ୍ରତି ପୁରୁଷପରି ବ୍ୟବହାର ନ କରି ଘୋଡାପରି ବଳ ପ୍ରୟୋଗ କରୁଥିଲେ । କିଂଶୁଳ ସେପରି ଶୁକପରି ପ୍ରେମ-ବ୍ୟବହାର ନ କରି ନାରୀ ଓ ପୁରୁଷ ଭିନ୍ନ ଭିନ୍ନ ବୋଲି ପ୍ରଚାର କରି ଅର୍ଦ୍ଧଚନ୍ଦ୍ର ପରି ହୋଇଅଛି । ଏଣୁ ନାରୀ ହୃଦୟର ପଳ ବା ମାଂସ ଖାଇଥିବାରୁ ତାହାର ନାମ ପଲାଶ ହୋଇଅଛି । କିନ୍ତୁ ବିରହିଣୀ ମାଂସ ଖାଏ ନାହିଁ ।

 

‘‘କନକ-କୁସୁମ, ବୋଲି ଏହା ନାମ, ବିଧାନ କରିଅଛି ବିହି ।

କେଉଁ ଅବିଗୁଣେ, ଅବିବେକ ପଣେ ଭୃଙ୍ଗ ଏହାକୁ କଲା ଦ୍ରୋହୀ ।

କୋମଳେ, ଶୁଣାଇଲେ ସୁଧା ଆଳାପ ।

କାଳ ଅପ୍ରାପତ ହୋଇଥିଲେ ଜାତ କରଇ କୁସୁମ କଳାପ ।’’

 

କନକଚମ୍ପା ବା ସୁବର୍ଣ୍ଣବର୍ଣ୍ଣା ନାରୀମାନଙ୍କ ପାଖରୁ ଭମର ବା ଜାର ପୁରୁଷ ଯାଏ ନାହିଁ । ଶୂନ୍ୟବାଦୀମାନେ ସ୍ୱର୍ଣ୍ଣବର୍ଣ୍ଣା ବାଳିକାମାନଙ୍କ ସଙ୍ଗରେ କୋମଳ ପ୍ରେମାଳାପ କରୁଥିଲେ । ସେମାନେ ଅକାଳରେ ପୁଷ୍ପବତୀ ହେଉଥିଲେ । ଶୂନ୍ୟବାଦ ଉଡାଇବାପାଇଁ ଚମ୍ପକ-ଦ୍ୱାଦଶୀ ଯାତ୍ରାରେ ବାଣ ମରାଯାଉଥିଲା ।

 

‘‘କୋମନ୍ତ ବିଶାଳ ନେତ୍ର- ସୁଖଶାଳ, ସଖୀ ଏ ପ୍ରମାଣ ରସାଳ ।

କାନ୍ତକୋଳଗତ, ନୋହିଲେ ସାକ୍ଷାତ, ହୁଅଇ ଏକା ଏ ରସାଳ ।

କୋକିଳ, ଠାରୁ ସବୁରି ସ୍ନେହ-ପାତ୍ର ।

କାମକରେ ପାତ୍ରୀ ହେଲେ ବାମନେତ୍ରୀମାନଙ୍କୁ ବାମ ହୁଏ ମାତ୍ର ।’’

 

ରସାଳ—ରସର ଗୃହ ଓ ବିଷ ଔଷଧ । ଆମ୍ୱଗଛରେ ଯେପରି ବହୁ ଫଳ ହୁଏ, ନାରୀମାନେ ସେପରି ବହୁ ସନ୍ତାନ-ପ୍ରସବିନୀ ହେବାପାଇଁ କୋକିଳ-ସମ୍ପ୍ରଦାୟ କାମନା କରୁଥିଲା ।

 

‘‘କେଉଁ ଗୋପୀ ହସି, ବସ୍ତ୍ରବାଣୀ ଭାଷି, ବୋଲେ ଦେଖ ଏ କାମଦୂତୀ ।

କାମକାର୍ଯ୍ୟ ସିଦ୍ଧ, କରିବାରୁ ବୁଧମାନେ ବୋଲନ୍ତି ଏ କାମଦୂତୀ ।

କେ ବୋଲେ, ଶୁଣ ଗୋ ସମସ୍ତ ସୁନାରୀ

କୃତମାଳ ନାମ ଥିବାରୁ ଏ କାମ ଅବନୀପତିର ସୁନାରି ।’’ (ର: କ: ଛା: ୧୨)

 

‘‘କରିଛି କୁସୁମ, କପଟେ ସୁଷମ, ତପନୀୟ କଣ୍ଠମାଳାକୁ ।

କନ୍ଦର୍ପକୁ ଭୟେ ନ ଥିଲେ ଥୋକାଏ ନେଇଯାଅ ଯେଝା ଗଳାକୁ ।

କେ ବୋଲେ, ସୁଖଲୋଭେ ଦୁଃଖ ପାଇବ ।

କେତୁମୁଣ୍ତ ପ୍ରାୟେ ତୁଣ୍ତ-ସୁଆଦରୁ କାଳେ ଦଣ୍ତ ସିନା ହୋଇବ ।’’

 

ସୁନାରୀ ଫୁଲର ବର୍ଣ୍ଣ ସ୍ୱର୍ଣ୍ଣପରି ଓ ଏହା ହାର ଆକୃତିରେ ଫୁଟେ । ଏଣୁ ଏହାକୁ କୃତମାଳ କହନ୍ତି । ପ୍ରେମିକମାନେ ପ୍ରେମିକା ନିକଟକୁ ସୁନାରି ହାତରେ ସୁନାର ହାର ଉପହାର ପଠାନ୍ତି । ଏଣୁ ଏ ଫୁଲ କାମଦୂତୀ ପରି ଅଟେ । ହଳଦି ଲଗାଇ ସୁନାପରି ବର୍ଣ୍ଣ ହୋଇଥିବା ନାରୀମାନଙ୍କପ୍ରତି ଉଚ୍ଚ ଜାତିର ଲୋକେ ପ୍ରେମାସକ୍ତ ହୋଇଥିଲେ ବୋଲି ଏହାର ବର୍ଣ୍ଣ କାମଦେବଙ୍କ ବର୍ଣ୍ଣପରି ବୋଲି କୁହାଯାଏ ।

 

‘‘କୃଷ୍ଣ-କରୁଣାରେ, ମନ ଫୁରୁଣାରେ, ଆମ୍ଭେ ବୋଲୁଥାଇଁ ନିଆଁଳୀ ।

କେଉଁ ରସବତୀ, ବିରହ-ବିପତ୍ତି, ପାଇ ବୋଲୁଥିବ ନିଆଁଳୀ ।

 

କେ ବୋଲେ, ଦେଖ ଦେଖ ସଖି ଅଶୋକ ।

କେଉଁ ରସକିନୀ କାନ୍ତ-ବିଯୋଗିନୀ ହେଲେ ନ କରାଏ ଅଶୋକ ।’’

 

ନିଆଳୀ—ସଖୀଶୂନ୍ୟ ନିର୍ଜନ ସ୍ଥାନ । ନିଆଁଳୀ—ଅଗ୍ନି ଲଗାଇ ପୋଡିବା ନାରୀ । କାନ୍ତସଙ୍ଗ ପାଇଲେ ନିର୍ଜନ ସ୍ଥାନ ଦରକାର ହୁଏ; ନଚେତ୍‌ ବିରହିଣୀ ପକ୍ଷରେ ନିର୍ଜନ ସ୍ଥାନ ଯନ୍ତ୍ରଣା-ଦାୟକ ଅଟେ ।

 

‘‘କେଶବ-ପ୍ରସାଦେ, କାମ ଅପ୍ରମାଦେ, ଆମ୍ଭଙ୍କୁ ହୋଇଛି ପୁନ୍ନାଗ ।

କାନ୍ତ-ସଙ୍ଗ-ଛଡା, କାମରସ ପୀଡା, ହୋଇଲେ ହୁଏ ଏ ପୁନ୍ନାଗ

 

କେବଳ, ଭଲ କାଳେ ଭଲ ସଭିଏ ।

କେ ଅବା ଅଭଲେ ଅଭଲ ନୋହିଛି ବିଚାରି କହିଲ ସଭିଏ ।’’

ପୁନ୍ନାଗ—ପୁରୁଷଶ୍ରେଷ୍ଠ ଓ ଶୂନ୍ୟବାଦ ପ୍ରଚାର କରିଥିବା ଶ୍ୱେତକେତୁ ।

 

‘ରସକଲ୍ଲୋଳ’ର ବର୍ଣ୍ଣନାଚମତ୍କାରିତା କୌଣସି ଭାଷାର ସାହିତ୍ୟରେ ନ ଥିବ । ଗୁଣୀକି ଗୁଣୀ ଚିହ୍ନେ । ସେଥିପାଇଁ ଉପେନ୍ଦ୍ରଭଞ୍ଜ ‘‘ଦୀନକୃଷ୍ଣପଦେ ଶରଣ’’ କହିଥିଲେ । ଗ୍ରୀଷ୍ମ, ବର୍ଷା, ଶରତ୍‌ ଓ ବସନ୍ତ ଋତୁର ବର୍ଣ୍ଣନା ସ୍ୱଭାବୋକ୍ତି ଅଳଙ୍କାରରେ କରାଯାଅଇଛି । ବର୍ଷା ଋତୁର ବର୍ଣ୍ଣନାରୁ କେତେକ ପଂକ୍ତି ଉଦ୍ଧାର କରାଯାଉଅଛି :-

X            X            X            X

‘‘କୃଷିକାରକେ ହୋଇ ହରଷ,            କଲେ ଯେ ଯାହା ଇଚ୍ଛାରେ ଚାଷ,

କେଦାରମାନଙ୍କରେ ପୂରିଲା ଗୀତ ଅଶେଷ ।’’

‘‘କଲେ ତାଣ୍ତବ, ମଧ୍ୟ-ପାଣ୍ତବ-ବିଟପୀ ଶିରେ ମାର୍ଜାର ରବ ।’’

‘‘କାହା ଚରଣ ଖସେ, କେ ଦେଖି ହସେ, କେଉଁ ପଥିକ ନଦୀତଟରେ ବସେ ।

କରଇ ଚିନ୍ତା ତରଣୀ ପାଇଁ କେଉଁ ତରୁଣୀ ପଚାରେ ଯାଇ,

କେମନ୍ତ ହୋଇ ଯିବ ପୂରିଛି ଏ ଘନରସେ ।’’

‘‘କୁମ୍ଭଭେଳାରେ ହୁଅନ୍ତି ପାରି, କାହିଁ ତ ଏଥି ନାହାନ୍ତି କରୀ,

ମୋହ ନାୟକ ନାହାନ୍ତି, ଯାଇଛନ୍ତି ସେ ପାରି ।’’

(ର: କ: ଛା: ୧୬)

ମଧ୍ୟପାଣ୍ତବ-ବିଟପୀ-ଅର୍ଜ୍ଜ ନ ଗଛରେ ମୟୂର ବସିବାକୁ ଭଲ ପାଏ । ମାର୍ଜର-ସମ୍ଭୋଗ ବନ୍ଧ ସ ବିରାଡି । ଘନରସ-ବର୍ଷାଜଳ ଓ ଶୃଙ୍ଗାରରସ । କୁମ୍ଭ-ମାଠିଆ, କରୀକୁମ୍ଭ ଓ ନାରୀସ୍ତନ । କରୀ---ହାତୀ ଓ ନାରୀ ।

 

ବର୍ଷାଋତୁରେ ଗୋଡ ଖସିବାରୁ କେହି ପଡିଗଲେ ଆମ ଦେଶରେ ଲୋକେ ହସନ୍ତି କାହିଁକି ? ଯେଉଁ ଦେଶର ଲୋକେ ଉଡିପାରୁଥିଲେ, ସେ ଦେଶରେ କୌଣସି ଲୋକ ଭୂମିରେ ଚାଲିବାବେଳେ ପଡିଗଲେ ଦର୍ଶକକୁ ମାଡିବା ସ୍ୱାଭାବିକ ଅଟେ ।

 

ଦୃଷ୍ଟାନ୍ତ ଅଳଙ୍କାରରେ କୌଣସି କଥାର ଉତ୍ତର ଦେବା ଓଡିଆମାନଙ୍କର ପ୍ରାଚୀନ କାଳର ସ୍ୱଭାବ ଥିଲା । କୃଷ୍ଣଙ୍କ କଥାକୁ କି ସୁନ୍ଦର ଦୃଷ୍ଟାନ୍ତରେ ଗୋପୀମାନେ ଉତ୍ତର ଦେଇ ଅଛନ୍ତି, ପାଠକେ ବିଚାର କରନ୍ତୁ ।

 

କୃଷ୍ଣ—‘‘କରୀବର ପ୍ରାୟେ ଏଥି ଗମନ ତୁ କରୁ । କେଉଁ ଲୋକ ଏଥି ତୋତେ ବୋଲୁଥାଇ ଭୀରୁ । ଗୋପୀ—କୁବଳୟଦୃଶା ହସି ବୋଇଲା ହେ ହରି । କେତେବେଳେ ଫଳ କି ଲତାକୁ ହୁଏ ଭାରି ।’’

(ଛା: ୭)

ହାତୀର କୁମ୍ଭ ଥିଲେ ମଧ୍ୟ ସେ ପର୍ବତରେ ବୁଲିପାରେ । ନାରୀମାନେ ସର୍ବତ୍ର ବୁଲିପାରିଲେ ସେମାନଙ୍କୁ ଭୀରୁ କହିବାର କାରଣ ନାହିଁ ।

X                  X                  X

ଗୋପୀ—‘‘କଣ୍ଠରେ ଥିବା ମାଳା, କାଟି ଦେଉଛି ଗଳା, କହିବାକୁ ଏ କଥା ଲାଜ ।’’

      ‘‘କେତେ ନୂଆ ଅପାଙ୍ଗ, ମଣ୍ତି ହୋଇବ ଅଙ୍ଗ, କେତେ ଶୁଣିବ ନୂଆ ବାଣୀ ।’’

 

କୃଷ୍ଣ—କେତେ ମଧୁର ନୂଆ ଛାଡ, କରଇ ଅବିଗୁଣ ବଡ

      କାଳ-ଦୀର୍ଘକୁ ପାଇ କେତେ ଗୁଣ କରଇ ଏଠାରେ ପିତାଭାବ ଛାଡ ।

(ଛା:୨୬)

 

ଦୀନକୃଷ୍ଣଙ୍କ ରଚନା-ଚମତ୍କାରିତା ଦେଖାଇବାପାଇଁ ଏଠାରେ ସ୍ଥାନ ନାହିଁ । ରସକଲ୍ଲୋଳର ପ୍ରତ୍ୟେକ ପଦର ଆଦ୍ୟରେ ‘କ’ ବର୍ଣ୍ଣ ବ୍ୟବହୃତ ହୋଇଅଛି । କିନ୍ତୁ କାବ୍ୟର ନାମଟିରେ ସେପରି ହୋଇନାହିଁ-ଏତିକି ଉପେନ୍ଦ୍ରଭଞ୍ଜ ବାହୁନିଥିଲେ ବୋଲି ପ୍ରବାଦ ଅଛି ।

 

କଥାରେ ଅଛି—ତୁଳସୀ ଦି’ପତ୍ରରୁ ବାସେ । ମନୁଷ୍ୟ ବୁଦ୍ଧ ହେଲେ ମଧ୍ୟ ତାହାର ଶୈଶବର ସ୍ୱଭାବ ସମ୍ପୂର୍ଣ୍ଣ ରୂପରେ ଲୁପ୍ତ ହୁଏ ନାହିଁ, ଅଭ୍ୟାସଜନିତ ରୀତି ବା ବ୍ୟବହାର ଦୂର ହୋଇପାରେ । ସେପରି ପିଲାଦିନେ ଯାହାର ଭାଷାର ଭଙ୍ଗୀ ଯେପରି ହୋଇଥାଏ; ବୃଦ୍ଧକାଳକୁ ସେପରି ରହିଥାଏ । ପରିହାସ ବର୍ଣ୍ଣନାରେ ଦୀନକୃଷ୍ଣ ଜୀବନର ପ୍ରଥମ ଭାଗରେ ଯେପରି ନିପୂଣ ଥିଲେ, ରସକଲ୍ଲୋଳର ରଚନା-କାଳକୁ ସେପରି ଥିଲେ । ତାଙ୍କ ଜୀବନର ପ୍ରଥମ ଭାଗର ରଚନା ‘ନାବକେଳି’ରୁ ତଳେ ଦୃଷ୍ଟାନ୍ତ ଦିଆଯାଉଅଛି ।

 

‘‘କୃଷ୍ଣ ବୋଲି ତାଙ୍କୁ ନ ଜାଣୁ କେହି । ମାୟାରୂପେ ଛନ୍ତି କେଉଟ ହୋଇ ।।

ଅଝାଲ ଦଉଡି ବାନ୍ଧିଛି ଟାଣି । ଦଦରା ନାବରୁ ବହୁଛି ପାଣି ।।

କରରେ ବଇଁଶୀ କଙ୍କଣ ଆଭା । ମୟୂର ଖୁଲାରି ମଥାରେ ଶୋଭା ।।

ମୀନ ଖାଳୁଥାଏ ଅଛି ପାଖରେ । ଜାଲ ପଡିଅଛି ନାବ ଭିତର ।।

ଢମାଳି କରି ଗୀତ ପଦେ ଗାଇ । ସ୍ଥିର କରି ନାବ ଦେଉଛି ବାହି ।।

ଏଡେ ହଟିଆ ଗୋ ନନ୍ଦର ବତ୍ସି । ବୃଦ୍ଧ ରୂପ ଧରି ନାବ ବାହୁଛି ।।

ଅତି ପରପଞ୍ଚ ଖାଙ୍କର କେଶ । ଦେଖି ନ ଯୋଗାଏ ଏମନ୍ତ ବେଶ ।।’’

X            X            X            X

ବଦନ ଟେକି କଣିଆଇ ଚାହେଁ । ଏଣିକି ବୋଇଲେ ତେଣିକି ଯାଏ ।।

ଜାଲ ଯେସନେ ପାଣେ ରହିଥାଇ । ଡାକି ଡାକି ମଲେ ଶୁଣଇ ନାହିଁ ।।

ମନେ ତାପ କରି ଅତି ଧ୍ୱକ୍‌କାରେ । ଗାଳିଦେଲୁ ତାକୁ କେତେ ପ୍ରକାରେ ।।

ପଡି ନ ମଲୁ ରେ ଜାଡୁଆଗୋଟା । କାଲ ହୋଇଲୁ କି ଆରେ କେଉଟା ।।

ଡାକି ଡାକି ଆମେ ମରୁଛୁ ଏଣେ । ସର୍ପ ଖାଉ ତୋର ବେନି ଶ୍ରବଣେ ।।

ଦଇବ ଯେମନ୍ତ ହୋଇବ ସତ । ବୁକୁରେ ତୋର ମାଡିବସୁ ଭୂତ ।।

ନାବମଙ୍ଗ ଖଣ୍ତ ପଡିବ ଛିଡି । ମଝି ନଈରେ ତୁ ମରିବୁ ବୁଡି ।।

ଅଝାଲ ଦଉଡି ଛିଡିଣ ଯାଉ । ନାବ ବୁଡୁ ତୋତେ କୁମ୍ଭୀର ଖାଉ ।।

X            X            X            X

ଏମନ୍ତେ ଶ୍ରୀକୃଷ୍ଣ ଲୟ ଯେ କଲେ । କେ ତୁମ୍ଭେ ବୋଲିଣ କୋପେ ବୋଇଲେ ।।

ଦଦରା ନାବରେ ଅଛଇ ଚଢି । କାହିଁକି ମରୁଛ ବୋବାଳି ପାଡି ।।

ଭାତ-ବରତନ ଦେଇଛ କେତେ । ତହିଁକି ତେଜ ଲୋ କାଢୁଛ ଏତେ ।।’’

 

ଏଥିରେ ଦୀନକୃଷ୍ଣ ଦେଖାଇଅଛନ୍ତି ଯେ ରୂପ ଅପେକ୍ଷା କଥାର ମୂଲ୍ୟ ଅଧିକ ଅଟେ । ସେଥିପାଇଁ ସେ ‘ରସକଲ୍ଲୋଳ’ରେ କହିଅଛନ୍ତି:-

 

‘‘କୋମଳ କରି କଥାମାନ କହ । କୃଷ୍ଣ ଭକତ ଜନମନ ମୋହ ।।’’

 

ଜଗନ୍ନାଥଙ୍କର ବର୍ଣ୍ଣନା-ପ୍ରସଙ୍ଗରେ କବି ଲେଖିଅଛନ୍ତି:---

‘‘କପାଳେ ସୁବର୍ଣ୍ଣରେଖା ରାହୁ ଝଲକ । କେଉଁ ଲୋକ ଅଙ୍ଗ ନ କରଇ ପୁଲକ ।।’’

ମହାଯାନ ବୌଦ୍ଧ-ଧର୍ମାବଲମ୍ୱୀମାନେ ରାହୁ ଅଟନ୍ତି । ପ୍ରକୃତରେ ମହାଯାନ ବୌଦ୍ଧ-ଧର୍ମରୁ ଜଗନ୍ନାଥଙ୍କ ମୂର୍ତ୍ତି-ପୂଜା ଉଭୂତ ହୋଇଅଛି ।

 

ଶ୍ରୀକୃଷ୍ଣ ସୁନାରିବେଶରେ ଗୋପୀଙ୍କ ନିକଟରେ ଅଳଙ୍କାର ବିକିବା ‘ଅଳଙ୍କାର ବୋଲି’ରେ, ‘‘ପ୍ରଭାତ-ଅବକାଶ’’ରେ ଜଗନ୍ନାଥଙ୍କ ଅବକାଶ ନୀତି, ଜଗନ୍ନାଥଙ୍କ ଦେବସ୍ନାନ-ପୂର୍ଣ୍ଣମା ଉତ୍ସବ ‘‘ସ୍ନାନ-ଚଉତିଶା’ରେ ଓ ‘‘ଗୁଣ୍ତିଚା ବିଜେ’’ରେ ଜଗନ୍ନାଥଙ୍କ ଗୁଣ୍ତିଚାଯାତ୍ରାର ବର୍ଣ୍ଣନା କରିଅଛନ୍ତି । ଆଉ ଅନେକ ଚଉତିଶା ସେ ରଚନା କରିଅଛନ୍ତି । ସେମାନଙ୍କ ମଧ୍ୟରୁ ‘‘ଆର୍ତ୍ତତ୍ରାଣ ଚଉତିଶା’’ ସୁପରିଚିତ ଅଟେ ।

 

ରାମାନନ୍ଦ ରାୟ

ଚୈତନ୍ୟଦେବଙ୍କ ଓଡିଶା-ଆଗମନ ପୂର୍ବରୁ ପ୍ରତାପରୁଦ୍ରଦେବ ରାମାନନ୍ଦ ରାୟଙ୍କୁ ଦାକ୍ଷିଣାତ୍ୟର ଶାସନକର୍ତ୍ତା ନିଯୁକ୍ତ କରିଥିଲେ । ଓଡିଶା-ଯାତ୍ରା କାଳରେ ରାମାନନ୍ଦ ରାୟଙ୍କ ସହିତ ସାକ୍ଷାତ୍‌ କରିବାପାଇଁ ଚୈତନ୍ୟଙ୍କୁ ସାର୍ବଭୌମ ଅନୁରୋଧ କରିଥିଲେ ବୋଲି ବଙ୍ଗଳା ଚୈତନ୍ୟଚରିତାମୃତ ‘ମଧ୍ୟ-ଲୀଳା’ର ସପ୍ତମ ପରିଚ୍ଛେଦରେ ବର୍ଣ୍ଣନା କରାଯାଇଅଛି । ରାମାନନ୍ଦ ଶୁଦ୍ର ଓ ବିଷୟୀ ହେଲେ ମଧ୍ୟ ପଣ୍ତିତ ଓ ଭକ୍ତ ଥିଲେ । ଚୈତନ୍ୟ ଓଡିଶାରୁ ଯାଇ ଗୋଦାବରୀ ତୀରରେ ଉପସ୍ଥିତ ହୋଇଥିଲେ । ସେଠାକୁ ସ୍ନାନାର୍ଥ ଆସୁଥିବାବେଳେ ରାମାନନ୍ଦଙ୍କ ସହିତ ଚୈତନ୍ୟଙ୍କର ସାକ୍ଷାତ୍ ହେଲା । ସେତେବେଳେ ରାମାନନ୍ଦ ଭାଗବତ-ତତ୍ତ୍ୱ ଚୈତନ୍ୟଙ୍କୁ ଶୁଣାଇଲେ । ଏହା ଯଦି ହୋଇଥାଏ, ତେବେ ଚୈତନ୍ୟ ରାମାନନ୍ଦଙ୍କଠାରୁ ଭକ୍ତି-ତତ୍ତ୍ୱ ଶିଖିଥିଲେ । ରାମାନନ୍ଦଙ୍କଠାରୁ ଭକ୍ତିତତ୍ତ୍ୱ ଶିଖିଥିଲେ ବୋଲି ଚୈତନ୍ୟ କହି ବୁଲୁଥିଲେ ବୋଲି ବଙ୍ଗଦେଶରେ ମଧ୍ୟ ପ୍ରବାଦ ଅଛି:-

 

‘‘ରାମାନନ୍ଦ ରାୟ ମହାଭାଗବତ ପ୍ରଧାନ । ତେହେଁ ଜାନାଇଲ କୃଷ୍ଣ ସ୍ୱୟଂ ଭଗବାନ ।।

ତାତେ ପ୍ରେମଭକ୍ତି ପୁରୁଷଶିରୋମଣି । ରାଗମାର୍ଗେ ପ୍ରେମଭକ୍ତି ସବାଧିକ ଜାନି ।।

ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧୁରଭାବ ଆର । ଦାସ ସଖା ଗୁରୁକାନ୍ତା ଆଶ୍ରୟ ଯାହାର ।।

X            X            X            X

ଏସବୁ ଶିଖାଇଲ ମୋରେ ରାୟ ରାମାନନ୍ଦ । ଅନର୍ଗଳ ରସବେତ୍ତା ପ୍ରେମସୁଖାନନ୍ଦ ।।’’

 

‘ଐତରେୟ-ବ୍ରାହ୍ମଣ’ ଅନୁସାରେ ଦକ୍ଷିଣରେ ସାତ୍ତ୍ୱତ ଭୋଜ ଥିଲେ । ଏକାଦଶ ଶତାବ୍ଦୀର ତାମ୍ରଶାସନମାନଙ୍କରେ ଜଗନ୍ନାଥଙ୍କୁ ଭଗବାନ୍ ଆଖ୍ୟାରେ ଅଭିହିତ କରାଯାଇଅଛି । ମହାଭାରତ ଅନୁସାରେ (ଅନୁ: ଅ: ୧୭) ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ସମଗ୍ର ଯଶ, ସମଗ୍ର ଶ୍ରୀ, ସମଗ୍ର ଜ୍ଞାନ ଓ ସମଗ୍ର ବୈରାଗ୍ୟକୁ ଭଗ କହନ୍ତି । ଏହି ଭଗ ଯାହାର ଥାଏ, ସେ ଭଗବାନ ଅଟନ୍ତି । ତାଙ୍କର ଦାସ, ସଖା, ବତ୍ସ, କାନ୍ତା ଅବଶ୍ୟ ଥିବେ ଓ ସେ ମାଧୁର୍ଯ୍ୟରସ ଅବଶ୍ୟ ଭୋଗ କରିଥିବେ । ଯାହାହେଉ, ରାମାନନ୍ଦ ରାୟ ବଙ୍ଗଦେଶରେ ସୁପରିଚିତ ହେଲେ । ଓଡ଼ିଶାରେ କୌଣସି ଭକ୍ତ ତାଙ୍କର ନାମ ଉଲ୍ଲେଖ କରିନାହାନ୍ତି କାହଁକି? ଚୈତନ୍ୟଙ୍କୁ ସାକ୍ଷାତ୍ କରିବାପୂର୍ବରୁ ରାମାନନ୍ଦ ରାୟ ସଂସ୍କୃତ ‘‘ଜଗନ୍ନାଥବଲ୍ଲଭ’’ ନାମକ ନାଟକରେ ମାଧୁର୍ଯ୍ୟ-ଭକ୍ତିର ପରିଚୟ ଦେଇଥିଲେ । ସାକ୍ଷାତ୍ ଉତ୍ତାରୁ ଓଡ଼ିଆଭାଷା ଛାଡ଼ି ବଙ୍ଗଳା-ଭାଷାରେ ପଦାବଳୀ ରଚନା କଲେ କାହଁକି ? ସାହିତ୍ୟିକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଦାସଙ୍କଠାରୁ ଏହି ପଦାବଳୀ ନେଇ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରିୟରଞ୍ଜନ ସେନ୍ ମହାଶୟ ଛପାଇ ଅଛନ୍ତି । ଏହାର ପ୍ରାରମ୍ଭରେ ଅଛି: --

 

‘‘ରାତ୍ରିଶେଷେ ନୀଲମଣି, କୋଲେ ଆଚ୍ଛେ ବିନୋଦିନୀ, ଆଳସିତେ ନିକୁଞ୍ଜ-ମନ୍ଦିରେ ।

ଦୁଁ ହୁତନୁ ୟେକ ସଙ୍ଗ, ଲେଖାଛି ଅନଙ୍ଗରଙ୍ଗ, ସୁଧାସିନ୍ଧୁ ଉଚ୍ଛୁରିତ ଭରେ ll

ମର୍ତ୍ତ୍ୟପୁରେ କୋଇ ବାରିତ ନା ଦିଶଇ, ନା ଦିଶଇ ନା ଦିଶଇ ନିଶ୍ଚୟ ଦୁବରଣ ତାୟେ ।

କ୍ଷୀର ନୀର ଯେନ ସାଜେ, ଅଭେଦ ବରନ ରାଜେ, କୁଙ୍କୁମ ଅରୁଣ ସଙ୍ଗେ ପାୟେ ।।

କ୍ଷଣେ କ୍ଷଣେ ତନୁ ଦୁହା, ବାରି ତ ହୋୟେ ଦିହା, ବାଦରେ କି ଦାମିନୀର ଖେଲା ।

ନୀଲମଣି କୋଳେ ନିୟେ, ବାହକ କାଞ୍ଚନ ରୟେ, ତମାଳେ କନକବଲ୍ଲରୀ ପରା ।।

ରାୟ ରାମାନନ୍ଦ କହେ, ଉପମା ନାହିଁକ ହୋଏ, ଦୁଁ ହ ତନୁ ଦୁଁ ହକେ ଉପମା ।

ଅଧରେ ଅଧର ପାନେ, ବୟାନ ବୟାନେ କରି ଇଚ୍ଛେ ଲୀଳାରସ ଧାମ ।।’’

 

ରାଧା-ଧର୍ମ ବୋଧ ହୁଏ ସେତେବେଳେ ଓଡ଼ିଶାରେ ଆଦର ଲଭି ନ ଥିଲା । ଷୋଡ଼ଶ ଶତାବ୍ଦୀରେ କେବଳ ଗୋପୀନାଥ-ମୂର୍ତ୍ତି ଥିଲେ । ତାଙ୍କ ସଙ୍ଗରେ ରାଧାମୂର୍ତ୍ତି ଥିବାର ପ୍ରମାଣ ମିଳେ ନାହିଁ । ପରବର୍ତ୍ତୀ ଯୁଗରେ ଗୋପୀନାଥ ରାଧାସଙ୍ଗୀ ହୋଇ ଅଛନ୍ତି ।

 

ଦେବଦୁର୍ଲଭ ଦାସ

ଏ “ରହସ୍ୟମଞ୍ଜରୀ’’ ରଚନା କରିଥିଲେ । ଓଡ଼ିଶାର ଭକ୍ତ କବିମାନଙ୍କର ପ୍ରକୃତ ନାମ ସମ୍ବନ୍ଧରେ ସନ୍ଦେହ ଜାତ ହୁଏ । କାରଣ ନିଜର ନାମ-ପ୍ରଚାରର ସେମାନେ ବିରୋଧୀ ଥିଲେ । ଯାହାହେଉ, ଆମ ଆଲୋଚନାର ସୁବିଧା ନିମନ୍ତେ ରଚନାର ଭଣିତା-ନାମଟି ଗ୍ରହଣ କରିବାକୁ ପଡ଼ୁଅଛି । ରହସ୍ୟ-ମଞ୍ଜରୀର ନିମ୍ନୋଦ୍ଧୃତ ଉକ୍ତିରୁ ତାହାର ରଚନାକାଳ ଟିକିଏ ଅନୁମାନ କରାଯାଇପାରେ:-

“ସବୁଙ୍କର ସନ୍ଥ-ବୁଦ୍ଧି ଯେବେ ସେ ହୁଅନ୍ତା

ଖଡ଼ଗ କମାଣ ବାଣ କିପାଇଁ ବହନ୍ତା

।।

ଏକୁ ଆରେକ ନ ଚିହ୍ନନ୍ତି ମତ୍ତିଭୋଳେ

ତେଣୁ ମରାମରି ହୋଇ ମରନ୍ତି ସକଳେ

।।

ନ୍ୟାୟ ନ ବୁଝନ୍ତି ସେ ବୁଝନ୍ତି ଆନମତେ

ମତ୍ତଗର୍ବ ପୁରସ୍କାରେ ମୋହ ଅନୁବ୍ରତେ

।।

ଦେଖିବା ମାତ୍ରକେ ଭୟ ଲାଗଇ ଯାହାକୁ

କେସନ ସନ୍ଥ ବୋଲି ବୋଲିବି ତାହାକୁ

।।

କହିବାକୁ ଡରି ତେଣେ ନ କହିଲେ ମରି

ସୃଷ୍ଟି ନାଶଗଲା ପ୍ରଭୁ ବୁଝିବା ବିଚାରି

।।

ଏଥୁଁ ଉଦ୍ଧରିଣ ପ୍ରଭୁ ବେଗେ ମୋତେ ନିଅ

ପରାଲବ୍‌ଧେ ଥିଲେ ସନ୍ଥ ପାଦତଳେ ଥୁଅ

।।

 

ସୂର୍ଯ୍ୟବଂଶ ରାଜତ୍ଵର ଶେଷକାଳରେ ତେଲେଙ୍ଗା ମୁକୁନ୍ଦଦେବଙ୍କ ସିଂହାସନାରୋହଣ ସମୟରେ ଓଡ଼ିଶାରେ ବିଦ୍ରୋହ ଲାଗିଥିବାର ମାଦଳା ପାଞ୍ଜିରୁ ଜଣାଯାଏ । ଉଦ୍ଧୂତ ଉକ୍ତିରେ ସେହି ବିଦ୍ରୋହକୁ ଲକ୍ଷ୍ୟ କରାଯାଇଥିବାର ଅନୁମିତ ହେଉଅଛି । ଦେବଦୁର୍ଲଭଦାସ ରାଧାଙ୍କର ପ୍ରେମଭକ୍ତି ‘‘ରହସ୍ୟ-ମଞ୍ଜରୀ’ରେ ବର୍ଣ୍ଣନା କରିଅଛନ୍ତି—

‘‘ଧାର୍ମିକ ବିବେକ ଯୋଗୀ ଯତ ଦାନୀ ଧାନୀ । ବ୍ରତଚାରି ବେଦାନ୍ତୀ ମଉନୀ ମୁନି ଜ୍ଞାନୀ ହେ ।।

X            X            X            X

ଏମନ୍ତ ସେବାକୁ କୋଟି ମୁକ୍ତି ଦେଇ ନ ପାରି । ବିନା ଗୋପୀଭାବେ ଭକ୍ତି ଦେଇ ତ ନ ପାରି ।।

ଚାରି ଭକ୍ତ ମଧ୍ୟେ ପ୍ରେମଭକ୍ତି ଅଟେ ସାର । ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର ।।

ପ୍ରେମଭକ୍ତି ପ୍ରାପତ ଗୋପୀଙ୍କ ପରସନେ । ପୁଂଲିଙ୍ଗ ପାଲଟି ସ୍ତିରୀ ହୁଅଇ ତକ୍ଷଣେ ।।’’

 

ଦ୍ଵାରକାର ଯୁବତୀମାନଙ୍କୁ କୃଷ୍ଣ ଗୋପୀମାନଙ୍କ ପ୍ରେମ-ମନ୍ତ୍ରରେ ଦୀକ୍ଷିତ କରାଇବା ଏ ପୁସ୍ତକର ବିଷୟ-ବସ୍ତୁ ଅଟେ ।

 

ପ୍ରେମଭକ୍ତିର ନିଦର୍ଶନ ଶାସ୍ତ୍ରମାନଙ୍କରେ ନ ଥିବାରୁ ଏହାର ଆଦର ଓଡ଼ିଶାରେ ନ ଥିବାର ନିମ୍ନୋଦ୍ଧୃତ ପଦମାନଙ୍କରୁ ଜଣାଯାଏ :-

‘‘ଅବିବେକ ବୋଲିବ ଏ କେଉଁ ପାଠେ ଥିଲା । ଥିଲା ଯେବେ କବି କିପାଁ ଆଗହୁଁ ନ କହିଲା ।।

ଏହିମତି କେତେ ଭଣ୍ଡାରେଣ ଥିଲା । କେତେ କେତେ କବିତ୍ୱକୁ ବାଣ୍ଟି ବାଣ୍ଟି ଦେଲା ।’’

 

ରାମାନୁଜ ସ୍ୱାମୀ ବେଦାନ୍ତ-ଭାଷ୍ୟରେ ଅନେକ ପୁରାଣ ଓ ଉପନିଷଦର ପ୍ରମାଣ ସନ୍ନିବେଶ କରି ଅଛନ୍ତି । କିନ୍ତୁ ବାସୁଦେବ ବ୍ୟୂହ ସମ୍ବନ୍ଧରେ ବା ଅନ୍ୟ ବିଷୟ ସମ୍ବନ୍ଧରେ ଭାଗବତ -ପୁରାଣର ନାମ କୌଣସିଠାରେ ସେ ଉଲ୍ଲେଖ କରି ନାହାନ୍ତି । ବ୍ରାହ୍ମଣମାନେ ଭାଗବତମାନଙ୍କ ସଙ୍ଗରେ ବସି ଖାଉ ନ ଥିଲେ ବୋଲି ରାମାନୁଜଙ୍କ ଗୁରୁ ଯମୁନାଚାର୍ଯ୍ୟ ଆଗମ- ପ୍ରାମାଣ୍ୟରେ ଭାଗବତମାନଙ୍କ ବିଶୁଦ୍ଧତା ପ୍ରମାଣ କରିବାପାଇଁ ବହୁତ ଲଢିଅଛନ୍ତି । ଏଥିରୁ ଜଣାଯାଏ ଯେ ଏକାଦଶ ଶତାବ୍ଦୀରେ ଶ୍ରୀଭାଷ୍ୟ ଲେଖା ହେଲାବେଳକୁ ଭାଗବତ-ପୁରାଣ ଲେଖା ହୋଇ ନ ଥିଲା-। ଏଣୁ ଏହା ଶାସ୍ତ୍ରୀୟ ବୋଲି କେହି ମାନୁ ନ ଥିଲେ । ଜଗନ୍ନାଥଙ୍କ ଧର୍ମରେ ତନ୍ତ୍ର, ଯୋଗ ଓ ବେଦମତ ଖାରବେଳଙ୍କ ସମୟରୁ ମିଶିଯାଇଥିବାରୁ ଏହା ଓଡ଼ିଶାରେ ସମସ୍ତଙ୍କର ଆଦରଣୀୟ ହୋଇଥିଲା । ଯାହାହେଉ, ଗୋପୀଭାବ କିଶୋର-କାଳପାଇଁ ନିର୍ଦ୍ଦିଷ୍ଟ ବୋଲି ଖାରବେଳଙ୍କ ଶିଳା-ଲିପିରୁ ଓ ପୁରାଣମାନଙ୍କରୁ ଜଣାଯାଏ । ପ୍ରାପ୍ତବୟସ୍କ ହେଲେ ଗୋପୀଭାବ ଆଚରି ଭାଗବତ ବା ଜଗତରେ ବଡ଼ ହେବା କାହାରି ପକ୍ଷରେ ସମ୍ଭବପର ନୁହେ । ଦାକ୍ଷିଣାତ୍ୟର ନିମ୍ୱାର୍କଙ୍କ ପ୍ରେମଭକ୍ତି ଓଡ଼ିଶାରେ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଆଦର ଲଭି ନାହଁ । ରହସ୍ୟ-ମଞ୍ଜରୀ ପ୍ରସାଦ-ଗୁଣବିଶିଷ୍ଟ ଶୈଳୀରେ ରଚିତ ହୋଇଅଛି । ତହିଁରେ ବଙ୍ଗଳା ବ୍ୟାକରଣ-ସଙ୍ଗତ ପିନ୍ଧିସ୍ତା, ଲୋଡ଼ିୟା ପ୍ରଭୃତି ପଦମାନଙ୍କର ବ୍ୟବହାର ଦେଖାଯାଏ ।

ବୃନ୍ଦାବତୀ ଦାସୀ

ଶ୍ରୀଯୁକ୍ତ ବାବୁ କୈଳାସ ଚନ୍ଦ୍ର ମହାପାତ୍ରଙ୍କଦ୍ୱାରା ‘‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’’ ପ୍ରକାଶିତ ହେବାରୁ ତାହାର ରଚୟିତ୍ରୀ ବୃନ୍ଦାବତୀ ଦାସୀଙ୍କ ସମ୍ବନ୍ଧରେ କିଛି ସମ୍ବାଦ ମିଳିଲା । ଏହି ନାରୀ-କବି ପୁରୀ ଜିଲାର କରଣବଂଶୀୟା ଥିଲେ । ଏହାଙ୍କ ପୁତ୍ରଙ୍କ ନାମ ଭୀମଦାସ ଓ ନାତିଙ୍କ ନାମ କୃପାସିନ୍ଧୁ ଦାସ । ଏହି ନାରୀକବି ‘‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’’ ନାମକ ପୁସ୍ତକ ରଚନା କରିଥିଲେ । ଦୀର୍ଘତମାଙ୍କ ପ୍ରଚାରିତ ପ୍ରେମ ଯେତେବେଳେ ଗୋତମ ବା ଶ୍ରେଷ୍ଠ ଜ୍ଞାନ ବୋଲି ଗ୍ରହଣ କରାଯାଇଥିଲା, ସେତେବେଳେ କଳିଙ୍ଗ ବାଳେୟ କ୍ଷତ୍ରୀୟଙ୍କ ମଧ୍ୟରୁ କେହି ଗୋପରେ ଅର୍ଥାତ୍ ଜ୍ଞାନକୁ ପାଳି ରହିଥିବା ଅଞ୍ଚଳରେ କୃଷ୍ଣ-ଲୀଳା ବା ନୃତ୍ୟଗୀତ କରିଥିଲେ । ସେଠାରେ ବିଶାଖା ଗୋପୀ ବା ଇନ୍ଦ୍ରିୟାସକ୍ତିଶୂନ୍ୟା ତପସ୍ୱିନୀ ଲଳିତା ବା ଲଳିତ କଳାରେ ଆକୃଷ୍ଟା ହୋଇ ରାଧା ବା କାମାସକ୍ତା ହେଉଥିଲେ । ଏଥିପାଇଁ ଗୋପରେ ‘ତମ’ର ଅର୍ଥାତ୍ ଦୀର୍ଘତମାଙ୍କ ପ୍ରଚାରିତ ଅନ୍ଧକାରର ପୂର୍ଣ୍ଣବିକାଶ ଘଟିଥିଲା ବୋଲି କୁହାଯାଏ । ସେହି ତମକୁ କୃଷ୍ଣ କୁହାଯାଏ । ଗୋଦାବରୀ କୂଳରେ ଏହି ତମର ପୂର୍ଣ୍ଣବିକାଶ ଘଟିଥିବାରୁ ଗୋଦାବରୀକୁ ‘ଗୌତମୀ-ଗଙ୍ଗା’ କୁହାଯାଏ । ଓଡ଼ିଶାରେ ଯୋଗାଚାର ପ୍ରଣାଳୀ ତମ’ର ପୂର୍ଣ୍ଣବିକାଶ ପାଇଁ ସୁବିଧା ପାଇ ନ ଥିଲା । ଏଣୁ ମହାନଦୀ ଓ ଋଷିକୂଲ୍ୟା ଗଙ୍ଗା ହୋଇ ପାରି ନାହାନ୍ତି । ଏଠାରେ ହନୁମାନମାନେ ଭଗବାନ ହେବାରେ ପ୍ରୟାସୀ ଥିଲେ ।

 

ନାରୀକବି ବୃନ୍ଦାବତୀ ଦାସୀ ୧୬୯୯ ଖ୍ରୀଷ୍ଟାବ୍ଦରେ ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ର ରଚନା ଶେଷ କରିଥିଲେ । ଏହାଙ୍କର ସ୍ୱାମୀ, ପୁତ୍ର ଓ ନାତି କବି ଥିଲେ । ଏ ପ୍ରେମଭକ୍ତିର ରସ ‘‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’’ରେ ବର୍ଣ୍ଣନା କରିଅଛନ୍ତି । ରଚନ।ରେ ଶୁଙ୍ଖଳାଳଙ୍କାର ଥିଲେ ମଧ୍ୟ ଶୈଳୀ ପ୍ରସାଦଗୁଣ ବିଶିଷ୍ଟ ଅଟେ; ଯଥା—

 

‘‘କରୀ ତାରଣ ବାନା ଯାର

ଯା ରଙ୍ଗ ଖେଳ ଏ ସଂସାର

।।

ସାରସ କରେ ଯା ନିହିତ

ହିତ ଯେ କରନ୍ତି ସମସ୍ତ

।।

ମସ୍ତକେ ନାଚିଲେ ନାଗର

ନାଗର ଅଟନ୍ତି ଗୋପର

।।

ପରମ- ପୁରୁଷ ସାନନ୍ଦ

ନନ୍ଦ ନନ୍ଦନ ଆଦିକନ୍ଦ

।।

 

 

ଶିଶୁ ଭୀମଦାସ

ଏ ବୃନ୍ଦାବତୀ ଦାସୀଙ୍କର ପୁତ୍ର ଥିଲେ ଏବଂ ‘ଭକ୍ତିରତ୍ନାବଳୀ’ ଓ ‘ହରିଭକ୍ତି ଚନ୍ଦ୍ରୋଦୟ’ ରଚନା କରିଥିଲେ । ପ୍ରେମଭକ୍ତି ସାରୂପା, ସାଯୁଜ୍ୟ ଓ ସାଲୋଜ୍ୟ ମୁକ୍ତି ଦେଇପାରେ ଏବଂ ଏହା ଶାସ୍ତ୍ରୀୟ ଭକ୍ତି ବୋଲି ବରାହ-ସଂହିତା, ନାରଦ-ପଞ୍ଚରାତ୍ର, ଭାଗବତ-ପୁରାଣ, ପଦ୍ମପୁରାଣ, ଗୌତମୀତନ୍ତ୍ର ପ୍ରଭୃତି ଅନେକ ଶାସ୍ତ୍ରର ବାଣୀ କବି ଉଲ୍ଲେଖ କରିଅଛନ୍ତି ।

 

‘‘ବରାହ – ସଂହିତା ଭକତି । ପ୍ରଭୁଙ୍କ ଚନ୍ଦ୍ର ନଖ କାନ୍ତି ।।

ବ୍ରହ୍ମର ଅଟନ୍ତି କାରଣ । ବ୍ରହ୍ମ ପ୍ରକାଶ ତହୁଁ ଜାଣ ।।” (ଅ:୧)

‘‘ନାରଦ – ପଞ୍ଚରାତ୍ରମତେ । ଭକ୍ତି- ଲକ୍ଷଣ ଯେ ଯୁଗତେ ।।

ସର୍ବ ଉପାଧି କରି ଦୂର । ଶ୍ରୀକୃଷ୍ଣ ସେବାରେ ନିର୍ମଳ ।।

X            X            X

ଶ୍ରୀଭାଗବତ ତୃତୀୟରେ । ଭଗତି - ଲକ୍ଷଣ ବେଭାରେ ।।

ଶ୍ରୀକୃଷ୍ଣ ସେବାରେ ଯୁଗତେ । କରିବ ଅକାମନା ଚିତ୍ତେ ।।

X            X            X

ପଦ୍ମ – ପୁରାଣର ଯେ ବାଣୀ । ତା ସାବଧାନେ ଶୁଣ ପୁଣି ।।

X            X            X

ଗୌତମୀ- ତନ୍ତ୍ର ବାଣୀ । କହି ଅଛନ୍ତି ଯାହା ପୁଣି ।।” ( ଅ:୨)

 

ପ୍ରେମଭକ୍ତି ଶାସ୍ତ୍ରସଙ୍ଗତ ନୁହେଁ ବୋଲି ଲୋକେ କହୁଥିବାରୁ ଭୀମଦାସ ଶାସ୍ତ୍ରୀୟ ପ୍ରମାଣ ଦର୍ଶାଇ ଅଛନ୍ତି । ଏଥିରେ ଷଡ଼ରିପୁ - ତ୍ୟାଗ, ଶୌଚାଚାର, ଇନ୍ଦ୍ରିୟ ଦମନ, ଶ୍ରଦ୍ଧାସମନ୍ୱିତ, ମୂର୍ତ୍ତିପୂଜା ଓ ପ୍ରସାଦ - ସେବନ ପ୍ରଭୃତି ଅଭ୍ୟାସ ରଖି କୃଷ୍ଣଙ୍କ ନାମ ପ୍ରେମଭକ୍ତିରେ କରିବାପାଇଁ ଉପଦେଶ ଅଛି-। ପ୍ରେମ - ଭକ୍ତିରେ ପବିତ୍ରତାକୁ ସ୍ଥାନ ନ ଦେଇ ଯଦି ବ୍ୟଭିଚାରକୁ ପ୍ରଶ୍ରୟ ଦିଆଯାଇଥାନ୍ତା, ତେବେ କୌଣସି ସମାଜ ତାହା ଗ୍ରହଣ କରି ନ ଥାନ୍ତା । କିନ୍ତୁ ଜଗତରେ କ୍ଷୀର ନୀର ମିଶାହୋଇ ସବୁ ପଦାର୍ଥ ଅଛି । ସାଧାରଣ ଲୋକେ ପ୍ରେମଭକ୍ତିରୁ କ୍ଷୀର ଛାଡ଼ି ନୀର ପାନ କରିବା ସହଜ ଅଟେ-। ପ୍ରେମ - ପ୍ରସଙ୍ଗ ସହଜରେ ମନୁଷ୍ୟକୁ ବ୍ୟଭିଚାର - ପଥକୁ ଟାଣିନେବ ।

କୃପାସିନ୍ଧୁ ଦାସ

ଏ ଭୀମଦାସଙ୍କର ପୁତ୍ର ଓ ବୃନ୍ଦାବତୀ ଦାସୀଙ୍କର ନାତି ଅଟନ୍ତି । ଦାର୍ଢ୍ୟତା - ଭକ୍ତିରେ କୃପାସିନ୍ଧୁ ଦାସ ନାମକ ଜଣେ ଭକ୍ତଙ୍କ ବିବରଣ ଅଛି । ସେହି ଭକ୍ତ ଆଲୋଚିତ କୃପାସିନ୍ଧୁ ଦାସ ହୋଇପାରନ୍ତି । କୃପାସିନ୍ଧୁ ସଖିଚାତୁରୀ - ଚଉତିଶା, ବ୍ରଜବିହାର ଓ ଚତୁର୍ଦ୍ଧାମୂର୍ତ୍ତି - ବର୍ଣ୍ଣନା ରଚନା କରିଥିଲେ । ତାଙ୍କର ବ୍ରଜବିହାର ବୀରକିଶୋରଦେବଙ୍କ ରାଜତ୍ୱ - କାଳରେ ରଚିତ ହୋଇଥିଲା । ଏହି ବୀରକିଶୋରଦେବ ଉପେନ୍ଦ୍ରଭଞ୍ଜଙ୍କ ସମକାଳୀନ ଦିବ୍ୟସିଂହଦେବଙ୍କ ପରବର୍ତ୍ତୀ ହେବେ । ତାହାହେଲେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ତାହାଙ୍କର ଆବିର୍ଭାବକାଳ ଅଟେ ।

 

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ –ଏହି ଚାରି ମୂର୍ତ୍ତିଙ୍କୁ ଦର୍ଶନ କଲେ ଯୋଗାଭ୍ୟାସର ସମସ୍ତ ଫଳ ପାଇବ ବୋଲି ଚତୁର୍ଦ୍ଧାମୂର୍ତ୍ତି ବର୍ଣ୍ଣନାରେ କୃପାସିନ୍ଧୁ ଦାସ ଲେଖିଅଛନ୍ତି :-

 

 

‘‘ଭୂ – ଜଳ ଅଗ୍ନି ତ୍ରିକୂଟ ଭେଦ ଯହିଁ ବ୍ରହ୍ମଙ୍କୁ ଖୋଜୁଛି ହଂସ ।

ଯେଉଁ ସ୍ଥାନକୁ ସ୍ଥିର କରି ଚାହିଁଲେ ଅଦୃଶ୍ୟ ହୁଅଇ ଦୃଶ୍ୟ ।।

ଜଗନ୍ନାଥର ଶୋହେ ନାସାପୁଟ, ତୀର୍ଥ ତ୍ରିବେଣୀ ସଙ୍ଗମ - ଘାଟ ।

ନିରେଖି ଚାହଁ କୁସୁମିତ ନାସାକୁ ଫିଟୁ ସଂସାର –ସଂକଟ ।।

X            X            X

ପ୍ରଣାମ (ପ୍ରାଣାୟାମ) ପ୍ରତ୍ୟାହାର ଧ୍ୟାନ ଧାରଣା ସଂଯମ ସମାଧିବଳ ।

ଲୟରେ ନିମଗ୍ନ ହୋଇ ଆତ୍ମଜ୍ଞାନୀ ହେ ତୁ ଯେମନ୍ତ ନିର୍ମଳ ।

ବଲଭଦ୍ରର । ତେମନ୍ତ କାୟା ସୁଷମ ।

X            X            X            X

ପ୍ରାଣାଦି ଦଶପବନ ପଶେ ଯହିଁ ଭ୍ରମେ ଚକ୍ରାକାର ହୋଇ

ଆଧାର ଚକ୍ରକୁ ରସସାର ଟେକେ ଶ୍ରୀହଟ୍ଟ- ପାଟଣା ନେଇ ।

 

ବଳଭଦ୍ରର । ଧନ୍ୟ ଏ ଉଦର ସ୍ଥଳ ।।

ଦଶାଦି ପାଖୁଡ଼ା ହୋଇଛି ନିର୍ମାଣ ମଧ୍ୟରେ ସମାଳକୋଷ ।

ଚତୁରବଦନ ଜଗତ ସୃଜନ କଲା ଯହିଁରେ ନିବାସ ।

ସେ ସୁଭଦ୍ରାର । ଧନ୍ୟ ଏ ନାଭି ପଙ୍କଜ । ଅଘ - ଅଜ୍ଞାନ ଯହିଁ ଦହିଯ ।।

ଯଥା ଊର୍ଣ୍ଣନାଭି ସ୍ଵତନ୍ତ୍ରେ ଯନ୍ତ୍ରିତ କ୍ରାଡ଼ା ରେ ତଥି ମଧ୍ୟେ ।

ତଦ୍‌ବତ ସ୍ୱମାୟାତରେ ବିଶ୍ୱ ର୍ଜି ବିହରଇ ଆତ୍ମପଦେ

ସୁଦର୍ଶନର ସର୍ବିପାଦ ବେନି ମୁକ୍ତି । ଭାବବଳେ ବଶକରେ ଭକ୍ତି ।

ଆସକ୍ତି - ଶୂନ୍ୟ ନିର୍ଗୁଣ ନିରଞ୍ଜନ ନିରାକାର ସଦାଶକ୍ତି ।।’’

 

ସୁଦର୍ଶନ ମେରୁଦଣ୍ଡର ପ୍ରତୀକ ବୋଲି ଯଶୋବନ୍ତଦାସ ବର୍ଣ୍ଣନା କରି ଅଛନ୍ତି । ଶକ୍ତି ମେରୁଦଣ୍ଡରୁ ଉଦ୍ଭୂତ ହୁଏ । ଏଣୁ ସୁଦର୍ଶନଙ୍କୁ ଶକ୍ତିରୂପରେ କୃପାସିନ୍ଧୁ ଦାସ ବର୍ଣ୍ଣନା କରିଅଛନ୍ତି । ଜଗନ୍ନାଥଙ୍କୁ ଚାହିଁଲେ ତାହାଙ୍କର କୃଷ୍ଣବର୍ଣ୍ଣ ରୂପରେ ଜଗତର ପଦାର୍ଥମାନଙ୍କର ରୂପ ଲୋପ ପାଇବ-। ଏଣୁ ସେ ବୁଦ୍ଧ ବା ଜ୍ଞାନୀ ଅଟନ୍ତି । ବଲଭଦ୍ର ହୃଦୟର ଲିଙ୍ଗ- ଶରୀର ଓ ସୁଭଦ୍ରା ବୁଦ୍ଧି ସ୍ଵରୂପିଣୀ ଅଟନ୍ତି ।

ଜନାର୍ଦ୍ଦନଦାସ

ଓଡ଼ିଶାରେ ଜନାର୍ଦ୍ଦନ ନାମ ଡାକିଲାବେଳେ ସାଧାରଣତଃ ଦନେଇ ବୋଲି କହନ୍ତି ଏଣୁ ଗୋପୀଭାଷାର ଭଣତିରେ ଥିବା ‘‘ଦାସ ଦନେଇ ସେହିଠାରେ ସେବା” ପଦରୁ ଅନୁମାନ କରିବାକୁ ହୁଏ ଯେ ଗୋପୀଭାଷାର କବି ଜନାର୍ଦ୍ଦନଦାସ ଅଟନ୍ତି । ନନ୍ଦଦାସ ଅଣାକାର - ସଂହିତାରେ ଲେଖିଅଛନ୍ତି ଯେ ପଞ୍ଚସଖାଙ୍କ ମଧ୍ୟରୁ ଅନନ୍ତ ଖୋର୍ଦ୍ଧାରେ ଜନାର୍ଦ୍ଦନ ରୂପରେ ଜନ୍ମଗ୍ରହଣ କରିଥିଲେ-। ପୂର୍ବେ ଅରୁଣୋଦୟ ମୁଦ୍ରାଯନ୍ତ୍ରରୁ ପ୍ରକାଶିତ ଶ୍ରୀହରିଦାସଙ୍କ ‘ମୟୂର – ଚନ୍ଦ୍ରକା’ରେ ପଞ୍ଚମ ଚନ୍ଦ୍ରିକାକୁ ଗୋପୀଭାଷା ବୃତ୍ତରେ ଗାଇବାପାଇଁ ନିର୍ଦ୍ଦେଶ କରାଯାଇଥିଲା । ଏହି ପୁସ୍ତକ କଲିକତା ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ଏବେ ଅଛି; କିନ୍ତୁ ବର୍ତ୍ତମାନ ପ୍ରକାଶିତ ପୁସ୍ତକରେ ଗୋପୀଭାଷା ବୃତ୍ତର ନିର୍ଦ୍ଦେଶ ନାହିଁ । ଏଣୁ ମନେହୁଏ ଯେ ବୃତ୍ତି କିମ୍ବା ବାଣୀ ନିର୍ଦ୍ଦେଶ ପ୍ରକାଶକଙ୍କ ଖୁସି ଉପରେ ନିର୍ଭର କରେ । ଯାହାହେଉ, ଗୋପୀଭାଷାରେ ବର୍ଣ୍ଣିତ ମଧୁର ରସ ଓ ନନ୍ଦଦାସଙ୍କ ଉକ୍ତି ବିବେଚନା କରି ଜନାର୍ଦ୍ଦନଦାସ ସପ୍ତଦଶ ଶତାବ୍ଦୀର ପ୍ରଥମ ପାଦର ପୂର୍ବବର୍ତ୍ତୀ ନୁହନ୍ତି ବୋଲି କୁହାଯାଇପାରେ-

 

ପ୍ରାଚୀନ କାଳରେ ପାଠଶାଳାମାନଙ୍କରେ ‘କେଶବ-କୋଇଲ’ ଉତ୍ତାରୁ ‘ଗୋପୀଭାଷା’ ପଢ଼ାଯାଉଥିଲା । କୃଷ୍ଣ ଓ ବଳରାମ ମଥୁରାକୁ ଚାଲିଯିବା ଉତ୍ତାରୁ କୃଷ୍ଣଙ୍କ ଗୋପଲୀଳା ମନେ ପକାଇ ଗୋପୀମାନେ ଯେଉଁ ଶୋକ କରିଥିଲେ, ତାହାର ବର୍ଣ୍ଣନା ଗୋପୀଭାଷାରେ ଦିଆଯାଇଅଛି-। ମାର୍ଜିତ ସରଳ କଥିତ ଭାଷାରେ ଏବଂ ସ୍ୱଭାବୋକ୍ତି ଓ ଦୃଷ୍ଟାନ୍ତାଳଙ୍କାରରେ ବର୍ଣ୍ଣନା କରାଯାଇଥିବାରୁ ରଚନାଟି ବଡ଼ ପ୍ରାଣସ୍ପର୍ଶୀ ହୁଏ ।

 

‘‘ଶାଶୁ ପଣତ, ଧରି ଓଟାରଇ । ବୋହୂ ଚୋରି ବୋଲି ଡକା ପାରଇ ।।

ଦୀପ ବହନ କରିଣ ଧର ଗୋ । ଆମ୍ଭ ଘରେ ପଶିଅଛି ଚୋର ଗୋ ।। ”

 

କୃଷ୍ଣ କୌଣସି ଗୋପୀଘରେ ପ୍ରବେଶ କରିବାରୁ ବୋହୂ, କୃଷ୍ଣଙ୍କ ନିକଟକୁ ଯିବାବେଳେ ଶାଶୁ ଜାଣିପାରି ବୋହୂର ପଣତ ଧରି ଓଟାରିବାରୁ ବୋହୂ ଚୋର ବୋଲି ଡାକ ପକାଇ ନିଜର ସ୍ୱଚ୍ଛତା ପ୍ରମାଣ କଲା । ସ୍ତ୍ରୀଲୋକର ଚତୁରତା ସ୍ୱଭାବ-ସୁଲଭ ଉକ୍ତିରେ ବ୍ୟକ୍ତି କରାଯାଇଅଛି ।

 

‘‘ଯାକୁ ନାନା ରସପଣା ମିଳିବ । ସେ ଗୋ ଗୁଡ଼ିପଣା କିସ କରିବ ।

ଯାକୁ ମିଳିବ ଦିବ୍ୟ ଶାଳିଅନ୍ନ । ତାର ବଗଡ଼ା ଭାତେ କାହିଁ ମନ ।।

ଯାକୁ ମିଳିବ ସୁବାସ ଚନ୍ଦନ । ତାର ନିମ୍ବ କାଠରେ କାହିଁ ମନ ।।

X            X            X

ଯାକୁ ମିଳିବ ପଲଙ୍କ ସୁପାତି । ତାର ଭୂମିଶଯ୍ୟାରେ କାହିଁ ମତି ।।”

 

କୃଷ୍ଣ ମଥୁରାରେ ସୁଖରେ ରହି ଗୋପକୁ ଫେରିବାକୁ ମନ କରୁ ନାହାନ୍ତି — ଏ କଥା ହୃଦୟ ସ୍ପର୍ଶୀ କରାଇବାପାଇଁ କେତେ ଦୃଷ୍ଟାନ୍ତ ଦିଆଯାଇଅଛି । ଏପରି ରଚନାଦ୍ଵାରା ଭାଷାର ସୌଷ୍ଠବ ବଢେ । ‘ଗୋପୀଭାଷା’ରେ ଅଶ୍ଳୀଳତାର ଚିତ୍ର ଅଛି ।

 

ଶ୍ରୀହରିଦାସ

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନିଜରଚିତ ‘ନାମ-ଚିନ୍ତାମଣି’ରେ “ହରିଦାସଙ୍କୁ ଯେ ବାଦସା ଚଦିଲା, ହରି ନ ବୋଲ କଲମା ଭଣ ରେ’’ — ଏ କଥା ଲେଖିଅଛନ୍ତି । ଭକ୍ତ ଶ୍ରୀହରିଦାସଙ୍କୁ ହିନ୍ଦୁଦ୍ୱେଷୀ ମୋଗଲ ବାଦସା ଆଉରଙ୍ଗଜେବ ମୁସଲମାନ ଧର୍ମ ଗ୍ରହଣ କରିବାପାଇଁ ଧମକ ଦେଇଥିବେ ଓ ଭକ୍ତ ସଦାନନ୍ଦ ସେହି ଶ୍ରୀହରିଦାସଙ୍କ ନାମ ଉଲ୍ଲେଖ କରିଥିବେ ବୋଲି ଅନୁମିତ ହୁଏ । ଏଣୁ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ବା ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ କବି ଜିବୀତ ଥିଲେ ବୋଲି କହିଲେ ଅସଙ୍ଗତ ହେବ ନାହଁ ।

 

ବେଦର କୁମାର ଗୋପାଳକୃଷ୍ଣ - ଧର୍ମ ପ୍ରଚାର କରିଥିଲେ । କୁମାର ମୟୂରପରି ଗୀତନୃତ୍ୟ କରୁଥିଲେ ଓ ଶିରରେ ମୟୂର-ଚନ୍ଦ୍ରିକା ଧାରଣ କରୁଥିଲେ ବୋଲି କୁମାରଙ୍କ ବାହନ ମୟୂର ଅଟେ । ଏଣୁ ଶ୍ରୀହରିଦାସ ନିଜ ରଚନାକୁ ‘ମୟୂର-ଚନ୍ଦ୍ରିକା’ ନାମ ଦେଇଅଛନ୍ତି ଏବଂ ଅଧ୍ୟାୟ ବଦଳରେ ପ୍ରଥମ ଚନ୍ଦ୍ରିକା, ଦ୍ୱିତୀୟ ଚନ୍ଦ୍ରିକା ନାମରେ ପୁସ୍ତକକୁ କେତେକ ଭାଗରେ ବିଭକ୍ତ କରିଅଛନ୍ତି । ଏହା ତାହାଙ୍କର ନୂତନ ସୃଷ୍ଟି ଅଟେ । ଚୈତନ୍ୟ ରାଧାଙ୍କର ଅବତାର ବୋଲି କବି ସ୍ୱୀକାର କରିଅଛନ୍ତି ଓ ସେ ପ୍ରେମଭକ୍ତି ଗ୍ରହଣ କରିଥିଲେ ।

 

 

‘‘ଶ୍ରୀରାଧା ସୁବର୍ଣ୍ଣକୁ କରି ସ୍ଵୀକାର

ଅଦ୍ଭୂତେ କଳିଯୁଗେ ହେଲେ ପ୍ରଚାର ଗୋ

।।

ଗଉର ବର୍ଣ୍ଣ କୋଟି ସୂର୍ଯ୍ୟ ସମାନ

ସଙ୍ଗତେ ସପାର୍ଶ୍ୱଦ ସଅସ୍ତ୍ରଗଣ

।।

ଅଙ୍ଗ ଉପାଙ୍ଗ ଘେନି କୀର୍ତ୍ତନାରମ୍ଭେ

ନାମ ପ୍ରକାଶ କରେ ଅତ୍ୟନ୍ତ ଦମ୍ଭେ

।।

ସ୍ଥାବର ଜଙ୍ଗମାଦି କୀଟପତଙ୍ଗ

ଦ୍ରବିଲେ ଶୁଣି ଗୌରାଙ୍ଗ ରଙ୍ଗ ଗୋ

।।” (ଚ:୨୦)

 

ପ୍ରେମଭକ୍ତି :-

 

‘‘ସମସ୍ତ ବିଷୟ ବିସର୍ଜି

ନିତ୍ୟ ମଧୁର ପ୍ରେମେ ମଜ୍ଜି

।।

ବ୍ରହ୍ମଙ୍କୁ ଦେଖି ବ୍ରହ୍ମଧ୍ୟାନେ

ଚୁମ୍ବକ ପ୍ରସ୍ତରେ ଯେସନେ

।।

କାହାର ନାହିଁ ବାହ୍ୟ ପ୍ରେମରେ

ଏକୁ ଆରେକ ଚୁମ୍ବନ କରେ

।।’’

 

‘ମୟୂର-ଚନ୍ଦ୍ରିକା’ର ଚତୁର୍ଥ ଚନ୍ଦ୍ରିକାରେ କୃଷ୍ଣଙ୍କୁ ଧ୍ୟାନ କରି ଅନ୍ତରରେ ତାହାଙ୍କୁ ଉପଲବ୍‌ଧି କରିବାପାଇଁ ସେ ଯୋଗପନ୍ଥା ଅନୁସରଣ କରୁଥିଲେ ବୋଲ ମୁଁ ଓଡ଼ିଆ ସାହିତ୍ୟର ଇତିହାସ ଲେଖିଲାବେଳେ ଅନୁମାନ କରିଥିଲେ, କିନ୍ତୁ ପ୍ରକୃତରେ ତାହା ନୁହେଁ । ଗୌଡୀୟ ବୈଷ୍ଣବଧର୍ମର ଦର୍ଶନ ଅନୁସାରେ ଜୀବ ଓ ପରମଙ୍କର ଅଚିନ୍ତ୍ୟ ଭେଦାଭେଦ ସମ୍ବନ୍ଧ ଅଛି । ଭେଦ ସ୍ଵୀକାର ନ କଲେ ରାଗାନୁରାଗ ଭକ୍ତି ଜନ୍ମିବ ନାହିଁ । ଭକ୍ତି ନ ଜନ୍ମିଲେ ଅଭେଦ ହୃଦୟଙ୍ଗମ କରିପାରିବ ନାହଁ । ଅଭେଦ ଅନୁଭବ କରିବାପାଇଁ ଧ୍ୟାନ କରାଯାଏ । ପବନ ନିରୋଧ ଯୋଗାଭ୍ୟାସ କରାଯାଏ ନାହିଁ-। ବୌଦ୍ଧଧର୍ମରେ ସଂସାରର ଅନିତ୍ୟତାକୁ ଧ୍ୟାନ କରାଯାଏ । ଗୌଡ଼ୀୟ ବୈଷ୍ଣବଧର୍ମରେ ପରମାତ୍ମାଙ୍କୁ ଧ୍ୟାନ କରାଯାଏ ।

ଶ୍ରୀହରିଦାସ ଜାତିରେ ଗଉଡ଼ ଥିଲେ ଓ ତାଙ୍କର ପିତାଙ୍କର ନାମ ରାମକୃଷ୍ଣ ଥିଲା :-

‘‘ଗୋପାଳ – କୁଳେ ଜନ୍ମ ମୋର । ଶ୍ରୀରାମକୃଷ୍ଣଙ୍କ କୁମର । (ଚ : ୭)

କଣ୍ଠଦାସ

ଏ କେତେଗୁଡ଼ିଏ ପୋଇ ରଚନା କରିଥିଲେ । ପୂର୍ବୋକ୍ତ ହରିଦାସ ‘ମୟୂର-ଚନ୍ଦ୍ରିକା’ର ପଞ୍ଚଦଶ ଚନ୍ଦ୍ରିକାକୁ ପୋଇ-ବୃତ୍ତରେ ଗାଇବାପାଇଁ ନିର୍ଦ୍ଦେଶ କରିଅଛନ୍ତି ଏବଂ ଉକ୍ତ ପୋଇ-ବୃତ୍ତ ସହିତ କଣ୍ଠଦାସଙ୍କ ପୋଇ-ରଚନାର ବୃତ୍ତର ସାମଞ୍ଜସ୍ୟ ଅଛି । ଏଣୁ କଣ୍ଠଦାସ ଶ୍ରୀହରିଦାସଙ୍କ ପୂର୍ବବର୍ତ୍ତୀ ବା ସମକାଳୀନ ବୋଲି କୁହାଯାଇପାରେ । କଣ୍ଠଦାସଙ୍କ ପୋଇରେ କୃଷ୍ଣଭକ୍ତିର ବର୍ଣ୍ଣନା ଅଛି । ତାଙ୍କ ରଚନାରେ ସହଜ ଅନୁପ୍ରାସାଳଙ୍କାର ଓ ପ୍ରସାଦଗୁଣବିଶିଷ୍ଟ ଶୈଳୀ ଦେଖାଯାଏ; ଯଥା-

 

‘‘ଦନ୍ତରେ ତିରଣ, ଧରିବ ଚରଣ ଶରଣ ପଶିବ ତାରେ ଯାଇ ।

ବେଦନା ଜଣାଇ କହିବି ମଣାଇ ଧରି ନ ଛାଡ଼ିବି ପାଦ ଦୁଇ ।।’’

 

ତୃଣ ଶବ୍ଦକୁ ତିରଣ ରୂପରେ ବ୍ୟବହାର କରିଅଛନ୍ତି । ‘ଦାନ୍ତରେ କୁଟା ହୋଇ ଗୋଡ଼ ଧରୁଛି’ — ଏକଥା କାହାକୁ ପ୍ରାର୍ଥନା କଲାବେଳେ ସାଧାରଣ ଲୋକେ ପ୍ରାର୍ଥନାର ଚରମ ସୀମା ରୂପରେ ବ୍ୟବହାର କରନ୍ତି । କିନ୍ତୁ କବି ତାହାକୁ ମାର୍ଜିତ କରିଅଛନ୍ତି । କଥିତ ଭାଷାକୁ ମାର୍ଜିତ ନ କଲେ ଭାଷାସୌଷ୍ଠବ ବଢେ ନାହିଁ

ଦୀନବନ୍ଧୁ ଦାସ

‘ଛାନ୍ଦ ଚାରୁପ୍ରଭା’ ଓ ‘ରାଧାକୃଷ୍ଣ – ଲୀଳାମୃତ’ ରଚନା କରିଥିଲେ । ଅଷ୍ଟାଦଶ ଶତାବ୍ଦୀର ଦାର୍ଢ୍ୟତା - ଭକ୍ତିରେ ଦୀନବନ୍ଧୁ ଦାସ ନାମକ ଜଣେ ଭକ୍ତଙ୍କ ବିବରଣ ଅଛି । ଆଲୋଚିତ ଦୀନବନ୍ଧୁ ଦାସ ମଧ୍ୟ ଜଣେ ଭକ୍ତ ଥିଲେ । ଏଣୁ ଦାର୍ଢ୍ୟତା-ଭକ୍ତିର ଦୀନବନ୍ଧୁ ଦାସ ଓ ଆଲୋଚିତ ଦୀନବନ୍ଧୁ ଦାସ ଅଭିନ୍ନ ବ୍ୟକ୍ତି ବୋଲି କୁହାଯାଇପାରେ । ତାହାହେଲେ କବି ଅଷ୍ଟାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ଅଟନ୍ତି । କବିଙ୍କୁ ତାଙ୍କର ପିତାମାତା ବିବାହିତ କରି ଦେଇଥିଲେ । ତାଙ୍କର ସନ୍ତାନ ଜନ୍ମିଥିଲେ । ସନ୍ତାନମାନଙ୍କ ଅବାଧ୍ୟତା ଯୋଗରୁ ସେ ବୈଷ୍ଣବଧର୍ମ ଗ୍ରହଣ କଲେ । ବଡ଼ଲୋକ ହେବେ ବିଚାରି ସେ ବୈଷ୍ଣବ ହୋଇଥିଲେ, ଏକଥା ରାଧାକୃଷ୍ଣ - ଲୀଳାମୃତରେ ସେ ଲେଖିଅଛନ୍ତି-

 

‘‘କନ୍ୟା ଗୋଟିଏ ଲୋଡି ମତେ । ବିଭା କରାଇଲେ ଈଷିତେ ।।

X            X            X

ନିରତେ, କୁଟମ୍ବର ଚିନ୍ତା । ପାଳଇ କୁମର ଦୁହିତା ।।

ଚିନ୍ତା କରଇ ନିତି ନିତି । କେମନ୍ତେ ହୋଇବି ମୁକତି ।।

ଲୋକେ ହୋଇବି ବଡ଼ ଜଣ । ମୋର ହୋଇବ ବଡ଼ ପଣ ।।

ବୃଦ୍ଧ ହୋଇଲୁଁ ଆମ୍ଭେ ଯହୁଁ । ମାନନ୍ତି ନାହଁ ପୁତ୍ର ତହୁଁ ।।

 

ବୈଷ୍ଣବମାନଙ୍କର ସମାଜରେ ପ୍ରତିପତ୍ତି ଥିଲା; ଏଣୁ ଅଳସ ସ୍ୱଭାବରୁ ବା ପାରିବାରିକ ଅଶାନ୍ତିରୁ ଲୋକେ ବୈଷ୍ଣବଧର୍ମ ଗ୍ରହଣ କରୁଥିଲେ । ପ୍ରାଚୀନ କାଳରେ ତ୍ୟାଗୀମାନେ ନାନାପ୍ରକାର ଔଷଧ, କୃଷି-ପ୍ରଣାଳୀ ପ୍ରଭୃତି ଆବିଷ୍କାର କରି ପ୍ରଭୂତ ଲୋକହିତକର କାର୍ଯ୍ୟ କରୁଥିଲେ । ସେଥିପାଇଁ ପରମ୍ପରାକ୍ରମେ ବୈଷ୍ଣବମାନଙ୍କ ପ୍ରତି ଦେଶରେ ଭକ୍ତି ରହିଆସିଅଛି ।

 

ରସାନନ୍ଦ କୁଞ୍ଜବିହାରୀ

ଅଷ୍ଟାଦଶ ଶତାବ୍ଦୀର ‘ନାମରତ୍ନ-ଗୀତରେ’ ରସାନନ୍ଦ ଓ କୁଞ୍ଜବିହାରୀ ଶ୍ରୀ-ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ଥିଲେ ବୋଲି ଦୀନକୃଷ୍ଣ ଦାସ ଲେଖିଅଛନ୍ତି । ଏଣୁ ଏହି ଦୁଇ କବି ଅଷ୍ଟାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ବୋଲି ଅନୁମାନ କରିବାକୁ ହେବ । ରାଧାକୃଷ୍ଣଙ୍କ ପ୍ରେମରସଗର୍ଭକ କେତେଗୁଡ଼ିଏ ସଙ୍ଗୀତରେ ରସାନନ୍ଦଙ୍କ ନାମର ଭଣତି ଦେଖାଯାଏ । କୁଞ୍ଜବିହାରୀ ରାଧାକୃଷ୍ଣଙ୍କ କୁଞ୍ଜବିହାର ସମ୍ବନ୍ଧରେ ‘କୁଞ୍ଜବିହାର’ ଲେଖିଥିବେ-ମୁଁ ପଢ଼ିପାରିନାହିଁ । ଶ୍ରୀ-ସମ୍ପ୍ରଦାୟ ବୋଧ ହୁଏ ରାମାନୁଜ – ସ୍ୱାମୀଙ୍କ ବିଶିଷ୍ଟାଦ୍ୱୈତବାଦୀ ଅଟନ୍ତି ।

ସାଲବେଗ

ଏହାଙ୍କ ନାମରୁ ଜଣାଯାଏ ଯେ, ଏ ଜଣେ ମୁସଲମାନ ଥିଲେ । କିନ୍ତୁ ସେ ମଧୁର - ରସର ଭକ୍ତ ଥିଲେ । ଅଷ୍ଟାଦଶ ଶତାବ୍ଦୀର ଦାର୍ଢ୍ୟତା-ଭକ୍ତି ଅନୁସାରେ ଜଣେ ବିଧବା ବ୍ରାହ୍ମଣୀ କୌଣସି ମୁସଲମାନ ସେନାପତିଙ୍କ ପ୍ରେମରେ ପଡ଼ିଥିଲେ । ସାଲବେଗ ଏହି ଯୁଗଳଙ୍କର ସନ୍ତାନ ଅଟନ୍ତି । ଏଣୁ ତାହାଙ୍କର ଆବିର୍ଭାବ-କାଳ ସପ୍ତଦଶ ଶତାବ୍ଦୀର ଶେଷ ଭାଗ ବୋଲି ଅନୁମାନ କରାଯାଇପାରେ । ତାଙ୍କ ରଚିତ ସଙ୍ଗୀତରୁ ପଦେ ଉଦାହରଣ ଦିଆଯାଉଅଛି : –

ସଖି, କୁଞ୍ଜବନେ ବଂଶୀ କେ ବଜାଇଲା ଗୋ

ଶୁଷ୍କ ତରୁମାନେ ଥିଲେ ଧ୍ୱନି ଶୁଣି ପଲ୍ଲବିଲେ

ପବନ ସ୍ଥକିତ ହୋଇ ରହିଲା ଗୋ ।

ପାଷାଣ ହୁଅଇ ପାଣି ପବନ ଟେକେ ଉଜାଣି

ଜଳ ତେଜି ମୀନ କୂଳେ ରହିଲା ଗୋ ।

ଗୋପେନ୍ଦ୍ର କବି

ସ୍ୱର୍ଗୀୟ ତାରିଣୀ ଚରଣ ରଥ ଗୋପେନ୍ଦ୍ର କବି ‘ମଧୁପଚଉତିଶା’ ରଚନା କରିଥିଲେ ବୋଲି ନିଜ ସଂକଳିତ ଉତ୍କଳ-ସାହିତ୍ୟର ଇତିହାସରେ ଲେଖି ଅଛନ୍ତି । ଏହାଙ୍କ ସମ୍ବନ୍ଧରେ ଅଧିକ କିଛି ଜଣାଯାଏ ନାହିଁ ।

ରାଜା ସାମନ୍ତସିଂହାର

ଏ ଖଣ୍ଡିଏ ‘ମଧୁପ–ଚଉତିଶା’ ରଚନା କରିଥିଲେ । ଗୋପୀମାନେ ମଥୁରାରେ ଥିବା କୃଷ୍ଣଙ୍କ ନିକଟକୁ ମଧୁପଦ୍ୱାରା କହିପଠାଇଥିବା ନିଜର ହୃଦୟ-ବେଦନା ‘ମଧୁପ-ଚଉତିଶା’ରେ ବର୍ଣ୍ଣିତ ହୋଇଅଛି । ଭଣତିରେ “ରାଜା ସାମନ୍ତସିଂହାର’’ ନାମଟି ଲେଖାଅଛି :-

‘‘କହେ ରାଜା ସାମନ୍ତସିଂହାର । କୃଷ୍ଣ ବିଚ୍ଛେଦେ ବ୍ରଜତରୁଣୀ ହେ ମଧୁପ ।।”

ଏଥିରୁ ଜଣାଯାଏ ଯେ ବିଦ୍‌ଗଧ ଚିନ୍ତାମଣିର ରଚୟିତା ସାମନ୍ତସିଂହାରଙ୍କଠାରୁ ଆଲୋଚିତ ସାମନ୍ତସିଂହାର ପୃଥକ୍ ଅଟନ୍ତି । ତେଙ୍କାନାଳର ରାଜବଂଶାବଳୀରୁ ଜଣାଯାଏ ଯେ ଢେଙ୍କାନାଳର ରାଜାମାନେ ପୂର୍ବେ ସାମନ୍ତସିଂହାର ଉପାଧି ବ୍ୟବହାର କରୁଥିଲେ । ମରହଟ୍ଟାମାନଙ୍କଠାରୁ ‘ମହୀନ୍ଦ୍ରବାହାଦୂର’ ଉପାଧି ପାଇଲା ଦିନଠାରୁ ଉକ୍ତ ଉପାଧି ସେମାନେ ଛାଡ଼ି ଦେଇ ଅଛନ୍ତି । କିନ୍ତୁ ବ୍ରଜନାଥ ବଡ଼ଜେନାଙ୍କ ‘ସମରତରଙ୍ଗ’ରୁ ଜଣାଯାଏ ସେ ମରହଟ୍ଟାମାନଙ୍କ ସହିତ ଢେଙ୍କାନାଳ ରାଜାଙ୍କର ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଯୁଦ୍ଧ ଲଗିବାବେଳକୁ ଢେଙ୍କାନାଳ ରାଜାଙ୍କର ‘ମହୀନ୍ଦ୍ର ବାହାଦୂର' ଉପାଧି ଥିଲା । ଏଣୁ ତାହା ପୂର୍ବରୁ ଢେଙ୍କାନାଳର ରାଜାଙ୍କ ସହିତ ମରହଟ୍ଟାମାନଙ୍କର କୌଣସି ପ୍ରକାରର ସମ୍ପର୍କ ସ୍ଥାପିତ ହୋଇଥିଲା ବୋଲି ଅନୁମିତ ହୁଏ । କିନ୍ତୁ ଢେଙ୍କାନାଳର କେଉଁ ରାଜା ସାମନ୍ତସିଂହାର ‘ମଧୁପ ଚଉତିଶା' ରଚନା କରିଥିଲେ ? କେବଳ ବର୍ତ୍ତମାନ ଏତିକି କୁହାଯାଇପାରେ ଯେ ‘ମଧୁପ-ଚଉତିଶା’ଟି ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗର ପୂର୍ବବର୍ତ୍ତୀ ରଚନା ଅଟେ । ଏଥିରୁ ପଦେ ଦୃଷ୍ଟାନ୍ତ ଦେଉଅଛି : -

 

‘‘କହୁଛନ୍ତି ଗୋପୀ ମଧୁପକୁ କର ଗମନ ମଧୁପୁରକୁ

କହିବ କମଳଲୋଚନ ଛାମୁରେ, କିମ୍ପା ନିର୍ଦ୍ଦୟ କଲେ ଆମ୍ଭଙ୍କୁ, ହେ ମଧୁପ ।’’

 

ଉପେନ୍ଦ୍ରଭଞ୍ଜ ‘ମଧୁପ-ଚଉତିଶା’ର ବାଣୀ ନିର୍ଦ୍ଦେଶ କରିଥିବାରୁ ଆଲୋଚିତ କବି ସପ୍ତଦଶ ଶତାବ୍ଦୀର ହୋଇପାରନ୍ତି । ଏହାଙ୍କର ‘ରାଧା-ବିଳାପ’ ନାମରେ ଗୋଟିଏ ରଚନା ଦେଖାଯାଏ । କବିଙ୍କ ଶୈଳୀରେ ଲଳିତଗୁଣ କିପରି ପ୍ରକଟିତ ହୋଇଅଛି, ତାହା ପାଠକମାନେ ବୁଝିବା ନିମନ୍ତେ ‘ରାଧା–ବିଳାପରୁ’ ପଦେ ତଳେ ଉଦ୍ଧାର କରାଯାଉଅଛି : –

 

‘‘ଏକେ ତ ବସନ୍ତ କାଳ, ଦକ୍ଷିଣ ପ୍ରସରେ ମଳୟାନିଳ ଗୋ

ଉଚ୍ଚେ ରାବ ଦିଅଇ କୋକିଳ । ସଜନି ଗୋ ।’’

ନୀଳାମ୍ବରଭଞ୍ଜ

ଏ ହଳଦିଆ ରାଜା ଥିଲେ । ଏହାଙ୍କ ରଚିତ ‘କୃଷ୍ଣଲୀଲାମୃତ’ ଓ ‘ପଞ୍ଚଶାୟକ’ ନାମଦ୍ୱୟ ସ୍ୱର୍ଗୀୟ ତାରିଣୀ ଚରଣ ରଥଙ୍କ ଉତ୍କଳ ସାହିତ୍ୟର ଇତିହାସରେ ଦେଖିବାକୁ ମିଳେ । ‘ପଞ୍ଚଶାୟକ’ରେ କିଛି ନୂତନ ତଥ୍ୟ ଥିବ ବୋଲି ଅନୁମାନ କରି ଉକ୍ତ ପୁସ୍ତକ ବହୁତ ଖୋଜି ପାଇନାହିଁ ।

 

 

ବନମାଳୀଦାସ

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ନିଜ ରଚିତ ‘ଯୁଗଳ ରସାମୃତ ଲହରୀ’ର ଊନଚତ୍ୱାରିଂଶ ଛାନ୍ଦକୁ ବନମାଳୀଦାସଙ୍କ ରସ-ବାଣୀରେ ଗାଇବାପାଇଁ ନିର୍ଦ୍ଦେଶ କରିଥିବାରୁ ଜଣାଯାଏ ଯେ ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ଅଟନ୍ତି । ବନମାଳୀଦାସ ବୈଷ୍ଣବମତାବଲମ୍ବୀ ଥିଲେ ।

 

ଏଣୁ ଦିବାକର ଦାସ ‘ଜଗନ୍ନାଥାମୃତ’ରେ ଯେଉଁ ବନମାଳୀଦାସଙ୍କ ନାମ ଉଲ୍ଲେଖ କରିଅଛନ୍ତି, ଆଲୋଚିତ କବି ତାଙ୍କଠାରୁ ପୃଥକ୍ ନୁହନ୍ତି ବୋଲି କହିବାକୁ ସାହସ ବଳେ । ତାଙ୍କ ରଚିତ ରାସ ଏପର୍ଯ୍ୟନ୍ତ ମୋ ନଜରରେ ପଡ଼ିନାହିଁ । କିନ୍ତୁ ତାଙ୍କ ରଚିତ ‘ଚାଟ ଇଚ୍ଛାବତୀ’ ପଢ଼ିଲେ ଜଣାଯାଏ ଯେ କେବଳ ରାଧାକୃଷ୍ଣଙ୍କଠାରେ ନିରାବିଳ ପ୍ରେମ ପର୍ଯ୍ୟବସିତ ନ ରହି ସମାଜର ପ୍ରତ୍ୟେକ ଗୃହସ୍ଥର ପତିପତ୍ନୀଙ୍କ ମଧ୍ୟରେ ପ୍ରତିଷ୍ଠିତ ହୁଅନ୍ତା, ଏହା ତାହାଙ୍କର ଅଭିପ୍ରାୟ ଥିଲା । ଉକ୍ତ ପୁସ୍ତକରେ ବର୍ଣ୍ଣିତ ଅଛି ଯେ ଦର୍ପକ ଦେଶର ରାଜା ମଦନବ୍ରହ୍ମ ନିଜର ପୁତ୍ର ଚାରୁବ୍ରହ୍ମର ବିବାହ-ପ୍ରସ୍ତାବ କଲେ । କିନ୍ତୁ ଚାରୁବ୍ରହ୍ମ ରାଜି ହେଲେ ନାହିଁ । ରାଜା ଓ ରାଣୀ ବିରକ୍ତ ହେଲେ । ଚାରୁବ୍ରହ୍ମ ରାଜ୍ୟ ତ୍ୟାଗ କରି ଭୋଜରାଜଙ୍କ ରାଜ୍ୟରେ ପହଞ୍ଚିଲେ । ଭୋଜରାଜଙ୍କର କନ୍ୟା ଇଚ୍ଛାବତୀଙ୍କୁ ଜଣେ ଗୁରୁ ପାଠ ପଢ଼ାଉଥିଲେ । ଚାରୁବ୍ରହ୍ମ ସେହି ଗୁରୁଙ୍କୁ ପାଠଶାଳାରେ ଆଶ୍ରୟ ମାଗିଲେ । ଏତିକିବେଳେ ଚାରୁବ୍ରହ୍ମ ଓ ଇଚ୍ଛାବତୀଙ୍କ ମଧ୍ୟରେ ଚାରିଚକ୍ଷୁର ମିଳନ ଘଟି ପରସ୍ପରର ପ୍ରେମ ଚକ୍ଷୁ ସାହାଯ୍ୟରେ ଆଦାନପ୍ରଦାନ ହେଲା । ତତ୍ପରେ ଗୁରୁ ଚାରୁବ୍ରହ୍ମଙ୍କୁ ଆଶ୍ରୟ ଦେଲେ ଏବଂ ଚାରୁବ୍ରହ୍ମ ଓ ଇଚ୍ଛାବତୀଙ୍କ ମଧ୍ୟରେ ପ୍ରାଣବିନିମୟର ସୁୟୋଗ ଘଟିଲା । ଭୋଜରାଜଙ୍କ ସମ୍ମତିରେ ଦୁଇଜଣ ବିବାହ ସୂତ୍ରରେ ଆବଦ୍ଧ ହେଲେ ।

 

ଆମ ଦେଶରେ ବିବାହ-ଅନୁଷ୍ଠାନମାନଙ୍କରେ ବରକନ୍ୟାଙ୍କ ମଧ୍ୟରେ ଶୁଭଦୃଷ୍ଟି ବିଧାନ ପାଳିତ ହୁଏ । ଏହା ପ୍ରାଚୀନ ଗାନ୍ଧର୍ବି ବିବାହର ନିଦର୍ଶନ ଅଟେ । ପ୍ରାଚୀନ କାଳରେ ପ୍ରତ୍ୟେକ ସମାଜରେ ଗାନ୍ଧର୍ବ ବିବାହ ପ୍ରଚଳିତ ଥିଲା । ଏଥିରୁ କୌଣସି କୁଫଳ ଜାତ ହେବାରୁ ଏ ପ୍ରଥା ରହିତ ହୋଇଅଛି । ଚକ୍ଷୁ ଅନେକ ସ୍ଥଳରେ ରୂପର ମୋହରେ ବା ଇନ୍ଦ୍ରିୟାସକ୍ତିରେ ଭୁଲିଯାଉଥିବାରୁ ଚାରିଚକ୍ଷୁର ମିଳନ ଉତ୍ତାରୁ ଚିତ୍ତଜ ପ୍ରେମର ପ୍ରଗାଢ଼ତା ପରିସ୍ଫୁଟ କରାଇବାପାଇଁ ପାଶ୍ଚାତ୍ୟ ଲେଖକମାନେ ପରସ୍ପର ମିଳନ ନିମନ୍ତେ କିଛିକାଳ ନାୟକ ନାୟିକାଙ୍କୁ ସୁଯୋଗ ଦିଅନ୍ତି ନାହିଁ ।

 

ଇଚ୍ଛାବତୀ ପ୍ରଥମେ ନିଜ ହୃଦୟ ଫିଟାଇ କହିଲେ । ଚାରୁବ୍ରହ୍ମ ନିଜର ନିର୍ଦ୍ଧନ-ପଣ ବର୍ଣ୍ଣନା କରି ଇଚ୍ଛାବତୀପାଇଁ ସେ ଉପଯୁକ୍ତ ପାତ୍ର ନୁହେଁ ବୋଲି ପ୍ରକାଶ କଲା । ଇଚ୍ଛାବତୀ ଊତ୍ତର ଦେଲା-:-

 

‘‘ତୁମ୍ଭେ ଯେ ବୋଇଲ ମୁହିଁ ନିର୍ଦ୍ଧନ ପୁରୁଷ । ପୀରତିରେ ଧନ ଥାଇ କିସ ?

ଧନ ଯଉବନ ବାଟ ସର୍ବଦା ନ ଥାଇ । ପୀରତି - କୀରତି ଏକା ଯୁଗେ ଯୁଗେ ଥାଇ ।’’

 

ଭୋଜମାନେ ସାତ୍ତ୍ୱତ ଥିଲେ ଓ ତାଙ୍କ କନ୍ୟାମାନଙ୍କର ଇଚ୍ଛାବରଣ ପତି ହେଉଥିଲେ । ଏହି ଐତିହାସିକ ତଥ୍ୟ ବୋଧ ହୁଏ ବନମାଳୀଦାସ କାହାରିଠାରୁ ଶୁଣିଥିଲେ । ଜଗନ୍ନାଥଙ୍କ ଚନ୍ଦନ-ଯାତ୍ରା ସମ୍ବନ୍ଧରେ ବନମାଳୀଦାସଙ୍କର ଗୋଟିଏ ରଚନା ମୁଁ ଶୁଣିଥିଲି । ତାହାର ପ୍ରଥମରୁ ଅଧପାଦେ ଓ ଶେଷରୁ ଅଧପାଦେ ମନେ ପଡ଼ୁଛି : –

 

‘‘କରୀନ୍ଦ୍ର-ରଦ ପଲଙ୍କ ତେଜି ପ୍ରଭୁ ନରେନ୍ଦ୍ର ଚାପେ ବିଜେ......

....... ବୋଲେ ବନମାଳୀ ଦାସ ନ ମାଡ଼ନ୍ତା ପାଶ .....’’

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ସ୍ଵର୍ଗୀୟ ମନମୋହନ ଚକ୍ରବର୍ତ୍ତୀ ଏହାଙ୍କର ପରିଚୟ ପ୍ରଥମେ ସଂଗ୍ରହ କରିଥିଲେ । ଓଡ଼ିଶାର ଇତିହାସ - ଗବେଷଣାରେ ଚକ୍ରବର୍ତ୍ତୀ ମହାଶୟ ପଥ-ପ୍ରଦର୍ଶକ ଅଟନ୍ତି । ସେ ଲେଖିଅଛନ୍ତି ଯେ ସଦାନନ୍ଦଙ୍କ ଆଦ୍ୟ ନାମ ସାଧୁଚରଣ ହୋତା ଥିଲା । ବୈଷ୍ଣବଧର୍ମ ଗ୍ରହଣ କରି ସେ ସାଧୁଚରଣ ଦାସ ଓ ପରେ ସଦାନନ୍ଦ ନାମରେ ଅଭିହିତ ହେଲେ । ଶେଷରେ ପୁରୀ ରାଜାଙ୍କଠାରୁ ‘କବିସୂର୍ଯ୍ୟ ବ୍ରହ୍ମା’ ଉପାଧି ପାଇଥିଲେ । ସେ ନୟାଗଡ଼ର ଲଡ଼ୁକେଶ୍ୱର - ଶିବମନ୍ଦିର ନିକଟରେ ଭିକାରିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସଂସାର-ମାୟା ତ୍ୟାଗ କରିବାର କେତେକ ବର୍ଷ ଉତ୍ତାରେ ସେ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପିତା ଇନ୍ଦ୍ରଜିତଙ୍କର ( କଟକ ଜିଲାର ବାଲିଆ ଗ୍ରାମନିବାସୀ ) ନିକଟରେ ପହଞ୍ଚିଥିଲେ । ଇନ୍ଦ୍ରଜିତଙ୍କର ଏକାଧିକ ପତ୍ନୀ ଥିଲେ ମଧ୍ୟ କୌଣସି ସନ୍ତାନ ଜାତ ହୋଇ ନ ଥିଲେ । ସଦାନନ୍ଦ ଯଜ୍ଞାନୁଷ୍ଠାନ କରିବାରୁ ଇନ୍ଦ୍ରଜିତଙ୍କ କନିଷ୍ଠତମା ପତ୍ନୀଙ୍କ ଗର୍ଭରୁ ଅଭିମନ୍ୟୁ ଜନ୍ମଗ୍ରହଣ କଲେ । ୧୮୦୬ ଖ୍ରୀଷ୍ଟାବ୍ଦରେ ୪୯ ବର୍ଷ ବୟସରେ ଅଭିମନ୍ୟୁ ଦେହତ୍ୟାଗ କରିଥିବାରୁ ସେ ୧୭୫୬ ବା ୧୭୫୭ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବାର ଅନୁମିତ ହେଉଅଛି । ତାହାହେଲେ ସଦାନନ୍ଦ ବାଲିଆକୁ ଅନ୍ତତଃ ଦୁଇ ବର୍ଷ ପୂର୍ବରୁ ଯାଇଥିବେ । ତାହାହେଲେ ସଦାନନ୍ଦ ୧୭୨୦ ଖ୍ରୀଷ୍ଟାବ୍ଦର ପୂର୍ବବର୍ତ୍ତୀ କୌଣସି ବର୍ଷ ଜନ୍ମଗ୍ରହଣ କରିଥିବେ — ପରବର୍ତ୍ତୀ ବର୍ଷ ନୁହେ । କାରଣ ଯୌବନ ପାରନୋହିଥିଲେ ବାଲିଆ ଠାରେ କେହି ତାହାଙ୍କୁ ଭକ୍ତି ଓ ବିଶ୍ୱାସ କରି ନ ଥାନ୍ତେ । ସଦାନନ୍ଦ ଅଭିମନ୍ୟୁଙ୍କର ଶିକ୍ଷାଗୁରୁ ଥିଲେ । ପରବର୍ତ୍ତୀ କାଳରେ ଅଭିମନ୍ୟୁଙ୍କ ସହିତ ତାଙ୍କର ମନୋମାଳିନ୍ୟ ଘଟିବାରୁ ସେ ବାଲିଆ ନିକଟବର୍ତ୍ତୀ ଦୀକ୍ଷିତପଡ଼ା ଗ୍ରାମରେ ମଠ ସ୍ଥାପନ କରି ବାସ କରୁଥିଲେ । ମଠମହନ୍ତଙ୍କ ଶିଷ୍ୟ ସ୍ୱର୍ଗୀୟ ରାଧାଚରଣ ଦାସ ବି: ଏ: ମହାଶୟ ମଧ୍ୟ ଉକ୍ତ ବିବରଣ ସତ୍ୟ ବୋଲି ମୋତେ କହିଥିଲେ । ବିବରଣର ସତ୍ୟତା ସଦାନନ୍ଦଙ୍କ ଲେଖାବଳୀରୁ ମଧ୍ୟ କେତେକ ପରିମାଣରେ ପ୍ରମାଣିତ ହୁଏ:-

 

“ମୋହ ମଠେ କୃଷ୍ଣଭକ୍ତି ମହର୍ଗ । ଦାତା ଲଡ଼ୁକେଶ୍ୱର ନାମେ ଭର୍ଗ ।।’’ (ଯୁ: ର: ଲ:)

X            X            X            X

“ନାମ ସଦାଶିବ ପୂର୍ବ ଅନୁଭବ । ପୁଣି ଖ୍ୟାତ କବିସୂର୍ଯ୍ୟ ବ୍ରହ୍ମା ।।’’ (ଯୁ: ର: ଲ:)

 

ବୈଷ୍ଣବଧର୍ମ ଗ୍ରହଣ କଲେହେଁ ଲଡ଼ୁକେଶ୍ୱର ନାମକ ଶିବଙ୍କଠାରୁ ଭକ୍ତି ତାଙ୍କର ତୁଟି ନ ଥିଲା । ତେଣୁ ସେ ରାଜାଙ୍କଠାରୁ ‘କବିସୂର୍ଯ୍ୟ ବ୍ରହ୍ମା’ ଉପାଧି ଗ୍ରହଣ କରିଥିଲେ । କିନ୍ତୁ ବିନୟୀ ବୈଷ୍ଣବମାନେ ଏପରି ଉପାଧି ଗ୍ରହଣ କରିବାପାଇଁ ଧର୍ମରେ ବିଧାନ ନ ଥିବାରୁ ଆପତ୍ତି ଉଠାଇ ଥିଲେ, ତେଣୁ ସେ ଲେଖିଅଛନ୍ତି :-

 

‘‘କବିସୂର୍ଯ୍ୟ ବ୍ରହ୍ମାପଦ, ଏ ଆସି ମୋତେ ହେଲା ବିପଦ.... ବୈଷ୍ଣବେ କଲେ ବାଦ ।” (ଯୁ: ର: ଲ: )

ସଦାନନ୍ଦ କୋପନ - ପ୍ରକୃତିର ଲୋକ ଥିଲେ ଓ ମଧୁର ରସର ଭକ୍ତ ଥିଲେ:–

‘‘କୁଗୀବାଣ - କୁଳକଞ୍ଜ- ଆଦିତ୍ୟ । କୋପୀ କବିସୂର୍ଯ୍ୟ ବ୍ରହ୍ମା କଥିତ ।’’

X            X            X            X

‘‘କେଳି ଅଜ୍ଞାତ ପଶୁ ପ୍ରକାର ।

X            X            X            X

କୋଳେ ଧରି ନାହାନ୍ତି ଯେ ନାଗରୀ । କୋଡ଼ି କୋଦାଳ କରେ ବୟ ସାରି ।’’

 

ବ୍ରାହ୍ମଣକୁଳର ଆଦିତ୍ୟ ବୋଲି ନିଜକୁ କହିବା ଗର୍ବର ପରିଚାୟକ ଅଟେ । କୋଡ଼ି କୋଦାଳ ଧରି ବୟସ ନ ସାରି ସର୍ବଦା କୋଳରେ ନାଗରୀ ଧରିବା କଥାରୁ ଜଣାଯାଏ ଯେ ତାଙ୍କ ଉପରେ ଶୈବଧର୍ମର ପ୍ରଭାବ ପଡ଼ିଥିଲା । ସେଥିପାଇଁ ତାଙ୍କ ମଠରେ କୃଷ୍ଣ-ଭକ୍ତି ମହରର ଥିଲା ବୋଲି କହିଅଛନ୍ତି । ନୟାଗଡ଼ ସାହିତ୍ୟ-ଚର୍ଚ୍ଚାର ଗୋଟିଏ କେନ୍ଦ୍ର ଥିଲା । ସେଠାରେ ରାଜା କୃଷ୍ଣସିଂହ ଓ ଉପେନ୍ଦ୍ରଭଞ୍ଜ ସାହିତ୍ୟ-ଚର୍ଚ୍ଚା କରିବାର ସୁବିଧା ପାଇଥିଲେ । ଏଣୁ ସଦାନନ୍ଦଙ୍କ ପକ୍ଷରେ ସାହିତ୍ୟ-ଚର୍ଚ୍ଚାର ସୁବିଧା ସୁଲଭ ଥିଲା । ବିଶେଷତଃ ଭଞ୍ଜ-ସାହିତ୍ୟ ଚର୍ଚ୍ଚାରେ ସେ ବିଶେଷ ଦକ୍ଷତା ଲାଭ କରିପାରିବେ । ସେଥିପାଇଁ ତାଙ୍କ ଲେଖାବଳୀରେ ଭଞ୍ଜଙ୍କ ପ୍ରଭାବ ଲକ୍ଷିତ ହୁଏ ।

 

ସଦାନନ୍ଦ ଯୁଗଳ-ରସାମୃତ ଲହରୀ, ଯୁଗଳ-ରସାମୃତ ଚଉଁରୀ, ପ୍ରେମ-କଳ୍ପଲତା, ମୋହନ ଲତା, ପ୍ରେମ - ଲହରୀ, ପ୍ରେମ-ଭଉଁରୀ, ପ୍ରେମ-ତରଙ୍ଗିଣୀ, ନିସ୍ତାର- ନୀଳମଣି, ବିଶ୍ୱମ୍ଭର ବିହାର, ସମୁଦ୍ର, ଚୈତନ୍ୟ ଭାଗବତ, ନାମ-ଚିନ୍ତାମଣି, ଚୋର-ଚିନ୍ତାମଣି ଓ ପ୍ରେମ-ପଞ୍ଚାମୃତ ରଚନା କରିଥିଲେ । ପିଲାଦିନେ ମଫସଲର ଗ୍ରାମରେ ବଢ଼ି ଶିକ୍ଷିତ ହୋଇଥିବାରୁ ତାଙ୍କ ରଚନାରେ ମାର୍ଜିତ ଗାଉଁଲି ଭାଷା ଓ ଗାଉଁଲୀ ଛନ୍ଦ ଲକ୍ଷିତ ହୁଏ :-

 

“ମୋର କଳା କାଇଁଚ, ଦିଶୁଅଛି କେଡ଼େ ସଞ୍ଜ ଲୋ,

ଲବଣୀ ମାଗଇ ଲାଞ୍ଜ ଲୋ, ବନେ ଗଲା କେଉଁ ପାଞ୍ଚ ଲୋ ।( ଘୋଷା )

 

ଯଶୋଦା ଉଭା ଦୁଆରେ । ଦେଖନ୍ତି କୁମର ଗାଈ ପଛରେ ସେ । ଆସୁଅଛି ଧୀରେ ଲୋ । ୧।

ବଦରୀ - ଫଳ ଆକାର । ଗୋରୁ ଧୂଳି ପଡ଼ି ତନୁ ଧୂସର ସେ । ଝୁଲି କାଳିଆ ସୁନ୍ଦର ଲୋ ।୨ ।

( ଯୁ : ର : ଲ : )

‘‘କହଇ ନାଗରୀବର, କେଉଁ ସଜନୀ ଆଗର,

କାଢ଼ିଲେ ଓଡ଼ଣା ହେଲି ବାହାର, ଶ୍ୟାମବନ୍ଧୁ ହେଉ ମୋହର

ଖସି ଖଳଙ୍କୁ ନାହିଁ ମୋ ଡର, ଖଟିବ ଚରଣେ ତାର,

ଖସିଲା ଖସଣି ଶର କି ରହଇ ମୋ ମନ ହେଲାଣି ତାର ।’’ ( ପ୍ରେ : ଚି :)

 

ଏପରି ମନୋହର ଲଳିତ ରଚନା ଲେଖିବା ସତ୍ତ୍ୱେ ସେ ଉପେନ୍ଦ୍ରଭଞ୍ଜଙ୍କ ପରି କ୍ଳିଷ୍ଟ ଶବ୍ଦାଳଙ୍କାର–ସମନ୍ୱିତ ରଚନା ଲେଖିବାରେ ମନ ବଳାଇଅଛନ୍ତି :-

 

‘‘କିଣିବ ଏ ରସିକ ଜନ । କିଛି ଅଳଙ୍କାରେ ହୋଇବ ମଣ୍ଡନ ।’’

 

ମନ ବଳାଇ କିପରି ଉପେନ୍ଦ୍ରଭଞ୍ଜକୁ ସଦାନନ୍ଦ ଅନୁକରଣ କରିଅଛନ୍ତି, ତାହା ପାଠକେ ନମ୍ନୋଦ୍ଧୃତ ଦୁହିଁଙ୍କ ପଦ ଦିଓଟିରୁ ବୁଝିପାରିବେ :-

 

‘‘ସାରଙ୍ଗ ତରୁତଳେ ସାରଙ୍ଗଧର ହେଲେ ସାରଙ୍ଗମୁଖା ଦେଖଇଟି ।

ସାରଙ୍ଗ ସାରଙ୍ଗରେ ସାରଙ୍ଗ ସାରଙ୍ଗରେ ସାରଙ୍ଗ ସାରଙ୍ଗ ଦିଅଟି ।’’ ( ସଦାନନ୍ଦ )

‘‘ସାରଙ୍ଗରଦ ପଲଙ୍କେ, ସାରଙ୍ଗ ପଙ୍କିଳ ପଙ୍କେ,

ସାରଙ୍ଗମୁଖୀ ସାରଙ୍ଗ, ସାରଙ୍ଗରେ ମାତିଲେ ।” ( ଉପେନ୍ଦ୍ର ଭଞ୍ଜ )

 

ଚଉତିଶା-ରଚନାରେ ପ୍ରଥମେ ଅକ୍ଷର-ନିୟମର ସୃଷ୍ଟି ଘଟିଲା । ଏହି ନିୟମକୁ ଓଡ଼ିଶାର କବିମାନେ ନିଜ ନିଜ ବୁଦ୍ଧି-ବଳରେ ବଢ଼ାଇବାକୁ ଲାଗିଲେ । ସଦାନନ୍ଦ ଅକ୍ଷର-ନିୟମ ରଚନାର ରୀତିକୁ ପ୍ରସାରିତ କଲେ । ତାହା ସେ ଲେଖିଅଛନ୍ତି :-

‘‘ଆଦ୍ୟେ ବନା-ନିୟମ ଏକ ବର୍ଣ୍ଣ, ପୁଣି ସ୍ୱରାଦିରେ କିଛି ଉଦ୍‌ଗୀର୍ଣ୍ଣ

ରେଫ ଯୁକ୍ତାନ୍ତେ କେତେ ତାତପର୍ଯ୍ୟ ।”

 

ଏହାର ଅର୍ଥ ଏହି ଯେ କବି ‘‘ଯୁଗଳ-ରସାମୃତ-ଲହରୀ” ଦ୍ୱିତୀୟ ଛାନ୍ଦରେ ପ୍ରଥମ ପଦର ପ୍ରତ୍ୟେକ ଚରଣ - ଆଦ୍ୟରେ ‘କ’ ବର୍ଣ୍ଣ, ଦ୍ୱିତୀୟ ପଦର ପ୍ରତ୍ୟେକ ଚରଣ-ଆଦ୍ୟରେ ‘କା’ ବର୍ଣ୍ଣ, ତୃତୀୟ ପଦର ପ୍ରତ୍ୟେକ ଚରଣ – ଆଦ୍ୟରେ ‘କି’ ବର୍ଣ୍ଣ ଏହିପରି କ୍ରମରେ ବର୍ଣ୍ଣ ବ୍ୟବହାର କରିଅଛନ୍ତି । ତତ୍ପରେ ପ୍ରଥମ ପଦର ପ୍ରତ୍ୟେକ ଚରଣ - ଆଦ୍ୟରେ ‘ଅ’ – ସ୍ୱର, ଦ୍ୱିତୀୟ ପଦର ପ୍ରତ୍ୟେକ ଚରଣ-ଆଦ୍ୟରେ ‘ ଆ’- ସ୍ୱର ଏହପରି କ୍ରମରେ ସ୍ୱରବର୍ଣ୍ଣଗୁଡିକ ବ୍ୟବହାର କରିଅଛନ୍ତି । ଓଡ଼ିଆରେ ସ୍ୱରଯୁକ୍ତ ବର୍ଣ୍ଣକୁ ‘ବନା’ କହନ୍ତି । ବ୍ୟଞ୍ଜନ ବର୍ଣ୍ଣର ଅର୍ଥ ଅଞ୍ଜନ ବା କୃଷ୍ଣବର୍ଣ୍ଣ - ଶୂନ୍ୟ ବର୍ଣ୍ଣ ଅଟେ । ତହିଁରେ ସ୍ୱରଯୁକ୍ତ ନୋହିଲେ ହସନ୍ତ ବ୍ୟଞ୍ଜନର କୌଣସି ଅର୍ଥ ନାହିଁ । ଅର୍ଥ ନ ଥିଲେ ଧ୍ୱନିର ମୂଲ୍ୟ ନାହଁ । ଏଣୁ ଜ୍ଞାନର ଉତ୍ପତ୍ତିପାଇଁ ସ୍ଵର-ଯୁକ୍ତ ବର୍ଣ୍ଣ ପ୍ରୟୋଜନୀୟ । ସ୍ୱରକୁ ଶକ୍ତି କହନ୍ତି-। ପ୍ରାଣାୟାମରେ ବାୟୁ ନିରୋଧ ନାଭିଚକ୍ରରେ ଏକ ପ୍ରକାର ସ୍ୱର ଯୋଗୀମାନେ ଅନୁଭବ କରନ୍ତି । ଏହି ସ୍ଵର ଅନୁଭବ କଲାବେଳେ ବ୍ୟଞ୍ଜନ ବର୍ଣ୍ଣ ବା ବାହ୍ୟ-ଜଗତର ଜ୍ଞାନ ଲୁପ୍ତ ହୋଇଯାଏ । ଓଡ଼ିଶାରେ ଯୋଗାଚାର ବୌଦ୍ଧଧର୍ମ ଥିଲା । ଯୋଗାଭ୍ୟାସ ଶିଖିବାପାଇଁ, ଭାରତର ବିଭିନ୍ନ ରାଜ୍ୟରୁ ବୌଦ୍ଧ ସନ୍ନ୍ୟାସୀମାନେ ଓଡ଼ିଶାକୁ ଆସୁଥିଲେ । ଓଡ଼ିଶାର ଯୋଗାଚାରୀ ବୌଦ୍ଧ ଦିଙ୍‌ନାଗ ଖ୍ରୀଷ୍ଟ ପଞ୍ଚମ ଶତାବ୍ଦୀରେ ‘‘ପ୍ରମାଣ ସମୁଚ୍ଚୟ’’ ନାମକ ଖଣ୍ଡିଏ ବୌଦ୍ଧ-ନ୍ୟାୟଶାସ୍ତ୍ର ଲେଖିଥିଲେ । ବୌଦ୍ଧ ଅବିଦ୍ୟା ବା ଅଜ୍ଞାନମତ ଖଣ୍ଡନ କରିବାପାଇଁ ତହିଁରେ ସେ ପ୍ରମାଣ କରିଅଛନ୍ତି ଯେ ମନୁଷ୍ୟଠାରେ ଜ୍ଞାନ ନାମକ ପଦାର୍ଥ ଅଛି ଏବଂ ତାହାକୁ କଳ୍ପନା ପ୍ରୌଢ କୁହାଯାଇପାରେ । ସମସ୍ତ ତର୍କ ଶବ୍ଦ ଓ ଅର୍ଥର ଭିତ୍ତିରେ ପ୍ରତିଷ୍ଠିତ ହେଉଥିଲା । ବୌଦ୍ଧମାନେ ନାମରୂପ ବା ପଦାର୍ଥ ଓ ତାହାର ନାମ ମିଥ୍ୟା ବୋଲି କହୁଥିଲେ । ହିନ୍ଦୁମାନେ ଉତ୍ତର ଦେଉଥିଲେ ଯେ ତୁମ କଥାର ଅର୍ଥ ନାହିଁ । ‘ଭାତ ଦିଅ’ କହିଲେ ତୁମକୁ କିଏ କଣ ଦେବ ? ଯଦି ଭାତ ପଦାର୍ଥ ନୁହେ ଓ ତାହାର ନାମର ଅର୍ଥ ନାହଁ, ତେବେ ତୁମ କଥା ନିରର୍ଥକ ଅଟେ । ଏହିପରି ତର୍କରୁ ଓଡ଼ିଶାରେ ଶବ୍ଦାଳଙ୍କାରର ସୃଷ୍ଟି ଘଟିଅଛି ଓ ଶବ୍ଦକୁ ବ୍ରହ୍ମ କୁହାଯାଇଅଛି । ବ୍ରହ୍ମ ବିରାଟ ଅଟନ୍ତି । ଶବ୍ଦ ବ୍ରହ୍ମ ହେଲେ ସେ ବିରାଟ ରୂପରେ ବ୍ୟବହୃତ ହୋଇପାରେ

 

ସଦାନନ୍ଦ କହିଅଛନ୍ତି: ‘‘କୁମାଗରେ ତ ଗୀତ ନ ବର୍ଣ୍ଣୁଛି । କୂଟକର ଚରିତେ ଲୋଭ ଅଛି-’’-। ସେ ଶ୍ରୀକୃଷ୍ଣଙ୍କୁ କୂଟକର କହିଅଛନ୍ତି କାହିଁକି ? ସଭ୍ୟତାର ଆଦ୍ୟ ବିକାଶବେଳେ ପୃଥିବୀରେ ପର୍ବତ୍ର ଭୋଜବିଦ୍ୟାକୁଶଳୀମାନେ ସମାଜରେ ପ୍ରତିପତ୍ତି ବିସ୍ତାର କରିଥିଲେ । ସାଂଖ୍ୟମତାବଲମ୍ବୀମାନେ ସାତ୍ତ୍ୱତ-ଭୋଜ ଥିଲେ । ସାତ୍ତ୍ୱତମାନେ ବୈଷ୍ଣବଧର୍ମର ଆଦର୍ଶ ଦେଖାଇଥିଲେ । କୃଷ୍ଣ ସାତ୍ତ୍ୱତ ବିଷ୍ଣୁ ହେଲେ; ଭୋଜବିଦ୍ୟାଜ୍ଞାତା ହେଲେ । ଭୋଜବିଦ୍ୟା କୂଟ ବା ମିଥ୍ୟା ବିଦ୍ୟା ଅଟେ ।

 

ସଦାନନ୍ଦ ‘‘ସଜନି ଚଉତିଶା’’ ନାମରେ ଖଣ୍ଡିଏ ପୁସ୍ତକ ରଚନା କରିଥିଲେ । ଏଥିରେ କାନ୍ତ-ବିରହରେ କାନ୍ତାର ବିରହୋକ୍ତି ବର୍ଣ୍ଣିତ ହୋଇଅଛି ।

ଅଭିମନ୍ୟୁ ସାମନ୍ତସିଂହାର

ସ୍ୱର୍ଗୀୟ ମୃତ୍ୟୁଞ୍ଜୟ ରଥ ଏହାଙ୍କର ଜୀବନୀ ଆବିଷ୍କାର କରିଥିଲେ । କବି ୧୭୫୭ ଖ୍ରୀଷ୍ଟାବ୍ଦରେ କଟକ ଜିଲାର ବାଲିଆ-ଗ୍ରାମରେ ଇନ୍ଦ୍ରଜିତଙ୍କ ଔରସରେ ତୁଳସୀ ଦେବୀଙ୍କ ଗର୍ଭରେ ଜନ୍ମଗ୍ରହଣ କରିଥିଲେ । ସେ ଜାତିରେ ରଜପୁତ୍‌ ଖଣ୍ଡାୟତ ଥିଲେ । ଓଡ଼ିଶାର ରଜପୁତ୍‌ ଖଣ୍ଡାୟତମାନେ ରାଜପୁତାନାରୁ ଆସିଥିଲେ ବୋଲି ଯାହା କହନ୍ତି, ତାହା ସେମାନଙ୍କର ପକ୍ଷରେ କେବଳ ନୁହେ, ସମଗ୍ର ଓଡ଼ିଶା ପକ୍ଷରେ ଲଜ୍ଜାର କଥା ଅଟେ । ଓଡ଼ିଶାର ପ୍ରାଚୀନ ତାମ୍ରଶାସନମାନଙ୍କରେ ଯେଉଁ ରାଜପୁତ୍ରମାନଙ୍କର ଉଲ୍ଲେଖ ଦେଖାଯାଏ, ଓଡ଼ିଆ ରାଜପୁତ୍‌ମାନେ ସେମାନଙ୍କର ବଂଶଧର ଅଟନ୍ତି । ଭୂୟାଁ, ଖଣ୍ଡାୟତମାନେ ସେପରି ପ୍ରାଚୀନ ଭୌମ-ରାଜବଂଶର ବଂଶଧର ଅଟନ୍ତି । ଓଡ଼ିଶା ବର୍ତ୍ତମାନ ବିଭବଶୂନ୍ୟ ହୋଇଥିବାରୁ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବା ନିମନ୍ତେ ଲଜ୍ଜା ବୋଧ କରିବା ପରିତାପର ବିଷୟ ଅଟେ ।

 

ସଦାନନ୍ଦ ଅଭିମନ୍ୟୁଙ୍କର ଶିକ୍ଷାଗୁରୁ ଓ ଦୀକ୍ଷାଗୁରୁ ଥିଲେ ଓ ଅଭିମନ୍ୟୁ ୧୮୦୬ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିଲେ ବୋଲି ପୂର୍ବେ କୁହାଯାଇଅଛି । ‘ଅଭିମନ୍ୟୁ ସାହିତ୍ୟ-ପରିଷଦ’ର ସଂପାଦକ ଶ୍ରୀଯୁକ୍ତି ପ୍ୟାରୀମୋହନ କର ଚଳିତ ବର୍ଷ (ଖ୍ରୀ:୧୯୫୭) ଜୁଲାଇ ମାସରେ ସମାଜ-ପତ୍ରିକାରେ ସାପ୍ତାହିକ ସମାଲୋଚନା -ସ୍ତମ୍ଭରେ ଅଭିମନ୍ୟୁଙ୍କ ରଚନାବଳୀର ତାରିଖ ପ୍ରକାଶ କରିଅଛନ୍ତି । ତାଙ୍କ କଥାନୁସାରେ ୧୭୬୬ ଖ୍ରୀଷ୍ଟାବ୍ଦରେ‘ବାଘ ବୋଲି’, ୧୭୬୮ ଖ୍ରୀଷ୍ଟାବ୍ଦରେ ‘ଚଉତିଶା’, ୧୭୭୭ ଖ୍ରୀଷ୍ଟାବ୍ଦରେ ‘ରସକଳା’ ରଚନାର ଆରମ୍ଭ, ୧୭୬୬ ଖ୍ରାଷ୍ଟାବ୍ଦରେ ‘ସୁଲକ୍ଷଣା’, ୧୭୮୧ ଖ୍ରାଷ୍ଟାବ୍ଦରେ ରସବତୀ, ୧୭୮୬ ଖ୍ରାଷ୍ଟାବ୍ଦରେ ପ୍ରେମଚିନ୍ତାମଣି ବା ପ୍ରୀତି-ଚିନ୍ତାମଣି ଓ ଶେଷ ଦଶାରେ ବିଦ୍‌ଗଧଚିନ୍ତାମଣି ରଚନା କରିଥିଲେ । ଶେଷୋକ୍ତ ପୁସ୍ତକଟିର ୯୮ ଛାନ୍ଦ ରଚିତ ହୋଇ ବିଷୟବସ୍ତୁ ଅସମ୍ପୂର୍ଣ୍ଣ ହୋଇ ରହିଯାଇଅଛି ।

 

ଗ୍ରାମରେ ବାଘ-ଭୟ ହେବାରୁ କବିଙ୍କ ପିତା ଲୋକମାନଙ୍କୁ ସଙ୍ଗରେ ନେଇ ଖେଦା ଶିକାରରେ ବାଘକୁ ପଦାକୁ ବାହାର କରାଇ ତାଙ୍କ ଭାଇଙ୍କ ହାତରେ ବାଘକୁ ଗୁଳିରେ ମରଇ ଥିଲେ-। ତାହାର ଚିତ୍ର ଏଥିରେ ନ-ବର୍ଷର ବାଳକ କିପରି ଚିତ୍ରିଥିଲେ, ପାଠକେ ନିମ୍ନୋଦ୍ଧୃତ ପଦରୁ ବିଚାର କରନ୍ତୁ:-

 

‘‘ରଖାଇଲେ ସୈନ୍ୟ ସ୍ଥାନ ଜଗାଇ । କାହାରି ଆଡ଼େନ ଯିବଟି ଭାଇ ।

ଆର ପାଖରେ ନାଗରା ବଜାଇ । ବୁଦାରୁ ଜନ୍ତୁ ଯହୁଁ ଗଲେ ଡ଼େଇଁ ।

ଗୁଳି ବାଜେ ଢାଇ । ବନରୁ ଯେହୁ ପଦାକୁ ଗଡ଼ଇ ।।’’

ଏଥିରୁ ଜଣାଯାଏ ସେ ନୈସର୍ଗିକ କବି ଥିଲେ । ତାଙ୍କ ରଚନାର ସରଳ-ରୀତ ବିଦ୍‌ଗଧ ଚିନ୍ତାମଣିରେ ବିକଶିତ ହୋଇ ବଡ଼ ମଧୁର ଛଟା ପ୍ରସ୍ଫୁରିତ କରୁଅଛି । ଶବ୍ଦାଳଙ୍କାର ନ ଥିଲେ ରଚନା ସାହିତ୍ୟ-ପଦବାଚ୍ୟ ହୋଇ ନ ପାରେ -ଏହି ଧାରଣା ସଂସ୍କୃତଜ୍ଞ ପଣ୍ଡିତମାନଙ୍କର ଥିଲା । ଏଣୁ କବିମାନେ ମାତୃଭାଷାରେ ରଚନା କଲେ ମଧ୍ୟ ତହିଁରେ ଶବ୍ଦାଳଙ୍କାର ସମାବେଶ କରିବାପାଇଁ ଆଗ୍ରହାନ୍ୱିତ ହେଉଥିଲେ ।

ବୃଷଭାନୁଜେମା ରାଧା କୃଷ୍ଣଙ୍କ ପ୍ରେମ କଳନା କରିବା ନିମନ୍ତେ ନିଜର ମନୋଭବା କଳାକୁ ଗୋଟିଏ ରୂପବତୀ ଯୁବତୀ ରୂପରେ କୃଷ୍ଣଙ୍କ ନିକଟକୁ ପଠାଇଥିଲେ । ଶ୍ରୀକୃଷ୍ଣ ସେ ରୂପରେ ମୁଗଧ୍‌ ଓ ବିଚଳିତ ହେବାରୁ ଅନ୍ୟ କୌଣସି ଜନ୍ମରେ ପତି-ପ୍ରେମ ନ ମିଳୁ ବୋଲି ମନୋଭବା ଯୁବତୀକୁ ଅଭିଶାପ ଦେଲେ । ତହୁଁ ଶ୍ରୀକୃଷ୍ଣ ଦୟା କରି ସଂସାରରେ ଅଯୋନି ନାରୀ ରୂପରେ ଜନ୍ମଗ୍ରହଣ କରି ସାର ପ୍ରୀତି ବଢ଼ାଇବାପାଇଁ ମନୋଭବା ସୁନ୍ଦରୀକୁ ବର ଦେଲେ । ସେହି ସୁନ୍ଦରୀ ପ୍ରେମକଳା ରୂପରେ ପୁନର୍ଜନ୍ମ ପାଇ ପ୍ରେମର ଆଦର୍ଶ ଦେଖାଇଲା । ଏହା ହେଲା ପ୍ରେମକଳାର ବିଷୟ-ବସ୍ତୁ । ମନୋଭବାଠାରେ ରାଧାଙ୍କ କଳା ଥିବାରୁ କୃଷ୍ଣ ତାହାପ୍ରତି ଆକୃଷ୍ଟ ହୋଇଥିଲେ । କିନ୍ତୁ ରାଧା ଜିବାତ୍ମା ହୋଇଥିବାରୁ ତାଙ୍କଠାରେ କବି ଈର୍ଷ୍ୟା-ଲକ୍ଷଣ ଟିକିଏ ପ୍ରକଟିତ କରିଅଛନ୍ତି । ସମ୍ଭୋଗ ସ୍ପୃହା ନ ଥିବା ପ୍ରେମ ରାଧାଙ୍କର କଳା ଅଟେ । କିନ୍ତୁ ସେ କଳାକୁ ସେ କୃଷ୍ଣଙ୍କ ନିକଟକୁ ପଠାଇ ଦେଇଥିବାରୁ ରାଧାଙ୍କ ମନରେ ଈର୍ଷ୍ୟା ଜାତ ହୋଇଅଛି । ଏଣୁ ରାଧାଙ୍କ ଚରିତ୍ରରେ କଳୁଷତା ନାହିଁ । ଏଠାରେ କବି-କଳ୍ପନା ବଡ଼ ପ୍ରଶଂସନୀୟ ଅଟେ ।

‘ବିଦଗ୍‌ଧ-ଚିନ୍ତାମଣି’ରେ କବି ରାଧା-କୃଷ୍ଣଙ୍କ ପ୍ରେମର ଆଦର୍ଶକୁ କିପରି ଫୁଟାଇଥାନ୍ତେ, ତାହା ଗ୍ରନ୍ଥଟି ଅସମ୍ପୂର୍ଣ୍ଣ ଥିବାରୁ ଜଣାପଡ଼ୁ ନାହିଁ । ତଥାପି ଇନ୍ଦ୍ରିୟାସକ୍ତିଶୂନ୍ୟ ପ୍ରେମ ବର୍ଣ୍ଣନା କରୁଥିବାର ସେ ଗ୍ରନ୍ଥର ଆଦ୍ୟରେ ସୂଚନା ଦେଇଅଛନ୍ତି :-

‘‘ଅପ୍ରାକୃତ ପ୍ରେମ-ମୂର୍ତ୍ତି ଜୟ ରାଧା ହରି । ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ।।’’

 

ବିଶ୍ୱରେ ଯେଉଁ ପ୍ରେମ ବ୍ୟକ୍ତ ହୋଇ ସୃଷ୍ଟି-କ୍ରିୟା ସମ୍ପାଦନ କରୁଅଛି, ଏହା ପ୍ରାକୃତ ଅଟେ; କିନ୍ତୁ ରାଧା-କୃଷ୍ଣ ଅବତାର ଗ୍ରହଣ କରି ପ୍ରାକୃତ ପ୍ରେମର ଅନ୍ତରାଳରେ ଥିବା ଇନ୍ଦ୍ରିୟାସକ୍ତିଶୂନ୍ୟ ଅପ୍ରାକୃତ ପ୍ରେମ ପ୍ରଚାର କରନ୍ତି । ପୁଣି ଊନଚତ୍ୱାରିଂଶ ଛନ୍ଦରେ ପ୍ରେମର ଶ୍ରେଣୀ-ବିଭାଗ କରି କହିଅଛନ୍ତି :-

 

‘‘ଅଜିତ ଇନ୍ଦ୍ରିୟ, ବଳେ କରନ୍ତି ପୀରତି ଆଶ୍ରୟ ।

X            X            X

ସମାନ ବୁଦ୍ଧି ବୟଃ ଶୋଭା ଗୁଣ । ସ୍ୱଚ୍ଛ ଆରଦ୍ର – ସ୍ୱଭାବ-ଲକ୍ଷଣ ।

ରସରତ୍ନ ଚିହ୍ନା ଗ୍ରାହିକା ଶକ୍ତି । ଏତେ ଲକ୍ଷଣେ ଯୁକ୍ତ ଯେଉଁ ବ୍ୟକ୍ତି ।

ସଂଯୋଗ – ସମ୍ବନ୍ଧୁ । ହୃଦେ ଜାତ ହୁଏ ପ୍ରଣୟବିଧୁ ।।

ନିକୃଷ୍ଟଠାରେ ଛାୟା ବାଜିବତ । ମଧ୍ୟଭଳିରେ ପ୍ରତିବିମ୍ବ ଖ୍ୟାତ ।

ଅକ୍ଷୟ ଅକ୍ଷୁଣ୍ଣ ଅଙ୍କ ରହିତ । ଉତ୍ତମ ଜନ ମନରେ ଉଦିତ ।।”

 

ଛାୟାବାଜି ବା ଭୋଜବିଦ୍ୟା ଯେପରି ମିଥ୍ୟା ଅଟେ, ସେପରି ନିକୃଷ୍ଟ ଭ୍ରମରର ପ୍ରୀତି ଅଟେ । ମୂର୍ତ୍ତି ଜଳ ନିକଟରେ ଥିଲେ ପ୍ରତିବିମ୍ବ ତହିଁରେ ଥାଏ । ସେପରି ପାଖରେ ଥିବାପର୍ଯ୍ୟନ୍ତ ପ୍ରେମିକ ପ୍ରେମିକାଙ୍କ ପ୍ରେମ ମଧ୍ୟମ ଶ୍ରେଣୀର ଅଟେ । ଉତ୍ତମ ଜନର ପ୍ରୀତି ସର୍ବଦା ଅକ୍ଷୟ ଓ ଅକ୍ଷୂର୍ଣ୍ଣ ରହେ । ଏହିପ୍ରକାରେ ଶେଷ ଦୁଇ ପଦରେ ଶ୍ରେଣୀ ବିଭାଗ । ଏହା ଛଡ଼ା ବିଶୁଦ୍ଧ ପ୍ରେମର ଲକ୍ଷଣ ଗ୍ରନ୍ଥରେ ଅନ୍ୟତ୍ର ବର୍ଣ୍ଣନା କରିଅଛନ୍ତି ।

 

ଗୌଡ଼ୀୟ ସଂପ୍ରଦାୟର ଅଚିନ୍ତ୍ୟ ଭେଦାଭେଦ - ମଢକୁ ବଡ଼ ସରଳ ଭାଷାରେ ସେ ବ୍ୟକ୍ତ କରିଅଛନ୍ତି : -

 

‘‘ରଙ୍ଗ ଏ ସଂସାରେ ବୋଲଏ ନାରଙ୍ଗ । ପୀତ ବର୍ଣ୍ଣ ଦିଶଇ ତାହା ନାରଙ୍ଗ ।।

ନାମନାମୀ ଅଭେଦ ଜନିତ । ଏ ଚିନ୍ତା ନ ଗଲା ଦିବା ରଜନୀ ତ ।।

ଯା ନାମ–ସ୍ୱାଦୁ-ଲୋଭେ ମାନସ ରତ । ତା ରୂପ ହୋଇଥିବ ସୁଧା-ସରିତ ।।

ନାମ ଅର୍ଥରୁ ତ ବର୍ଣ୍ଣ ଆଭାସଇ । ତଥାପି ସଂଶୟରେ ତା ନ ଭାସଇ ।।’’

 

ନାରଙ୍ଗ-ଫଳର ରଙ୍ଗ ଅଛି; କିନ୍ତୁ ନାରଙ୍ଗ-ନାମରୁ ପ୍ରତୀତ ହୁଏ ଯେ ତାର ରଙ୍ଗ ନାହିଁ । ତାହାର ନାଁ ବା ନାମ ରଙ୍ଗ, ଏପରି ଅର୍ଥ କରିବାର ସାର୍ଥକତା ନାହିଁ । କାରଣ ସେ ପୀତବର୍ଣ୍ଣର ଫଳ--ରଙ୍ଗ ବା ଲାଲ ବର୍ଣ୍ଣର ଫଳ ନୁହେ । ତାହା ହେଲେ ନାମ ଓ ନାମୀ ମଧ୍ୟରେ ଭେଦ ନାହଁ କିପରି ଜଣାଯାଉ ନାହିଁ । ଭେଦ ଥିଲେ ମଧ୍ୟ ସମସ୍ତେ ‘ନାରଙ୍ଗ’ ନାମ କହିଲେ ନାରଙ୍ଗ-ଫଳକୁ ବୁଝନ୍ତି । ଇନ୍ଦ୍ରିୟ-ଲାଳସାଶୂନ୍ୟ କିଶୋରୀ ଭାବରେ ସେ କୃଷ୍ଣଙ୍କଠାରେ ଭକ୍ତି ରଖିଥିବାର ପ୍ରଥମ ଛାନ୍ଦରେ ମଧ୍ୟ କହିଅଛନ୍ତି: -

 

‘‘ଓଷଧୀଶାନନ ହେ ମାଗୁଛି ପଦ ଧରି । ଓ କରିବି ଆଲୋ ଦାସି ! ଡ଼ାକିଲେ କିଶୋରୀ-।’’

 

କବି କିଶୋରୀ ଭାବରେ ଦାସ୍ୟ-ଭକ୍ତିରେ ପାଦ ଧରି ‘‘ଆଲୋ ଦାସି’’ ଉତ୍ତର କୃଷ୍ଣଙ୍କୁ ମାଗୁଛନ୍ତି । ରାଧା ପରକୀୟା ପ୍ରୀତି -ପ୍ରଗାଢ଼ତାର ମୂର୍ତ୍ତିସ୍ଵରୂପିଣୀ ବୋଲି ମଧ୍ୟ ସେ କହିଅଛନ୍ତି:-

 

‘‘ର-ରଶ୍ମି, ରସ ଅଗ୍ନିବୀଜ ଅଧିକା ଘେନି ରାଧିକା ବୋଲାଇ ।।’’

 

କାମାଗ୍ନିକୁ ‘ର’ କୁହାଯାଏ । ଅଗ୍ନି ଅଧିକ ହେଲେ ରସ ଜାତ ହେବ । ଏଠାରେ ଯଶୋବନ୍ତଦାସଙ୍କ ରାଧାଙ୍କ ଉତ୍ପତ୍ତି - ବର୍ଣ୍ଣନା ପାଠକେ ତୁଳନା କରିପାରନ୍ତି :-

 

‘‘ସତ୍ୟ ଯୁଗର କଥା ଶୁଣ

ନିତ୍ୟରେ ରାଧା-କୃଷ୍ଣ ପୁଣ

।।

ସେ ରାଧା ଅଙ୍ଗଶ୍ରମଭରେ

ସ୍ୱେଦ ସେ ଜନ୍ମିଲା ଶରୀରେ

।।

ସେ ଝାଳ ସାଗରେ ପଡ଼ିଲା

କ୍ଷୀର – ସମୁଦ୍ରେ ବୁଡ଼ିଲେ

।।

କନ୍ୟାଏ ହୋଇଲା ଜନମ

ତାହାର ନୀଳକନ୍ୟା ନାମ

।।

କମଳା ନାମ ଭାର ହୋଇ

ବରୁଣଦୁହିତା ବୋଲାଇ

।।

ଜାଣିଲ ବିଷ୍ଣୁ, ପାଟରାଣୀ

କମଳା ଅଟନ୍ତି ଏ ପୁଣି

।।

ସେ କନ୍ୟା ବ୍ରହ୍ମାର ଭୁବନେ

ବାଲୁଙ୍କା ପୂଜେ ପ୍ରତିଦିନେ

।।

ବିଷ୍ଣୁଙ୍କୁ ପତି-ପଣେ ଧ୍ୟାୟି

ପୂଜଇ ଗଙ୍ଗାତୀରେ ଯାଇ

।।

ସେ ଗଙ୍ଗାତୀରେ ଥାନ୍ତି ନିତି

ସେ ସତୀ ଋଷି ବ୍ରହ୍ମଯତି

।।

ଦେଖିଲେ ନୀଳକନ୍ୟା ମୁଖ

ରୂପେ ସେ ମୋହୁଛି ତ୍ରୈଲୋକ୍ୟ

।।

ତାହାକୁ ମୁନି ପୁଚ୍ଛା କରି

ଆମ୍ଭଙ୍କୁ ପାରିବୁ କି ବରି

।।

ତା ଶୁଣି କନ୍ୟା କୋପ କଲା

ତାଙ୍କୁ ଅମେଣ୍ଟ ଶାପ ଦେଲା

।।

ମୁଁ ସ୍ତିରୀ ବିଷ୍ଣୁ – ଅଭିଷେକୀ

ତୁ ପୁଣି ହୁଅ ନପୁଂସକୀ

।।

ସେ ମୁନି ପୁଣି ତପ କରି

ନିରତେ ବିଷ୍ଣୁଙ୍କୁ ସୁମରି

।।

ଦେଖି ତାହାର ତପଧ୍ୟାନ

ଆମ୍ଭେ ହେଇଲୁ ପରସନ୍ନ

।।

ପୁଚ୍ଛିଲୁ ତପ କିମ୍ପା କହ

ମାଗିଲା ନୀଳକନ୍ୟା ଦିଅ

।।

ବୋଇଲୁ ତୋତେ ଅସ୍ତୁ ହେଉ

ମୋର ଭଗତ ଅଟୁ ଯହୁଁ

।।

ସୁବାହୁ ଦ୍ଵାପର ଯୁଗରେ

ଜନ୍ମିବ ଗୋପ ନାମ ପୁରେ

।।

ତୁ ସେ ହୋଇବୁ ଚନ୍ଦ୍ରସେଣା

ସେ କନ୍ୟା ବୃଷଭାନୁଜେମା

।।’’

 

ଏହାର ସାରମର୍ମ ଏହି ଯେ ଯେତେବେଳେ କପିଳଙ୍କ ସାଂଖ୍ୟ ବା ଶୂନ୍ୟବାଦ ପ୍ରଚାରିତ ହୋଇଥିଲା, ସେତେବେଳେ ସାଗର-ସମ୍ପ୍ରଦାୟ ପ୍ରତିଷ୍ଠିତ ହୋଇ ଆଦିବାସୀ କୃଷ୍ଣବର୍ଣ୍ଣା ରମଣୀମାନଙ୍କୁ ସମ୍ଭୋଗ କରିବାରୁ ସେମାନଙ୍କ ଗର୍ଭରୁ ନୀଳବର୍ଣ୍ଣ କନ୍ୟା ଜାତ ହୋଇଥିଲେ । ଏମାନେ ବାଲୁଙ୍କା ପୂଜିବାର ଅର୍ଥ ବାଲ୍ମୀକିଙ୍କ ପରମାଣୁର ଅବିନାଶିତାବାଦୀ ବିଷ୍ଣୁମାନେ ଏମାନଙ୍କୁ ସମ୍ଭୋଗ କରୁଥିଲେ । ତତ୍ପରେ ଏମାନେ ରାଧା ହୋଇଥିଲେ । ପୁରୀରେ ନୀଳକନ୍ୟାମାନେ ଥିବାରୁ ତାହାର ନାମ ନୀଳଗିରି ଅଟେ । ନୀଳକନ୍ୟାମାନେ ପ୍ରଥମେ ସତୀ ଓ ଲକ୍ଷ୍ମୀ ଥିଲେ ।

 

ଅଭିମନ୍ୟୁ ପ୍ରେମର ଉଚ୍ଚ ଆଦର୍ଶ ବର୍ଣ୍ଣନା କରିଅଛନ୍ତି । ପରସ୍ତ୍ରୀକୁ ମନ୍ତ୍ର - ବଳରେ ଆକର୍ଷଣ କରିବାପାଇଁ କାହିଁକି ଲେଖିଅଛନ୍ତି ?

 

‘‘ଦେବା ଶିକ୍ଷା ମନ୍ତ୍ର - ଯନ୍ତ୍ର ବିଧିକି । ଆକରଷିବ ଦେବ - ବାମାଦିକି ।।

ଅଙ୍ଗନା ବାମ-ପଦ-ଧୂଳିକି । ମନ୍ତ୍ରି ମଣ୍ଡିବ ନିଜ ମଉଳିକି ।।

ତ୍ରିବୀଜ ରତି ପୀରତି ଧୃତିକି । କୁସୁମ-ବାଣାୟ ନମଃ ଏତିକି ।।

ଏ ଧୂଳି କାମରାଜ ଭେଳିକି । ମୋହି ନୋହିବ ଅବଳାବଳୀକି ।।

କାମ-ବୀଜ ନାରୀ ସମ ଯେତିକି । ବିଶ୍ୱଜୟାୟ ମିଶାଇ ତେତିକି ।।

ମିଳାଇ କାମ ଅଷ୍ଟାକ୍ଷରୀକି । ବଂଶୀ ବାଇଲେ ନାରୀ ରହିବେ କି ? ”

 

ଦାର୍ଶନିକ ବା ଐତିହାସିକ ତଥ୍ୟ ଅଭିମନ୍ୟୁଙ୍କ କାବ୍ୟମାନଙ୍କରୁ ଅନୁସନ୍ଧାନ କରିବାପାଇଁ ଏଠାରେ ଅବକାଶ ନାହିଁ । ଅଭିମନ୍ୟୁ ରାଧାକୃଷ୍ଣଙ୍କ ରସ ବିଦ୍‌ଗଧଚିନ୍ତାମଣିରେ ବର୍ଣ୍ଣନା କରିବା ବେଳେ ସେ ବୋଧ ହୁଏ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀକୁ ହୃଦୟର ଦର୍ପଣସ୍ୱରୂପ ବ୍ୟବହାର କରୁଥିଲେ । ସେ ନିଜେ କହିଅଛନ୍ତି-

 

‘‘ଉପଇନ୍ଦ୍ର-ପଦ ଅଭିମନ୍ୟୁ-ମନୁ, ଉପେକ୍ଷା ନୋହିବ ଦିନୁ ଦିନୁ ।”

 

ଭାଗବତ-ପୁରାଣ ଅନୁସାରେ ଆଶ୍ୱିନ ମାସର ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ରାସ -କ୍ରୀଡ଼ା ହୋଇଥିଲା; କିନ୍ତୁ ଓଡ଼ିଶାର ସ୍ମୃତି-ଅନୁସାରେ ସେ ଦିନ କୁମାରଙ୍କର ଜନ୍ମଦିନ । କୁମାର-ସମ୍ପ୍ରଦାୟରୁ କୃଷ୍ଣ ସମ୍ପ୍ରଦାୟର ଉତ୍ପତ୍ତି ଘଟିଅଛି। ଅଭିମନ୍ୟୁ କୁମାର ପୂର୍ଣ୍ଣିମା ନିଶାରେ କୃଷ୍ଣଙ୍କୁ ନେଇ ରାଧାଙ୍କ ସହିତ ଭେଟ କରାଇଅଛନ୍ତି । ଏହି ଛାନ୍ଦଟିର ବର୍ଣ୍ଣନା ଚନ୍ଦ୍ରଭାନୁର ଲାବଣ୍ୟବତୀ ସହିତ ଭେଟ-ବର୍ଣ୍ଣନାର ସଂଶୋଧିତ ସଂସ୍କରଣପରି ପ୍ରତୀତ ହୁଏ । ତତ୍ପରେ ରାଧା ଓ କୃଷ୍ଣଙ୍କର ଚିନ୍ତା ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ ଚିନ୍ତା ଅନୁରୂପରେ ବର୍ଣ୍ଣନା କରାଯାଇଅଛି । ସେହି ବର୍ଣ୍ଣନା ଅନୁକରଣରେ କବିଙ୍କ ବ୍ୟକ୍ତିତ୍ୱ ବକ ମଧ୍ୟରେ ହଂସପରି ଉଦ୍ଭାସିତ ହେଉଅଛି । ଉପେନ୍ଦ୍ର ଭକ୍ତ ଓ ଅଭିମନ୍ୟୁଙ୍କ ସନ୍ଧ୍ୟା-ବର୍ଣ୍ଣନାର ସମତା ଉଦ୍ଧାର କରାଯାଉଅଛି ।

 

‘‘ଚକ୍ର-ସୁଖଚକ୍ର-ନକ୍ର ଛେଦନେ ହୀରକଚକ୍ର,

ଫିଙ୍ଗି ଛି କି କାମ ରୋଷେ ତାତ-ସିଦ୍ଧିରେ ।’’ (ଲା:ବ:)

‘‘ତାତ-ସିଦ୍ଧି କି ବଳିବ ବିଚାର କି କାମଦେବ

ମାଣିକ୍ୟ-ହୀରା ରଥାଙ୍ଗ ଫିଙ୍ଗି ଦେଇଛି ।” (ବି: ଚି:)

 

ବର୍ଣ୍ଣନାର ସାମ୍ୟ ଥିଲେ ମଧ୍ୟ ସନ୍ଧ୍ୟାକାଳର ସୂର୍ଯ୍ୟାସ୍ତ ଓ ଚନ୍ଦ୍ରୋଦୟ ପ୍ରତି ଯେଉଁ ଦୃଷ୍ଟାନ୍ତ ଅଳଙ୍କାର ସମାବେଶ କରିଅଛନ୍ତି, ତାହା ବଡ଼ ମନୋହର ଅଟେ :-

 

‘‘ଉଶ୍ୱାସ ଭାର ଉଠିଲା, ଗରୁଆ ତଳକୁ ଗଲା, ଉଚ୍ଚନୀଚ ନୀଚଉଚ୍ଚ ଜଣା ସ୍ଵଭାବେ ।

ସୁଧା-ଅନୁରାଗ ସଙ୍ଗତେ । ସରି କରିପାରିବ କେ ବୋଲ କେମନ୍ତେ ।”

 

କୃଷ୍ଣ ଦ୍ୱାରକା ନ ଯାଉଣୁ, କାମର ଜନ୍ମ ନୋହୁଣୁ, ସେ ତାତ–ସିଦ୍ଧି ରଖିବାପାଇଁ ମାଣିକ୍ୟ ହୀରା ରଥାଙ୍ଗ ଫିଙ୍ଗିଲା କିପରି ? ଉପେନ୍ଦ୍ରଭଞ୍ଜଙ୍କ ପଦ ମନେ ପଡ଼ିଯାଇଛି-କବି ଲେଖିପକାଇ ଅଛନ୍ତି । ଯାହାହେଉ, ସୂର୍ଯ୍ୟଙ୍କ ସମ୍ବନ୍ଧରେ ତାହାଙ୍କର ଗୋଟିଏ ଅଭିନବ ଉକ୍ତି ଅଛି । ‘‘ତମ-ନାଶ ନେତ୍ର ପ୍ରୟୋଗ, ତମୁ ଆସେ ତମେ ପଶେ ଏ କି ସଂଯୋଗ ?’’ — ଏହା ଗୋଟିଏ ସମସ୍ୟାରୂପରେ କବି ପାଠକମାନଙ୍କ ନିକଟରେ ଉପସ୍ଥାପିତ କରିଅଛନ୍ତି । ସୂର୍ଯ୍ୟ ଚାହିଁଦେଲେ ଅନ୍ଧକାର ନାଶ ପାଉଛି, ସୂର୍ଯ୍ୟ ଅନ୍ଧକାରରୁ ଆସି ପୁଣି ଅନ୍ଧକାରରେ ମିଶୁଛନ୍ତି କିପରି ? ଚନ୍ଦ୍ର ବା ଅନୁରାଗ ସୂର୍ଯ୍ୟ ବା ଜ୍ଞାନଠାରୁ ଅଧିକ ଅଟେ । ଏହି ତାତ୍ପର୍ଯ୍ୟ ବୁଝାଇବା ପାଇଁ ସେ ଏପରି ବର୍ଣ୍ଣନା କରିଅଛନ୍ତି ।

 

ମନ କିଣିବାପାଇଁ ଗୋପୀମାନଙ୍କୁ ସରଳ ଭାଷାରେ ଯାହା କହିଅଛନ୍ତି, ତାହା ମଧ୍ୟ ପଢ଼ିଲେ ମନୋହର ଲାଗେ :-

 

‘‘ଭଙ୍ଗୀ ବିଷୟରେ କୃଷ୍ଣ ଗଣ୍ଠିଆ । କାହା କଟିସ୍ଥିତେ ଦେଖି ମାଠିଆ ।

ବୋଲନ୍ତି ବନ୍ଧୁ ମୁଁ ତୋର ବେଠିଆ । ପାଣି ଆଣିବାକୁ ମୋତେ ପଠିଆ ।

ଶୁଣି ଗୋପୀ ହୋଇ ଠିଆ ।

ହସିଲା ଭାଷିଲା ବଢିଲାକୁ କାହ୍ନୁ ହେଲୁ ଏଡ଼େ ଅପାଠିଆ ରେ ।।

ଜଗି ଦଧି ବିକିଯିବା ବାଟକୁ । ଗୋପୀଙ୍କୁ ମାଗନ୍ତି ଦିଅ ଘାଟକୁ ।

ନେବି ମୁଁ ତନୁ ତନୁପୁରଟକୁ । ଏତେ କହି ଯାଇ ଧରୁ ଘଟକୁ ଗୋ ।

ସଜନି କହ ଗୋରସ ଦେବା, ବାଟ ଛାଡ଼ୁ ଏ ଯିବା ହାଟରୁ ।।’’(ଛା:୩)

 

‘‘ଦେଖି ନବଘନ ତାର ଅପଘନ ପୁଲକି ହୁଅଇ ଥର ଥର ।

ଘନସୁଦର ହେ । ଯମୁନା ଯିବାକୁ ତରତର ।

ଅତି ବିଚିତ୍ର କଜ୍ଜ୍ୱଳରେ ଚିତ୍ର ଲେଖି ଚୁମ୍ବ ଦିଏ ବାରବାର ।।’’

 

ରସର ଆବେଶବେଳେ ରସର ଅନୁଭାବଗୁଡ଼ିକ ଅର୍ଥାତ୍ ରସାବେଶବେଳେ ମନୁଷ୍ୟ ଯାହା କରେ, ‘‘ସେଗୁଡ଼ିକ ବର୍ଣ୍ଣନା କଲେ ରସ ପ୍ରକାଶର ଚମତ୍କାରିତା ପରିସ୍ଫୁଟ ହୁଏ ।

 

ଉପେନ୍ଦ୍ରଭଞ୍ଜଙ୍କ ଅନୁକରଣରେ ଅଭିମନ୍ୟୁ ନିଜ ରଚନାରେ ଶବ୍ଦାଳଙ୍କାର ବ୍ୟବହାର କରିଥିଲେ । କିନ୍ତୁ ଶବ୍ଦାଳଙ୍କାରକୁ ସେ ସୁଖପାଠ୍ୟ କରିବାକୁ ଉଦ୍ୟମ କରୁଥିଲେ । ଦୁହିଁଙ୍କ ଅନ୍ତର୍ଲିପି ଅଳଙ୍କାର ତୁଳନା କଲେ ପାଠକେ କଥାର ତାତ୍ପର୍ଯ୍ୟ ବୁଝିପାରିବେ ।

‘‘ମନ୍ତ୍ରିକା ପୁଚ୍ଛିଲା ଜେମାକୁ ଚାରିବର୍ଣ୍ଣେ ଏସନେ ।

ଏକାକ୍ଷରେ ଖ୍ୟାତ ଧରଣୀ କରଭୂଷା ତ୍ରିବର୍ଣ୍ଣେ ।।

ବୟସ ନାମ ଖ୍ୟାତ ମୁନି ଯାହା କରେ ସେ ହେବ ।

ପ୍ରାକର୍ମ ଦ୍ୱିବର୍ଣ୍ଣେ ବିଲୋମେ ରାମକୁମର ଥିବ ।।

 

 

ବ୍ୟସ୍ତେ ବସନ୍ତାଦି ଫୁଲେକ ପୁଣି ତଟର ନାମ ।

ସମସ୍ତ ପଢ଼ିଲେ ହୋଇବ ଜଳେ ଥିଲା କୁସୁମ ।।

ଚତୁରୀ ତୁରିତେ ଜାଣିଲା ହସି କହିଲା ତହିଁ ।

କଂସ-କରିବର ପରାୟେ ମୋତେ ପରତେ ହୋଇ ।।

 

ଫଲ ବେନି ବର୍ଣ୍ଣ ପ୍ରାନ୍ତରେ ଦେଲେ ମୁକୁତା ନାମ ।

ଶୁଣି ଧନ୍ୟ ବୋଲି ପ୍ରଶଂସା କଲେ ସକଳ ବାମା ।।’’ ( ଲା:ବ:ଛା:୬)

 

ଏହାର ଉତ୍ତର ‘କୁବଳୟ’ ଅଟେ । ପ୍ରାକର୍ମ ବା ପରାକ୍ରମ ଅର୍ଥରେ ବ୍ୟବହୃତ ‘ବଳ’ ଦ୍ୱିବର୍ଣ୍ଣ ଓଲଟାଇ ପଢ଼ିଲେ ରାମଙ୍କ ପୁତ୍ର ‘ଲବ' ନାମ ଏଥିରେ ଅଛି । ପୁଣି ମଧ୍ୟ ବର୍ଣ୍ଣ ‘ବ’ ଓ ପ୍ରାନ୍ତ ବର୍ଣ୍ଣ ‘ୟ’ ଘେନି ଶବ୍ଦ ଗଢ଼ିଲେ ‘ବୟ’ ହୁଏ । ବର୍ଣ୍ଣ ବ୍ୟସ୍ତ କରି ଗ୍ରହଣ କଲେ ବସନ୍ତକାଳର ଫୁଲ ‘ବକୁଳ’ ନାମ ମିଳେ । ପ୍ରାନ୍ତ ଦ୍ୱିବର୍ଣ୍ଣ ପଢିଲେ ମୁନିର ‘ଲୟ’ ଅର୍ଥ ମିଳେ । ‘କୁବଳୟ’ ଶବ୍ଦରେ ‘ଫଳ’ ଯୋଗ କଲେ ମୁକୁତା ଅର୍ଥକୁ ବୁଝାଏ ଓ ତାହା ଜଳରେ ବା ସମୁଦ୍ର ଗର୍ଭରେ ଥାଏ । ‘କଂସକରିବର' ନାମ ଯଦି ଉତ୍ତରସ୍ଵରୂପ ରଚନାରେ ବ୍ୟବହୃତ ନୋହିଥାନ୍ତା ତେବେ ‘କୁବଳୟ’ ଶବ୍ଦ କେହି ବାହାର କରିପାରି ନ ଥାନ୍ତେ ।

 

ରାଧାଙ୍କୁ ନିଶାରେ ଦେଖିବାଉତ୍ତାରୁ ଶ୍ରୀକୃଷ୍ଣଙ୍କର ରାଧାଙ୍କଠାରୁ ବିଚ୍ଛେଦ ଘଟିଲା । ବିଚ୍ଛେଦ ଯନ୍ତ୍ରଣା ପ୍ରକାଶ କରିବାବେଳେ ଶ୍ରୀକୃଷ୍ଣଙ୍କର ଗୋଟିଏ କଳ୍ପନାକୁ ଅଭିମନ୍ୟୁ ଅନ୍ତର୍ଲିପିରେ ପ୍ରକାଶ କରିଅଛନ୍ତି:-

 

 

‘‘ଚାରିବେଦ ନାମ ତିନି ବର୍ଣ୍ଣେ ବିରଚନା । ମଧ୍ୟ ଦାନ କଲେ ସେ ମୋ ଚାରିବର୍ଗ ସିନା ।।

ଚାରିଦେବୀର ନାମ ଏହି ବିଧିରେ ବିଧାନ । ବିତରଣୀ ହେଲେ ହେବ କେ ମୋର ସମାନ ।।”

(ଛା:୩୦, ପ: ୩୨)

 

ଚାରିବେଦ ମଧ୍ୟରୁ ତିନିବର୍ଣ୍ଣରେ ଗୋଟିଏ ବେଦର ନାମ ‘ଅଥର୍ବ ’ଅଟେ । ତା’ର ମଧ୍ୟ ବର୍ଣ୍ଣ ‘ଥ’ ଅଟେ । ଏହି ବିଧିରେ ଚାରିବର୍ଣ୍ଣରେ ‘ଅନ୍ନପୂର୍ଣ୍ଣା’ ଦେବୀର ନାମ ଅଟେ । ଶ୍ରୀକୃଷ୍ଣ ଚିନ୍ତା କରୁଅଛନ୍ତି ସେ ଏଥର ରାଧାଙ୍କ ନିକଟକୁ ଗଲେ ସେ ଯଦି ‘ଥ' ବା ‘ରହ’ କହିବେ ଏବଂ ଅନ୍ନ ବିତରଣ କରିବେ ବା ଖାଇବାକୁ ଦେବେ, ସେ ନିଜକୁ କୃତାର୍ଥ ମଣିବେ । ବର୍ତ୍ତମାନ ଦେଖାଯାଉ ଅଛି ଯେ ଅଭିମନ୍ୟୁଙ୍କ ଅନ୍ତର୍ଲିପି ଅଳଙ୍କାର ସୁଖ-ପାଠ୍ୟ ଅଟେ । ଓଡ଼ିଶାର ପ୍ରହେଳିକା ବା ନାଁ- ଦିଆ ଅଭ୍ୟାସର ବିକଶିତ ଅବସ୍ଥା ଶବ୍ଦାଳଙ୍କାରରେ ପୂର୍ଣ୍ଣାଙ୍ଗ ହୋଇଅଛି । ଏଣୁ ଦଣ୍ଡଯାତ୍ରାର ଗୀତ ଓ ଦୋଳି-ଗୀତରେ ଠାର-ଭାଷାର ବ୍ୟବହାର ଦେଖା ଯାଏ । ବେଦ ମଧ ଏକପ୍ରକାର ଠାର ଭାଷାରେ ରଚିତ ଅଟେ । ପଶୁପକ୍ଷୀର ସ୍ଵର ଅନୁକରଣ କରି ଓ ତାଙ୍କ ଜୀବନର କ୍ରିୟାକଳାପ ନିଜ ଭାବ-ପ୍ରକାଶପାଇଁ ଦୃଷ୍ଟାନ୍ତ ଦେଇ ମନୁଷ୍ୟ ନିଜ ଭାଷାର ବିକାଶସାଧନ କରିଅଛି । ପ୍ରେମାଳାପରେ ପରସ୍ପର ଅପରିଚିତ ନାୟକ-ନାୟିକା ସାଧାରଣତଃ ଠାର- ଭାଷାରେ ହୃଦୟର ଭାବ ବ୍ୟକ୍ତ କରିବା ସ୍ୱାଭାବିକ ଅଟେ । ଏଣୁ ଶବ୍ଦାଳଙ୍କାରର ପ୍ରୟୋଜନ ଥିଲା ।

ଭୂପତି ପଣ୍ଡିତ

ଏ ‘ପ୍ରେମ - ପଞ୍ଚାମୃତ' ରଚନା କରିଥିଲେ । ତହିଁରେ ସେ ନିଜ ପରିଚୟ ଦେଇଅଛନ୍ତି –

 

‘‘ଏମନ୍ତ ହୋଇଲା ମଧୁପ

ବୈଷ୍ଣବ-ଦାସ କବିଭୂପ

।।

ପଶ୍ଚିମା ବିପ୍ର ସାରସ୍ୱତ

ନାମ ଯେ ଭୂପତି ପଣ୍ଡିତ

।।

ଶ୍ରୀଦିବ୍ୟସିଂହ ରାଜାଙ୍କର

ସମସ୍ତ ଅଷ୍ଟମ ଅଙ୍କର

।।

ମକର ମାସ ଶୁକ୍ଳ ପକ୍ଷ

ତିଥି ତ୍ରୟୋଦଶୀ ପ୍ରତ୍ୟକ୍ଷ

।।

ଗୋଧୂଳି ସୋମବାର ଦିନ

ଏ ପୋଥି ହୋଇଲା ସମ୍ପୂର୍ଣ୍ଣ

।।’’

(ଅ: ୧୦)

 

ଭୂପତି ପଣ୍ଡିତ ପଶ୍ଚିମା ସାରସ୍ୱତ ବ୍ରାହ୍ମଣ ଥିଲେ । ସେ ପୁରୀର ରାଜା ଦିବ୍ୟସିଂହ ଦେବଙ୍କଠାରୁ ଭୂ-ସମ୍ପତ୍ତି ପାଇ କଟକ ଜିଲାର ରଥୀପୁରଠାରେ ବାସ କରୁଥିଲେ । ସୁୟେଲଙ୍କର ସିଦ୍ଧାନ୍ତ ଦେଖିଲେ ପ୍ରେମପଞ୍ଚାମୃତର ରଚନା ତାରିଖ ସଠିକ ଭାବରେ ଜଣାପଡ଼ନ୍ତା । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଦେଖିବାପାଇଁ ମୋର ସୁବିଧା ନାହଁ । ଯାହାହେଉ, ଦିବ୍ୟସିଂହ ଦେବ ୧୬୯୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିବାରୁ ୧୭୦୭ କିମ୍ବା ୧୭୦୮ ଖୀଷ୍ଟାବ୍ଦରେ ପ୍ରେମ-ପଞ୍ଚାମୃତର ରଚନା ସମ୍ପୂର୍ଣ୍ଣ ହୋଇଥିବ ବୋଲି ଅନୁମାନ କରାଯାଇପାରେ ।

 

ପ୍ରେମପଞ୍ଚାମୃତର ନିମ୍ନୋଦ୍ଧୃତ ଅଂଶରୁ ଜଣାଯାଏ ଯେ ସେତେବେଳେ ମାତୃଭାଷାର ସାହିତ୍ୟ ପ୍ରତି ସଂସ୍କୃତଜ୍ଞ ପଣ୍ଡିତଙ୍କର ଆଦର ନ ଥିଲା : –

 

‘‘ସେ ସୁର ନର ନାଗ ଭାଷା

ବିବିଧ ବାକ୍ୟ ଦେଶଦେଶା

।।

କୃଷ୍ଣ-ମହିମା ଯହିଁ ଶୁଣି

ସେ ସର୍ବ ବାକ୍ୟରେ ମୂର୍ଦ୍ଧନୀ

।।

ଯେବେ ନୁହଇ କୃଷ୍ଣରସ

ସେ ସଂସକୃତେ କାର୍ଯ୍ୟ କିସ

।।

ପାଟ ବସନେ ଗୁଞ୍ଜ ଫଳ

ସେ ତ ନୁହଇ ବହୁ ମୂଲ୍ୟ

।।

ଚିରା କନ୍ୟାରେ ମୋତିବର

ମୂଲ୍ୟ ଯେ ଭୁଟେ ତାହାର

।।

ସୁରଭାଷାହିଁ ରସମୟେ

ସେ ନାରିକେଳ ଫଳ ପ୍ରାୟେ

।।

କ୍ଳେଶ ହୁଅଇ ରସଭୋଗ

ସବୁଙ୍କୁ ନୁହେ ଉପଭୋଗ

।।

କି ପରାକୃତ କି ସଂସ୍କୃତ

ସେ ଭାବଗ୍ରାହୀ ନନ୍ଦସୁତ

।।’’

 

‘‘ବାରଜାତି ତେର ଗୋଲ । ବୈଷ୍ଣବ ହେଲେ ସବୁ ଗଲା’’ -ବିଭିନ୍ନ ଶ୍ରେଣୀର ଲୋକ ବୈଷ୍ଣବଧର୍ମ ଗ୍ରହଣ କଲେ । ସଂସ୍କୃତ ଭାଷାରେ କୃଷ୍ଣ-ରସ ଲେଖିଥିଲେ ସମସ୍ତେ ରଚନା ବୁଝି ପାରିନଥାନ୍ତେ । ଏକେ ଭକ୍ତିରେ ମୁକ୍ତିର ପ୍ରଲୋଭନ ରହିଲା, ଦ୍ୱିତୀୟରେ ମଧୁର-ରସ ମିଳିଲା । ଏଣୁ ବୈଷ୍ଣବଧର୍ମର ପ୍ରଚାରରେ ମାତୃଭାଷାର ସାହିତ୍ୟ କ୍ରମଶଃ ଉନ୍ନତି-ପଥରେ ଅଗ୍ରସର ହେଲା-। କିନ୍ତୁ ଭୂପତି ପଣ୍ଡିତ ଉନ୍ନୁକ୍ତ ବ୍ୟଭିଚାରକୁ ସମାଜରେ ପ୍ରଶ୍ରୟ ଦେବାପାଇଁ ଯେପରି ଉପଦେଶ ଦେଇଅଛନ୍ତି, କୌଣସି ଓଡ଼ିଆ ବୈଷ୍ଣବ କବି ସେପରି ଉପଦେଶ ଦେଇ ନାହାନ୍ତି ।

 

‘‘ଛାଡ଼ିବେ ସ୍ୱାମୀ ବନ୍ଧୁ-ସୁତେ

ତହିଁକି ଭୟ ନାହଁ ଚିତ୍ତେ

।।

ସର୍ବ ସମ୍ପଦ ଦେହ ପ୍ରାଣ

ତା ପାଦେ କରି ସମର୍ପଣ

।। (ଅ:୫ )

 

ସରଳ ଭାଷାରେ କେତେକ ଦୃଷ୍ଟାନ୍ତାଳଙ୍କାର “ପ୍ରେମ-ପଞ୍ଚାମୃତ’ରେ ଅଛି । ଭାଷାର କୌଣସି ଚମତ୍କାରିତା ଏଥିରେ ନାହିଁ । ଏହାକୁ ଯେଉଁମାନେ ଉଚ୍ଚକୋଟିର କବି ବୋଲ କହନ୍ତି, ସେମାନଙ୍କ ସାହିତ୍ୟ-ବିଚାର-ଶକ୍ତି ପାଠକେ ଅନୁଧ୍ୟାନ କରିବା ଉଚିତ ଅଟେ । କବି ଉପଦେଷ୍ଟାର ଆସନ ଗ୍ରହଣ କରେ ନାହିଁ, ବିଷୟ-ବର୍ଣ୍ଣନାରେ ପାଠକକୁ ସେ ରସରେ ତନ୍ମୟ କରିଦିଏ ।

 

 

 

 

ଭକ୍ତଚରଣ ଦାସ

ଏ ମଥୁରାମଙ୍ଗଳ, ମନବୋଧ ଚଉତିଶା ଓ କଳାକଳେବର ଚଉତିଶା ରଚନା କରିଥିଲେ ।

 

‘‘କହଇ ମନ ଆରେ ମୋ ବୋଲ କର

କଳା–ଶ୍ରୀମୁଖ ବାରେ ଦେଖିବା ଚାଲ ରେ ।

କେତେ ଦିନକୁ ମନ ବହିଛୁ ଆଣ୍ଟ

କି ଘେନି ଯିବୁ ତୋର ଛୁଟିଲେ ଘଟ ରେ ।।” (ମ: ବୋ: ଚ:)

 

‘‘କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ-ସୁତ ।

କରନ୍ତି ମଥୁରା-ବିଜୟ ଦାଣ୍ଡେ ଦେଖ ସଙ୍ଗାତ ।।

ଖସିପଡ଼ୁଛି କି ଆକାଶୁ ଜିବା ଗଙ୍ଗା-ଯମୁନା ।

କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା ।। (କ: କ: ଚ:)

 

‘‘ମଥୁରା–ମଙ୍ଗଳ’’ର ନମ୍ନୋଦ୍ଧୃତ ଅଂଶରୁ ଜଣାଯାଏ ଯେ କବି ବୃଦ୍ଧ ବୟସରେ ବୈଷ୍ଣବଧର୍ମ ଗ୍ରହଣ କରିଥିଲେ :-

 

‘‘- - - - - - - । କାମ-କାମିନୀ-ମଦରେ ମତ୍ତାଇ ।।

ମୋହ ମୋହିତ କଲା ଦିବାନିଶି । ମର୍ମେ ରହିଲା ଘୋଟି ପାପ ରାଶି ।।

ଚଳି ନୁହଇ ଯାତନାରେ ପଡ଼ି । ଦିନୁ ଦିନୁ ଆୟୁଷ ଗଲା ଝଡ଼ି ।।

ଏଣୁ ବିଚାର କରି ମୋର ଚିତ୍ତେ । ବୁଦ୍ଧି ନ ଦିଶଇ କଦାଚିତେ ।।

କୃଷି-ଚରିତ ଅମୃତ-ବାରିଧି କଳି-କଳୁଷ-ରୋଗକୁ ଔଷଧି ।।’’

 

ବୃଦ୍ଧ ବୟସରେ ଯେଉଁ ବୈରାଗ୍ୟ ଜନ୍ମେ, ତାହା ଯଥାର୍ଥ ବୈରାଗ୍ୟ ଅଟେ । ଏଣୁ କବି ବୈରାଗ୍ୟର ପ୍ରଗାଢ଼ ଗୋପୀଭକ୍ତି କୃଷ୍ଣଙ୍କ ପଦ କମଳତଳେ ଅର୍ପଣ କରିଅଛନ୍ତି । ଗୋପ-ଲୀଳା ମଥୁରାମଙ୍ଗଳରେ ସଂକ୍ଷେପରେ ବର୍ଣ୍ଣନା କରି ଶ୍ରୀକୃଷ୍ଣ ମଥୁରାରେ ଥିବାବେଳେ ଗୋପୀଙ୍କ ବିରହ ବିଶେଷ ପରିମାଣରେ ବର୍ଣ୍ଣନା କରିଅଛନ୍ତି । କୃଷ୍ଣ ମଥୁରାରୁ ଉଦ୍ଧବଙ୍କୁ ଗୋପୀମାନଙ୍କ ନିକଟକୁ ପଠାଇଲେ । ଉଦ୍ଧବ ଯୋଗ-ପ୍ରଣାଳୀରେ କୃଷ୍ଣଙ୍କୁ ଉପଲବ୍‌ଧି କରିବାପାଇଁ ଗୋପୀମାନଙ୍କୁ ଉପଦେଶ ଦେଲେ । କିନ୍ତୁ ଗୋପୀମାନେ ମଧୁର ରସର ପ୍ରାଧାନ୍ୟ ବୁଝାଇଲେ : –

 

ଉଦ୍ଧବ –‘‘ରୂପରେଖ ନାହଁ କିଛି,            ଚନ୍ଦ୍ରମା ପ୍ରାୟ ବ୍ୟାପିଛି

ସେ ଯେହ୍ନେ ଦିଶଇ ଜଳ- ଘଟେ ।

ସେ ଘଟ ବିନାଶ ଗଲେ,       ଶୂନ୍ୟ ହୋଏ ଶାସ୍ତ୍ର ବୋଲେ

ପୁଣି ଅନ୍ୟ ଘଟେ ଯାଇ ଘୋଟେ ଗୋ, ଗୋପୀମାନେ ।

ଏଣୁ ରୂପ ହୋଇ ରୂପ ନୋହି । ଭାବେ ପାଇ ଅଭାବେ ନ ପାଇ ଗୋ, ଗୋପୀମାନେ ।

ସେ ବ୍ରହ୍ମଙ୍କୁ କର ଧ୍ୟାନ । କାମନା ହେଉ ଦହନ । ହୃଦୟରେ ଦେଖିବ ନିରଞ୍ଜନ ।

X            X            X            X

ଷଡ଼ଚତ୍ର ଭେଦିଲେ ପାଇବ ଚକ୍ଷୁ ବୁଜି ହୃଦୟରେ ଚାହିଁ ଗୋ ଗୋପୀମାନେ

ମଣିମୟ ମଣ୍ଡପରେ ରତ୍ନ-ସିଂହାସନରେ ପଞ୍ଚଦଶ-ଦଳ ପାଖୁଡ଼ା-ପଦ୍ମ ।

ତା କେଶର ମଧ୍ୟରେ ହରି ଚତୁର୍ଭୁଜ କି ରୂପ ଧରି ସେ ପ୍ରଭୁପାଦେ କର ସଦ ଗୋ ଗୋପୀମାନେ ।

ତେବେ ସିନା ମିଳିବେ ତୁମ୍ଭଙ୍କୁ । ଭୟ ନ ରହିବ ଏ ଭବକୁ ଗୋ ଗୋପୀମାନେ ।’’

X            X            X            X

 

ଗୋପୀ- ‘‘କ୍ଷୀର ଭଣ୍ଡେ ଦଧି ଦେଲେ                   ସେ ନାଶ ଯାଇ ଭଲେ

ସେ ଜ୍ଞାନ-କଥା କିମ୍ପା କହିଲ ହେ ହରିଦୂତ

ଆମ୍ଭର ଭକତି-ରତ୍ନାକର । ଜ୍ଞାନ-ନଦୀ ତହିଁ ସମ କର ହେ ହରିଦୂତ ।

ଅଭାଗ୍ୟ ହୋଇଲା ଯେଣୁ, ସେ କଥା ଶୁଣିଲୁ ତେଣୁ, ଆମ୍ଭ ଆଗେ ଏହା ନ କହିବ ।

X            X            X            X

‘‘କେବଳ ସେ ରସର ଭଣ୍ଡାର ବ୍ରହ୍ମଜ୍ଞାନ ତାହାର କିଙ୍କର

X            X            X            X

ତଥାପି ମଧୁରରସେ ଜ୍ଞାନ ଯେବେ ଆସି ମିଶେ ତାକୁ ସେ କରଇ ବେଗେ ନଷ୍ଟ ।”

କବି ମଧୁରା-ମଙ୍ଗଳରେ ଅଶୋକ-କାମିନୀର ଉଲ୍ଲେଖ କଲେ କିପରି ? ଅଶୋକ କାମିନୀ ମାନେ ପୁରୁଷକୁ ସହବାସ ପାଇଁ ଡାକିଲେ ସେମାନେ ନିରାଶ ହୁଅନ୍ତି ନାହିଁ । କବି ଲେଖିଅଛନ୍ତି :-

 

‘‘ଏମନ୍ତ କହିଲା ଯହୁଁ ପୂର୍ଣ୍ଣଚନ୍ଦ୍ରାନନୀ । ତହୁଁ ଉତ୍ତର ଦେଲ ସେ ଅଶୋକ-କାମିନୀ ।।

ମୁଁ ଜାଣେ ପୋତକାର ପ୍ରାୟ ସଖୀ ହେଲା । ଆଶା କରିଥିଲୁ ଧନ କ୍ରମେ ବୁଡ଼ିଗଲା ।।’’

 

କବି ମଥୁରାମଙ୍ଗଳର ଗୋଟିଏ ଛାନ୍ଦରୁ ଅଷ୍ଟାଦଶ ଶତାବ୍ଦୀର ରସବିନୋଦ-ରଚୟିତା ଦୀନକୃଷ୍ଣଙ୍କ ଗୁଣସାଗର-ବାଣୀରେ ଗାଇବାପାଇଁ ନିର୍ଦ୍ଦେଶ କରିଥିବାରୁ ସେ ୧୭୫୦ ଖ୍ରୀଷ୍ଟାବ୍ଦର ପୂର୍ବବର୍ତ୍ତୀ ନୁହନ୍ତି ।

 

ମାନନୀୟ ପଣ୍ଡିତ ନୀଳକଣ୍ଠ ଦାସ ‘ଓଡ଼ିଆ ସାହିତ୍ୟର କ୍ରମପରିଣାମ' ନାମକ ପୁସ୍ତକରେ (ପୃ: ୯୨ ଓ ୯୩) ପ୍ରାଚୀନ ଜଗନ୍ନାଥ ମିଶ୍ରଙ୍କ ସଂସ୍କୃତ ରସକଳ୍ପଦ୍ରୁମରୁ ଗୋଟିଏ ଶ୍ଳୋକ ଉଦ୍ଧାର କରି ତାହା ସଙ୍ଗେ ମଥୁରା-ମଙ୍ଗଳର ଊନବିଂଶ ଛାନ୍ଦର ଗୋଟିଏ ପଦକୁ ତୁଳନା କରିଅଛନ୍ତି :-

 

“କାଚିତ୍‌ କାନ୍ତା ରମଣବସତିଂ ପ୍ରେଷୟନ୍ତୀ କରଣ୍ଡଂ

ଦୂତୀହସ୍ତେ ସଭୟମଲିଖତ୍‌ କ୍ୟାଳମସ୍ୟୋପରିଷ୍ଟାତ୍ ।

ଗୌରୀକାନ୍ତଂ ପବନତନୟଂ ଚମ୍ପକଂ ତତ୍ରଭାବଂ

ପୃଚ୍ଛତ୍ୟାର୍ଯୋ ନିପୁଣ–ତିଳକୋ ମଲ୍ଲୀନାଥଃ କବୀନ୍ଦ୍ରଃ ।।’’

 

‘‘ଏତେକ ଲେଖି ନବନୀରଜାକ୍ଷୀ କଉତୁକ କରି ମୁଦିଲେ

କୁସୁମ - ମଣ୍ଡା ଭିତରେ ଥୋଇ ବାଳୀ କି କି ମନରେ ବିଚାରିଲେ

ତା ପରେ, ଉରଗ ଗୋଟିଏ ଲିହିଲେ

ପୁଣି ଅଞ୍ଜନା-ନନ୍ଦନ ଚନ୍ଦ୍ରଚୂଡ଼ ତହିଁ ପାରୁଶେ ବସାଇଲେ ।।’’ (ପ: ୩୮)

 

ପବନ ବାଜି ଫୁଲ ଶୁଖିବ ନାହଁ ବୋଲି ଫୁଲ-କେଣ୍ଡାରେ ସାପ-ଚିତ୍ର, ଖରା ବାଜି ଶୁଖିବ ନାହଁ ବୋଲି ହନୁମାନର ଚିତ୍ର ଓ ଶୀତଳତା ଲାଗି ଶୁଖିବ ନାହିଁ ବୋଲି ଶିବଙ୍କ ଚିତ୍ର ଦିଆଗଲ । ସାପ ପବନ ଖାଏ, ହନୁମାନ ସୂର୍ଯ୍ୟଙ୍କୁ ଗିଳିବାକୁ ଉଦ୍ୟମ କରିଥିଲେ ଓ ମସ୍ତକରେ ଚନ୍ଦ୍ର ଓ ଗଙ୍ଗା ଥିବାରୁ ଶିବଙ୍କଠାରେ ଶୀତଳତା ଗୁଣ ଅଛି । ଏଣୁ ଫୁଲ ଶୁଖିବ ନାହିଁ । କିନ୍ତୁ ଏପରି ଅର୍ଥ ଛଡ଼ା ଉଦ୍ଧୃତ ସଂସ୍କୃତ ଶ୍ଳୋକ ଓ ଓଡ଼ିଆ ପଦର ଅନ୍ୟ ଅର୍ଥ ଅଛି । କାନ୍ତା କାନ୍ତପାଖକୁ ଫୁଲ ନ ଶୁଖିବା କଥାର ସଙ୍କେତ ଦେଲା କାହିଁକି ? ସପର ଅର୍ଥ କାମାସକ୍ତା, ହନୁମାନର ଅର୍ଥ ଦକ୍ଷିଣ ନାୟକ ଓ ଶିବର ଅର୍ଥ ପତ୍ନୀ-ଭକ୍ତିର ଅନୁରାଗୀ । କିନ୍ତୁ ପୁଷ୍ପପରି କୋମଳହୃଦୟା ବିଶେଷତଃ ଚମ୍ପକ ପୁଷ୍ପହୃଦୟା ଲଳନାମାନଙ୍କର ଅନୁରାଗ ଏମାନେ ଆକର୍ଷଣ କରନ୍ତି ନାହିଁ । ଚମ୍ପକ ଜାତୀୟା ନାରୀମାନେ ପତିର ନିଷ୍କାମ ସେବା କରି ତୃପ୍ତ ରହନ୍ତି ।

ଜଗମୋହନ ଛାନ୍ଦ-ରଚୟିତା ଦୀନକୃଷ୍ଣ

ପ୍ରାଚୀ ସମିତି ତରଫରୁ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ଜଗମୋହନ-ଛାନ୍ଦଟି ପ୍ରକାଶ କରି ଓଡ଼ିଆ ସାହିତ୍ୟର ଅଶେଷ କଲ୍ୟାଣ ସାଧନ କରି ଅଛନ୍ତି । ରସବିନୋଦ-ରଚୟିତା ଦୀନକୃଷ୍ଣ ଜଗମୋହନ ଛାନ୍ଦ ନାମରେ ଗୋଟିଏ ପୁପ୍ତକ ରଚନା କରିଥିଲେ ବୋଲି ସେ ସ୍ଵୀୟ ‘‘ରସବିନୋଦ’’ରେ ଲେଖିଅଛନ୍ତି । ପ୍ରକାଶିତ ଜଗମୋହନ ଛାନ୍ଦର ଶୈଳୀ ଓ ଉପମା-ଉପମେୟ ବିଷୟରେ ରସକଲ୍ଲୋଳର ସାମ୍ୟ ଦେଖାଇ ରସକଲ୍ଲୋଳର ରଚୟିତା ଓ ରସବିନୋଦର ରଚୟିତା ଦୀନକୃଷ୍ଣ ଅଭିନ୍ନ ବ୍ୟକ୍ତି ବୋଲି ପ୍ରମାଣ କରିବାପାଇଁ ପ୍ରକାଶକ ଜଗମୋହନ-ଛାନ୍ଦର ମୁଖବନ୍ଧରେ ବହୁ ଶ୍ରମ ସ୍ୱୀକାର କରି ଅଛନ୍ତି । ତାଙ୍କ ମତରେ କବିଙ୍କ ରସବିନୋଦର ଶୈଳୀ ଜଗମୋହନ ଛାନ୍ଦ ଲେଖିଲାବେଳକୁ ଉନ୍ନତ ଓ ରସକଲ୍ଲୋଳ ଲେଖିଲାବେଳକୁ ଉନ୍ନତତର ହୋଇଥିଲା । କିନ୍ତୁ ରସକଲ୍ଲୋଳର ମାଧୁର୍ଯ୍ୟ ଗୁଣବିଶିଷ୍ଟ ଶୈଳୀରେ ଯେପରି ଲଳିତ ଗୁଣ ପ୍ରକଟିତ ହୋଇଅଛି, ଜଗମୋହନ-ଛାନ୍ଦରେ ସେପରି ହୋଇନାହିଁ । ପୁଣି ରସକଲ୍ଲୋଳର ଭାଷାରେ ଯେପରି ସୁଶ୍ରାବ୍ୟ ଗାଉଁଲି ଶବ୍ଦ ଓ ଗାଉଁଲି ଅଭିବ୍ୟକ୍ତିର ଭଙ୍ଗୀ ବ୍ୟବହୃତ ହୋଇଅଛି, ପ୍ରକାଶିତ ଜଗମୋହନ ଛାନ୍ଦର ଭାଷାରେ ସେପରି କୌଣସି ସ୍ଥଳରେ ଦେଖାଯାଏ ନାହିଁ । ଘେନାଘେନି, ନିଆଁଳା (ନିଆଁ ଜାଳିବା ସ୍ତ୍ରୀ), ତୁଣ୍ଡ-ସୁଆଦ ପ୍ରଭୃତି ଗାଉଁଲି କଥା ରସକଲ୍ଲୋଳରେ ବହୁତ ଅଛି; ଗ୍ରାମ୍ୟ ଅଭିବ୍ୟକ୍ତି ଭଙ୍ଗା ମଧ୍ୟ ବହୁତ ଅଛି :-

 

 

 

‘‘କେବଳ ଭଲ କାଳେ ଭଲ ସଭିଏ,

କେ ଅବା ଅଭଲେ ନୋହିଛି ଅଭଲ ବିଚାରି କହିଲ ସଭିଏ ।(ଛ: ୧୨)

କହିବାକୁ କେହି ସାମରଥା, କହି ବସିଲେ ହେବ ପୋଥା,

କବିତୁଣ୍ଡ କରାଇବ ବ୍ୟଥା ।( ଛୁ : ୧୩ )

 

ଏହିପରି ଗାଉଁଲି ଅଭିବ୍ୟକ୍ତିର ଭଙ୍ଗୀ ଜଗମୋହନ-ଛାନ୍ଦରେ ଆଦୌ ନାହିଁ । ଯଦି ଥାନ୍ତା, ତେବେ ଉପମା ଉପମେୟର ସାଦୃଶ୍ୟ ହେତୁରୁ ପ୍ରକାଶିତ ଜଗମୋହନ-ଛାନ୍ଦଟି ରସକଲ୍ଲୋଳ ରଚୟିତା ଦୀନକୃଷ୍ଣ ଦାସଙ୍କ କୃତି ଓ ରସବିନୋଦ-ରଚୟିତାଙ୍କର ଖଣ୍ଡିଏ ପୃଥକ୍ ରସବିନୋଦ ଥିବ ବୋଲି ମୁଁ କହିପାରିଥାନ୍ତି । ପୁଣି ଜଗମୋହନ-ଛାନ୍ଦରେ ନିମ୍ନୋଦ୍ଧୃତ ଉକ୍ତି ଆଲୋଚନା କରାଯାଉ :-

 

‘‘ଏଡ଼େ ବଡ଼ ପ୍ରଭୁ ଥାଉଁ ଥାଉଁ ଦୀନକୃଷ୍ଣ ଏଡ଼େ ମୂରୁଖ

ଅତ୍ୟନ୍ତ ସଂସାର-ବିଷୟରେ ପଡ଼ି ପାଉଥାଇ ମହାଦୁଃଖ ।” ( ଛ:୧୦, ପ : ୬୯୬ )

 

‘‘ସାଧୁଜନ ସଙ୍ଗରେ ପୂର୍ବରେ ତାହା ଦେଖି

ବଡ଼ କରି ହୃଦୟ ମଧ୍ୟରେ ଥିଲି ରଖି ।

ଯେତେବେଳେ ପ୍ରବେଶ ହୋଇଲା ନାନା ଦୁଃଖ

ବାହାର ତା କରି ପାଇବାକୁ ମହାସୁଖ ।" (ଛା: ୧୩, ପ: ୨୬)

 

ଉଦ୍ଧୃତ ଉକ୍ତିମାନଙ୍କରୁ ଜଣାଯାଏ ଯେ ଜଗମୋହନ-ଛାନ୍ଦର କବି ବିଷୟୀ ଥିଲେ । ପିଲାଦିନେ ସେ ପୁରୀରେ ରହି ଜଗନ୍ନାଥ ମହାପ୍ରଭୁଙ୍କର ନୀତିମାନ ଦେଖିଥିଲେ । ବୃଦ୍ଧକାଳରେ ଗୃହ-ଜଞ୍ଜାଳରେ ତାହା ମନେ ପଡ଼ିବାରୁ ସେ ଜଗମୋହନ-ଛାନ୍ଦ ଲେଖିଲେ । କିନ୍ତୁ ରସକଲ୍ଲୋଳ ଓ ରସବିନୋଦର ରଚୟିତାମାନେ ତ୍ୟାଗୀ ଥିଲେ । ପୁଣି ଜଗମୋହନ ଛାନ୍ଦର ମୋଟ ପଦସଂଖ୍ୟା ୬୮୦ ବୋଲି ଦୀନକୃଷ୍ଣ ଦାସ ରସବିନୋଦରେ ଲେଖି ଅଛନ୍ତି :-

 

‘‘ତାପଛେ କାବ୍ୟ ଯେ ଉତ୍ତମ । ଜଗମୋହନ ଛାନ୍ଦ ନାମ ।।

ଏ ଗ୍ରନ୍ଥ ସୁଖ କି କହିବା । ଛଅଶ ଅଶୀ ପଦେ ନିର୍ଭ ।।

 

କିନ୍ତୁ ପ୍ରକାଶିତ ଜଗମୋହନ-ଛାନ୍ଦର ମୋଟ ପଦସଂଖ୍ୟା ଛଶହ ଚାଲିଶ ଅଟେ । ଏଣୁ ଏହା ରସିବନୋଦ-ରଚୟିତାଙ୍କ କୃତି ଜଗମୋହନ ଛାନ୍ଦ ନୁହେ । ଜଗମୋହନ-ଛାନ୍ଦର କବି ବୃକ୍ଷମାନଙ୍କର ସତ୍ତ୍ୱଗୁଣ ବର୍ଣ୍ଣନା କରି ‘ବିଚାରିଲେ ବୃକ୍ଷେ ଅଛି ବୈଷ୍ଣବ ମତ’ ଉକ୍ତି ପ୍ରକାଶ କରିଅଛନ୍ତି । ବାସ୍ତବିକ ଉଦ୍ଭିଜ୍ଜୀବନ ପର୍ଯ୍ୟାଲୋଚନାକାରୀ ବୈଦିକ ଅଶ୍ୱିନମାନେ ଦାରୁରେ ବ୍ରହ୍ମତ୍ୱ ଆରୋପ କରିଥିଲେ । କବି ‘ଅପୂର୍ବାଳସା’ (ଛା: ୩, ପ:୪୦୬ ) ପଦ ବ୍ୟବହାର କରିଅଛନ୍ତି । ଏପରି ଶବ୍ଦ ଗଠନ ରୀତିରେ ଭଞ୍ଜକବିଙ୍କ ପ୍ରଭାବ ଲକ୍ଷିତ ହୁଏ । ଅ + (ନ) ପୂର୍ବ + ଅଳସା = ଅପୂର୍ବାଳସା ବା ଅ(ନ) + ଅଳସା)- ଅନଳସା ହୁଏ । ଏହାର ଅର୍ଥ ମଦାଳସା ବୋଲି ପ୍ରକାଶକ ଯାହା ଲେଖିଅଛନ୍ତି, ତାହା ଠିକ୍ ନୁହେ । ନୃତ୍ୟରେ ନର୍ତ୍ତକୀମାନଙ୍କର ଅଙ୍ଗପ୍ରତ୍ୟଙ୍ଗର ଗତି-ବୈଚିତ୍ର୍ୟ ବର୍ଣ୍ଣନା କରାଯାଏ (ମାଳାବିକାଗ୍ନି ମିତ୍ର) । ଜଗମୋହନ ଛାନ୍ଦର ସପ୍ତମ ଛାନ୍ଦରେ ଗ୍ରୀଷ୍ମଋତୁର ବର୍ଣ୍ଣନାରେ କବି ରସକଲ୍ଲୋଳକୁ ଅନୁକରଣ କରିଅଛନ୍ତି । ଏ ଜଣେ ପୃଥକ୍ ଦୀନକୃଷ୍ଣ ଓ ପ୍ରସାଦ ଗୁଣବିଶିଷ୍ଟ ଶୈଳୀରେ ପୁରୀର ଯାତ୍ରା ଓ ନୀତିମାନ ଯଥାର୍ଥ ରୂପରେ ବର୍ଣ୍ଣନା କରିଅଛନ୍ତି ।

 

ଷଷ୍ଠ ଅଧ୍ୟାୟ

Unknown

ପ୍ରମୋଦ –ସାହିତ୍ୟ

ସାଧାରଣ ଶ୍ରେଣୀର ବୈଷ୍ଣବ କବିମାନେ ମାତୃଭାଷାରେ କବିତା ରଚନା କରି ଦେଶରେ ଜନପ୍ରିୟ ଓ ସୁପରିଚିତ ହୋଇପଡ଼ିବାରୁ ଅନ୍ୟ ଶ୍ରେଣୀର ଅବୈଷ୍ଣବ କବିମାନେ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ମନ ବଳାଇଲେ । କୃଷ୍ଣ-ଧର୍ମରେ ପରକୀୟା ପ୍ରେମଭକ୍ତି ଷୋଡ଼ଶ ଶତାବ୍ଦୀରେ ପ୍ରବେଶ କଲା । କିନ୍ତୁ ଜନସାଧାରଣ କୃଷ୍ଣଙ୍କ ଗୋପୀନାଥ-ମୂର୍ତ୍ତିଙ୍କୁ ଈଶ୍ୱର ଜ୍ଞାନରେ ବହୁକାଳରୁ ପୂଜା କରିଆସୁଥିଲେ । ଏଣୁ କୃଷ୍ଣଙ୍କ ବ୍ୟଭିଚାର ବର୍ଣ୍ଣନା ପଢି ବା ବର୍ଣ୍ଣନା କରି ଅପରାଧ ଅର୍ଜିବାର ଆଶଙ୍କା ଅନେକଙ୍କ ମନରେ ମଧ୍ୟ ଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ମଧ୍ୟ କୌଣସି ଯୁବକ ରସକଲ୍ଲୋଳ ବା ବିଦଗ୍‌ଧ-ଚିନ୍ତାମଣି ପଢୁଥିବାର କୌଣସି ଶିକ୍ଷିତ ବୃଦ୍ଧର କାନରେ ପଡ଼ିଲେ, ପଢ଼ିବାପାଇଁ ସେ ବାରଣ କରୁଥିଲେ । ମୋତେ କେତେକ ଲୋକ କହିଅଛନ୍ତି ଯେ ପରମାର୍ଥୀ ନୋହି ଅମୁକ ଅମୁକ ଲୋକ ବିଦଗ୍‌ଧ-ଚିନ୍ତାମଣି ପଡ଼ିବାରୁ କୁଷ୍ଠରୋଗାକ୍ରାନ୍ତ ହୋଇଥିଲେ । ଏପରି ଆଶଙ୍କାରେ ରାଧାକୃଷ୍ଠ-ରସ ନ ପଢି, ଅବୈଷ୍ଣବ ସାହିତ୍ୟ ପଢି ସାଧାରଣ ପାଠକେ କିପରି ଚିତ୍ତବିନୋଦନ କରି ପାରିବେ, ସେଥିପାଇଁ ଅବୈଷ୍ଣବ କବିମାନେ ଯତ୍ନଶୀଳ ହେଲେ । ସେମାନେ ପୁରାଣରୁ ଉପନାୟକ ଓ ଉପନାୟିକାଙ୍କ ଚରିତ ଘେନି ଖଣ୍ଡକାବ୍ୟ ବା କଳ୍ପନାରେ ନାୟକ-ନାୟିକା ଗଢ଼ି ପ୍ରମୋଦ ସାହିତ୍ୟର ସୃଷ୍ଟିକଲେ । କିନ୍ତୁ କାବ୍ୟଗୁଡ଼ିକର ବିଷୟବସ୍ତୁ ଓ ବର୍ଣ୍ଣନା ରୀତିପାଇଁ ପ୍ରାୟ ଗୋଟିଏ ଛାଞ୍ଚ ଥିଲା । ନାୟକ -ନାୟିକାଙ୍କ ରୂପ, ବାଲ୍ୟ ପୌଗଣ୍ଡ ଓ ଯୌବନାବସ୍ଥା ଏବଂ ପରସ୍ପର ପ୍ରେମ ଆକର୍ଷଣ, ବିଚ୍ଛେଦାବସ୍ଥା ଓ ବିବାହର ବର୍ଣ୍ଣନାସବୁ କାବ୍ୟରେ ବର୍ଣ୍ଣିତ ହେଉଥିଲା । ପ୍ରତ୍ୟେକ କାବ୍ୟରେ ପ୍ରଣୟ ଉପୁଜିବା ଉତ୍ତାରୁ ଓ ବିବାହ ପୂର୍ବରୁ ବିଚ୍ଛେଦ-ଶୋକ ବର୍ଣ୍ଣନା କରି ନାୟକ ନାୟିକାଙ୍କ ମଧ୍ୟରେ ଅନୁରାଗର ପ୍ରଗାଢ଼ତା ଦେଖାଇ ଦିଆଯାଇଅଛି । ବିବାହ ଉତ୍ତାରୁ ନାୟକ ନାୟିକାଙ୍କର ବିଚ୍ଛେଦ-ଶୋକ ପ୍ରାପ୍ତ ପ୍ରତ୍ୟେକ କାଳ୍ପନିକ କାବ୍ୟରେ ବର୍ଣ୍ଣନା କରାଯାଇଅଛି । ଋତୁବର୍ଣ୍ଣନା ଓ ବନବିହାର କେତେ କାବ୍ୟରେ ଅଛି; କେତେ କାବ୍ୟରେ ନାହିଁ । ରୂପବର୍ଣ୍ଣନାର ଉପମାଗୁଡ଼ିକ ଅଧିକାଂଶ କାବ୍ୟରେ ଏକା ପରି; କେବଳ ଅଭିବ୍ୟକ୍ତିର ଭଙ୍ଗୀ ବିଭିନ୍ନ ଅଟେ ।

 

ଓଡ଼ିଶାରେ ଶବ୍ଦାଳଙ୍କାରପ୍ରତି ରୁଚି ପ୍ରବଳ ଥିବାର ପୂର୍ବେ କୁହାଯାଇଅଛି । ଭୌମ ରାଜତ୍ୱ କାଳରେ ଶବ୍ଦାଳକାଂର ତାମ୍ର ଶାସନମାନଙ୍କରେ କିପରି ବ୍ୟବହୃତ ହୋଇଅଛି, ନିମ୍ନୋଦ୍ଧୃତ ଦୃଷ୍ଟାନ୍ତରୁ ପାଠକେ ବିଚାର କରନ୍ତୁ:-

 

‘‘ଅଭ୍ୟାଲୋକବିଧାୟିନାମନୁଦିନଂ      ସମ୍ବର୍ଦ୍ଧମାନଶ୍ରିୟାଂ

ରାଜ୍ଞାଂ ନିର୍ମଳ ମଣ୍ଡଳାଗ୍ର ମହିମଗ୍ରସ୍ତ ଦ୍ୱିଷତ୍‌ ସମ୍ପଦାଂ ।

ଆକ୍ରାନ୍ତାତୁଳ- ଭୂଭୃଦୁଚ୍ଚଶିରସାମ୍ପଦ୍ମାକରୋଲ୍ଲାସିନା

ନ୍ଦୋଷା ସଙ୍ଗବିବର୍ଜ ନୈକ ବିଦୁଷାଂଭାସ୍ୱତ୍‌ କରାଣାଂ କୁଳଃ ।।’’

 

ଏଥିରେ କୁଳ ଓ ସୂର୍ଯ୍ୟଙ୍କ ଗୁଣ ବର୍ଣ୍ଣନା କରାଯାଇ ଭୌମ ବା କରକୁଳକୁ ସୂର୍ଯ୍ୟଙ୍କ ସମତୁଳ କରାଯାଇଅଛି । ଆଲୋକ-ସଂସ୍କୃତି ଓ ତେଜ । ଶ୍ରିୟାଂ— ଧନସମ୍ପଦକୁ ଓ ଶୋଭାକୁ । ଦ୍ୱିଷତ୍‌–ଶତ୍ରୁ ଓ ଅନ୍ଧକାର । ଭୂଭୃତ୍‌— ରାଜା ଓ ପର୍ବତ । ପଦ୍ମାକର-ଲକ୍ଷ୍ମୀ ଓ ପଦ୍ମା । ଦୋଷ – ତ୍ରୁଟି ଓ ସନ୍ଧ୍ୟା ( ସନ୍ଧିବିଚ୍ଛେଦରେ ଦୋଷା )।

 

ଆଉ ଗୋଟିଏ ଦୃଷ୍ଟାନ୍ତ ବିଚାର କରନ୍ତୁ :-

‘‘ଗୁଣପକ୍ଷପାତିଷୁ ରାଜହଂସେଷ୍ୱପି ନ ମାନସବ୍ୟସଜେଷୁ

ପୃଥୁଦଣ୍ଡ ବିଭବେଷୁ ଚଣ୍ତକର ପ୍ରିୟେଷ୍ୱପ୍ୟତୀବ୍ରକରଃ ।’’

 

ଗୁଣର ପକ୍ଷପାତୀ ହୋଇ ରାଜହଂସ ହୋଇଥିଲେ ମଧ୍ୟ ପକ୍ଷ ବା ଡେଣା ଥିବା ରାଜହଂସ ମାନସରେ ବ୍ୟସନ କରେ; କିନ୍ତୁ ଏମାନଙ୍କର ମନ ବ୍ୟସନରେ ନ ଥାଏ । ପ୍ରବଳ ବଳ ଥାଇ ଏମାନେ ଚଣ୍ତକର ବା ସୂର୍ଯ୍ୟଙ୍କ ପରି ତେଜୀୟାନ ହୋଇଥିଲେ ମଧ୍ୟ ଏମାନେ ଅତୀବ୍ରକର; ଅର୍ଥାତ୍ ଉତ୍କଟ କର ଅସୁଲ କରନ୍ତି ନାହଁ । ଏଠାରେ ବିରୋଧାଭାସ ଅଳଙ୍କାର ଅଛି ।

 

ପ୍ରାଚୀନ ତାମ୍ରଶାସନର ନିମ୍ନୋଦ୍ଧୃତ ଶ୍ଳୋକର ଅଭିବ୍ୟକ୍ତ ଭଙ୍ଗୀ ପ୍ରାଚୀନ ଓଡ଼ିଆ-ସାହିତ୍ୟରେ ଅନେକ ସ୍ଥଳରେ ଦେଖାଯାଏ :-

 

‘ଉଦ୍ୟାନେଷୁ ଶିଳୀମୁଖାବଳିରବୋ ହାରେଷୁ ମୁକ୍ତାସ୍ଥିତି-

ର୍ଦୋଷାସଙ୍ଗ ରୁଚିସ୍ତୁଷାର କିରଣେ ବିଜ୍ଞେଷ ସଦ୍ୱେଷତା ।

ରାହୌ ତୀକ୍ଷ୍‌ ଣକର ଗ୍ରହଃ କୁମଣିଷୁ ତ୍ରାସୋଦୟଃ କେବଳଂ

କାନ୍ତାକୁନ୍ତଳ ସନ୍ତତୌ କୁଟିଳତା ଯସ୍ୟାଃ ପ୍ରଭୃତ୍ୱେ ଭୁବି ।।’’

 

(ଶିଳୀମୁଖ—ଶର ଓ ଭ୍ରମର; ମୁକ୍ତା—ମୁକ୍ତା ଓ ଉନ୍ମୁକ୍ତା ରମଣୀ; ଦୋଷା ସଙ୍ଗ—ଦୋଷଯୁକ୍ତତା ଓ ପ୍ରଦୋଷସଙ୍ଗୀ; ସଦ୍ୱେଷତା—ଶତ୍ରୁତା ଓ ଯୁକ୍ତିତର୍କ; ତୀକ୍ଷୁକର—ସୂର୍ଯ୍ୟ ଓ ଅତିରିକ୍ତ ଖଜଣା; ତ୍ରାସ-ଭୟ ଓ ଚଞ୍ଚଳତା; କୁଟିଳତା—କୁଞ୍ଚିତତା ଓ କୃତ୍ରିମତା ) ।

 

ପୁଣି ବୌଦର ଭଞ୍ଜ-ରାଜବଂଶର ପ୍ରାଚୀନ ତାମ୍ର-ଶାସନମାନଙ୍କରେ ଅନୁପ୍ରାସ ଓ ଶୁଙ୍ଖଳା ଅଳଙ୍କାରର ଦୃଷ୍ଟାନ୍ତ ଦେଖାଯାଏ:–

 

 

‘‘ସଂହାର କାଳହୁତ ଭୁଗ୍‌ବିକରାଳ ଘୋରସମ୍ଭ୍ରାନ୍ତ କିଙ୍କର କୃତାନ୍ତ ଭିନ୍ନମ୍

ଭିନ୍ନାନ୍ଧକାସୁର      ମହାଗହନାତପତ୍ରା      ପତ୍ରା

ତ୍ତଦ୍‌ଭୈରବହରବପୁର୍ଭବତଃ      ପ୍ରପାତୁ ।’’

 

‘‘ଦୂର୍ବାର      ବାରଣ ଋଣପ୍ରତି ପକ୍ଷପକ୍ଷାତ୍

ଲକ୍ଷ୍ମୀ ହଠହରଣ କଳାସୁ ପ୍ରସୂତଭଞ୍ଜନରାଧିପତୟୋ ବହବୋ ବଭୁବୁଃ ।’’

 

ଓଡ଼ିଶାରେ ‘ଏକାବଳୀ’ ଓ ‘ସାହିତ୍ୟ-ଦର୍ପଣ’ ନାମକ ଦୁଇ ଖଣ୍ଡି ସଂସ୍କୃତ ଅଳଙ୍କାର ଗ୍ରହ-ସଂକଳିତ ହୋଇଥିଲା । ଏ ଦୁଇ ଖଣ୍ଡିରେ ପ୍ରଚୁର ଅର୍ଥାଳଙ୍କାରର ଲକ୍ଷଣ ଦିଆଯାଇଅଛି । ସ୍ଵଳ୍ପ ଶବ୍ଦାଳଙ୍କାରର ଲକ୍ଷଣ ଅଛି । କିନ୍ତୁ ସଂସ୍କୃତ ଧ୍ୱନ୍ୟାଲୋକରେ ବିସ୍ତାର ଧ୍ୱନ୍ୟଳଙ୍କାରର ଲକ୍ଷଣ ଅଛି । ଓଡ଼ିଆ କବିମାନେ ଏ ଗ୍ରନ୍ଥ ପଢିଥିଲେ କି ନାହଁ, ତାହା ମୁଁ ଅନୁସନ୍ଧାନ କରିପାରିନାହିଁ । କିନ୍ତୁ ଓଡ଼ିଶାରେ ଶବ୍ଦମାଳା, ଧ୍ୱନିମଞ୍ଜରୀ ଓ ମୁଗ୍‌ଧବୋଧ-ଅଭିଧାନ ସଂକଳିତ ହୋଇଥିଲା । ଗୋଟିଏ ଗୋଟିଏ ଶବ୍ଦ କିପରି ବିଭିନ୍ନ ଅର୍ଥରେ ବ୍ୟବହୃତ ହୁଏ, ତାହା ଉକ୍ତ ସଙ୍କଳିତ ପୁସ୍ତକ ମାନଙ୍କରେ ନିର୍ଦ୍ଦେଶିତ ହୋଇଅଛି । ଏହି ସଂସ୍କୃତ, ଶବ୍ଦମାନଙ୍କୁ କବିମାନେ ବିଭିନ୍ନ ଅର୍ଥରେ ବ୍ୟବହାର କରି ଶବ୍ଦାଳଙ୍କାର ସୃଷ୍ଟି କରୁଥିଲେ । ତାହାଛଡ଼ା ଓଡ଼ିଆ ଶବ୍ଦକୁ ବିଭିନ୍ନ ଅର୍ଥରେ ବ୍ୟବହାର କରିବାକୁ ସେମାନେ ମସ୍ତିଷ୍କ ମଧ୍ୟ ଚାଳନା କରୁଥିଲେ । ତେଣୁ ଦାନକୃଷ୍ଣଦାସ ଛୁରିଅନା, ନିଆଳି ପ୍ରଭୃତି ଓଡ଼ିଆ ଶବ୍ଦମାନଙ୍କୁ ବିଭିନ୍ନ ଅର୍ଥରେ ବ୍ୟବହାର କରି ଅଛନ୍ତି । ଅଳଙ୍କାରମାନଙ୍କ ସମାବେଶରେ ଭାଷାର କ୍ଲିଷ୍ଟତା ବୃଦ୍ଧି ପାଇବାରୁ ସଂସ୍କୃତଜ୍ଞ ପଣ୍ଡିତମାନେଓଡ଼ିଆ-ସାହିତ୍ୟ ଚର୍ଚ୍ଚା କରିବାପାଇଁ ମନ ବଳାଇଲେ ।

 

ବଳଭଦ୍ର ଭଞ୍ଜ

ସ୍ୱର୍ଗୀୟ ତାରିଣୀଚରଣ ରଥ ଉତ୍କଳ-ସାହିତ୍ୟର ଇତିହାସରେ ଏହାଙ୍କର ନାମ ଉଲ୍ଲେଖ କରି ଭାବବତୀ-ନାମକ କାବ୍ୟର ଏ ରଚୟିତା ବୋଲି ଲେଖିଅଛନ୍ତି । ସେ ବୋଧ ହୁଏ ଗଞ୍ଜାମ ଜିଲାରେ ଭାଗବତୀ ପୁସ୍ତକ ଦେଖିଥିଲେ । କଟକ ଅଞ୍ଚଳରେ ଏ କାବ୍ୟ ଦେଖିବାକୁ ମିଳୁ ନ ଥିବାରୁ ବଳଭଦ୍ର ଭଞ୍ଜ ଘୁମୁସର ରାଜବଂଶରେ ଜାତ ହୋଇଥିଲେ ବୋଲି କହିବାକୁ ହେବ । ତାହାହେଲେ ଏ କବି ଧନଞ୍ଜୟ ଭଞ୍ଜଙ୍କ ପୂର୍ବରୁ ଆବିର୍ଭୂତ ହୋଇଥିବେ ।

ଶିଶୁ ଶଙ୍କର ଦାସ

ଏହାଙ୍କ ରଚିତ ‘ଉଷାଭିଳାଷ’ ପ୍ରାଚୀ ସମିତି ପକ୍ଷରୁ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରକାଶ କରିଅଛନ୍ତି । ଧନଞ୍ଜୟ-ଭଞ୍ଜ ନିଜ ରଚିତ ରତ୍ନମଞ୍ଜରୀ-କାବ୍ୟର ପଞ୍ଚଦଶ ଛାନ୍ଦକୁ ‘‘ଭାବକୁ ନିକଟ ଯେ ଭଗତ-ଜନବନ୍ଧୁ’’ ବାଣୀରେ ଗାଇବାପାଇଁ ନିର୍ଦ୍ଦେଶ କରିଅଛନ୍ତି । ଉଷାଭିଳାଷର ଷଷ୍ଠ ଛାନ୍ଦର ଆରମ୍ଭରେ ଉକ୍ତ ପାଦଟି ଅଛି । ଏଣୁ ସେ ଅନୁମାନ କରନ୍ତି ଯେ ଧନଞ୍ଜୟଙ୍କର ଏକଶତ ବର୍ଷ ପୂର୍ବରୁ ଶିଶୁ ଶଙ୍କର ଆବିର୍ଭୂତ ନୋହିଥିଲେ ଉଷା କାବ୍ୟ ଧନଞ୍ଜୟ ଭଞ୍ଜ ପଢିବାର ସୁଯୋଗ ପାଇ ପାରି ନ ଥାନ୍ତେ । କିନ୍ତୁ ଏପରି ଯୁକ୍ତି ଭିତ୍ତିହୀନ । ବାଣପୁର ବାଣାସୁରର ରାଜ୍ୟ ବୋଲି ଏପର୍ଯ୍ୟନ୍ତ ବାଣପୁର ଓ ନୟାଗଡ଼ରେ କିଂବଦନ୍ତୀ ଚାଲିଆସୁଅଛି । ଧନଞ୍ଜୟ ଭଞ୍ଜଙ୍କ ଘୁମୁସର ରାଜ୍ୟ ଏହାର ପ୍ରତିବେଶୀ ଅଟେ । ଏଣୁ କେହି ସ୍ଥାନୀୟ କବି ଏ କାବ୍ୟକୁ ରଚନା କରି ଗୁଣଗ୍ରାହୀ ରାଜାଙ୍କୁ ଉପହାର ଦେଇପାରିବେ । ଆମ ଦେଶର କିଂବଦନ୍ତୀ ଅନୁସାରେ ଶିଶୁ ଈଶ୍ୱରଦାସ ବା ମଧୁସୂଦନ ନଳ-ଚରିତ ଲେଖିନାହାନ୍ତି । ଆମ ଦେଶର କିଂବଦନ୍ତୀ ଅନୁସାରେ ରାତ୍ରିରେ ପ୍ରସ୍ରାବ କରିବାଉତ୍ତାରୁ ପାଦ ନ ଧୋଇ ଶଯ୍ୟାରେ ଶୋଇବାରୁ କଳି ଓ ଦ୍ୱାପର ନଳଙ୍କଠାରେ ପ୍ରବେଶ କଲେ; ଅର୍ଥାତ୍ ଶୌଚାଚାର ଛାଡ଼ିବାରୁ ସେ ବିପଥଗାମୀ ହେଲେ । ପୁଣି ନଳ ଫେରିଆସିବା ସମୟରେ ଅଯୋଧ୍ୟାର ରାଜାଙ୍କଠାରୁ ସାହାଡ଼ା-ବୃକ୍ଷର ପତ୍ର ଗଣିବାର ଲୀଳାବତୀ-ସୂତ୍ର ଶିଖିଥିଲେ । ବିପତ୍ନୀକ ଶୂଦ୍ର ବା ବିଧବା ଶୂଦା ପୁନର୍ବିବାହର ପୂର୍ବ ରାତ୍ରରେ ସାହାଡ଼ା ବୃକ୍ଷକୁ ବିବାହ କରେ । ଲକ୍ଷ୍ମୀ ପାକ କରନ୍ତି ଓ ଦମୟନ୍ତୀ ଜଗନ୍ନାଥଙ୍କୁ ପରିବେଷଣ କରନ୍ତି ବୋଲି କିଂବଦନ୍ତୀ ଅଛି । ଏଣୁ ନଳରାଜା ଓଡ଼ିଶାରେ ଥିବାର ପ୍ରମାଣିତ ହେଉଅଛି । ସେପରି ଉଷା-ଅନିରୁଦ୍ଧ ଘଟନା ଓଡ଼ିଶାରେ ଘଟିଥିବାର ବହୁ ପ୍ରମାଣ ଅଛି ।

 

ଶିଶୁ ଅନନ୍ତ, ଶିଶୁ ଈଶ୍ୱର ,ଶିଶୁ ଭୀମ, ଶିଶୁ ଶଙ୍କର ପ୍ରଭୃତି କବିମାନଙ୍କ ନାମରୁ ଅନୁମିତ ହେଉଅଛି ଯେ ଏମାନେ ବାଳଗୋପାଳ-ଧର୍ମର ଉଷା-ଭକ୍ତି ଗ୍ରହଣ କରିଥିଲେ । ଯାହା ହେଉ, ଯଦି କବି ଧନଞ୍ଜୟ ଭଞ୍ଜଙ୍କ ସମକାଳୀନ ହୋଇଥାନ୍ତି, ତେବେ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ତ କାବ୍ୟର ରଚନା ଓଡ଼ିଶା ପକ୍ଷରେ ସାମାନ୍ୟ ଗୌରବର କଥା ନୁହେଁ । କାବ୍ୟୋଚିତ ଭାଷାରେ ଓ ଭଙ୍ଗୀରେ ଏଥିରେ ଉଷା-ଅନିରୁଦ୍ଧ ଚରିତ ବର୍ଣ୍ଣିତ ହୋଇଅଛି । ଏଥିରେ ସନ୍ଧ୍ୟା, ପ୍ରଭାତ ବସନ୍ତ ଓ ଗ୍ରୀଷ୍ମର ବର୍ଣ୍ଣନା ଉପମାଳଙ୍କାର ସହିତ ମାଧୁର୍ଯ୍ୟଗୁଣବିଶିଷ୍ଟ ଶୈଳୀରେ କରାଯାଇଅଛି । ଯୌବନକାଳର ପ୍ରାରମ୍ଭରେ ଉଷା-ହୃଦୟରେ ନୈସର୍ଗିକ ନିୟମରେ ପ୍ରେମ-ଅଙ୍କୁର ଜାତ ହୋଇ ସ୍ୱପ୍ନରେ ଅନିରୁଦ୍ଧ ସଙ୍ଗେ ରସ ଉପଭୋଗ କରିବା କଥା ଦକ୍ଷତାର ସହିତ କବି ବର୍ଣ୍ଣନା କରି ଅଛନ୍ତି-। ଉଦ୍ୟାନ-ଭ୍ରମଣରେ ପୁଷ୍ପ-ଭମରଙ୍କଠାରୁ ଉଷା ପ୍ରେମ-ସଙ୍ଗମ ଶିଖି ସ୍ୱପ୍ନରେ ଅନିରୁଦ୍ଧ ସଙ୍ଗରେ ରସ ଉପଭୋଗ କରିଅଛି—

 

‘‘ଚିରକାଳେ ନିଦ୍ରା ହୋଏ ନୟନେ ତାର । ସପନେ ସଙ୍ଗତ ହୁଏ କାମ କୁମର ।

ଯେସନେ ରମିଲା ତାକୁ ରମଣିମଣି । ଅନିରୁଦ୍ଧ ତେସନେ ରମିଲା ତରୁଣୀ । (ଛା: ୪)

 

ପ୍ରେମ-ବୃତ୍ତି ଶକୁନ୍ତଳାଠାରେ ଦୁଷ୍ମନ୍ତଙ୍କୁ ନ ଦେଖିବା ପର୍ଯ୍ୟନ୍ତ ଜାଗରିତ ହୋଇ ନ ଥିଲା । କିନ୍ତୁ ଅସୁର-କନ୍ୟାଠାରେ ପୁରୁଷ-ମୁଖ ନ ଦେଖି ପ୍ରେମ-ବୃତ୍ତି ସ୍ୱତଃ ଜାତ ହୋଇଥିଲା, ତେଣୁ ସେ ଅନିରୁଦ୍ଧ ବା ଅସଂଯତେନ୍ଦ୍ରିୟର ସଙ୍ଗଲାଭ କଲା । ପ୍ରଥମେ ଉଷା ଅନିରୁଦ୍ଧକୁ ରମଣ କଲା କହି କବି ସୂଚନା ଦେଇଅଛନ୍ତି; ଉଷା କାମୁକା ଥିଲା । ନୀଳକନ୍ୟାରୁ ରାଧା ଜନ୍ମିବା କଥା ଯଶୋବନ୍ତଦାସ ବର୍ଣ୍ଣିଅଛନ୍ତି । ତାହାର ଅର୍ଥ ମଧ୍ୟ ସେପରି ଅଟେ । ପୌରାଣିକ ଗଳ୍ପର ମଧ୍ୟ ଏହି ମର୍ମ ଅଟେ ।

ମଧୁସୂଦନ

ଏ ସାତୋଟି ଛାନ୍ଦରେ ପ୍ରସାଦଗୁଣବିଶିଷ୍ଟ ଶୈଳୀରେ ‘ନଳଚରିତ’ ବର୍ଣ୍ଣନା କରିଅଛନ୍ତି । ସଂସ୍କୃତ ମହାଭାରତରେ ଥିବା ନଳଚରିତଠାରୁ ଏଥିରେ କେତେକ ପାର୍ଥକ୍ୟ ଦେଖାଯାଏ । ରାମ ଋଷିଙ୍କଠାରୁ ନଳଚରିତ ଶୁଣିଥିବା କଥା ଶିଶୁ ଈଶ୍ୱରଦାସ ଓ ମଧୁସୂଦନ ବର୍ଣ୍ଣନା କଲେ କାହିଁକି ? ଦକ୍ଷିଣ ଓଡ଼ିଶାରେ ରାମ-ଧର୍ମ ପ୍ରାଚୀନ କାଳରେ ପ୍ରବଳ ଥିଲା । ଏଣୁ ରାମଙ୍କ ଦୁଃଖରେ କବି ଦୁଃଖିତ ହେଉଥିଲେ । ପରିବାରରୁ କେହି ପଳାତକ ହେଲେ ଗୃହରେ ଥିବା ପରିବାରବର୍ଗ ପଳାତକ ଫେରିଆସିବାପାଇଁ ଏହି ନଳଚରିତ ପାଠ ଭକ୍ତିର ସହିତ ଶୁଣୁଥିଲେ । ଏହି ମଧୁସୂଦନଙ୍କ ରଚିତ ତାଳପତ୍ର ପୋଥିରେ ସାହାଡ଼ା ଗଛର ପତ୍ର ଗଣିବା ଅଛି । କିନ୍ତୁ ପ୍ରାଚୀ ସମିତି ପକ୍ଷରୁ ପ୍ରକାଶିତ ପୁସ୍ତକରେ ବାହାଡ଼ା ଗଛର ପତ୍ର ଗଣିବା ଅଛି । ଏହାଙ୍କର ଆବିର୍ଭାବକାଳ ସ୍ଥିର କରାଯାଇ ପାରିନାହଁ ।

 

 

 

ଧନଞ୍ଜୟ ଭଞ୍ଜ

ଏ ଘମୁସରର ରାଜା ଥିଲେ । ବୌଦ ଓ ଘୁମୁସରର ଭଞ୍ଜବଂଶ ମୟୂରଭଞ୍ଜର ଭଞ୍ଜବଂଶୀୟ ଗୋଟିଏ ଶାଖା ରୂପରେ ପରିଚିତ ହୋଇ ଆସୁଛନ୍ତି । କିନ୍ତୁ ମୟୂରଭଞ୍ଜର ଭଞ୍ଜବଂଶୀୟ ଗୋତ୍ର ‘ବିଶିଷ୍ଠ’ ଥିବା ସ୍ଥଳରେ ବୌଦ ଓ ଘୁମୁସରର ଭଞ୍ଜବଂଶର ଗୋତ୍ର କଶ୍ୟପ ଅଟେ । ପୁରାଣ ଅନୁସାରେ ମରୀଚିଙ୍କଠାରୁ କଶ୍ୟପ ଜାତ ହେଲେ । ମରୀଚିର ଅର୍ଥ କଲସ-ପୂଜା ଓ ଏହି କଲସ ପରବର୍ତ୍ତୀ ଯୁଗରେ ଗଣପତି ପ୍ରତିମାରେ ପରିଣତ ହେଲେ । ମୟୂରଭଞ୍ଜର ପ୍ରାଚୀନ ତାମ୍ରଶାସନରୁ ଜଣାଯାଏ, ସେଠାକାର ରାଜବଂଶ ମୟୂର ପରି ନୃତ୍ୟଗୀତ କରିବା ପ୍ରବୃତ୍ତି ଛାଡ଼ି ବଶିଷ୍ଠ ହୋଇଥିଲେ । ନୃତ୍ୟଗୀତ ପ୍ରଥମେ ବୋଧ ହୁଏ ମରୀଚି ନାମରେ ଅଭିହିତ ହୋଇଥିଲା । ତହିଁଉତ୍ତାରୁ ଉତ୍ତର ଓଡ଼ିଶାର ଭଞ୍ଜବଂଶ ବଶିଷ୍ଠ ଓ ଦକ୍ଷିଣ ଓଡ଼ିଶାର ଭଞ୍ଜବଂଶ କଲସ-ପୂଜା କରି ସଂଯତେନ୍ଦ୍ରିୟ ହୋଇ କଶ୍ୟପ ହୋଇଥିବାର ଅନୁମାନ କରାଯାଉଅଛି । ମୟୂରଭଞ୍ଜ ପ୍ରାଚୀନକାଳରେ ଖିଜିଙ୍ଗ ଓ ବୌଦ ଘୁମୁସର ଖିଞ୍ଜଳି ନାମରେ ଅଭିହିତ ହେଉଥିଲା । ଖିଦ୍ୟତ୍‌-ଯଜ୍ଞ ବା ଶରୀରକ୍ଲେଶରୁ ଯଜ୍ଞ ଏବଂ ଖିଦ୍ୟନ୍‌ଜ୍ୱଳିତ ବା ଶରୀରକ୍ଲେଶରୁ ଜଳିଉଠିବା ମତ ଅନୁସାରେ ଯଥାକ୍ରମେ ଖିଜିଙ୍ଗ ଓ ଖିଞ୍ଜଳି ନାମଦ୍ୱୟର ଉତ୍ପତ୍ତି ଘଟିଥିବ ବୋଲି ଅନୁମିତ ହେଉଅଛି । ଏଗୁଡ଼ିକ ଦଣ୍ଡକ-ଧର୍ମର ମତ । ଏହି ଦଣ୍ଡକ-ଧର୍ମର ଉଚ୍ଛେଦପାଇଁ କଳିଙ୍ଗ ବା କୁମାରମାନେ ନୃତ୍ୟଗୀତଦ୍ୱାରା ପ୍ରେମାନୁରାଗ ନରନାରୀଙ୍କ ମଧ୍ୟରେ ପ୍ରଚାର କରୁଥିଲେ । ବୌଦ୍ଧ ସରଭଙ୍କ ଜାତକାନୁସାରେ କଳିଙ୍ଗରେ ଦଣ୍ଡକ ରାଜା ଥିଲେ । ଏଠାରେ ଦଣ୍ଡକ ଧର୍ମରାଜା ଉପାଧିରେ ଭୂଷିତ ହୋଇଅଛି । ତାହାହେଲେ କଳିଙ୍ଗରେ ଦଣ୍ଡକାରଣ୍ୟ ଥିଲା । ରାଜା ପୃଥୁ ଜାତିବିଭାଗ ପ୍ରତିଷ୍ଠିତ କରି ଚାରଣ ବା ସାମବେଦୀମାନଙ୍କୁ କଳିଙ୍ଗ ରାଜ୍ୟ ଦେଇଥିବାର ପଦ୍ମ-ପୁରାଣରେ ଉକ୍ତ ଅଛି । ଏହି କଳିଙ୍ଗ ରାଜ୍ୟ ଓଡ଼ିଶାର ପାର୍ବତ୍ୟ ଭୂଭାଗ ଅଟେ । ସାମବେଦୀମାନେ କଳିଙ୍ଗ ଅଟନ୍ତି । ଘୁମୁସରର ଭଞ୍ଜବଂଶ ସେହି ସାମବେଦୀ କଳିଙ୍ଗ ସମ୍ପ୍ରଦାୟର ଶଙ୍କୁ ଅଟେ । ଗଣପତି ପୂଜାରୁ ବିଭିନ୍ନ ଜାତିମାନଙ୍କର ଉତ୍ପତ୍ତି ଘଟିଥିବାରୁ ଓଡ଼ିଆ କବିମାନେ ଓଡ଼ିଆ ଜାତିମାନଙ୍କ ଇତିହାସକୁ ଗଣେଶବିଭୂତି ନାମରେ ଅଭିହିତ କରିଅଛନ୍ତି । ଘମୁସରର ଭଞ୍ଜବଂଶ ବହୁ ପ୍ରାଚୀନକାଳରୁ ରହିଆସିଥିବାରୁ ଅନେକ ଐତିହାସିକ ତଥ୍ୟ କିଂବଦନ୍ତୀ ଆକାରରେ ସଞ୍ଚିତ ହୋଇ ରହିଆସିଥିଲା । ସେଗୁଡ଼ିକ ସେ ବଂଶର ରାଜକବିମାନେ ନିଜ ନିଜ ରଚନାରେ ଉଲ୍ଲେଖ କରିଅଛନ୍ତି । ପ୍ରେମାନୁରାଗ ଏ ବଂଶର ଭିତ୍ତି ହୋଇଥିବାରୁ ବଂଶର କବିମାନେ ମଧୁରରସର କବିତା ରଚନା କରିବା ସ୍ୱାଭାବିକ ଅଟେ । ଏହି ବଂଶର ପ୍ରାଚୀନ ତାମ୍ରଶାସନମାନଙ୍କରେ ଶିବଙ୍କୁ ‘‘କୁସୁମବାଣପ୍ରାଣବିକ୍ଷୋଭଦକ୍ଷ’’ କୁହାଯାଇଅଛି । ଶୂନ୍ୟବାଦମାନଙ୍କର ପୁଷ୍ପଗିରି ଓ ପୁଷ୍ପକଯାନ ଥିଲା । ତାହା ଏମାନେ ରହିତ କରି ଶିବ ବା ମଙ୍ଗଳ ଉଦ୍ଦେଶ୍ୟରେ ବିବାହ-ପ୍ରଥା ପ୍ରଚଳିତ କରାଇଥିଲେ ।

 

ଧନଞ୍ଜୟଭଞ୍ଜ ଏକସ୍ତରି ବର୍ଷ ବୟସରେ ୧୭୦୧ ଖ୍ରୀଷ୍ଟାବ୍ଦରେ ଇହଲୀଳା ସମ୍ବରଣ କରିଥିବାରୁ ସେ ୧୬୩୦ ଖ୍ରୀଷ୍ଟାବ୍ଦରେ ( ବର୍ଷେ ଆଗ ବା ପଛ ) ଜନ୍ମ ଗ୍ରହଣ କରିଥିଲେ ବୋଲି କୁହାଯାଉଅଛି । ସେ ଛୟାଳିଶ ବର୍ଷ ରାଜତ୍ୱ କରିଥିଲେ । ତାହାହେଲେ ୧୬୫୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ବହୁ ରମଣୀ ବିବାହ କରିଥିଲେ । ଘୁମୁସରର ରାଜବଂଶାବଳୀରୁ ଜଣାଯାଏ ଯେ ନାରୀସମ୍ଭୋଗ ସ୍ପୃହା ତାଙ୍କଠାରେ ବଳବତୀ ଥିଲା । ସେତେବେଳେ ଦିଗ୍‌ବିଜୟଲିପ୍‌ସା ବା ଶତ୍ରୁ ଆକ୍ରମଣର ଆଶଙ୍କା ପରାଧୀନ ଦେଶରେ କୌଣସି ରାଜାଙ୍କର ନ ଥିବାରୁ ବିଳାସଚିନ୍ତା ସେମାନଙ୍କ ଉପରେ ଅନାୟାସରେ ପ୍ରଭୁତା ସ୍ଥାପନ କରିପାରୁଥିଲା । ଧନଞ୍ଜୟଭଞ୍ଜ ନିଜ ଭାଇ ଗୋବିନ୍ଦଭଞ୍ଜଙ୍କଠାରେ ରାଜ୍ୟର ଶାସନଭାର ଅର୍ପଣ କରି କେବଳ ବିଳାସରେ ରତ ଥିଲେ । ତାଙ୍କର ଯେପରି ଅନେକ ରାଣୀ ଥିଲେ, ସେପରି ଅନେକ ପୁତ୍ର ସନ୍ତାନ ମଧ୍ୟ ଥିଲେ । ଧନଞ୍ଜୟଙ୍କ ଉତ୍ତାରେ କେଉଁ ରାଣୀର ଗର୍ଭଜାତ ସନ୍ତାନ ସିଂହାସନ ଆରୋହଣ କରିବ ? ଏ ପ୍ରଶ୍ନ ଘେନି ରାଣୀମାନଙ୍କର ଚିତ୍ତ-ବିପ୍ଳବ ଘଟିଥିଲା । ଧନଞ୍ଜୟ ପ୍ରିୟତମା ରାଣୀ ହାରୁଦେଈଙ୍କୁ କହିଥିଲେ ଯେ ତାଙ୍କ ପୁତ୍ର ନୀଳକଣ୍ଠଭଞ୍ଜ ଏହା ଉତ୍ତାରେ ସିଂହାସନରେ ବସିବେ । ତେଣେ ଧନଞ୍ଜୟଭଞ୍ଜଙ୍କ ଭାଇ ଗୋବିନ୍ଦଭଞ୍ଜଙ୍କ ପୁତ୍ର ଧନଞ୍ଜୟଙ୍କ ଉତ୍ତାରେ ରାଜା ହେବେ ବୋଲି ଜଣେ ଭବିଷ୍ୟଦ୍‌ବକ୍ତା କହିଥିଲା । ପୁଣି ଧନଞ୍ଜୟ ବହୁକାଳ ରାଜତ୍ୱ କରିବାରୁ ଓ ନୀଳକଣ୍ଠଭଞ୍ଜଙ୍କ ବୃଦ୍ଧ ହୋଇ ପଡ଼ୁଥିବାରୁ ରାଜଭୋଗର ଶକ୍ତି ତାହାଙ୍କର ଊଣାହୋଇ ଆସୁଥିଲା । ଏଣୁ ନୀଳକଣ୍ଠଭଞ୍ଜଙ୍କ ମାତା ହାତୁଦେଈ ସରୁଚକୁଳିରେ ବିଷ ପୁରାଇ, ଧନଞ୍ଜୟଭଞ୍ଜଙ୍କୁ ଖାଇବାକୁଦେଇ ତାହାଙ୍କୁ ହତ୍ୟା କଲେ ।

 

ଧନଞ୍ଜୟଭଞ୍ଜ ଚଉପଦୀଭୂଷଣ, ରଘୁନାଥବିଳାସ, ତ୍ରିପୁରସୁନ୍ଦରୀ, ମଦନମଞ୍ଜରୀ, ଅନଙ୍ଗରେଖା ଓ ଇଚ୍ଛାବତୀ ରଚନା କରିଥିଲେ । ଶେଷୋକ୍ତ ଚାରିଖଣ୍ଡି କାଳ୍ପନିକ କାବ୍ୟ ଅଟେ । ବହୁକାଳ ପୂର୍ବେ ଏହାଙ୍କର କେତେ ଖଣ୍ଡ କାବ୍ୟ ପଢିଥିଲି । ସେତେବେଳେ ସେଗୁଡ଼ିକର ଗଭୀର ଆଲୋଚନା ମୁଁ କରିପାରିନାହଁ । ବର୍ତ୍ତମାନ ସେଗୁଡିକୁ ପଢିବାପାଇଁ ସୁଯୋଗ ପାଉ ନ ଥିବାରୁ ଦୁଃଖିତ ଅଛି ।

ତ୍ରିବିକ୍ରମ ଭଞ୍ଜ

‘କନକଲତା’ ନାମକ ଖଣ୍ତିଏ କାଳ୍ପନିକ କାବ୍ୟରେ ତ୍ରିବିକ୍ରମଭଞ୍ଜ ନାମ ଭଣତି ଥିବାର ଦେଖାଯାଏ । ଏଥିରେ ଶ୍ଳେଷ, ଗୋମୂତ୍ର, ଆଦ୍ୟଯମକ, ଅନ୍ତର୍ଲିପି ପ୍ରଭୃତି ଅନେକ ଶବ୍ଦାଳଙ୍କାରର ସମାବେଶ ଦେଖାଯାଏ । ସୁତରାଂ ଓଡ଼ିଶାର ବିଭିନ୍ନ ଭଞ୍ଜ-ରାଜବଂଶାବଳୀରେ ‘ତ୍ରିବିକ୍ରମଭଞ୍ଜ’ ନାମରେ ରାଜା ଥିବାର ପ୍ରମାଣ ମିଳୁଥିଲେହେଁ କନକଲତାର କବି ଶବ୍ଦାଳଙ୍କାରର ପୀଠ-ଭୂମି ଘୁମୁସରର ଭଞ୍ଜ ରାଜବଂଶରେ ଆବିର୍ଭୂତ ହୋଇଥିଲେ ବୋଲି ଅନୁମାନ କରିବାକୁ ହୁଏ ।

 

ଘୁମୁସରର ରାଜବଂଶାବଳୀରୁ ଜଣାଯାଏ ଯେ ହାରୁଦେଈଙ୍କ ଗର୍ଭରୁ ନୀଳକଣ୍ଠ ଓ ବିକ୍ରମ ନାମକ ଦୁଇ ପୁତ୍ର ଜନ୍ମଗ୍ରହଣ କରିଥିଲେ ଓ ଧନଞ୍ଜୟଙ୍କ ହତ୍ୟାଉତ୍ତାରୁ ନୀଳକଣ୍ଠଭଞ୍ଜ ରାଜା ହୋଇଥିଲେ । ତତ୍ପରେ ରାଜ୍ୟରେ ବିପ୍ଳବ ହେଲା ଓ ନୀଳକଣ୍ଠ ଭଞ୍ଜ ରାଜ୍ୟଚ୍ୟୁତ ହୋଇ ସ୍ତ୍ରୀ ପୁତ୍ର ଘେନି ନୟାଗଡ଼କୁ ଯାଇ ସେଠାରେ ବାସକଲେ । ଧନଞ୍ଜୟଭଞ୍ଜଙ୍କୁ ବିଷ-ପ୍ରୟୋଗ କରିବାରେ ନୀଳକଣ୍ଠଭଞ୍ଜଙ୍କ ସଂସ୍ରବ ଥିଲା ବୋଲି ସନ୍ଦେହ କରି ବିଦ୍ରୋହୀମାନେ ୧୭୦୪ ଖ୍ରୀଷ୍ଟାବ୍ଦରେ ତାହାଙ୍କୁ ରାଜ୍ୟଚ୍ୟୁତ କରିଥିଲେ । ୧୭୦୬ ଖ୍ରୀଷ୍ଟାବ୍ଦରେ ଗୋବିନ୍ଦଭଞ୍ଜଙ୍କ ପୁତ୍ର ଘନଭଞ୍ଜ ଘୁମୁସରର ସିଂହାସନ ଆରୋହଣ କରିଥିଲେ । ତ୍ରିବିକ୍ରମଭଞ୍ଜ ବୋଧ ହୁଏ ୧୭୦୪ରୁ ୧୭୦୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜା ହୋଇଥିଲେ । ‘କନକଲତା’ରେ କବି ଆପଣାକୁ ବିକ୍ରମଭଞ୍ଜ ନାମରେ ଅଭିହିତ କରି ଅଛନ୍ତି- “ଚିତ୍ତେ ଚିନ୍ତେ ନରପତି ବିକ୍ରମଭଞ୍ଜ’’ (ଛା:୪) । ଏଥିରୁ ଜଣାଯାଏ ଯେ ରାଜବଂଶାବଳୀର ଲେଖକ ‘ତ୍ରିବିକ୍ରମ’ ବଦଳରେ ‘ବିକ୍ରମ’ ଲେଖିବା ଅସମ୍ଭବ ନୁହେ । କନକଲତାର ନିମ୍ନୋଦ୍ଧୃତ ପଦମାନଙ୍କରେ ଶ୍ଲେଷାଳଙ୍କାରରେ ଧନଞ୍ଜୟଙ୍କ ହତ୍ୟା ଚକ୍ରାନ୍ତର ସଙ୍କେତ ଅଛି ବୋଲି ଅନୁମିତ ହୁଏ–

‘‘ନୀଳକଣ୍ଠ ଗିରୀଶେ କଲେ ନତ୍ୟ । କଲେ ଅମୃତ ଧନଞ୍ଜୟ ହତ ।।

ଆହେ ବିଧୂମା ଧନଞ୍ଜୟ ପ୍ରିୟ । ଭଞ୍ଜ ରାଜାର ନାଶ ତାପତ୍ରୟ ।।’’ (ଛା ୧୩)

୧ମ ପଦ = ନୀଳକଣ୍ଠ ମୟୂର ଓ ନୀଳକଣ୍ଠଭଞ୍ଜ, ଅମୃତ-ବର୍ଷାଜଳ ଓ ଚିରସ୍ମରଣୀୟ; ଧନଞ୍ଜୟ—ଦାବାଗ୍ନି ଓ ଧନଞ୍ଜୟଭଞ୍ଜ ।

୨ୟ ପଦ = ବିଧୂମା—ବିଶେଷ ପରିମାଣରେ ଧୂମବର୍ଣ୍ଣା, ଶ୍ରୀକୃଷ୍ଣ ଓ ସ୍ଥୂଳକାୟ; ଧନଞ୍ଜୟ–ଅର୍ଜ୍ଜୁନ ଓ ଧନଞ୍ଜୟଭଞ୍ଜ । ତାପକ୍ରୟ–ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ଏବଂ ପିତୃଶୋକ, ଭାତୃ-ବିଚ୍ଛେଦ ଓ ରାଜ୍ୟର ଅଶାନ୍ତି ।

ଧନଞ୍ଜୟଭଞ୍ଜଙ୍କ ହତ୍ୟାଉତ୍ତାରୁ ନୀଳକଣ୍ଠଭଞ୍ଜ ବୋଧ ହୁଏ ବିଦ୍ରୋହର ସୂଚନା ଦେଖି କନ୍ଧମାନଙ୍କୁ ନିଜ ପକ୍ଷରେ ରଖିବାପାଇଁ ପାର୍ବତ୍ୟ ଅଞ୍ଚଳରେ ବୁଲିଥିଲେ । ‘କନକଲତା’ କାବ୍ୟରେ ଧନଞ୍ଜୟ-ଶବ୍ଦର ବହୁଳ ବ୍ୟବହାର ଦେଖାଯାଏ । ଏଣୁ କବି ଧନଞ୍ଜୟଙ୍କ ପୁତ୍ର ବୋଲି ମନେ ହୁଅନ୍ତି-। ନୀଳକଣ୍ଠଭଞ୍ଜଙ୍କୁ ତଡି ତ୍ରିବିକ୍ରମଭଞ୍ଜଙ୍କୁ ସିଂହାସନରେ ବସାଇବାପାଇଁ ବିଦ୍ରୋହୀମାନେ ପ୍ରଲୋଭନ ଦେଖାଇଥିବାରୁ ତ୍ରିବିକ୍ରମଭଞ୍ଜ ବିଦ୍ରୋହୀମାନଙ୍କ ପକ୍ଷ ଗ୍ରହଣ କରିଥିଲେ ବୋଲି ଅନୁମିତ ହୁଏ । ଏଣୁ ଦୁଇ ବର୍ଷ ପାଇଁ ତାହାଙ୍କୁ ସିଂହାସନରେ ବସାଇଥିଲେ । ତତ୍ପରେ ଘନଭଞ୍ଜଙ୍କୁ ସିଂହାସନରେ ବସାଇଦେଲେ ।

ଘନ ଭଞ୍ଜ

ଏ ଧନଞ୍ଜୟଭଞ୍ଜଙ୍କ ଭାଇ ଗୋବିନ୍ଦଭଞ୍ଜଙ୍କ ପୁତ୍ର ଅଟନ୍ତି; ଏଣୁ ଉପେନ୍ଦ୍ରଭଞ୍ଜଙ୍କ କକା ହୁଅନ୍ତି । ଏ ୧୭୦୬ରୁ ୧୭୨୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଧନଞ୍ଜୟଭଞ୍ଜଙ୍କ ଉତ୍ତାରୁ ଘନଭଞ୍ଜ ରାଜା ହେବେ ବୋଲି ଭବିଷ୍ୟଦ୍‌ବକ୍ତା କହିବା ଦିନଠାରୁ ପିତାପୁତ୍ର ଧନଞ୍ଜୟଙ୍କ ପୁତ୍ରମାନଙ୍କୁ ସିଂହାସନରୁ ବଞ୍ଚିତ କରିବାପାଇଁ ଯତ୍ନ କରୁଥିଲେ ବୋଲି ଅନୁମିତ ହୁଏ । ଘନଭଞ୍ଜ ‘‘ତ୍ରୈଲୋକ୍ୟ ମୋହିନୀ’’ ଓ ‘‘ରସନିଧି’’ ନାମକ ଦୁଇ ଖଣ୍ଡି କାଳ୍ପନିକ କାବ୍ୟ ରଚନା କରିଥିଲେ । ଏହି କାବ୍ୟ ମାନଙ୍କର ଭାଷା ସରଳ; କିନ୍ତୁ ବର୍ଣ୍ଣନାରେ ଅଶ୍ଲୀଲତା ଅଛି ।

ଲୋକନାଥ ଦାସ

‘‘ପଦ୍ମାବତୀ-ପରିଣୟ’’ର ରଚୟିତା ଲୋକନାଥ ବିଦ୍ୟାଧର ଓ ‘‘ସର୍ବାଙ୍ଗସୁନ୍ଦରୀ’’ର ରଚୟିତା ଲୋକନାଥ ଦାସ ଭିନ୍ନ କି ଅଭିନ୍ନ କବି, ତାହା ବର୍ତ୍ତମାନ ନିରୂପଣ କରିବା କଠିନ ନୁହେ । ଯେତେ କାବ୍ୟର ଭଣତିରେ ଲୋକନାଥ ବା ଲୋକନାଥ ବିଦ୍ୟାଧର ଅଥବା ଲୋକନାଥ ଦାସ ନାମ ଦେଖାଯାଏ, ସେ ସମସ୍ତର ଶୈଳୀ ପ୍ରାୟ ଏକପ୍ରକାରର ଅଟେ । ପୁଣି ଲୋକନାଥ ବିଦ୍ୟାଧରଙ୍କ ଆବିର୍ଭାବ-କାଳ ଲୋକନାଥ ଦାସଙ୍କ ଆବିର୍ଭାବ-କାଳଠାରୁ ପୃଥକ୍ ନୋହି ଦୁଇ କବି ସମସାମୟିକ ହେଉଅଛନ୍ତି ଏବଂ ଲୋକନାଥ ‘‘ବୃନ୍ଦାବନ-ବିହାର’’ ନାମକ ବୈଷ୍ଣବ-କାବ୍ୟ ଲେଖିଥିବାରୁ ସେ ‘ଦାସ’ ଉପାଧି ଗ୍ରହଣ କରିଥିବା ସମ୍ଭବପର ହେଉଅଛି । କବି ବୃନ୍ଦାବନ-ବିହାର, ପଦ୍ମାବତୀ-ପରିଣୟ, ସର୍ବାଙ୍ଗସୁନ୍ଦରୀ, ଚିତ୍ରକଳା, ପରିମଳା ଓ ରସକଳା ରଚନା କରିଥିଲେ । ‘‘ବୃନ୍ଦାବନ-ବିହାର’’ ଛଡ଼ା ତାଙ୍କର ଅନ୍ୟଗୁଡ଼ିକ କାଳ୍ପନିକ କାବ୍ୟ ଅଟେ । ରାଧାକୃଷ୍ଣଙ୍କ ବୃନ୍ଦାବନ-କେଳି ବୃନ୍ଦାବନ-ବିହାରରେ ବର୍ଣ୍ଣିତ ହୋଇଅଛି ବୋଲି ନାମରୁ ଜଣାଯାଏ । ଏହାଙ୍କ ରଚନାରେ ଶ୍ଲେଷ, ବିରୋଧାଭାସ ପ୍ରଭୃତି ଶବ୍ଦାଳଙ୍କାରମାନଙ୍କର ବ୍ୟବହାର ଅଛି । ଲୋକନାଥ ଦାସ ‘ପଦ୍ମାବତୀ ପରିଣୟ’ରେ ଲେଖିଅଛନ୍ତି:-

‘‘ଯେଉଁ ଜଗନ୍ନାଥ-ପଦ ଧ୍ୟାନେ, ଦେଖି ନାହାନ୍ତି ଯୋଗୀନ୍ଦ୍ରମାନେ

ଯେଉଁ ବାଣପୁର ନୃପ-ପରସାଦେ ଦେଖିଲେ ସକଳ ଜନେ ହେ ସୁଜନେ ।

ନାମ ଜଗନ୍ନାଥ କାନ୍ତି ମୂର୍ତ୍ତି,       କାର୍ତ୍ତି ଚୂର୍ଣ୍ଣ ଧବଳିତ କ୍ଷିତି

ସେ ହରିଚନ୍ଦନ ଶାନ୍ତି ଗୋପୀଜନବଲ୍ଲଭ-ସେବାରେ ମତି, ହେ ସୁଜନେ ।’’

ପାରିକୁଦର ରାଜବଂଶ ବାଣପୁର ପୂର୍ବେ ଶାସନ କରୁଥିଲେ । ଉକ୍ତ ରାଜବଂଶରେ ‘ହରିଚନ୍ଦନ’ ଉପାଧି ବର୍ତ୍ତମାନ ବ୍ୟବହୃତ ହେଉଅଛି । ବାଣପୁରର ଭଗବତୀ ଓ ଜଗନ୍ନାଥଙ୍କ ମନ୍ଦିରରେ ପାରିକୁଦ ରାଜାଙ୍କ କର୍ତ୍ତୃତ୍ୱର ନିଦର୍ଶନ ଅଦ୍ୟାବଧି ଅଛି । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବାଣପୁର ରାଜବଂଶ ପାରିକୁଦକୁ ବିତାଡ଼ିତ ହେଲେ । ବାଣପୁରର ରାଜା ଜଗନ୍ନାଥ ହରିଚନ୍ଦନଙ୍କ କାନ୍ତି-ମୂର୍ତ୍ତି-କୀର୍ତ୍ତିରୂପକ ଚୂର୍ଣ୍ଣରେ ପୃଥିବୀ ଧବଳିତ ହୋଇଥିଲା ଓ ସେ ଗୋପୀଜନ-ବଲ୍ଲଭ-ସେବାରେ ମତି ଦେଇଥିଲେ—ଏ କଥା କବି ବର୍ଣ୍ଣନା କରିଅଛନ୍ତି । ଏଣୁ ଲୋକନାଥ ଦାସ ବାଣପୁର ରାଜାଙ୍କ ସଭାକବି ଥିଲେ ବୋଲି ଅନୁମାନ କରାଯାଏ । କବିଙ୍କ ପୃଷ୍ଠପୋଷକ ଜଗନ୍ନାଥ ହରିଚନ୍ଦନଙ୍କ ଦୟାରୁ ଶ୍ରେଷ୍ଠ ଯୋଗୀମାନେ ଧ୍ୟାନରେ ନ ଦେଖିଥିବା ଜଗନ୍ନାଥଙ୍କ ପଦକୁ ସକଳ ଲୋକେ ଦେଖିଲେ ବୋଲି କବି କହିଅଛନ୍ତି । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବାଣପୁରର ରାଜା ହରିସେବକ ପାରିକୁଦରେ ଯାଇ ବାସ କଲେ । ଏହି ହରିସେବକଙ୍କ ପିତାମହ ଜଗନ୍ନାଥ ହରିଚନ୍ଦନ ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ବାଣପୁରରେ ବାସ କରୁଥିବାର ଜଣାପଡ଼ୁଅଛି । କବି ଲୋକନାଥଙ୍କ ‘ପଦ୍ମାବତୀ ପରିଣୟ’ କାବ୍ୟ ଦିବ୍ୟସିଂହଦେବଙ୍କ ଚତୁର୍ଦ୍ଦଶ ଅଙ୍କରେ ରଚିତ ହୋଇଥିଲା:-

‘‘...ଦିବ୍ୟସିଂଦେବ ଜନପତି ଗଣେଶ ।

ଚତୁର୍ଦ୍ଦଶ ଅଙ୍କେ ଗୀତ ହୋଇଛି ଏ ବିରଚିତ ।’’      (ଛା:୧୮)

ଦିବ୍ୟସିଂହଦେବ ୧୬୯୩ରୁ ୧୭୨୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଖୋର୍ଦ୍ଧା ଶାସନ କରିଥିଲେ । କବି ଲୋକନାଥ ଓ ରାଜା ଜଗନ୍ନାଥ ହରିଚନ୍ଦନ ସପ୍ତଦଶ ଶତାବ୍ଦୀର ଶେଷ ଭାଗ ଓ ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରେ ଜୀବିତ ଥିଲେ । ଏହି ସମୟରେ ମୋଗଲ ସମ୍ରାଟ ଆଉରଙ୍ଗଜେବ ଦିଲ୍ଲୀ ସିଂହାସନରେ ବସି ହନ୍ଦୁଧର୍ମର ଉଚ୍ଛେଦ ସାଧନରେ ଆପଣାକୁ ନିୟୋଜିତ କରିଥିଲେ । ସେ ଜଗନ୍ନାଥଙ୍କ ମୂର୍ତ୍ତି ପୁରୀରୁ ନେଇ ଜଳାଇ ଦେଇଥିବାର ଫାର୍ସୀ କାଗଜପତ୍ରରେ ବା ମୁସଲମାନ ଇତିହାସରେ ଲିପିବଦ୍ଧ ହୋଇ ରହିଅଛି । ଓଡ଼ିଶାର ମାଦଳା ପାଞ୍ଜିରେ ମଧ୍ୟ ଲେଖାଅଛି ଯେ ‘‘ପାତିଶା ଆଉରଙ୍ଗ ସାହାଙ୍କ ଭାଇ ମରମସ୍ତ ଖାଁ...କାଠର ଜଗନ୍ନାଥ ପ୍ରତିମାକୁ ମୁଗଲ ନେଲେ (ଗଦ୍ୟପଦ୍ୟାଦର୍ଶ) ।’’ କାଠର ଜଗନ୍ନାଥ-ପ୍ରତିମାକୁ ବାଦଶା ନେଲେ; କିନ୍ତୁ ଶ୍ରେଷ୍ଠ ଯୋଗୀମାନଙ୍କ ଧ୍ୟାନରେ ଅଦେଖା ପଦ ସକଳ ଲୋକେ ଦେଖିଲେ ବୋଲି କବି ଲେଖିଲେ । ତାହାହେଲେ ମୂର୍ତ୍ତିଭିତରେ ଥିବା ଜଗନ୍ନାଥ ପ୍ରତିମାଙ୍କୁ ବାଣପୁରରେ ଗୋପନୀୟ ସ୍ଥାନରେ ରଖାଯାଇଥିଲା । ବାଣପୁର ଅରଣ୍ୟର ଯେଉଁ ସ୍ଥାନରେ ଜଗନ୍ନାଥଙ୍କୁ ଗୁପ୍ତଭାବରେ ରଖାଯାଇଥିଲା, ସେ ସ୍ଥାନର ନାମ ନୀଳାଦ୍ରି ପ୍ରସାଦ ଅଟେ । ଏହି ନାମର ଅର୍ଥ —ନୀଳଗିରିଙ୍କ ଦୟା । ଆମ ଦେଶରେ କୃଷ୍ଣଙ୍କୁ କଳାମାଣିକ, ଇନ୍ଦ୍ରନୀଳମଣି ପ୍ରଭୃତି ନାମରେ ଅଭିହିତ କରାଯାଏ ଓ ପୁରୀକୁ ନୀଳଗିରି କହନ୍ତି । ଏଣୁ ମୂର୍ତ୍ତି ଭିତରେ ନୀଳ ବର୍ଣ୍ଣର ମଣି ଅଛି ବୋଲି ସହଜରେ ଅନୁମାନ କରାଯାଇପାରେ । ଏହି ଇନ୍ଦ୍ରନୀଳମଣିଙ୍କୁ ମଗଧର ନନ୍ଦରାଜା ନେଇଯାଇଥିଲେ । ଖାରବେଳ ଉଦ୍ଧାର କରିବା ଦିନଠାରୁ ତାହାଙ୍କୁ ମୂର୍ତ୍ତି ମଧ୍ୟରେ ରଖା ଯାଇଅଛି । କାଠର ପ୍ରତିମା । ମୋଗଲ ନେଇଥିଲେ-ପ୍ରତିମା ଭିତରର ଦେବତାଙ୍କୁ ଲୁଚାଇ ରଖାଯାଇଥିଲା ।

ରଘୁନାଥ ହରିଚନ୍ଦନ

ଏ ୧୬୫୫ ଖ୍ରୀଷ୍ଟାବ୍ଦରେ ବାଣପୁରର ସିଂହାସନ ଆରୋହଣ କରିଥିଲେ । ସେ କାଳ୍ପନିକ ‘‘ଲୀଳାବତୀ’’ କାବ୍ୟ ରଚନା କରିଥିଲେ ।

ଉପେନ୍ଦ୍ର ଭଞ୍ଜ

ଏହାଙ୍କର ପିତାଙ୍କ ନାମ ନୀଳକଣ୍ଠଭଞ୍ଜ ଓ ପିତାମହଙ୍କ ନାମ ଧନଞ୍ଜୟଭଞ୍ଜ ଅଟେ । ଏ ୧୭୦୪ ଖ୍ରୀଷ୍ଟାବ୍ଦରେ ରାଜ୍ୟଚ୍ୟୁତ ପିତାଙ୍କ ସହ ଘୁମୁସରରୁ ଆସି ନୟାଗଡ଼ରେ ବାସ କରିବାକୁ ଲାଗିଲେ । ସେ ନିଜ ରଚିତ ‘‘ରସଲେଖା’’ରେ ଲେଖିଅଛନ୍ତି :-

‘‘ଦିବ୍ୟସିଂହ ଗଜପତି, ଅଙ୍କ ସପତ ବିଂଶତ, ଶେଷଦିନେ ଶେଷ ଏହୁ ଗୀତ ।

ଦେଶେ ଦେଶେ ହେଉ ଖ୍ୟାତ,ମୋ ହୁଏ ରସିକ ଚିତ୍ତ,ହରିହର କରନ୍ତୁ ଏମନ୍ତ ହେ ।

ସାଧୁଜନେ । ଖଳ ଜନକୁ ନାହିଁ ମୋ ଡର । ପରହିଂସାରେ ସେ ମହା ତର ତର ସେ ।’’

(ଛା:୨୨, ପ:୧୭)

 

ଦିବ୍ୟସିଂହଦେବଙ୍କ ସତାଇଶ ଅଙ୍କରୁ ୧,୬,୧୬ ପ୍ରଭୃତି ଛାଡ଼ିଦେଲେ କବି ଦିବ୍ୟସିଂହ ଦେବଙ୍କ ରାଜତ୍ୱର ଦ୍ଵାବିଂଶତି ବର୍ଷରେ ବା ୧୭୧୬ ଖ୍ରୀଷ୍ଟା ରେବ୍ଦ ‘ରସଲେଖା’ର ରଚନା ଶେଷ କରିଥିଲେ । ରସଲେଖାରେ କବି ହରିହରଙ୍କୁ ସ୍ତୁତି କରିଅଛନ୍ତି; କିନ୍ତୁ ଅନ୍ୟ କାବ୍ୟମାନଙ୍କରେ ସେ ରାମଚନ୍ଦ୍ରଙ୍କୁ ସ୍ତୁତି କରିଅଛନ୍ତି ।

 

‘‘ରାମଚନ୍ଦ୍ର ପତ୍ର ଗୁଣିଲେ, ଉପଇନ୍ଦ୍ର ଭଞ୍ଜ ବୀରବର ଉଣିଲେ’’—ଏ କଥା ରସିକହାରାବଳୀର ଦ୍ୱାଦଶ ଛାନ୍ଦରେ ଲେଖା ହୋଇଅଛି । ପୁଣି ସେ ନିଜ ରଚିତ ‘‘ସୁବର୍ଣ୍ଣରେଖା’ରେ ଲେଖିଅଛନ୍ତି–

 

‘‘ପାଞ୍ଚ ଛାନ୍ଦେ ଶେଷ ହୋଇଲା ଏ ରସ କରିବ ରସିକ ବଶ ।

ହେ ଜନେ ପ୍ରେମ ସୁଧାନିଧି ରସିକ ହାରାବଳୀର ଏ ଶେଷ ।।’’ (ଛା:୫)

 

 

‘ରସିକ ହାରାବଳୀ’ରେ ସେ ଲେଖିଅଛନ୍ତି :-

‘‘ରାଜାଙ୍କୁ ହେବାର ରାଜ୍ୟ-କଷ୍ଟ । ଯୁବାଙ୍କୁ ହେବାର ପତ୍ନୀଭଷ୍ଟ ।

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଏଥୁଁ ବଳି ନାହିଁ କଷ୍ଟ ।।’’ (ଛା:୮, ପ:୨୫)

 

ଉଦ୍ଧୃତ ଉକ୍ତିରୁ ଜଣାଯାଏ ଯେ ‘‘ରସିକ ହାରାବଳୀ’’ ରଚନା କଲାବେଳକୁ କବି ରାଜ୍ୟ ଛାଡ଼ିଥିଲେ ଓ ରାମତାରକ-ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । ରସଲେଖା ରଚନା-କାଳକୁ ସେ ରାଜ୍ୟ ଛାଡ଼ିଥିଲେ; କିନ୍ତୁ ରାମତାରକ-ମନ୍ତ୍ର ଗ୍ରହଣ କରି ନ ଥିଲେ । ତାଙ୍କ ‘‘ଦଶପୋଇ’’ରେ ସେ ଆପଣାକୁ କେବଳ ‘ଯୁବଭଞ୍ଜ ନରପତି’ ନାମରେ ଅଭିହିତ କରିଥିବାରୁ ତାହା ଘୁମୁସର ରାଜ୍ୟରେ ଥିବାବେଳେ ସେ ରଚନା କରିଥିବେ ବୋଲି ଅନୁମାନ କରାଯାଇପାରେ । ଘନଭଞ୍ଜଙ୍କ ମୃତ୍ୟୁ ଉତ୍ତାରେ ସେ ବୋଧ ହୁଏ ସ୍ଵରାଜ୍ୟକୁ ଫେରିଥିଲେ ।

 

ରାଜା ରାଜ୍ୟ ହରାଇଲେ ତାହା ଫେରିପାଇବାର ଆଶା ନ ଥାଏ । ଯୁବାର ପତ୍ନୀ-ବିୟୋଗ ଘଟିଲେ ସେ ପୁଣି ବିବାହ କରି ପତ୍ନୀ ବିୟୋଗ-କ୍ଳେଶ ପାସୋରିପାରେ । କିନ୍ତୁ ପତ୍ନୀ-ବିୟୋଗର କ୍ଳେଶକୁ ବହୁ ସ୍ଥଳରେ ସେ ତୀବ୍ର ଆକାରରେ ବର୍ଣ୍ଣନା କରି ଅଛନ୍ତି । ଏଣୁ ଅନୁମିତ ହୁଏ ଯେ ଯୌବନକାଳରେ ଉପେନ୍ଦ୍ରଭଞ୍ଜଙ୍କର ପତ୍ନୀ ବିୟୋଗ ଘଟିଥିବାର ଯେଉଁ ପ୍ରବାଦ ଅଛି, ତାହା ସତ୍ୟ ଅଟେ । ରାଜ୍ୟଚ୍ୟୁତ ହୋଇଥିବାରୁ ପୁଣି ବିବାହ କରିବାକୁ କନ୍ୟା ମିଳି ନ ଥିବେ । କିନ୍ତୁ ପ୍ରବାଦ ଅଛି ଯେ ସେ ଶିକାରକୁ ଯାଇଥିଲେ । ପତ୍ନୀଙ୍କ ଅନୁରାଗ କଳିବାପାଇଁ ସେ ଶିକାର ସ୍ଥାନରୁ ନିଜର ମୃତ୍ୟୁ-ସମ୍ବାଦ ପତ୍ନୀଙ୍କ ନିକଟକୁ ପ୍ରେରଣ କରିଥିଲେ । ସମ୍ବାଦ ପାଇବା ମାତ୍ରକେ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ପିତାମହଙ୍କ ବହୁ ପତ୍ନୀ-ଗ୍ରହଣର ଅଶାନ୍ତି ଉପଲବଧି କରି ସେ ଏକପତ୍ନୀକ-ବ୍ରତର ପକ୍ଷପାତୀ ଥିଲେ ବୋଲି ତାହାଙ୍କ ପ୍ରତ୍ୟେକ କାବ୍ୟରୁ ଜଣାଯାଏ । କାରଣ ପ୍ରତ୍ୟେକ କାବ୍ୟରେ ପତ୍ନୀ-ବିଚ୍ଛେଦ ବର୍ଣ୍ଣନାକୁ ଅଧିକ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରିଅଛନ୍ତି ଓ ବହୁ-ପତ୍ନୀକତାକୁ ‘‘ଲାବଣ୍ୟବତୀ’’ରେ ମଧ୍ୟ ନିନ୍ଦା କରିଅଛନ୍ତି:–

 

‘‘ଯହିଁ ତହିଁ ତୋତେ ମଧୁକାଳ ହୋଏ ଦକ୍ଷିଣ-ଶବଦ ପ୍ରକଟ ।

ସେତୁ ହେତୁରେ ଯେଉଁମାନେ ରଖିଲେ କି ନିନ୍ଦିବା ସେ ତ ମର୍କଟ ।

ମନ୍ଦ ମରୁତ, ବୋଲିଛି ଯେଣୁ ତନୁ ପୋଡ଼ୁ ।

ଦେବତା ହୋଇଲେ ପୁଣ ମାତାଗୁଣ ରାବଣ ପରାୟ ନ ଛାଡ଼ୁ ।।’’      (ଛା: ୧୨)

 

ଚନ୍ଦ୍ରଭାନୁ ସହିତ ଲାବଣ୍ୟବତୀର ନିଶାରେ ଭେଟ ହେବାଉତ୍ତାରୁ ତା ଦେହରେ ପବନ ବାଜିବାରୁ ବିଚ୍ଛେଦ-ତାପ ବଢ଼ିଲା । ଯେତେବେଳେ ଯେଉଁଠାରେ ବସନ୍ତ-କାଳ ହୁଏ, ସେତେବେଳେ ପବନକୁ ଦକ୍ଷିଣା-ପବନ କହନ୍ତି ଓ ପ୍ରାଚୀନ କାଳରେ ପୁରୁଷମାନେ ମଧୁକାଳରେ ଦକ୍ଷିଣ-ନାୟକ ହେଉଥିଲେ; ଅର୍ଥାତ୍ ବହୁ ନାରୀ ସଂଭୋଗ କରୁଥିଲେ । ଯେତେବେଳେ ମାୟାବାଦ ପ୍ରଚାରିତ ହୋଇଥିଲା, ଅଧିକାଂଶ ପୁରୁଷ ବିବାହ କରୁ ନ ଥିଲେ; ସେତେବେଳେ ବହୁ ନାରୀ ମଧ୍ୟ ଅବିବାହିତ ରହୁଥିଲେ । ବିବାହ-ପ୍ରଥାକୁ ସେତୁବନ୍ଧ କୁହାଯାଇଅଛି । ବିବାହ-ପ୍ରଥା ପ୍ରଚଳିତ ହେବାବେଳେ ଅବିବାହିତା ନାରୀମାନେ ବିବାହିତା ହେବାପାଇଁ ଆକୁଳିତା ଥିଲେ; କିନ୍ତୁ ପୁରୁଷ ଆକୁଳ ନ ଥିଲେ । ନାରୀ-ସଂଖ୍ୟା ବେଶି ହେବାରୁ ଦକ୍ଷିଣ-ନାୟକ ବା ବହୁପତ୍ନିକ ପ୍ରଥା ପ୍ରଚଳିତ ହେଲା । ଏ ପ୍ରଥା ମର୍କଟ ଜାତି ଦାକ୍ଷିଣାତ୍ୟରୁ ଆଣିଲେ । ଛୋଟ ଜାତି ମାଙ୍କଡ଼କୁ ନିନ୍ଦା କରି କିଛି ଫଳ ନାହିଁ । ପବନକୁ ‘ମରୁତ’ କୁହାଯାଏ । ଏହାର ଅର୍ଥ ‘ମରି ଯାଉ ତ’ ଅଟେ । ତାହାର ପିତା ଦେବତା; କିନ୍ତୁ ମାତା ଅସୁରପ୍ରସବକାରିଣୀ ଦିତି ଅଟେ । ମରୁତ ଦେବତା ହେଲେ ମଧ୍ୟ ପବନଠାରେ ମାତା-ଦୋଷରୁ ଅସୁର ଗୁଣ ଅଛି ! ଏଠାରେ ଆଉ ଗୋଟିଏ କଥା ଅଛି । ଜନକମାନେ କହୁଥିଲେ, ପିତାର ଗୁଣ ଅନୁସାରେ ପୁତ୍ର ଗୁଣ ହୁଏ । କିନ୍ତୁ ସନକମାନେ ମାତାର ଗୁଣ ଅନୁସାରେ ପୁତ୍ରର ଗୁଣ ହୁଏ ବୋଲି ବାଦ କରୁଥିଲେ ।

ନାୟକ-ନାୟିକାଙ୍କର ପରସ୍ପର ଅନୁରାଗ ପରସ୍ପର ରୂପ-ଗୁଣ ଶୁଣି, ଚିତ୍ରପଟ ଦେଖି, ସାକ୍ଷାତ୍‌-ଦର୍ଶନରେ ଓ ମନନ ବା ପରସ୍ପର ଆସକ୍ତି ଚିନ୍ତା କରି ଜାତ ହୁଏ । ତଥାପି ଉଭୟଙ୍କ ନେତ୍ର-ସଂଯୋଗରୁ ସହସା ଯେଉଁ ହୃଦୟ-ବିନିମୟ ହୁଏ, ତାହା ମଧ୍ୟ ଅତୁଳନୀୟ ଅଟେ । ଏହି ହୃଦୟ ବିନିମୟ ସେ ‘ରସିକହାରାବଳୀ’ରେ ବର୍ଣ୍ଣନା କରିଅଛନ୍ତି । ସମାଜରେ ସେତେବେଳେ ଏପରି ସୁଯୋଗ ବୋଧ ହୁଏ କ୍ୱଚିତ୍‌ ଘଟୁଥିଲା । ପୁରୀରେ ଚନ୍ଦନଯାତ୍ରାବେଳେ ଦାଣ୍ଡରୁ ନାୟକର ଦୃଷ୍ଟି କୌଣସି ଗୃହର ଦ୍ୱାର-କବାଟ ନିକଟରେ ଛିଡ଼ାହୋଇଥିବା ନାୟିକାର ଦୃଷ୍ଟି ସହିତ ସଂଯୋଗ ଲଭି ପରସ୍ପର ବିବାହର ସୂତ୍ରପାତ ହେବା ‘ରସିକହାରାବଳୀ’ରେ ବର୍ଣ୍ଣିତ ଅଛି । ଆମ ଦେଶରେ ବାଳିକା-ବିବାହ ପ୍ରଚଳିତ ଥିଲା । ଯାତ୍ରା-ଉତ୍ସବରେ ସାଧାରଣ ଗୃହର ସ୍ତ୍ରୀମାନେ ରୁଣ୍ଡ ହେଲେ ନିଜର ପୁତ୍ର ବା କନ୍ୟାପାଇଁ ପାତ୍ର ବା ପାତ୍ରୀ ସମ୍ବନ୍ଧରେ ସେମାନେ ପରସ୍ପର ଆପଣା ସମାଜର ସ୍ତ୍ରୀ ବ୍ୟକ୍ତି ସଙ୍ଗରେ କଥୋପକଥନ କରନ୍ତି । ଏବେ ମଧ୍ୟ ସେ ପ୍ରଥା ସାମାନ୍ୟ ପରିମାଣରେ ପ୍ରଚଳିତ ଅଛି । ତାହାକୁ କବି ଉଚ୍ଚତର ରୂପ ଦେଇଅଛନ୍ତି । କିନ୍ତୁ ପିତାମାତା ଯେଉଁଠାରେ ବରକନ୍ୟା ମନୋନୀତ କରନ୍ତି, ସେଠାରେ ପରସ୍ପର ରୂପଗୁଣ ଶ୍ରବଣ କରିବାଛଡ଼ା ଅନ୍ୟ ଉପାୟ ନାହିଁ । ଲୋକେ ଯାହାର ପ୍ରଶଂସା କରନ୍ତି, ତାହାପ୍ରତି ଅନୁରାଗ ଜନ୍ମିବା ସ୍ୱାଭାବିକ ଅଟେ । କବି ‘ସୁବର୍ଣ୍ଣରେଖା’ରେ କହିଅଛନ୍ତି-

‘‘ସୁବର୍ଣ୍ଣରେଖାର ବର୍ଣ୍ଣନା ଯେତେକ ରସେ ଏହୁ ତିନି ଗୀତ ।

କହେ ଉପଇନ୍ଦ୍ର ଭଞ୍ଜ ବୀରବର ଅନୁଭବୁ ଏ ବିଦିତ ।।’’

(ଏହାର ପୂର୍ବବର୍ତ୍ତୀ ପଦ ପୂର୍ବେ ଉଦ୍ଧୃତ ହୋଇଛି ।)

ଜଣେ ନଟ ଆସିଥିଲା । ତା ସଙ୍ଗରେ ଜଣେ ବେଶ୍ୟା ଥିଲା । ନାୟକ କାମ-ଶାସ୍ତ୍ରର ଅର୍ଥ ଆଲୋଚନା କରୁଥିଲେ । ବେଶ୍ୟା କୋଶଳ ନୃପତିଙ୍କ ମନ୍ତ୍ରୀ-କୁମାରୀଙ୍କ ରୂପଗୁଣ ବର୍ଣ୍ଣନା କରିବାରୁ ନାୟକ କୁମାରୀକୁ ବିବାହ କଲା । ବିବାହ ଉତ୍ତାରୁ ପିତାଙ୍କ ଆଦେଶରେ ନାୟକ ପ୍ରବାସକୁ ଯାଇ ବିଚ୍ଛେଦ-ଚିନ୍ତାରେ ଘାରିହେଲା । ରସିକହାରାବଳୀ, ପ୍ରେମସୁଧାନିଧି ଓ ସୁବର୍ଣ୍ଣରେଖାରେ ନାୟକ ପିତାଙ୍କ ଆଦେଶରେ ବିବାହର ଅଳ୍ପଦିନ ଉତ୍ତାରେ ପ୍ରବାସ କରିଥିବା କଥା ବର୍ଣ୍ଣିତ ହୋଇଅଛି । ତେଣୁ ଉପେନ୍ଦ୍ର ଭଞ୍ଜ ବିଦ୍ରୋହ-ଦମନପାଇଁ ସାହାଯ୍ୟ ମାଗି ନୟାଗଡ଼ ଆସିଥିଲେ କି ? ପ୍ରଥମ ଥର ସାହାଯ୍ୟ ପାଇ ପିତା ସିଂହାସନରେ ବସିବାଉତ୍ତାରୁ ଦ୍ୱିତୀୟ ବିଦ୍ରୋହପରେ ସେ ନୟାଗଡ଼ ଆସିଥିବେ ।

ବୌଦ୍ଧଧର୍ମର ମାୟାବାଦ ଲୋପ କରିବାପାଇଁ ଓଡ଼ିଶାରେ ଆଦିରସ-ଚଚ୍ଚ । ଅଶ୍ଳୀଳ ବିବେଚିତ ହେଉ ନ ଥିଲା । ସେଥିପାଇଁ ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ଗାତ୍ରରେ ଅଶ୍ଳୀଳ ଚିତ୍ର ଦେଖାଯାଏ । ସମାଜରେ ଅଶ୍ଳୀଳତା ଭଞ୍ଜଙ୍କ ଯୁଗରେ ରୁଚି-ବିଗର୍ହିତ ବିବେଚିତ ହେଉ ନ ଥିଲା । ପୁରୀ ଚନ୍ଦନ-ଯାତ୍ରାର ବର୍ଣ୍ଣନାରେ କବି ଲେଖିଛନ୍ତି:-

‘‘ନୀରଜମୂଖୀଙ୍କ ଉରଜ ହିମ-ରଜରେ ଭୂଷି

ଦର୍ଶନଲୋଭରେ ନିର୍ଭର କଲେ ଯୋଗୀ ସନ୍ନ୍ୟାସୀ ।

ଏହାଙ୍କ ବିଭୂତି ତାହାଙ୍କ ଅଙ୍ଗେ ଅଙ୍କିତ ହୋଇ ।

ତନୁ ପୁଲକିତ ଶଙ୍କିତ ନୋହେ କୈତବ ନାହିଁ ।।

ଭେଟେ ଭେଟେ ମାର-ଉଚ୍ଚାଟେ ସ୍ନେହେ ନାରୀ-ପୁରୁଷ ।

ଈକ୍ଷଣେ ଈକ୍ଷଣେ କଲେ ସେ କ୍ଷଣେ କ୍ଷଣେ ବିଳାସ ।।’’ (ରସିକହାରାବଳୀ)

 

ଏଠାରେ ପାଠକେ ‘ସୁଭଦ୍ରା-ପରିଣୟ’ର ଷଷ୍ଠ ଛାନ୍ଦରେ ଥିବା ହାଟ-ବର୍ଣ୍ଣନାକୁ ତୁଳନା କରିପାରନ୍ତି । କବି ଯାହା ବର୍ଣ୍ଣନା କରିଅଛନ୍ତି, ତାହାର ନିଦର୍ଶନ କୌଣସି କୌଣସି ସ୍ଥଳରେ ଏବେ ମଧ୍ୟ ଅଛି । ଏଣୁ ଆଦିରସର ବର୍ଣ୍ଣନା ତାହାଙ୍କ ପକ୍ଷରେ ଦୋଷାବହ ନୁହେ । ଆଦିରସର ଉର୍ନ୍ମୁକ୍ତତା ଭଞ୍ଜଙ୍କ କାବ୍ୟରେ ସ୍ଥଳବିଶେଷରେ ଆଧୁନିକ ରୁଚିର ବିରୋଧୀ ହୋଇପାରେ; କିନ୍ତୁ ପତି-ପତ୍ନୀଙ୍କ ପରସ୍ପର ଅନୁରାଗର ପ୍ରଗାଢ଼ତା ସେ ଚିତ୍ରି ଅଛନ୍ତି । ବ୍ୟଭିଚାରକୁ ସେ ସ୍ଥାନ ଦେଇ ନାହାନ୍ତି । ଅନୁରାଗର ପ୍ରଗାଢତା ଜନ୍ମାଇବା କୌଶଳ ଲାବଣ୍ୟବତୀରେ ପୂର୍ଣ୍ଣତା ଲାଭ କରିଅଛି । ନାୟକ ନାୟିକା ପରସ୍ପରର ରୂପଗୁଣ ଶୁଣିଛନ୍ତି, ଚାରି ଚକ୍ଷୁ ସଂଯୋଗ କରିଛନ୍ତି, ଚିତ୍ରପଟ ଦେଖିଛନ୍ତି, ପତ୍ର ଆଦାନପ୍ରଦାନ କରିଛନ୍ତି ଓ ଚିନ୍ତା କରିଅଛନ୍ତି । ପ୍ରାଚୀନ କାଳରେ ଗୋପନରେ ନାୟିକାର ପୁରରେ ନାୟକ କୌଶଳରେ ପ୍ରବେଶ କରୁଥିଲା । ସେ କଥା ବୋଧ ହୁଏ କବି ଶୁଣିଥିଲେ; କିନ୍ତୁ କୌଶଳ ଶୁଣି ନ ଥିବାରୁ ଯୋଗିନୀ ସାହାଯ୍ୟରେ ନାୟିକାପୁରକୁ ନାୟକକୁ ନିଆଇଲେ । ନାୟିକା-ହୃଦୟର ଅନୁରାଗକୁ ପ୍ରଗାଢ଼ କରିବାପାଇଁ ନାୟକ ନାୟିକା ନିକଟରେ ନିଜର ଦାସମନୋବୃତ୍ତି ପ୍ରକାଶ କରିଅଛି । ଏହା ଏକପ୍ରକାର ପାରମ୍ପରିକ ପ୍ରଥା ବୋଲି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ଅନୁମିତ ହୁଏ । ଐନ୍ଦ୍ରଜାଲିକ ନାୟିକାର ପ୍ରାସାଦର ଦ୍ୱାରଦେଶରେ ରାମଚରିତ ଦେଖାଇବା ଓ ନାୟିକା ନିକଟରେ ନାୟକ ପ୍ରେମ-ଭିକ୍ଷା କରୁଥିବାର ନାୟିକା ଦେଖୁଥିବା ‘ଲାବଣ୍ୟବତୀ’ରେ ଭଞ୍ଜ-କବିଙ୍କର ଗୋଟିଏ ଅଭିନବ ସୃଷ୍ଟି ଅଟେ । ଆଧୁନିକ ଯୁଗରେ ଏହାକୁ ପାଠକମାନେ ଅସମ୍ଭବ ବିବେଚନା କରିପାରନ୍ତେ; କିନ୍ତୁ ପ୍ରାଚୀନ କାଳରେ ଇନ୍ଦ୍ରଜାଲ-ବିଦ୍ୟାର ଅଧିକ ଚର୍ଚ୍ଚା ଥିଲା । ନାରୀମାନଙ୍କର ପ୍ରଣୟ-ପ୍ରବୃତ୍ତି ପ୍ରାକୃତିକ ଦୃଶ୍ୟ ଦେଖି ଜାଗରିତ ହୁଏ ବୋଲି ସଂସ୍କୃତ ଶକୁନ୍ତଳା-ନାଟକରୁ ଆମେ ଅବଗତ ହେଉ । ସେଥିପାଇଁ ଭଞ୍ଜ-କବି ନାୟିକାର ବନବିହାର ବର୍ଣ୍ଣନା କରିଅଛନ୍ତି ।

 

ଉପେନ୍ଦ୍ର ଭଞ୍ଜ ସିଂହଳର ବର୍ଣ୍ଣନାରେ ଲେଖି ଅଛନ୍ତି:-

‘‘ଲୌହ-ଚମ୍ବକ ପରଶୁଗ୍ରାବ ଯହିଁ । ଦାସୀ-ନେତ୍ର ଗଉରୀ-ବେତ୍ରରେ ଶୋହି ।।’’

 

ଚୁମ୍ବକ ଲୌହକୁ ଓ ସ୍ପର୍ଶମଣି ପଥରକୁ ଯେପରି, ସେପରି ସେଠାର ନାରୀମାନେ ପୁରୁଷଙ୍କୁ ଆକର୍ଷଣ କରନ୍ତି; କିନ୍ତୁ ତାଙ୍କ ଦାସୀମାନେ ଦଣ୍ଡ-ପୂଜାର ଗଉରୀ-ବେତପରି ଯେଉଁମାନେ ମେରୁଦଣ୍ଡକୁ ଲହକା କରିଥାନ୍ତି, ସେମାନଙ୍କୁ ଚାହିଁଥାନ୍ତି ।

 

ଦୀନକୃଷ୍ଣଦାସଙ୍କ ‘ରସକଲ୍ଲୋଳ’ର ବନବିହାର-ବର୍ଣ୍ଣନା ପୂର୍ବବର୍ତ୍ତୀ ଅଧ୍ୟାୟରେ ଦିଆଯାଇଅଛି । ଭଞ୍ଜଙ୍କ ‘ଲାବଣ୍ୟବତୀ’ରେ ଥିବା ବନବିହାର-ବର୍ଣ୍ଣନା ତଳେ ଉଦ୍ଧାର କରାଯାଉଅଛି । ପାଠକେ ଉଭୟକୁ ତୁଳନା କରିବେ:-

 

‘‘କହେ ଏକ ନାରୀ ‘ବିଶେଷେ ସୁନାରୀ ଏ ଦେଶରେ ବାସ କରିଛି ।

ଭୃଙ୍ଗ କିଂପୁରୁଷ ଚଞ୍ଚଳ ମାନସ ଏଥି ତଥି ପୁଣ ଯାଉଛି ।

ତହିଁକି, ଛଳି କହିଲା କେଉଁ ଭୀରୁ ।

 

‘ମହାବିବେକୀ ହୋଇ ତୁହି କିପାଇଁ ମଧୁପ ନାମକୁ ବିସ୍ମରୁ

ଏକକୁ ଚାହିଁ ଆରେକ ସଖୀ କହି, ନିକଟେ ନାଗେଶ୍ୱର ମୋର ।

ବୋଇଲା ହୋଇଥାଇଟି ନାଗେଶ୍ୱର ସୁପର୍ଣ୍ଣରେ କର ଆଦର ।

ସେ ଛଳେ, ଚିହ୍ନିଲା ନାଗେଶ୍ୱର କହ ।

 

ସୁମନା-ଭୂଷଣ ଦମ୍ପତି ପାଇବ ତାପରେ ଯାଇ ଆରୋହ ।।

କେ କାହାକୁ କହେ ମୋହଠାଇଁ ସଖି ରଖିଥିବୁ ଏକା କରୁଣା ।

ଦେବ-ବଲ୍ଲଭ ଲଭିବାରୁ ତୋତେ ବିଧାତା କଲାଣି ଫୁରୁଣା ।

ସେ ପୁଣି, ବୋଇଲା ଏ କଥା ଛାଡ଼ ରେ ।

 

ଖୋଜିଲେ ନ ପାଇ ମୁଁ ବନ୍ଧୁଜୀବକୁ ପଡ଼ିଲି ବରାହ-ଦାଢରେ ।।

କେଡ଼େ ଚାତୁରୀରେ କହେ ସହଚରୀ ମୁଖକୁ ତାହାର ଅନାଇ ।

ବଶ କରବୀରେ ହୋଇଲା ଉତ୍ତାରେ ମଲ୍ଲୀ ମଲ୍ଲୀ ହେଉ କିପାଇଁ ।

ସେ ବୋଲେ, ଭଙ୍ଗୀରେ ଆଳୀକି ଚେତାଇ ।

 

ନିଆଳୀ ହେଲାଣି ଜାଣିଲା ଉତ୍ତାରୁ ପଲାଶପାଶେ ଯା ଗମଇ ।।

କେ କହେ ଅଶୋକ ଲଭିଲୁ ସୁନ୍ଦରୀ କେତକୀ ହେଲାଟି ମୋହର ।

ସେ କହେ ସୁବର୍ଣ୍ଣ-କାନ୍ତିହର ସେହି ଘୋଡ଼ାଇ ଯିବୁଟି ଶରୀର ।

ଏ କାଳେ, ଆଉ ଜଣେ ଛଳ ପ୍ରଚାରି ।

 

ଦେଖାଇ ତରୁ ଛୁରିଅନା ପାଶକୁ ଯିବ କି ନାହିଁ ପଚାରି ll

ଦେଖ ରେ ରସାଳ ବିଟପୀ ପ୍ରବାଳ ବକୁଳମାଳରେ ଶୋହିଛି ।

ଶୋଭା ବନପ୍ରିୟ ଅବଲମ୍ବ ଥିଲେ ବହୁତ ରୋଲମ୍ବ ମୋହିଛି ।’’

X                  X                  X                  X

ଏଠାରେ ସୁନାର ଫୁଲ-ସୁନାରୀ ଲାବଣ୍ୟବତୀ । ମଦୁଆ (ମଧୁପ) ପୁରୁଷମାନେ ଲାବଣ୍ୟବତୀକୁ ଚୁମ୍ବିବାକୁ ଆସୁନାହାନ୍ତି । ମଧୁ ଖୋଜି ବୁଲୁଥିବା ଭ୍ରମରମାନେ ସୁନାରି-ଫୁଲକୁ ଯାଉନାହାନ୍ତି । ନାଗେଶ୍ୱର-ଫୁଲ, ସର୍ପରାଜ, ଶିବ ଓ ଐରାବତ । ସୁପର୍ଣ୍ଣ-ଉତ୍ତମ ପତ୍ର ଓ ଗରୁଡ଼ । ସୁମନା ଭୂଷଣ-ଲାବଣ୍ୟବତୀ ଓ ଇନ୍ଦ୍ର । କରୁଣା-ଦୟା ଓ କରୁଣା ଗଛ । ଦେବବଲ୍ଲଭ-ପୁନ୍ନାଗ ଓ ଇନ୍ଦ୍ର । ବନ୍ଧୁଜୀବ-ବଧୁଲିଫୁଲ ଓ ପ୍ରାଣପ୍ରିୟ ପତି । ବରାହଦାଢ-ବାରିହାଦାଢ ଗଛ ଓ ବରାହଦନ୍ତ । ବଶ କରବୀରେ-କନିଅର ଫୁଲରେ ବଶ ଓ ବଶ କର ବୀରରେ । ମଲ୍ଲୀ-ମଲ୍ଲୀଫୁଲ ଓ ମରିଗଲି ମରିଗଲି କହିବା । ନିଆଳୀ-ଫୁଲ ଓ ସଖୀଶୂନ୍ୟା ଲାବଣ୍ୟବତୀ ।

 

ଲାବଣ୍ୟବତୀରେ ‘ବରାହଦାଢ’ ନାମଟି ନୂତନ ମିଳିଲା । ବୈଦିକ ଯୁଗର ପୂର୍ବେ ବରାହ-ଧର୍ମ ପ୍ରଚଳିତ ଥିଲା । ବରାହ-ଦନ୍ତ ପୂଜା କରାଯାଉଥିଲା । ‘ଦଂଷ୍ଟ୍ରା’ ଶବ୍ଦ ‘ଦାଢ଼’ରେ ପରିଣତ ହୋଇଅଛି । ଯେଉଁମାନେ ବରାହ-ଧର୍ମ ଗ୍ରହଣ କରିଥିଲେ, ସ୍ତ୍ରୀ-ସମ୍ଭୋଗ କରିବାପାଇଁ କେବଳ ସେମାନଙ୍କର ଅଧିକାର ଥିଲା ।

 

ଯାହା ହେଉ ଦୀନକୃଷ୍ଣଦାସଙ୍କ ପଦଲାଳିତ୍ୟ ଉପେନ୍ଦ୍ର ଭଞ୍ଜଙ୍କର ନାହିଁ । ସେଥିପାଇଁ ଉପେନ୍ଦ୍ର ବୀନକୃଷ୍ଣଙ୍କୁ ଜୁହାର କରିଥିବା ଅସମ୍ଭବ ନୁହେ ।

 

ଆମ ଦେଶର ପୁରାଣ ଓ କିମ୍ବଦନ୍ତୀ ନ ଜାଣିଥିଲେ ଭଞ୍ଜ-ସାହିତ୍ୟର ଅର୍ଥ ବୁଝିବା ଦୂରୁହ ଅଟେ । ନିଶିରେ ଚନ୍ଦ୍ରଭାନୁ ସହିତ ଲାବଣ୍ୟବତୀର ଭେଟ ହେବାଉତ୍ତାରୁ ଲାବଣ୍ୟବତୀର କାମତାପ ବଢ଼ିଲା । ଚନ୍ଦ୍ର କାମତାପ ବଢ଼ାଉଅଛି । ତାହା ଶାନ୍ତ କରିବାପାଇଁ ସଖୀମାନେ ବିଚାର କଲେ :-

                  X            X            X            X

‘‘ଘାସ ଦିଅଇ ଶଶା କୁଶ ହରିବା ମାଡ଼ି ବସୁ ଚନ୍ଦ୍ରମଣ୍ଡଳ ।।

କେ କହେ ଏ କିଛି ନୋହେ ଗଗନକୁ କେ ପୁଣି କରିବେ ଗମନ ।

ରାହୁ ଯୋଡ଼ି ହେବା ନିମିତ୍ତ କରିବା ଜରାଦୈବତୀଙ୍କି ପ୍ରସନ୍ନ ।।

ଶୁଣି ସେ ବୋଲେ, ସେ ପାପୀ ଶରୀର ଅମର ।

ସିଂହିକାସୁତ ଉଦରକୁ ଚିରିବା ପରା ହନୁମାନ ପ୍ରକାର ।।’’

 

ସୋମରସପାୟୀ ଅଶ୍ୱିନ ବା ଚନ୍ଦ୍ରବଂଶୀୟ ରାଜାମାନେ ଚନ୍ଦ୍ରରୂପରେ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଅଛନ୍ତି । ଏମାନେ ତୃଣର ରସ ଖାଇ ତୃଣାହାରୀ ଶଶାପରି କ୍ଷିପ୍ରକର୍ମା ଥିଲେ । ଏକ ପୁରୁଷରୁ ଅନ୍ୟ ପ୍ରତି ଶଶାପରି ଚଞ୍ଚଳ ଆସକ୍ତିସ୍ୱଭାବା ନାରୀମାନଙ୍କୁ ଏମାନେ ସ୍ଥିର-ସ୍ୱଭାବା କରିପାରିଥିଲେ । ଏଣୁ ପାଣି ପିଇବାକୁ ଗଲାବେଳେ ଶଶା ପ୍ରାଣ ହରାଇ ଚନ୍ଦ୍ରଙ୍କ ଶରୀରରେ କଳଙ୍କସ୍ୱରୂପ ରହିଅଛି ବୋଲି କୁହାଯାଏ । ଶଶାଠାରୁ କୁଶ ବା ତୃଣ ଖାଇ ଚନ୍ଦ୍ର * ଶରୀରରେ ଶକ୍ତି ଥିବାରୁ ସେ ଆକାଶରେ ରହି କାମର ଉଦ୍ରେକ କରାଉଅଛି । ସେ କୁଶ ଘେନି ଆସିଲେ, ଚନ୍ଦ୍ର ଖସିପଡ଼ି ଲାବଣ୍ୟବତୀକୁ ମାଡ଼ିବସିଲେ ତାହାର କାମତାପ ଦୂର ହେବ । କିନ୍ତୁ ଆକାଶକୁ ଯିବା ଅସମ୍ଭବ ବ୍ୟାପାର ଅଟେ । ବୃହଦ୍ରଥର ଦୁଇ ରାଣୀ ଅର୍ଦ୍ଧେକ ଶରୀରବିଶିଷ୍ଟ ଗୋଟିଏ ଗୋଟିଏ ପୁତ୍ର ପ୍ରସବ କରିଥିଲେ । ଜରା ରାକ୍ଷସୀ ଏହି ଦୁଇ ଅର୍ଦ୍ଧ-ଶରୀରକୁ ଯୋଡିଦେବାରୁ ଜରାସନ୍ଧ ହେଲା । ରାହୁ ଓ କେତୁ ଅର୍ଦ୍ଧଶରୀରବିଶିଷ୍ଟ ହୋଇଥିବାରୁ ଜଣେ ଚନ୍ଦ୍ରଙ୍କୁ ଗିଳି ଉଦରରେ ରଖିପାରୁ ନାହିଁ । ଜରା ଏ ଦୁହିଁଙ୍କୁ ଯୋଡ଼ିଦେଲେ ରାହୁ ଚନ୍ଦ୍ରଙ୍କୁ ଗିଳିଦେବ । ଚନ୍ଦ୍ରର ଅସ୍ତିତ୍ୱ ଲୋପ ପାଇବ । କିନ୍ତୁ ଚନ୍ଦ୍ରର ଶରୀର ଏପରି ଯେ ରାହୁ ଗିଳିଲେ ମଧ୍ୟ ରାହୁର ଉଦରରୁ ଚନ୍ଦ୍ର ବାହାରିପଡ଼େ । ପୁଣି ରାହୁ ଦୁର୍ବଳ ହୋଇଥିବାରୁ ସେ ହନୁମାନକୁ ଗିଳିଲେ ମଧ୍ୟ ହନୁମାନ ତା ଉଦର ଚିରି ବାହାରି ଆସିଥିଲା । ହନୁମାନକୁ, ରାହୁ ଗିଳିବା କଥା ସଂସ୍କୃତ ରାମାୟଣରେ ନାହିଁ । କିନ୍ତୁ ହନୁମାନ ବୌଦ୍ଧଧର୍ମ ଗ୍ରହଣ କରିଥିବାର ପ୍ରମାଣ ମିଳୁଅଛି । ଏଣୁ ରାହୁ ହନୁମାନକୁ ଗିଳିଥିବା ଅସମ୍ଭବ ନୁହେ ।

 

ଛାନ୍ଦଗ୍ୟୋପନିଷଦ ଅନୁସାରେ ଶରୀର ନଷ୍ଟ ହେଲେ ଆତ୍ମା ଚନ୍ଦ୍ରଲୋକରେ ରହି ବୃଷ୍ଟିଜଳ ସଙ୍ଗରେ ପୃଥିବୀକୁ ଆସି ଶସ୍ୟ ଭିତରେ ପ୍ରବେଶ କରେ । ଖାଦ୍ୟ ସହିତ ନରନାରୀଙ୍କ ଶରୀରରେ ପ୍ରବେଶ କରି ପୁନର୍ଜନ୍ମ ଲାଭ କରେ ।

 

ଏହିପରି ପୌରାଣିକ ଉଦାହରଣରେ ଉପେନ୍ଦ୍ରଭଞ୍ଜଙ୍କ ରଚନା ପରିପୂର୍ଣ୍ଣ ଅଟେ । ନିଶାରେ ଚନ୍ଦ୍ରଭାନୁ ସହିତ ଲାବଣ୍ୟବତୀର ଭେଟ ସତ୍ୟ ବୋଲି ଜାଣିବାରୁ ସଖୀମାନେ କିପରି ଦୃଷ୍ଟାନ୍ତ ଦେଇ ଅଛନ୍ତି, ପାଠକେ ବିଚାର କରନ୍ତୁ:-

 

‘‘ଚିକୁରଶୋଭୀ ମୁକୁର ପ୍ରତିବିମ୍ବ-ଆଲିଙ୍ଗନ ଯେବେ ଆସିବ ।

ମୃଗତୃଷ୍ଣା-ଜଳ ତୃଷାରୁ ନାଶିବ ସ୍ଵପ୍ନ ତେବେ ସତ ଦିଶିବ ।

କହେ ସଚିବ-ସୂତା ସବୁଁ ବଡ଼ ଦଇବ ।

କାହା ମନେ ଥିଲା ଅଗାଧ ସମୁଦ୍ର ଚଳୁ ଭିତରେ ସମ୍ଭାଇବ ।।

 

ସେ ବୋଇଲା ସେକଥା ସେରୂପେ ଏକଥା କୁଜ୍‌ଝଟୀ-ପ୍ଳବନ ।

ପବନକୁ ପାଶ ପାତିବସିଥିଲେ ସେ କାହିଁ ହୋଇବ ବନ୍ଧନ ।

ପୁଣି ସେ କହେ, ଉଷା-ଅନିରୁଦ୍ଧ କେମନ୍ତ ।

ସେ ବୋଲେ ସତେ ଯଦୁପୁରେ ସେ ଥିଲେ ଜାଣିଲେ ଏ କାହୁଁ ସମ୍ଭୂତ ।।

 

ସଖା କହେ ଦୁଃଖ ସହି ଧୈର୍ଯ୍ୟ ହେଲେ କାର୍ଯ୍ୟ ଲଭିବ ଅବଶ୍ୟ ।

ହରି- ଅରି-ଘାତ ସହି ରହିଲାରୁ ରାହୁ ପିଇଛି ପୀୟୁଷ ।

ତୁ ଯେ ତୃଷାର୍ତ୍ତୀ, ଚାତକୀ ତୋ ତୃଷା ହରିବ ।

ମଙ୍ଗଳ ଚଳନେ ଉଇଁଲା ଘନ କି ଜଳ ବରଷା ନ କରିବ ।।’’

 

ଭଞ୍ଜକବି ମନସ୍ତତ୍ତ୍ୱ ମଧ୍ୟ ଜାଣିଥିଲେ । ନିଶାରେ ଭେଟଉତ୍ତାରୁ ଚନ୍ଦ୍ରଭାନୁକୁ ଯୋଗିନୀ ଚନ୍ଦ୍ରଭାନୁର ଶେଯରେ ନେଇ ଶୁଆଇଦେଲା । ନିଦ୍ରା ଭାଙ୍ଗିବାଉତ୍ତାରେ ଭେଟ-ଘଟନା ପ୍ରକୃତ କି ସ୍ୱପ୍ନ ବୋଲି ତାହାର ମନରେ ସନ୍ଦେହ ଜାତ ହେଲା । ଜାଗ୍ରତ ଅବସ୍ଥାରେ ମଧ୍ୟ ମନୁଷ୍ୟ ସମସ୍ତ ବିଷୟ ପାସୋରି ନିବିଷ୍ଟ ଚିତ୍ତରେ ଯେଉଁ ରୂପ ଚିନ୍ତା କରିବ, ସେହି ରୂପ ଚକ୍ଷୁ ଆଗରେ ପ୍ରତିଭାତ ହେବ । ଏଣୁ ଚନ୍ଦ୍ରଭାନୁ କହୁଅଛି :-

 

‘‘ବସି ଘୋଷିଲା ତାଠାରେ ମନ । ଏଣୁ ଦେଖାଦେଲା ସେ ଧନ ।।

ଉରକ ଦେଶକୁ ଚାହିଁ ଦେଖିଲା ହାର । କୁଙ୍କୁମେ ହୋଇଅଛି ସେ ଜରଜର ।’’

 

 

 

 

ଭଞ୍ଜକବି ‘ବୈଦେହୀଶ-ବିଳାସ’ର ପଞ୍ଚମ ଛାନ୍ଦରେ ଗଙ୍ଗାଙ୍କ ସମ୍ବନ୍ଧରେ କହିଅଛନ୍ତି:-

 

‘‘ବିଞ୍ଚି ପଲ୍ଲବ-ନାବରେ ପଦବିକଳ୍ପ ମନରେ ପ୍ରତିହାରୀପଣରେ ମଣାଇ ବସାଇ ।

ବିଶ୍ୱାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମ ଭାଗୀରଥୀ କିମ୍ପା ହେଲା କହ ଗୋସାଇଁ ।

ବିଷ୍ଣୁ ନଖକୋଣେ ଏ ଥିଲା । ବାମନାବତାରେ ଭଗୀରଥ ଆଣିଲା ।।’’

 

ବାମନ ଅବତାରରେ ଭଗୀରଥ ଗଙ୍ଗା ଆଣିଥିବା କଥା କେଉଁ ପୁରାଣରେ ଅଛି, ମୋର ମନେ ପଡ଼ୁନାହିଁ । ଦୀର୍ଘତମା-ଋଷିଙ୍କ ପ୍ରେମ-ତତ୍ତ୍ୱରୁ ବାଳେୟ-ଧର୍ମ ପ୍ରତିଷ୍ଠିତ ହେଲା । ସମୁଦ୍ରରୁ ପାଣି ଆସି ପୃଥିବୀରେ ପଡ଼େ । ସେ ପାଣି ପୃଥିବୀରୁ ସମୁଦ୍ରକୁ ଯାଏ । ପୃଥିବୀ ରସହୀନ ହୁଏ ନାହିଁ କି ସମୁଦ୍ର ଶୁଖେ ନାହିଁ । ଏହିପରି ନରନାରୀଙ୍କ ମଧ୍ୟରେ ପ୍ରେମର ଆଦାନପ୍ରଦାନ ଘଟିଲେ କାହାରି କ୍ଷତି ନାହିଁ । ଏହି ମତକୁ ଗଙ୍ଗା ଓ ବାଳେୟ-ଧର୍ମ ବା ବାମନ ଅବତାର କହନ୍ତି । ଗୋଦାବରୀ, ପୁନଃପୁନା, ରେବା, ଜାହ୍ନବୀ, କାବେରୀ, ଗୋମତୀ ବ୍ରାହ୍ମଣୀ ଓ ବୈତରଣୀ ପ୍ରଭୃତି ତଟରେ ଗଙ୍ଗାମତ ପ୍ରତିଷ୍ଠିତ ହେଲା । ବାମନ ଅବତାରରେ ଗଙ୍ଗା ଆସିଥିଲେ ବୋଲି ଉପେନ୍ଦ୍ରଭଞ୍ଜ କିମ୍ବଦନ୍ତୀ ଶୁଣିଥିଲେ କି ?

 

ରାମଚନ୍ଦ୍ର ଋଷିକୂଲ୍ୟା ପାରହୋଇ ଦଣ୍ଡକାରଣ୍ୟକୁ ଯାଇଥିବାର ଉପେନ୍ଦ୍ରଭଞ୍ଜ ବର୍ଣ୍ଣନା କରିଅଛନ୍ତି:-

 

ବିପଥେ ଚନ୍ଦ୍ରଭାଗାରେ ସଞ୍ଚରି । ବାଲୁକାରେ ଶିବ ଶିବଦ କରି I।

ବିହୀନ ଋଷିକା ରଷିବାରେ । ବିନୋଦ ଋଷିବାକୂଲ୍ୟାତୀରେ ।।’’ (ବୈ ବି: ଛା:୨୫)

 

ବାଟବଣା ହୋଇ ପୁରୀ ଜିଲାର ଚନ୍ଦ୍ରଭାଗାକୁ ଯାଇ ସେଠାରେ ବାଲୁକା-ଶିବ ବା ବାଲୀକିଙ୍କ ପରମାଣୁବାଦ ପ୍ରବର୍ତ୍ତିତ କରାଇଲେ । ସେଠାରୁ ଋଷିକୂଲ୍ୟାକୁ ଆସିଲେ । ସେଠାରେ ଖ୍ରୀଷ୍ଟ ସପ୍ତମ ଶତାବ୍ଦୀରେ ଋଷିମାନେ ବାସ କରୁଥିବାର ତାମ୍ରଶାସନମାନଙ୍କରୁ ପ୍ରମାଣ ମିଳେ । ବାସ୍ତବିକ ସେଠାରେ ଋଷିକନ୍ୟାମାନେ ରୁଷୁ ନ ଥିଲେ; ଅର୍ଥାତ୍ ନରନାରୀଙ୍କ ମଧ୍ୟରେ ବିସମ୍ବାଦ ନ ଥିଲା । ଏଣୁ ପୁରୀ ଜିଲାରେ ତୋଷଳୀ-ଧର୍ମ ପ୍ରଚଳିତ ହୋଇଥିଲା ଏବଂ ମହାନଦୀ ଓ ଋଷିକୂଲ୍ୟା ଗଙ୍ଗା ହେବାର ପ୍ରୟୋଜନ ନ ଥିଲା । ଅଶୋକଙ୍କ କଳିଙ୍ଗ-ଯୁଦ୍ଧ ରାମାୟଣାକାରରେ ବର୍ଣ୍ଣିତ ହୋଇଅଛି । ଏଣୁ ସେ କୌଣସି କିମ୍ବଦନ୍ତୀରୁ ଲେଖିଥିବେ । ଆହୁରି ବିଚିତ୍ର କଥା ଲେଖିଅଛନ୍ତି :-

 

‘‘ବଳବନ୍ତ ହେଲେ ଯଥା କେଶରୀ । ବଧେ ଗଜାଦି ଶରଭକୁ ଡରି ।।’’

(ବୈ: ବି: ଛା: ୨୮, ପ:୯)

 

ବଳବନ୍ତ ସିଂହ ଗଜକୁ ମାରି ଶରଭକୁ ଡରେ । ଶରଭ କି ପ୍ରକାରର ପଶୁ ? ନୈଷଧୀୟ ଚରିତରେ ଶରଭ ଆଖୁ ନ ଖାଇ ଶମୀ ଖାଏ । ସେଠାରେ ହସ୍ତୀଶାବକ ବୁଝାଏ । କିନ୍ତୁ ଏଠାରେ ସିଂହ ହାତୀକୁ ମାରୁଥିବାରୁ ‘ଶରଭ’ର ଅର୍ଥ ହସ୍ତୀଶାବକ ନୋହି ମେଘଦୂତର ‘ଶରଭ’ ଅର୍ଥାତ ଅଷ୍ଟପଦବିଶିଷ୍ଟ ମୃଗ ହୋଇପାରେ । ଚଞ୍ଚଳସ୍ୱଭାବ ମୃଗପ୍ରକୃତିର ପ୍ରତୀକ ହୋଇଥିବାରୁ ସାଂଖ୍ୟ ଦର୍ଶନର ଅଷ୍ଟବିଧ କର୍ମ ବୋଧହୁଏ ଶରଭର ଅଷ୍ଟପଦ ରୂପରେ କଳ୍ପନା କରାଯାଇଅଛି । ଏଣୁ ଶରଭର ଅର୍ଥ ସାଂଖ୍ୟବାଦୀ ରୂପରେ ଗ୍ରହଣ କରିବାକୁ ହୁଏ । ଯଦି କେଶରୀ ଓଡ଼ିଶାର ଉପାଧିଧାରୀ ରାଜା ଓ ଶାବ୍ୟସିଂହ ବୁଦ୍ଧଦେବଙ୍କ ମତାବଲମ୍ବୀ ହୋଇଥାନ୍ତି, ତେବେ ସେ ସାଂଖ୍ୟବାଦୀଙ୍କୁ ଅବଶ୍ୟ ଡରିଥିବେ । ରାବଣ ଉଡଡୀୟାନ ବନ୍ଧ ସାଧନା କରୁଥିଲା । ତାହାର ରାଣୀ ମନ୍ଦୋଦରୀକୁ ଉଡ୍‌ଡୀୟାନ ବନ୍ଧରୂପରେ ଗ୍ରହଣ କରାଯାଇପାରେ; କାରଣ ଉଡ୍‌ଡୀୟାନ-ବନ୍ଧ ସାଧନାରେ ଉଦର ନତ କରାଯାଏ । ସେ କପିଳ ଧର୍ମାବଲମ୍ବୀ କପିମାନଙ୍କୁ ଭୟ କରୁଥିଲା । ପୁଣି ମଧ୍ୟପ୍ରଦେଶର ଶରଭପୁରରେ ଶରଭବଂଶ ରାଜପଣ କରୁଥିଲେ ଓଡ଼ିଶାର ଶୂଳକି ରାଜବଂଶର ‘ହରିଣ’ ସନ୍ତକ । କିନ୍ତୁ ଶରଭ ରାଜବଂଶ ‘ଉଡ଼ନ୍ତା ହରିଣ’ ସନ୍ତକ ଅଟେ । ଏହି ଶରଭମାନଙ୍କୁ କେଶରୀମାନେ ଡରୁଥିଲେ ବୋଲି କୁହାଯାଇପାରେ

 

‘‘ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ, ଯାହାର ଯହିଁରେ ବଳଇ ପ୍ରେମ’’- ଏ କଥା ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀରେ (ଛା ୧୦) ଲେଖିଥିବାରୁ ଅନୁମିତ ହୁଏ ଯେ ରାମଚନ୍ଦ୍ର କନକମୃଗ ପଛରେ ଗୋଡ଼ାଇବାର ଅର୍ଥ ସୁବର୍ଣ୍ଣବର୍ଣ୍ଣା ବା ହଳଦି ଲଗାଇଥିବା ସ୍ତ୍ରୀମାନଙ୍କ ପଛରେ ଗୋଡ଼ାଇଥିଲେ । କବି ବୈଦେହୀଶ-ବିଳାସରେ (ଛା:୧, ପ:୪) ‘‘କୃପାସିଦ୍ଧା ଏ ଗୀତ ପ୍ରକାଶେ’’ ଲେଖିଥିବାରୁ ଓ ବଳରାମଦାସ କୃପାସିନ୍ଧୁ ନାମରେ ଅଭିହିତ ହୋଇଥିବାରୁ, ବଳରାମଦାସଙ୍କ ରାମାୟଣରୁ ସେ ରାମ-ଚରିତ ଗ୍ରହଣ କରିଅଛନ୍ତି ବୋଲି କେହି କେହି ଅନୁମାନ କରନ୍ତି । କିନ୍ତୁ ତାହା ଠିକ୍ ନୁହେ । ଶିଶୁ ଭୀମଦାସଙ୍କ ମତ ଅନୁସାରେ ଯାହାକୁ କୌଣସି ଦେବତାଙ୍କର କୃପା ହୁଏ, ତାହାକୁ କୃପାସିଦ୍ଧା କହନ୍ତି ।

 

ଲାଖବିନ୍ଧାବେଳେ ସାରଳାଦାସ ମହାଭାରତରେ ରାଧା-ଚକ୍ର ବର୍ଣ୍ଣନା ଦେଇ ଅଛନ୍ତି । ଊପେନ୍ଦ୍ର ଭଞ୍ଜ ମଧ୍ୟ ‘ରାଧାଭେଦୀ’ (ସୁ: ପ: ଛା: ୯: ପ: ୧୮) ଓ ‘ରାଧା – ଚକ୍ର’ ( ବୈ:ବି:) ଉଲ୍ଲେଖ କରିଅଛନ୍ତି । ପୁଣି ବିରଜା-ମଣ୍ଡଳରେ ତପସ୍ୟା କରି ରାବଣ ବର ପାଇଥିଲା ବୋଲି ‘ବୈଦେହୀଶ-ବିଳାସ’ର ଶେଷ ଛାନ୍ଦରେ ଉଲ୍ଲେଖ କରିଅଛନ୍ତି । ଯାଜପୁରରେ ଦୀର୍ଘତମା ଋଷି ଯେଉଁ ମତ ପ୍ରଚାର କଲେ, ସେ ମତ ରାବଣ ଗ୍ରହଣ କରିଥିବାରୁ ବିରଜା-ମଣ୍ଡଳରେ ତପସ୍ୟା କରିଥିବାର କୁହାଯାଇଥିବ । ଯାହା ହେଉ ଏହିପରି ପୌରାଣିକ ଓ କିମ୍ବଦନ୍ତୀମୂଳକ ଗଳ୍ପର ସଂକେତ ଭଞ୍ଜଙ୍କ କାବ୍ୟରେ ଥିବାରୁ ତାହା ଦୂର୍ବୋଧ୍ୟ ହୁଏ । ସେଥି ସଙ୍ଗେ ସଙ୍ଗେ ବିବିଧ ବୃକ୍ଷଲତା ଓ ଜୀବଜନ୍ତୁଙ୍କର ସ୍ଵଭାବର ଆଭାସ ଦିଆଯାଇଥିବାରୁ ତାହାଙ୍କ ରଚନା ଦୁର୍ବୋଧ୍ୟତର ହେବା ସଙ୍ଗେ ସଙ୍ଗେ ବିବିଧ ଜ୍ଞାନ ଉପାର୍ଜନର ପଥ ସୁଗମ କରିଅଛି । ଜ୍ୟୋତିଷଶାସ୍ତ୍ରରେ ତାହାଙ୍କର ଜ୍ଞାନ ଥିବାର ‘ଲାବଣ୍ୟବତୀ’ ଓ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରୁ ପ୍ରମାଣ ମିଳେ । କିନ୍ତୁ ମାନବର କର୍ତ୍ତବ୍ୟ ବା ବ୍ୟବସାୟ ସମ୍ବନ୍ଧରେ ତାହାଙ୍କ ରଚନାରେ କୌଣସି ଇଙ୍ଗିତ ନାହଁ । ଜମିଦାରମାନେ ନିରୀହ ଚଷାମାନଙ୍କୁ କିପରି ଜମିରୁ ବେଦଖଲ କରନ୍ତି (ବୈ: ବି: ଛା: ୩୧, ପ: ୧୯), ପେଟ ପୋଷିବାପାଇଁ ବାଣିଜ୍ୟର ପ୍ରୟୋଜନୀୟତା ଓ କରଜ ଦେଇ କଳନ୍ତର ଅସୁଲ କରିବା (ବୈ: ବି: ଛା : ୪୮:, ପ: ୨୩) ସମ୍ବନ୍ଧରେ ସୂଚନା ଦେଇ ଅଛନ୍ତି ।ଏଣୁ ଭଞ୍ଜଙ୍କ କାବ୍ୟ ପାଠ କଲେ ଚିତ୍ତର ସଂକୀର୍ଣ୍ଣତା ଭାଙ୍ଗିଯାଏ । ସେ କାଳରେ ଜ୍ଞାନର ଅର୍ଥ ସମ୍ବନ୍ଧରେ ଦେଶରେ ଯେପରି ଧାରଣା ଥିଲା, ସେପରି ଜ୍ଞାନ ପାଠକଙ୍କ ଚିତ୍ତରେ ତାହାଙ୍କ ରଚନାବଳୀ ଜନ୍ମାଇ ପାରୁଅଛି । ପର୍ଶୁରାମ ଓ ଲକ୍ଷ୍ମଣଙ୍କର ଉକ୍ତି-ପ୍ରତ୍ୟୁକ୍ତିରେ ସେ ବାକ୍-ଚାତୁରୀ ମଧ୍ୟ ଦେଖାଇ ଅଛନ୍ତି:-

 

ଲ-

‘‘ବକ୍ତା ଲକ୍ଷ୍ମଣ କାହାକୁ ପଚାରିଲା ପ୍ରାୟେ । ବାଚାଳେ କାହୁଁ ପ୍ରବେଶ ଆମ୍ଭ ସୈନ୍ୟେ ହୁଏ ।।

ପ-

ବ୍ୟାଳେ ଲୋଷ୍ଟ୍ର ପ୍ରହାରିଲା ପ୍ରାୟେ ରହି କହି । ବିଷକଣ୍ଠେ କ୍ଷୀରକଣ୍ଠ ବୋଲୁଥିଲା କେହି ।।

ଲ-

ବିଷକଣ୍ଠ ଯେବେ ତବ ଗୁରୁ ହେବା, ସ୍ତବ ବିରତି କି ଆସିଅଛ ? କହୁଁ, କହେ ଜବ ।।

(ଛା: ୧୬)

 

ମୋର ଦୁଧଖିଆ ପିଲାଙ୍କ ବଳ ନ କଷି ତାହାଙ୍କୁ ଆର୍ଶିବାଦ କର ବୋଲି ଦଶରଥ ପର୍ଶୁରାମଙ୍କୁ କହିଥିଲେ । କିନ୍ତୁ ପାଗଲଟାଏ ଆମ୍ଭ ସୈନ୍ୟଙ୍କ ଭିତରେ କାହୁଁ ପ୍ରବେଶ କଲା ବୋଲି ଲକ୍ଷ୍ମଣ କହିଲେ । ପର୍ଶୁରାମ କହିଲେ ‘‘ଯେ ସାପକୁ ଟେକା ଫିଙ୍ଗିଲାପରି କଥା କହୁଛି, ସେ ଦୁଧଖିଆ ପିଲା ବୋଲି କିଏ କହୁଥିଲା ?’’ ଲକ୍ଷ୍ମଣ କହିଲେ, ‘‘ମୁଁ ଯଦି ବିଷକଣ୍ଠ, ତେବେ ତମ ଗୁରୁ ଶିବ ହେଲି । ତୁମେ ମୋତେ ସ୍ତୁତି କର ।’’ ଏଠାରେ ମନେ ରଖିବାକୁ ହେବ ଯେ ସାପକୁ ଟେକା ଫିଙ୍ଗିଲେ ସେ ମରେ ନାହଁ; ବରଂ ବେଶି ରାଗାନ୍ୱିତ ହୋଇ ଦଂଶନ କରିବାକୁ ଆସେ

 

ଯୁଦ୍ଧରେ ମୃତ୍ୟୁ ଘଟିବ ବୋଲି ଜାଣିଶୁଣି ରାବଣ ରଣକ୍ଷେତ୍ରକୁ ଯିବାର ବର୍ଣ୍ଣନାରେ ବୀରର ଅସୀମ ସାହସିକତାର ପରିଚୟ ମିଳେ । ରାବଣ ନିଜର ମୃତ୍ୟୁକାଳରେ ପତ୍ନୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କହିଅଛି । ସତୀଦାହ -ପ୍ରଥାନୁସାରେ ସହମୁତା ନୋହି ପୁଣି ପତିଗ୍ରହଣ କରିବାକୁ ସେମାନଙ୍କୁ ରାବଣ ଉପଦେଶ ଦେଇଅଛି । ଏଭଳି ପ୍ରଥା ଓଡ଼ିଶାର ପାଇକ ଜାତିଙ୍କ ମଧ୍ୟରେ ପ୍ରଚଳିତ ଥିବାରୁ ପତି ରଣକ୍ଷେତ୍ରକୁ ଗଲେ ପତିର ବା ପତ୍ନୀର କାହାରି କୌଣସି ଚିନ୍ତା ନ ଥିଲା । ଏପରି ଚିନ୍ତାଶୂନ୍ୟ କଳିଙ୍ଗମାନେ ଅଶୋକଙ୍କ ସହିତ ଭୀଷଣ ଯୁଦ୍ଧ କରି ପ୍ରାଣ ଦେଇଥିଲେ ।

 

ବର୍ଣ୍ଣନା-କୌଶଳରେ ଭଞ୍ଜ-କବିଙ୍କର କୃତିତ୍ୱ ଅଛି । କିନ୍ତୁ ଭାଷା ଦୂର୍ବୋଧ ହୋଇଅଛି । ଅନେକ ସ୍ଥଳରେ ସେକାଳର ସମାଜର ରୁଚି ଓ ବ୍ୟବହାରର ବର୍ଣ୍ଣନା ଏକାଳରେ ସେ ରୁଚି ଓ ବ୍ୟବହାର ନ ଥିବାରୁ ଦୁର୍ବୋଧ୍ୟ ହୁଏ ।

 

‘‘ସଂଗ୍ରହ କଲେ ପୁତ୍ର-ସ୍ନେହୀ ତହିଁ ବ୍ୟାଘ୍ର-କରକ । ସଲମ୍ପଟ ହୋଇ କିଣିଲେ ପକ୍ଷ ପତ୍ତି-ସମାଜ ।।’’

(ସୁ: ପ:, ଛା: ୫, ପ:୫୪)

 

ପୁତ୍ରର ଗଳାରେ ପିନ୍ଧାଇବାପାଇଁ କେତେ ଲୋକ ବାଘନଖ ହାଟରୁ କିଣିନେଲେ । ତତ୍ପରେ ‘ପତ୍ତି’ ବା ପାଇକମାନେ ମୟୂରପୁଚ୍ଛ କିଣିଲେ ବୋଲି ଗ୍ରହଣ କରିବାକୁ ହେବ । ଓଡ଼ିଆ ପାଇକ ଜାତି ବୈଦିକ କୁମାର-ସମ୍ପ୍ରଦାୟର ବଂଶଧର ହୋଇଥିବାରୁ ସେମାନେ ମୟୂରପୁଚ୍ଛକୁ ଆଦର କରୁଥିଲେ ।

 

ଅନ୍ୟ ଏକପ୍ରକାରର ପ୍ରକାଶ-ଭଙ୍ଗୀର ଉଦାହରଣ ଦିଆଯାଉଅଛି:--

 

‘‘ସହିଛି ପବି ସେହି, ଅହି ମୁଖକୁ ଯାଇ ଜୀଇ ଆସେ ପ୍ରତି ବାସରେ

ସଦାଗତ ବୋଲାଇ ରାମା କହିଲା ତହିଁ ମଧ୍ୟରେ ଅଛିଟି ଅକାର

ରେ ସହଚରି,

ସୂତ୍ର ବ୍ୟାକରଣରେ ଅଛି, ସବର୍ଣ୍ଣରେ ଦୀର୍ଘ ହୋଇଛି,

ସାଧିବାକୁ ସେ ପଦ କେଉଁ କାମୀ କୋବିଦ ବିଚାରି ରଚନା କରିଛି ରେ ।।

(ସୁ: ପ:, ଛା: ୮, ପ: ୨୪ )

 

ପବନକୁ ଅନ୍ୟ କେହି ‘ସଦାଗତି’ କହି ନାହିଁ । କୌଣସି କାମୀ କୋବିଦ ସଦା ଅଗତି ବା ସର୍ବଦା ଦୁଃଖଦାୟକ ବୋଲି ସାଧିବାପାଇଁ ବ୍ୟାକରଣରେ ‘‘ସବର୍ଣ୍ଣେ ଦୀର୍ଘସହ’’ ସୂତ୍ର ଲେଖି ‘ସଦାଗତି’ କହିଅଛି । ଉପେନ୍ଦ୍ରଭଞ୍ଜ ବ୍ୟାକରଣ ପଢ଼ି ନ ଥିଲେ ବୋଲି କହିବାପାଇଁ କାରଣ ନାହଁ । ସେ କେତେବେଲେ ‘ତା’ ପ୍ରତ୍ୟୟର ବିଶେଷ୍ୟକୁ ବିଶେଷଣ ରୂପରେ ବା ‘ତ’ ପ୍ରତ୍ୟୟର ବିଶେଷଣକୁ ବିଶେଷ୍ୟ ରୂପରେ ବ୍ୟବହାର କରିଅଛନ୍ତି । ଓଡ଼ିଆ-ଭାଷା ସଂସ୍କୃତ ବ୍ୟାକରଣ-ସୂତ୍ରର ଅଧୀନ ନୁହେ ଜାଣି ସେ ଏହିପରି କରିଅଛନ୍ତି ।

 

ବାରିଧି, ରାମା ଓ ମାର ପ୍ରଭୃତି ଶବ୍ଦ ବ୍ୟବହାର ନ କରି ସେହି ଶବ୍ଦମାନଙ୍କ ବଦଳରେ ଯଥାକ୍ରମେ ବାର୍ଦ୍ଧି, ରାମ ଶବ୍ଦ ବହୁବଚନରେ ଓ ରମା ବିପରୀତ ଇତ୍ୟାଦି ବ୍ୟବହାର କରିଅଛନ୍ତି । ସଂସ୍କୃତ-ସାହିତ୍ୟରେ ଏପରି ଦେଖାଯାଏ ନାହଁ । ସଂସ୍କୃତରେ ଗୋଟିଏ ଶବ୍ଦ କିପରି ଦୁଇ ଅର୍ଥରେ ବ୍ୟବହୃତ ହୋଇଅଛି, ତାହାର ଉଦାହରଣ ଏହି ଅଧ୍ୟାୟର ପ୍ରାରମ୍ଭରେ ଦିଆଯାଇଅଛି । କିନ୍ତୁ ଉପେନ୍ଦ୍ରଭଞ୍ଜ ସେପରି ବ୍ୟବହାର କରି ନାହାନ୍ତି । ‘ବୈଦେହୀଶବିଳାସ’ର ପ୍ରଥମ ଛାନ୍ଦରେ ଦୀନବାନ୍ଧବ, ଶ୍ରୁତି ପ୍ରଭୃତି ପଦରୁ ଅନ୍ୟ ଏକ ଅର୍ଥ ଗ୍ରହଣ କରିବାପାଇଁ ଯଥାକ୍ରମେ ଦିନବନ୍ଧୁ, ସ୍ମୃତି ପ୍ରଭୃତି ରୂପରେ ଓ ‘ଆତ୍ମଭୂପର ସଂସାରେ’ ବାକ୍ୟାଂଶକୁ ‘ଆତ୍ମଭୂ ପ୍ରଶଂସାରେ’ ପଢ଼ିବାକୁ ହେବ । ଶେଷୋକ୍ତ ପାଠରେ ପୂର୍ବ-ପଦର ପ୍ରାନ୍ତ ବର୍ଣ୍ଣଦ୍ୱୟ ଦ୍ୱିତୀୟ ପଦର ଏକ ଆଦ୍ୟବର୍ଣ୍ଣ ହେଲା ଓ ‘ସଂ’ ବର୍ଣ୍ଣ ସ୍ଥାନରେ ‘ଶଂ’ ବର୍ଣ୍ଣ ହେଲା । ଏପରି ପ୍ରକାଶଭଙ୍ଗୀରେ ଲେଖକର ଯଥେଚ୍ଛାଚାରିତା ପ୍ରକାଶ ପାଏ । ଲେଖିବାବେଳେ ଲେଖକ ଭାବିବା ଉଚିତ ଯେ ନିଜର ହୃଦୟରୁ ଝରୁଥିବା ରସ-ଧାରରେ ସେ ଅପରକୁ ଭସାଇ ନେବାକୁ ଚେଷ୍ଟା କରୁଅଛି । ତାହାର ରଚନା ଦୁର୍ବୋଧ୍ୟ ହେଲେ ପାଠକ କବିର ଅନୁପ୍ରାଣିତ ହେବ କିପରି ? ସଂସ୍କୃତ ଶ୍ଳୋକର ଅର୍ଥ ଗୁରୁମୁଖରୁ ଶୁଣିବାଉତ୍ତାରେ ଶିଷ୍ୟ ଶ୍ଳୋକର ରସରେ ତନ୍ମୟ ହେଉଥିଲା । ସେପରି ଓଡ଼ିଆ ରଚନାର ଅର୍ଥ ଗୁରୁମୁଖରୁ ଶୁଣି ପାଠକକୁ ରସଗ୍ରାହୀ କରାଇବା ଭଞ୍ଜ-କିବଙ୍କର ଅଭିପ୍ରାୟ ଥିଲାପରି ଅନୁମିତ ହୁଏ ।

 

ଆମ ଦେଶର ନାରୀମାନେ ଗ୍ରାମକୁ କାହାରି କନ୍ୟାର ବର ଆସିବାବେଳେ ତ୍ୱରାନ୍ୱିତ ହୋଇ ନିଜ କାର୍ଯ୍ୟ ଛାଡ଼ି ଦାଣ୍ଡଦ୍ଵାରକୁ ଆସି କବାଟ-କୋଣରେ ଛିଡ଼ାହୋଇ ବରକୁ ଦେଖନ୍ତି । ରାମଚନ୍ଦ୍ର ମିଥିଳାରେ ଶିବଧନୁ ଭାଙ୍ଗିବାପାଇଁ ପ୍ରବେଶ କଲାବେଳେ ମିଥିଳାର ପୁରନାରୀମାନେ ସେପରି ଆସିବା ଉପେନ୍ଦ୍ରଭଞ୍ଜ ବର୍ଣ୍ଣନା କଲେ । ଶିବ ପାର୍ବତୀଙ୍କୁ ବିବାହ କରିବାପାଇଁ ଯିବାବେଳର ସେପରି ଦୃଶ୍ୟ କାଳିଦାସ ମଧ୍ୟ ‘କୁମାରସମ୍ଭବ’ରେ ବର୍ଣ୍ଣନା କରିଅଛନ୍ତି । ସେ କେବଳ ନାରୀମାନଙ୍କ ଚୂଡ଼ାନ୍ତ ଉତ୍ସୁକତାର ଅନୁଭାବଗୁଡ଼ିକ ବର୍ଣ୍ଣନା କରିଅଛନ୍ତି:-

 

‘‘ବିଲୋଚନଂ ଦକ୍ଷିଣମଞ୍ଜନେନ ସମ୍ଭାବ୍ୟ ତଦ୍‌ବଞ୍ଚିତ ବାମନେତ୍ରା ।

ତଥୈବ ବାତାୟନସନ୍ନି କର୍ଷଂ ଯଯୌ ଶଳାକାମପରା ବହନ୍ତୀ ।

ଜାଳାନ୍ତରପ୍ରେଷିତ ଦୃଷ୍ଟିରନ୍ୟା ପ୍ରସ୍ଥାନଭିନ୍ନାଂ ନବବନ୍ଧ ନୀବୀମ ।

ନାଭିପ୍ରବିଷ୍ଟାଭରଣପ୍ରଭେଣ ହସ୍ତେନ ତସ୍ଥାବଲମ୍ବ୍ୟ ବାସଃ ।।’’

 

ଉପେନ୍ଦ୍ର ଭଞ୍ଜ ଉତ୍ସୁକତାର ଚୂଡ଼ାନ୍ତ ଅନୁଭାବ କାଳିଦାସଙ୍କ ପରି ବର୍ଣ୍ଣନା କରି ନାହାନ୍ତି । ମିଥିଳାର ପୁରନାରୀମାନେ ଅସ୍ତବ୍ୟସ୍ତଭାବରେ ନିଜର ଭୂଷା ପିନ୍ଧିବାପାଇଁ ଅବସର ନେଇଅଛନ୍ତି । କାମ ଆସୁଥିବାର ହୁରି ପଡ଼ିଥିବାରୁ କାମାସକ୍ତିର ବିଭ୍ରମ ଉପେନ୍ଦ୍ର ବର୍ଣ୍ଣନା କଲେ । ଭୂଷଣ ନ ପିନ୍ଧିଲେ କାମ ରସିବ ନାହିଁ ବୋଲି ଭାବିଲେ । ବିଶେଷତଃ ସେତେବେଳେ ଦିବାଭାଗରେ ଶୃଙ୍ଗାର-କେଳିର ବର୍ଣ୍ଣନା ଦୂଷଣୀୟ ହୋଇଅଛି :-

 

‘‘ବକ୍ଷସ୍ଥଳରେ କେଉଁ ବାଳା, କିଙ୍କିଣିକି ଲମ୍ବାଇଲ, ଚାପସରୀକି ଖଞ୍ଜିଲା ମଧ୍ୟଦେଶରେ ।

ବେଶକାରୀ କେ କାହାର, ସିନ୍ଦୂର ଦେଲା ପୟର, ଚିତା ଲଲାଟରେ ଲେଖେ ଲାକ୍ଷାରସରେ ।

 

ବିବନ୍ଧ କରି କେ ଚିକୁର । ବେଗେ କଙ୍କତିକାରେ ସାମଳେ ଚାମର ।।

ବସିଥିଲା ପତିକୋଳ କେ ଘେନି ପତିତ ମେଳ ଗତିକରି ଯୁବାଦେଖା ଗତି ସେ କରି ।

ବିପରୀତ କାହା ସାଈଁ ମାଗୁଁ ଦେଖିବା ଆଶାୟୀ ରୀତି ଦୁଇ ପୁଂସେ ଭାସେ ପୁଷ୍ପେ ସଞ୍ଚରି-

 

ବଳା ଖଞ୍ଜୁକେ ବାଳୀ ଭାଷି । ବଲ୍ଲଭେ ଭୁଲାଇ କେବେ ନୁହଇ ଦୋଷୀ ।।’’

ମଥୁରାଦାଣ୍ଡରେ କୃଷ୍ଣ ଯିବାବେଳେ ପୁରନାରୀଙ୍କର ଉତ୍ସୁକତା ବର୍ଣ୍ଣନା ସଂସ୍କୃତଭାଗବତ ପୁରାଣରେ ଦେଖାଯାଏ । ଉପେନ୍ଦ୍ର ଭଞ୍ଜଙ୍କ ପରବର୍ତ୍ତୀ କବି ଭକ୍ତଚରଣ ମଥୁରା-ନାରୀଙ୍କର କୃଷ୍ଣ-ଦର୍ଶନର ଉତ୍ସୁକତା ବର୍ଣ୍ଣନା କରିଅଛନ୍ତି ।

 

ଉପେନ୍ଦ୍ର ଭଞ୍ଜ ଶୃଙ୍ଖଳା, ଗୋମୂତ୍ର, ଯମକ, ଦତ୍ତଚ୍ୟୁତାକ୍ଷର, ଅନ୍ତର୍ଲିପି, ବହିର୍ଲିପି ପ୍ରଭୃତି ଶବ୍ଦାଳଙ୍କାର ଯଦି ଅତିରିକ୍ତ ପରିମାଣରେ ନିଜ ରଚନାରେ ବ୍ୟବହାର କରି ନ ଥାନ୍ତେ, ତେବେ ଓଡ଼ିଶାର ସାଧାରଣ ପାଠକ-ସମାଜରେ ଅନ୍ୟ କବିମାନଙ୍କ ଜ୍ୟୋତିକୁ ଲିଭାଇ ଦେଇଥାନ୍ତେ । ଶୃଙ୍ଖଳା, ଯମକ ପ୍ରଭୃତି କେତେକ ଶବ୍ଦାଳଙ୍କାର ମଧ୍ୟ ବିଭିନ୍ନ ପ୍ରକାରର ଅଟେ । ଆଦ୍ୟ ଯମକ, ପ୍ରାନ୍ତ ଯମକ, ଆଦ୍ୟପ୍ରାନ୍ତ ଯମକ, ଯୋଡି ଯମକ, ମାଳ ଯମକ, ସର୍ବ ଯମକ ପ୍ରଭୃତି ବିଭିନ୍ନ ଯମକାଳଙ୍କାର କବିଙ୍କ କାବ୍ୟରେ ଦେଖାଯାଏ । ଉପେନ୍ଦ୍ରଭଞ୍ଜ କେବଳ ସାଧାରଣ ଶୃଙ୍ଖାଳା ଓ ସିଂହାବଲୋକନ ଶୃଙ୍ଖଳା ବ୍ୟବହାର କରିଥିଲେ । କିନ୍ତୁ ଅଭିମନ୍ୟୁ ଗଙ୍ଗାସ୍ରୋତ ଶୃଙ୍ଖଳା, ମଣ୍ଡୁକପ୍ଲୁତ ଶୃଙ୍ଖଳା ପ୍ରଭୃତି ‘ବିଦଗଧ-ଚିନ୍ତାମଣି’ରେ ବ୍ୟବହାର କଲେ । ଏହା ଛଡ଼ା ଉପେନ୍ଦ୍ର ଓ ଅଭିମନ୍ୟୁ ଅକ୍ଷର-ନିୟମର ରଚନାରେ ଅବନା, ବନା, ନିରୋଷ୍ଠକ, ସରୋଷ୍ଠକ ପ୍ରଭୃତି ବହୁ ବିଚିତ୍ରତା ସୃଷ୍ଟି କଲେ । ଉଦଳିଆପକ୍ଷ ଓ ମୟୂରପକ୍ଷର ଦୃଷ୍ଟାନ୍ତ ଦେଖାଇ ସୃଷ୍ଟି ବିଚିତ୍ର ବୋଲି ଓଡ଼ିଶାରେ ଦାର୍ଶନିକମାନେ ପ୍ରତିପାଦନ କରୁଥିଲେ । ଏଣୁ କବିମାନେ ଭାଷାର ବିଚିତ୍ରତା ଦେଖାଇଅଛନ୍ତି । ଭାଷାକୁ ଯେପରି ଅଳଙ୍କାରରେ ମଣ୍ଡିଅଛନ୍ତି, ନାୟିକାର ବେଶ-ବର୍ଣ୍ଣନାରେ ନାୟିକାକୁ ସେପରି ବହୁ ଆଭରଣରେ ଉପେନ୍ଦ୍ରଭଞ୍ଜ ମଣ୍ଡି ଦେଇଅଛନ୍ତି । ଏସବୁ କଥା ଆଲୋଚନା କଲେ ଖଣ୍ତିଏ ସ୍ୱତନ୍ତ୍ର ଗ୍ରନ୍ଥ ହେବ । ଏଠାରେ କେବଳ ଏତିକି କୁହାଯାଉଅଛି ଯେ ପ୍ରତ୍ୟେକ ପଦର ପ୍ରତ୍ୟେକ ପାଦର ଆଦ୍ୟରେ ‘ସ’ ଓ ‘ବ’ ବର୍ଣ୍ଣର ବ୍ୟବହାର କରି ଭଞ୍ଜକବି ଯଥାକ୍ରମେ ‘ସୁଭଦ୍ରାପରିଣୟ’ ଓ ‘ବୈଦେହୀଶବିଳାସ’ ରଚନା କରିଥିଲେ । ‘କଳାକଉତୁକ’ ରଚନାର ପ୍ରତ୍ୟେକ ପଦର ପ୍ରତ୍ୟେକ ପାଦର ଆଦ୍ୟରେ, ମଧ୍ୟରେ ଓ ପ୍ରାନ୍ତରେ ‘କ’ ବର୍ଣ୍ଣର ବ୍ୟବହାର ଦେଖାଯାଏ । ‘ରସପଞ୍ଚକ’ରେ ବିଭିନ୍ନ ରସର ଓ ନାୟକ-ନାୟିକାଙ୍କ ଲକ୍ଷଣ ସନ୍ନିବେଶିତ ହୋଇଥିବାରୁ ଏହାକୁ ପ୍ରାଚୀନ ଓଡ଼ିଆ-ସାହିତ୍ୟର ଅଳଙ୍କାର ଗ୍ରନ୍ଥ କୁହାଯାଇପାରେ । ଏଥିରେ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଲକ୍ଷଣ ଅବଶ୍ୟ ନାହିଁ । ତାନ୍ତ୍ରିକ ପୂଜାରେ ଯନ୍ତ୍ର ନିର୍ମାଣ କରି ତହିଁରେ ଦେବୀଙ୍କ ମନ୍ତ୍ର ବିଭିନ୍ନ ସ୍ଥାନରେ ନିହିତ କଲାଭଳି ପଦେ ଦି’ପଦ ଗୀତର ବର୍ଣ୍ଣଗୁଡ଼ିକ ରଥ, ସର୍ପ ପ୍ରଭୃତି ଆକୃତିର ଚିତ୍ରମାନଙ୍କରେ ବିଭିନ୍ନ ସ୍ଥାନରେ ନିହିତ କରିବା ପ୍ରଣାଳୀ ‘ଚିତ୍ରକାବ୍ୟ ବନ୍ଧୋଦୟ’ରେ ଅଛି । ଏହା ପ୍ରାଚୀନ ଯୁଗର ଗୁପ୍ତ ପ୍ରଣୟ-ପତ୍ରର ନିଦର୍ଶନ ବୋଲି ମନେ ହୁଏ । ଅଳ୍ପକାଳ ପୂର୍ବେ କୌଣସି କୌଣସି ରାଜଜେମାମାନଙ୍କ ସହିତ ଇତର ଜାତିର ଲୋକଙ୍କର ଗୁପ୍ତ ପ୍ରଣୟ ଥିଲା ବୋଲି ପ୍ରବାଦ ଅଛି । ସେମାନଙ୍କର ଏପରି ବନ୍ଧ-ଗୀତର ପ୍ରୟୋଜନ ଥିଲା ।

 

ଭାବିନୀରତ, ଭାବବତୀଲକ୍ଷଣା ପ୍ରଭୃତି କେତୋଟି ପଦରୁ ଅନ୍ୟ ଅର୍ଥ ଗ୍ରହଣ କରିବାପାଇଁ ସେଗୁଡିକୁ ଯଥାକ୍ରମେ ଭାବିନୀ ରତ, ଭାଗବତ ସଲକ୍ଷଣାରୂପରେ ଭଞ୍ଜଙ୍କ ସୁଭଦ୍ରାପରିଣୟ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ବୈଦେହୀଶ-ବିଳାସରେ ପାଠ କରିବାକୁ ହୁଏ । ଅଭିମନ୍ୟୁ ମଧ୍ୟ ଶବ୍ଦାଳଙ୍କାରପାଇଁ ଏହି ପଦଗୁଡିକୁ ଏପରି ବ୍ୟବହାର କରିଅଛନ୍ତି । ନାୟିକାର ରୂପ ଓ ବରନିର୍ବାଚନ-ଚିନ୍ତାର ବର୍ଣ୍ଣନା ନିମ୍ନୋଦ୍ଧୃତ ପ୍ରକାରରେ ଭଞ୍ଜଙ୍କ ଅନେକ କାବ୍ୟରେ ଓ ଅନ୍ୟାନ୍ୟ କେତେକ କବିଙ୍କ କାବ୍ୟରେ ଏକାପରି ଦେଖାଯାଏ :-

 

‘‘ମୁଖ ହେବ ଏମନ୍ତ ବିଚାରି ପଦ୍ମମଧୁ । ହସ୍ତବଳା କରି ଆଗୁଁ ଗଢ଼ିଗଲା ସାଧୁ I।

ତହୁଁ ବାସ ଆହାଲାଦ, ଦର୍ପଣରୁ ଝଳି । ଲହରୀରୁ କୁଟିଳ ଅଞ୍ଜନପୁଞ୍ଜକାଳୀ ।।

କୁରଙ୍ଗରୁ ତରଙ୍ଗ ବିଦ୍ରୁମରୁ ରଙ୍ଗ ହରି । ଲବଣୀ ଶିରୀଷରୁ କୋମଳ ବଳେ ତୁଳି ।

ସୁବର୍ଣ୍ଣରୁ ବର୍ଣ୍ଣ ଗତି, ହଂସଠାରୁ ଗତି । ଏରୂପ ଉପମାବର୍ଗ ଯେତେକ ଅଛନ୍ତି ।।’’

(ଲା: ବ:, ଛା:୨)

‘‘ଶୁଣିଲେ ହରି-ଶୋଭ ହରି ତୋଷରେ । ହରି ଘେନିଯିବେ ଅବା ବିଧିବଶରେ ।।

ନୃପତି ହୋଇ ପ୍ରମାଦ ସମ୍ପତ୍ତି ବାଧ । ଶିରୀ ସ୍ନେହ ତୁଟିଗଲେ ସେ ହେବେ କୋଧ ।।

ଶିବଙ୍କୁ ଦେଲେ ପାର୍ବତୀ ଶାପ ପଡ଼ିବ । ଭସ୍ମଭୂଷଣ ଅଙ୍ଗେ କେହି ଜଡ଼ିବ ।

ଚନ୍ଦ୍ର ତ କ୍ଷୀଣ କଳଙ୍କୀ ତହୁଁ କି ସୁଖ । ଅଶ୍ୱିନି-କୁମାର ହେଲେ ତୁରଙ୍ଗ-ମୁଖ ।।

କୁସୁମଧନୁ ଅତନୁ ଆଉ ଅଛି କେ । ଚିତ୍ରପଟ ଦେଖାଇବା ମାନବଲୋକେ ।।’’

(ଲା: ବ:, ଛା:୧୦)

 

ଉପେନ୍ଦ୍ର ଭଞ୍ଜ ଯେତେ କାବ୍ୟ ରଚନା କରିଥିଲେ, ତହିଁର ତାଲିକା ସେ ନିଜର ‘ଚିତ୍ରକାବ୍ୟ ବନ୍ଧୋଦୟ’ରେ ଦେଇଅଛନ୍ତି । ଶ୍ରେଣୀବିଭାଗ କରି ଉକ୍ତ ତାଲିକା ତଳେ ଦିଆଯାଉଅଛି:--

 

୧ ।

ଗୀତିକା—ଛପୋଇ, ଗାହା, ଦୋହା, ଦଣପୋଇ, ଚଉତିଶା , ଚଉପଦୀଚନ୍ଦ୍ର, ଚଉପଦୀ ଭୂଷଣ ଓ ଯମକରାଜ ଚଉତିଶା ।

୨ I

ପୌରାଣିକ କାବ୍ୟ—ସୁଭଦ୍ରାପରିଣୟ, ଅବନା ରସତରଙ୍ଗ, ବ୍ରଜଲୀଳା, ରାମଲୀଳାମୃତ, କୁଞ୍ଜବିହାର, ରାହାସ-ଲୀଳା, କଳାକଉତୁକ ଓ ବୈଦେହୀଶ ବିଳାସ ।

୩ ।

କାଳ୍ପନିକ କାବ୍ୟ-ହେମମଞ୍ଜରୀ, ଚିତ୍ରଲେଖା, ଲାବଣ୍ୟବତୀ, ରସଲେଖା, ସୁବର୍ଣ୍ଣରେଖା, କାମକଳା, ମନୋରମା, ପ୍ରେମଲତା, ଭାବବତୀ, ମୁକ୍ତାବତୀ, ପ୍ରେମସୁଧାନିଧି, ରସିକହୀରାବଳୀ, କୋଟି-ବ୍ରହ୍ମାଣ୍ଡସୁନ୍ଦରୀ, ତ୍ରୈଲୋକ୍ୟମୋହିନୀ, ଚନ୍ଦ୍ର କଳା, ଚନ୍ଦ୍ରଲେଖା, ଇଚ୍ଛାବତୀ, କଳାବତୀ, ଶଶିରେଖା, ଶୋଭାବତୀ ଓ ରସମଞ୍ଜରୀ ।

୪ ।

ଆଳଙ୍କାରିକ କାବ୍ୟ-ଛାନ୍ଦଭୂଷଣ, ଚିତ୍ରକାବ୍ୟବନ୍ଧୋଦୟ ଓ ରସପଞ୍ଚକ ।

୫ ।

ବିବିଧ ରଚନା-ଷଡ଼୍‌ଋତୁ, ଗୀତାଭିଧାନ ଓ ପୁରୁଷୋତ୍ତମମାହାତ୍ମ୍ୟ ।

 

ସମଗ୍ର ଓଡ଼ିଆ କାବ୍ୟ ମଧ୍ୟରେ ଲାବଣ୍ୟବତୀ ବେଶି ଜନପ୍ରିୟ ଅଟେ । ସିଂହଳର ରାଜକୁମାରୀ ଲାବଣ୍ୟବତୀ ସହିତ କର୍ଣ୍ଣାଟ ରାଜକୁମାର ଚନ୍ଦ୍ରଭାନୁର ବିବାହ ଏହି କାବ୍ୟର ବର୍ଣ୍ଣିତ ବିଷୟ ଅଟେ ।

 

ଭଞ୍ଜ-କବି ମୟୂରବଂଶୀୟ ହୋଇଥିବାରୁ ମୟୂର-କବିଙ୍କ ସଂସ୍କୃତ ରଚନା ସହିତ କବି ଉପେନ୍ଦ୍ରଙ୍କ ଓଡ଼ିଆ ରଚନା ତୁଳନା କରିବାକୁ ମନ ବଳେ :-

 

‘‘ଏଷା କା ଭୁକ୍ତମୁକ୍ତା ପ୍ରଚଳିତନୟନା ସ୍ୱେଦଲଗ୍ନାଙ୍ଗବସ୍ତ୍ର।

ପ୍ରତ୍ୟୁଷେ ଯାତି ବାଳା ମୃଗ ଇବ ଚକିତା ସର୍ବତଃ ଶଙ୍କୟନ୍ତୀ ।

କେନେଦଂ ବକ୍ତ ପଦଂ ସ୍ଫୁରଦଧରରସଂ ଷଟ୍‌ପଦେନୈବ ପୀତଂ

ସ୍ଵର୍ଗଃ କେନାଦ୍ୟଭୁକ୍ତୋ ହରନୟନହତୋ ମନ୍ମଥଃ କସ୍ୟ ତୁଷ୍ଟଃ ।

ବିଭ୍ରାନ୍ତା ହରିଣୀ-ବିଲୋଳ-ନୟନା ସଂତ୍ରସ୍ତଯୁଥୋଦ୍‌ଜତା ।।

X            X            X

ବାମେନାବେଷ୍ଟୟନ୍ତୀ ଅବିରଳ କୁସୁମଂ କେଶଭାରଂ କରେଣ ।’’

‘‘ପ୍ରିୟ କଞ୍ଜମୁଖ ଚୁମ୍ବି ଥିଲା ଭୃଙ୍ଗ ଖୋଜେ କି ସେହି ପଙ୍କଜ କାହିଁ ।

X            X            X

କେ ଭାଷେ ହରିଣୀ ନବବାଳା ଚଞ୍ଚଳ ଚାହାଁଣି ନ ଛାଡ଼ିଲା,

ଏହିକ୍ଷଣି ସିନା ଫିଟି ଆସିଅଛି କାନ୍ତ ବାହୁ-ପାଶେ ଥିଲା ।

ପ୍ରାତଃ ସମୟ ତ ସ୍ୱଭାବରେ ଖସୁଁ କେଶ-ଖୋଷା ଖୋଷିବାରେ

X            X            X

ନୀବି-ବନ୍ଧ ବୋଲି ସର୍ବେ କହି ବାନ୍ଧୁ ପୁନଃ ପୁନଃ ଫିଟିଯାଇ

X            X            X

ସ୍ୱେଦ ଛାଡ଼ି ନାହଁ ଅଙ୍ଗସୀମା ଲବଣୀ-ପିତୁଳା ନବରାମା ।’’ (କୋ : ବ୍ର : ସୁ )

ଚନ୍ଦ୍ରଶେଖର ଭଞ୍ଜ

ଏ ୧୭୨୫ରୁ ୧୭୬୦ ଖ୍ରୀଷ୍ଟାବ୍ଦପର୍ଯ୍ୟନ୍ତ ବଉଦ ରାଜ୍ୟରେ ରାଜତ୍ୱ କରିଥିଲେ । ଏହାଙ୍କ ରରିତ ‘ପ୍ରେମ-ମଞ୍ଜରୀ ନାମକ’ ଖଣ୍ଡିଏ କାଳ୍ପନିକ କାବ୍ୟ ୧୯୦୦ ଶ୍ରୀଷ୍ଟାବ୍ଦରେ ବଉଦର ଜଗଦୀଶ ପ୍ରେସରୁ ପ୍ରକାଶିତ ହୋଇଥିଲା । ଚନ୍ଦ୍ରଶେଖର ଭଞ୍ଜ ସଂସ୍କୃତ-ସାହିତ୍ୟ ପଢ଼ିଥିଲେ ଓ ଅନ୍ୟାନ୍ୟ କେତେକ ପୁସ୍ତକ ରଚନା କରିଥିଲେ ବୋଲି କାବ୍ୟର ଭୂମିକାରେ ଉଲ୍ଲେଖ ଅଛି । ସେ ଉପେନ୍ଦ୍ର ଭଞ୍ଜଙ୍କ ସମସାମୟିକ ଅଟନ୍ତି । କେରଳର ରାଜକୁମାରୀ ପ୍ରେମ-ମଞ୍ଜରୀ ସହିତ ମଲ୍ଲାର ରାଜା ବିଶ୍ୱକେତୁଙ୍କର ବିବାହ, ବିଚ୍ଛେଦ ଓ ପୁନର୍ମିଳନ ଏହାର ବର୍ଣ୍ଣିତ ବିଷୟ ଅଟେ l କବି ଆରମ୍ଭରେ ଶ୍ଳେଷାଳଙ୍କାରରେ ପଞ୍ଚଦେବତାଙ୍କୁ ସ୍ତୁତି କରିଅଛନ୍ତି । ନାୟକ-ନାୟିକାଙ୍କ ପୁନର୍ଜନ୍ମ ବର୍ଣ୍ଣନା କରି ନାହାନ୍ତି । କେରଳର ରାଜା ଜଣେ କେଳାକୁ ମଲ୍ଲାର ଦେଶକୁ ପଠାଇଥିଲେ । ସେଠାରେ କେଳା ଭୋଜବାଜିରେ କୃଷ୍ଣଙ୍କ ରାସ-ଲୀଳା ଦେଖାଇ ତତ୍ପରେ ପ୍ରେମମଞ୍ଜରୀର ଜଳକେଳି ଦେଖାଇଥିଲା । ନାୟକ-ନାୟିକା ପରସ୍ପର ଚିଟାଉ ମଧ୍ୟ ଆଦାନ-ପ୍ରଦାନ କରିଥିଲେ । ଅବଶେଷରେ ଚାରିଆଡ଼ ରାଜାମାନଙ୍କୁ ଆମନ୍ତ୍ରଣ କରି ‘ଯେ ସିଂହ ଶିକାର କରିପାରିବ, ସେ ପ୍ରେମମଞ୍ଜରୀକୁ ବିବାହ କରିବ’ ବୋଲି ଜଣାଇଥିଲେ । ବିଶ୍ୱକେତୁ ଜୟୀ ହୋଇ ବିବାହ କଲେ; କିନ୍ତୁ ଦିନେ ମୃଗୟାକୁ ଯାଇ ଗନ୍ଧର୍ବ-ବାକ୍ୟରେ ବର୍ଷେକାଳ କାନ୍ତା-ବିଚ୍ଛେଦରେ କଟାଇଲେ ।

 

ଏହି କାବ୍ୟ ପାଠ କଲାବେଳେ ଅନେକ ସ୍ଥଳରେ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀର ପଦମାନ ମନେ ପଡ଼େ । ବନବିହାର ବର୍ଣ୍ଣନା, ନାୟିକାର ବେଶ-ବର୍ଣ୍ଣନା ଓ ମଧୁଶଯ୍ୟା-ବର୍ଣ୍ଣନାରେ ଲାବଣ୍ୟବତୀର ଛାୟା ଲକ୍ଷିତ ହୃଏ । ଷଡ଼ବିଂଶ ଛାନ୍ଦ ତ୍ରିଭଙ୍ଗୀ, ଚକ୍ରସିଂହାବଲୋକନ, ଉପମା, ଅଭୂତୋପମା, ବିଭିନ୍ନ ଯମକ ପ୍ରଭୃତି ଶବ୍ଦାଳଙ୍କାରରେ ରଚିତ ହୋଇଅଛି । ଅନ୍ତର୍ଲିପି-ଅଳଙ୍କାରଟି ବଡ଼ ସରଳ ଅଟେ :-

 

‘‘ଶରଦ ଶେଷେ ଅଛି ହିମ ନୁହଇ ବନ ନୁହେ ଗିରି ଅନ୍ତ ।

ଶୋଭିନୀ ସମୁଦ୍ର ପ୍ରାନ୍ଥସ୍ଥ ପୂର୍ବାଦ୍ରି ନୋହେ ତଟ ସର-ପ୍ରାନ୍ତ ।।

ଶତଧାତ ପାଦ୍ୟ ବସନ୍ତ ନୋହେ ଦିନ ଶେଷ ପ୍ରଦୋଷ ନୋହି ।

ଶଦା ଅଧର ମଧ୍ୟସ୍ଥ ସୁଧା ନୋହେ ସିନ୍ଧୁ ଅବନୀ ପ୍ରାନ୍ତହିଁ ।।

ପୁରୁଷୋତ୍ତମ ମାନଧାତା

ଏ ନୟାଗଡ଼ର ରାଜା ଥିଲେ । ଲୋକେ କହନ୍ତି, ଏହାଙ୍କ ରାଜତ୍ୱ-କାଳରେ ଉପେନ୍ଦ୍ରଭଞ୍ଜ ନୟାଗଡ଼ରେ ବାସ କରୁଥିଲେ । ନୟାଗଡ଼ର ରାଜବଂଶାବଳୀରୁ ଜଣାଯାଏ ଯେ ପୁରୁଷୋତ୍ତମ ସିଂହ ବିନାୟକ ସିଂହଙ୍କର ପିତାମହ ଥିଲେ । ବିନାୟକ ସିଂହ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସିଂହାସନ ଅରୋହଣ କରିଥିଲେ ଓ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଇଂରେଜମାନଙ୍କ ଓଡ଼ିଶା ଅଧିକାର ଉତ୍ତାରୁ କେତେକ ବର୍ଷପର୍ଯ୍ୟନ୍ତ ଜୀବିତ ଥିଲେ । ସୁତରାଂ ପୁରୁଷୋତ୍ତମ ସିଂହ ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ଜୀବିତ ଥିଲେ ବୋଲି ଅନୁମାନ କରାଯାଇପାରେ ।

 

ପୁରୁଷୋତ୍ତମ ମାନଧାତା ‘ଶୋଭାବତୀ’ ନାମକ ଖଣ୍ଡିଏ କାଳ୍ପନିକ କାବ୍ୟ ରଚନା କରିଥିଲେ । ଏହାଙ୍କ ରଚନା-ପ୍ରଣାଳୀରେ ଉପେନ୍ଦ୍ର ଭଞ୍ଜଙ୍କ ମାଳ-ଯମକର ଦୃଷ୍ଟାନ୍ତ ଦେଖାଯାଏ :-

 

‘‘ଅର୍ଦ୍ଧ ହେଲେ ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ର ସୁମୁକୁର ।

X                  X                  X

ନେତ୍ର ଚାହିଁ କମଳ କମଳ କମଳ ରେ ।।’’

ରଘୁନାଥ ଭଞ୍ଜ

ଏ ୧୭୨୮ ଖ୍ରୀଷ୍ଟାବ୍ଦରୁ ୧୭୫୦ ଖ୍ରୀଷ୍ଟାବ୍ଦପର୍ଯ୍ୟନ୍ତ ମୟୂରଭଞ୍ଜର ସିଂହାସନରେ ଅଧିଷ୍ଠିତ ଥିଲେ । ଏ ‘ରସଲହରୀ’ ନାମରେ ଖଣ୍ଡିଏ କାଳ୍ପନିକ କାବ୍ୟ ରଚନା କରିଥିଲେ । ଘୁମୁସରର ତ୍ରିବିକ୍ରମଭଞ୍ଜ ‘କନକଲତା’ରେ ଏକ ପଦରେ ହରିହରଙ୍କୁ ସ୍ତୁତି କଲାପରି ରଘୁନାଥଭଞ୍ଜ ରସଲହରୀରେ ହରିହରଙ୍କୁ ସ୍ତୁତି କରିଅଛନ୍ତି, ଯଥା :-

 

‘‘ଅଭ୍ରକରୀ-କାନ୍ତିଧର ଭୁତେଶ କମଳକର ।’’ (କ: ଲ:)

 

ଅଭିକରୀ-ମେଘ ସଦୃଶ କୃଷ୍ଣବର୍ଣ୍ଣର ହାତୀ ଓ କର୍ପୂର ସଦୃଶ ଶୁକ୍ଳ ଐରାବତ ହାତୀ । କୃଷ୍ଣକାନ୍ତି ହରିଙ୍କର ଓ ଶୁକ୍ଳକାନ୍ତି ହରଙ୍କର ଅଟେ । ଭୂତେଶ ପ୍ରାଣୀଙ୍କର ପ୍ରଭୁ ହରି ଓ ପିଶାଚଙ୍କ ପ୍ରଭୁ ହର । କମଳ-ପଦ ଓ ସର୍ପ ।

 

‘‘ଅରିଦରକର ପରିଶୁଧର । କରେ ଶୋଭିତ କମଳ ଯାହାର ।’’ (ର: ଲ:)

 

ଅରିଦରକର-ଶଙ୍ଖଚକ୍ର କରରେ ଯେ ଧରିଅଛନ୍ତି ଓ ଷଡ଼ରିପୁମାନଙ୍କୁ ଯେ ଭୀତ କରାଉଅଛନ୍ତି । ପରଶୁଧର-ପର୍ଶୁରାମ ଓ ଶିବ । କମଳ-ପଦ୍ମ ଓ ଶିବ ।

 

କୌଣସି ପ୍ରାଚୀନ ଓଡ଼ିଆ କବି ସମୁଦ୍ର ସମ୍ବନ୍ଧରେ ପଦେ କବିତା ଲେଖି ନ ଥିଲେ । ରଘୁନାଥଭଞ୍ଜ ସାଗରରେ ବିଷ୍ଣୁଙ୍କ ରୂପ-ଗୁଣ ଅନୁଭବ କରି କବିତା ଲେଖିଅଛନ୍ତି :-

 

‘‘ଅତିଶୟ ଗଭୀର ଅତିଶୟ ରୁଚିର ଅପାରଗୁଣେ ଅନୁପମ ସେ ଅତି ଧୀର ।

X             X            X            X

ଶ୍ରୀକୃଷ୍ଣ ପ୍ରାୟେ ଚିତ୍ତେ ହୁଅଇ ମୋର ଚିତ୍ତେ ଧରିଛି ବିମଳ କମ୍ବୁକୁ ହେ ଦଣ୍ଡଧର ।’’

 

ନିଃଶଙ୍କ ରାୟ ରାଣୀ

 

ଏହାଙ୍କ ପରିଚୟ ୰ ଶ୍ୟାମସୁନ୍ଦର ରାଜଗୁରୁ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ କରିଥିଲେ । ଜରଡ଼ାର ରାଜା ବାସୁଦେବଙ୍କ କନ୍ୟା ୧୭୮୮ ଖ୍ରୀଷ୍ଟାବ୍ଦରେ ବୁଢ଼ାରସିଂଘର ରାଜାଙ୍କ ସହିତ ବିବାହିତା ହୋଇଥିଲେ । ସ୍ଵାମୀଙ୍କ ସହିତ ମନୋମାଳିନ୍ୟ ଘଟିବାରୁ ପିତୃରାଜ୍ୟ ଜରଡ଼ାକୁ ଚାଲିଆସି କାବ୍ୟ-ରଚନାରେ ଜୀବନ ଅତିବାହିତ କରିଥିଲେ । ଏ ‘ପଦ୍ମାବତୀ-ଅଭିଳାଷ’ ରଚନା କରିଥିଲେ । ଏହି କାବ୍ୟର ବନ-ବର୍ଣ୍ଣନାରେ ଉପେନ୍ଦ୍ରଭଞ୍ଜଙ୍କ ‘ଦଶପୋଇ’ରେ ଥିବା ବନ-ବର୍ଣ୍ଣନାର ଛାୟା ପଡ଼ିଥିବାର ଲକ୍ଷିତ ହୁଏ :-

 

‘‘କୁସୁମ ସମୟ ହୋଇଛି ଉଦୟ ପଲ୍ଲିବିତ ତରୁଲତା,

ବୃକ୍ଷଡାଳେ ଡାଳ ଲାଗିଣ ଗହଳ ବିଭା କି ବର-ବନିତା ।

ସର୍ବତରୁଗଣେ ବରଜାତିପଣେ କରନ୍ତି ବିଭା-ସମ୍ଭାର,

 

ବର-କନ୍ୟାଙ୍କୁ କି ଯଉତୁକ ଦେବେ ବଢ଼ାଇଅଛନ୍ତି କର ।

ଫଳ-ପୁଷ୍ପଭରେ ତରୁଲତାମାନେ ଦିଶନ୍ତି ଏ ଅଧ୍ୟାହାର,

ବନ୍ଧୁଗଣ ଲଇ ଫୁଲବେଶ ହୋଇ ବେଦୀରେ ଯେମନ୍ତେ ବର ।

 

 

ପଲାଶ-ଲତା ପଲାଶ ଦୂର କରି ପୁଷ୍ପେ ହୋଇଛି ସୁବେଶ

ହୋମ-ଅନଳ ଜ୍ୱଳିବା ପରା ଦିଶେ ବର-କନ୍ୟାଙ୍କର ପାଶ ।’’

ବ୍ରଜନାଥ ବଡ଼ଜେନା

ଓଡ଼ିଆ ସାହିତ୍ୟ-କ୍ଷେତ୍ରରେ ଏହାଙ୍କର ଆସନ ଗୌରବମଣ୍ଡିତ । କାରଣ, ଦେଶର ସମସାମୟିକ ଘଟନାକୁ ଅବଲମ୍ବନ କରି କବିତା ଲେଖିବାର ପଥ ବ୍ରଜନାଥ ବଡ଼ଜେନା ପ୍ରଥମେ ଦେଖାଇଦେଲେ । କେତେ ଯୁଦ୍ଧବିଗ୍ରହ ଦେଶରେ ଘଟିଯାଇଅଛି; କିନ୍ତୁ ସେ ସମ୍ବନ୍ଧରେ କୌଣସି କବି ଚିନ୍ତାଧାରା ଏପର୍ଯ୍ୟନ୍ତ ଖେଳାଇ ନ ଥିଲେ । ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୂରଙ୍କ ସଙ୍ଗରେ ମରହଟ୍ଟାମାନଙ୍କର ଯେଉଁ ଯୁଦ୍ଧ ହୋଇଥିଲା, ତାହା ବ୍ରଜନାଥ ବର୍ଣ୍ଣନା କରି ସାହିତ୍ୟର ଅନନ୍ତମୁଖୀ ଗତି ଦେଖାଇଦେଲେ ।

 

୧୭୭୦ରୁ ୧୭୯୦ ଖ୍ରୀଷ୍ଟାବ୍ଦପର୍ଯ୍ୟନ୍ତ ତ୍ରିଲୋଚନ ମହୀନ୍ଦ୍ର ବାହାଦୂର ଢେଙ୍କାନାଳର ସିଂହାସନରେ ଅଧଷ୍ଠିତ ହୋଇଥିଲେ । ଏହାଙ୍କ ରାଜତ୍ୱକାଳରେ ମରହଟ୍ଟାମାନେ ପ୍ରଥମେ ରାଜାରାମଙ୍କ ନେତୃତ୍ୱରେ ଢେଙ୍କାନାଳ ଆକ୍ରମଣ କରି ପରାସ୍ତ ହୋଇଥିଲେ । ତତ୍ପରେ ଚେମନ ବାବୁଙ୍କ ନେତୃତ୍ୱରେ ମରହଟ୍ଟାମାନେ ପୁଣି ଯୁଦ୍ଧ କରି ପରାସ୍ତ ହେଲେ । ମରହଟ୍ଟାମାନଙ୍କ ସହିତ ଢେଙ୍କାନାଳବାସୀଙ୍କର ଏହି ଯୁଦ୍ଧ-ଘଟନା କବି ସମର-ତରଙ୍ଗରେ ବର୍ଣ୍ଣନା କରିଅଛନ୍ତି । ଏହି କାବ୍ୟ କବି ଚେମନ୍ ବାବୁଙ୍କୁ ପଢି ଶୁଣାଇଥିଲେ । ଚେମନ୍ ବାବୁ ରଚନାର ପ୍ରଥମାଂଶ ଶୁଣି କାବ୍ୟର ରସାସ୍ୱାଦନ କରୁଥିଲେ । ଯେତେବେଳେ ନିଜର ଦୂର୍ବଳତାର କାହାଣୀ ଶୁଣିଲେ, ସେତେବେଳେ ସେ କବିଙ୍କ ଉପରେ ବିରକ୍ତ ହୋଇଉଠିଲେ । ଜଣେ କବି ବିପକ୍ଷ ସେନାପତିର ନିନ୍ଦା ବର୍ଣ୍ଣନା କରି ସେହି ସେନାପତିକୁ ଶୁଣାଇବା ଅସାମାନ୍ୟ ସାହସିକତାର ପରିଚୟ ଅଟେ । ମରହଟ୍ଟାମାନଙ୍କ ଯୁଦ୍ଧ-ମନ୍ତ୍ରଣା ହିନ୍ଦୀଭାଷାରେ ରଚନା କରି ସାହିତ୍ୟର ସ୍ଵଭାବୋକ୍ତି ଅଳଙ୍କାର କବି ଅନୁସରଣ କରିଥିଲେ । ଢେଙ୍କାନାଳ ରାଜାଙ୍କ ସହ ପାଇକମାନଙ୍କର ଉକ୍ତି-ପ୍ରତ୍ୟୁକ୍ତିରୁ ଓଡ଼ିଆ ଭାଷା ବୀରରସ ବର୍ଣ୍ଣନାର କିପରି ଉପଯୋଗୀ, ତାହା ପାଠକେ ରୁଝିପାରିବେ :-

 

‘‘ପ୍ରାଣକୁ ଆଶା ରଖିଛି ଯେହୁ କହୁଛି ଏତେବେଳୁ ସେ ଯାଉ ।

ମରିବା ଲୋକ ମୋ ପାଖେ ଥାଉ, ଚେମଣା ବାବୁ ଯେ ।

ତୁଛା ଛିଣ୍ଡାଉ ନିଶକୁ ମୋଡ଼ି କାଳ ଅଛି ଏତିକି ବେଳକୁ ପଡ଼ି ଯେ ।

 

କେହୁ ପାଢ଼ କେହୁ ମରଦ ଚିହ୍ନା ଏହି ଠାବରେ ପଡିବ ସିନା ।

ଛାଡ଼ିଣ ଦେବା ଗୋବରା ପରା ପାଟ ଉପାଡ଼ି ଯେ ।

ଶୁଣି ଏମନ୍ତ ବଚନ ତହିଁ ନିଶେ ନିଃଶଙ୍କେ କର ପକାଇ

 

ସହି ନ ପାରି ବୋଇଲେ କେହି, ଚିହ୍ନରା ନାହିଁ ଯେ ।

ଖାଉନ୍ଦ ବୋଲି ବୋଇଲ ଏହା ନୋହିଲେ ନିକି ଯାଆନ୍ତା ସୁହା

କେବଳ ଗଣ୍ଡି ଦେଖିବ, ମୁଣ୍ଡ ଦେଖିବ ନାହଁ ଯେ ।’’

 

ଊନବିଂଶ ଶତାବ୍ଦୀର ଶେଷପାଦ ପୂର୍ବରୁ (ଖ୍ରୀ:୧୮୭୫) ହଣ୍ଟର ସାହେବ ପ୍ରାଚୀନ ଓଡ଼ିଆ କବି ଓ କାବ୍ୟମାନଙ୍କର ତାଲିକା ପ୍ରସ୍ତୁତ କରାଇଥିଲେ । ସେହି ତାଲିକା ମଧ୍ୟରେ ବ୍ରଜନାଥ ‘ଅମ୍ବିକା ବିଳାସ’ ନାମରେ ଖଣ୍ଡିଏ କାବ୍ୟ ରଚନା କରିଥିଲେ ବୋଲି ଉଲ୍ଲେଖ ଅଛି । ସେତେବେଳେ କୌଣସି ‘ଅମ୍ବିକା-ବିଳାସ’ ନାମକ ପୋଥିରେ ଭଣତି ଦେଖି ସେପରି ତାଲିକା ପ୍ରସ୍ତୁତ ହୋଇଥିବ । କେନ୍ଦୁଝରର ରାଜା ବଳଭଦ୍ରଭଞ୍ଜଙ୍କ କୃତିସ୍ୱରୂପ ଅମ୍ବିକା ବିଳାସ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କଦ୍ଵାରା ପ୍ରକାଶିତ ହେଲା । ଏଣୁ ବାଦବିବାଦ ଲାଗିଲା । ସତ୍ୟାନୁସନ୍ଧିତ୍ସୁ ଗବେଷକମାନେ ଅମ୍ବିକା ବିଳାସ ବ୍ରଜନାଥଙ୍କ କୃତି ବୋଲି ପ୍ରମାଣ କରିବାକୁ ଛାଡ଼ିଲେ ନାହିଁ । ‘ସହକାର’ ପତ୍ରିକାରେ (୨୧ଶ ଭାଗ, ୭ମ-୧୨ଶ ସଂଖ୍ୟା) ଶ୍ରୀଯୁକ୍ତ ସୁଧାକର ପଟ୍ଟନାୟକ ଅଖଣ୍ଡନୀୟ ଯୁକ୍ତିବଳରେ ଅମ୍ବିକାବିଳାସ ବ୍ରଜନାଥଙ୍କ କୃତି ବୋଲି ପ୍ରମାଣ କରିଅଛନ୍ତି । ବ୍ରଜନାଥ ନିଜ ରଚିତ ‘ରାଜସଭା’ ନାମକ କାବ୍ୟରେ ଲେଖିଅଛନ୍ତି :-

 

‘‘ବର୍ତ୍ତମାନ ଯେତେ ଗୁଣ, କହିବି ଗୋସାଇଁ ଶୁଣ, ସଂସ୍କୃତ ପ୍ରାକୃତ ହିନ୍ଦୁସ୍ଥାନୀ ବଙ୍ଗଳା ଢେଲିଙ୍ଗୀ ଭାଷାରୁ କିଛି, ଏରୂପେ ଗୀତ କରିଛି, ଚଉପଦୀ ଚଉତିଶା ବିବିଧ ରଚନା ଛାନ୍ଦ, ବୋଲି, ପୋଇ, ପ୍ରବନ୍ଧ, ଦଣ୍ଡକ, ଚୂର୍ଣ୍ଣକ ଆଦି ଶକାର ବନ୍ଧ । ଅ-ଅକ୍ଷର ନିୟମ ଅମ୍ବିକା-ବିଳାସ କୁମାର-ଚରିତ ଶିବ-ଉମା-ବିବାହ, ଛଳ, ଶ୍ଳେଷ, ଅନୁପ୍ରାସ, ଅକ୍ଷର ଅବନା ନ୍ୟାସ, ଶୃଙ୍ଗାର କୁତୁକ ରସସନ୍ଦର୍ଭ ଊହ, ଅଳଙ୍କାର କାବ୍ୟ ଲକ୍ଷଣ, ପ୍ରଶ୍ନୋତ୍ତର ଭଙ୍ଗୀ ଅର୍ଥ ବହୁ ଭୂଷଣ । ଅଦଭୁତ ଆଭାଷଣ, ବିରୋଧ ନିନ୍ଦାରୁ ପୁଣ, ମହିମା ପ୍ରତାପ ଯଶ ପୁଣ୍ୟ ବୈରାଗ୍ୟ ଋତୁକାମ ଚିତ୍ରୋପମା, ଉଦାହରଣ ସୁଷମା, ଦୃଷ୍ଟାନ୍ତର ସ୍ଵର ମିତ୍ରାକ୍ଷର ସଂଯୋଗ, ବାଲ୍ୟ ଯୁବା ବୟସସନ୍ଧି, ରତି ରତାନ୍ତ ସୁଷମା ବେଶ ଯେ ବିଧି । ଗରବ କରି ମୁଁ ଏହା, କହୁ ନାହିଁ ମହା-ରାଜ ମୋ କର୍ତ୍ତବ୍ୟ ଅନୁସାରେ କରିଛି, ନାମ ଶ୍ୟାମା ରାସୋତ୍ସବ ଶକାରେ ବୋଲିଛି ରାସଲୀଳାକୁ ଇଛି, ବିଚକ୍ଷଣା ପନ୍ଦର ଛାନ୍ଦ, ବ ବା ବି ବୁ ବେ ବୈ ବୋ ବୌ କ୍ରମେ ପ୍ରବନ୍ଧ ।।’’

 

ଅ-ଅକ୍ଷର ନିୟମରେ ଅମ୍ବିକା-ବିଳାସ ବ୍ରଜନାଥ ରଚନା କରିଥିବାର ଯେଉଁ ପତ୍ରରେ ଲେଖାଅଛି, ତାହାର ପ୍ରତିକୃତି ସୁଧାକର ବାବୁ ଛପାଇ ନାହାନ୍ତି । ଯେଉଁ ରାଜସଭା କାବ୍ୟରେ ଉଦ୍ଧୃତ ପଦମାନ ଲେଖା ଅଛି, ସେ କାବ୍ୟଖଣ୍ଡିକ ମଧ୍ୟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ତଥାପି ବ୍ରଜନାଥଙ୍କ ଉତ୍ତରାଧିକାରୀମାନଙ୍କଠାରୁ କୌଣସି ସ୍ୱାର୍ଥସିଦ୍ଧିର ଆଶା ରଖି ସୁଧାକର ବାବୁ ବ୍ରଜନାଥଙ୍କ ପକ୍ଷରେ ଓକିଲାତି କରିଥିବାର ସମ୍ଭବପର ନୁହେଁ । ଢେଙ୍କାନାଳ ସାହିତ୍ୟ-ଚର୍ଚ୍ଚାରେ ଗୋଟିଏ କେନ୍ଦ୍ର ଥିବାର ମୁଁ ଜାଣେ । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ଆଦ୍ୟ ଭାଗରେ ନୟାଗଡ଼ର ପଣ୍ଡିତ ତ୍ରିଲୋଚନ ମିଶ୍ର (ଡାକନାମ-ତିଳ ପଣ୍ଡିତ) ଓ ଦ୍ୱିତୀୟଭାଗରେ କବି ଯତୁମଣି ଢେଙ୍କାନାଳର ରାଜାଙ୍କଦ୍ୱାରା ସମ୍ମାନିତ ହୋଇଥିଲେ । ଯଦୁମଣିଙ୍କ ଉତ୍ତାରେ ପ୍ରାୟ ୧୮୬୩ ଖ୍ରୀଷ୍ଟାବ୍ଦରେ ମୋର ପିତୃବ୍ୟ କାଶୀନାଥ ମିଶ୍ର ଢେଙ୍କାନାଳ ରାଜାଙ୍କଠାରୁ ସମ୍ମାନ ଓ ପୁରସ୍କାର ପାଇଥିଲେ । ଏହିପରି ବିବିଧ କାରଣରୁ ଢେଙ୍କାନାଳର ବ୍ରଜନାଥ ଉପେନ୍ଦ୍ରଭଞ୍ଜଙ୍କ ଶୈଳୀ ଅନୁସରଣ କରି ଅମ୍ବିକା-ବିଳାସ ରଚନା କରିବାର ପ୍ରମାଣିତ ହେଉଅଛି । ବ୍ରଜନାଥଙ୍କଠାରେ ଅସାଧାରଣ କବି ପ୍ରତିଭା ଥିଲା । ପ୍ରାଚୀନ ଓଡ଼ିଆ-ସାହିତ୍ୟରେ ମାର୍କିତ ଓଡ଼ିଆ ଗଦ୍ୟରଚନାର ନିଦର୍ଶନ ସେ ନିଜ ରଚିତ ‘ଚତୁର-ବିନୋଦ’ରେ ରଖିଯାଇଅଛନ୍ତି :-

 

‘‘ହର୍ଷମତି ଦେଖିଲା ମାତ୍ରକେ ବୋଇଲା, ଆହା ! ଆହା ! କି କଲ ! କି କଲ ! କି ପଦାର୍ଥକୁ ଏଡ଼େ ଦଶା ଦେଲ । ଏହାକୁ ତ ଦେବତା ‘ନଟ’ ରଖି ନାହିଁ । ହୃଦରେ ବସିଲା, ରକତ ଶୋଷିଲା, ଥାନ ମୁଦ୍ରା ନାଶିଲା .....।’’

 

ବ୍ରଜନାଥ ହାସ୍ୟରସ-ରଚନାରେ ନିପୁଣତା ଦେଖାଇଅଛନ୍ତି । ତାହାଙ୍କ ପୂର୍ବରୁ କୌଣସି ପ୍ରାଚୀନ ଓଡ଼ିଆ କବି ହାସ୍ୟରସ ଫୁଟାଇବାକୁ ମନ ବଳାଇ ନ ଥିଲେ :-

 

‘‘ଦଉଡ଼ିରେ ଗୁନ୍ଥିଦେବି କଉଡ଼ିର ମାଳା । ଗେଣ୍ଡାର ସୁନ୍ଦର ନୋଥ ନାକେ ଦେବି ବାଳା ।।

ଖପରାପଦକ-ଚକି ମୃତ୍ତିକାର ବଳା । ବଡ଼ ବଡ଼ ଗରଗଡ଼-ହାର ଦେବି ବାଳା ।।

ନେତ୍ରେ ଗେରୁ ଗୋଳି ଦେବି ରାତ୍ରିଚରମୁଖି । ଜୁଣ କାଟି ବାସ ବୁଣି ପିନ୍ଧାଇବି ସଖି ।’’

(ତ: ବି:)

 

ବ୍ରଜନାଥ ସମରତରଙ୍ଗ, ଗୋପୀବିଳାପ, ଗୁଣ୍ଡିଚାବିଜେ, ଚତୁର-ବିନୋଦ, ଶ୍ୟାମରାସୋତ୍ସବ, କେଳିକଳାନିଧି, ବିଚକ୍ଷଣା, ତ୍ରିଭୁବନସୁନ୍ଦରୀ, ରାଜସଭା, ରାଜନଙ୍କୁ ଛଳୋକ୍ତି, ବିଦେଶାନୁଚିନ୍ତା, ଚଣ୍ଡୀମାଳଶ୍ରୀ, ଦଶପୋଇ ଓ ଅନ୍ୟାନ୍ୟ ଅନେକ ଚଉପଦୀ ରଚନା କରିଥିଲେ । ଏଥିମଧ୍ୟରୁ ପ୍ରଥମୋକ୍ତ ପାଞ୍ଚୋଟି କାବ୍ୟ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ଲାଗି ଅମ୍ବିକା-ବିଳାସ ଦେଖିବାକୁ ପାଇଲୁ । କବି ଶୋଚନୀୟ ଆର୍ଥିକ ଅନଟନରେ ଜୀବନ ଅତିବାହିତ କରିଥିବାର ସେ ଲେଖିଯାଇଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ମୃତି ଆମେ ଜାଗରୂକ ରଖିପାରିଲେ ଆମର ଶୁଷ୍କ କୃତଜ୍ଞତାର ନିଦର୍ଶନ କରିପାରେ ।

ନୃସିଂହ କବିଚନ୍ଦ ରାୟଗୁରୁ

ଏହାଙ୍କ ରଚିତ ରାଜା ସୋମନାଥ ସିଂହ ଜଗଦ୍ଦେବ ନାମକ କବିତା ପୁସ୍ତକଟି ଶ୍ରୀଯୁକ୍ତ ସୁଧାକର ପଟ୍ଟନାୟକଙ୍କଦ୍ୱାରା ବର୍ଷେ ହେଲା ପ୍ରକାଶିତ ହୋଇଅଛି । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅନୁଗୁଳ ରାଜ୍ୟର ସିଂହାସନ ଅଧିକାରପାଇଁ ତତ୍ରତ୍ୟ ରାଜପରିବାରରେ ବିବାଦ ଲାଗିଲା । ସେତେବେଳେ ଇଂରେଜ ସରକାର ଓଡ଼ିଶା ଅଧିକାର କରିଥିଲେ; କିନ୍ତୁ ଦେଶରେ ଶାସନ-ଶୃଙ୍ଖଳା ଦୃଢ଼ କରିପାରି ନ ଥିଲେ । କେତେ ବର୍ଷ ବିବାଦ ଲାଗିବା ଉତ୍ତାରେ ଇଂରେଜ ସରକାର ସୋମନାଥସିଂହ ସିଂହାସନର ନ୍ୟାଯ୍ୟ ଉତ୍ତରାଧିକାରୀ ବୋଲି ନିଷ୍ପତ୍ତି ଦେଲେ । ସୋମନାଥ ସିଂହ ରାଜା ହେଲେ । ସେତେବେଳେ ଇଂରେଜଶାସନ ଦୃଢ଼ ନ ହୋଇଥିବାରୁ ରାଜାମାନେ ଆପଣା ଆପଣା ମଧ୍ୟରେ ଲାଗିବା ବିବାଦକୁ ନିଜ ଶକ୍ତି ପ୍ରୟୋଗ କରି ମେଣ୍ଟାଉଥିଲେ-। ଢେଙ୍କାନାଳର ରାଜା କୌଣସି ପୂର୍ବ ବୈରତାର ପ୍ରତିଶୋଧ ନେବାପାଇଁ ଅନୁଗୁଳ ଆକ୍ରମଣ କରି ପରାସ୍ତ ହେଲେ; କିନ୍ତୁ ଅନୁଗୁଳର ଶାନ୍ତି-ଶୃଙ୍ଖଳା ଭାଙ୍ଗି ଅନୁଗୁଳ ଇଂରେଜଙ୍କ ଖାସ ଦଖଲକୁ ଆସିଲା । ପ୍ରକାଶକ ପୁସ୍ତକର ମୁଖବନ୍ଧରେ ସୋମନାଥଙ୍କ ସିଂହାସନ-ଆରୋହଣର ପୂର୍ବରୁ ତାଙ୍କ ମୃତ୍ୟୁପର୍ଯ୍ୟନ୍ତ ଅନୁଗୁଳର ସବିଶେଷ ଇତିହାସ ଲିପିବଦ୍ଧ କରିଅଛନ୍ତି । ନୃସିଂହ କବିଚନ୍ଦ୍ର ରାୟଗୁରୁ ସୋମନାଥ ସିଂହଙ୍କ ଜୀବନର କେତୋଟି ଘଟନା ଆଲୋଚ୍ୟ ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି । କବି ୧୮୮୨ ବା ୧୮୮୩ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଘର ଅନୁଗୁଳରେ ଥିଲା ଓ ସେ ଅନୁଗୁଳର ରାଜାଙ୍କ ଠାରୁ ‘କବିଚନ୍ଦ୍ର’ ଉପାଧି ପାଇଥିଲେ ।

ବଳଦେବ ରଥ କବିସୂର୍ଯ୍ୟ ରାୟଗୁରୁ

ଏହାଙ୍କ ଜୀବନୀ ସମ୍ବନ୍ଧରେ ପଣ୍ଡିତ କୁଳମଣି ଦାସ ‘‘କବିସୂର୍ଯ୍ୟ-ଗ୍ରନ୍ଥାବଳୀ’’ ନାମକ ପୁସ୍ତକର ମୁଖବନ୍ଧରେ ବିସ୍ତର ଆଲୋଚନା କରିଅଛନ୍ତି । ତାଙ୍କ ମତରେ କବିସୂର୍ଯ୍ୟ ୧୭୮୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ । ସୂକ୍ଷ୍ମ ଆଲୋଚନାଫଳରେ ଏହି ସାଲମାନ କେତେବେଳେ ସାମାନ୍ୟ କେତେ ବର୍ଷ ଏପାଖ ସେପାଖ ହୋଇପାରେ । ବର୍ତ୍ତମାନ ଏହାକୁ ସଠିକ୍ ବୋଲି ଗ୍ରହଣ କରିବାକୁ ହେବ । ପଣ୍ଡିତ ମହାଶୟ କବିଙ୍କ କୁଳ ସମ୍ବନ୍ଧରେ ଯେତେ କିଂବଦନ୍ତୀ ଉଲ୍ଲେଖ କରିଅଛନ୍ତି; ସେଗୁଡ଼ିକର ସୃଷ୍ଟି ବୈଜ୍ଞାନିକ ଆଲୋଚନା ହୋଇନାହିଁ । ଏଠାରେ ଆଲୋଚନା କରିବାପାଇଁ ଅବକାଶ ନାହିଁ । ବାଜପେୟୀ ରଥଶ୍ରେଣୀର ଗୋଟିଏ ଶାଖାକୁ ଦକ୍ଷିଣ ସାହିଆ କହନ୍ତି । କିଂବଦନ୍ତୀ ଅନୁସାରେ ଏମାନେ ଗ୍ରାମର ଦକ୍ଷିଣ ସାହିରେ ବାସ କରୁଥିଲେ । କିଂବଦନ୍ତୀର ମର୍ମ ଏହି ଯେ ଏମାନେ ବାମାଚାରୀ ତାନ୍ତ୍ରିକ ନୋହି ଦକ୍ଷିଣାଚାରୀ ବା କୌଳ-ତାନ୍ତ୍ରିକ ଥିଲେ । ଯୋଗ ଅନୁସାରେ ଯେଉଁମାନେ ମସ୍ତକର ମଣି ବା ଜ୍ଞାନକୁ ଧ୍ୟାନ କରୁଥିଲେ, ସେମାନେ ମଣିପୁରିଆ ରଥ ନାମରେ ଅଭିହିତ ହୋଇଥିଲେ । ବାଣପୁରରେ ତାନ୍ତ୍ରିକ ପୂଜା ପ୍ରବଳ ଥିଲା ଓ ସେଠାରେ ମଣିପୁର-ଶାସନରେ ମଣିପୁରିଆ ରଥମାନେ ଥିଲେ । ବର୍ତ୍ତମାନ ସେଠାରେ ଗୋଟିଏ ମାତ୍ର ପରିବାର ଅଛି । ଏହି ରଥମାନେ କୁଳୀନ ବ୍ରାହ୍ମଣଶ୍ରେଣୀର ଅନ୍ତର୍ଗତ ଅଟନ୍ତି । କୌଳ ମଣି-ଧ୍ୟାନୀ ରଥଙ୍କୁ କିଂବଦନ୍ତୀରେ କୁଳମଣି ରଥ କୁହାଯାଇଅଛି । ମଣିପୁରରୁ କବିସୂର୍ଯ୍ୟଙ୍କ ପିତା ଉଜ୍ଜ୍ୱଳ ରଥେ ବଡ଼ଖେମୁଣ୍ଡି ଯାଇଥିଲେ । ସେଠାରେ ବଳଦେବ ରଥ ଜନ୍ମଗ୍ରହଣ କରିଥିଲେ । ପିତା ତାହାଙ୍କୁ ସଂସ୍କୃତ-ଭାଷାରେ ଶିକ୍ଷା ଦିଆଉଥିଲେ । କିନ୍ତୁ କବିଙ୍କର ପ୍ରାୟ ଦଶ ବର୍ଷ ବୟସରେ ମାତୃ-ବିୟୋଗ ଘଟିଥିଲା । ତେଣୁ ସେ ତତ୍ପରେ ତାଙ୍କ ଅଜାଘରେ ରହି ପାଠ ପଢ଼ିଲେ । ପନ୍ଦର ବର୍ଷ ବୟସରେ କବି ବିବାହ କରିବାର କେତେକ ମାସ ଉତ୍ତାରୁ ତାହାଙ୍କର ପିତୃବିୟୋଗ ଘଟିଥିଲା ।

 

ପଣ୍ଡିତ କୁଳମଣି ଦାଶଙ୍କ ସଂଗୃହୀତ ପ୍ରବାଦ ଅନୁସାରେ କବିଙ୍କ ଜ୍ୟେଷ୍ଠଭାତା ସପରିବାର ଜଳନ୍ତରକୁ ଗଲାବେଳେ ବଳଦେବଙ୍କୁ ସଙ୍ଗରେ ଘେନିଯାଇଥିଲେ ଓ ସେଠାରେ କବି ରାଜକର୍ମଚାରୀରୂପେ ନିଯୁକ୍ତ ରହି ଚନ୍ଦ୍ରକଳା କାବ୍ୟ ରଚନା କରିଥିଲେ । ତତ୍ପରେ ଆଠଗଡ଼ର ରାଜା ବାଲୁଙ୍କେଶ୍ୱର ଜଗଦ୍ଦେବଙ୍କ ଆମତ୍ରଣରେ ସେ ଆଠଗଡ଼କୁ ଆସିଲେ । ସେଠାରୁ ସେ ପୁରୀ ଯାଇ ପୁରୀରାଜା ମୁକୁନ୍ଦଦେବଙ୍କଠାରୁ ‘କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର’ ଉପାଧି ସନନ୍ଦ ସହ ପାଇଥିଲେ । କିନ୍ତୁ ବାଲ୍ୟକାଳରେ ବୃଦ୍ଧମାନଙ୍କ କଥୋପକଥନବେଳେ ମୁଁ ଶୁଣିଥିଲି ଯେ ‘କିଶୋର-ଚନ୍ଦ୍ରାନନ୍ଦ ଚମ୍ପୂ’ ରଚନା କରିସାରିବାର କେତେକ ବର୍ଷ ଉତ୍ତାରେ କବିଙ୍କ ଚରିତ୍ର ବିଷୟରେ ଆଠଗଡ଼ର ରାଜା ସନ୍ଦେହ କରିଥିଲେ । ଏଣୁ କବି ଜଳନ୍ତର ଯାଇ ସେଠାରେ ରାଜାଙ୍କ ଆଶ୍ରୟରେ ରହି ଚନ୍ଦ୍ରକଳା ରଚନା କରିଥିଲେ । ସେ କାଳରେ ପଣ୍ଡିତମାନେ ବିଭିନ୍ନ ରାଜ୍ୟର ରାଜସଭାକୁ ଯାଇ ସେଠାକାର ରାଜାଙ୍କ ପାଖରେ ଆପଣାର ପ୍ରତିଭାର ପରିଚୟ ଦେଇ ପୁରସ୍କୃତ ହେଉଥିଲେ । ଏଣୁ ଆଲୋଖ୍ୟ କିଛି ଜଳନ୍ତରରେ ରାଜକର୍ମଚାରୀରୂପେ ନିଯୁକ୍ତ ହୋଇଥିବା ସମ୍ଭବପର ହେଉ ନାହିଁ । କବିସୂର୍ଯ୍ୟ ବହୁବାର ନୟାଗଡ଼ର ରାଜସଭାକୁ ଯାଇଥିବାର ଓ ବିଭିନ୍ନ ରାଜସଭାରେ ଯଦୁମଣି ଓ କବିସୂର୍ଯ୍ୟଙ୍କ ମଧ୍ୟରେ କବିତ୍ୱ-ପ୍ରତିଭାର ପ୍ରତିଯୋଗିତା ହୋଇଥିବାର ୰ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କଦ୍ଵାରା ଊନବିଂଶ ଶତାବ୍ଦୀର ଶେଷଭାଗରେ ପ୍ରକାଶିତ ‘ଯଦୁମଣି-ରହସ୍ୟ’ ନାମକ ପୁସ୍ତକରେ ଉଲ୍ଲେଖିତ ଅଛି ।

 

ବଳଦେବ ରଥ କବିସୂର୍ଯ୍ୟ କିଶୋରଚନ୍ଦ୍ରାନନ୍ଦ-ଚମ୍ପୂ, ଚନ୍ଦ୍ରକଳା ଓ ରାଧାକୃଷ୍ଣଙ୍କ ଅନୁରାଗସମ୍ବଳିତ ଅନେକ ସଙ୍ଗୀତ ରଚନା କରିଥିଲେ । ଭଞ୍ଜକବିଙ୍କ ଲାବଣ୍ୟବତୀର ଅନୁକରଣରେ ସେ ଚନ୍ଦ୍ରକଳା ରଚନା କରିଥିଲେ । ପୂର୍ବଜନ୍ମର ସଂସ୍କାର ଅନୁସାରେ ପରଜନ୍ମରେ ଜୀବର ବୁଦ୍ଧି-ବୃତ୍ତି ବିକଶିତ ହୁଏ ବୋଲି ବୌଦ୍ଧ ଓ ନୈୟାୟିକମାନେ ସ୍ୱୀକାର କରୁଥିଲେ । ଏଣୁ ‘‘ପୂର୍ବଜନ୍ମନି ଯା ବିଦ୍ୟା ପୂର୍ବଜନ୍ମନି ଚ ଯା କନ୍ୟା-ଅଗ୍ରେ ଧାବତି ଧାବତି’’ ଶ୍ଳୋକଟି ପ୍ରଚଳିତ ଥିଲା । ସାଧାରଣ କଥାରେ ଅଛି, ‘‘ଯାହା ହାଣ୍ଡିରେ ଝିଅ ଚାଉଳ ପକାଇଥିବ, ତାକୁ ସେ ବିଭା ହେବ ।’’ ଇହଜନ୍ମରେ ସମ୍ପର୍କଶୂନ୍ୟ ହୋଇଥିବା ବାଳକ-ବାଳିକା ବିବାହସୂତ୍ରରେ ଆବଦ୍ଧ ହୋଇ ପରସ୍ପର ଅନୁରାଗ ଆକର୍ଷଣ କରୁଥିବାରୁ ସେମାନଙ୍କ ପୂର୍ବଜନ୍ମର ସମ୍ପର୍କ ଅନୁମାନ କରାଯାଇଅଛି । ଏଣୁ ଓଡ଼ିଆ କାଳ୍ପନିକ କାବ୍ୟମାନଙ୍କରେ ନାୟକ-ନାୟିକାଙ୍କର ପୂର୍ବଜନ୍ମର ବିବରଣ ଦିଆଯାଏ । ଏହି ବିବରଣ କବିଙ୍କର ବିଭିନ୍ନ କଳ୍ପନାନୁସାରେ ବିଭିନ୍ନ ହୋଇପାରେ । ଏଣୁ ନାୟିକା ଚନ୍ଦ୍ରକଳା ଓ ନାୟକ ଅନଙ୍ଗସୁନ୍ଦରର ପୂର୍ବଜନ୍ମର କାହାଣୀ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ପୂର୍ବଜନ୍ମର କାହାଣୀଠାରୁ ଭିନ୍ନ ହୋଇଅଛି । ପ୍ରଥମ ଜନ୍ମରେ ଚନ୍ଦ୍ର କଳା କେଳିମଞ୍ଜୁଳା ଓ ଅନଙ୍ଗସୁନ୍ଦର ଲାବଣ୍ୟଧ୍ୱଜ ନାମରେ ଯଥାକ୍ରମେ ଗନ୍ଧର୍ବୀ ଓ ଗନ୍ଧର୍ବ ରୂପରେ ପରସ୍ପର ପ୍ରଣୟରେ ଆବଦ୍ଧ ଥିଲେ । ପରେ କେଳିମଞ୍ଜୁଳା ଦ୍ରାକ୍ଷାଲତାରୂପରେ ଜନ୍ମି ପାର୍ବତୀଙ୍କୁ ଓ ଲାବଣ୍ୟଧ୍ୱଜ ଚୂତ-ତରୁରୂପରେ ଜନ୍ମି ଶିବଙ୍କୁ ସେବା କରି ଚନ୍ଦ୍ରକଳା ଓ ଅନଙ୍ଗସୁନ୍ଦର ନାମରେ ମାନବ-ସମାଜରେ ଜନ୍ମଗ୍ରହଣ କରିଥିଲେ-। ଏ ଜନ୍ମର ଅନୁରାଗ-ପ୍ରଗାଢ଼ତାର କାରଣସ୍ୱରୂପ ପୂର୍ବକାଳର ଦୀର୍ଘକାଳବ୍ୟାପୀ ଅନୁରାଗ ଚିତ୍ର କରାଯାଇଅଛି । ଯାହାହେଉ, ଏପରି ବର୍ଣ୍ଣନାରେ ଫଳାଫଳ-ସନ୍ଦେହ ଅବସ୍ଥା (suspense) ଉପୁଜୁ ନ ଥିବାରୁ ପାଠକ-ପାଠିକାଙ୍କର ପାଠ କୌତୂହଳ ବୃଦ୍ଧି ପାଏ ନାହଁ । ରାମାୟଣରେ ରାମ-ସୀତାଙ୍କର ପରସ୍ପର ଅନୁରାଗ ଚିତ୍ରିବା ଉତ୍ତାରୁ ସେମାନଙ୍କ ବିଚ୍ଛେଦକୁ ଏପରି କୌଶଳରେ ଚିତ୍ର କରାଯାଇଅଛି ଯେ, ସେମାନଙ୍କର ପୁନର୍ମିଳନ ଘଟିବ ବୋଲି ନୂତନ ଶ୍ରୋତା ବା ପାଠକ ବିଶ୍ୱାସ କରିପାରିବ ନାହିଁ । କିନ୍ତୁ ଓଡ଼ିଆ କାଳ୍ପନିକ କାବ୍ୟମାନଙ୍କରେ ବିବାହ ଉତ୍ତାରୁ ନାୟକ-ନାୟିକାଙ୍କର ଯେଉଁ ବିଚ୍ଛେଦ-ଚିତ୍ର ଅଙ୍କନ କରାଯାଇଅଛି, ତାହା ପାଠକ-ପାଠିକାଙ୍କ ଚିତ୍ତରେ କୌଣସି ଉତ୍କଣ୍ଠା ଜନ୍ମାଏ ନାହିଁ । ଯାହାହେଉ, ଭଞ୍ଜ-କବିଙ୍କ ଲାବଣ୍ୟବତୀ ଦେଶରେ ଯେପରି ଜନପ୍ରିୟ, କବିସୂର୍ଯ୍ୟଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ତା'ଠାରୁ ଅଧିକ ଜନପ୍ରିୟ ହୋଇଅଛି । ଗୋଟିପୁଅ ନାଚରେ ଏହି ଚମ୍ପୂ, ଗୀତ ହେଉଥିବାରୁ ଦେଶର ନିରକ୍ଷର ଲୋକେ ଶୁଣି ଚିତ୍ତବିନୋଦନପାଇଁ ଅନେକ ପଦ ଆବୃତ୍ତି କରନ୍ତି ।

 

ଗଦ୍ୟପଦ୍ୟମିଶ୍ରିତ ରସାତ୍ମକ ରଚନାକୁ ସଂସ୍କୃତ ଅଳଙ୍କାର-ଶାସ୍ତ୍ର ଅନୁସାରେ ‘ଚମ୍ପୂ’ କହନ୍ତି-। କିଶୋରଚନ୍ଦ୍ରାନନ୍ଦ-ଚମ୍ପୂରେ ଗଦ୍ୟପଦ୍ୟମିଶ୍ରିତ ସଂସ୍କୃତ ଭାଷାରେ ରଚନା ସନ୍ନିବେଶିତ ହୋଇଅଛି । ଏଥିରେ ଚଉତ୍ରିଂଶଟି ଗଦ୍ୟପଦ୍ୟମିଶ୍ରିତ ରଚନା ଅଛି ଓ ପ୍ରତ୍ୟେକ ସଂସ୍କୃତ ରଚନା ସହିତ ଗୋଟିଏ ଓଡ଼ିଆ ସଙ୍ଗୀତ ଅଛି । ପ୍ରତ୍ୟେକ ଓଡ଼ିଆ ସଙ୍ଗୀତଟିର ପ୍ରତ୍ୟେକ ଚରଣର ଆଦ୍ୟରେ ଗୋଟିଏ ବିଶିଷ୍ଟ ବ୍ୟଞ୍ଜନବର୍ଣ୍ଣର ବ୍ୟବହାର ଦେଖାଯାଏ । ପ୍ରଥମ ସଙ୍ଗୀତର ପ୍ରତ୍ୟେକ ଚରଣର ଆଦ୍ୟରେ ‘କ’, ଦ୍ୱିତୀୟ ସଙ୍ଗୀତର ପ୍ରତ୍ୟେକ ଚରଣର ଆଦ୍ୟରେ ‘ଖ’-ଏହିପରି ଚଉତ୍ରିଂଶଟି ବ୍ୟଞ୍ଜନବର୍ଣ୍ଣ ଚଉତ୍ରିଂଶଟି ସଙ୍ଗୀତରେ ବ୍ୟବହୃତ ହୋଇଅଛି । ଏହି କବିତା-ପୁସ୍ତକ ଆଠଗଡ଼ର ରାଜା ବାଲୁଙ୍କେଶ୍ୱର ଜଗଦ୍ଦେବଙ୍କ ନାମରେ ଭଣିତା ହୋଇଅଛି । ରାଧା କୃଷ୍ଣଙ୍କୁ ଦେଖି ତାହାଙ୍କ ସହିତ ମିଳନର ଆକାଂକ୍ଷା କରିଅଛନ୍ତି । ଦୂତୀ ଲଳିତା ମିଳନ ଘଟାଇ ଦେଇଅଛି । ମିଳନ-ପୂର୍ବରୁ ଲଳିତା ସହିତ ରାଧାକୃଷ୍ଣଙ୍କର ଯେଉଁ ଉକ୍ତି-ପ୍ରତ୍ୟୁକ୍ତି, ତହିଁରୁ ପଦେ ପଦେ ତଳେ ଉଦ୍ଧାର କରାଯାଉଅଛି । ତହିଁରୁ ପାଠକେ କବିତାର ମନୋହାରିତା ଉପଲବ୍‌ଧି କରିପାରିବେ ।

 

ରା-

କି ହେଲା ରେ, କହି ତ ନୁହଇ ଭାରତୀରେ ।

 

କାଲି ଯା ଦୂରରୁ ସଖି, କଳନା କଲା ମୋ ଆଖି, କଳା ଇନ୍ଦୀବର ଆରତିରେ ।

ଲ-

ଖରାପ ତୁ ହେଲୁ ରେ, ଖେଳାଲୋଳା ଖଞ୍ଜନାକ୍ଷି କି ସାହସ କଲୁ ରେ ।

ରା-

ଗଲାଣି ତ ଗଲା କଥା ରେ ସଙ୍ଗାତ, ଗଲାଣି ତ ଗଲା କଥା

 

ଗୁପରେ ସିନା ମୁଁ ତୋତେ ପଚାରୁଛି ବଳିପଡ଼ିବାରୁ ବ୍ୟଥା ।

ଲ-

ଘେନାଇ ଆମ୍ଭେ ଯେତେ କହିଲୁ ଗୋ, ଘେନିଲୁ ନାହଁ ବାଳା ପହିଲୁ ଗୋ ।

 

 

 

ଘେନି ଘେନାଇ ଯାଇ କହିବା ସମଜାଇ ଘଟିଲେ ଆମ୍ଭେ ସିନା ଜୀଇଲୁ ଗୋ ।

ଲ-

(କୃଷ୍ଣଙ୍କୁ ) ନୂଆ ନଟପଳୀ ମୁକୁଟ ହେ ନାହଁ କି ଶ୍ରୀଅଙ୍ଗ-ସୁଖ ?

କୃ-

ଚେତା ଥିଲାପରି କିଛି ପ୍ରତୀତ ତ ହେଉଛି ଚିକଣ ଦିଶୁଛି ତ ଦେହ ।

 

ଚିହ୍ନିକି ଲାଞ୍ଛନ ସତେ ଚାମରଚିକୁରା ମୋତେ ଚିହିଁକାଇ ପଚାରିଲୁ କହରେ ଚଳାପାଙ୍ଗି ।

ଲ-

ଛଳବାହିନୀଶ ହେ ଛଡ଼ ଏ ସାହସ । ଛବି ତ ଆବିଳ ଦିଶେ ଛପିବାର ଅଛି କି ସେ ।

କୃ-

ଜାଣିଛ ଏତେ ମାତ୍ର ଗୋ ଲଳିତେ, ଯାହା ଇଚ୍ଛା ତୋର ତାହା କର ।

 

 

 

ଜାତି କୁରୁବିନ୍ଦ ବାତାୟନବୃନ୍ଦ ଅନାଇ ମୁଁ ଚାଲୁଥିଲି ମନ୍ଦ ମହ,

 

ଜଙ୍ଗମ ହେବାର ଜମ୍ବୁନଦସାର ଶିରୀ ସ୍ଫୁରିଲା ସେ କି ପ୍ରକାର ।

ଲ-

ଝଗଡ଼ି ମାତ୍ର ହେଲ ହେ ଶ୍ୟାମ, ଝିମିଟ ହେବାକୁ ସହସ୍ରେ ଯାମ ।

କୃ-

ନ ଭାଙ୍ଗ ରେ ଶୁଭାଙ୍ଗି ଭାରତୀ ହୁଅ ସାହା ।

ଲ-

ଟେକାଟେକି କରି ମୋତେ ତୁମ୍ଭ କାମନା ପୂରିବ ।

 

ଟାଣଖୁଣ୍ଟା ଗୁରୁଜନ-ଗଞ୍ଜଣାରୁ ମୋ ପ୍ରାଣ-ସଖୀ ସରିବ ।

କୃ-

ଠୋ କରି ଛିଣ୍ଡାଇଦେ ନା ପ୍ରିୟ ସଖି ମୋ ବେଦନା ନ ଲାଗଇ ନିକି ତତେ କିଞ୍ଚିତରେ ।

ଲ-

ଡର ନାହିଁ କି ହେ ପରତରୁଣୀ-ହରଣୁ ?

 

ଡୋର ଲାଗି ଘେର ପଡ଼ିବା ହେବଟି ଚୋରପରି ଆଚରଣୁ ।

କୃ-

ତକ୍‌କା ବାଜୁଥାଇ ଗୋପେ ଲଳିତାର ହୃଦାମ୍ବୁଜେ

 

କରୁଣା ଅଛି ବୋଲି ଯା ନେଲା କେ ତା ହରି କି ରେ ?

ଲ-

ଅତସୀ କୁସୁମସମ ଶ୍ୟାମ ହେ ମୁଁ ଗଲିଟି ।

 

 

 

ଆରକତ କଲେ ମୁଖ ଅଖଣ୍ଡ ସୁଧାମୟୂଖ ଆବୁର ସରିବ ମୋର ଜୀଇଲେହେଁ ମଲିଟି ।

ଲ-

(ରାଧାଙ୍କୁ) ତୋ ଘେନି ତମାଇଣ୍ୟାମ ମୋ ମରଜି କଷିଲା ରେ,

 

ତଥାପି ତ ତିଳେହେଲେ ତୋ ସ୍ନେହେ ନ ରସିଲା ରେ ।

ରା-

ଥାପିରେ କହ ତ ପ୍ରିୟସଖି ଥିବି କି ଛାଡ଼ିବି ପ୍ରାଣ ।

ଲ-

ଦୁଃଖୀଧନ, ଦମ୍ଭ ଦେଖିବାକୁ ସିନା କଲି ଛନ । ଦୁଃଖମୟ ନ କର ସରସ ମନ ।

ରା-

ଧୀରା ରେ କି ଧନ ତୁ ନ ଦେଲୁ ଆଜ, ଧଇଲେ କି ସତେ କର ଯୁବରାଜ ?

ଲ-

ନିଷ୍ଠୁର ଗୁଣ କୁଳି-ଶରୁ ପଡ଼ିଛି ବଳି ‘ନିଶ୍ଚୟ’ ତିନି ବର୍ଣ୍ଣ ନାହିଁ ଲେଖି ।

ରା-

ପରମ-ପଦରେ ନେଇ ଜାଣୁ ତୁ ବସାଇ ପୁଣି ଜାଣୁ ତଳାତଳକୁ ଖସାଇ ।

ଲ-

ଫାଟି ପଡ଼ିବାର ନିକୁଞ୍ଜ-ସଞ୍ଚାର ଶ୍ରମୁଁ ମୋ ଚରଣତଳ

 

ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ ।

 

ରେ କିଶୋରି, ଫିଟିଗଲା ଯେ ସନ୍ଦେହ । ଫୁଲିଗଲୁ ଫୁଲଲଲାମରସିକା ଜାଣିପରି ଶ୍ୟାମ-ସ୍ନେହ ।

ରା-

ବୋଲି ଦେଲି ସିନା ଗେଲେ ହସି, ବିଶ୍ଵେ ତୋ ସମ ନାହଁ ବିଶ୍ୱାସୀ ।

 

ପ୍ରଥମେ ରାଧା କୃଷ୍ଣଙ୍କପ୍ରତି ନିଜର ଅନୁରାଗ ଲଳିତା ଆଗରେ ବ୍ୟକ୍ତ କଲେ । ଅନୁରାଗ ଛାଡ଼ିବାପାଇଁ ଉପଦେଶ ଦେଲାଉତ୍ତାରୁ ରାଧାଙ୍କ ବିଶେଷ ଅନୁରୋଧରେ ସେ କୃଷ୍ଣଙ୍କ ପାଖକୁ ଯାଇ ତାଙ୍କ ମନ କଳିବାପାଇଁ କେଡ଼େ ଚତୁରତାର ସହିତ ତାଙ୍କ ସଙ୍ଗେ କଥୋପକଥନ କରିଛି, ପାଠକେ ବିଚାର କରନ୍ତୁ । ମନ କଳିସାର ରାଧାଙ୍କ ପାଖକୁ ଆସିଛି । ରାଧାଙ୍କ ଅନୁରାଗ କୃଷ୍ଣଙ୍କୁ କହି ନାହିଁ । କୃଷ୍ଣଙ୍କ ଅନୁରାଗ ରାଧାକୁ ମଧ୍ୟ ସହସା କହି ନାହିଁ । ଇଙ୍ଗିତ କଥାରେ ଉଭୟେ ଦୋଳାୟମାନ ହୋଇଅଛନ୍ତି । ଉଭୟଙ୍କୁ ସନ୍ଦେହରେ ପକାଇ ରାଧାଙ୍କୁ ନେଇ ବୃନ୍ଦାବନସ୍ଥ କୁଞ୍ଜରେ ଛାଡ଼ିଦେଇଛି । ଉଭୟଙ୍କ ମିଳନ କାଳରେ କବି ପାଶବିକ ସଙ୍ଗମ ବର୍ଣ୍ଣନା ନ କରି ପ୍ରକୃତିର ଶୀତୋତ୍ତାପର ସଙ୍ଗମ ମଧୁକାଳର ଲୀଳା ବର୍ଣ୍ଣନା କରିଅଛନ୍ତି । ‘ଗଲାଣି ତ ଗଲା କଥା’, ‘ଟେକାଟେକି କରି ମୋତେ’, ‘ଠୋ କରି ଛିଣ୍ଡାଇଦେ ନା’, ‘ଫାଟି ପଡ଼ିବାର ନିକୁଞ୍ଜସଂଚାର ପ୍ରଭୃତି ଗାଉଁଲୀ ସରସ ଅଭିବ୍ୟକ୍ତିଗୁଡ଼ିକ କବି ଦକ୍ଷତାର ସହିତ ବ୍ୟବହାର କରିଅଛନ୍ତି । ‘ମୁଁ ପରିଶ୍ରମ କଲି, ତୁମର କାର୍ଯ୍ୟ ସିଦ୍ଧ ହେଲା, ମୁଁ ଦୋଷୀ ହେଲି’-ଏହି କଥାକୁ ‘ଧାଇଁ ଧାଇଁ ମୋ ଗୋଡ଼ ଫାଟିପଡ଼ିଲା । ତୁମେ କାମନାର ଫଳ ପାଇଲ । ଶେଷକୁ ମୁଁ ଗାଳିଖାଇବାର ଫଳ ହେଲା, -ଏପରି କହୁଥିବାରୁ ଭାଷାର ସରସ ଅଭିବ୍ୟକ୍ତ-ଭଙ୍ଗୀ ସେ ବାଛି ନେଇଅଛନ୍ତି ଓ କୃତଘ୍ନତାର ସଜୀବ ଚିତ୍ର ଆଙ୍କି ଦେଇଅଛନ୍ତି । ରଚନାରେ ଏପରି ଗୁଣ ଥିବାରୁ ଗୀତଗୁଡ଼ିକ ଶ୍ରୋତା ଓ ପାଠକଙ୍କର ହୃଦୟସ୍ପର୍ଶୀ ହୁଏ ।

 

ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କଠାରୁ ଶୁଣିଥିଲି ଯେ ‘ଫ’ ଗୀତଟି ମୁସଲମାନୀ ରାଗିଣୀରେ ରଚିତ ହୋଇଅଛି । ତହିଁରେ ‘ଫତୁରିଖୋର’, ‘ଫରିଆଦି’, ‘ଫଉଜ’, ‘ଫଜିତ’, ‘ଫତୁଆ’, ଓ ‘ଫରମାସ’-ଏହି ଯାବନିକ ଶବ୍ଦଗୁଡ଼ିକ ବ୍ୟବହୃତ ହୋଇଥିବାରୁ ମୋର ଉକ୍ତ ସଙ୍ଗୀତଜ୍ଞଙ୍କ କଥାରେ ବିଶ୍ୱାସ ଜନ୍ମିଅଛି । ମୁସଲମାନମାନେ ଗଞ୍ଜାମ ଶାସନ କରୁଥିବା ସମୟରେ ସେଠାରେ ସଙ୍ଗୀତର ଆଦର ବଡ଼ିଥିଲା । ଯେଉଁଠାରେ କଳିଙ୍ଗ ସଂସ୍କୃତି ବହୁକାଳ ଥିଲା, ସେଠାରେ ସଙ୍ଗୀତର ବହୁ ଉନ୍ନତି ସାଧନ ହୋଇଥିଲା । ଏବେ ମଧ୍ୟ ପାରଳାଖେମୁଣ୍ଡି ପ୍ରଭୃତି ଅଞ୍ଚଳରେ ଓଡ଼ିଆଙ୍କର ସଙ୍ଗୀତ-ଚର୍ଚ୍ଚାପ୍ରତି ବିଶେଷ ଆଗ୍ରହ ଦେଖାଯାଏ । କବିସୂର୍ଯ୍ୟଙ୍କ ସମସାମୟିକ ପାରଳାଖେମୁଣ୍ଡିର ଗୋପାଳକୃଷ୍ଣ ରାଧାକୃଷ୍ଣଙ୍କ ଅନୁରାଗବିଷୟକ ଯେଉଁ ସଙ୍ଗୀତଗୁଡ଼ିକ ରଚନା କରିଅଛନ୍ତି, ତାହା ମଧ୍ୟ ବଡ଼ ଚିତ୍ତାକର୍ଷକ ଅଟେ ।

 

ବାଲ୍ୟକାଳରେ ଅନେକ ଛାନ୍ଦାର୍ଥୀଙ୍କ ମୁଖରୁ ଶୁଣିଥିଲି ଯେ କବିସୂର୍ଯ୍ୟ ସ୍ୱୀୟ ଅନୁଭବରୁ କିଶୋରଚନ୍ଦ୍ରାନନ୍ଦି-ଚମ୍ପୂ, ରଚନା କରିଥିଲେ । ରଚନାର ରସୋଚ୍ଛ୍ୱାସ ବିଚାର କଲେ ଉକ୍ତ ପ୍ରବାଦ ସତ୍ୟରୂପରେ ପ୍ରତିଭାତ ହୁଏ । ସେ ଯେତେବେଳେ ଆଠଗଡ଼ ଛାଡ଼ିଥିଲେ, ସେତେବେଳେ ‘‘ସରିଯାଉଛି ରେ ଏହିଠାରୁ ମନୋରଥ, ଚାହିଁଦେଲେ ଆଉ କାହିଁ ନ ଦିଶଇ ଆଖି ଥାଉଁ ଥାଉଁ ପଥ’’ ଇତ୍ୟାଦି ଗୀତଟି ଲେଖିଥିଲେ । ଏଣୁ ଆଠଗଡ଼-ରାଜା ପାଥେୟ ଦେଇ ପୁରୀ ପଠାଇବା ସମ୍ଭବପର ନୁହେ ।

 

ଆଜିକାଲି ଯେତେ ପ୍ରାଚୀନ କାବ୍ୟର ଶୁଦ୍ଧ ସଂସ୍କରଣ ମୋ ଆଖିରେ ପଡ଼େ, ସେଗୁଡ଼ିକର ଶୁଦ୍ଧପାଠ ସମ୍ବନ୍ଧରେ ମୋର ସନ୍ଦେହ ଜନ୍ମେ । ଯେଉଁ ହାତଲେଖା ପୋଥିରୁ ସେମାନେ ଶୁଦ୍ଧପାଠ ଛପାନ୍ତି, ସେ ପୋଥିଗୁଡ଼ିକ କୌଣସି ସାଧାରଣ ଲାଇବ୍ରେରୀରେ ସାଧାରଣ ଆଲୋଚନାପାଇଁ ରଖାହେଉ ନାହିଁ ଅଥବା ପରିବର୍ତ୍ତିତ ପାଠ ସ୍ଥଳରେ ପ୍ରାଚୀନ ପୋଥିର ପ୍ରତିକୃତି ଦିଆହେଉ ନାହିଁ । ବିଶେଷତଃ ପରିବର୍ତ୍ତିତ ପାଠପାଇଁ ବୈଜ୍ଞାନିକ ଆଲୋଚନା ଦିଆହେଉ ନାହିଁ । ଚମ୍ପୂର ପ୍ରଥମ ଗୀତରେ ‘କାଲି ଯା ଦୂରରୁ ସଖି’ ବାକ୍ୟାଂଶର ‘ସଖି-ସ୍ଥାନରେ ‘ଦେଖି’ ଶୂଦ୍ଧପାଠ ହେବ କି ? ‘ଆଖି କଳନା କଲା’ ଯେଉଁଠାରେ କୁହାଯିବ, ସେଠାରେ ‘ଦେଖି’ ପଦ ବ୍ୟବହାର କଲେ ପୁନରୁକ୍ତି ଦୋଷ ହେବ । ପ୍ରତ୍ୟେକ ଗୀତରେ ଜଣେ ଜଣକୁ ସଂବୋଧନ କରି ନିଜ ହୃଦୟ ବ୍ୟକ୍ତ କରିଅଛି । ଅସୁବିଧାବଶତଃ ରାଧାକୃଷ୍ଣଙ୍କ ମିଳନର ପୂର୍ବବର୍ତ୍ତୀ କେବଳ ‘ତ’ -ଗୀତରେ ସଂବୋଧନ-ପଦ ନାହିଁ-। ପୁସ୍ତକ ଛପା ହେବାପୂର୍ବରୁ ଗୋଟିପୁଅ-ନୃତ୍ୟରେ ଯେଉଁ ଗୀତର ଯେଉଁ ପାଠ ଶୁଣାଯାଉଥିଲା, ତାହା ଅଶୁଦ୍ଧ ବିବେଚିତ ହେବ କାହିଁକି ? ପୁଣି ପ୍ରାଚୀନ ପାଠ-‘‘ଭଙ୍ଗୀ ଚାହାଁ ଭୁରୁ ନୀଳଭୁଜଙ୍ଗୀ-ଭ୍ରମରାଜୀବସଙ୍ଗୀ’’ ବାକ୍ୟର ଅର୍ଥ-ଗୌରବକୁ ଲଘ କରି ‘‘ଭଙ୍ଗୀ ଚାହାଁ, ଭୁରୁ ନୀଲଭୁଜଙ୍ଗୀ-ଭ୍ରମର, ଜୀବସଙ୍ଗୀ’’ ପାଠ ନୂତନ ପ୍ରକାଶକ ଶୁକ ବୋଲି କହନ୍ତି । ‘‘କଳା ସାପ ବୋଲି ଭ୍ରମ ଜାତ କରାଉଥିବା ଭୁରୁ ପଦ୍ମମୁଖର ସଙ୍ଗୀ ହୋଇଥିବା ଭଙ୍ଗୀ ଦେଖ’’ -ଏପରି ଅର୍ଥ ଅସୁନ୍ଦର ନୁହେ । କୃଷ୍ଣକାୟ ଲୋକର ଭୁରୁ ଗାଢ଼ କୃଷ୍ଣବର୍ଣ୍ଣ ଅଟେ । କୃଷ୍ଣଙ୍କ ମୁଖ-ପଦ୍ମରେ ଗାଢ଼ ନୀଳ ସର୍ପପରି ଭୁରୁ ଉତ୍କଟ ବିଷାକ୍ତତା ସୂଚନା କରେ । ଏହିପରି ଅର୍ଥସୂଚକ ପାଠ ଛାଡ଼ି ଶୁଦ୍ଧପାଠରୂପରେ ଯାହା ପ୍ରକାଶିତ ହୋଇଅଛି, ତହିଁରେ ବହୁତ ଭ୍ରମ ଅଛି । ତାହା ଆଲୋଚନା କରିବାପାଇଁ ଏଠାରେ ସ୍ଥାନ ନାହଁ । ଅକ୍ଷର –ନିୟମ ସାନି ରଚନା କରିବାରୁ ହେଉ ବା ଅନ୍ୟ କାରଣରୁ ହେଉ ସ୍ଥାନେ ସ୍ଥାନେ ଚମ୍ପୂରେ ଅର୍ଥ-ଦୁର୍ବୋଧ୍ୟତା ଦେଖାଯାଏ । କିନ୍ତୁ ତାହା ‘‘ନିମକ୍ମତୀନ୍ଦୋଃ କିରଣେଷ୍ୱି ବାଙ୍କଃ” ଅଟେ ।

ଯଦୁମଣି

ଏହାଙ୍କୁ ଦେଖିଥିବା ଅଶି ବର୍ଷ ବୟସର ଜଣେ ବୃଦ୍ଧଙ୍କଠାରୁ ମୁଁ ୧୯୧୮ ଖ୍ରୀଷ୍ଟାବ୍ଦରେ ଶୁଣିଥିଲି ଯେ ଯେତେବେଳେ ସାତ ବା ଆଠ ବର୍ଷ ତାଙ୍କର ବୟସ ହୋଇଥିଲା, ସେତେବେଳେ ସେ ଯଦୁମଣିଙ୍କୁ ଦେଖିଥିଲେ ଓ ଯଦୁମଣିଙ୍କର ସେତେବେଳେ ପ୍ରାୟ ପଚାଶ ବର୍ଷ ବୟସ ହୋଇଥିଲା । ତାହା ହେଲେ ସେ ପ୍ରାୟ ୧୮୪୬ ଖ୍ରୀଷ୍ଟାବ୍ଦରେ ଯଦୁମଣିଙ୍କୁ ଦେଖିଥିଲେ । ଏଣୁ କବି ୧୭୯୪ରୁ ୧୮୦୫ ଖ୍ରୀଷ୍ଟାବ୍ଦ ମଧ୍ୟରେ କୌଣସି ବର୍ଷ ଜନ୍ମଗ୍ରହଣ କରିଥିବେ । ବୃଦ୍ଧ ପିଲାଦିନରେ ଦେଖିବାବେଳେ କବିଙ୍କ ବୟସ ଅନୁମାନରେ ଧରିପାରି ନ ଥିବେ । ଯଦୁମଣି ବଳଦେବ ରଥ କବିସୂର୍ଯ୍ୟଙ୍କ ସମସାମୟିକ ବୋଲି ଊନବିଂଶ ଶତାବ୍ଦୀର ଶେଷଭାଗରେ ଯଦୁମଣି-ରହସ୍ୟ ୰ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ର ପ୍ରକାଶ କଲାବେଳେ ନୟାଗଡ଼ର ବୃଦ୍ଧ ଲୋକଙ୍କଠାରୁ ଶୁଣି ଲେଖିଥିଲେ । ଏଣୁ ଯଦୁମଣି ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକର ଆଦ୍ୟଭାଗରେ ୧୭୯୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ଜନ୍ମଗ୍ରହଣ କରିଥିବେ ବୋଲି ଅନୁମାନ କରାଯାଇପାରେ । ତାହାଙ୍କ ‘ରାଘବ-ବିଳାସ’ ନୟାଗଡ଼ର ରାଜା ବିନାୟକ ସିଂହ ନାମରେ ଭଣିତା ଅଟେ । ୧୮୩୦ ଖ୍ରୀଷ୍ଟାବ୍ଦରେ ଏ ରାଜା ଜୀବିତ ଥିବାର ବ୍ରିଟିଶ ସରକାରଙ୍କ କାଗଜରୁ ଜଣାଯାଏ । ଯଦୁମଣିଙ୍କ ପିତା ଆଠଗଡ଼ରୁ ଆସି ନୟାଗଡ଼ର ଇଟାମାଟିରେ ବାସ କରୁଥିଲେ । ସେ ଜାତିରେ ବଢେଇ ଥିଲେ । କବି ସଂସ୍କୃତଭାଷା ଶିକ୍ଷା କରିଥିଲେ କି ନାହିଁ, ସେ ସମ୍ବନ୍ଧରେ ତାଙ୍କ ରଚନା ଆଲୋଚନା କରି ଆମେ ଅନୁମାନରେ ଯେତିକି ଜାଣିବୁ, ସେତିକି । ଯଦୁମଣି ଦୀନକୃଷ୍ଣଦାସଙ୍କ ରସକଲ୍ଲୋଳ ଏବଂ ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ଓ ବୈଦେହୀଶ-ବିଳାସ ପ୍ରଭୃତି ପଢିଥିଲେ ମଧ୍ୟ ଏହାଙ୍କର ବିଶିଷ୍ଟତା ଥିଲା, ଯାହା ଫଳରେ ତାଙ୍କ କବିତା ବଡ଼ ଜନପ୍ରିୟ ହୋଇଥିଲା । ପ୍ରବାଦ ଅଛି ଯେ କବିସୂର୍ଯ୍ୟ ଯଦୁମଣିଙ୍କୁ ପ୍ରଶ୍ନ କରିଥିଲେ, ‘‘ପ୍ରମତ୍ତ କେଶରୀ କବୀ-କପୋଳକୁ ନ ଚିରଇ କଦାଚିତେ ?’’ ଯଦୁମଣି ସହସା ଉତ୍ତର ଦେଇଥଲେ, ‘‘ମହିଷାରି-ରଥ ଗଣନାଥ-ମାଥ କଇଳାସ ପରବତେ ।’’ ତତ୍ପରେ ଯଦୁମଣି କବିସୂର୍ଯ୍ୟଙ୍କୁ ପ୍ରଶ୍ନ କରିଥିଲେ: –

 

‘‘ଛବିର କେ ଜିଣେ ନବ ରବିଙ୍କି ? କେ ପେଟ ପୋଷେ ଧନୁଶର ବିକି ?

ଜଳଠାରେ ନିତି କାହାର ଭୀତି ? କାହାର ଭୟ ନାହିଁ ଉରଗପ୍ରତି ?

ବିଚାରି କହିବ । ଚାରି ପଦାର୍ଥ ଏକ ହୋଇଥିବ ।’’

 

କବିସୂର୍ଯ୍ୟ ଏହାର ଉତ୍ତର ଦେଇପାରି ନ ଥିଲେ । ‘ଅବିର’ କହିଲେ ଚାରି ପ୍ରଶ୍ନର ଉତ୍ତର ହୁଏ । ଏହିପରି କବିସୂର୍ଯ୍ୟ ଓ ଯଦୁମଣିଙ୍କ ପ୍ରଶ୍ନୋତ୍ତରର ଅନେକ କବିତା - ପଦ ଲୋକମୁଖରେ ଥିଲା । ସେଥିମଧ୍ୟରୁ କେତୋଟି ‘ଯଦୁମଣି ରହସ୍ୟ’ ନାମକ ପୁସ୍ତକରେ ଛପା ହୋଇଅଛି । ଯଦୁମଣି ଥରେ ଗୋଟିଏ କାଠର କଣ୍ଢାଇ ତିଆରି କରି ତାକୁ ବହୁ କନାରେ ଗୁଡ଼ାଇ ରଣପୁରର ରାଜାଙ୍କୁ ଭେଟିଥିଲେ । ରାଜା କେତେ ଖଣ୍ଡି କନା ଫିଟାଇ ଯଦୁମଣିର ଭାଣ୍ଡକାର୍ଯ୍ୟ ଛଡ଼ା ଏହା ଆଉ କିଛି ନୁହେଁ ବିଚାରି କଣ୍ଢାଇଟି ତଳେ ଥୋଇଦେଲେ । ଏଣୁ ଯଦୁମଣି କହିଲେ :-

 

‘‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି । କନ୍ଧହାତେ ଦେଲି ଗୋଦାନ ଟେକି ।।

ଜଡ଼ା-ପାଣିରେ ଖଡ଼ା କଲି ରନ୍ଧନ । କାମୋଡ଼ା ଘୋଡ଼ା-ମୁଖେ ଦେଲି ଚୁମ୍ବନ ।।

ହେ ରାଜା କି କଲ ? ବିଷ୍ଣୁ-ପ୍ରତିମାକୁ ତଳେ ଥୋଇଲ ?’’

 

ବିଷ୍ଣୁ-ଉପାସକ ଉଦ୍ଭିଜ୍ଜୀବନ-ପର୍ଯ୍ୟାଲୋଚନାକାରୀମାନେ ଦାରୁରେ ବ୍ରହ୍ମ ଆରୋପ କରିଥିବାରୁ କାଠ-କଣ୍ଢାଇକି ଯଦୁମଣି ବିଷ୍ଣୁ-ପ୍ରତିମା କହିଅଛନ୍ତି ।

 

କୌଣସି ବିବାହୋପଲକ୍ଷ୍ୟରେ ଯଦୁମଣିଙ୍କ ଘରକୁ ବନ୍ଧୁ-ଜ୍ଞାତି ଆମତ୍ରିତ ହୋଇଆସି ଅଗଣାରେ ଭୋଜନରେ ବସିଥିଲେ । ଅଗଣାରେ ଶିମ୍ବ-ଗଛ ଲାଗିଥିଲା । ଡାଲି ପାଣିଆ ହୋଇଥିବାରୁ ତାଙ୍କ ଶଳା ବାହୁନିଲେ । ଏଣୁ ଯଦୁମଣି କହିଲେ:-

 

‘‘ଆରେ ଚହଟା, ଝଟା-ଲଟାତଳେ ନକର ହଟା ।

ମୋର ମାଇପ ତୋର ଭଉଣୀ, ତିଉଣରେ ଦେଲା ଆଣ୍ଡୁଏ ପାଣି ।’’

 

ଯଦୁମଣି ଢେଙ୍କାନାଳର ରାଜଦ୍ୱାରରେ ଉପସ୍ଥିତ ହୋଇ ରାଜାଙ୍କ ସଙ୍ଗରେ ସେ ଦେଖା କରିବେ ବୋଲି ଦ୍ୱାରୀକୁ କହିଲେ । ଦ୍ୱାରୀ ରାଜବାଟୀର ଭିତରକୁ ଯାଇ ଫେରିଆସି ‘‘କେ ତୁ ? ତାକୁ ପଚାରେ’’ —ଏ କଥା ରାଜା କହିଲେ ବୋଲି କହିଲା । ଯଦୁମଣି ହଠାତ୍ ଲେଖନ-ତାଳପତ୍ର ଧରି ଉତ୍ତର ଦେଲେ:-

 

‘‘ମ-ନାଶି କାଳି-ମନ୍ଦିର-ଅହିତ, ଶୁଭାଗ୍ର-ଅଗ୍ର ସଙ୍ଗେ ଯା’ମିତ ।

ସମାପ୍ତ ରୁକ୍ଷ କନ୍ୟାର ବର ତ । ଚତୁରଭଜନରେ ବଲବନ୍ତ ।

ତାଙ୍କ ଅନୁଗ୍ରହୁ ସିନା ଯେ । ଶ୍ରୀଦ୍ଦେଉ ପରା ଶ୍ରୀମୁଖେ ବାନ୍ଧି ଅଛ ନବଗ୍ରହୁ ଏକ ଗ୍ରହ ଯେ ।।’’

 

‘କାଳିମନ୍ଦିର’ର ‘ମ’ ବର୍ଣ୍ଣ କାଟିଦେଲେ କାଳିନ୍ଦୀର ଅହିତ ବା ଶତ୍ରୁ ବଳରାମ ହୁଏ । ଶୁଭାଗ୍ର ବା ପୂର୍ଣ୍ଣକୁମ୍ଭ ଉପରେ ନାରିକେଳ ବା ଲାଙ୍ଗଳୀ ଥାଏ । ବଳରାମଙ୍କ ଅପରନାମ ଲାଙ୍ଗଳୀ । ‘ଚତୁରଭ-ଜ’ ଅର୍ଥ ଚତୁର୍ଥ ନକ୍ଷତ୍ର ରୋହିଣୀଙ୍କ ପୁତ୍ର ବଳରାମ ଅଟନ୍ତି । ଢେଙ୍କାନାଳ ରାଜାଙ୍କର ବଳଦେବ ଇଷ୍ଟଦେବ ଅଟନ୍ତି । ‘କେତୁ’ ନବଗ୍ରହ ମଧ୍ୟରେ ଗୋଟିଏ ଗ୍ରହ ଅଟେ । ରାଜା ‘‘କେ ତୁ’’ ପଚାରିଥିବାରୁ ଯଦୁମଣି ଉତ୍ତର ଦେଇଥିଲେ । ରାଜାଙ୍କ ପଣ୍ଡିତ-ସଭାରେ କେହି ଅର୍ଥ କରିପାରିଲେ ନାହିଁ । ଯଦୁମଣିଙ୍କୁ ଡକା ହେଲା । ସେ ଅର୍ଥ କରିଦେଲେ । ଏହିପରି ଅନେକ ଗୀତ ଓ ସମ୍ପୃକ୍ତ ପ୍ରବାଦ ଅଛି । ଏହି ପ୍ରବାଦମାନଙ୍କରୁ ଜଣାଯାଏ ଯେ କବି ହାସ୍ୟରସର ଆଶୁକବି ଥିଲେ । କ୍ଳିଷ୍ଟ ରଚନା ସେତେବେଳେ ଉତ୍କୃଷ୍ଟ ସାହିତ୍ୟରୂପରେ ପରିଗଣିତ ହେଉଥିଲା । ଏଣୁ ସେ ଉପେନ୍ଦ୍ରଭଞ୍ଜଙ୍କ ଅନୁକରଣରେ ନିଜ ଶୈଳୀକୁ କ୍ଳିଷ୍ଟ କରିଅଛନ୍ତି । କିନ୍ତୁ ଆଦିରସର ଉଲ୍ଲଙ୍ଗରୂପ ନ ଚିତ୍ରିଲେ ମଧ୍ୟ କିପରି ସୁଖପାଠ୍ୟ ସାହିତ୍ୟ ସୃଷ୍ଟି କରାଯାଇପାରେ, ତାହାର ଆଦର୍ଶ ସେ ଦେଖାଇଅଛନ୍ତି । କଥାର ଚାତୁର୍ଯ୍ୟ କିପରି ରଚନାକୁ ସରସ କରେ, ତାହାର ପ୍ରମାଣ ସେ ରଖିଯାଇଅଛନ୍ତି । ତୋଷାମଦ ନ କରି ରଣପୁର ଓ ଢେଙ୍କାନାଳର ରାକାଙ୍କୁ ଗାଳି ଦେଇଥିଲେ ମଧ୍ୟ ତାହାଙ୍କ କାବ୍ୟ ଉକ୍ତ ରାଜାମାନଙ୍କର ସୁଖଶ୍ରାବ୍ୟ ହୋଇଥିଲା । ଯଦୁମଣି ଜଗନ୍ନାଥ ମହାପ୍ରଭୁଙ୍କର ମଧ୍ୟ ସୁଗୁଣ ଓ ଦୂର୍ଗୁଣ ଏକସଙ୍ଗରେ ବର୍ଣ୍ଣନା କରି ତାଙ୍କଠାରେ ଈଶ୍ୱରତ୍ୱ ଆରୋପ କରିବାର କାରଣ ଖୋଜିଅଛନ୍ତି:-

 

‘‘ନୀଳାଚଳ - କଳାକାର, ସତ କି ଏ ମିଛ ?

ନେଲ ଯାହା ଦେଲ ତାହା, ଏଥକୁ କିମ୍ପା ମହାଦାତାପଣେ ପତାକା ବାନ୍ଧୁଛ ହେ । ପଦ ।

ଦଳି ବଳିଷ୍ଠ ବଳୀକି ଅକଳିତ ବିଭୂତିକି କଳିତ କରରେ କରିଥିଲ

ନ ମାନିକରି ରମାଙ୍କୁ ଅକିଞ୍ଚନ ସୁଦାମାକୁ ବିପୁଳ ସମ୍ପଦେ ମଣ୍ଡିଦେଲ ହେ ।

ଗୋକୁଲ– କଳଧୌତ ଗଉରାଙ୍ଗୀଙ୍କ ମହତ୍ତ୍ୱ ନେଇଥିବା ସକାଶରୁ କରି

ଦ୍ରୁପଦ-ରାଜନନ୍ଦନା ମହତ ହର ବେଦନା ବିନାଶନେ ହେଲ ଧନ୍ୱନ୍ତରୀ ହେ ।’’

 

ବଳଦେବ କବିସୂର୍ଯ୍ୟ ଗୋଟିଏ ସର୍ପଜଣାଣ ଓ ଗୋଟିଏ ଜଗନ୍ନାଥ - ଜଣାଣ ଲେଖିଅଛନ୍ତି-। ସର୍ପଜଣାଣରେ ଜଗନ୍ନାଥଙ୍କ ରୂପଗୁଣ ସର୍ପପଣ ଅଟେ ବୋଲି ସେ ବର୍ଣ୍ଣନା କରିଅଛନ୍ତି । କିନ୍ତୁ ଜଗନ୍ନାଥ ଜଣାଣରେ ମୃଗଯୁବତୀଙ୍କୁ, ଦ୍ରୌପଦୀ ପ୍ରଭୃତିଙ୍କୁ ଦୟା କରିଥିବା ଜଗନ୍ନାଥ କବିଙ୍କୁ କାହିଁକି ଦୟା କରୁନାହାନ୍ତି ବୋଲି ସେ ପଚାରିଅଛନ୍ତି । ଯଦୁମଣିଙ୍କପରି ସେ ଜଗନ୍ନାଥଙ୍କୁ ନିର୍ଭୀକ ହୃଦୟସ୍ପର୍ଶୀ ସମାଲୋଚନା କରିନାହାନ୍ତି । କାହା ଜଣାଣ ଆଗେ ରଚିତ ହୋଇଅଛି, ତାହା ସ୍ଥିର କରିବା କଠିନ ଅଟେ ।

 

କବି ଯଦୁମଣି ‘‘ପ୍ରବନ୍ଧ-ପୂର୍ଣ୍ଣଚନ୍ଦ୍ର’’ ଓ ‘‘ରାଘବ-ବିଳାସ ରଚନା କରିଥିଲେ । ପ୍ରଥମୋକ୍ତ କାବ୍ୟରେ ପୁରାଣୋକ୍ତ କୃଷ୍ଣଙ୍କଦ୍ଵାରା ରୁକ୍ମିଣୀ-ହରଣ ବିଷୟ ବର୍ଣ୍ଣିତ ହୋଇଅଛି । ଏହାର ଆରମ୍ଭରେ ଦେବସ୍ତୁତି ନାହିଁ । ବିଷ୍ଣୁଙ୍କ ପାଦସଙ୍ଗେ ପଦ୍ମ-ଫୁଲ ଉପମାଯୋଗ୍ୟ ନୁହେଁ ବୋଲି କେତେକ ପୌରାଣିକ ଘଟନା ଆରମ୍ଭରେ ସେ ପ୍ରମାଣସ୍ୱରୂପ ଉଲ୍ଲେଖ କରି କହିଅଛନ୍ତି:-

‘‘ଏମନ୍ତ ଗୁରୁ-ଗୀର୍ବାଣଙ୍କ ଗୀରୁ । ‘କୃଷ୍ଣ’ ବର୍ଣ୍ଣ ମୋର କର୍ଣ୍ଣେ ସଞ୍ଚରୁ

ସେ ତ ସୁଧାରସ- ଆମୋଦଦାୟୀ । ହୃଦୟରେ ପରିପୂରଣ ହୋଇ,

ମୁଖଁ ହେଲା ଉଚ୍ଛ୍ୱଳିତ ଯେ ।

ଦ୍ୱିବିଧି ପୂର୍ଣ୍ଣଚନ୍ଦ୍ର - ସିଦ୍ଧି ନିର୍ବନ୍ଧେ ପ୍ରବନ୍ଧ ହୋଇଲା ଖ୍ୟାତ ଯେ ।।

 

ଏହିପ୍ରକାର ଅର୍ଥାତ୍ ପୂର୍ବୋକ୍ତ ପ୍ରକାରେ ଗୁରୁଦେବଙ୍କ କଥାରୁ ‘କୃଷ୍ଣ’ ନାମ ତାହାଙ୍କ କର୍ଣ୍ଣରେ ପ୍ରବେଶ କରିବାରୁ ସେହି ନାମର ସୁଧାରସ ତାଙ୍କ ମୁଖରୁ ଉଛୁଳି ପଡ଼ିଲା । ‘ପୂର୍ଣ୍ଣଚନ୍ଦ୍ର’ ନାମର ଦ୍ୱିବିଧ ଅର୍ଥ ଅଛି— କୃଷ୍ଣ ଓ ଭୋଗ-ବିନାଶକ ଔଷଧ । ଏଣୁ ଏ ପ୍ରବନ୍ଧର ନାମ ସେ ‘ପୂର୍ଣ୍ଣଚନ୍ଦ୍ର’ ରଖିଲେ । କାବ୍ୟଟି ମଧ୍ୟ ଦ୍ୱିବିଧ ଅର୍ଥରେ ଲେଖା ହୋଇଅଛି । ଗୋଟିଏ ଅର୍ଥରେ କୃଷ୍ଣଙ୍କର ଓ ଅନ୍ୟ ଅର୍ଥରେ ପୁରାଣୋକ୍ତ ଋଷି ବା ଅନ୍ୟ ବିଷୟର ବର୍ଣ୍ଣନା ଅଛି । ଏଣୁ ‘‘ଗୁରୁ-ଗୀର୍ବାଣଙ୍କ ଗୀରୁ’’ ପଦାଂଶର ଅର୍ଥ ଅନ୍ୟପ୍ରକାରେ ଗ୍ରହଣ କରାଯାଇପାରେ । ଗୀର୍ବାଣର ଅର୍ଥ ଦେବତା । ସଂସ୍କୃତଭାଷାକୁ ଆମ ଦେଶରେ ଦେବ–ଭାଷା କହନ୍ତି । ତାହାହେଲେ ତାହାଙ୍କ ଗୁରୁ ସଂସ୍କୃତଭାଷାରେ ଶାସ୍ତ୍ରୋକ୍ତ ବଚନ ପୂର୍ବୋକ୍ତ ପ୍ରକାରେ କହିଥିଲେ । ତାହା ଯଦି ହୋଇଥାଏ, ତେବେ ସଂସ୍କୃତଭାଷାରେ ତାହାଙ୍କର ପ୍ରବେଶ ଥିଲା । ଏଣୁ ସେ ‘ଗ୍ରାନ୍ଥିକ’ ( ଛା:୧, ପ:୩ ), ‘ଭାତିତର’ ( ଛା:୨ ପ:୮ ) ଓ ‘ରସାତ୍ମକ’ ( ଛା:୧, ପ:୨୯ ) ପ୍ରଭୃତି କଥିତ ଭାଷାରେ ବ୍ୟବହୃତ ନ ଥିବା ଓ କୌଣସି ପ୍ରାଚୀନ କବି କାବ୍ୟରେ ବ୍ୟବହାର ନ କରିଥିବା ପଦମାନ ସେ ସଂସ୍କୃତ-ବ୍ୟାକରଣର ସୂତ୍ର ଅନୁସାରେ ‘ଗ୍ରନ୍ଥ’, ‘ଭାତି’ ଓ ‘ରସ’ ପ୍ରଭୃତି ଶବ୍ଦମାନଙ୍କରୁ ଗଢିପାରିଥିଲେ । ପୁଣି ସେ ଲେଖିଅଛନ୍ତି :-

 

‘‘ମୋକ୍ଷ କରିଦିଏ ବେନି ଶରୀର । ମୋକ୍ଷ ଏ ନିବିଡ଼େ ଭାବିନୀଙ୍କର ।।

ପୁରାଣ ବୋଲି ନ କର ଡର । ପାଣିନି ବାକ୍ୟେ କରିବେ ଇତର ।।’’

 

ଉପେନ୍ଦ୍ରଭଞ୍ଜ ‘‘ଡ, ର, ଳ ଯାହା ସାବର୍ଣ୍ଣ୍ୟରେ ଲିହି’’ ଲେଖିଅଛନ୍ତି । କିନ୍ତୁ ‘ଡ’, ‘ର’ ବର୍ଣ୍ଣ ମଧ୍ୟରେ ଧ୍ୱନିଗତ ପ୍ରଭେଦ ନାହିଁ ବୋଲି ପାଣିନି ବ୍ୟାକରଣରେ ଲେଖିଥିବାର ଯଦୁମଣି ଲେଖିଲେ-। ପୂର୍ବେ ନୟାଗଡ଼ରେ ପାଣିନିଙ୍କ ବ୍ୟାକରଣ ପଢ଼ା ହେଉଥିଲା । ଯଦୁମଣି ଏହି ବ୍ୟାକରଣ ପଢିଥିଲେ । ଯଦୁମଣି ଦ୍ଵାରବତୀ ଓ ବିଦର୍ଭ–ସହରଦ୍ୱୟର ବର୍ଣ୍ଣନାରେ ଭଞ୍ଜ - କବିଙ୍କୁ ଅନୁକରଣ ନ କରି ଅଟ୍ଟାଳିକା ପ୍ରଭୃତିର ବର୍ଣ୍ଣନା ଦେଇଅଛନ୍ତି । ବନବିହାରବେଳେ ଭଞ୍ଜ ବା ଅନ୍ୟ କବି ବର୍ଣ୍ଣନା କରିଥିବା ନାୟିକା ଓ ସଖୀମାନଙ୍କ ପରିହାସୋକ୍ତିଠାରୁ ଯଦୁମଣି ବର୍ଣ୍ଣନା କରିଥିବା ସେପରି ଉକ୍ତିର କିପରି ପାର୍ଥକ୍ୟ ଦେଖାଯାଏ, ତାହା ଯଦୁମଣିଙ୍କ ନିମ୍ନୋଦ୍ଧୃତ ପଦରୁ ପାଠକେ ବୁଝିପାରିବେ:-

 

‘‘କେ କହିଲା ନାଗେଶ୍ୱର ପଦ୍ମତୋଳା ବିଦ୍ୟାରେ ନରେନ୍ଦ୍ର ମୁଁ ଅଟେ ।

ଶୁଣି ବେନି ଅର୍ଥ ମଣି ରମଣୀ ଏ ବେନି ଅର୍ଥକୁ ରଖି ରଟେ ।

ତେବେ ଭୋଗୀର ବିହାର ବିଧାନ କରିବୁ ।

ରଜନୀକର ଚାଳିଲେ ସେ ନାଗର ଉଗ୍ରତାପ ହରିବୁ ।’’

 

(ନାଗେଶ୍ୱର ବଜାଇବା ଓ ପଦ୍ମ ତୋଳା ଗାଇବା ଏବଂ ନାଗେଶ୍ୱର ଓ ପଦ୍ମ-ଫୁଲ ତୋଳିବା; ଭୋଗୀ-ସାପ ଓ ବିଳାସୀ; ରଜନୀକର ଚାଳିଲେ — ଧୂଳି ମନ୍ତ୍ରି ସାପ ଉପରେ ପକାଇଲେ ଓ ଚନ୍ଦ୍ରଚାଳନା କଲେ ।)

 

ଏହିପରି ନାୟିକାର ଅଙ୍ଗଶୋଭା ବା ବେଶ-ବର୍ଣ୍ଣନାରେ କବି ଭଞ୍ଜ-କବିଙ୍କୁ ଅନୁକରଣ କରି ନାହାନ୍ତି । ଯାହାର ପ୍ରତିଭା ଥିଲା, ସେ ଅନୁକରଣ କରିବ କାହିଁକି ? ଭଞ୍ଜଙ୍କପରି ସିଂହାବଲୋକନ, ମହାଯମକ ପ୍ରଭୃତି କ୍ଳିଷ୍ଟ ଶବ୍ଦାଳଙ୍କାରମାନ ଯଦୁମଣି ବ୍ୟବହାର ନ କରିଥିଲେ ମଧ୍ୟ ଶ୍ଳେଷାଳଙ୍କାରଯୋଗୁଁ କଠିନ ସଂସ୍କୃତ ଶବ୍ଦମାନ ସେ ବ୍ୟବହାର କରିଅଛନ୍ତି । ‘ପ୍ରବନ୍ଧ-ପୂର୍ଣ୍ଣଚନ୍ଦ୍ର’ର ତୃତୀୟ ଛାନ୍ଦର ପଞ୍ଚବିଂଶ ଓ ଷଡ଼ବିଂଶ ପଦଦ୍ୱୟରେ ନାରଦ ରୁକ୍ମିଣୀଙ୍କୁ, ଭବିଷ୍ୟତ କର୍ତ୍ତବ୍ୟର ଉପଦେଶ ଦେବାବେଳେ ସଖା ଓ ନାରଦ ଶ୍ଳେଷାର୍ଥରେ ଯେଉଁସବୁ ରାଗରାଗିଣୀର କଥା କହିଅଛନ୍ତି, ତାହା ଓଡ଼ିଆ ସଙ୍ଗୀତଜ୍ଞମାନେ ଆଲୋଚନା କରିବା ଉଚିତ ଅଟେ । ତଳେ ସେ ପଦମାନ ଊଦ୍ଧାର କରାଯାଉଅଛି:-

 

‘‘ଶଙ୍କର-ପରକରେ ପଡ଼ି ରହିଲେ ଆଶାବରୀ ଗଉରୀ ।

ଲଳିତ ବସନ୍ତ ଭୈରବ ଦେବାରୁ କୋଳାହଳ ପୁରୀ ।

ମାଳବରେ ଯେ, ହୋଇବ ଶଙ୍କରାଭରଣ ।

ବିଷ-ଆହାରୀ ହୋଇବୁ ନ ଭେଟିଲେ ମୋହନ ମଙ୍ଗଳ କଲ୍ୟାଣ ।

ଋଷି ଭାଷି ମେଘମଞ୍ଚାରୁ କେଦାର ପାଳି ତୁ କାମୋଦିତ ହୁଏ ।

ସେହି ତୁ ବିଭାସ କଳହଂସ ଗତି ବୃଥା କେଶ ଘଣ୍ଟାରବଏ ।

ପୁର ବିଦିତ, ପରେ କାଳିନାଟ ହେବାର;

ଲୁଚାଇ ମନରେ ଗୃପ୍ତ କରି ଯଥା ତଥା ଏ କଥାକୁ ବିଚାର ।।

 

(ଶଙ୍କର-ପରଜରେ-ଶଙ୍କର-ଶତ୍ରୁ ଅର୍ଥାତ୍ କନ୍ଦର୍ପ–ଜ୍ୱରରେ ଏବଂ ଶଙ୍କର ଓ ପରଜ–ରାଗରେ; ଗଉରୀ—ଗୌରୀ ରୁକ୍ମିଣୀ ଓ ଅନ୍ୟ ଅର୍ଥରେ ଗୌରୀ ଗୋଟିଏ ରାଗ । ଲଳିତବସନ୍ତ-ମନୋହର ବସନ୍ତ ଋତୁ ଓ ଲଳିତ ବସନ୍ତ-ରାଗ; ଭୈରବ ଦେବାଭୟପ୍ରଦ ଓ ଭୈରବ-ରାଗ; ମାଳବରେ-ଶ୍ରେଷ୍ଠମାଳ ଓ ମାଳିବ ରାଗ; ଶଙ୍କରାଭରଣ-ସର୍ପ ଓ ରାଗ; ବିଷ-ଆହାରୀ—ଶିବ ଓ ବିଷ ଖାଇବା ଓ ରାଗ; ମଙ୍ଗଳ—ଶୁଭ ଓ ରାଗ; ମେଘମଲ୍ଲାରୁ-ବର୍ଷା କରାଇବା ରାଗରୁ ଓ ମେଘ ମଲାରୁ ବା ବର୍ଷାଭାବରୁ; କେଦାର—କ୍ଷେତ୍ର ଓ ରାଗ; କାମୋଦିତ—କାହାର ଆନନ୍ଦ-ଦାୟକ ଓ କାମୋଦୀ-ରାଗ; ବିଭାସ-ଭଲରୂପେ କହିବା ଓ ରାଗ; କଳହଂସ –ହଂସ ଓ ରାଗ; କେଶ ଘଣ୍ଟାରବ-ବାଲ ମୁକୁଳା କରି କାନ୍ଦିବା ଓ ରାଗ; କାଳି ନାଟ-ଅନ୍ଧକାର ଓ କୁଣ୍ଡଳିନୀର ନୃତ୍ୟ ।)

 

ଯଦି ରୁକ୍ମିଣୀ କନ୍ଦର୍ପ-ଜ୍ୱର ସହି ପଡ଼ିରହନ୍ତି, ତେବେ ଆଶାବରୀ ହୋଇ ଅର୍ଥାତ୍ ଆଶା ରଖି ଲଳିତ ବସନ୍ତ-କାଳରେ ( ବାସନ୍ତୀ-ପୂଜା ହୁଏ ) ଗୌରୀଙ୍କ-ପରି ଭୈରବ ବା ଶିବଙ୍କୁ ପାଇଲେ ଆନନ୍ଦ କୋଳାହଳ ହେବ । ଶ୍ରେଷ୍ଠ ମାଳଦ୍ୱାରା ବରଣ କରି ଶଙ୍କରଙ୍କର ଅଳଙ୍କାର ବା ଅର୍ଦ୍ଧାଙ୍ଗିନୀ ହେବ । ଆମର ସରୁ ମଙ୍ଗଳ ହେବ ।

 

ଋଷି କହିଲେ, ମେଘମଲ୍ଲାର ବର୍ଷା କରାଇ କ୍ଷେତ କରାଏ ଓ ଲୋକେ ଆନନ୍ଦିତ ହୁଅନ୍ତି । ହଂସମାନେ ମାନସକୁ ଗତି କରନ୍ତି । ବାଳ ମୁକୁଳା କରି କାନ୍ଦିବା ବୃଥା ଅଟେ ।

 

ଏହିପରି କୃଷ୍ଣଙ୍କୁ ନ ପାଇଲେ ରୁକ୍ମିଣୀଙ୍କର ଦୁର୍ଦ୍ଦଶା ଘଟିବ ବୋଲି ଆଉ ଗୋଟିଏ ଅର୍ଥ ବାହାରିବ । ରାଗମାନଙ୍କର ଅନ୍ୟାନ୍ୟ ସମ୍ମିଶ୍ରଣରେ ନୂତନ ରାଗ-ସୃଷ୍ଟିର କ୍ରମ ସଙ୍ଗୀତଜ୍ଞମାନେ ବିଚାର କରିବେ । ରୈବତ ପର୍ବତ-ବର୍ଣ୍ଣନାରେ ଯଦୁମଣି କହିଅଛନ୍ତି :-

 

‘‘ମାତଙ୍ଗ-କୁମ୍ଭ-ଅଗସ୍ତି-ସଂସର୍ଗୀ । ଭୃଗୁ-କପିଳ-ମରୀଚି-ସରାଗୀ ।

ଶାଣ୍ଡିଲ୍ୟେ କଉଶିକ ଡାକେ ବ୍ୟାସ । ଭରଦ୍ୱାଜ ଶୁକ ହାରିତ ବଂଶ ।

ବରାହ ରୋମାଞ୍ଚ ସଙ୍ଗ ଯେ,

ରାମ ଶତାନନ୍ଦ ପର୍ବତ ବିଦିତ ଜନଙ୍କ ସଞ୍ଚାର-ଭଙ୍ଗ ଯେ ।’’ ( ଛା:୧,ପ:୧୪ )

 

‘ସଂସର୍ଗୀ’ ଓ ‘ସରାଗୀ’ ପଦର ପୂର୍ବପଦଗୁଡ଼ିକରୁ ପ୍ରତ୍ୟେକଟି ଋଷି ନାମବାଚକ ଓ ଜୀବ ବା ତରୁ ନାମବାଚକ ଅଟେ । ତତ୍ପରେ ‘ଶାଣ୍ଡିଲ୍ୟ’ର ଅର୍ଥ ଋଷି ଓ ବେଲଗଛ ଏବଂ କଉଖିକର ଅର୍ଥ ଋଷି ଓ ପେଚା ଅଟେ । ଦ୍ୱିତୀୟ ଚରଣର ଅନ୍ୟ ଅର୍ଥ ଅନୁସାରେ ପେଚା ବେଲଗଛରେ ବସି ଭଦଳିଆ, ଶୁକ ପ୍ରଭୃତି ପକ୍ଷୀମାନଙ୍କୁ ‘ବ୍ୟାସ’ ବା ବିଶେଷରେ ଆସ ବୋଲି ଡାକୁଅଛି । ଶାଣ୍ଡିଲ୍ୟ-ଋଷି ଭକ୍ତି-ସୂଢ ପ୍ରଣୟନ କରିଥିଲେ । ବେଲଗଛ ଶାଣ୍ଡିଲ୍ୟ ହେଲେ ଖାରବେଳ ବେଲ-ପୂଜକ ବୋଲି ଅନୁମାନ କରାଯାଉଥିବାରୁ ସେ ଭକ୍ତି-ଧର୍ମ ପ୍ରବର୍ତ୍ତିତ କରାଇଥିଲେ ବୋଲି ଅନୁମାନ କରିବାକୁ ହେବ । ପେଚା-ପକ୍ଷୀ ପରମାଣୁବାଦର ପ୍ରତୀକ ହୋଇଥିବାରୁ ବେଲଗଛରେ ପେଚା ବସିବାର ଅର୍ଥ ଖାରବେଳ ପରମାଣୁବାଦୀ ଥିଲେ । ପକ୍ଷୀମାନଙ୍କୁ ଡାକିବାର ଅର୍ଥ ଶୂନ୍ୟବାଦୀମାନଙ୍କୁ ପରମାଣୁବାଦ ଗ୍ରହଣ କରିବାପାଇଁ ପ୍ରବର୍ତ୍ତାଇବା ଅଟେ । ତାହାହେଲେ ହାତୀଗୁମ୍ଫା ଶିଳାଲିପି ଅନୁସାରେ ଖାରବେଳ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ପ୍ରତିଷ୍ଠିତ କରାଇଥିବା ସତ୍ୟ ଅଟେ । କାରଣ ଜଗନ୍ନାଥ-ଧର୍ମ ପରମାଣୁଦାଦ ଅନୁସାରେ ପ୍ରବର୍ତ୍ତିତ ହୋଇଅଛି । ଆମ ଦେଶର ପ୍ରବାଦ ଅନୁସାରେ ପେଚା ରାଜା ହୋଇଥିଲା । ବୌଦ୍ଧ ଉଲୂକ-ଜାତକ ( ଫସବୁଲ ନ ୨୦୭ ) ଅନୁସାରେ ପେଚା ରାଜା ହୋଇଥିଲା ।

 

ରାମ-ଚରିତ ଯଦୁମଣି ‘ରାଘବ-ବିଳାସ’ରେ ବର୍ଣ୍ଣନା କରିଅଛନ୍ତି । ନୟାଗଡ଼ର ରାଜା ରଘୁନାଥ ସିଂହଙ୍କ ଉତ୍ସାହରେ ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ର ଏହି କାବ୍ୟର ବହୁ ଅନୁସନ୍ଧାନ କରିଥିଲେ । ତାହା ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର କଥା । ସେତେବେଳେ ‘ରଘୁନାଥ-ବିଳାସ’ ପୋଥି ମିଳି ନାହିଁ । ଏଥିରୁ ରାମ ଲଙ୍କାରେ ପ୍ରବେଶ କରି ବିଭୀଷଣ ସଙ୍ଗେ ମିତ୍ରତା କରିବାର ଛାନ୍ଦଟି ଓ ଲକ୍ଷ୍ମଣ-ଇନ୍ଦ୍ରଜିତଙ୍କ ଉକ୍ତି-ପ୍ରତ୍ୟୁକ୍ତିର ଅଧ ଛାନ୍ଦ ମିଳୁଅଛି । ତାହା ଲୋପ ନ ପାଇବା ଉଦ୍ଦେଶ୍ୟରେ ଓ ପାଠକମାନେ କବି-ପ୍ରତିଭା ବିଚାର କରିବାପାଇଁ ତଳେ ଉଦ୍ଧାର କରାଯାଉଅଛି:-

 

ବିଭୀଷଣ – ଶରଣ

‘ପୂର୍ବଦେବତା-ଶର୍ବରୀଭର୍ତ୍ତା ଆଗେ ଦୂତ ବାର୍ତ୍ତା କଲା ପ୍ରକାଶ-

‘ଅଶୋକ ବନେ ସଶୋକେ ଥିବା ବଧୂ-ବନ୍ଧୁ ସିନ୍ଧୁ-କୂଳେ ପ୍ରବେଶ’

ହାସ୍ୟରସରେ ଭାସି ଭାଷିଲା ଦଶଗ୍ରୀବ :

‘ନାରୀ ବିହୀନେ ବାରିଧି- ଝାସେ ତନୁ ନାଶିବ ବୋଲି ଆସିଥିବ’ ।୧।

 

ବଦତି ଅନୁଜ :-‘ପବନ - ତନୁଜ - ଗମନୁ ଯାଇଛି ଦେଖା’

ଟେକିଲା ଏଥର ଗାତ୍ରଗୋତ୍ରାନ୍ତକ – ପ୍ରଜ୍ଜ୍ୱଳ ଜ୍ୱଳନ୍ତ ଶିଖା

କୋପେ ଲଙ୍କେଶ କମ୍ପି ଅନାଇଲେ ନନ୍ଦନେ,

ପ୍ରହସ୍ତ ମସ୍ତକେ ହସ୍ତ ନ୍ୟସ୍ତ କରୁଁ ବୋଲେ ଶାନ୍ତି ଭାଷା - ଚନ୍ଦନେ । ୨।

 

‘ତାଙ୍କୁ ଦୃଷ୍ଟିନ୍ୟାସ କିମ୍ପା କଲ ଈଶ କାହାକୁ ହେବ ସେ ପାଞ୍ଚକ

ଯେବେ ଓଷ୍ଠେ ରଦ ଦେବ, ମୃତ୍ୟୁଦେବେ - ଦେବତା ମୃତାହ ପଞ୍ଚକ ?’

‘ସତ୍ୟ’ ରାବଣ ଭଣୁ ବିଭୀଷଣ କହିଲା :

‘ସିନ୍ଧୁ ମଧ୍ୟେ ସ୍ଥିତ ସ୍ୱର୍ଣ୍ଣକ୍ଷିତି - ଶୀର୍ଣ୍ଣନାବ ସ୍ଵାତିଯୋଗ ଲଭିଲା । ୩ ।

 

କେଶରୀ - ଗର୍ଭୁ ଉଦ୍ଭବି ପରାଭବୀ ଶିବାରେ ହେବାରେ ଭାବଇ

ବହନ ସେ ବନବାସୀର ଶରଣ-ସରଣୀରେ ଦିଅ ଭସାଇ’

ମହୀରାବଣେ, ଚାହିଁ ରାବଣ ଆଜ୍ଞା କଲା,

କହନ୍ତେ କର ଧରି ସଭାରୁ ଉଭାରି ଲୋଭାବନ୍ତ ହୋଇ ଚଳିଲ । ୪ ।

 

ଦୁର୍ଗ - ପ୍ରାକାର ପାରି କରି ଦିଅନ୍ତେ ଅନନ୍ତେ ବିଶ୍ରବା - ତନୁଜ,

ରହି ଭାବିଲେ ରଥାଙ୍ଗ-ଶଙ୍ଖ-ଯବ– ରେଖାତପକ୍ରାମ୍ୱୁକଧ୍ୱଜ

ଚାରୁଚରଣେ, ଶରଣ ପଶିବ ଯାଇ ଯେ,

ଶରଣ - ନିକେତନ - କେତନ ଉଡୁଛି ଚିନ୍ତା ହେବ କାହିଁପାଇଁ ଯେ । ୫ ।

 

କପି ସୃଷ୍ଟିକି ଦୃଷ୍ଟି-ବୃଷ୍ଟି ଏକାଳେ ହେଲା ବିଭୀଷଣ-ପିଣ୍ତେ ଯେ,

ଭାବିଲେ ରାବଣା–ନନ୍ଦ-ଦଗ୍‌ଧାଗ୍ନିର ଧୂମକେତୁ ସମ ଖଣ୍ଡେ ଯେ,

ନଭେ ଶୋଭନ, ହୋଇଅଛି ଦେଖ ରାଜ ଯେ,

‘ଶ୍ରୀରାମେ ଶରଣ ପଶିବ’ ଡାକିଲା ଦନ୍ତଜରାଜ-ଅନୁଜ ଯେ । ୬ ।

 

କର ପ୍ରସାର ‘‘ଆସ ଆସ’’ ଉଚ୍ଚାରି ମର୍କଟ-ମୁକୁଟାଳଙ୍କାର ଯେ,

ପୁଣ୍ୟଜନଶ୍ରେଣୀ ପୁଣ୍ୟବନ୍ତ ଶୁଣି ପ୍ରବେଶ ହୋଇଲେ ତତ୍‌କାଳ ଯେ,

ରୋମା-ରମଣ, ପ୍ରେମାନନ୍ଦେ କଲେ ଅଶ୍ଳେଷ;

ରାବଣାନୁଜ ଭାଷିଲେ : ‘‘ହେ କିସ୍କିନ୍ଧାପୁରର କୀଶଅବତଂସ ! । ୭ ।

 

ହେଲା ନେତ୍ର ଗାତ୍ର ପବିତ୍ର ତୁମ୍ଭର ଦରଶନ-ପରିରମ୍ଭରେ

ଦୟା କର ମୋତେ ଦେଖାଇ ଶରଣରକ୍ଷା-ବାନା-ବନ୍ଧା ସ୍ତମ୍ଭରେ

ରତା ବାର୍ତ୍ତାରେ, ନୁହ, କହ ଯାଇ ଚପଳେ ।

ବିପକ୍ଷ-ଅରକ୍ଷ ପକ୍ଷକ ନୋହିଲେ ଗତି ନାହିଁ ମହୀ – ମଣ୍ଡଳେ’। ୮ ।

 

 

ଶୁଣି କପିମଣି ଗତି ତତ୍‌କ୍ଷଣି ପ୍ରୀତିରେ ମତିକି ମଜାଇ

ସୀତାନାଥରେ ହାତଯୋଡି କହିଲେ ତୋଷାର୍ଣ୍ଣବେ ଭାଷା ଭସାଇ

ବୀରାବତଂସ, ସଢିଲେ ରାକ୍ଷସେ ତ୍ରସ୍ତରେ ।

ଦଶମସ୍ତକ-ଅସ୍ତ-ପାଠ-ପୁସ୍ତକ ନ୍ୟସ୍ତ ହେଲା ଆସି ହସ୍ତରେ । ୯ ।

 

ସୁଷେଣ ମୁଖକୁ ଚାହୁଁ ରଘୁମଣି, ଦ୍ୱିମଣି-କୁମାର କହିଲେ

‘ହେ ଦୂଷଣପର-ଶରଣ, ଲଙ୍କକୁଭୁଷଣ ଅନୁଜ ଅଇଲେ

ହୋଇ ବିନତି, ମୋତେ ତବ କତି ପେଷିଲେ ।

ଦୟା-ବିଗ୍ରହ ଅନୁଗ୍ରହ-ଆଗ୍ରହଭରେ ମୁଁ ଭାସିଲି ଭାଷିଲେ’ । ୧୦ ।

 

ସୂଗ୍ରୀବମୁଖରୁ ଶୁଣି ଜାମ୍ବବନ୍ତ ବକ୍ତ୍ରାନ୍ତରେ ତାଳି ନେତ୍ରାନ୍ତ

ଶଉରି ଉଚ୍ଚାରିଲେ : ‘ଗର - ସରିତୁଁ ଧାରେକି ହୁଅଇ ଅମୃତ ?‘

ଶୁଣି ମାରୁତି : ବଦତି ଉଚିତ ନୋହିଲା ।

ନିଃସଖ-ସଖା-କଳ୍ପଶାଖୀ ନିରାଶ-ଫଳ ଫଳିବାର ଶୋହିଲା ।୧୧ ।

 

ଫୁଲି ପ୍ରଫୁଲ୍ଲି ନୀଳେନ୍ଦୀବର ନେତ୍ର ମିତ୍ରମୁଖ ଚାହିଁ କହିଲେ

‘ଜନକ-ତନୁଜା ବାନା ଶୀତଭାନୁ ଭାନୁଠାରୁ ଗୁଣ ବହିଲେ

ଯେବେ ଶଉରି-ବିଚାରେ ଡେରିବା ଶ୍ରୁତିକି ।

ଲକ୍ଷ୍ମଣାଙ୍କ ପଦ-ପୁଷଣ ଭୂଷଣ ନୋହିବ ବିଚାର ମତିକି । ୧୨ ।

 

 

ବନ୍ଧା ହୋଇ ବନ୍ଧାଇଛି କେହି ଫନ୍ଦା ହୀନଜନେ – ନିନ୍ଦାବାନାକୁ,

ଅବିଧି-ବିଚାର ନ ଉଚ୍ଚାର, ଗତି ପ୍ରଚାର ତ ଘେନି ସେନାଙ୍କୁ’’

ଠାରୁ ଈକ୍ଷଣ, ସୁଲକ୍ଷଣ-ମୂର୍ତ୍ତି ଲକ୍ଷ୍ମଣ,

ବିଶ୍ରବାନନ୍ଦନ-ସନ୍ନିଧି ଗମନ-ସୁଧାନିଧି ହେଲେ ତକ୍ଷଣ । ୧୩ ।

 

‘‘ସୀତା-କୁନ୍ଦନକୁମ୍ଭ କୁଚଚନ୍ଦନ ଛାମୁରେ ବନ୍ଦନ ତୁମ୍ଭର’’

ଶ୍ରବଣ କରାଉ ଦବି ଯାଇ ହରି ନେବାକୁ ତୁମ୍ଭଙ୍କୁ ସତ୍ୱର

ସଉମିତ୍ରି ଯେ, ଆରମ୍ଭିଲେ ଗତି ଉତ୍ସବ,

ରୋମା-ବଲ୍ଲଭ ଦୁର୍ଲଭଭାବେ କହି ଦେଖାଇଲେ ପାଣି-ପଲ୍ଲବ । ୧୪।

 

ଦହି ତୋଷ ବେନିଦଶନେତ୍ରେନୁଜ ସୁମିତ୍ରାକୁମର ପୟରେ

ନମି କରପର୍ଣ୍ଣ ଯୋଡ଼ିଲେ ସୁପର୍ଣ୍ଣ ପ୍ରପନ୍ନ ପ୍ରକାର ଲୟରେ;

କପିଶେଖର, ଚାହିଁ ଖରେ କହେ ‘‘କୁମୁଦ,

ବିଲମ୍ୱ ଅରୁଣବିମ୍ୱ ବିରୋଧିଛି ଗମନ-ପ୍ରମୋଦ-କୁମୁଦ’’ ।୧୫।

 

ଦୂର୍ବାସାଦି ପୂଜ୍ୟ ଦୂର୍ବାଦଳତେଜ ପୂର୍ବାଭିମୁଖରେ ବସି

ଚାତକ ତ୍ରୋଟି ଲୋକିତ ଘନବୃଷ୍ଟି ପରିରେ ଭେଟିଲେ ଆସି

‘‘ଦୂର ଦୂରିତ, ତୁରିତେ ବିଶ୍ରବାକୁମର

ପୂର୍ବପର୍ବତ-ବିହାରୀ ହେଲେ ହରି ଯଥା ଗର୍ବ ଖର୍ବ ରାତ୍ରିର’’ ।୧୬ ।

 

 

କହିଲେକ କର ଯୋଡ଼ି ସେ କିସ୍କିନ୍ଧାନାଥ ‘‘ଶୁଣ ରଘୁନାଥ

ଅଇଲେ ସନକ ଦୂର୍ମିଳ ପଦାର୍ଥ ଏବେ ଲଭିବାରେ ସମର୍ଥ;

ଶୁଣି ଅଧରେ, ହାସ ଜାତ କଲେ ଶ୍ରୀରାମ-

ନିନ୍ଦିନ କଳ୍ପଦ୍ରୁମ ଉଦ୍ଭବୋପମ-ମକରନ୍ଦସ୍ଥିତ କୁସୁମ । ୧୭ ।

 

ଶୋଭା-ସଲିଳେ ନୀଳମଣି-ନାବରେ ଲୀଳା କଲାପରି ଚନ୍ଦ୍ରମା

‘‘ଆସ ଆସ’’ ଭାଷ ପ୍ରଚାର ବଢିଲା ବଢ଼ି ମୁଖ ଶୋଭା-ବଡ଼ିମା,

ତହୁଁ ସୁମାଳି–କୁମାରୀ-କୁମର ଜାଣିଲା,

ଧୂର୍ଜଟିଚିତ୍ତ-ସଂପୁଟ-ପଦ୍ମରାଗମଣି-ପୟରେ ପ୍ରଣମିଲା ।୧୮।

 

ବିଖାବଳି ଝଳି କର ସେ କାଳରେ ଲଭିଲେ କୁଞ୍ଚିକା-ବିଧିକି,

ଫିଟାଇ ନିଟଳ ପୁରୁ ତା ଲୁଟିଲେ କୁଟିଳ ସଂସର୍ଗ-ସିଦ୍ଧିକି,

ପ୍ରେମବଶରୁ, ରସିଥିଲା ଶିର-କମ୍ପନେ,

ଅତୁଳାଇ ଯୋଗେ ଫଲାଇ ହେବାରୁ ଝୁଲାଇ ରଖିଲା ସମାନେ । ୧୯ ।

 

‘‘ହେ ବଳିଷ୍ଠ ଉଠ ଉଠ’’ ଭାଷ ଉଠି କରଯୁଗ ଯୋଡ଼ି ରହିଲା-

‘‘କୁଟବିଦ୍ୟାକାର-ମୁକୁଟକୁ କିମ୍ପା ତ୍ୟାଗ କଲ’ ବୋଲିୁ କହିଲା

‘‘କ୍ଷିତିନନ୍ଦନା, ମତିସରସିଜ-ରବି ହେ,

ଦୈତ୍ୟ-ଶିର୍ବରୀଣ ଗର୍ବପର୍ବତକୁ ମୋ ବଚନ ହେଲା ପବି ହେ । ୨୦ ।

 

 

ରୋଷେ ସ୍ୱେଦେ ସେ ବିଳସି ତାମରସ କାନନରେ ହେଲେ ଦ୍ୱିରଦ

କିମ୍ପା ନିନ୍ଦିବା ବନ୍ଦିବାର ଉଚିତ ନୋହିଲେ ହେବେ କି ବରଦ ?

ନବନୀରଦ-ସୁନ୍ଦର ଚରଣଯୁଗକୁ,

ଲଭିଲି ଯା ଯୋଗେ ଯୋଗିବୃନ୍ଦ ଯୋଗେ ସାଧୁଥାନ୍ତି ସଦା ଯୋଗକୁ’’ ।୨୧।

 

କିଣା ହୋଇ ଜଗଜ୍ଜିଣା ଏ ବାଣୀରେ, ଭଣିଲେ କମ୍ପାଇ କାର୍ମୁକ-

‘‘ନି-ଦରେ କହ ତ ସୋଦର ଶୋଭିତ କେତେ ଗୁଣ ବଳ ବିବେକ

ଭାତକୁମାର, ଚତୁରଙ୍ଗ ସୈନ୍ୟ ବିଧିକି,’’

ଶୁଣି ପାଣି ଯୋଡ଼ି ଭଣିଲା, ‘‘ଅଶେଷ ବିଂଶପାଣି ଆଣି ସିଦ୍ଧି କି ।୨୨।

 

ବୃନ୍ଦାରକ-ବୃନ୍ଦାନନ୍ଦ ଦର୍ପବାତେ ସର୍ପ କଲା ପରି ଆହାର

ମନ୍ଦୋଦରୀ-ହୃଦ-କୁମୁଦ ନୀହାରକରର ଭୂଲତା ବିହାର

ଭୂଜଦଣ୍ଡର, ମଣ୍ଡନ କୋଦଣ୍ଡ ଚିରାଳ

ବାକିଗଲେ ଭାଜି ହେବେ ରଜରାଜି ପାଞ୍ଚ ନବ ପଞ୍ଚମଣ୍ଡଳ ।୨୩ ।

 

ମହାବଳିଷ୍ଠ କୁଳଶ୍ରେଷ୍ଠ କନିଷ୍ଠ ଭ୍ରାତ ଘଟଶ୍ରୁତି ଶ୍ରୁତିକି

ଘଟନଲମ୍ପଟ ବିଧିରୁ ବିଧାତା ରତି ହେଉ ନାହିଁ ଶ୍ରୁତିକି

ଯାହା ଜଗତ, ବିଜୟ ବାଜଣା ଧ୍ୱନିକି

ଶୁଣିଲାକ୍ଷଣି ଭ୍ରମରୋଗ ଆରୋହେ ଦିନେଶ-ସୁତ ମୂର୍ଦ୍ଧନିକି ।୨୪।

 

 

ଯାହା ଜ୍ୟେଷ୍ଠସୁତ ଅସି କଷିବାରେ ଘଷି କରି ପାଣିପଲ୍ଲବ

ଘଷି ନାଶିଲା ନାକପାଳ କପାଳ ଲେଖା ବର୍ଣ୍ଣାବଳି ବିଭବ

ଯାହା ବୀରେନ୍ଦ୍ର, ପଣ ପ୍ରଶଂସା ଆଚରଣ

ବଳବନ୍ତକୁଳ ବଳ ଦୂର୍ବାଦଲ ଦଳନେ ଶତାଙ୍ଗ ଚଳନ । ୨୫ ।

 

ହୟସମୁଚ୍ଚୟ ବନ୍ଧନ ବିଧାନ ପ୍ରଧାନ କନକ ଶୃଙ୍ଖଳା,

ପ୍ରତୀତ ହୁଏ–ଜବନବିଦ୍ୟା ଅର୍ଥେ ଅନୁସରିଛନ୍ତି ଚପଳା,

ଗଜେ ଶୋଭିତ, ସଦା ଇନ୍ଦ୍ରଗଜ ସମରେ ।

ମେରୁ କଇଳାସ ଆଦ୍ୟପ୍ରାନ୍ତ ଦୃଶ୍ୟ ହୁଅନ୍ତି ଯାହାଙ୍କ ଛାମୁରେ । ୨୬ ।

 

ଅଣିମାଦିକର ଆଣି ପାଣି ଯୋଡି ବାଣୀ ଭଣୁଥାଇ ମଣିମା’’

ଅଧିକ ହୋଇ କି ହେବ ସବୁ ଧିକ ପଦ ବିପଦରେ ମଣିମା

ପରପ୍ରମଦା, ପ୍ରମୋଦ-ମଦରେ ଯୋଡ଼ି ଯେ

ରହିଛି ତୁମ୍ଭ ଆରମ୍ଭ-ବାନା-ବାତ-ପରିରମ୍ଭେ ଯିବ ଉଡ଼ି ଯେ । ୨୭ ।

 

‘ପଦଗ’ ଶକ୍ତିଧର-ପଦେ ପ୍ରମାଦ ହେବ କି ବିଚାରି ବିହି ଯେ,

ପିତା-କୁମାର ନାମ ସୋମଶେଖର କରମବଶରୁ ଲିହି ଯେ,

ଯାହା ପ୍ରତାପ, ଛାୟା ଛାୟାଦେବୀ-ନାୟକ

ଯୋଗ୍ୟବଶରୁ ଦ୍ୱିରଦମୁଖେ ଚାରୁପଦେ ହୋଇଲେ ବିନାୟକ’’ । ୨୮ ।

 

 

ଶୁଣି ରଘୁମଣି ଭଣିଲେ : ‘‘ଜାଣିମା ରଣରେ ବୀରେନ୍ଦ୍ରପଣ ଯେ

ଏକା କାଣ୍ଡକେ ପ୍ରାଣପତି-କତି ପ୍ରାଣ ହେବ ସମର୍ପଣ ଯେ

ଆମ୍ଭ ପ୍ରମାଣ, ଜାଣୁତ ଛୁଉଁଛୁ କମାଣ

ଆଜଠାରୁ ଲଙ୍କ ମହୀରେ ମହୀନ୍ଦ୍ର ପଦ ତବ ହେଲା ନିର୍ମାଣ’’ । ୨୯ ।

 

କହେ ମିତ୍ରପୁତ୍ର : ‘‘ହୋଇଲା କି ଚିତ୍ର, ଚିତ୍ରଭାନୁକୁଳାମ୍ବୁଜକୁ

ସମର୍ପି ଜନକ-ତନୁଜା କନକ ମହୀନ୍ଦ୍ର ଚରଣାମ୍ବୁଜକୁ

କଲେ ଆଶ୍ରିତ, କି ହେବ ?’’ ଶ୍ରବଣେ ରାଘବ :

ଭଣିଲେ, ‘‘ଜାଣିବା ବିହି ବିହି ନାହିଁ ରାଜ୍ୟଭ୍ରଷ୍ଟ-କଷ୍ଟଲାଘବ’’ । ୩୦ ।

* ‘ମେସ’କୁ ‘ମେଷ’ ଅର୍ଥ କର

 

ଭ୍ରମିବା ଭଙ୍ଗୀ ଭଜନ୍ତେ ବାନରେନ୍ଦ୍ର ଦୂର୍ବିନ୍ଦ ଅନାଇ କହିଲା :

‘‘କହିଲା-ଭଙ୍ଗୀରେ ଯାହା କଲ ତାକୁ ଭଲା ଯୋଗେ ମହୀ ପାଇଲା

ଥିଲେ ଦୂର୍ଯୋଗ, କଳ୍ପନାର ଯୋଗ ହୋଇବ’’ ;

ବାଳିସୁତକୁ କାଳାଞ୍ଜନ କହଇ : ‘‘ଅସୁରକୁଳେ ତ ସମ୍ଭବ’’ । ୩୧ ।

 

ହିରଣ୍ୟଗର୍ଭ-ଯେହୁତ ହରିମୁଖ ଦରହର କାନ୍ତି ସୁନ୍ଦର,

ବିନାୟକ ପାଶେ ଶୋଭିତା ଭାରତୀ ନୃସିଂହକୁ ଚିନ୍ତି ମନର,

କ୍ଷିତିରକ୍ଷକ-ବୀରଶିରୋମଣି ମାନ୍ଧାତା

ବିନାୟକ ସିଂହ ବୋଲେ ‘ଏହି ବେନି ମୂର୍ତ୍ତି ତାପ-ତମ-ସବିତା’ । ୩୨ ।

ଲକ୍ଷ୍ମଣ - ଇନ୍ଦ୍ରଜିତ ଯୁଦ୍ଧ

କପିବଳଙ୍କ ପ୍ରବଳ      ଚହଳ ଶୁଣି ଚପଳ

ପ୍ରହରୀ ଜଣେ ଜଣକୁ ପଚାରେ ତର୍କି,

‘‘ମହା ବିଷମ, ଗୁପତ      ପୟର ପୁରେ ପୂରିତ

ସ୍ଥିତ ହୋଇ ରବେ ରତ ହରିଏ ଏକି ?

ଭୟ କରି ହରିଙ୍କ ରଣ, ବିହରିବା ପୁରେ ଧିକ ଆମ୍ଭ ପରାଣ’’ ।୧ ।

 

ଶଚୀଶକଣ୍ଟକ-ନିଦ୍ରା-      ମୁଦ୍ରା-ଅପଘନେ ଗଦା

ପ୍ରହାରପରି ପ୍ରମଦାମାନଙ୍କ ବାଣୀ-

‘‘ମହତ୍ତ୍ୱ-ହତବିଧାନ      ପ୍ରଧାନ ଗୁଣନିଧାନ

ହୋଇଲାଟି ଉଠ ଉଠ କୁମରମଣି !’’

ଚକ୍ଷ ମଳି ବସେ ବଳିଷ୍ଠ,

‘‘ପୁଣ୍ୟଜନ ଯତି ଗତିକଲା ବୈକୁଣ୍ଠ’’ । ୨ ।

 

ଉଚ୍ଚାରି ଏ ଭାରତୀକି       ବେନି କନ୍ଧେ ଭାରତୀକି

ମଣ୍ଡନ କରି କୋଦଣ୍ଡ କାଣ୍ଡ ଧଇଲା;

ଯମ-ଦେବତାର ଯମ      ହୋଇଲେ ହେବ ସେ ବାମ

ଏଣୁ ବୀରବେଶ ଲେଶ ବୋଲି ନ ଗଲା

ମଣିମୟ ରଥେ ବିହରି

ବାହାରେ ସେ ସୁଲୋଚନା-କୁଚକସ୍ତୁରୀ । ୩ ।

 

ଘୁଞ୍ଚନ୍ତେ ମକଟଶ୍ରେଣୀ      ପାଣିକି ଦେଖାଇ ଭଣି

‘‘ଡର କିମ୍ପା ? ଅନୁକମ୍ପା ପାତ୍ରକୁ ଯୋଗ୍ୟ !

ହିମାଚଳ-ହୃଦପଟ-      ଭେଦନେ ରମ୍ୟ ଲମ୍ପଟ

ଆୟୁଧ ପେଷିଲେ ତବ ବଧେ ଦୁର୍ଯ୍ୟୋଗ,

ଯୋଦ୍ଧାକୀର୍ତ୍ତି-ସୁଧାକିରଣ,

ହେବ ତା ରାମଲକ୍ଷ୍ମଣ ରାମଲକ୍ଷଣ’’ । ୪ ।

 

ଏ ସମୟେ ରାମାନୁଜ      ସନ୍ଧି କୋଦଣ୍ଡେ ନାରାଜ

ବିରାଜମାନ ଝଟତି ପୁରତେ ହେଲେ;

‘‘ତୁ ତ ଅତ୍ୟନ୍ତ ଲାଘବ      ନାମ ମାତ୍ରକ ରାଘବ

ଯାହାର ସେ ନଇଲା କି ବୋଲୁ ?’’ ବୋଇଲେ

ହିରୀ-ସମୁଚ୍ଚୟ ହୀନରେ

ଗିରୀଶ ନାଶେ ଶିରୀଷ ଭାବୁ ମନରେ ।୫।

 

ହସି ଭାସିଲା-‘‘ଗିରୀଶ-      ଶେଷ-ଶିରୀଶ-ଶିରୀଶ-

ଭ୍ରମରୋଗ ଭମଣ-ମୋ ନିଶାଣ-ନାଦ,

ଅହଲ୍ୟାରତି-ଲମ୍ପଟ      ବହିଲା ନାହିଁ ମୁକୁଟ

ପ୍ରକଟିଲା ଦିନୁ ମେଘନାଦ-ଶବଦ,

ଗର୍ବ ବହୁ କି ବାହୁବଳେ ?

ଭେକେ ଡାକନ୍ତି ସ୍ତନିତ ଜନିତ କାଳେ’’ ।୬।

 

ଭାଷିଲେ ରାଘବାନୁଜ-      ‘‘କାହିଁକି ଏଡେ ଚାତୁର୍ଯ୍ୟ

ବସିଲୁଣି କାଳପୁର-ଅନୁକୂଳରେ

ଖଣ୍ଡ ଖଣ୍ଡ କଲେ ତନୁ      ପ୍ରଚଣ୍ଡ ଖଣ୍ଡ ବଦନୁ

ନ ଛାଡି ଏ ବଡପଣ ତୁମ୍ଭ କୁଳରେ

କୁମ୍ଭଶ୍ରୁତିଠାରୁ ଏ ଦେଖା

ଜନକ ତୋ ବୀରକୁଳ-କଳଙ୍କ-ଲେଖା’’ ।୭।

 

ଏହି କାଳରେ ଅଙ୍ଗଦ      ‘‘ତୋ ଅଙ୍ଗଆନ ଅଙ୍ଗଧ !’’

ବୋଲି ରଥପରେ ନେଇ ଶିଳା ଛେଚିଲା

ଶିଳାପର୍ବତ ପତନ            ଖଣ୍ଡ ଖଣ୍ଡ ତା ସ୍ୟନ୍ଦନ

ମହୀ ଉତ୍ତାରି ଶକ୍ରରି ଶୋଭା ପାଇଲା

ବିଳହରା ଅହି ପ୍ରକାର

ଦିଶିଲା ଲଙ୍କ-ବଳିଷ୍ଟ-ଜ୍ୟୋଷ୍ଠକୁମାର ।୮।

 

ଏ ଛାନ୍ଦର ଅନ୍ୟାନ୍ୟ ପଦ ମିଳୁନାହିଁ । କେତେକ ଲୋକ ଯଦୁମଣିଙ୍କ ‘ରାଘବ-ବିଳାସ’ର ପଦ କହି ତାହା ଆବୃତ୍ତି କରିଥାନ୍ତି । କିନ୍ତୁ ଶୈଳୀରୁ ଜଣାଯାଏ ଯେ, ସେ ପଦମାନ ଯଦୁମଣିଙ୍କ ରଚିତ ନୁହେ । ପୂର୍ବୋଦ୍ଧୃତ ଛାନ୍ଦଟି ନୟାଗଡର ରାଜା ବିନାୟକ ସିଂହଙ୍କ ନାମରେ ଭଣିତା ହୋଇଥିବାରୁ ୧୮୩୩ ଖ୍ରୀଷ୍ଟାବ୍ଦରେ ସେ ଜୀବିତ ଥିବାର ଜଣାଯାଏ । କାରଣ ସେତେବେଳେ ବିନାୟକ ସିଂହ ଗଡଜାତର ରାଜାମାନଙ୍କର କ୍ଷମତା ହ୍ରାସର ପ୍ରତିବାଦ କରି ଇଂରେଜ ସରକାରଙ୍କ ପାଖକୁ ପତ୍ର ଲେଖିଥିବାର ଜଣାଯାଏ ।

 

ସପ୍ତମ ଅଧ୍ୟାୟ

Unknown

ଓଡିଆ ଛାନ୍ଦ ଓ ବିବିଧ ସାହିତ୍ୟ

ଛାନ୍ଦ ରାଗଠାରୁ ପାଦ୍ୟପାଠ-ପ୍ରଣାଳୀର ପୃଥକ୍ ନାମ ବୋଲି ’ଓଡିଆ ସାହିତ୍ୟ-ପ୍ରକାଶ’ରେ କୁହାଯାଇଛି । କଥା କହିବାବେଳେ ଆମେ ଗୋଟିଏ ବାକ୍ୟର ଶେଷରେ ବିଶ୍ରାମ ନେଉଁ; କିନ୍ତୁ କୌଣସି ପଦ୍ୟ ପାଠ କଲାବେଳେ ଗୋଟିଏ ପଦର ମଧ୍ୟରେ କେତେକ ଥର ବିଶ୍ରାମ ନେବାକୁ ହୁଏ । ଏଣୁ ପ୍ରତ୍ୟେକ ପଦକୁ କେତେକ ଚରଣରେ ଓ ପ୍ରତ୍ୟେକ ଚରଣକୁ କେତେକ ପର୍ବରେ ବିଭକ୍ତି କରାଯାଏ । ପର୍ବ ଅନୁସାରେ ଆମକୁ ବିଶ୍ରାମ ନେଇ ଯତିପାତ କରିବାକୁ ହୁଏ । ଯେ କୌଣସି ଏକ ଛନ୍ଦର ପଦ୍ୟ ବିଭିନ୍ନ ରସାଶ୍ରିତ ହୋଇଥିଲେ ରସ ଉପଭୋଗ କରିବା ବା କରାଇବାପାଇଁ ତାହା ବିଭିନ୍ନ ରାଗରେ ପାଠ କରାଯାଏ । ସାଧାରଣ ପାଠକ ଛନ୍ଦ ଅନୁସାରେ କବିତା-ପାଠକଳା ଓ ରାଗ ଅନୁସାରେ କବିତାପାଠକୁ ସୂକ୍ଷ୍ମ ପାଠ-କଳା କୁହାଯାଇପାରେ । ସକଳ ଶ୍ରେଣୀର ଲୋକେ ସ୍ଥୂଳ ପାଠ-କଳାକୁ ଆୟତ୍ତ କରନ୍ତି । ଏଣୁ ଏହାକୁ ଗଣ-ପଦ୍ୟପାଠ ପ୍ରଣାଳୀ ବୋଲି କୁହାଯାଇପାରେ । ଏହି ପ୍ରଣାଳୀ ଦଣ୍ଡ-ନାଟରେ ଓ ଆଦିବାସୀଙ୍କ ନୃତ୍ୟରେ ଅନୁସୃତ ହେଉଥିବାର ଦେଖାଯାଏ । ସଙ୍ଗୀତଜ୍ଞମାନେ ସୂକ୍ଷ୍ମ ପାଠ-କଳା ଅନୁସରଣ କରି ଗୀତ ଗାଇଥାନ୍ତି । ପ୍ରାଚୀନ ଓଡିଆ-ସାହିତ୍ୟରେ ପ୍ରତ୍ୟେକ ଛାନ୍ଦ ଗୋଟିଏ ନିର୍ଦ୍ଦିଷ୍ଟ ରାଗରେ ଗାଇବାପାଇଁ ନିର୍ଦ୍ଦେଶିତ ହୋଇଅଛି ଓ ଅନେକ ସ୍ଥଳରେ ଚରଣମାନଙ୍କୁ ପର୍ବ ଅନୁସାରେ ଶୃଙ୍ଖଳାବଦ୍ଧ କରାଯାଇ ନାହିଁ, ଯଥା:-

୧ମ ଚରଣ-ଏହି ସମୟରେ      ସୁନ୍ଦରୀ-ଛାମୁରେ

ପ୍ରଭାମଞ୍ଜୁଳା ଜଣାଇଲା-

୨ୟ ଚରଣ :- ଅତି ମଧୁର            ମଧୁରଋତୁ ପ୍ରବେଶ

କିଛି ଦିନ ହେଲା ହୋଇଲା,

୩ୟ ଚରଣ-      ଶ୍ରବଣ, କରିନାହୁଁ ନବ କାମିନୀ

୪ର୍ଥ ଚରଣ-ପିକ-ବଚନେ            ପୁନଃପୁନଃ ପ୍ରକାଶ

କଲାଣି ଅନ୍ଧାର ଯାମିନୀ ।

(ଲାବଣ୍ୟବତୀ)

ଏହା ବସନ୍ତ-ରାଗରେ ପଠିତ ହେବାପାଇଁ ନିର୍ଦ୍ଦେଶିତ ହୋଇଅଛି; କିନ୍ତୁ ଏହାକୁ ସ୍ଥୂଳ ପାଠ-କଳା ଅନୁସାରେ ପାଠ କରାଯାଇ ପାରିବ ନାହିଁ, କାରଣ ଚରଣମାନଙ୍କୁ ପର୍ବ-ବିନ୍ୟାସର ଶୃଙ୍ଖଳା ନାହିଁ । ‘ଶ୍ରବଣ କରିନାହୁଁ’ ଗୋଟିଏ ପଦାଂଶ ହେଲେ ମଧ୍ୟ ‘ଶ୍ରବଣ’ ଗୋଟିଏ ପୃଥକ୍ ପର୍ବରୂପରେ ପୁସ୍ତକମାନଙ୍କରେ ଲେଖା ହୋଇଥିବାରୁ ଛନ୍ଦ ଅନୁସାରେ ନ ଗାଇ ରାଗ ଅନୁସାରେ ଗାଇବାପାଇଁ କବିଙ୍କର ଅଭିପ୍ରାୟ ଥିଲା ଓ କବି ସଙ୍ଗୀତଜ୍ଞ ଥିଲେ ବୋଲି ଜଣାଯାଏ । ଜନସାଧାରଣଙ୍କ ନୃତ୍ୟରେ ଭାଷାର ଛନ୍ଦ ବିକଶିତ ହୁଏ । ‘ଗୋପାଳଙ୍କ ଓଗାଳ ଓ ଲଉଡି ଖେଳ’ ଅଚ୍ୟୁତାନନ୍ଦଦାସ ଲଉଡିଖେଳ ନାଟର ଅନୁସାରେ ଲେଖି ଅଛନ୍ତି । କିନ୍ତୁ ପାଇକ ଆଖଡାର ଛାନ୍ଦର ନିଦର୍ଶନ କେଉଁଠାରେ ଅଛି, ତାହା ଅନୁସନ୍ଧାନ କରିବା ଉଚିତ । ଓଡିଶାର ଦଣ୍ଡ-ନାଟ ଓ ଦାସକାଠିଆ-ନାଟ ବହୁ ପ୍ରାଚୀନକାଳର ଅଟେ । କିନ୍ତୁ ରାମଲୀଳା-ନାଟ କେବେ ପ୍ରବର୍ତ୍ତିତ ହୋଇଥିଲା, ଜଣାପଡୁ ନାହିଁ । ପୀତାମ୍ୱର ରାଜେନ୍ଦ୍ର ଖଣିଏ ‘ରାମଲୀଳା’ ଲେଖିଥିଲେ । ସେ ବୋଧହୁଏ ଚିକିଟୀର ରାଜା ଥିଲେ । ଚିକିଟୀର ପୀତାମ୍ୱର ରାଜେନ୍ଦ୍ର ୧୭୯୧ରୁ ୧୭୯୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଆଉ ଗୋଟିଏ ‘ରାମ-ଲୀଳା’ କାବ୍ୟ ବହୁ କାଳରୁ ଜନପ୍ରିୟ ହୋଇଆସୁଛି । ଏହାକୁ ବିକ୍ରମ ନରେନ୍ଦ୍ର ରଚନା କରିଥିଲେ; କିନ୍ତୁ ତାହାଙ୍କର କୌଣସି ପରିଚୟ ମିଳୁନାହିଁ । ଗଞ୍ଜାମ ଜିଲାର ଜଉଗଡ ନିକଟବର୍ତ୍ତୀ ଅଞ୍ଚଳରେ ‘କଳ୍ପତରୁ ରାମଲୀଳା’ର ପ୍ରଚଳନ ଦେଖାଯାଏ । ଏହାର ମଧୁର ରାଗରାଗିଣୀ ଓ ଲଳିତ ଶୈଳୀରୁ ଅନୁମିତ ହୁଏ ଯେ ଏହା ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରଚିତ ହୋଇଥିବ । କିନ୍ତୁ ଦୁଃଖର କଥା, ଏହାଙ୍କର କୌଣସି ପରିଚୟ ମିଳି ନାହିଁ । ପାଲାନାଟ କଲିକତାର ପ୍ରବାସୀ ଓଡିଆମାନେ ଏ ଦେଶକୁ ଆଣିଥିବେ । ଖୋର୍ଦ୍ଧାର ପିଣ୍ଡିକ ଶ୍ରୀଚନ୍ଦନ ‘ବସନ୍ତ-ରାସ’ ଊ଼ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରଚନା କରିଥିଲେ । ଗୀତଗୋବିନ୍ଦ ଅନୁସାରେ ଏହି ରାମ ରଚିତ ହୋଇଅଛି । କିନ୍ତୁ ପାଲା-କଥାରେ ବଙ୍ଗଭାଷାର ଯେପରି ପ୍ରଭାବ ଦେଖାଯାଏ, ତତୋଽଧିକ ପ୍ରଭାବ ଏଥିରେ ଅଛି । ଚୈତନ୍ୟ ବଙ୍ଗରୁ ଆସି ଏ ଦେଶରେ ସଂକୀର୍ତ୍ତନ ପ୍ରଚାର କରିଥିଲେ ବୋଲି ଅଦ୍ୟାବଧି ଓଡିଶାର ସଂକୀର୍ତ୍ତନରେ ବଙ୍ଗଭାଷାରେ ଗୀତ ପ୍ରଚଳିତ ଅଛି, ଯଥା:-

‘‘ନଗର ଭମନ କରି ଗୌର ଏଲୋ ଘରେ

ଗୌର ଏଲୋ ଘରେ ଆମାର ନିତାଇ ଏଲୋ ଘରେ ।

ସଂକୀର୍ତ୍ତନ କରିୟା ପ୍ରଭୁ ନଗରେ ନଗରେ

ପାରିଷଦ ଗନସନେ ଆନନ୍ଦିତେ ଫିରେ ।

ସ୍ୱେଦବିନ୍ଦୁ ବହେ ସୋନାର କଳେବରେ

 

ଧେୟେ ଗିୟେ ଶଚୀମାତା ଗୌରେ ନିଲ କୋଲେ ।

ନେତେର ଅଞ୍ଚଳ ଦିଏ ଧୂଳି ଝାଡି ଦିଲେ

ଲକ୍ଷ ଲକ୍ଷ ଚୂମ୍ୱ ଦିଲେ ବଦନ- କମଲେ ।

ବଲି ହରି ବଲି ହରି ଭକ୍ତଗାନ ଦିଲେ

ବଇଷ୍ଣବ-ଦାସ ଲୁଟେ ଗୌର-ପଦତଲେ ।’’

ଚୈତନ୍ୟ ବଙ୍ଗଦେଶରେ ଜନ୍ମଗ୍ରହଣ କରି ସଂକୀର୍ତ୍ତନରେ ବଙ୍ଗଳା ଗୀତ ଗାଉଥିଲେ । ଜୟଦେବ ସଂସ୍କୃତଭାଷାରେ ଗୀତଗୋବିନ୍ଦ ରଚନା କରିଥିଲେ । ଓଡିଆ ଗୀତ ଗାଇଲେ ଚୈତନ୍ୟ ବୁଝିପାରିବେ ନାହିଁ ବୋଲି ଲୋକଙ୍କର ଧାରଣା ଥିବ । ସେଥିପାଇଁ କବି ବଙ୍ଗଳାରେ ସଂକୀର୍ତ୍ତନ ଗୀତ ରଚନା କଲେ । କିନ୍ତୁ ‘ବସନ୍ତ-ରାସ’ ଅଧା ଓଡିଆରେ ରଚିତ ହେଲା କାହିଁକି ? ନିଜର ନୀଚତା-ବୋଧ ଜାତିଠାରେ ବୋଧ ହୁଏ ଜନ୍ମିଥିଲା ।

 

ଗଦ୍ୟ-ରଚନା

ତ୍ରୟୋଦଶ ଶତାବ୍ଦୀର ଶେଷଭାଗରେ ଲେଖା ହୋଇଥିବା ଭୁବନେଶ୍ୱରସ୍ଥ ସିଦ୍ଧେଶ୍ୱର ମନ୍ଦିର ନିକଟରୁ ଆବିଷ୍କୃତ ଶିଳାଲିପିର ପାଠ ଏହି ପୁସ୍ତକର ଦ୍ୱିତୀୟ ଅଧ୍ୟାୟର ଶେଷରେ ଉଦ୍ଧାର କରାଯାଇଅଛି । ଏଥିରେ ଗଦ୍ୟଭାଷା ବ୍ୟବହୃତ ହୋଇଅଛି ଓ ଏହା ଗୋଟିଏ ଚୁକ୍ତି-ପତ୍ର ଅଟେ । ସେତେବେଳେ ରାଜ-ଦରବାରରେ ଓଡିଆଭାଷା ବ୍ୟବହୃତ ହେଉଥିବାର ଏହା ଗୋଟିଏ ପ୍ରମାଣ ଅଟେ । ଅଶୋକ ଓ ଖାରବେଳଙ୍କ ଶିଳଲିପିମାନ ଗଦ୍ୟ ପାଲୀଭାଷାରେ ଲିଖିତ ହୋଇଅଛି । ଏଣୁ ପଣ୍ଡିତମାନେ ସଂସ୍କୃତଭାଷା ଚର୍ଚ୍ଚା କରୁଥିଲେ ମଧ୍ୟ ରାଜଦରବାରରେ ଜନସାଧାରଣଙ୍କ କଥିତ ଭାଷା ବ୍ୟବହୃତ ହେଉଥିଲା ବୋଲି କହିବାକୁ ହେବ ।

 

ସିଦ୍ଧେଶ୍ୱର ମଠ ଶିଳା-ଲିପିର ‘କୃଷ୍ଣ’ ‘କୃଷକ’ ପ୍ରଭୃତି ପଦ ‘ତ୍ରୀଷ୍ଣ’ ‘ତ୍ରୀଃସେକ’ ପ୍ରଭୃତି ରୂପରେ ଲିଖିତ ହୋଇଥିବାରୁ ‘ଋ’ ବର୍ଣ୍ଣ ‘ଋ’ ରୂପରେ ସେତେବେଳେ ଉଚ୍ଚାରିତ ହେଉଥିବାର ଜଣାଯାଏ । କପିଳେନ୍ଦ୍ରଦେବଙ୍କ ରାଜତ୍ୱ-କାଳରୁ ଦାକ୍ଷିଣାତ୍ୟ ସହିତ ଓଡିଶାର ସଂସ୍ରବ ଘନିଷ୍ଠ ହେବାର ତୈଲଙ୍ଗୀ ଭାଷାର ପ୍ରଭାବରେ ‘ଋ’ ବର୍ଣ୍ଣ ‘ରୁ’ ରୂପରେ ଉଚ୍ଚାରିତ ହୋଇଥିବାର ଅନୁମିତ ହୁଏ । ଉକ୍ତ ଶିଳାଲିପିରେ ‘ଶ’ ଓ ‘ଷ’ ସ୍ଥାନରେ ‘ସ’ର ବ୍ୟବହାର ଦେଖାଯାଏ । ଏହା ଓଡିଆ ଭାଷାର ବିଶିଷ୍ଟତା ଅଟେ । ଷଷ୍ଠୀ ବିଭକ୍ତିର ଚିହ୍ନ ‘ର’ ବୌଦ୍ଧଗାନ ଓ ଦୋହାର ଭାଷାରେ ବ୍ୟବହୃତ ହୋଇଅଛି; ଏଣୁ ଆଲୋଚ୍ୟ ଶିଳାଲିପିରେ ବ୍ୟବହୃତ ହେବା ବିଚିତ୍ର ନୁହେ । କିନ୍ତୁ ଦ୍ୱିତୀୟା ବିଭକ୍ତିର ଚିହ୍ନ ‘ଙ୍କେ’ (ନାୟକଙ୍କେ) ଆଲୋଚ୍ୟ ଶିଳା-ଲିପିରେ ପ୍ରଥମେ ପାଉଅଛୁ । ଏହା କ୍ରମଶଃ ‘କୁ’ରେ ପରିଣତ ହୋଇ ପଦରେ ଥିବା ‘ଡ’ ବର୍ଣ୍ଣ କ୍ରିୟାର ଅତୀତ କାଳକୁ ନିର୍ଦ୍ଦେଶ କରେ । କିନ୍ତୁ ଆଲୋଚ୍ୟ ଶିଳାଲିପିରେ କ୍ରିୟାର ଅତୀତ କାଳ ନିର୍ଦ୍ଦେଶ କରିବାପାଇଁ ‘ଲ୍ଲା’ ବର୍ଣ୍ଣ ବ୍ୟବହୃତ ହୋଇଅଛି । ‘ଡ’ ବା ‘ଲ୍ଲ’ ସଂସ୍କୃତ ଅତୀତ କାଳର ‘କୃତଃ’ ‘ଗତଃ’ ପ୍ରଭୃତି କ୍ରିୟାପଦରେ ଥିବା ‘ତଃ’ ବା ‘ଲ୍ଲ’ ରୂପାନ୍ତର ମାତ୍ର ଅଟେ ।

 

ଉପରୋକ୍ତ ଶିଳାଲିପି ଉତ୍ତାରେ ପଞ୍ଚଦଶ ଶତାବ୍ଦୀର କପିଳେନ୍ଦ୍ରଦେବ ଓ ପୁରୁଷୋତ୍ତମଦେବଙ୍କର ଜଗନ୍ନାଥଙ୍କ ମନ୍ଦିରରେ ଥିବା ଶିଳାଲିପିରେ ଗଦ୍ୟ ଓଡିଆ ବ୍ୟବହୃତ ହୋଇଅଛି । ଏହାଛଡା ରୁଦ୍ରସୁଧାନିଧି, ମାଦଳାପାଞ୍ଜି ଓ ରାଜବଂଶାବଳୀମାନ ଗଦ୍ୟ ଓଡିଆରେ ଲିଖିତ ହୋଇଅଛି । କିନ୍ତୁ ରୁଦ୍ରସୁଧାନିଧିର ରଚନାକାଳ ନିରୂପଣ କରିବା କଠିନ ଅଟେ । ଓଡିଆକୁ ମୁସଲମାନମାନେ ଆଗମନ କରିବାଉତ୍ତାରୁ ମାଦଳାପାଞ୍ଜି ଓ ରାଜବଂଶାବଳୀ ଲେଖିବା ପ୍ରଥା ଏ ଦେଶରେ ପ୍ରବର୍ତ୍ତିତ ହୋଇଥିବ ବୋଲି ଅନୁମାନ କରାଯାଇପାରେ । କାରଣ ମାଦଳାପାଞ୍ଜି ଓ ରାଜବଂଶାବଳୀର ଲେଖାଥିବା ସପ୍ତଦଶ ଶତାବ୍ଦୀର ପୂର୍ବବର୍ତ୍ତୀ ବିବରଣ ମଧ୍ୟରୁ ଅନେକ ସତ୍ୟ ବୋଲି ପ୍ରମାଣିତ ହୁଏ ନାହିଁ । ମାଦଳାପାଞ୍ଜି ଓ ରାଜବଂଶାବଳୀ ଉତ୍ତାରୁ ବ୍ରଜନାଥ ବଡଜେନାଙ୍କ ‘ଚତୁର-ବିନୋଦ’ରେ ଆମେ ମାର୍ଜିତ ଓଡିଆ ଗଦ୍ୟ-ରଚନାର ପ୍ରମାଣ ପାଉ । ‘ରୁଦ୍ରସୁଧାନିଧି’ ଧର୍ମବିଷୟକ ରଚନା ଅଟେ । ଚତୁର-ବିନୋଦ କେବଳ ଯଥାର୍ଥ ଓଡିଆ ପ୍ରାଚୀନ ଗଦ୍ୟ-ସାହିତ୍ୟ ଅଟେ ।

 

ପ୍ରାଚୀନ ଓଡିଆ ଗଦ୍ୟ ଓ ପଦ୍ୟ ସାହିତ୍ୟର ଯେତିକି ନିଦର୍ଶନ ଏବେ ମିଳୁଅଛି, ତାହାଛଡା ଆଉ ନ ଥିଲା ବୋଲି ଭାବିବା ଉଚିତ ନୁହେ । ମହାଭାରତୋକ୍ତ କେତେକ ଉପାଖ୍ୟାନର ଲୀଳା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଭିନୀତ ହେଉଥିଲା । ବର୍ତ୍ତମାନ ସେ ଲୀଳା ପୋଥିର ନିଦର୍ଶନ ମିଳୁନାହିଁ । କବିମାନେ ସଂସ୍କୃତ ରାମାୟଣ ଓ ମହାଭାରତ ଅନୁବାଦ କରିଥିଲେ । ତାହାହେଲେ ଏ ମହାକାବ୍ୟଦ୍ୱୟ ଓଡିଶାରେ ପ୍ରାଚୀନକାଳରେ ଥିଲା । ପୁରାଣ-ପଣ୍ଡାମାନେ ପ୍ରାଚୀନକାଳରେ ସଂସ୍କୃତ ପୁରାଣ ରାଜାମାନଙ୍କୁ ଶୁଣାଇ ବୁଝାଉଥିଲେ । କିନ୍ତୁ ସଂସ୍କୃତ ଭାଗବତ, ରାମାୟଣ, ମହାଭାରତ ଛଡା ଅନ୍ୟ କୌଣସି ହାତଲେଖା ପୁରାଣ ଓଡିଶାରୁ ଆବିଷ୍କୃତ ହୋଇନାହିଁ । ଏ ସମସ୍ତ ପୋଥି ନିଶ୍ଚୟ ନଷ୍ଟ ହୋଇଯାଇଅଛି । ଲିପିର ଆକୃତି ପରିବର୍ତ୍ତିତ ହେଉଥିବାରୁ ନକଲକାରମାନେ ପଞ୍ଚଦଶ ଓ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ କେବଳ ଜନପ୍ରିୟ ପୁସ୍ତକମାନ ନକଲ କରୁଥିଲେ । ଅନ୍ୟାନ୍ୟ ପୁସ୍ତକର ଲିପି କ୍ରମଶଃ ଅପାଠ୍ୟ ହୋଇପଡିବାରୁ ପୁସ୍ତକାଧିକାରୀ ତାହାକୁ ଅବହେଳା କଲେ । ଏଣୁ ସେଗୁଡିକ ଶୀଘ୍ର ନଷ୍ଟ ହୋଇଗଲା । ଲେଖନ ଓ ତାଳପତ୍ରର ବ୍ୟବହାର ହେତୁରୁ ଓଡିଆ ଲିପିର ଆକୃତିଗତ ପରିବର୍ତ୍ତନ ଘଟିଲା ବୋଲି ଅନେକ ପ୍ରତ୍ନତତ୍ତ୍ୱବିଦ୍ ଅନୁମାନ କରନ୍ତି । କିନ୍ତୁ ଏପରି ଅନୁମାନ କରିବା ପୂର୍ବରୁ ଆକୃତିଗତ ପରିବର୍ତ୍ତନ ଘଟିବା ପୂର୍ବରୁ ଓଡିଶାରେ କାହିଁରେ ପୋଥିଲେଖା ହୋଇଥିଲା, ତାହା ନିରୂପଣ କରିବା ଉଚିତ ଅଟେ । ଉତ୍ତର-ଭାରତରେ ବ୍ୟବହୃତ ହେଉଥିବା ଲିପିମାନଙ୍କ ଆକୃତିଠାରୁ ଓଡିଶାର ଲିପିମାନଙ୍କର ଆକୃତି ପ୍ରାଚୀନକାଳରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ପୃଥକ୍ ନ ଥିଲା । ସେତେବେଳେ ଯଦି ଲେଖନ ଓ ତାଳପତ୍ର ବ୍ୟବହୃତ ହୋଇ ଲିପିମାନଙ୍କ ଆକୃତି ପରିବର୍ତ୍ତିତ ନୋହିଥିଲା, ତେବେ ପରବର୍ତ୍ତୀ ଯୁଗରେ ପରିବର୍ତ୍ତିତ ହେଲା କାହିଁକି ? ପ୍ରାଚୀନକାଳରେ ଯଦି ଲେଖନ ଓ ତାଳପତ୍ର ବ୍ୟବହୃତ ନୋହୁଥିଲା, ପରବର୍ତ୍ତୀ ଯୁଗରେ ବ୍ୟବହୃତ ହେଲା କାହିଁକି ? ତାଳପତ୍ରରେ ଲମ୍ୱା ବାଗରେ ସରଳରେଖା ଟାଣିଲେ ତାଳପତ୍ର କଣା ହୋଇଯାଉଥିବାର ଯାହା ଅନୁମାନ କରାଯାଏ, ତାହା ଭ୍ରମାତ୍ମକ ଅଟେ । କାରଣ ସେପରି ରେଖା ତାଳପତ୍ରରେ ଥିବା ପ୍ରାଚୀନକାଳର ଅନେକ ଚିତ୍ରରେ ଦେଖାଯାଏ । ସୁତରାଂ ଲିପିମାନଙ୍କର ଆକୃତି ଲେଖନ ଓ ତାଳପତ୍ରର ବ୍ୟବହାରରୁ ବର୍ତ୍ତୁଳ ହୋଇନାହିଁ । ବର୍ତ୍ତୁଳତାର ଅନ୍ୟ କାରଣ ଅନୁସନ୍ଧାନ କରିବା ଉଚିତ । ଯାହା ହେଉ, ଲିପି ବର୍ତ୍ତୁଳ ହେବାରୁ ପ୍ରାଚୀନ ଲିପିରେ ଲେଖା ତାଳପତ୍ର ପୋଥିପ୍ରତି ଲୋକଙ୍କର ଅବହେଳା ଜନ୍ମିଲା । ଏଣୁ ତାହାକୁ ଲୋକେ ଫିଙ୍ଗିଦେଲେ ଅଥବା ଆପେ ଆପେ ସେଗୁଡିକ ନଷ୍ଟ ହୋଇଗଲା । ନବମ ଶତାବ୍ଦୀର ଓଡିଆ-ସାହିତ୍ୟର ନିଦର୍ଶନ ନେପାଳରୁ ମିଳୁଥିବାରୁ ସ୍ଥଳରେ ଓଡିଶାରେ ତ୍ରୟୋଦଶ ଶତାବ୍ଦୀର ସାହିତ୍ୟର ନିଦର୍ଶନ ମିଳୁନାହିଁ । ସାଇତି ରଖିବା ଓଡିଆ ଜାତିର ସ୍ୱଭାବ ନୁହେ ।